Unknown

 

 

 

 

 

 

 

 

 

 

 

ଅବଶିଷ୍ଟ ଆୟୁଷ

ରାମଚନ୍ଦ୍ର ବେହେରା

 

ଶୋଷ

 

କିଛି ଭାବିବା ପାଇଁ କିମ୍ୱା କେଉଁଆଡ଼େ ଖସିଯିବା ପାଇଁ ଉପାୟ ନଥିଲା । ଗୋଟା ଅଭୂତପୂର୍ବ ଶକ୍ତି ତାକୁ ଉଠେଇ ନେଲା ପାଣି ଭିତରୁ ଏବଂ ଅଳ୍ପ କେତୋଟି ମୁହୂର୍ତ୍ତ ପରେ ସେ ଝୁଲି ରହିଲା ଏହି ବିଶାଳ ଅଥଚ ସୂକ୍ଷ୍ମ ହାତମୁଠା ଭିତରେ, ଆକାଶ ଓ ସମୁଦ୍ର ମଝିରେ । ଘଟଣାଟି ଏମିତି ଅପ୍ରତ୍ୟାଶିତ ଭାବରେ, ତା’ର ସମସ୍ତ ସତର୍କତା ଓ ଅନୁମାନକୁ ପରାଜିତ କରି ଘଟିଯିବ ବୋଲି ସେ ବା ଜାଣିଥାନ୍ତା କିପରି ? କେହି କ’ଣ ଜାଣିପାରେ ପର ମୁହୂର୍ତ୍ତରେ କ’ଣ ଘଟିବ ?

ହେତୁ ହେଲାଦିନୁ ସେ ବଞ୍ଚି ରହିଥିଲା ସମୁଦ୍ର ଭିତରେ, ଆମେ ଯେମିତି ବଞ୍ଚି ରହିଚେ ପୃଥିବୀରେ ଅନାହୂତ ବେଳ ପର୍ଯ୍ୟନ୍ତ । ଚାରୋଟି ଗୋଡ଼ ଓ ବେକ ସମେତ ମୁହଁ କାଢ଼ି ସେ ଯାଉଥିଲା ଏଣେ ତେଣେ, ପାରୁପର୍ଯ୍ୟନ୍ତ ଚାରିଆଡ଼େ ନଜର ଦେଇ ଓ ସାବଧାନତା ଅବଲମ୍ୱନ କରି । ବିଧାତାଙ୍କ ଦୟାରୁ ତା’ ପିଠି ଓ ପେଟ ବେଶ୍‌ ଟାଣୁଆ ଥିଲେ ମଧ୍ୟ ସମୁଦ୍ର ଭଳି ଏକ ଅନନ୍ତ ଇଲାକାରେ ସେ ସନ୍ତୋଷଜନକ ଭାବରେ ଆତ୍ମପ୍ରତ୍ୟୟଶୀଳ ନଥିଲା । ସେ ଦେଖିଥିଲା ଆହୁରି ଅନେକ ବଡ଼ ବଡ଼ ଜୀବମାନଙ୍କୁ, ଯେଉଁମାନେ ଅନ୍ୟମାନଙ୍କ ପ୍ରତି ବେଶ୍ ନିର୍ଦ୍ଦୟ ଓ ସମ୍ପୂର୍ଣ୍ଣ ସହାନୁଭୂତିହୀନ ହୋଇପଡ଼ନ୍ତି ନିଜର ସ୍ଥିତି ସଂରକ୍ଷଣ ସକାଶେ । ସମୁଦ୍ର ଭିତରେ ଅହରହ ଚାଲିଥିବା ହତ୍ୟାକାଣ୍ଡ ଓ ବିବାଦ ଦେଖି ଦେଖି ସେ ଭାବି ନେଇଥିଲା ଯେ, ଏମିତି ଏକ ସମୟ ଆସିଯିବ, ଯେତେବେଳେ ତା’ର ସୁଦୃଢ଼ ପିଠି ଓ ପେଟ ତାର ପ୍ରତିରକ୍ଷା ପାଇଁ ନିଜର ଅସହାୟତା ପ୍ରକାଶ କରିବେ ଏବଂ ତା’ପରେ ସମୁଦ୍ର ଭିତରେ ତା’ର ସଂସାର ସରିଯିବ ।

ଏଇମିତି ସଂସାର ସରିଯାଏ । ସେ ମଧ୍ୟ କିଛି କମ୍ ଛୋଟ ଛୋଟ ଜୀବଙ୍କର ସଂସାର ଉଜାଡ଼ି ଦେଇନାହିଁ । ଅନେକଙ୍କୁ ସେ କାବୁ କରିଚି । କେଜାଣି ଏଇଭଳି କାବୁ କରିବା ସକାଶେ ସେ ଜୀଇଁ ରହିଥିଲା ସମୁଦ୍ର ଭିତରେ ଏକ ଅବଶ୍ୟମ୍ଭାବୀ ଲୋଭ ଓ ପ୍ରବୃତ୍ତିକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରି ।

ମାତ୍ର ହଠାତ୍ ଏସବୁ କ’ଣ ଘଟିଗଲା ? ବିନା ଉପକ୍ରମଣିକା ଓ ଚେତାବନୀରେ କ’ଣ ଗୋଟାଏ ଗୁଡ଼େଇ ହୋଇଗଲା ତା’ ଚାରିପଟେ । ତା’ର ତଥାକଥିତ ସୁଦୃଢ଼ ଦେହକୁ ଆୟତ୍ତ କରି ଛନ୍ଦିଦେଲା ଅଦେଖା, ଅଶୁଣା ଶକ୍ତିଟିଏ । କ’ଣ ହେଲା ବୋଲି ଶଙ୍କାଗ୍ରସ୍ତ ହେଉଁ ହେଉଁ ସେ ଅନୁଭବ କଲା, ସେ ଊର୍ଦ୍ଧ୍ୱମୁଖୀ ହେଉଚି । ଛଟପଟ ହେବା ଆରମ୍ଭ କଲାବେଳକୁ ସେ ଆଉ ନଥିଲା ନିଜ ପରିଚିତ ପୃଥିବୀ ଭିତରେ । ଝୁଲି ରହିଥିଲା ଶୂନ୍ୟରେ । ତଳେ ତା’ର ନିରଙ୍କୁଶ, ନିର୍ବାକ୍ ସମୁଦ୍ର-। ଜନ୍ମ ହୋଇ ଏତେବଡ଼ ହୋଇଥିଲା ଯାହାର ବିଶାଳତା ଭିତରେ, ସେ ଚଉଦିଗକୁ ଛାତି ବିସ୍ତାର କରି ପଡ଼ି ରହିଛି । ତା’ର ହୃତ୍‌ସ୍ପନ୍ଦନ କମ୍ପନ ଚାରିଆଡ଼େ । ସେ କମ୍ପନ ଏତେ ପାଖରେ–ଏଇ ଯେମିତି ଛୁଇଁଦେଇ ହେବ । ଏଇ ଯେମିତି ପଶିଯାଇ ହେବ ସମୁଦ୍ର ଭିତରକୁ । ଅସ୍ଥିର ବ୍ୟାକୁଳତାରେ ସେ ପ୍ରଲୁବ୍‍ଧ ହେଲା ଏବଂ ଛଟପଟ ହେବା ଅବ୍ୟାହତ ରଖିଲା ନିଜ ସଂସାର ଭିତରକୁ ଫେରିଯିବା ପାଇଁ ।

ତା’ର ସ୍ଥିତି କେଉଁଠି, ତାହା ସେ ଦେଖିପାରିଲା କ୍ଷଣକ ମଧ୍ୟରେ । କଳା ମଚ୍ ମଚ୍ କେହି ଜଣେ ଠିଆ ହୋଇଚି ସମୁଦ୍ର ଉପରେ । ଗୋଟାଏ ହାତ ପ୍ରସାରିତ ହୋଇଚି । ସେଇ ହାତରୁ ଓହଳି ଆସିଚି ସୂକ୍ଷ୍ମ, ସୁଦୃଢ଼ ଶକ୍ତିଟି, ଯାହା ଭିତରେ ସେ ଆଉଟି ପାଉଟି ହେଉଚି ଖସିଯିବା ପାଇଁ କୌଣସିମତେ ସମୁଦ୍ର ଭିତରକୁ ।

ଏମିତି କିଛି ସେ ଦେଖି ନଥିଲା ଆଗରୁ । ସମୁଦ୍ର ଉପରେ ଠିଆ ହୋଇଥିବା ଏଇ କଳା ମଚମଚ ଅଚିହ୍ନା ଜୀବଟି କିଏ ହୋଇପାରେ ? ମାତ୍ର ଯେମିତି ଢଙ୍ଗରେ ସେ ତାକୁ ଟେକି ଧରିଥିଲା ତା’ର ବାସସ୍ଥାନ ଉପରେ, ସେଇଥିରୁ ସେ ବୁଝିପାରିଲା ଯେ ବିପଦ; ଏମିତି କି ପ୍ରାଣନାଶର ସମୟ ଆସିଗଲା । ସେ ତାକୁ ଟେକି ଧରିଥିଲା ସମସ୍ତ ଜାନ୍ତବ ଦାମ୍ଭିକତାର ସହିତ । ତାକୁ ସେମିତି ଧରି ସେ ସମ୍ଭବତଃ ଅଟ୍ଟହାସ୍ୟ କରୁଥିଲା ଏବଂ ପ୍ରକାରାନ୍ତରେ ଚାଲେଞ୍ଜ କରୁଥିଲା—ଫେରିଯିବୁ ? ଗଲୁ ଦେଖିବା ? ଏଇ ତ ତୋ ପାଖରେ ରହିଚି ତୋ ଘର । ତୁ ଦେଖି ପାରୁଚୁ ତା’ ଛାତିର ହୃତ୍–କମ୍ପନକୁ । ଦେଖିବା କେମିତି ଯିବୁ ମୋ କବଳରୁ ?

ଏଇଭଳି ଗୋଟାଏ ଭାଷା ସେ ପଢ଼ି ପାରୁଥିଲା, ସେଇ ଅପରିଚିତ ଜୀବର ଢଙ୍ଗରୁ । ସେ ପ୍ରାଣପଣେ ଚେଷ୍ଟା କଲା ମୁକ୍ତି ପାଇଁ, ଅଥଚ ଏକ ନିଷ୍କରୁଣ, ଦୁର୍ଦ୍ଦାନ୍ତ ଅଟ୍ଟହାସ୍ୟ ତୁହାକୁ ତୁହା ବିଛେଇ ହୋଇ ପଡ଼ୁଥିଲା ସବୁଆଡ଼େ । କ’ଣ ସେ କରିବ, କିଛି ଭାବି ନପାରି ପ୍ରତିବାଦ କରୁଥିଲା ତାକୁ ଛନ୍ଦି ଦେଇଥିବା ବନ୍ଧନ ବିରୁଦ୍ଧରେ । ସେ ପୂରାପୂରି ହଡ଼ବଡ଼େଇ ଯାଇଥିଲା ଅଟ୍ଟହାସ୍ୟ ଭଳି ଦିଶୁଥିବା ଏବଂ ତାକୁ ଶୂନ୍ୟରେ ଟେକି ଧରିଥିବା ସେ ଜୀବଟିକୁ ଦେଖି ।

ଦାନ୍ତ କଡ଼ମଡ଼ କରି ପ୍ରଚଣ୍ଡ କ୍ରୋଧ ଓ ବିରକ୍ତିରେ ଗୋପୀ ପାଟିକରି ଉଠିଲା–‘‘ଶାଲା, ହାରାମ୍‍ଜାଦା କାହାଁକା !’’

ପ୍ରଥମ ଥର ଜାଲ ଫୋପାଡ଼ିବା ପରେ ମାଛ ବଦଳରେ ସେ ପାଇଲା କ’ଣ ନା ଗୋଟାଏ କଇଁଚ ! କିଛି ସମୟ ପାଇଁ ଜାଲଟିକୁ ଟେକି ଧରି ସେ ପଳାୟନବାଦୀ କଇଁଚର ବ୍ୟାକୁଳ ପ୍ରତିବାଦ ଦେଖିନେଲା । ଭାବିଲା, ଲାଭ କ’ଣ ? ଅଦରକାରୀ ଜୀବଟିକୁ ଫୋପାଡ଼ି ଦେବା ଦରକାର ପାଣି ଭିତରକୁ । ସମୟ ଗଡ଼ିଯାଉଚି ।

ଜାଲ ଭିତରୁ ମୁକ୍ତ କଲାବେଳେ କଇଁଚଟି ନିଜର ଗୋଡ଼ ଓ ମୁହଁ ପ୍ରତ୍ୟାହାର କରିନେଲା ନିଜ ଦେହ ଭିତରକୁ । ନିଜକୁ ନିଜ ଭିତରେ ଲୁଚେଇବା ପାଇଁ ଚେଷ୍ଟା କଲା ଏବଂ ସମସ୍ତଙ୍କୁ ସୂଚନା ଦେଲା ଯେ ସେ କିଛି ନୁହେଁ । ଖାଲି ଏମିତି ଗୋଟାଏ ଗୋଲାକାର, ଆବଶ୍ୟକହୀନ ବସ୍ତୁ ।

ମାତ୍ର ଗୋପୀ ଭଳି ଏକ ଅଭିଜ୍ଞ କେଉଟ କଇଁଚର ଏଇ ଛଳନା ପ୍ରତି ଆଦୌ ଧ୍ୟାନ ଦେଇ ନଥିଲା । ଜାଲରୁ କଇଁଚକୁ ବାହାର କରି ସମୁଦ୍ର ଭିତରକୁ ଫୋପାଡ଼ିଦେବାବେଳେ ହାତ ତା’ର ଅଟକିଗଲା ସତେ ଯେମିତି କୁହୁକବଳରେ ।

ଭ୍ରୂକୁଞ୍ଚନ କରି ଏକାଗ୍ରତାର ସହିତ ସେ ଦେଖିନେଲା ଧରିଥିବା କଇଁଚଟିକୁ ଏବଂ ସ୍ୱୀକାର କଲା ଯେ, ଏଭଳି କଇଁଚ ସେ ଆଗରୁ ଦେଖି ନଥିଲା କେବେ । ବର୍ଷ ବର୍ଷ ଧରି ସେ ଓ ତା’ର ସହକର୍ମୀମାନେ ଡଙ୍ଗାରେ ଚଢ଼ି ସମୁଦ୍ର ଭିତରକୁ ଆସିଛନ୍ତି ମାଛ ମାରିବା ପାଇଁ । ସମୁଦ୍ର ଭିତରୁ ଫସଲ ପାଇଛନ୍ତି ଅନେକ । ଏଇମିତି ଅନେକ କଇଁଚ ଧରି ପର ମୁହୂର୍ତ୍ତରେ ସେମାନଙ୍କୁ ଫେରାଇ ଦେଇଛନ୍ତି ପାଣି ଭିତରକୁ । ମାତ୍ର ବର୍ତ୍ତମାନର ଏଇ ଛୋଟ କଇଁଚଟି ଥିଲା ଅନନ୍ୟ, ବିଚିତ୍ର ଓ ତୁଳନାହୀନ ।

ମାଛ ମାରିବା ପାଇଁ ଆସିଥିବା ଗୋପୀ ପ୍ରୟୋଜନ ନଥିବା କଇଁଚକୁ ଧରିଲା ଦୁଇହାତରେ । ଏପଟ ସେପଟ କରି ଖୋଜିବା ଆରମ୍ଭ କଲା ତା’ର ବିଶେଷତ୍ୱକୁ, ଯାହା ତା’ ଭଳି ବୟସ୍କ କେଉଟର ଜରୁରୀ କାର୍ଯ୍ୟକ୍ରମକୁ ସ୍ତବ୍‌ଧ କରିଦେଇଥିଲା ଏବଂ ତା’ର ବିସ୍ମୟାଚ୍ଛନ୍ନ ଦୃଷ୍ଟିକୁ ନିଜ ଉପରେ ବନ୍ଦ କରି ରଖିଥିଲା ସେ ପର୍ଯ୍ୟନ୍ତ ।

 

ଶଙ୍କିତ ଧୈର୍ଯ୍ୟର ସହିତ କଇଁଚଟି ଚୁପ୍‌ଚାପ୍ ରହିଥିଲା, ଆଗଭଳି ପିଠି ଓ ପେଟ ଭିତରେ ଜାକିଜୁକି ହୋଇ । ମଧ୍ୟାହ୍ନ ଅତିକ୍ରମ କରିଯାଇଥିବା ସୂର୍ଯ୍ୟ ତା’ ପିଠିର ଆକାଶରେ ଲଦି ହୋଇଥିଲା ନିରାଶ୍ରୟ ଭାବରେ । ଗୋପୀ ଚାହିଁଲା ଚାରିଆଡ଼କୁ । ସେଇ ଡଙ୍ଗାର ଆର ପାଖରେ ଠିଆହୋଇ ତା’ ସାଇର ସନିଆଁ ଜାଲ ଫିଙ୍ଗି ମାଛ ମାରିବାରେ ବ୍ୟସ୍ତ ଅଛି । ଅନ୍ୟ ଦୁଇଟି ଡଙ୍ଗାରେ ଆସିଥିବା ଅନ୍ୟ ଚାରିଜଣ ବହୁ ଦୂରରେ ଅଛନ୍ତି, ଦେଖାଯାଉନାହାନ୍ତି । ତା’ ଚାରିପଟେ ବିଶାଳ ନୀଳ ସମୁଦ୍ର । ଚାରିଆଡ଼େ ବ୍ୟାପିଯାଇଚି ନୀଳ ଆକାଶକୁ ସବୁ ଦିଗରେ ଦିଗ୍‌ବଳୟର କବ୍‌ଜାରେ ଧରି ରଖିବା ପାଇଁ ।

 

ଗୋପୀ ହାତରେ ଅବର୍ଣ୍ଣନୀୟ, ଚମତ୍କାର, ଗୋଲ କଇଁଚଟିଏ । ପ୍ରାୟ ସମତଳ ଦେଖାଯାଉଥିବା ସମୁଦ୍ର ଭଳି ତା’ର ସମତଳ ପେଟ । ଢାଙ୍କୁଣୀ ଭଳି ଦିଶୁଥିବା ଆକାଶ ସତେ ଯେମିତି କଇଁଚ ପିଠିର ଏକ ପରିବର୍ଦ୍ଧିତ ପ୍ରକାଶ । କଇଁଚଟି ଦିଶୁଥିଲା ସମୁଦ୍ର ଓ ଆକାଶର ସଂକ୍ଷିପ୍ତ ଆକାରଟିଏ ଭଳି ଏବଂ ଏହାର ସୁନ୍ଦର ନୀଳ ପିଠିରୁ ବିଚ୍ଛୁରିତ ହେଉଥିବା ଅପୂର୍ବ ନୀଳିମା ସମୁଦ୍ର ଓ ଆକାଶକୁ ନୀଳ ବର୍ଣ୍ଣରେ ରଞ୍ଜିତ କରୁଥିଲା । ସେମାନଙ୍କର ରଙ୍ଗ ନିର୍ଭରଶୀଳ ହୋଇ ରହିଥିଲା ଏଇ କଇଁଚର ନୀଳ ପିଠି ଉପରେ । ଏଇ କଇଁଚ ହିଁ ଯୁଗ ଯୁଗ ଧରି ସୃଷ୍ଟିର ସମସ୍ତ ନୀଳ ରଙ୍ଗ ଉଦାର ଭାବରେ ଯୋଗାଇ ଆସିଛି । ସେଇ ରଙ୍ଗର ଉତ୍ସଟି ବର୍ତ୍ତମାନ ଗୋପୀ ହାତରେ ।

 

ଗୋପୀ ସେଇଟିକୁ ଫୋପାଡ଼ି ପାରିଲା ନାଇଁ ପାଣି ଭିତରକୁ । ସେ ତନ୍ମୟ ହୋଇଯାଇଥିଲା । ମାତ୍ର ତା’ର କୌଣସି ଯୋଜନା ନଥିଲା କଇଁଚ ସମ୍ପର୍କରେ । ଚିପ୍‌ସ ଢାଳି ରାସ୍ତା ମରାମତ କରୁଥିବା ଜଣେ କୁଲି ପାଖରେ ଚକ୍ ଚକ୍ ବର୍ଣ୍ଣିଳ ପଥର ଖଣ୍ଡେର ସ୍ଥାନ କେଉଁଠି ?

 

–‘‘ସନିଆଁ, ଏଣେ ଦେଖିଲୁ ।’’ ସହକର୍ମୀର ଦୃଷ୍ଟି ଆକର୍ଷଣ କରିବା ପାଇଁ ଚେଷ୍ଟା କଲା ଗୋପୀ । କେଜାଣି କାହିଁକି ସେ ଭାବିନେଲା ଯେ, ପୃଥିବୀର ସମସ୍ତ ମଣିଷ ବିସ୍ମୟର ସହିତ ଏଇ ଅଲୌକିକ ଆଶ୍ଚର୍ଯ୍ୟଟିକୁ ଦେଖିବେ । ସେମାନଙ୍କର ହୃଦ୍‌ବୋଧ ହେବ ଯେ କେଡ଼େ ଯତ୍ନ ଓ ଶ୍ରଦ୍ଧାର ସହିତ ବିଧାତା ପରିଚିତ ଦରବ ସୃଷ୍ଟି କଲାବେଳେ ଅଭାବିତ ବ୍ୟତିକ୍ରମ ମଧ୍ୟ ତିଆରି କରି ପକାଏ । ଦେଖଣାହାରୀମାନେ ଏଭଳି ବ୍ୟତିକ୍ରମ ଦେଖନ୍ତି ଓ ଚାହାଁନ୍ତି ଆକାଶ ଆଡ଼େ ଏମାନଙ୍କର ନିର୍ମାତାକୁ ଦେଖିବା ପାଇଁ ।

 

ଗୋଟାଏ ହାତରେ ଜାଲ ଧରି ଅନ୍ୟ ହାତ ପାପୁଲିରେ କପାଳ ଓ ବେକର ଝାଳ ପୋଛିଲା ସନିଆଁ । ଚାହିଁଲା ଗୋପୀ ଆଡ଼େ ଏବଂ ପଚାରିଲା–‘‘କ’ଣ ?’’

 

‘‘ଏଇ, ଦେଖ୍‍ !’’ ହାତରେ ଧରିଥିବା କଇଁଚକୁ ଗୋପୀ ଦେଖାଇଲା ।

 

‘‘କ’ଣ ? ଏଇ କଇଁଚ ?’’ ସନିଆଁ ଏକରକମ ଆଶ୍ଚର୍ଯ୍ୟ ହତାଶ ହେଲା । ଗୋଟାଏ ମାମୁଲି କଇଁଚ ପାଖରେ ଏମିତି କେଉଁ ବୈଶିଷ୍ଟ୍ୟ ରହିଚି ଯେ, ସେ ମାଛଧରା ସ୍ଥଗିତ ରଖି ତାକୁ ଚାହିଁ ବସିଥିବ ? କିଛି ଭଲା ଅଦ୍ଭୁତ ଗୁଣ ଥା’ନ୍ତା ତା’ ପାଖରେ ! କୌଣସି ଅଙ୍ଗ ମୋଡ଼ି ଦିଆଯାଆନ୍ତା ଏବଂ ଭୁସ୍ ଭୁସ୍ ହୋଇ ବାହାରନ୍ତା ଧୂଆଁ । ବ୍ୟାପିଯାଆନ୍ତା ଆକାଶ ପର୍ଯ୍ୟନ୍ତ । ବନିଯା’ନ୍ତା ଗୋଟାଏ ରାକ୍ଷସ । କିମ୍ୱା ତା’ ପେଟରୁ ବାହାରନ୍ତା ମୋତି–ମାଣିକ୍ୟର ଐଶ୍ୱର୍ଯ୍ୟମୟ ଗନ୍ତାଘର । କିମ୍ୱା କିଛି ନହେଲେ ବି ମୁଦିଟିଏ । ଏହି ମୁଦି ନଦେଖି ସ୍ୱାମୀଦ୍ୱାରା ପ୍ରତ୍ୟାଖ୍ୟାନ ହୋଇଥିବା ଓ ଅନ୍ତଃସତ୍ତ୍ୱା ହୋଇଥିବା, ଲୁହ ଝରାଉଥିବା କେଉଁ ଅସହାୟା ରମଣୀ ଫେରିପାଆନ୍ତା ତା’ ମନରେ ଈଶ୍ୱରଙ୍କୁ । ଏଇମିତି କିଛି । କାହିଁ ? ସେମିତି ସମ୍ଭାବନା ଥିବାର ଜଣାପଡ଼ୁନାଇଁ ମୁର୍ଦ୍ଦାର ଭଳି ଅଭିନୟ କରୁଥିବା କଇଁଚଟି ପାଖରେ ! ହଁ, ଦିଶୁଚି ଗୋଟେ ପ୍ରକାର । ମୁଖ୍ୟତଃ ନୀଳବର୍ଣ୍ଣରେ ଚିତ୍ରିତ ତଥା ଅନ୍ୟ ହାଲ୍‌କା ରଙ୍ଗର ସମ୍ମିଶ୍ରଣରେ ବେଶ୍ ଭଲ ଦିଶୁଚି ।

 

–‘‘ଦେଖୁନ, କେତେ ଭଲ ଦିଶୁଚି !’’ ଗୋପୀ ପ୍ରବର୍ତ୍ତାଇବା ପାଇଁ ଚେଷ୍ଟା କଲା ସନିଆଁକୁ-। ‘‘ଆମେ ଅନେକ କଇଁଚ ଦେଖିଚେ । ହେଲେ, ଏମିତି ସୁନ୍ଦର କଇଁଚ କେବେବି ଧରା ଦେଇ ନଥିଲେ ଆମ ଜାଲରେ ।’’

 

ବିରକ୍ତିରେ ସନିଆଁ ମୁହଁ ବୁଲେଇନେଲା । ପରିହାସ କରି କହିଲା, ଜାଲ ଫୋପାଡ଼ୁଥିବା ଅବସ୍ଥାରେ...,‘‘ପାଖରେ ରଖିଥା, ହଜାର ଟଙ୍କା ଦେଇ କେହିଜଣେ କିଣିନେବ । ବଡ଼ ଲୋକ ହୋଇଯିବୁ ।’’

 

ତାହା ବି ସମ୍ଭବ ନୁହେଁ । ଏଇ ଗୋଲାକାର ଜୀବଟି ତା’ର ଭବିଷ୍ୟତ ପରିବର୍ତ୍ତନ କରିଦେଇ ପାରିବ ବୋଲି ଗୋପୀର ବିଶ୍ୱାସ ନାଇଁ । ଅଥଚ ପ୍ରଥମ ଜାଲ ଫୋପଡ଼ାରେ ଧରିଥିବା ନିଷ୍ପ୍ରୟୋଜନ କଇଁଚକୁ ସେ ଛାଡ଼ିପାରିଲାନି କାହିଁକି କେଜାଣି । ଖୁବ୍ ଆସ୍ତେ, ଯତ୍ନର ସହିତ ତାକୁ ଡଙ୍ଗା ଭିତରେ ରଖିଲା ଏବଂ ମନକୁ ମନ କହିଲା–‘‘ଥାଉ । ପିଲାମାନେ ଖେଳିବେ ।’’

 

ସୀମାତୀତ ପାଣିର ପୃଷ୍ଠ ଉପରେ ବସି ଚାଲିଥିଲା ସରଳ, ଛୋଟ ଡଙ୍ଗାଟି । ଦୁଇ ପାଖରେ ଠିଆ ହୋଇ ଦୁଇଜଣ ମଣିଷ ବ୍ୟସ୍ତ ରହିଲେ ଦୈନନ୍ଦିନତାରେ । ଡଙ୍ଗାଟି କମ୍ପିଉଠୁଛି ଅହରହ । ତା’ର ଅସ୍ଥିର ଗତିରେ ନଥିଲା କୌଣସି ନିର୍ଦ୍ଦିଷ୍ଟତା, କୌଣସି ନିଧାର୍ଯ୍ୟ ଦିଗ ।

 

ଢେର୍ ସମୟ ଧରି କମ୍ପିତ ଡଙ୍ଗାର ଚଟାଣ ଉପରେ ଧୀର ସ୍ଥିର ହୋଇ ବସି ରହିଥିଲା କଇଁଚଟି । ତା’ର ଉଦ୍‌ବେଗ ବଢ଼ିଯାଇଥିଲା ଏବଂ ସମ୍ଭବତଃ ସେ ଅସୟାହତାର ଲୁହ ଝରେଇବା ଆରମ୍ଭ କରିଦେଇଥିଲା । ଇଏ କି ବିଚିତ୍ର ପୃଥିବୀ ! ବିନା ପାଣିରେ କିଭଳି ବଞ୍ଚିବା ସମ୍ଭବ ? କେଉଁଆଡ଼େ ଗଲା ବିପଦସଙ୍କୁଳ ହେଉ ପଛେ, ତା’ର ପରିଚିତ ପ୍ରିୟ ପୃଥିବୀ ? କୁଆଡ଼େ ଗଲେ, ସେ ଭୟ କରୁଥିବା ସମୁଦ୍ରର ଜୀବମାନେ ! କୁଆଡ଼େ ଗଲେ ସେ ବଞ୍ଚି ରହିବାର ଅବଲମ୍ୱନଗୁଡ଼ିକ-? ତା’ର ଧାରଣା ନଥିଲା ଯେ, ସମୁଦ୍ରକୁ ଛାଡ଼ିଦେଲେ ଆଉ କିଛି ଅଞ୍ଚଳ ଅଛି, ଯେଉଁଠାରେ କାଳାତିପାତ କରିବା ସମ୍ଭବ । ସେ ଏବେ କରିବ କ’ଣ ? ଯିବ କୁଆଡ଼େ ? ଏତେ ଦହଗଞ୍ଜ ଏତେ ଅଣନିଃଶ୍ୱାସୀ ହୋଇପଡ଼ୁଥିବା ଜୀବନକୁ ଧରି ସେ ଯିବ କେଉଁଠିକି ? ଖୁବ୍ ଚଞ୍ଚଳ ସେ ମରିଯିବ କି-?

 

କଇଁଚଟି ଆସ୍ତେ, ଖୁବ୍ ସନ୍ତର୍ପଣରେ ମୁହଁ କାଢ଼ିଲା ତା’ ଖୋଳପା ଭିତରୁ ଏବଂ ତତ୍‌କ୍ଷଣାତ୍ ଜାକିଜୁକି ହୋଇ ରହିଲା ଆଗ ଭଳି । ଚାରୋଟି ବିଶାଳ ଖମ୍ୱ ଭଳି ଦିଶୁଚି ଦୁଇଜଣ ମଣିଷଙ୍କ ଗୋଡ଼ । କିଛି ଗୋଟାଏ ଭଲ ମନ୍ଦ ହୋଇଯାଇପାରେ । ସେ ପୁଣି ଅପେକ୍ଷା କଲା ।

 

ମାତ୍ର କେତେ ସମୟ ପର୍ଯ୍ୟନ୍ତ ସେ ଏମିତି ଗୋଡ଼ହାତ ବାନ୍ଧି ପଡ଼ିରହିବ ମରି ଯାଇଥିବାର ଅଭିନୟ କରି ? ତା’ର ଧୈର୍ଯ୍ୟ ଭୁଷୁଡ଼ି ପଡ଼ିଲା । ସମସ୍ତ ସାହସ ନେଇ ସେ ପୁନରାୟ ମୁହଁ ବାହାର କଲା ଏ ଅଦ୍ଭୁତ, ପାଣିହୀନ, ଅପରିଚିତ ପୃଥ୍ୱୀକୁ ଭଲକରି ଦେଖିବା ପାଇଁ । ଅଣଓସାରିଆ, ଲମ୍ୱା ଡଙ୍ଗାର ମଙ୍ଗ ଉପରେ ତା’ର ଦୃଷ୍ଟି ପହଁରି ଆସିଲା ସେଇକ୍ଷଣି । ମଣିଷ ଦୁଇଜଣ ଦୁଇଆଡ଼େ ମୁହଁକରି କାର୍ଯ୍ୟବ୍ୟସ୍ତ ଅଛନ୍ତି । ଉପରଟା ଶୂନ୍ୟ । ଅପେକ୍ଷା କଲା, ତା’ର ଏଇ ଢଙ୍ଗଟିକୁ ତାକୁ ବନ୍ଦୀ କରିଥିବା ମଣିଷମାନେ ବରଦାସ୍ତ କରୁଛନ୍ତି କି ନା’ ଦେଖିବା ପାଇଁ ।

 

ସେ ଉତ୍ସାହିତ ହେଲା ଏଇଥିପାଇଁ ଯେ, ତା’ ଉପରେ କିଛିହେଲେ ଅପ୍ରୀତିକର ଘଟିଲା ନାଇଁ । ଗୋଟିଏ ଦୁଇଟି ପାହୁଣ୍ଡ ନେଲା ଏବଂ ଅପେକ୍ଷା କଲା । ନା, କିଛି ଘଟୁନାଇଁ । ଅସାମାନ୍ୟ ଆନନ୍ଦରେ ସେ ବିଭୋର ହେଲା । ସମସ୍ତଙ୍କ ଅଲକ୍ଷ୍ୟରେ ସେ ଖସି ପଳାଇଯିବ । ପଳାଇଯିବ ଏ ଡଙ୍ଗାରୁ ସମୁଦ୍ର କେତେ ବାଟ କେଜାଣି ?

 

ସହଜରେ ଦିଶିଯାଉଚି ଡଙ୍ଗା କାନ୍ଥର ଉଚ୍ଚତା । ଏଇ ଉଚ୍ଚତା ଟପି ଗଲେ ମୁକ୍ତିର ଅନନ୍ତ ଅଞ୍ଚଳ । ଜଣାପଡ଼ୁଚି, ଏ ଉଚ୍ଚତା ଯେପରି କିଛି ନୁହେଁ । ଅଳ୍ପ କେତୋଟି ପଦକ୍ଷେପ ଏହାକୁ ଅତିକ୍ରମ କରିପାରିବ । କଇଁଚଟି ଚେଷ୍ଟା କଲା ଡଙ୍ଗାର ପାଚେରୀ ଚଢ଼ିବା ପାଇଁ । ଚେଷ୍ଟା କଲା ଏବଂ ଖସି ଆସିଲା ବାରମ୍ୱାର ଡଙ୍ଗାର ଚଟାଣ ଉପରକୁ । କ୍ରମେ ସେ ଅଥୟ ହୋଇପଡ଼ୁଥିଲା ଏବଂ ଖସି ପଳେଇ ଯିବାର ଚେଷ୍ଟା ଓ ଇଚ୍ଛା ତୀବ୍ରତର ହୋଇ ପଡ଼ୁଥିଲା । ଏଇ ଇଚ୍ଛା ବାରମ୍ୱାର ବିଫଳ ଚେଷ୍ଟାର ସମ୍ମୁଖୀନ ହେଉଥିଲା ଏବଂ ପରିଣାମରେ ତା’ର ଅସହାୟତା ଓ ବ୍ୟାକୁଳତା ବଢ଼ୁଥିଲା ଆସ୍ତେ ଆସ୍ତେ ।

 

କିଛି ସମୟ ପାଇଁ ସେ ଚୁପ୍‌ଚାପ ବସିରହିଲା । ଶକ୍ତି ସଂଗ୍ରହ କଲା ପରବର୍ତ୍ତୀ ପର୍ଯ୍ୟାୟର ଚେଷ୍ଟା ପାଇଁ । ଏଥର ସେ ଅନ୍ୟ ଏକ ଦିଗକୁ ମୁହେଁଇଲା । ପୁଣି କ’ଣ ଭାବି ମୁହଁ ଫେରାଇଲା ଏବଂ ପ୍ରଚଣ୍ଡ ଆତୁରତାରେ ସେ ଦରାଣ୍ଡି ପକାଇଲା ଡଙ୍ଗାର ଚଟାଣ । କେଉଁଠି ଟିକିଏ ଫାଙ୍କ ଥାଆନ୍ତା କି ! ଏମିତି କି ସାମାନ୍ୟ ଛିଦ୍ରଟିଏ ! ସେ ନିଜକୁ ତା’ ଭିତରେ ଘୋଷାରି ନିଅନ୍ତା । କିଛି ହେଲେ ସୁଯୋଗ ସେ ପାଉନି ।

 

ମୁକ୍ତି ପାଇବାର ନିଶା ଏତେ ପ୍ରବଳ ହୋଇଯାଇଥିଲା ଯେ ତାକୁ କଇଦୀ କରି ରଖିଥିବା ମଣିଷମାନଙ୍କର ଉପସ୍ଥିତି ଏବଂ ସମ୍ଭାବ୍ୟ ଶାସ୍ତି କଇଁଚର ଚେତନାରେ ସେତେବେଳେ ଆଦୌ ନଥିଲା । ଜଣେ ପାଗଳ ଭଳି ସେ ଖାଲି ଖୋଜିଚାଲିଥିଲା ଡଙ୍ଗାର ଦେହକୁ, ଟିକିଏ ବାଟ ପାଇବା ଆଶାରେ । ଡଙ୍ଗାର ପାଚେରୀ ଖୁବ୍ ବେଶି ଉଚ୍ଚ ନଥିଲେ ମଧ୍ୟ ତା’ର ହୃଦ୍‌ବୋଧ ହୋଇ ସାରିଥିଲା ଯେ, ଏହାକୁ ଟପିବା ସମ୍ଭବ ନୁହେଁ । ଏହା ଜାଣିସାରିବା ପରେ ବି ସେ ଚଢ଼ିବାକୁ ଚେଷ୍ଟା କରୁଥିଲା ତା’ ଉପରେ ଏବଂ ପର ମୁହୂର୍ତ୍ତରେ ଖସିଆସୁଥିଲା ଡଙ୍ଗାର ଚଟାଣ ଉପରକୁ ।

 

ଚାଲିଥିଲା ଏଇ ପ୍ରକାରର ଏକ ଅକୃତକାର୍ଯ୍ୟ ଚେଷ୍ଟା ଅନବରତ ଭାବରେ । ଉପରେ ତା’ ପିଠି ଭଳି ଦିଗହଜା ଆକାଶ ଓ ତଳେ ସୀମାହୀନ ସମୁଦ୍ରର ବ୍ୟାପ୍ତି । ସାମାନ୍ୟ ଗୋଟିଏ ବିନ୍ଦୁ ଭଳି ଦିଶୁଥିବା ଓ ଅହରହ ଅସ୍ଥିର ଭାବରେ କମ୍ପିଉଠୁଥିବା ଡଙ୍ଗାର ପେଟ ଭିତରେ ଆହୁରି ସାନ, ନଗଣ୍ୟ କଇଁଚଟି ଅବ୍ୟାହତ ରଖିଥିଲା କେଉଁଆଡ଼େ ଖସି ପଳେଇ ଯିବାର ବ୍ୟାକୁଳ ଚେଷ୍ଟା । ଅନନ୍ତ ଶୂନ୍ୟତା ଭିତରେ ଏକ ସଙ୍କୁଚିତ ଡଙ୍ଗାର ବାଡ଼ ଆବଦ୍ଧ କରି ରଖିଥିଲା ତାକୁ ଏବଂ ତା’ର ମୁକ୍ତିର ବାଟ ବନ୍ଦ କରି ରଖିଥିଲା । ଏତେ କମ୍ ଉଚ୍ଚ ଦେଖାଯାଉଥିବା ପାଚେରୀ ବି ଅନତିକ୍ରମ୍ୟ ହୋଇପାରେ ଏବଂ ସେ ଓ ତା’ର ସ୍ୱାଧୀନତା ମଝିରେ ଅଲଙ୍ଘନୀୟ ପ୍ରତିବନ୍ଧକ ହୋଇ ଠିଆହୋଇପାରେ ! ଏକଥା କେହି କ’ଣ ବିଶ୍ୱାସ କରନ୍ତି ସେଇମିତି ପରିସ୍ଥିତି ନ ଆସିବା ଯାଏଁ ?

 

ସବୁଦିନ ଭଳି ପ୍ରାୟ ଏକସମୟରେ ତିନୋଟିଯାକ ଡଙ୍ଗା କୂଳରେ ଲାଗିଲେ, ସେ’ଦିନ ଫସଲ ବୋଝେଇ କରି । କୂଳରେ ଅପେକ୍ଷା କରିଥିଲେ ସବୁଦିନ ଭଳି କେଉଟ ବସ୍ତିର ଆଠ-ନ’ ଜଣ ପିଲା ଦକ୍ଷ ବାପାମାନଙ୍କର ପ୍ରତ୍ୟାବର୍ତ୍ତନକୁ । ସେମାନେ ସମସ୍ତେ ଛ’ରୁ ଦଶ ବର୍ଷ ବୟସର, ସମସ୍ତେ ମଇଳା, ନିରକ୍ଷର ଓ ଅଧା ଲଙ୍ଗଳା । ସମୁଦ୍ର କୂଳରୁ କିଛି ଦୂରରେ ସେମାନଙ୍କର ବସ୍ତି । ବଖରାଏ ଲେଖା ଅଳ୍ପ କେତୋଟି ଘର । ବାରମ୍ୱାର ବତାସରେ ଉଡ଼ିଯାଉଥିବା ଛପର । କୌଣସିମତେ ଘରର ସୀମା ନିର୍ଦ୍ଧାରଣ କରୁଥିବା କାନ୍ଥ । ସୁ ସୁ ପବନ ସତ୍ତ୍ୱେ ଅବାଧ୍ୟ ହୋଇ ନିଜର ସ୍ଥିତି ବଜାୟ ରଖିଥିବା ଶୁଖୁଆ ଓ ପଚା ମାଛର ଗନ୍ଧ । ରାଶି ରାଶି ବାଲିର ସ୍ତୂପ ଭିତରେ ଗୋଡ଼ ଲୁଚେଇ ଠିଆହୋଇଥିବା ଝାଉଁଗଛ ।

 

ଏଇ ହେଲା କେଉଟ ବସ୍ତିର ପରିପାଟି । ସମୁଦ୍ର ବଞ୍ଚେଇ ରଖିଚି ଏହାକୁ, ଅଥଚ ଏହାର କ୍ରୁଧ ନିଃଶ୍ୱାସରେ ବସ୍ତିର ଚାଳ ବିପର୍ଯ୍ୟସ୍ତ ହୁଏ । ବେଳେବେଳେ ଜୀବନ ଛିନ୍‌ଛତ୍ର ମଧ୍ୟ ହୁଏ-। ଏହାର ପୃଷ୍ଠଭୂମିରେ ଜୀବନ ସମସ୍ତ ଦାମ୍ଭିକତା ଓ ଆତ୍ମବିଶ୍ୱାସର ସହିତ ଠିଆହୁଏ । ସେମାନେ ପୁଣି ଡଙ୍ଗା ଧରି ଯାଆନ୍ତି ସମୁଦ୍ର ଭିତରକୁ । ପିଲାମାନେ ପୁଣି ବାହାରିପଡ଼ନ୍ତି ସମୟ କଟେଇବା ପାଇଁ । ସବୁ ଦୁର୍ଯୋଗ ଓ ଦୁର୍ବିପାକ ପ୍ରକୃତିର ଗୋଟାଏ ଗୋଟାଏ କୌତୁକ ଭଳି ମନେହୁଏ ।

 

ବସ୍ତିର ଏଇ ଆଠ-ନ’ ଜଣ ପିଲାଙ୍କ ପାଇଁ ସବୁ ବିଶାଳ ଓ ଅନନ୍ତ—ସମୁଦ୍ର, ଆକାଶ, ବାଲିର ଅପନ୍ତରା ଓ ସମୟ । ସେମାନଙ୍କର ଦୃଷ୍ଟିକୁ ବାଧା ଦେବାଭଳି କେଉଁଠି କିଛି ପ୍ରତିବନ୍ଧକ ନଥାଏ । ସାରାଦିନ ସେମାନେ ସମୟ କଟାଇବା ସମସ୍ୟାର ସାମ୍‍ନାସାମ୍‌ନି ହୁଅନ୍ତି । ଗଛ ଚଢ଼ି, ସମୁଦ୍ର କୂଳରେ ଖେଳି ସେମାନେ ଆବିଷ୍କାର କରନ୍ତି ଯେ, ଆହୁରି ଅନେକ ସମୟ ପରେ ସେମାନଙ୍କର ବାପାମାନେ ଫେରିବେ ।

 

ସେଦିନ ଡଙ୍ଗା ତିନୋଟିରୁ ମାଛ ଖଲାସ ହେବା ପରେ ଗୋପୀ ଗର୍ବର ସହିତ ଘୋଷଣା କଲା–‘‘ପିଲାମାନେ, ତୁମ ପାଇଁ ବଢ଼ିଆ ଜିନିଷଟିଏ ଆଣିଚି ।’’

 

ସମସ୍ତେ ଘେରି ଗଲେ ଗୋପୀକୁ ଏବଂ ଜିନିଷଟି କ’ଣ ବୋଲି ସେ କହିବା ପୂର୍ବରୁ ସେମାନେ ତାହାକୁ ଦେଖିସାରିଥିଲେ । ସେମାନେ ପରସ୍ପରର ମୁହଁ ଦେଖିଲେ । ସମସ୍ତଙ୍କର ମୁହଁର ଆଗ୍ରହ ନିଷ୍ପ୍ରଭ ହୋଇଯାଉଥିଲା ।

 

ଜିନିଷଟିର ବିଶେଷତ୍ୱ ବୁଝେଇବା ପାଇଁ ଚେଷ୍ଟା କଲା ଗୋପୀ–‘‘ଏଇଟା କଇଁଚଟିଏ ବୋଲି ତୁମ ମୁହଁଟିମାନ ଶୁଖିଗଲା । ନୁହେଁ କି ? ଏଇଟା କଇଁଚଟିଏ, ହଁ; ହେଲେ ଏମିତି କଇଁଚ ଆମେ ଆମ ଜୀବଦ୍ଦଶାରେ କେବେବି ଦେଖି ନଥିଲୁ । ତା’ ନ ହୋଇଥିଲେ ମୁଁ ଏତେ କଷ୍ଟ କରି ଏଇଟାକୁ ଆଣିଥାନ୍ତି କାହିଁକି ? ନିଅ, ଖେଳିବ ।’’

 

ସେ ଦୁଇଟି ଆଗ୍ରହହୀନ ହାତକୁ ବଢ଼ାଇଦେଲା । ପିଲାମାନେ କଇଁଚକୁ ଦେଖୁଥିବାବେଳେ, ସେମାନଙ୍କର ସନ୍ତୁଷ୍ଟ ବାପାମାନେ କୂଳର ବାଲି ଅତିକ୍ରମ କରି ଫେରିଯାଉଥିଲେ ବସ୍ତିକୁ ।

 

ସୂର୍ଯ୍ୟ ଦିଗ୍‌ବଳୟର ପାଖାପାଖି ସେତେବେଳେ । ସମୁଦ୍ର କୂଳ ନିର୍ଜନ ଓ ପରିତ୍ୟକ୍ତ । କେବଳ କଇଁଚଟି କେନ୍ଦ୍ରବିନ୍ଦୁ ହୋଇ ରହିଥିଲା ଜଣଙ୍କ ହାତରେ ଏବଂ ସମସ୍ତେ ତାକୁ ଘେରି ଏକ ବ୍ୟୂହ ରଚନା କରିଥିଲେ । ସେଇଟିକୁ ଏକ ଆକର୍ଷଣୀୟ ଦରବ ବୋଲି ଗ୍ରହଣ କରିବା ପାଇଁ ଚେଷ୍ଟା କରୁଥିଲେ ସେମାନେ । ସମୁଦ୍ର ଲହଡ଼ିର ଆହ୍ୱାନ ଓ ହାତ ସମ୍ପ୍ରସାରଣ ପ୍ରତି ସେମାନଙ୍କର ଜମା ଧ୍ୟାନ ନଥିଲା ।

 

ତେବେ ଗୋଟାଏ କଇଁଚକୁ ନେଇ କିଭଳି ଖେଳାଯାଇ ପାରେ ? ସେମାନେ ଭାବିପାରୁ ନଥିଲେ ଏହାର ଉତ୍ତର । ପୁଣି, ତା’ପ୍ରତି ସେମାନଙ୍କର ମୂଳ ଦୃଷ୍ଟିକୋଣଟି ଆଦୌ ବଦଳୁ ନଥିଲା । ସେମାନେ ତାହାକୁ ଗୋଟିଏ ମାମୁଲି କଇଁଚ ବୋଲି ହିଁ ଭାବୁଥିଲେ । ସେମିତି କିଛି ଅସାଧାରଣ ବ୍ୟତିକ୍ରମ ବୋଲି ମନେକରୁ ନଥିଲେ ।

 

ସେତେବେଳେ କଇଁଚର ଉଦ୍‌ବେଗ, ହୃତ୍‌କମ୍ପନ ବଢ଼ି ଯାଇଥିଲା ଅସମ୍ଭବ ଭାବରେ । ମୁକ୍ତିପାଇଁ ନିଷ୍ଫଳ ଅନ୍ୱେଷଣ ତାକୁ କ୍ଲାନ୍ତ କରିଦେଇଥିଲା । ପୁଞ୍ଜିଭୂତ କ୍ଷୋଭ ଓ ପ୍ରତିବାଦରେ ତା’ର ତନ୍ତ୍ରୀ ଜଡ଼ସଡ଼ ହୋଇଯାଉଥିଲା । ପୁଣି ସେ ଆର୍ତ୍ତନାଦ କରୁଥିଲା ପରାଜୟର ଦଂଶନରେ । ତା’ର ଅଭ୍ୟସ୍ତ ପୃଥିବୀରୁ ବିଚ୍ଛିନ୍ନ ହେବା ଫଳରେ ସେ ନିଜର ଚେତନାକୁ ଭଲକରି ଧରି ରଖିପାରୁ ନଥିଲା-। ତା’ର ହଂସା ଉଡ଼ିଯାଉଥିଲା ଅସମ୍ଭବ ଶୋଷରେ । ପାଣିହୀନ ଶୂନ୍ୟତା ସହିତ ଆଦୌ ସାଲିସ୍ କରିପାରୁ ନଥିଲା ତା’ ଜୀବନ । ଅଣନିଃଶ୍ୱାସୀ ହୋଇ ସେ ନିଃସହାୟ ଭାବରେ ଅପେକ୍ଷା କଲା କୌଣସି ଗୋଟିଏ ମୁହୂର୍ତ୍ତକୁ—ମୁକ୍ତିର ମୁହୂର୍ତ୍ତ ଯାହାର ସମ୍ଭାବନା ନଥାଏ, କିମ୍ୱା ମୃତ୍ୟୁର ମୁହୂର୍ତ୍ତ ଯାହା ଆସିବାରେ ଅଯଥା ବିଳମ୍ୱ କରେ ।

 

ଧରିଥିବା ପିଲାଟି ତାକୁ ତଳେ ପକେଇଦେଲା ଏବଂ କହିଲା—‘‘ଏଇଟା ମରିଗଲା ଭଳି ଜଣାପଡ଼ୁଛି । ଚାଲ, ଆମେ ଦୂରରେ ଠିଆହେବା । ବଞ୍ଚିଥିବ ଯଦି ଚାଲିବ । ଆମକୁ ଦେଖିଲେ ଶଳାଟି ହାତମୁହଁ ପଦାକୁ ବାହାର କରିବ ନାଇଁ ।’’

 

ସମସ୍ତେ ଠିଆ ହେଲେ କିଛି ଦୂରରେ । ତଳେ ଆପାତତଃ ଶୁଖିଲା, ଅସମତଳ ବାଲି । କଇଁଚଟି ଆସ୍ତେ ମୁହଁ କାଢ଼ିଲା । ତା’ ସାମ୍‍ନାରେ ଅନନ୍ତ ନୀଳିମା, ତା’ର ପୃଥିବୀ । ସହସା ସେ ଉତ୍‌ଫୁଲିତ ହେଲା ଏବଂ ପ୍ରାଣପଣେ ଧାଇଁବା ଆରମ୍ଭ କଲା ତା’ର ପୃଥିବୀ ଆଡ଼େ ।

 

–‘‘ବଞ୍ଚିଚି ବେ ।’’ ଶୁଭିଲା ଏକ ଉତ୍ସାହୀ ଚିତ୍କାର ଏବଂ ତା’ ପରେ କ’ଣ ଘଟିଲା ତାହା ବୁଝିପାରିଲାନି କଇଁଚଟି । ତା ମୁହଁ ଉପରେ ସେ ଶକ୍ତ ଆଘାତଟିଏ ଅନୁଭବ କଲା । କିଛିବାଟ ଶୂନ୍ୟରେ ଉଠି ପଡ଼ି ରହିଲା ଅନେକ ଦୂରରେ, ପାଣିର ଧାରରୁ ଢେର ବ୍ୟବଧାନରେ । ଆପଣା ଛାଏଁ ତା’ର ଗୋଡ଼-ମୁହଁ ପଶିଗଲେ ତା’ ପିଠି-ପେଟ ଭିତରକୁ । ତା ଭିତରୁ ସେ ଦେଖିପାରିଲା ତା ସାମ୍‍ନାରେ ତାକୁ ନେଇ ଖେଳ ଆରମ୍ଭ କରିଥିବା କେତେଜଣଙ୍କୁ । କେତେବେଳେ ଏଇମିତି ଖେଳ ଶେଷହୁଏ, କେଜାଣି ?

 

–‘‘ପାଖରେ ଠିଆହେଲେ ଗୋଡ଼-ମୁହଁ ଜମା ବାହାର କରୁନି । ଆଣିଲୁ ସେଇ ବାଡ଼ିଟା ୟାର ଗୋଡ଼–ହାତ ବାହାର କରିବ ।’’ ଆଉ ଜଣେ କହିଲା ।

 

ପ୍ରସ୍ତାବ ଅନୁସାରେ ଜଣେ ଆଣିଦେଲା ତିନି-ଚାରି ଫୁଟର ଶକ୍ତ ବାଡ଼ିଟିଏ । କହିଲା–‘‘ଏହାର ପିଠି ଉପରେ ଏ ବାଡ଼ିଟା ରଖୁଚି । ତୁମେ ଦୁଇଜଣ ବାଡ଼ିର ଦୁଇମୁଣ୍ଡରେ ଠିଆ ହୁଅ । ଗୋଡ଼-ମୁହଁ ବାହାରିପଡ଼ିବ ।’’

 

ସେୟା କରାଗଲା । ଚିକ୍କଣ ପିଠି ଉପରୁ ଖସିଆସୁଥାଏ ବାଡ଼ିଟା । ମାତ୍ର ତାର ଦୁଇ ମୁଣ୍ଡରେ ଯେଉଁ ଓଜନ ଠିଆ ହେଉଥିଲା, ତା’ ଫଳରେ କଇଁଚର ଗୋଡ଼ ଓ ମୁହଁ ବାହାରକୁ ବାହାରି ଆସୁଥିଲା ବେଳେ ବେଳେ । ପରେ କିନ୍ତୁ ତା’ର ଗୋଡ଼-ମୁହଁ ତ ଦୂରର କଥା, କଇଁଚଟି ଆଦୌ ଦେଖାଗଲାନାଇଁ । ପୋତି ହୋଇଗଲା ବାଲି ଭିତରେ ।

 

ତା’ ଉପରୁ ବାଡ଼ିଟି କାଢ଼ିନିଆଗଲା । ଅନ୍ୟଜଣେ ବାଲିର ପରସ୍ତରେ ତାହାକୁ ପୋତି ଦେଲା ଏବଂ କହିଲା–‘‘ଭିତରୁ ଆସି ପାରୁଚି କି ନା, ଦେଖିବା ।’’

 

ସେ ଏତିକି କହିଚି କି ନାଇଁ କଇଁଚଟି ବାଲିର ପଲସ୍ତରା ଅମାନ୍ୟ କରି ଉଠିଆସିଲା ଉପରକୁ ଏବଂ କାହାରିକୁ ଭୟ ନକରି ଚାଲିବା ଆରମ୍ଭ କଲା । ସମସ୍ତଙ୍କୁ ତିରସ୍କାର ଓ ଅମାନ୍ୟ କରି ସେ ବାସ୍ତବିକ ଦୌଡ଼ିବାକୁ ଲାଗିଲା । ତା’ ଗତିରେ ଥିଲା ନିର୍ଭୀକ ସ୍ପର୍ଦ୍ଧା । ସେ ସୂଚେଇ ଦେଉଥିଲା ଯେ, ଏମିତି ସଙ୍କଟ ସମୟରେ ଜୀବନ ନିଜକୁ ବାଜି ଲଗେଇ ଦିଏ, ନିଜକୁ ରକ୍ଷା କରିବା ପାଇଁ । ସେତେବେଳେ ନିର୍ଭୟର ସହିତ ଜୀବନ ଗ୍ରହଣ କରିନିଏ ବାହାରର ସମସ୍ତ ଚାଲେଞ୍ଜକୁ; ସମସ୍ତ ବିପଦର ସମ୍ମୁଖୀନ ହେବାପାଇଁ ସେ ଅଣ୍ଟା ଭିଡ଼ି ବାହାରିପଡ଼େ । ପରିଣାମ କ’ଣ ହେବ, ତାହା ହିସାବ କରିବାକୁ ଫୁରୁସତ ନଥାଏ ତା’ ପାଖରେ ।

 

କଇଁଚଟି ଦୌଡ଼ିଲା ଏକ ରକମ । ସମସ୍ତେ କୌତୁକର ସହିତ ଦେଖିଲେ ଏଇ ଦୃଶ୍ୟଟିକୁ । ତା’ ଚାରିପଟେ ଘେରିଯିବା ପାଇଁ ସେମାନଙ୍କୁ ବେଶି ସମୟ ଲାଗିଲା ନାଇଁ ।

 

–‘‘ବଲ୍ ଭଳି ଖେଳିବା ।’’ ପ୍ରସ୍ତାବ ଦେଲା ଜଣେ ।

 

–‘‘ବଲ୍‌ ଭଳି ? ଗୋଡ଼କୁ କାଟିବ, ଏଇଟା ଟାଣୁଆ ହୋଇଚି ଭାରି ।’’ ଅନ୍ୟ ଦୁଇ-ତିନି ଜଣଙ୍କର ନିରୁତ୍ସାହିତ ଉତ୍ତର ଶୁଭିଲା ।

 

–‘‘ଶୁଣ, ଏଇମିତି କରିବ । କଇଁଚଟି ଯାହା ପାଖରେ ପହଞ୍ଚିବ, ସେ ତା’ର ପେଟ ତଳେ ଗୋଡ଼ରଖି, ଗୋଡ଼ରେ ତାହାକୁ ଫୋପାଡ଼ିବ ଉପରକୁ । ଏମିତି କଲେ ଗୋଡ଼କୁ ବାଧିବ ନାହିଁ ।’’

 

ପ୍ରସ୍ତାବଟି କାର୍ଯ୍ୟକାରୀ ହେଲା ତତ୍‌କ୍ଷଣାତ୍ । ଚାଲିଲା କିଛି ସମୟ ପାଇଁ ଏଇ ଖେଳ । କଇଁଚଟି ଉଠୁଥାଏ ଶୂନ୍ୟତା ଭିତରକୁ ଏବଂ ପଡ଼ୁଥାଏ ବାଲି ଉପରେ । ଏମିତି ନିରବଚ୍ଛିନ୍ନ ଭାବରେ ଏ ଖେଳ ଚାଲିଲା ଯେ, କଇଁଚଟି ସଂଜ୍ଞାହୀନ ହୋଇଗଲା । ନିଜକୁ ସେ ଆଉ ଅନୁଭବ କରିପାରିଲା ନାଇଁ । ଗୋଡ଼-ମୁହଁହୀନ ଏକ ଗୋଲାକାର ବସ୍ତୁରେ ପରିଣତ ହୋଇ ସେ ପଡ଼ୁଥାଏ ପୃଥକ୍ ସ୍ଥାନମାନଙ୍କରେ ।

 

ମାତ୍ର ଏମିତି କେତେବେଳଯାଏଁ ବା ଖେଳ ଚାଲୁରଖିବା ସମ୍ଭବ ହୋଇଥାନ୍ତା ? ସମସ୍ତଙ୍କର ଆଗ୍ରହ ହଜିଗଲା କ୍ଲାନ୍ତି ଓ ବିରକ୍ତି ଭିତରେ; ହାଲିଆହୋଇ ସମସ୍ତେ ଘରମୁହାଁ ହେଲେ-

 

ଆଉ କିଛି ସମୟ ପରେ ସୂର୍ଯ୍ୟର ଅବଶିଷ୍ଟାଂଶ ସମୁଦ୍ର ଭିତରେ ହଜିଯିବ । ପରିତ୍ୟକ୍ତ ଖେଳନା ଭଳି ଦୀର୍ଘସମୟ ପର୍ଯ୍ୟନ୍ତ କଇଁଚଟି ପଡ଼ିରହିଲା ବାଲିଜର୍ଜରିତ ହୋଇ ପାଣିଧାରର ଅଳ୍ପ ଦୂରରେ । ସମଗ୍ର ବ୍ରହ୍ମାଣ୍ଡର ଆଉ କେହି ନଥିଲେ ସେତେବେଳେ । ସମୁଦ୍ରର ଲହଡ଼ିଭଙ୍ଗା ଗର୍ଜନ ହିଁ ଥିଲା ଏକମାତ୍ର ଶବ୍ଦ । ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଦରମଲା କଇଁଚଟି ହିଁ ଥିଲା ଏକମାତ୍ର ସର୍ବଶେଷ ଜୀବନ ।

 

ଯୋଜନ ଯୋଜନ ଲମ୍ୱର ଲହଡ଼ିମାନ ଉଠୁଥିଲେ ସମୁଦ୍ର ଛାତିରେ । ଧାଇଁ ଆସୁଥିଲେ କିଛି ବାଟ । ସେମାନଙ୍କର ଅଣ୍ଟା ଭାଙ୍ଗିଯାଉଥିଲା । ମଡ଼୍‌ମାଡ଼୍ ଶବ୍ଦ କରି ପରାଜୟର ମାଡ଼ରେ ସେମାନେ ସମତଳ ହୋଇ ଯାଉଥିଲେ । ଅନ୍ତହୀନ ପ୍ରକ୍ରିୟା ଚାଲିଥିଲା ଏଇମିତି । ଅଥଚ ବାଲିର କାନ୍ଥ ଅତିକ୍ରମ କରି କେଉଁଆଡ଼େ ଖସି ପଳେଇ ଯିବାର ଉପାୟ ନଥିଲା । ଅନନ୍ତ କାଳର ବନ୍ଦୀ ଏଇ ସମୁଦ୍ର ଅବ୍ୟାହତ ରଖିଥିଲା ମୁକ୍ତିର ସ୍ୱପ୍ନକୁ । ସେ ବିଧ୍ୱସ୍ତ ସ୍ୱପ୍ନ ରାଶିରାଶି ବୁଦ୍ ବୁଦ୍ ହୋଇ କେଉଁଆଡ଼େ ନିଶ୍ଚିହ୍ନ ହେବା ପୂର୍ବରୁ ପୁଣି ଏକାଧିକ ଲହଡ଼ି ଓ ତା’ପରେ ସଂଖ୍ୟାହୀନ ଲହଡ଼ିର ବିଶ୍ୱସ୍ତ ପ୍ରତିଶ୍ରୁତି ।

ୟା’ପରେ ଆଉ କ’ଣ କରାଯାଇପାରେ ? ଏକ ଅସ୍ପଷ୍ଟ, ଖଣ୍ଡିତ ଚେତନା ଫେରିଆସୁଥିଲା କଇଁଚ ପାଖକୁ । ସେ ଚେଷ୍ଟା କଲା ମୁଣ୍ଡ ଓ ଗୋଡ଼ ବାହାର କରିବାପାଇଁ । ନା, ହେଉନି । ତା’ ଦେହରେ ସମସ୍ତ ସନ୍ଧି ବାଲିରେ ଭର୍‍ପୂର୍ । ସେ ଚେଷ୍ଟା କଲା ଆଉଥରେ । ଅବରୁଦ୍ଧ କରିଥିବା ବାଲିର କାନ୍ଥ କିଛି ଅଂଶରେ ଧସଡ଼ି ପଡ଼ିଲା । ମୁହଁକାଢ଼ି ଦେଖିବାକୁ ଚେଷ୍ଟାକଲା ସେ । ସବୁ କୁହୁଡ଼ିଢଙ୍କା, ଜାଲଜାଲୁଆ । ସେଇ ନିଷ୍ପ୍ରଭ ଦୃଷ୍ଟିରେ ସେ କିନ୍ତୁ ଦେଖିପାରିଲା, ତା’ ପୃଥିବୀର ସୀମା, ସମୁଦ୍ରର ପାଣିଧାର ।

ସେ ଅସ୍ଥିର ହୋଇପଡ଼ିଲା ଅସମ୍ଭବ ଭାବରେ । ନିଜ ପ୍ରତି ଏକ ତୀବ୍ର ଆବେଗରେ ସେ ସତେ ଯେପରି ଓଦା ହୋଇଗଲା । ନିଜକୁ ସେ ଏତେ ଭଲପାଇ ନଥିଲା ୟା’ ପୂର୍ବରୁ । ଜୀବନ ଏତେ ମମତା ଓ ସ୍ନେହ ଦାବୀ କରେ ବୋଲି ଧାରଣା ନଥିଲା ତା’ର । କିନ୍ତୁ, କାହିଁ ? ସେ ତ ଚାଲିପାରୁନି ଆଦୌ !

ଅବଶ ହୋଇପଡ଼ିଲା ସେ କିଛି ସମୟ ପାଇଁ । ବର୍ତ୍ତମାନ ସବୁ ଦୁଃସ୍ୱପ୍ନ ଭଳି ଜଣାପଡ଼ୁଚି । ପାଣିରୁ ତାକୁ ଟେକି ଆଣିବାଠାରୁ ଆରମ୍ଭ କରି ବର୍ତ୍ତମାନର ଏ ଅର୍ଦ୍ଧମୃତ ଅବସ୍ଥା ପର୍ଯ୍ୟନ୍ତ । ଏମିତି କାହିଁକି ଘଟିଲା, କେଜାଣି ? ଏମିତି କ’ଣ ଘଟେ ? ଗୋଟିଏ ଜୀବନକୁ ତା’ ସ୍ନେହର ପୃଥିବୀ ଭିତରୁ ଉଠେଇ ନିଆଯାଏ ଏବଂ ନିଷ୍କରୁଣ, ନୃଶଂସ ଅତ୍ୟାଚାର ପରେ ତାକୁ ଏଇମିତି ଅକାମୀ କରି ପକେଇ ଦିଆଯାଏ, ତା’ ପୃଥିବୀଠାରୁ ଅଳ୍ପ ଦୂରରେ ? ଇଏ ପୁଣି କି ଅଦ୍ଭୁତ ପରିବେଶ ! ଚାରିଆଡ଼େ ବାଲିର ଐଶ୍ୱର୍ଯ୍ୟ, ଯାହା ସହିତ ସେ ବଞ୍ଚି ରହିଥିବା ପୃଥିବୀର ଲେଶମାତ୍ର ସାମଞ୍ଜସ୍ୟ ନାଇଁ । ଜୀବନ ଯଦି ଏଇଭଳି ପରିବେଶ ଭିତରକୁ ଟଣାହୋଇ ଆସେ ଏବଂ ଏଇଭଳି ନିର୍ମମତାର ସମ୍ମୁଖୀନ ହୁଏ, ତେବେ ଜୀବନ କ’ଣ ? ଅଭିଶାପ ? କିନ୍ତୁ ତାହାକୁ ବଞ୍ଚେଇ ରଖିବା ପାଇଁ ଏତେ ବ୍ୟାକୁଳତା ଆସେ କେଉଁଠୁ ? କାହିଁକି ?

ସମସ୍ତ ଶକ୍ତି ଏକାଠି ଠୁଳକରି କଇଁଚଟି ଚାଲିବା ଆରମ୍ଭ କଲା । ମାତ୍ର ଗୋଟିଏ ପଦକ୍ଷେପ । ତା’ ପରେ ସେ ପୁଣି ପଡ଼ିରହିଲା । ଆଉ ହେବନି, ବୋଧହୁଏ । ଅଥଚ କେଡ଼େ ପାଖରେ ଅଛି ତା’ର ସମୁଦ୍ର ? କେଡ଼େ ପାଖରେ ସତେ ! ଏଇ ଯେମିତି ଛୁଇଁଦେଇ ହେବ । ଏଇ ଯେମିତି ସେ ବୁଲିବ, ତା’ର ନୀଳିମା ଭିତରେ । ଶେଷହୀନ ସ୍ୱପ୍ନ ଦେଖିବ ଓ ସୃଷ୍ଟି କରିବ ତା’ର ଉତ୍ତରପୁରୁଷ ! ଏତେ ସୁନ୍ଦର ଭବିଷ୍ୟତ ଅପେକ୍ଷା କରିଚି ତାକୁ ଅଳ୍ପ କେତୋଟି ପାହୁଣ୍ଡ ଦୂରରେ !

ଏତେ ଦହଗଞ୍ଜ ହେବା ପରେ ସଂସାରରୁ ଆଉ ଅଧିକ କ’ଣ ଆଶା କରୁଥିଲା ସେଇ ମୃତପ୍ରାୟ, ଏକଦା ସୁନ୍ଦର, ଅନନ୍ୟ କଇଁଚଟି ? ବର୍ତ୍ତମାନ ତା’ ଦେହର ଆକର୍ଷଣ ବିବର୍ଣ୍ଣ ହୋଇ ଯାଇଥିଲା, ତା’ ଜୀବନ ମଳିନ ହୋଇଯାଇଥିଲା; ତଥାପି ତା’ର ନିଷ୍ପ୍ରଭ ଆଖିରେ ସ୍ପଷ୍ଟ ହୋଇଉଠୁଥିଲା ଏକ ଅପ୍ରତିଦ୍ୱନ୍ଦୀ ଶୋଷ । ସେ ଚାହୁଁଥିଲା ସୁମଦ୍ର ଆଡ଼େ ଏମିତି ଢଙ୍ଗରେ ସତେଯେପରି ସମୁଦ୍ରର ସମସ୍ତ ପାଣି ତା’ ଶୋଷ ପାଇଁ ଆଦୌ ଯଥେଷ୍ଟ ନଥିଲା । ସେଇମିତି ପଡ଼ିରହି ସେ କେଜାଣି ଆହ୍ୱାନ କରୁଥିଲା—ବହୁତ ପାଣି ତୋ ପାଖରେ ଅଛି ବୋଲି ତୋର ଭାରି ଅହଂକାର ପରା ! ଗର୍ବରେ ତୋ ଛାତି ଫୁଲିଉଠେ ! ସନ୍ତୁଷ୍ଟ କର୍ ମୋ ଶୋଷକୁ । ହଁ, କେବଳ ମୋରି ଶୋଷକୁ !

ନିଜର ପଙ୍ଗୁତା ବିରୁଦ୍ଧରେ ସଂଘର୍ଷ ଚାଲୁ ରଖିଥିଲା କଇଁଚଟି । ତା’ ସାମ୍‍ନାରେ ଥିବା ସମୁଦ୍ର କ୍ରମଶଃ ଅଶାନ୍ତ ହୋଇ ପଡ଼ୁଥିଲା । ସମସ୍ତ ବାଲିର କାନ୍ଥକୁ ପରିହାସ କରି ସେ ଆହୁରି ବ୍ୟାପ୍ତ ହେବାପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କଲା । ଅନ୍ୟ ଦିନଠାରୁ ଯଥେଷ୍ଟ ଦୀର୍ଘ, ଯଥେଷ୍ଟ ଉଚ୍ଚ ଲହଡ଼ି ସୃଷ୍ଟି ହେଲା ତା’ ଛାତିରେ । ବାଲିର କାନ୍ଥ ଉପରେ ସେ ହାତ ବଢ଼ଉଥିଲା କିଛି ଗୋଟାଏକୁ ନିଜ ଭିତରକୁ ଆଣିବା ପାଇଁ ।

 

–‘‘ଚାଲିଆ, ମୋ ଭିତରକୁ ।’’ ସତେ ଯେପରି ସମୁଦ୍ରର ମର୍ମସ୍ଥଳରୁ ବାହାରିଲା ଏଇ ସ୍ନେହମୟ, ବାତ୍ସଲ୍ୟପୂର୍ଣ୍ଣ ଡାକଟି । ‘‘ବାପରେ, ମୋ ଭିତରକୁ ଚାଲିଆ । ଆଉ କେଇଟି ମାତ୍ର ପାହୁଣ୍ଡ । ତା’ପରେ ତୋତେ ଲୁଚେଇ ରଖିବି ମୋ ଗର୍ଭରେ । ମୋ ଆଖିର ଲୁହରେ ଧୋଇଦେବି ତୋର ସମସ୍ତ କ୍ଷତ, ପୋଛିଦେବି ତୋ ଦେହର ଯାବତୀୟ ବାଲିର ମଇଳା । ଚାଲିଆ, ମୋ ଧନ-।’’

 

କଇଁଚଟି ପ୍ରଲୁବ୍‌ଧ ହେଲା ଏବଂ ପୁଣି ଥରେ ଚାଲିବାକୁ ଚେଷ୍ଟା କଲା । ଜମା ହେଉନି । ସେ ଏବେ କରିବ କ’ଣ ? ଅସମତଳ ବାଲିର ଚଟାଣ ଉପରେ ତା’ ଦେହ କେବଳ ଥରୁଚି, ଜୀବନର ସଙ୍କେତ ଦେଇ । ମାତ୍ର ତା’ର ଗତିଶୀଳତା କାହିଁ ? ଅଳ୍ପ କେତୋଟି ପଦକ୍ଷେପର ବ୍ୟବଧାନ । ଅଥଚ ସେ ତ ପାରୁନି ! ସେଦିନ ଭଳି ସମୁଦ୍ର ଏତେ ଅସ୍ଥିର ଓ ବିଦ୍ରୋହୀ ହୋଇ ନଥିଲା । ତା’ର ଗର୍ଜନରେ ଏଇ ଯେପରି ଖଣ୍ଡ ଖଣ୍ଡ ହୋଇ ଆକାଶ ଭାଙ୍ଗି ଖସିପଡ଼ିବ ତା’ ଭିତରକୁ । ବାଲିର କାନ୍ଥ ଭୁଷୁଡ଼ି ପଡ଼ିବ ରସାତଳକୁ । ସମୁଦ୍ର ମୁଣ୍ଡ ପିଟୁଥିଲା ନାହିଁ ନଥିବା ଆବେଗ ଉତ୍କଣ୍ଠାରେ । ବାରମ୍ୱାର ହାତ ପ୍ରସାରିତ ହେଉଥିଲା ତାକୁ ବନ୍ଦୀକରି ରଖିଥିବା ବାଲିର ପାଚେରୀ ଉପରେ । ମାତ୍ର ସବୁଥର ରିକ୍ତହାତ ତା’ର ଫେରି ଯାଉଥିଲା ତା’ ପାଖକୁ ।

 

–‘‘ଚାଲିଆ, ମୋ ଭିତରକୁ ।’’ ଏ ଆହ୍ୱାନ ଥିଲା ଶେଷହୀନ । ‘‘ତୋତେ ଭାରି ଶୋଷ । ନୁହଁ ? ଚାଲିଆ । ମୋ ପାଣିପିଇ ମୋତେ ଶୁଖେଇ ଦେ । ତୋହରି ପାଇଁ ଏ ପାଣି । ଆ, ତୋତେ ହାତ ବଢ଼େଇ ଡାକୁଚି ପରା ! ଦେଖୁଚୁ ତ, ମୁଁ ବି ଏଇ ବାଲିର ଶୃଙ୍ଖଳରେ ବନ୍ଦୀ । କ’ଣ ଆଉ କରିବି ମୁଁ ?’’

 

ଯୁଗ ଯୁଗ ଧରି ଚାଲିଥିଲା ଏଇଭଳି ସଂଘର୍ଷ । ଏକଦା ସୁନ୍ଦର, ଚମତ୍କାର ଓ ଉଚ୍ଚ ଅଭିଳାଷ ଥିବା ଓ ବର୍ତ୍ତମାନ ଦରମଲା, ଅତ୍ୟାଚାରିତ, ବାଲି ବିମଣ୍ଡିତ ହୋଇଯାଇଥିବା ଆହତ କଇଁଚର ସମୁଦ୍ର ଭିତରକୁ ଯିବାପାଇଁ ପ୍ରାଣାନ୍ତକ ଚେଷ୍ଟା ଏବଂ କ୍ଷୁଧିତ, ନିରୁପାୟ ସମୁଦ୍ର ତାକୁ ହାତ ବଢ଼େଇ ନିଜ ଭିତରକୁ ନେଇଯିବାର ବିଚଳିତ ବ୍ୟାକୁଳତା । ଶୋଷ ସନ୍ତୁଷ୍ଟ ହୁଏ ନାଇଁ, କ୍ଷତ ଭଲ ହୁଏ ନାଇଁ । ସମୁଦ୍ରର ଆବେଗ ମୁଣ୍ଡପିଟି, ହାତ ବଢ଼େଇ ଅହରହ ଲୁହମିଶା ସ୍ୱରରେ କହୁଥାଏ–‘‘ବାପରେ, ଚାଲିଆ ମୋ ଭିତରକୁ ।’’

 

କଇଁଚଟି ଶୁଣେ ଓ ଉଲ୍ଲସିତ ହୁଏ । ହେଇ ଦିଶୁଥିବା ପାଣିକୁ ଛୁଇଁବା ବି ସମ୍ଭବ ହୁଏ ନାଇଁ । ସମୁଦ୍ର ଓ ତା’ ମଝିରେ ଥିବା ବାଲିର ବ୍ୟବଧାନଟି ଅପରାଜେୟ ହୋଇ ରହିଥାଏ, ଯେମିତିକି ଡଙ୍ଗାର ବାଡ଼ ଅନତିକ୍ରମ୍ୟ ହୋଇ ରହେ ସମୁଦ୍ର ଓ ତା’ ମଝିରେ ।

 

ସେତେବେଳେ କିଏ ବା ପାଖରେ ଥାଏ ଏସବୁ ବୁଝିବା ପାଇଁ ? ସ୍ନେହରେ କିଏ ଘୁଞ୍ଚେଇଦିଏ କଇଁଚକୁ ପାଣିର ଧାର ପର୍ଯ୍ୟନ୍ତ ? ନିର୍ମମତା ହେଉ ପଛେ, କିଏ ବା ତାକୁ ଫୋପାଡ଼ି ଦିଏ ପାଣି ଭିତରକୁ ?

 

ମାତ୍ର ସେଦିନର ଘଟଣାଟି ଆଉ ଅଧିକ ବର୍ଣ୍ଣନା କରିବା ସମ୍ଭବ ହେଉନାଇଁ । ବୋଧହୁଏ କଇଁଚ ଓ ସମୁଦ୍ରର ଏଇ ମିଳିତ ବ୍ୟାକୁଳତା, ଅସଫଳ ଚେଷ୍ଟା ଆହୁରି ମର୍ମସ୍ପର୍ଶୀ ଓ ଅସହ୍ୟ ହୋଇପଡ଼ିଥିଲା । ଏଇଥିପାଇଁ ଏହାକୁ ସମସ୍ତଙ୍କ ଦୃଷ୍ଟିର ଅନ୍ତରାଳକୁ ନେଇଯିବା ସକାଶେ ସ୍ୱର୍ଗ ଓ ମର୍ତ୍ତ୍ୟ ମଧ୍ୟରେ ଘନୀଭୂତ ହେଉଥିଲା ଅନନ୍ତ ଅନ୍ଧକାର ।

Image

 

ଦୁଇଟି ମୁର୍ଦ୍ଦାର ସମ୍ପର୍କରେ

 

ସଂଧ୍ୟା ସାତଟାବେଳେ ବ୍ରଡ୍‍ଓ୍ୱେ ବାର୍‌ରେ ପହଞ୍ଚିବା କ୍ଷଣି ଜଣେ ଓ୍ୱେଟର ଆମ ଦୁହିଁଙ୍କୁ ଆଗରୁ ରିଜର୍ଭ କରିଥିବା କେବିନ୍‌ଟି ଦେଖାଇଦେଲା । ଦେହରୁ କୋଟ କାଢ଼ୁଥିବା ଅବସ୍ଥାରେ ପ୍ରସ୍ତାବ ଦେଲା ପ୍ରକାଶ–‘‘କୋଟ ଖୋଲିଦେ । ଡ୍ରିଂକ୍‌ଆଉ ଡିନର୍ ଭଲ କରି ଉପଭୋଗ କରିବାକୁ ଚାହୁଁ ଯଦି ।’’

 

ପଞ୍ଚମ ମହଲାରେ ଅବସ୍ଥିତ ବାର୍‌ର ପ୍ରଶସ୍ଥ କାଚ ଝରକା ବାଟେ ଦେଖିଲେ ଜଣାଯିବ, ଆକାଶଟା ଖସି ପଡ଼ିଛି ପୃଥିବୀର ଦେହ ଉପରକୁ । ଅନେକ ତାରକା ଧାଉଁଛନ୍ତି ଏଣେ ତେଣେ ସ୍ଥିର ହୋଇ ରହିବା ଭଳି ଉପଯୁକ୍ତ ସ୍ଥାନ ପାଇବା ସକାଶେ । ଦେଶର ସର୍ବ ବୃହତ୍ ସହର ବ୍ୟାପକ ଓ ଗତିଶୀଳ ଦେଖାଯାଉଥିଲା । –‘‘କ’ଣ ପିଇବୁ, କହ ।’’ ମୁଁ ମୁହଁ ଫେରାଇବା ପରେ ପ୍ରକାଶ ପଚାରିଲା । ‘‘ହୁଇସ୍କି, ନା ବିଅର ନା ସାଂପେନ୍, ନା ଆଉ କିଛି ।’’ ବାର୍‌ର ମେନୁ ହାତରେ ଧରିଥିଲା ସେ ।

 

‘‘ହୁଇସ୍କି ।’’ ମୁଁ କହିଲି, ଆଜ୍ଞାଧୀନତାର ସହିତ ଠିଆ ହୋଇଥିବା ବୟ ଆଡ଼ୁ ଦୃଷ୍ଟି ବୁଲାଇ ସାରି ।

 

–‘‘ଭେରିଗୁଡ଼୍ ! ହୁଇସ୍କି ।’’ ପ୍ରକାଶ କହିଲା ଏବଂ ଆବଶ୍ୟକୀୟ ଅର୍ଡ଼ର ଦେଲା ।

 

ଭାବୁଥିଲି ୟା ପରେ ସେ କିଛି କହିବ । ମୁଁ କହିବି ମୋ କଥା । ଶେଷରେ ଦୁହେଁଯାକ ହୁଏତ ଏକମତ ହେବୁ ଯେ, ଆଉ କାହିଁକି କେଜାଣି କିଛି ଭଲ ଲାଗୁ ନାହିଁ । ସ୍ୱପ୍ନ ଖଣ୍ଡିତ ଓ ବିକ୍ଷିପ୍ତ ହୋଇ ଯାଉଛି । ସମ୍ଭାବନାର ପରିସର ଜଣାପଡ଼ୁଛି ସୀମିତ । ଏକ ନିର୍ଦ୍ଦିଷ୍ଟ ବୟସ-ସୀମା ଅତିକ୍ରମ କଲା ପରେ, ମନକୁ ଗୁଡ଼ାଏ ପ୍ରତିଶ୍ରୁତି ଦେଇ ଭୁଲେଇ ରଖିବା ସମ୍ଭବ ହେଉନି । ନିଜ କ୍ଷମତାକୁ ଭଲକରି ତଉଲି ସାରିବା ପରେ ଆଉ କେଉଁ ଆଶ୍ୱାସନା ? ତା’ପରେ କେବଳ ଅପେକ୍ଷା କରି ପଡ଼ି ରହିବା କଥା ଏବଂ ଖବର କାଗଜରେ ପ୍ରକାଶିତ ହୋଇଥିବା ଲଟେରୀ ଉଠାଣର ଫଳାଫଳ ପଢ଼ି, କପାଳ ଓ ବେକରୁ ଥଣ୍ଡା ଝାଳ ପୋଛିବା କଥା । ଆଜିକାଲି ଜୀବନରେ ଆଲୌକିକ, ଦୈବଶକ୍ତି କର୍ତ୍ତୃକ ଘଟଣା ବିରଳ ହୋଇଯାଉଛି ।

 

ପ୍ରକାଶ ମୋ କଥାରେ ସମ୍ମତ ନ ହେଲେ କିଛି ଯାଏ ଆସେନା । ଯଦିବା ଆମ ଦୁହିଁଙ୍କର ଦୃଷ୍ଟିଭଙ୍ଗୀ ବିପରୀତ ହୋଇଥାଏ, ତେବେ ତାହା ପରସ୍ପରକୁ ଭୁଲ୍‍ ପ୍ରମାଣିତ କରିପାରିବନି; କାରଣ ମୋ ଦୃଷ୍ଟିଭଙ୍ଗୀ ମୋ ପାଇଁ ଏବଂ ତା’ ଦୃଷ୍ଟିଭଙ୍ଗୀ ତା’ ପାଇଁ ସମାନଭାବେ ତାତ୍ପର୍ଯ୍ୟପୂର୍ଣ୍ଣ ଓ ସତ୍ୟ । ମୁଁ ମୋ ଜୀବନର କେତୋଟି ଦୃଷ୍ଟାନ୍ତ ଦେଇ ଉପରୋକ୍ତ ଉକ୍ତିଟିକୁ ପ୍ରମାଣ କରିବି ।

 

ସେ କିନ୍ତୁ ଭିନ୍ନ ଦୃଷ୍ଟିକୋଣରୁ ବିଶ୍ଳେଷଣ କରିପାରେ ସମୁଦାୟ କଥାଟିକୁ । ସେ କହିପାରେ ଯେ, ପିଲାଦିନୁ ସେ ମୋ ଭଳି ଗମ୍ଭୀର ଓ ଉଦାସ ପ୍ରକୃତିର ନଥିଲା । ସେ ଖୁବ୍ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ଗ୍ରହଣ କରିଛି ଏବଂ ଭଗବାନଙ୍କୁ ହୃଦୟହୀନ ଓ ଅନ୍ୟମନସ୍କ ବୋଲି ଭାବିବାପାଇଁ କୌଣସି ଅବକାଶ ପାଇନାହିଁ । ମ୍ୟାନେଜ୍‌ମେଣ୍ଟ ଷ୍ଟଡ଼ିଜ୍‌ରେ ଡକ୍ଟରେଟ୍ କରିସାରି ରୂପାଲାଲ୍‍ ଗ୍ରୁଫ୍ ଅଫ୍ ମିଲ୍‌ସର ଜଣେ ଉଚ୍ଚପଦସ୍ଥ କର୍ମଚାରୀ ଭାବେ ଏ ସହରରେ ଅବସ୍ଥିତ ହେବା ପରେ ଆଉ ପୁଣି ଅଭିଯୋଗ କ’ଣ ? ସେ ମୁଖ୍ୟତଃ ଉଡ଼ାଜାହାଜ ଯୋଗେ ଗସ୍ତ କରେ । ଏତେ ବ୍ୟସ୍ତ ରହେ ଯେ, ଭିକାରୀର କେନ୍ଦରା ଗୀତ, ଶୁଖିଲା ପତ୍ର ଏବଂ ଡାକ୍ତରଖାନା ଓ୍ୱାର୍ଡ଼ାର ଚଟାଣ ଉପରେ ଶୋଇଥିବା ଲୋକ ଇତ୍ୟାଦି ତା’ ପାଇଁ ଅସତ୍ୟ ଓ କଳ୍ପନା ପ୍ରସୂତ ହୋଇ ଯାଇଛି । ଏକଦା ସହପାଠୀ ଓ ଘନିଷ୍ଠ ବନ୍ଧୁକୁ ମୁଁ ଦେଖିବି ଏକାଗ୍ରତାର ସହିତ ଏବଂ ସ୍ୱୀକାର କରିବି ଯେ, ଅନ୍ତତଃ କେତେଜଣଙ୍କ ଦୃଷ୍ଟିରେ ପୃଥିବୀ ଏକ କଦର୍ଯ୍ୟ ସ୍ଥାନ ନୁହେଁ ।

 

ପ୍ରକାଶ କହିଲା, ଅଳ୍ପ ସମୟର ନୀରବତା ପରେ—‘‘କିନ୍ତୁ ଏ ପର୍ଯ୍ୟନ୍ତ ତୁ ତୋର ନିଷ୍ପତ୍ତି ଜଣାଇଲୁ ନାହିଁ । ପ୍ରକୃତରେ ମୋ ଫ୍ଲାଟ୍‌ରେ ତୋର ଆଦୌ ଅସୁବିଧା ହେବନି, ଖିଆପିଆ ବ୍ୟତୀତ-। ମିଛଟାରେ ହୋଟେଲରେ ରହି ଖର୍ଚ୍ଚାନ୍ତ ହେବୁ କାହିଁକି ? ଏକୁଟିଆ ରହୁଥିବାରୁ ଫ୍ଲାଟ୍‌ଟା ଭଲ ଲାଗୁ ନାହିଁ । ଚଟାଣରେ ଚପଲ ଘୋସାରିଲେ, ସୁଇଚ୍ ଟିପିଲେ କିମ୍ୱା ଗାଧୁଆ ଘର ଟ୍ୟାପ୍‌ରୁ ଟୋପାଟୋପା ପାଣି ପଡ଼ିଲେ ପ୍ରତିଧ୍ୱନି ସୃଷ୍ଟି ହୁଏ । ଏ ପ୍ରତିଧ୍ୱନି ତମାମ୍ ସହରକୁ ମିଛ କରିଦିଏ । ବେଳେବେଳେ ଜଣାପଡ଼େ, ଏକୁଟିଆ ମୁଁ ରହୁଛି ଏ ବିଶ୍ୱରେ । ଏମିତି ରହିବାର କୌଣସି ଯଥାର୍ଥତା ଖୋଜି ପାଏନି । ଫ୍ଲାଟ୍‌ଟା ସଂପ୍ରସାରିତ ହୋଇଥାଏ । କାନ୍ଥରେ ପାପୁଲି ଘସିବା ଦରକାର ପଡ଼େ ତାହାର ଓ ମୋର ସ୍ଥିତି ସମ୍ପର୍କରେ ନିଶ୍ଚିତ ହେବାକୁ । ତେଣୁ ମୋ ପାଖରେ ରହିବା ଦ୍ୱାରା ତୁ ମୋ ପ୍ରତି ଦୟାଶୀଳ ହେଉଛୁ; ମୁଁ ତୋ ପ୍ରତି ନୁହେଁ । ତୁ ତୋର ଗବେଷଣା ପାଇଁ ଲାଇବ୍ରେରୀ ଯା; କିମ୍ୱା ଫ୍ଲାଟ୍‌ରେ ଲେଖାଲେଖି କର–କିଛି ଅସୁବିଧା ହେବନି ।’’

 

ଏତେଗୁଡ଼ାଏ କଥା କହି ସାରିବା ପରେ ସେ ଚାହିଁଲା ମୋତେ ଜବାବ ପାଇବା ଆଶାରେ । ମୁଁ କିଛି କହିବା ଆଗରୁ ସେ କ୍ଷମା ମାଗିବା ଢଙ୍ଗରେ କହିଲା–‘‘ପୂଝାରୀ ନ ଥିବାରୁ ଖିଆପିଆରେ ଅସୁବିଧା ହେଉଛି । ଅବଶ୍ୟ ମୋତେ ସବୁବେଳେ ଏଣେତେଣେ ଯିବାକୁ ପଡ଼ୁଛି । ମାତ୍ର ଦରକାର ମୁତାବକ ସ୍ନାକ୍‌ସ, କଫି ଇତ୍ୟାଦି କିଣିନେବା । ରୋଷେଇ କରିବା ସମ୍ଭବ ନୁହେଁ । ଖାଇବା ହୋଟେଲରେ ।’’

 

ସେ ଏଥର ଗ୍ଲାସ୍‌ରେ ସୋଡ଼ା, ବରଫ ମିଶାଇ ଡ୍ରିଂକ୍‌ ପ୍ରସ୍ତୁତ କରିବାରେ ମନ ଦେଲା । ମୁଁ ଚିଲି-ଚିକିନ୍ ଭଜାରୁ ଖଣ୍ଡିଏ ଉଠାଇ ଆଣିଲି । ପ୍ରକାଶ ଫ୍ଲାଟ୍‌ରେ ରହିବାର ଏକମାତ୍ର ସୁବିଧା ହେବ—ଦୂରତା । ସେ ରହୁଥିବା ପୋଶ୍ ଲୋକାଲିଟି ସହରର ଗୋଟିଏ ପ୍ରାନ୍ତରେ ଅବସ୍ଥିତ । ସହରର ଅନ୍ୟ ପ୍ରାନ୍ତରେ ଥିବା ଲାଇବ୍ରେରୀରେ ମୁଖ୍ୟତଃ ମୋର କାମ । ପାଖରେ ଗୋଟାଏ ଶସ୍ତା ହୋଟେଲରେ ଦୁଇଦିନ ହେବ ରହୁଛି ।

 

ଏଠାକୁ ଆସିବା ଆଗରୁ ଚିଠି ଖଣ୍ଡିଏ ପଠେଇ ଦେଇଥିଲି ପ୍ରକାଶ ପାଖକୁ । ତା’ ଠିକଣା ଜଣା ନ ଥିବାରୁ କେବଳ ରୂପାଲାଲ ଗ୍ରୁପ୍ ଅଫ୍ ମିଲ୍‌ସ୍‌ ବୋଲି ଲେଖିଥିଲି ଲଫାପା ଉପରେ । ଚିଠି ପହଞ୍ଚିବା ବେଳକୁ ସେ ଏଠାରେ ନଥିଲା । କେତେକ ଆରବ ଦେଶରେ ତା’ ମିଲ୍ ପ୍ରସ୍ତୁତ ଜିନିଷଗୁଡ଼ିକର ଚାହିଦା ନିରୂପଣ କରିବା ପାଇଁ ସେ ଦେଶ ବାହାରକୁ ଚାଲି ଯାଇଥିଲା । ଫେରିଲା ଆଜି ସକାଳେ, କୋଡ଼ିଏ ଦିନ ପରେ । ଅପରାହ୍ନ ଦୁଇଟାବେଳେ ଫୋନ୍ କଲା ଲାଇବ୍ରେରୀକୁ ମୁଁ । ରହୁଥିବା ହୋଟେଲ ଠିକଣା ମୋଠୁ ପାଇଲା । ସେ ରହୁଥିବା ସ୍ଥାନ ମୋର ଅପରିଚିତ ଥିବାରୁ ସେ ଗାଡ଼ି ନେଇ ପହଞ୍ଚିଲା ମୋ ପାଖରେ ସନ୍ଧ୍ୟା ଛ’ଟା ବେଳେ । ମୋ ବହି, ସୁଟ୍‌କେଶ ଧରି ତା’ ଫ୍ଲାଟ୍‌କୁ ନେଇଯିବା ପାଇଁ ଜିଦ୍ ଧରିଥିଲା ସେ । ସେଠାରେ ରହିବା ସଂକ୍ରାନ୍ତରେ ନିଷ୍ପତ୍ତି ଭାବିଚିନ୍ତି ଜଣେଇବି ବୋଲି କହିବା ପରେ ସେ ଆଉ ବାଧ୍ୟ କଲା ନାହିଁ । ତା’ପରେ ଏଇ ଶୀତତାପ ନିୟନ୍ତ୍ରିତ ସୌଖୀନ୍ ବାର୍–ରାତ୍ରି ଭୋଜନ ପାଇଁ । ନିରୋଳାରେ ଗପସପ କରିବା ଖୁବ୍ ଜରୁରୀ ମନେକରି ଏଠାକୁ ଆସିଲୁ । ଏଠାରେ କାବାରେ ଇତ୍ୟାଦି ନାହିଁ । ଅଥଚ ରୁଚିପୂର୍ଣ୍ଣ ବାର୍ ।

 

କହିଲି–‘‘ତୋ’ଘରେ ରହିବା ପାଇଁ ମୋର କୌଣସି ଆପତ୍ତି ନାହିଁ । ଅସୁବିଧା ଏତିକି ଯେ, ଲାଇବ୍ରେରୀରୁ ବହୁଦୂରରେ ରହିବାକୁ ହେବ । ଏଠାକାର ସିଟି ବସ୍‌ମାନଙ୍କର ଭିଡ଼ ଯେ କୌଣସି ଲୋକକୁ ହତୋତ୍ସାହ କରିଦେବ । ପୃଥିବୀର କୌଣସି ଜିନିଷ ମଣିଷ ପାଇଁ ଆଉ ଯଥେଷ୍ଟ ନୁହେଁ । ନା, କ’ଣ କହୁଛୁ ? ଏତେ ବାଟ ସିଟି ବସ୍‌ରେ ଯିବା ଆସିବା କରିବା କଥା ଚିନ୍ତା କରି ମୁଁ ଟିକିଏ ସଙ୍କୁଚିତ ହୋଇ ପଡ଼ୁଛି ।’’

 

ମୋ ଆଡ଼କୁ ସେ ଚାହିଁଲା ଭ୍ରୁକୁଞ୍ଚନ କରି ବିସ୍ମୟକର କଥା ଶୁଣିଥିବା ଭଳି । ପଚାରିଲା–‘‘ତୋତେ ସିଟି ବସ୍‌ରେ ଯା–ଆସ୍ କରିବା ପାଇଁ କହୁଛି କିଏ ? ବଡ଼ ପାଜି ଲୋକଟିଏ ତୁ ! ମୋର ଗାଡ଼ି ଅଛି । ସେଇଥିରେ ଯିବୁ ଲାଇବ୍ରେରୀକୁ । ଫେରିବୁ ସେଇଥିରେ । କୌଣସି ଅସୁବିଧା ଯୋଗୁଁ ମୁଁ ନିଜେ ତୋତେ ନ ଆଣି ପାରିଲେ ବିକଳ୍ପ ବ୍ୟବସ୍ଥା କରି ଦିଆଯିବ । ୟା ପରେ ଆଉ କିଛି ଆପତ୍ତି ଅଛି କି ?’’

 

ମୁଁ ଖୁସି ହୋଇ ମନା କଲି । ଚିୟର୍ସ କହି ସାରି ଆମେ ଦୁହେଁ ଗ୍ଲାସ ନେଲୁ ଓଠ ପାଖକୁ-

 

ଗୋଟିଏ ଦୁଇଟି ସିପ୍‌ ପରେ ପ୍ରକାଶ ପଚାରିଲା–‘‘ମନେକର, କୌଣସି ରହସ୍ୟମୟ କାରଣ ଯୋଗୁଁ ଏ ବାର୍ ଛାଡ଼ି ସମସ୍ତେ ପଳେଇ ଯାଆନ୍ତେ । କବାଟ, ଝରକା ବନ୍ଦ କରିଦିଆ ଯାଆନ୍ତା । କେବଳ ଆମେ ଦୁହେଁ ରହନ୍ତେ ଭିତରେ । ଏଠାରୁ ମୁକ୍ତି ପାଇବା ପାଇଁ ଆମ ଚିତ୍କାର କେହି ଶୁଣି ପାରନ୍ତେ ନାହିଁ । କ’ଣ ହୁଅନ୍ତା ?’’

 

ଏମିତି ଏକ ସମ୍ଭାବନା ସମ୍ପର୍କରେ ଚିନ୍ତାକରି ତା’ର ଉଚିତ ପରିଣାମ କଳନା କରିବାକୁ ପ୍ରସ୍ତୁତ ନଥିଲି ସେ ଅବସ୍ଥାରେ ଓ ପରିବେଶରେ । ପ୍ରଶ୍ନଟା ଉଦ୍ଭଟ ଜଣାଗଲା । ଯଦି ଆମେ ଦୁହେଁ ନୌକାରେ ବସି ସମୁଦ୍ର ଭିତରକୁ ଚାଲି ଯାଆନ୍ତୁ ଏବଂ ଦୁର୍ଦ୍ଦାନ୍ତ ଝଡ଼ର ସମ୍ମୁଖୀନ ହୁଅନ୍ତୁ, ତେବେ ଆମ ଚାଲାକୀ ଓ ସତର୍କତା କ୍ଲୀବ ହୋଇ ଯାଆନ୍ତା । କିମ୍ବା ଆମେ ଦୁହେଁ ରହୁଥିବା ଘରର କବାଟ-ଝରକା ବନ୍ଦକରି କେହି ଜଣେ ସେଠାରେ ନିଆଁ ଲଗେଇ ଦେଲେ ଆମେ ଦୁହେଁ ମରିଯିବା ଯଥାର୍ଥ ହେବ । କିମ୍ୱା ମଟରଗାଡ଼ିରେ, ଉଡ଼ାଜାହାଜରେ ଯାଉଥିବାବେଳେ ସାଂଘାତିକ ଦୁର୍ଘଟଣା । ଆଶ୍ଚର୍ଯ୍ୟ କଥା, ମୋ ମନ ଭିତରେ ଏଇଭଳି ସମ୍ଭାବନାର ତାଲିକା ଦୀର୍ଘ ହୋଇ ଯାଉଥିଲା । ଏମିତି କି ଗିଲାସେ ପାଣି ପିଉଥିବାବେଳେ ଅନ୍ତିମ ମୁହୂର୍ତ୍ତରେ ଆସି ଯାଇପାରେ ମନରେ ଝାପ୍‌ସା ବିସ୍ମୟ ସୃଷ୍ଟି କରି । ରାସ୍ତା, ଘାଟ, ଗଛ, ଘର–ମଣିଷର ଶବ ଯେ କୌଣସି ସ୍ଥାନକୁ ପସନ୍ଦ କରିପାରେ, ଯେମିତିକି ପ୍ରସୂତୀ ଯନ୍ତ୍ରଣା ଶୁଭିପାରେ ଅପ୍ରତ୍ୟାଶିତ ଅଞ୍ଚଳରେ ।

 

ମାତ୍ର ଏଭଳି ଏକ ସହରର ଏଇ କାର୍ଯ୍ୟବ୍ୟସ୍ତ ସ୍ଥାନରେ ଥିବା ବାର୍‌ଟି ସହସା ଅନିବାର୍ଯ୍ୟ ଯନ୍ତାଟିଏ ବନିଯିବା କଥାଟି ଆଶଙ୍କାରେ ପରିଣତ ହେଲା ନାହିଁ ମୋ ମନରେ । ଯଦିଓ ଝରକା–କବାଟ ବନ୍ଦ କରି ଦିଆଯାଏ ଏବଂ ଆମ ଡାକ କେହି ଶୁଣିପାରନ୍ତେ ନାହିଁ; ତଥାପି କୌଣସି ମତେ ଏଠାରୁ ଖସି ଯାଇ ହେବ ବୋଲି ଧାରଣା ସୃଷ୍ଟି ହେଲା । କହିଲି—‘‘କୌଣସି ଉପାୟରେ ଖସିଯିବା ଏବଂ ଏଇ ବାର୍‌କୁ ଉପହାସ କରିବା ।’’

 

—‘‘କିନ୍ତୁ କିପରି ?’’ ସେ ଚାଲେଞ୍ଜ କଲା । ‘‘ଖସିଯିବୁ କିପରି ?’’

 

ସେ ବାସ୍ତବିକ ଗମ୍ଭୀର ହୋଇ ଯାଇଥିଲା । ଆଲୋଚନାଟିକୁ ସେଇଠି ରଖିବା ଉଦ୍ଦେଶ୍ୟରେ କହିଲି—‘‘ଯଦି ମୁକ୍ତି ପାଇବା ଅସମ୍ଭବ ହୁଏ, ତେବେ ଆମେ ମରିଯିବା ନିଶ୍ଚିତ । ଦେଖାଯାଉଥିବା ସହର ଏଥିପ୍ରତି ସଚେତନ ନ ହୋଇ ବ୍ୟସ୍ତ ରହିଥିବ ଦୈନନ୍ଦିନତାରେ । ପରିସ୍ଥିତିଟା ବେଶ୍ କରୁଣ ଜଣାପଡ଼ୁଛି ।’’ –‘‘ସିଓର !’’ ପ୍ରକାଶ ଏକମତ ହେଲା । ଶୂନ୍ୟ ଗ୍ଲାସ୍‌କୁ ଆଉ ଥରେ ପୂରଣ କରୁଥିବା ବେଳେ କହିଲା—‘‘ଆମେ ନିଶ୍ଚୟ ମରିଯା’ନ୍ତେ । ମନେ କରାଯାଉ, ଛ’ ସାତ ମାସ ପରେ କେହି ଜଣେ ଏ ଘରକୁ ଖୋଲନ୍ତା । କ’ଣ ଦେଖନ୍ତା ସେ ?’’

 

–‘‘ଦୁଇଟି ମୃତ ଦେହ !’’ ତତ୍‌କ୍ଷଣାତ୍ ଉତ୍ତର ଦେଲି ।

 

–‘‘ଗୋଟିଏ ଶବ ବନ୍ଦ ଘର ଭିତରେ ପଚି ଯିବାପାଇଁ କେତେସମୟ ଦରକାର କରେ-?’’ ସିଗାରେଟ୍‌ରେ ଅଗ୍ନି ସଂଯୋଗ କରୁ କରୁ ସେ ପଚାରିଲା ।

 

ପାଞ୍ଚବର୍ଷ ପରେ ପ୍ରକାଶ ସହିତ ଏଇ ମୋର ପ୍ରଥମ ସାକ୍ଷାତ୍ । ଅନେକ ଉତ୍ସାହ ଓ ଆବେଗର ସହିତ ଆମେ ଦୁହେଁ ଏଠାକୁ ଆସିଥିଲୁ ରାତ୍ରି ଭୋଜନ ପାଇଁ; ଅଥଚ ଆମେ ଏପର୍ଯ୍ୟନ୍ତ ଶବର ପଚିବା ତାରିଖ ହିସାବ କରୁଥିଲୁ । ଅନ୍ୟ କିଛି ଆଲୋଚନା କରାଯାଇପାରେ । ମାତ୍ର ସେତେବେଳେ ପ୍ରକାଶର ଆଖି ତନ୍ଦ୍ରାଚ୍ଛନ୍ନ ଦେଖାଯାଉଥିଲା । ବାରମ୍ୱାର ରୁମାଲରେ ସେ ପୋଛୁଥିଲା ଝାଳୁଆ ମୁହଁ । ମୁଁ କିଛି ନ କହିବାରୁ ସେ ହସିଲା । କହିଲା—‘‘ଜାଣେ ମୋର ଏଭଳି କଥା ତୋତେ ଭଲ ଲାଗୁ ନାହିଁ । ମାତ୍ର କାହିଁକି ମୁଁ ଏସବୁ ପଚାରୁଛି, ତା’ର କାରଣ ପରେ କହିବି ମୋ ଫ୍ଲାଟ୍‌ରେ । ବର୍ତ୍ତମାନ କିନ୍ତୁ କହ, ବନ୍ଦ ଘର ଭିତରେ ମଣିଷର ଶବ ଚଞ୍ଚଳ ପଚିଯିବ କି ନା ।’’

 

–‘‘ନିଶ୍ଚୟ ।’’ ଉତ୍ତର ଦେବାକୁ ବାଧ୍ୟ ହେଲି ।

 

—‘‘ଆମେ ପଚିଯିବା ସଙ୍ଗେ ସଙ୍ଗେ ଅଗଣିତ କ୍ଷୁଦ୍ର ଜୀବମାନଙ୍କର ଜନନୀ ହୋଇଯିବା; ଯେଉଁମାନେ ଦିନା କେତେ ବଞ୍ଚି ରହିବେ ଆମ ଦୁର୍ଗନ୍ଧମୟ ମାଂସ ଉପରେ ଭରସା କରି । କିଛି ଦିନ ପରେ ଆମ ଦୁହିଁଙ୍କର କଙ୍କାଳ ହିଁ ପଡ଼ିରହିବ । ଶୁଖିଲା ହାଡ଼କୁ ନେଇ କେହି କେବେ ବଞ୍ଚି ପାରୁ ନ ଥିବାରୁ ଆମେ ଦୁହେଁ ଶେଷରେ ନିଷ୍ପ୍ରୟୋଜନ, ସୁସଜ୍ଜିତ ଦୁଇଟି ଛାଞ୍ଚରେ ପରିଣତ ହୋଇଯିବା । ନା, କ’ଣ କହୁଛୁ ?’’ ପ୍ରକାଶର ସ୍ୱର ନୂଆ ଜଣା ପଡ଼ିଲା । ଗୋଟିଏ ବେପରୁଆ, ଦାୟିତ୍ୱହୀନ ସ୍ୱର । ଜୀବନ ଓ ମୃତ୍ୟୁ ସଂପୂର୍ଣ୍ଣ ଭୟହୀନ ହୋଇ ଯିବାର ଭଙ୍ଗୀ ସ୍ପଷ୍ଟ ହୋଇ ଉଠୁଥିଲା ତା ସ୍ୱରରେ ।

 

ଦୁଇଟି ଲାର୍ଜ ପରେ ମୁଁ ଅବଶ ଅନୁଭବ କରୁଥିଲି । ମୋ ଗ୍ଲାସରେ ସେ ଆଉ କିଛି ଅଜାଡ଼ିବା ବେଳେ ମୁଁ ପ୍ରତିବାଦ କଲାରୁ ସେ ହସି ଓ ମୋତେ ବେଖାତିର କରି କହିଲା–‘‘ଶୁଣ୍, ଏମିତି ବୋକାଙ୍କ ଭଳି ହ’ନା । ମନେରଖ, ଏଭଳି ସମୟ ଆସି ପହଞ୍ଚିବ; ଯେତେବେଳେ ମୁକ୍ତ ଆକାଶ, ବ୍ୟାପକ ପୃଥିବୀ ଗୋଟାଏ ରୁଦ୍ଧ ପ୍ରକୋଷ୍ଠରେ ପରିଣତ ହୋଇଯିବ । ତୋ ଚିତ୍କାର ଶୁଭିବନାହିଁ କାହାରିକୁ । ତା’ ପୂର୍ବରୁ ଏତେ ସତର୍କତା ଖୁବ୍ କ୍ଲାନ୍ତିଦାୟକ ଓ ବିରକ୍ତିକର । ଆଉ ଟିକେ ପି’ । ତୋତେ ଚମତ୍କାର କାହାଣୀ ଶୁଣେଇବାକୁ ଯାଉଛି ।’’ ମୋ ଗ୍ଲାସ୍‌ଟି ପୂର୍ଣ୍ଣ ହୋଇଗଲା ।

 

ମାତ୍ର ପ୍ରକାଶ ଆଚରଣରେ କିଛି ବିଭ୍ରାନ୍ତିକର ଏବଂ ଖାପ୍‌ଛଡ଼ା, ଅଥଚ କିଛି ଭୀତିପ୍ରଦ ରହିଥିବା ସମ୍ପର୍କରେ ମୋର ଆଉ ସନ୍ଦେହ ନ ଥିଲା ।

 

—‘‘ଆମେ ଆମ ମୂଳ ଆଲୋଚନାକୁ ଫେରି ଆସିବା ।’’ କହି ଚାଲିଲା ପ୍ରକାଶ । ‘‘ତୁ ସାହିତ୍ୟର ଛାତ୍ର । ଯଦି କିଛି ଅବାସ୍ତବ ଲକ୍ଷ୍ୟ କରୁ, ମୋତେ କହିବୁ ।’’

 

ଅଳ୍ପ ସମୟର ନୀରବତା ପରେ ସେ ପଚାରିଲା—‘‘କିଭଳି ଅବସ୍ଥାରେ ଆମ ମୁର୍ଦ୍ଦାର ଏଠାରେ ପଡ଼ି ରହିଥିବାର ଦେଖାଯିବ ? ମାନେ, ମୃତ୍ୟୁ ପୂର୍ବରୁ ଆମେ ପରସ୍ପରକୁ କିଭଳି ବ୍ୟବହାର ଦେଖାଇ ଥିବାର ଅନୁମାନ କରିବ ଆମ ମୁର୍ଦ୍ଦାର ଆବିଷ୍କାର କରିଥିବା ଲୋକଟି ? କହିଲୁ, ଦେଖି ?’’

 

ତା’କଥାରେ ମୁଁ ଆଦୌ ଆଗ୍ରହୀ ନ ଥିଲି, ତେଣୁ ଘଟଣାର ସମ୍ଭାବ୍ୟ ଦିଗ ସଂପର୍କରେ କିଛି ଭାବିବାକୁ ଚାହୁଁ ନ ଥିଲି । ଅପାତତଃ ତାକୁ ନିରୁତ୍ସାହିତ କରିବା ପାଇଁ କହିଲି—‘‘କେଜାଣି ? ତା ଜାଣିବା ସମ୍ଭବ କିପରି ? ମଣିଷ ଅଗଣିତ ଭଙ୍ଗୀ ପ୍ରଦର୍ଶନ କରି ମରିପାରେ ।’’

 

–‘‘ମୁଁ ମନା କରୁନି ।’’ ସେ କହିଲା । ‘‘କିନ୍ତୁ ଆମେ ଯଦି ଏଇ ରୁଦ୍ଧ ବାର୍ ଭିତରେ ମରନ୍ତୁ, ତେବେ ଯେ କୌଣସି ଭଙ୍ଗୀରେ ମରିବା ବୋଲି କହିବା ଠିକ୍ ହେବନାହିଁ । ଆମେ ମରିବା ଗୋଟିଏ ମାତ୍ର ଭଙ୍ଗୀରେ । ଏକମାତ୍ର, ଅନିବାର୍ଯ୍ୟ ଅବସ୍ଥାରେ । ସେଇଟି କ’ଣ, ତାହା ପରେ କହିବି-। ବର୍ତ୍ତମାନ କଥାଟା ମୂଳରୁ ଆରମ୍ଭ କରିବା ଭଲ ହେବ ।’’

 

ପ୍ରକାଶ ଓ ମୁଁ ଆବିଷ୍କାର କଲୁ ଯେ, ବାର୍‌ର କବାଟ ବାହାରୁ ବନ୍ଦ ଅଛି । ଖିଆପିଆ ପରେ ଆମେ ଏଠାରୁ ପଳେଇ ଯାଇଥାନ୍ତୁ । ମାତ୍ର ବାହାରକୁ ଯିବା ପାଇଁ ଠିକ୍ କଲା ପରେ ଦେଖିଲୁ କ’ଣ ନା, କବାଟ ଆଉ ଖୋଲୁ ନାହିଁ । ବାର୍‌ ଭିତରେ ଆମେ ମାତ୍ର ଦୁଇଜଣ ।

 

ପରସ୍ପରକୁ ଚାହିଁ ଆମେ ହସିଲୁ ଟିକିଏ । ମାଲିକକୁ ଗାଳିଦେଲୁ ଏ ପ୍ରକାର ଅସୌଜନ୍ୟ ପାଇଁ; କିନ୍ତୁ ଆଉ ଉପାୟ କ’ଣ ? ଅପେକ୍ଷା କରିବାକୁ ହେବ । ତାଲା ଭିତରେ ଚାବିକାଠି ଘୂରିବାର ଶବ୍ଦ ପୃଥିବୀର ସର୍ବଶ୍ରେଷ୍ଠ ଶବ୍ଦ ବୋଲି ସ୍ୱୀକାର କଲୁ ସେତେବେଳେ । କବାଟ ଖୋଲିବାର ଦୃଶ୍ୟ ଭଳି ଆଉ କେଉଁ ଦୃଶ୍ୟ ଆଶ୍ୱାସନାମୟ ଓ ମୁକ୍ତିଦାୟକ ବୋଲି ଆମେ ଭାବି ପାରୁ ନ ଥିଲୁ । ଅଗତ୍ୟା ଆମେ ଦୁହେଁ ଦୁଇଟି ଚେୟାରରେ ବସିଲୁ । ହାଇ ମାରିଲୁ । ଘଡ଼ି ଦେଖିଲୁ, ଚାହିଁଲୁ ବନ୍ଦ କବାଟ ଆଡ଼େ ।

 

କିଛି ସମୟ ପରେ ପ୍ରକାଶ ଗଲା କବାଟ ପାଖକୁ । ବାଡ଼େଇଲା । କୌଣସି ହଲଚଲ ନାହିଁ । କବାଟ ତା’ର କରାଘାତର ଶବ୍ଦ କେବଳ ବିଦ୍ରୂପମୟ ପ୍ରତିଧ୍ୱନି ସୃଷ୍ଟି କଲା ନିଛାଟିଆ ବାର୍ ଭିତରେ ।

 

ଗୋଟାଏ ଅଦ୍ଭୂତପୂର୍ବ ପରିସ୍ଥିତି । କୁଆଡ଼େ ଗଲା ଦାୟିତ୍ୱହୀନ ବଦ୍‌ମାସଟା ? —ଆମେ ଦୁହେଁ କହିଲୁ ମନକୁ ମନ । ପାଟିକରି ଏଇ ବନ୍ଦ ଘର ଭିତରେ ଆମର ସ୍ଥିତି ଜଣେଇବା ପାଇଁ ଆମେ ଦୁହେଁ ଗଲୁ ଝରକା ପାଖକୁ । ମାତ୍ର କୌଣସି ଝରକା ଖୋଲିଲା ନାହିଁ ସମସ୍ତ ଚେଷ୍ଟା ସତ୍ତ୍ୱେ-। ମାନେ, ଘରର ଝରକା-କବାଟ କଂକ୍ରିଟ୍ କାନ୍ଥର ଦୃଢ଼ତା ଓ ଅବିଚଳିତ ଭାବ ନେଇ ଠିଆହୋଇ ରହିଛନ୍ତି ।

 

କହିଲି—‘‘ଚିତ୍କାର କରିବା । ଆଉ କୌଣସି ଉପାୟ ନାହିଁ । ପୁଣି କେତେବେଳେ କବାଟ ଖୋଲିବ, କେଜାଣି ? ଜମା ଭଲ ଲାଗୁନାହିଁ । ପଳେଇବା ବାହାରକୁ ।’’

 

ସେ ପର୍ଯ୍ୟନ୍ତ ଆଶାବାଦୀ ହୋଇ ଝରକାଗୁଡ଼ିକୁ ପରୀକ୍ଷା କରୁଥିବା ପ୍ରକାଶ କହିଲା ମୋ ଆଡ଼େ ନ ଚାହିଁ–‘‘ଏଠାରୁ ବାହାରିବାକ୍ଷଣି ବାର୍‌ବାଲାକୁ ଥଣ୍ଡା କରିବା ମୋର ପ୍ରଥମ କାମ ହେବ । ବାଷ୍ଟାର୍ଡ଼ଟା ଗଲା କୁଆଡ଼େ ?’’

 

ଝରକା ପାଖରୁ ଫେରିଆସିଲା ସେ । ଦୁହେଁ ସ୍ତବ୍‌ଧ ହୋଇ ଠିଆ ହେଲୁ । ଚାରିଆଡ଼କୁ ଚାହିଁଲୁ ସମ୍ଭାବନା ଆଶାରେ । କ୍ରୋଧ ଓ ଅସ୍ଥିରତାରେ ଆମେ ଦୁହେଁ ହିଂସ୍ର ହୋଇଯାଉଥିଲୁ । ଅଣନିଃଶ୍ୱାସୀ ହୋଇଯାଉଥିଲୁ ଆସ୍ତେ ଆସ୍ତେ । ଏକଦା ସଂଭ୍ରାନ୍ତ ଓ ରୁଚିପୂର୍ଣ୍ଣ ଦେଖାଯାଉଥିବା ଏ ବାର୍ ଜଣାଗଲା ଘୃଣ୍ୟ । ଯଦି ନରକ ବୋଲି ସ୍ଥାନଟିଏ କେଉଁଠି ଥାଏ, ତେବେ ତାହା ଏଇଭଳି ହୋଇଥିବ । ଆମେ ଦୁହେଁ କ’ଣ ଦୁଇଟି ଅଭିଶପ୍ତ ଜୀବନ ?

 

ମୋ ହାତ ଟାଣି ପ୍ରକାଶ କହିଲା–‘‘ଆ ଏଠାକୁ । ଶିଷ୍ଟାଚାର ପରିହାର କରିବାର ସମୟ ଆସିଯାଇଛି ।’’ କବାଟ ପାଖକୁ ମୋତେ ଟାଣିନେଲା । ନିଜେ ଗୋଟିଏ ଚେୟାର ଧରି ନିର୍ଦ୍ଦେଶ ଦେଲା–‘‘ତୁ ଧର ସେଇ ଚେୟାରଟା । କବାଟ ଉପରେ ନିର୍ଦ୍ଧୁମ୍ ଆଘାତ କର । ଭାଙ୍ଗିଦେବା ଏଇଟାକୁ ।’’

 

କବାଟର ରଙ୍ଗ ଟଳିପଡ଼ିଲା ସ୍ଥାନେ ସ୍ଥାନେ । ପନ୍ଦର କୋଡ଼ିଏଟି ଚେୟାର ଭାଙ୍ଗିଗଲା ସିନା; କବାଟ କିନ୍ତୁ ଅଟଳ ହୋଇ ରହିଲା । ଝାଳ ପୋଛି, ଚେୟାରମାନଙ୍କର ସ୍ତୁପୀକୃତ ଧ୍ୱଂସାବଶେଷ ଆଡ଼େ ଆମେ ଚାହିଁଲୁ । ମଣିଷର ଅପାରଗ ଚେଷ୍ଟା ଓ ବୁଦ୍ଧିର ଗଦାଏ ପରାଜୟ ଭଳି ସେଗୁଡ଼ିକ ପଡ଼ିରହିଥିଲେ । ସମସ୍ୟାଟି କିନ୍ତୁ ରହିଥିଲା ଆଗଭଳି, ଅସମାହିତ ହୋଇ ।

 

ଆମେ ଦୁହେଁ ଚିତ୍କାର କରିଉଠିଲୁ ଏକ ସଙ୍ଗେ । କେହି ଜଣେ କବାଟ ଖୋଲି ଦିଅ । ଦୀର୍ଘ ସମୟ ଧରି ଆମେ ଭିତରେ ଅଛୁ । ମରି ଯାଇ ପାରୁ । ତୁହାକୁ ତୁହା ଆମେ ଚିତ୍କାର କଲୁ । ଅବଶ ହୋଇଗଲୁ ସଂପୂର୍ଣ୍ଣ ଭାବରେ । ଦୁହିଁଙ୍କ ଆଖିରୁ ଝରିଆସିଲା ଲୁହ । ବ୍ୟାକୁଳ, କାକୁସ୍ଥ, ଶଙ୍କାଗ୍ରସ୍ତ, ଅସହାୟ ମନର ଲୁହ ।

 

ଅଥଚ ସହରର କାର୍ଯ୍ୟବ୍ୟସ୍ତତା ଅବ୍ୟାହତ ରହିଥିବା ସମ୍ପର୍କରେ ଆମେ ନିଃସନ୍ଦେହ ଥିଲୁ । କୋଳାହଳ, ମଟରଗାଡ଼ି ଶବ୍ଦ ତୁରନ୍ତ ଜଣାଗଲେ ମଧ୍ୟ ଅସ୍ପଷ୍ଟ ଶୁଭୁଚି ଏଠାରୁ । ଅପର୍ଯ୍ୟାପ୍ତ ସୂର୍ଯ୍ୟକିରଣ ଓ ପବନ; ଏମିତିକି ଆମ ପରିଚିତ ସହର, ନର୍ଦ୍ଦମା, ଫୁଟ୍‌ପାଥ୍‌ର ଯକ୍ଷ୍ମାରୋଗୀ; ସମଗ୍ର ଧରଣୀ ବର୍ତ୍ତମାନ ଭଳି ଏତେ ଲୋଭନୀୟ ଓ ଚମତ୍କାର ଜଣାଯାଇ ନ ଥିଲା । ଜୀବନକୁ ଆମେ ୟା ପୂର୍ବରୁ କେବେ ଏତେ ଭଲ ପାଇ ନ ଥିଲୁ । ଏହାକୁ ପ୍ରତିରକ୍ଷା କରିବା ସକାଶେ ଏଭଳି ସଚେତନ ହୋଇ ନ ଥିଲୁ ।

 

–‘‘କ’ଣ କରିବା ?’’ ଶୁଖିଲା ତଣ୍ଟିରୁ କୌଣସିମତେ ଛାଟିପିଟି ହୋଇ ବାହାରିପଡ଼ିଥିବା ମୋ ସ୍ୱର ମୋ ପାଇଁ ଅପରିଚିତ ହୋଇଯାଇ ଥିଲା ।

 

–‘‘କ’ଣ କରିବା ?’’ ପ୍ରକାଶ ପଚାରିଲା ।

 

ଖୁବ୍ ଚଞ୍ଚଳ ଯଦି କବାଟ ନ ଖୋଲେ, ତେବେ ଆମେ ଦୁହେଁ ନିଶ୍ଚଳ ହୋଇଯିବୁ ସବୁ ଦିନ ପାଇଁ । ବସ୍ତୁତଃ ଆମର ଦୁକ୍ ଦୁକ୍ ଛାତି ଖୁବ୍ ଜୋରରେ ରୁନ୍ଧି ହୋଇ ପଡ଼ୁଥିଲା । ଥକି ଯାଉଥିଲା ଏବଂ ବିଶ୍ରାମ ଦେବାକୁ ଅଥୟ ହୋଇପଡ଼ୁଥିଲା । ମୁଁ କେମିତି ଦେଖାଯାଉଥିଲି, କେଜାଣି-? ପ୍ରକାଶ ଦିଶୁଥିଲା ଭୟାନକ । ଅବିନ୍ୟସ୍ତ କେଶ, ଟାକୁଆ, ଦାଢ଼ି ସମ୍ୱଳିତ ଗାଲ । ଲାଲ ଆଖି ।

 

କିନ୍ତୁ, କାହିଁ ? ଏ ପର୍ଯ୍ୟନ୍ତ କୌଣସି ଅଲୌକିକ ଘଟଣା ଘଟିଲା ନାହିଁ । ଦୈବଶକ୍ତି ବଳରେ ମନକୁମନ ଖୋଲିଗଲା ନାହିଁ କବାଟ । ଶୂନ୍ୟରୁ ଚକ୍ରଟିଏ ଆସି ନାଶ କଲା ନାହିଁ କବାଟ ଭଳି ଦିଶୁଥିବା ଏକ ମାରାତ୍ମକ କୁମ୍ଭୀରକୁ । ଘରର ପେଟକୁ ବିଦୀର୍ଣ୍ଣ କରି ଆମକୁ ଉଦ୍ଧାର କରିବା ସଙ୍ଗେ ସଙ୍ଗେ ନିଜର ମହିମା ପ୍ରତିଷ୍ଠା କରିବାକୁ ଭଗବାନ ତତ୍ପର ନ ହେବାର କାରଣ କ’ଣ ହୋଇପାରେ ?

 

ଆମେ ନିଶ୍ଚିତ ହୋଇଗଲୁ, ଭଗବାନ ନିଜର ସମସ୍ତ ଅବତାର ପ୍ରତ୍ୟାହାର କରି ନେଇଛନ୍ତି ଏଇ ସୀମା ନିର୍ଦ୍ଧାରିତ ସଂସାରରୁ । ତେଣୁ ଅଭୂତ ପୂର୍ବ ଘଟଣା ଘଟିବାର କୌଣସି ଆଶା ନାହିଁ । ଆମେ ଦୁହେଁ ଯଦି ନିଜ ନିଜର ଯତ୍ନ ନେଇପାରୁ, ତେବେ ତ ଭଲ କଥା । ନହେଲେ, ସମସ୍ତ ଅନିଚ୍ଛା ଓ ପ୍ରତିବାଦ ସତ୍ତ୍ୱେ ଆମକୁ ଜୀବନ ହରେଇବାକୁ ପଡ଼ିବ । ମୁକ୍ତି ପାଇବା ପାଇଁ ତାହା ହିଁ ଏକମାତ୍ର ସର୍ତ୍ତ ।

 

–‘‘ରାସ୍କେଲ !’’ ମୁଁ ଚିତ୍କାର କରି ଉଠିଲି ।

 

–‘‘କିଏ ?’’ ପ୍ରକାଶ ପ୍ରାୟ ଚମକି ପଡ଼ି ପଚାରିଲା ।

 

–‘‘ତୁ ! ମର୍ଡ଼ରର୍ ।’’

 

–‘‘ଚୁପ୍ କର ! ବେଶି ବକ୍ ବକ୍ ହ’ନା ।’’ ସେ ଚେତାବନୀ ଦେଲା ।

 

–‘‘ନେଭର୍ ! ଆହୁରି ଜୋରରେ ଚିତ୍କାର କରି କହିବି ଯେ, ତୁ ହେଉଛୁ ଆତତାୟୀ ! ଏଠାକୁ ତୁ ମୋତେ ଆଣିଲୁ କାହିଁକି ?’’ ପ୍ରଚଣ୍ଡ ରାଗ ଯୋଗୁଁ ଥରୁଥିଲି ଗୋଟାପଣେ ।

 

–‘‘ଶୁଣ୍, ବୋକା କାହାଁକା ! ଏଇଥିପାଇଁ ତୁ ଜନ୍ମ ହୋଇଥିଲୁ; ମୁଁ ବି ଜନ୍ମ ହୋଇଥିଲି । ଏଇ ରୁଦ୍ଧ ପରିବେଶରେ ଭୋକ ଆଉ ଶୋଷରେ ମରିବା ପାଇଁ । ଜୀବନର ସମସ୍ତ ଯୋଜନା, ମୁକ୍ତିର ସମସ୍ତ ସ୍ୱପ୍ନ ଏଇଭଳି ବିପର୍ଯ୍ୟସ୍ତ ହୁଏ । ବୁଝିଲୁ ?’’ ପ୍ରକାଶ ଏଭଳି ଅଟ୍ଟହାସ୍ୟମୟ ଦେଖାଯାଇ ନ ଥିଲା ୟା ପୂର୍ବରୁ ।

 

ୟାପରେ ନୀରବ ହୋଇ ପରସ୍ପରକୁ ଚାହିଁଲୁ ହିଂସ୍ରତାର ସହିତ । ଗୋଟାଏ ପାଶବିକ ଚେତନା ବିଛେଇ ହୋଇଗଲା ମୋର ସମଗ୍ର ଶରୀରରେ–ପ୍ରକାଶର ତଣ୍ଟି କଣା କରି ତା’ରକ୍ତ ପିଇବି ଏବଂ ଫର୍ଦ୍ଦ ଫର୍ଦ୍ଦ କରି ତା’ ଦେହର ଅଙ୍ଗଗୁଡ଼ିକୁ ଫୋପାଡ଼ିବି ଏଣେତେଣେ ।

 

ଏଇ କଥା ଭାବିବା କ୍ଷଣି ମୋର ସମଗ୍ର ଶରୀର କଠିନ ହୋଇଗଲା । ମୁଁ ହାତ ମୁଠା କରି ସାମନାରେ ଠିଆ ହୋଇଥିବା ଲୋକକୁ ଧ୍ୱଂସ କରିବା ପାଇଁ ବ୍ୟଗ୍ର ହୋଇ ପଡ଼ିଲି । ଦେଖିଲି, ତା’ ହାତ ମଧ୍ୟ ମୁଠା ହୋଇ ଯାଇଛି । ଆମେ ଦୁହେଁ ଦୁହିଁଙ୍କୁ କଳନା କରୁଥିଲୁ । ଦୁହିଁଙ୍କର ମନୋଭାବ ପ୍ରକାଶ ପାଇ ଯାଇଥିଲା ଦୁଇଟି ହିଂସ୍ର,ବଣ୍ୟ ମୁହଁ ଉପରେ ।

 

ଏକ ସଙ୍ଗରେ ଆମ ପରସ୍ପରକୁ ଆକ୍ରମଣ କଲୁ । ମୁଁ ପାଟି ଆଁ କରି ହାତ ପକାଇଲି ପ୍ରତିଦ୍ୱନ୍ଦୀର ବେକ ଉପରେ । ଅନୁଭବ କଲି, ଗୋଟାଏ ଦୁର୍ଦ୍ଧର୍ଷ ହାତର ଚାପ ମୋ ବେକ ଉପରେ ସଙ୍କୁଚିତ ହେଉଛି ।

 

ପ୍ରକାଶ ଖୁବ୍ ଜୋରରେ ଗ୍ଲାସ୍‌ଟିକୁ ଟେବୁଲ ଉପରେ ରଖିବା ଫଳରେ ମୁଁ ସଚେତନ ହେଲି । ଆବିଷ୍କାର କଲି,ମୁଁ ମୋର ଗ୍ଳାସ୍‌କୁ ଧରିଛି ସମସ୍ତ ଶକ୍ତିର ସହିତ । ଅସ୍ପଷ୍ଟ ଚିତ୍କାର କରି ଛାଡ଼ି ଦେଲି ସେଇଟାକୁ ଏବଂ ଆଶ୍ୱସ୍ତ ହେଲି ଯେ, ତାହା ପ୍ରକାଶର ବେକ ନୁହେଁ ।

 

ଧଇଁ ସଇଁ ହେଉଥିବା ପ୍ରକାଶ ମୁହଁର ମାଂସପେଶୀ କଠିନ ଦିଶୁଥିଲା । ଗ୍ଲାସ ଛାଡ଼ି ଦେଇ ସେ ମୁହଁ ପୋଛିଲା ରୁମାଲରେ । ଖୁବ୍ ଜୋରରେ ଆଖି ବୁଜି ବସି ରହିଲା କିଛି ସମୟ ପାଇଁ । ତା’ପରେ ମୋ ଆଡ଼େ ଚାହିଁ ହସିବାକୁ ଚେଷ୍ଟା କରୁ କରୁ କହିଲା–‘‘କିଛି ମନେ କରିବୁ ନାହିଁ-। ଗ୍ଲାସଟା ହାତରେ ଥିବା ବେଳେ ଭାବୁଥିଲି ମୁଁ ହୁଏତ ସତକୁ ସତ ତୋ ବେକକୁ ଧରିଛି ।’’

 

ମୋର ପ୍ରତିବାଦ ଚିତ୍କାରରେ ପରିଣତ ହୋଇଗଲା–‘‘ଷ୍ଟପ୍ ଇଟ୍ ! ତୋ କାହାଣୀ ବନ୍ଦ କର । କି ହରିବଲ୍, କୁତ୍ସିତ, ଭୟଙ୍କର !’’

 

ମୁଁ ସେତେବେଳେ ଯାଏ ଗୋଟାଏ ରୁଦ୍ଧ ପରିବେଶ ଭିତରେ ଥିଲି ଏବଂ ନିଜକୁ ମୁକ୍ତ କରିବା ପାଇଁ ସମସ୍ତ କୌଶଳ ହରାଇ ଧରିଥିଲି ପ୍ରକାଶର ବେକକୁ, କେଜାଣି କେଉଁ ପାଶବିକ ପ୍ରବୃତ୍ତି ଯୋଗୁଁ । ଚାରିଆଡ଼କୁ ଚାହିଁ ଦେଖିଲି, ବାହାରେ ରାତିର ସହର ବିଛେଇ ହୋଇ ପଡ଼ିଛି ଆଗ ଭଳି । ବାର୍ ସରଗରମ । ଆଗ ଭଳି ଶୁଭୁଛି କୋମଳ ସଂଗୀତ । ହାଲ୍‌କା ଆଲୁଅ, ଅସ୍ପଷ୍ଟ ଟଂ ଟାଂ ଶବ୍ଦ । ମାତ୍ର ଉଦ୍ଭଟ ଜଣା ପଡ଼ୁଥିଲେ ମଧ୍ୟ ପ୍ରକାଶର କାହାଣୀ ବିସ୍ମୟକର ପ୍ରଭାବ ପକାଇ ସାରିଥିଲା ମୋ ଉପରେ । ଏଠାରୁ ପଳେଇ ଯିବା ପାଇଁ ମୁଁ ବ୍ୟଗ୍ର ହୋଇ ପଡ଼ିଲି ।

 

ସିଗାରେଟ୍ ଲଗାଇବା ପରେ ପ୍ରକାଶ କହିଲା–‘‘ବର୍ତ୍ତମାନ ମୁଁ ତୋତେ ମୂଳ ପ୍ରଶ୍ନ ପାଖକୁ ନେଇ ଯାଉଛି । କେଉଁ ପ୍ରକାର ଭଙ୍ଗୀରେ ଆମ ମୃତ ଦେହ ପଡ଼ି ରହିଥିବା ଦେଖାଯା’ନ୍ତା, ଯଦି କୌଣସି କାରଣରୁ ଆମେ ୟା ଭିତରେ ରହି ଯାଆନ୍ତେ । କହିଥିବା ଭଙ୍ଗୀଟି ଏକମାତ୍ର ଭଙ୍ଗୀ । ମୃତ୍ୟୁ ପୂର୍ବରୁ ଆମେ ଦୁହେଁ ପରସ୍ପରକୁ ସାଫ୍ କରିଦେବା ପାଇଁ ଉଦ୍ୟମ କରନ୍ତେ । ଜଣକର ହାତ ଅନ୍ୟର ତଣ୍ଟି ଉପରେ ରଖିଥିବାର ଦେଖାଯା’ନ୍ତା । ଦୁହିଁଙ୍କର ଉନ୍ମୁକ୍ତ ପାଟି । ଶେଷହୀନ, ଅଥଚ ଅସନ୍ତୁଷ୍ଟ ଭୋକ । ମାତ୍ର ଆମେ ଦୁହେଁ ଦୁହିଁକି ଏଇଭଳି ଆଚରଣ ଦେଖାନ୍ତେ ଠିକ୍ ମରିବା ପୂର୍ବରୁ, ତା’ର କାରଣ ନିରୂପଣ କରିବା ସହଜ ନୁହେଁ । ରହସ୍ୟମୟ, କରୁଣ ବିଡ଼ମ୍ୱନା ।’’ ସେ ଚୁପ୍ ହେଲା-

 

ବାର୍‌ରୁ ହୋଟେଲ । ମୋ ଜିନିଷ କାର୍‌ରେ ଲଦି ସାରିବା ପରେ, ପ୍ରକାଶର ଫ୍ଲାଟ୍ । ରାତି ବାରଟା ପାଖାପାଖି ସେତେବେଳେ ।

 

ସିଡ଼ି ବାଟେ ଉପରକୁ ଉଠୁଥିବା ବେଳେ ସେ ପଚାରିଲା—‘‘ଏ ସହର ଭିତରେ ମୂଷାର ସ୍ଥିତି ତୁ କଳ୍ପନା କରି ପାରୁଛୁ ?’’

 

—‘‘ମୂଷା !’’ ମୁଁ ସ୍ତମ୍ଭୀଭୂତ ହୋଇଗଲି ପ୍ରକାଶର ପ୍ରଶ୍ନ ଶୁଣି । ଲୋକଟା ପାଗଳ ହୋଇ ଯାଇଛି, ନା କ’ଣ ? ବାର୍‌ରେ ଏକ ଜଘନ୍ୟ କାହାଣୀ ପରେ ମୂଷା !

 

—‘‘ନା, କଳ୍ପନା କରିବା କଥା ଆଉ କହୁ ନାହିଁ । ସମୁଦାୟ କଥାଟା ତୋତେ ଦେଖାଇ ଦେବାକୁ ପଡ଼ିବ ।’’ ସେ କହିଲା, ତାଲା ଖୋଲିବା ବେଳେ ।

 

ଅନ୍ୟ ଏକ କୋଠରୀକୁ ଆସି କହିଲା—‘‘ଏଇଟା ବେଡ଼ରୁମ୍ । ଭିତରକୁ ଆସୁନୁ ? ହଁ, ହେଲା ଏଥର । ଘର ଭିତରେ କିଛି ଗନ୍ଧ ବାରି ପାରୁଛୁ ?’’

 

ଗୋଟାଏ ପଚା ଗନ୍ଧ । ଗୋଟାଏ ପଚା ଗନ୍ଧକୁ ଧୂପ କାଠିର ବାସ୍ନା ଲୁଚେଇ ପାରୁନି ।’’

 

—‘‘ଏ ରୁମ୍‌ରେ ମାଂସ ପଚିଥିଲା ।’’ ସେ କହିଲା ଅବିଚଳିତ ଢଙ୍ଗରେ ।

 

—‘‘ହ୍ୱାଟ୍ !’’ ମୋର ଦେହ ଶୀତେଇ ଉଠିଲା ଭୟ ଓ ଘୃଣାରେ ।

 

—‘‘ଏଇ ଦେଖ ।’’ ଖଟ ଉପରେ ଥୁଆ ହୋଇଥିବା ବିଛଣା ଚଦର ଟୁକୁରା ଟୁକୁରା ହୋଇ ଯାଇଥିଲା । ଡନ୍‌ଲପ୍ ଗଦି ଓ ତକିଆ ଅପାତତଃ ଛିନ୍ନ ଭିନ୍ନ ।

 

ଆମେ ଦୁହେଁ ଚାହିଁଲୁ ପରସ୍ପରକୁ । ସେ ଏଥର ରୁମ୍‌ର କବାଟ ବନ୍ଦ କଲା ଏବଂ କବାଟର ନିମ୍ନ ଭାଗ ଆଡ଼େ ଆଙ୍ଗୁଳି ବଢାଇ କହିଲା–‘‘ଦେଖ୍ ।’’

 

ଦେଖିଲି, କବାଟର ତଳ ଧାରଟିର ସରଳ ରୈଖିକ ଆକାର ଆଉ ନାହିଁ । ଦୁଇପଟ କବାଟ ଯେଉଁ ଧାରରେ ମିଳିତ ହୁଅନ୍ତି, ଚଟାଣରୁ ଚାରିପାଞ୍ଚ ଇଞ୍ଚ ଉପରକୁ ଧାର ଦୁଇ କଡ଼ରେ ସେଇ ଦୃଶ୍ୟ । ରଙ୍ଗ ଉଠି ଯାଇଛି । କିଞ୍ଚିତ ଗହୀରିଆ ଆଞ୍ଚୁଡ଼ା ଦାଗ ରହିଛି ।

 

ପ୍ରଶ୍ନବାଚୀ ଆଖିରେ ମୁଁ ପ୍ରକାଶ ମୁହଁକୁ ଅନେଇଲି । ସେ ଇଷତ୍ ହସି କହିଲା–‘‘ଆ, ମୋ ସାଙ୍ଗରେ ।’’ ଫ୍ଲାଟ୍ ପଛ ପଟେ ଥିବା ଛୋଟ ବାଲ୍‌କୋନି ପାଖରେ ଆମେ ଠିଆ ହେଲୁ

 

ବାଲ୍‌କୋନିରେ ଥୁଆ ହୋଇଥିଲା ଗୋଟାଏ ଢାବଲ । ତା’ ଉପରେ ଦୁଇଟି ମୂଷାର ଶୁଖିଲା କଙ୍କାଳ । ଦୁହେଁ ପରସ୍ପରକୁ ଆଲିଙ୍ଗନ କରି ପଡ଼ି ରହିଛନ୍ତି ମହାନିଦ୍ରାରେ । ଏ ପର୍ଯ୍ୟନ୍ତ ସେମାନଙ୍କର ସବୁ ହାଡ଼ ଆବୃତ୍ତି ହୋଇଛି ଶୁଖିଲା, ନାଲି ରଙ୍ଗରେ । ମୁଣ୍ଡ ଉପରର ଲୋମ ଏ ପର୍ଯ୍ୟନ୍ତ ରହିଛି ଛୋଟ ଛୋଟ ପ୍ୟାଚ୍ ହୋଇ । ଦୁହିଁଙ୍କର ପାଟି ଉନ୍ମୁକ୍ତ ।

 

ସେଠାରେ ବେଶୀ ସମୟ ଠିଆ ହେବା ସମ୍ଭବ ନ ଥିଲା ମୋ ପକ୍ଷେ । ଫେରି ଆସି ବେଡ଼୍‌ରୁମ୍ ଭିତରକୁ ପଶି ଯାଉଥିଲି; କିନ୍ତୁ ମୋ ପାଇଁ ସ୍ପଷ୍ଟ ହୋଇ ଉଠୁଥିବା ପଚା ମାଂସର ଗନ୍ଧ ମୋତେ ଯେମିତି ତିରସ୍କାର କରୁଥିଲା ସେଠାରେ ।

 

ଅନ୍ୟ ରୁମରେ ଥିବା ସୋଫା ଉପରେ ବସି ମୁଁ ଦୁଇ ପାପୁଲିରେ ମୁହଁ ଢାଙ୍କିଲି । ପ୍ରକାଶ କହୁଥିଲା–‘‘କୋଡ଼ିଏ ଦିନ ପରେ ବିଦେଶରୁ ଫେରି ବେଡ଼୍ ରୁମ୍‌କୁ ଦେଖିଲି ଏଇ ଅବସ୍ଥାରେ । ମୂଷା ଦୁଇଟିଙ୍କର କଙ୍କାଳ ଠିକ୍ ଏଇ ଭଳି ଭାବରେ ଚଟାଣ ମଝିରେ ପଡ଼ିଥିଲା ।’’

 

ୟା ପୂର୍ବରୁ କୌଣସି ଘର ନିର୍ମମ ଯନ୍ତା ଭଳି ଶତ୍ରୁଭାବାପନ୍ନ ବୋଧ ହୋଇ ନ ଥିଲା । ମନେ ହେଉଥିଲା, ମୁଁ ଦୃଢ଼ତାର ସହିତ ମଣିଷ ବେକକୁ ଜାବୁଡ଼ି ଧରୁଛି । ବାରମ୍ୱାର ଛାଇ ନିଦ ଭାଙ୍ଗୁଥିଲା । ଅନ୍ୟ ରୁମ୍‌ରେ ଶୋଇଥିଲେ ମଧ୍ୟ ଗୋଟାଏ ପଚା ଗନ୍ଧ ମୋତେ ଅଭିଭୂତ କରି ଦେଉଛି ବୋଲି ଭାବୁଥିଲି ।

 

ରାତି ପାହିଲେ କେଉଁ ଆଳ ଦେଖାଇ ଏ ଘର ଛାଡ଼ି ଅନ୍ୟ କେଉଁଠିକି ଯିବି ତାହା ହିଁ ଚିନ୍ତା କରୁଥିଲି ।

Image

 

ଗେଣ୍ଡା

 

ବିଜୟର ଆଶଙ୍କା ଆଦୌ ଭୁଲ୍‍ ପ୍ରମାଣିତ ହେଲାନି । ଟୁ–ଆର୍ ଫ୍ଲାଟ୍ ବାରଣ୍ଡା ଉପରେ ସଂଗୀତା ଠିଆ ହୋଇଚି । ଠିଆ ହୋଇଚି ଆକର୍ଷଣୀୟ ଶାଢ଼ି ପିନ୍ଧି; ମୁହଁରେ ସ୍ନୋ ପାଉଡ଼ର, ଆଖିରେ କଜଳ ଲଗାଇ ।

 

ହସିବାକୁ ଚେଷ୍ଟା କରୁ କରୁ ବିଜୟ ଅପ୍ରତିଭ ହୋଇପଡ଼ିଲା ଏବଂ ସବୁଦିନ ଭଳି ଏକ ମାରାତ୍ମକ ପ୍ରତିବାଦରେ ତା’ ଦେହ ଗରମ ହୋଇଗଲା । ସାଇକେଲରୁ ଓହ୍ଲାଇ ସେ ଚାହିଁଲା ସଂଗୀତା ମୁହଁକୁ; ଯେଉଁଠାରେ ଶେଷ ସୂର୍ଯ୍ୟର କୋମଳ, ଗୌରବମୟ ଆଲୁଅର ହାତ ପୃଥିବୀ ଓ ଆକାଶର ଗାଲକୁ ସ୍ପର୍ଶ କଲାଭଳି ବିଚ୍ଛୁରିତ ହେଉଥିଲା ଏକ ଗୋଲାପୀ ସ୍ମିତ ହସ ।

 

ଅଫିସ୍ ଫେରନ୍ତା ବିଜୟକୁ ସଂଗୀତା ସ୍ୱାଗତ ଜଣାଇଲା ଏଇ ଭଳି—‘‘ତୁମ ବୁଶ୍‌ ଶାର୍ଟର ଗୋଟିଏ ବୋତାମ ଛିଣ୍ଡି ଯାଇଚି ।’’

 

ଗୋଟିଏ ହାତରେ ବ୍ୟାଗ୍ ଧରି ଅନ୍ୟ ହାତରେ ସେ ନିର୍ଦ୍ଦିଷ୍ଟ ବଟନ୍ ହୋଲ ଉପରେ ହାତ ପକେଇଲା ଏବଂ ଅନିଚ୍ଛା ସତ୍ତ୍ୱେ ଆତ୍ମରକ୍ଷା କଲାଭଳି ଉତ୍ତର ଦେଲା—‘‘ବୋତାମଟା ଅଛି । ଲାଗି ନାଇଁ ।’’

 

ଏତକ କହିସାରି ସେ ନିଜକୁ ଗାଳି ଦେଲା ମନେ ମନେ । କାହିଁକି ସେ କହି ପାରିଲାନି–ସେଥିରେ ତୁମର ଯାଏ ଆସେ କ’ଣ ? ମାଇଣ୍ଡ୍ ୟୋର୍ ଓନ୍ ବିଜିନେସ୍ । ପୁଣି ଏକ ନୀରବ ଉତ୍ତେଜନାରେ ସେ କମ୍ପି ଉଠିଲା । ମାତ୍ର ସେ ଆଉ କିଛି କହିବା ପୂର୍ବରୁ ସଂଗୀତା ଭିତରକୁ ଚାଲିଗଲା ଏବଂ ସେ ହାତରେ ବ୍ୟାଗ୍‌ ଧରି କିଛିକ୍ଷଣ ପାଇଁ ଠିଆହୋଇ ରହିଲା ବାରଣ୍ଡା ଉପରେ ।

 

ସେ ଠିଆ ହେଲା, ଠିକ୍ ଯେଉଁ ସ୍ଥାନରେ ସଂଗୀତା ଠିଆ ହୋଇଥିଲା କିଛି କ୍ଷଣ ପୂର୍ବରୁ-। ଚାହିଁଲା ଚାରି ଆଡ଼କୁ ଏବଂ ଜାଣିବାକୁ ଚେଷ୍ଟା କଲା, ଏଇ ଅଞ୍ଚଳରେ ଥିବା ସେଇ ଆକର୍ଷଣୀୟ ଜିନିଷଟିକୁ; ଯାହା ଗୋଟାଏ ସମ୍ମୋହନ ମନ୍ତ୍ର ଭଳି ସବୁଦିନ ଅପରାହ୍ନରେ ଠିଆ କରେଇଦିଏ ସଂଗୀତାକୁ ଏଇ ବାରଣ୍ଡା ଉପରେ ।

 

ଚିଠି ସଟିଙ୍ଗ୍ କରାଯାଉଥିବା ପୋଷ୍ଟ୍ ଅଫିସ୍‌ର କାଠ ଖୋପଭଳି ଚାରିଆଡ଼େ କେବଳ ତିନିମହଲା ଫ୍ଲାଟ୍ ଗୁଡ଼ିଏ । ସୁଖ-ଦୁଃଖର କାହାଣୀ ପରିପୂର୍ଣ୍ଣ ଚିଠିଭଳି ପୃଥକ ସଂସାର ଗଢ଼ିଥିବା ମଣିଷମାନଙ୍କର ସୀମିତ ବାସସ୍ଥାନ । ସେ ରହୁଥିବା ଫ୍ଲାଟ୍‌ର ଦୁଇପାର୍ଶ୍ୱ ଓ ସାମନାରେ ଏଇଭଳି ଖୋପମୟ ଘର । ମଝିରେ ଧୂଳି ଜର୍ଜରିତ କଚ୍ଚା ରାସ୍ତା ।

 

ଉପରକୁ ଚାହିଁଲେ ଦିଶେ ଖଣ୍ଡିତ ଆକାଶ । ତିନି ମହଲା ଫ୍ଲାଟ୍ ଛାତ ସତେ ଯେମିତି କଂକ୍ରିଟ୍ ଧାରରେ କାଟି ପକେଇଚି ଆକାଶକୁ । ପାଖରେ କେଉଁଠି ହେଲେ ସବୁଜ, ରଙ୍ଗୀନ୍ ଗଛଟିଏ ବି ଦେଖିବାକୁ ମିଳେନା । ସମୁଦାୟ ପରିବେଶ ଇଟା, ସିମେଣ୍ଟର କଠିନତାରେ ପ୍ରାଣହୀନ ଓ ରୁକ୍ଷ । ଏଠାରେ ଏମିତି କ’ଣ ଅଛି ଯେ, ସବୁଦିନ ଆକର୍ଷଣୀୟ ବେଶ-ପୋଷାକ ସହିତ ସଂଗୀତା ବାରଣ୍ଡାରେ ଠିଆହୁଏ ଏବଂ ଏକ ଅନନ୍ୟ ପ୍ରସନ୍ନତାରେ ପୁଲକିତ ହେବାଭଳି ଜଣାପଡ଼େ-? ବିଜୟ ଏ ପ୍ରଶ୍ନର ଉତ୍ତର ଏଯାଏଁ ପାଇ ପାରିନି ।

 

ଏକଥା ଆଜି ପଚାରିଲେ କ୍ଷତି କ’ଣ ?—ବିଜୟ ମନକୁ ମନ କହିଲା । ସେ ପଚାରିବା ଉଚିତ—ସବୁଦିନ ଅପରାହ୍ନରେ ନିଜକୁ ସଜେଇ ସଂଗୀତା କାହିଁକି ବାରଣ୍ଡା ଉପରେ ଠିଆହୁଏ ? କ’ଣ ତା’ର ଉଦ୍ଦେଶ୍ୟ ? ତା’ ସହିତ ଆହୁରି ସେ ପଚାରିବ—ଅଫିସ୍ ଯିବା ପରେ ଫ୍ଲାଟ୍ ଭିତରେ ସେ କ’ଣ କରେ ? ତା’ ଅନୁପସ୍ଥିତିରେ କେହି ଏଠାକୁ ଆସନ୍ତି କି ? କିମ୍ୱା ସଂଗୀତା ଅନ୍ୟ କେଉଁଆଡ଼େ, ଅନ୍ୟ କାହାଘରକୁ ଯାଏ କି ?

 

ଏସବୁ ପଚାରିବ ବୋଲି ଭାବିବାକ୍ଷଣି ବିଜୟର ତଣ୍ଟି ସହସା ଶୁଖିଗଲା ଏବଂ ତା’ର ହୃତ୍‌ସ୍ପନ୍ଦନ ଆହୁରି ବଢ଼ିଗଲା । ଯାହାହେଉ ପଛେ, ପରିସ୍ଥିତିଟା ବାସ୍ତବିକ କ’ଣ, ତାହା ସେ ଜାଣିବା ଉଚିତ । ସନ୍ଦେହ ଭିତରେ ଏମିତି ଜଡ଼ସଡ଼ ହେବା ଆଉ ସମ୍ଭବ ନୁହେଁ ।

 

ଚାରି, ପାଞ୍ଚଦିନ ଆଗେ, ଦିନ ଦୁଇଟାବେଳେ ସେ ଅଫିସ୍‌ରୁ ଫେରି ଆସିଥିଲା ଘରକୁ । ଘରେ ଅବଶ୍ୟ କୌଣସି କାମ ନଥିଲା ତା’ର । ସେ ଫେରି ଆସିଥିଲା ସଂଗୀତା ଫ୍ଲାଟରେ ଅଛି, ନା ଆଉ କେଉଁଆଡ଼େ ଯାଇଚି, ଜାଣିବା ପାଇଁ । ସେ ଦେଖି ଆଶ୍ୱସ୍ତ ହୋଇଥିଲା ଯେ, ସଂଗୀତା ଶୋଇଚି । ତା’ଘରେ ଅନ୍ୟ ମଣିଷର ଆଡ଼୍‌ଡ଼ା ଜମି ନାଇଁ କିମ୍ୱା ସଂଗୀତା ଅନ୍ୟ କେଉଁଆଡ଼େ ଯାଇନି ।

 

ଅଥଚ, ଏ ଘଟଣା ପରେ ବି ସେ ସବୁବେଳେ ଅସ୍ଥିର ହୁଏ ଯେ, ତା’ ଅନ୍ତରାଳରେ ବିଶ୍ୱାସ ଓ ଭରସାକୁ ବିପନ୍ନ କଲା ଭଳି ତା’ର ପତ୍ନୀ ନିଜ ମନ ମୁତାବକ ଜଘନ୍ୟ ପାପ କାମ କରି ଚାଲିଚି । ଏଇଥିପାଇଁ ଅଫିସ ଗଲାବେଳେ ଘର ଦୁଆରେ ତାଲାଟିଏ ପକେଇ ଯିବାକଥା ସେ ଚିନ୍ତା କରିଥିଲା; ମାତ୍ର କାର୍ଯ୍ୟରେ ତାହାକୁ ପରିଣତ କରିପାରିଲା ନି...ସାହସ ଅଭାବରୁ । କ’ଣ ତେବେ କରିବ ସେ ?

 

ତା’ର ଭାବନା ବିପର୍ଯ୍ୟସ୍ତ ହେଲା ସଂଗୀତା କଥାରେ—‘‘ସେତେବେଳୁ ହାତରେ ବ୍ୟାଗ୍‌ଧରି ଏମିତି ଠିଆ ହୋଇଚ କାହିଁକି ? ଜଳଖିଆ ଖାଇବ ନି ?’’

 

ବିଜୟ ଚା ପିଉଥିବାବେଳେ, ତା’ର ପେଣ୍ଟ୍-କମିଜ୍ ସଜାଡ଼ି ରଖୁଥିବା ସଂଗୀତାକୁ ଚାହିଁଲା । ଭାବିଲା, ପଚାରିବ ଏଇକ୍ଷଣି ସେଇ କଥା । ହଠାତ୍ ପୁଣି ତା’ର କାନମୁଣ୍ଡା ଗରମ ହୋଇଗଲା ଏବଂ ଧଡ଼୍‌ଧଡ଼୍ ହେଲା ଛାତି । ଏମିତି ତା’ର କାହିଁକି ହୁଏ କେଜାଣି ? କିଛି ଗୋଟାଏ ଗୁରୁତ୍ୱପୂର୍ଣ୍ଣ କଥା କହିବା ବେଳେ ସେ ଏଇଭଳି ଅନୁଭବ କରିଆସିଚି ସବୁବେଳେ । ଅତିରଂଜିତ ଉତ୍ତେଜନାରେ ତା’ର କଣ୍ଠ ବାଷ୍ପାକୁଳ ହୋଇଯାଏ ।

 

ବୈବାହିକ ଜୀବନରେ ପ୍ରଥମ ଥର ପାଇଁ ବିଜୟ ନିଜ ସାହସିକତାର ପରିଚୟ ଦେଲା–‘‘ଆମ ଅଫିସ୍‌ରେ କାମ କରୁଥିବା କେତେଜଣ ସାଙ୍ଗ ଏଠାକୁ ଆସିଥିଲେ କି ?’’

 

—‘‘କେଉଁଦିନ ? ସଂଗୀତା ପଚାରିଲା ସମସ୍ତ ଜିଜ୍ଞାସାର ସହିତ ।

 

—‘‘ଏଇ ଅଳ୍ପଦିନ ତଳେ ।’’ ବିଜୟ ମିଛ କଥାଟିକୁ ଆଗରୁ ପ୍ରସ୍ତୁତ କରି ରଖିଥିଲା ।

 

—‘‘ନା’ତ !’’ ସଂଗୀତାର କୁଞ୍ଚିତ ଭ୍ରୂ ଓ ଗମ୍ଭୀର ମୁହଁ ତାକୁ ଆହୁରି ସୁନ୍ଦର କରି ଦେଇଥିଲା ।

 

ବିଜୟ ଆଉ କିଛି କହିଲା ନାଇଁ । ହାଙ୍ଗର୍‌ରେ କମିଜ୍‌ଟି ଝୁଲେଇ ଦେଇ ସଂଗୀତା ପଚାରିଲା—‘‘କାଇଁ ? କେହି ତ ଆସି ନାହାନ୍ତି ।’’

 

ସାମାନ୍ୟ ଇତସ୍ତତଃ ପରେ ସ୍ୱାଭାବିକ ହେବାକୁ ଚେଷ୍ଟାକରି ବିଜୟ କହିଲା–‘‘ସେମାନେ ଆସିଥିଲେ ବୋଲି କହୁଥିଲେ । ସେତେବେଳେ କୁଆଡ଼େ ଏ ଘରେ ତାଲା ପଡ଼ିଥିଲା ।’’

 

କହିସାରି ସେ ଭାବିଥିଲା, ତାର ଏଇ କଥା ଶୁଣି ସଂଗୀତା ଖୁବ୍ ରାଗି ଯିବ ଏବଂ ବ୍ୟଥିତ ହୋଇ ଚିତ୍କାର କରି କହିବ ଯେ, କଥାଟା ସତ ନୁହେଁ । ତା’ ହସହସ ମୁହଁରେ ଯନ୍ତ୍ରଣାର ଗାରଗୁଡ଼ିକୁ ଉପଭୋଗ କରିବ ବିଜୟ । ମାତ୍ର ତାକୁ ହତାଶକରି ସଂଗୀତା ଖିଲିଖିଲି ହୋଇ ହସି ଉଠିଲା ଏବଂ କହିଲା—‘‘ତାଲା ପଡ଼ିଥିଲା ? ଏଇ ଘରେ ? ତୁମ ସାଙ୍ଗମାନେ ଅନ୍ୟ କେଉଁ ଘର ଦେଖିଥିବେ ।’’ କହିସାରି ସେ ବାହାରିଗଲା ସେ କୋଠରୀରୁ ।

 

ବ୍ଳଡ଼ି ବିଚ୍ ! ବିଜୟ ହାତ ମୁଠା କରି କ୍ରୋଧ ଓ ବିରକ୍ତିରେ ଆର୍ତ୍ତନାଦ କରି ଉଠିଲା–ମିଛ କହୁଚି, ଦିନ ଦଶଟାରୁ ସଂଧ୍ୟା ପର୍ଯ୍ୟନ୍ତ ଏ ଘରେ ମୋର ଅନୁପସ୍ଥିତି ଭିତରେ କେହି କ’ଣ ଏଠାକୁ ଆସନ୍ତି ନାଇଁ ? ସଂଗୀତା କ’ଣ କେଉଁଆଡ଼େ ହେଲେ ଯାଏ ନାଇଁ ?

 

ୟା ସତ୍ତ୍ୱେ ଗାମୁଛାରେ ମୁହଁ ପୋଛି ହୋଇ ସେ କିଛିଟା ଆଶ୍ୱସ୍ତ ହେଲା । ହୁଏତ ସଂଗୀତା ଠିକ୍ କହିଥିବ । ତା’ ପ୍ରତି ତା’ର ସନ୍ଦେହ ଅବାନ୍ତର ହୋଇପାରେ ।

 

ଅଥଚ ଏମିତି ଭାବରେ ପୀଡ଼ିତ ହେବା ଏବଂ ନିଜ ସ୍ତ୍ରୀ ସଂପର୍କରେ ସବୁବେଳେ ଅନିଶ୍ଚିତ ହେବା ଦ୍ୱାରା ସେ କ୍ରମେ ନିଃସଙ୍ଗ ଓ ଅସହାୟ ହୋଇ ପଡ଼ୁଚି । ତା ସହିତ ସଂଗୀତାର ମୁହଁଟି ଏମିତି ଯେ, ସେଠାରେ ଗମ୍ଭୀରତା କିମ୍ୱା ଚିନ୍ତାଶୀଳତାର ଚିହ୍ନ ବର୍ଣ୍ଣ ମଧ୍ୟ ଲାଗେ ନାହିଁ । ଶୋଇଥିବା ଅବସ୍ଥାରେ ହେଉ ବା ସ୍ୱେଟର୍ ବୁଣୁଥିବା ଅବସ୍ଥାରେ ହେଉ–ତା’ ମୁହଁରେ ସବୁବେଳେ ଏକ ପରିପୂର୍ଣ୍ଣତା ଓ ସୁଖର ଆଭା ବିଚ୍ଛୁରିତ ହେଉଥାଏ । ତାକୁ ଦେଖି ଯେ କେହି ଜାଣିପାରିବ ଯେ, ସାଂସାରିକ ଜୀବନ କିମ୍ୱା ପୃଥିବୀ ବିରୁଦ୍ଧରେ ତା’ର କୌଣସି ଅଭିଯୋଗ ନାଇଁ । ଏଠାରେ ମନ କଷ୍ଟ କରିବା କିମ୍ୱା ଲୁହ ଝରେଇବା ଭଳି କୌଣସି କାରଣ ନାଇଁ । ଏମିତି କି ଟୁ–ଆର୍ ଫ୍ଲାଟ୍‌କୁ ଉଆସ ବୋଲି ମନେ କରାଯାଇପାରେ । ବାସନ ମାଜିବା ଓ ମସଲା ବାଟିବା କାମ ଭିତରେ ଏମିତି ବା କ’ଣ ଅଛି ଯେ ସେ ଗରଗର ହୁଅନ୍ତା ଏବଂ ସ୍ୱାମୀର ନିପାରିଲା ଅବସ୍ଥା ଆଡ଼େ ଆଙ୍ଗୁଳି ଦେଖାଇ ତାକୁ ପରିହାସ କରନ୍ତା ? ଅଳ୍ପ ବେତନ ଭୋଗ କରୁଥିବା, ଅବାଗିଆ ଦିଶୁଥିବା ସ୍ୱାମୀକୁ ନେଇ କାହିଁକି ଗର୍ବ କରାଯାଇ ନ ପାରେ ?

 

ବିଜୟ ପାଇଁ ଏଇଠି ରହିଛି ସବୁଠୁ ବଡ଼ ଅସୁବିଧାଟି । ସଂଗୀତା ଭଳି ଗୋଟାଏ ଖୁବ୍ ସୁନ୍ଦରୀ ସ୍ତ୍ରୀ, ତା ଭଳି ଆପାତତଃ ଅକ୍ଷମ ମଣିଷର ହାତ ଧରି ଏମିତି ସହନଶୀଳତା ଓ ସବୁ କଥାକୁ ଉଦାରତାର ସହିତ ଗ୍ରହଣ କରି ନେବାର ମନୋଭାବ ନେଇ ଚଳି ଯାଉଚି କିପରି ? ସମସ୍ତ କଥାଟି ରହସ୍ୟମୟ ଜଣାପଡ଼େ ଏବଂ ସେ ଏକ ଅହେତୁକ ଅବିଶ୍ୱାସରେ ଛଟପଟ ହୁଏ । ଭାବେ, ତାର ବ୍ୟକ୍ତିତ୍ୱ ବାହାରେ ହୁଏତ ଆଉ ଏକ ଅଜ୍ଞାତ ବ୍ୟକ୍ତିତ୍ୱ ରହିଚି, ତା’ର ଏଇ ଛୋଟ କ୍ୱାଟର୍ସ ବାହାରେ ଅନ୍ୟ ଘର ରହିଚି, ଯାହା କି ସଂଗୀତାକୁ ଦେଉଚି ପ୍ରଲମ୍ୱିତ ସୁଖ ଓ ସ୍ମିତ ହସର ପ୍ରତିଶ୍ରୁତି । ସେଇ ବ୍ୟକ୍ତିତ୍ୱ ଓ ଘରର ଠିକଣା କ’ଣ ହୋଇପାରେ ?

 

ସଂଗୀତା ପାଖରୁ କଥା ଆଦାୟ କରିବା ଜମା ସହଜ ହେଉନି । ପରନ୍ତୁ ଏ ବାବଦରେ କିଛି ପଚାରିବାବେଳେ ଏକ ସାଂଘାତିକ ନ୍ୟୁନବୋଧରେ ସେ ଅସହାୟ ହୋଇ ପଡ଼ୁଚି । କ’ଣ ତେବେ କରାଯାଇପାରେ ?

 

ଈର୍ଷା, ନା ମିନ୍‌ନେସ୍ ? କେହି ଜଣେ ତା ଭିତରେ ତାକୁ ପଚାରିଲା ଏବଂ ସେ ଚାରିଆଡ଼କୁ ଚାହିଁଲା ପ୍ରଶ୍ନକର୍ତ୍ତାକୁ ଦେଖିବା ପାଇଁ । କେହି ନାହାନ୍ତି ଶୋଇବା ଘରେ । ସେ ନିର୍ବାକ ହୋଇ ବସିଚି ଅଳସ ଭାବରେ ଘୂରୁଥିବା ଶିଲିଂ ଫ୍ୟାନ୍ ତଳେ । ଅନ୍ୟ କୋଠରୀରେ ସଂଗୀତା ଘର ଓଳଉ ଥିବାର ଶବ୍ଦ ସେ ଶୁଣି ପାରୁଚି ।

 

ଭାବିଲା, ବାହାରୁ ଟିକିଏ ବୁଲାବୁଲି କରି ଫେରିବ । ଘରେ ସେ ଅଣନିଶ୍ୱାସୀ ହୋଇ ପଡ଼ୁଚି ଏବଂ ତାର ସମଗ୍ର ଶରୀର କାହିଁକି କେଜାଣି କଣ୍ଟକିତ ହେଲା ଭଳି ଜଣା ପଡ଼ୁଚି । ସେ ଗଲା ର‍୍ୟାକ୍ ପାଖକୁ । ପେଣ୍ଟ-କମିଜ୍ ଧରିଲା; କିନ୍ତୁ ପରେ ସେ ବସି ପଡ଼ିଲା ଖଟ ଉପରେ ନିରୂପାୟ ମଣିଷଟିଏ ହୋଇ । ଦୁଇ ପାପୁଲିରେ ମୁହଁ ଘଷି ଠିକ୍ କଲା, ବୁଲିବା ପାଇଁ ଯିବ ନାଇଁ ।

 

ସେ କେବେବି ବୁଲିବା ପାଇଁ ଯାଏନା । ସବୁବେଳେ ବସିଥାଏ ଘରେ, ଅଫିସ୍ ସମୟ ବ୍ୟତୀତ । ସତେ ଯେପରି ସେ ଜଗିରହିଥାଏ ସଂଗୀତାକୁ, କାଳେ ତା’ ଅନୁପସ୍ଥିତିର ସୁଯୋଗ ନେଇ ସେ କେଉଁଆଡ଼େ ଚାଲିଯିବ କିମ୍ୱା ଅନ୍ୟ କେହି ଏଠାକୁ ଆସିଯିବେ । ଅଥଚ ଏସବୁ ସତ୍ତ୍ୱେ, ସଂଗୀତା କେବେବି ତାକୁ ପଚାରିନି, କାହିଁକି ସେ ଚୁପ୍‌ଚାପ୍ ଘରଟା ଭିତରେ ବସିରହେ । ଏମିତିକି କେଉଁଦିନ ସିନେମା, ଥିଏଟର ଦେଖିଯିବା ପାଇଁ ସେ ପ୍ରସ୍ତାବ ବାଢ଼ିନି ।

 

ଖୁବ୍ ଚାଲାକ୍ ! ବିଜୟ କହିଲା ମନକୁ ମନ ଏବଂ ସଂକଳ୍ପବଦ୍ଧ ହେଲା ଯେ, ସେ ସଂଗୀତାର ସୁବିଧା ପାଇଁ ଆଦୌ କେଉଁଆଡ଼େ ଯିବନି । ନେଭର !

 

ଏଇ ହେଉଚି ମାତ୍ର ଦୁଇମାସର ବୈବାହିକ ଜୀବନ । ବିଜୟ ନିମ୍ନ ସ୍ୱରରେ କହି ଉଠିଲା—ହେ ଭଗବାନ୍ ! ମୁଁ ବାହା ହେଲି କାହିଁକି ?

 

ଗୋଟାଏ ନିର୍ଜଞ୍ଜାଳ ଜୀବନ କଟେଇବା ଭିତରେ ଅସୁବିଧା ବା କ’ଣ ଥିଲା ? ଟୁ-ଆର୍ ଫ୍ଲାଟ୍‌ରେ ରହୁଥିଲା ଏବଂ କବାଟରେ ତାଲାପକେଇ ଯାଉଥିଲା ଅଫିସ୍‌କୁ ଏବଂ ଅତୁଳନୀୟ ଏକ ଅପରିଚ୍ଛନ୍ନ ହୋଟେଲକୁ । କାହା ସାଙ୍ଗରେ ତା’ର ସେମିତି କିଛି ଅନ୍ତରଙ୍ଗତା ନ ଥିଲା ଏବଂ ସେଇଥି ପାଇଁ ତାକୁ କେହି ଡିଷ୍ଟର୍ବ କରୁ ନ ଥିଲେ । କାହା ସହିତ ଦେଖା ହେଲେ ସେ କୌଣସିମତେ ସେଠାରୁ ଖସିଯିବା ପାଇଁ ତତ୍ପର ହୋଇପଡ଼େ; ଅନ୍ୟମାନଙ୍କ ଉପସ୍ଥିତିରେ ସେ କାହିଁକି କେଜାଣି ନିଜକୁ ଅପଦସ୍ତ ହେବାଭଳି ମନେ କରେ । ମାତ୍ର କୌଣସି ଲୋକ କେବେବି ତା’ର ତ୍ରସ୍ତ ଆଚରଣ କିମ୍ୱା ବ୍ୟାକୁଳ ପଳାୟନ କିମ୍ୱା ଅସୁନ୍ଦର ମୁହଁ ଉପରେ କିଛିହେଲେ ମନ୍ତବ୍ୟ ବାଢ଼ିଥିବା ତା’ର ମନେ ନାହିଁ । ଏ ସବୁକୁ ଆବୋରି ନେଇ ସେ ବେଶ୍ ସଙ୍କୁଚିତ ଜୀବନଯାପନ କରି ଚାଲିଥିଲା ଏବଂ ତା’ ଭିତରୁ ନିଜ ରୁଚି ମୁତାବକ ସୁଖ ପାଉଥିଲା । ଜୀବନର ଏଭଳି ଏକ ସ୍ୱଚ୍ଛନ୍ଦ ପରିପାଟୀ ବିପର୍ଯ୍ୟସ୍ତ ହେଲା ଏଇ ଦୁଇମାସ ତଳେ ।

 

ପ୍ରକୃତରେ ଦେଖିବାକୁ ଗଲେ, ବିଜୟର ସଙ୍ଗୀତା ପ୍ରତି ଅବିଶ୍ୱାସ ଆରମ୍ଭ ହୋଇଥିଲା ଏ ଫ୍ଲାଟ୍‌ରେ ଏକତ୍ର ରହିବାର ଦିନକ ପରେ । କପ୍‌ରୁ ପ୍ଲେଟ୍‌କୁ ଢାଳି ବିଜୟ ଚା’ ପିଉଥିଲା ଏବଂ ପିଇବାବେଳେ ବିରକ୍ତିକର ଶବ୍ଦ ସୃଷ୍ଟି କରୁଥିଲା ଗୋଟାଏ ଘୁଙ୍ଗୁଡ଼ି ଭଳି । ସଙ୍ଗୀତା ଏତେ ଜୋର୍‌ରେ ହସି ଉଠିଥିଲା ଯେ, ବିଚରା ବିଜୟ ନିର୍ଘାତ ନିର୍ବୋଧ ଭଳି ଦେଖାଗଲା ଏବଂ ହସିବାର କାରଣଟିକୁ ଆବିଷ୍କାର କରିବା ପାଇଁ ଚାରିଆଡ଼କୁ ଏବଂ ପରେ ନିଜକୁ ଦେଖି ନେଲା । ତା’ର ଏ ଅବସ୍ଥା ଆହୁରି ହସାଇଲା ସଂଗୀତାକୁ । କୌଣସିମତେ ହସ ସମ୍ୱରଣ କରି କହିଲା—‘‘ସେମିତି କ’ଣ କେହି ଚା’ ପିଏ ? ଚା’ ପିଇବା ବେଳେ କୌଣସି ଶବ୍ଦ ନ ହେବା ଉଚିତ ।’’

 

ତା ପରଦିନ ତା’ର ମୁଣ୍ଡ କୁଣ୍ଡେଇବା ଭଙ୍ଗୀ ଉପରେ ସଙ୍ଗୀତା ଯେତେବେଳେ ମନ୍ତବ୍ୟ ବାଢ଼ିଲା, ବିଜୟ କେବଳ ଯେ ଆହତ ହେଲା ତା’ ନୁହେଁ; ତା ମନରେ ସୃଷ୍ଟି ହେଲା ବିପ୍ଳବ ଓ ପ୍ରତିବାଦ । ତା ସ୍ତ୍ରୀ ଯେ ତା’ଠୁ ଯଥେଷ୍ଟ ବେଶୀ ଆଧୁନିକା ଏବଂ ତା’ର ଅନେକ ଢଙ୍ଗ ଯେ ତା’ ଆଖିରେ ପରିହାସ ଯୋଗ୍ୟ, ଏଇ ସତ୍ୟଟି ସଙ୍ଗୀତା ପ୍ରତି ତା’ର ମନୋଭାବ ଉପରେ ଯନ୍ତ୍ରଣାଦଗ୍‌ଧ କ୍ଷତ ସୃଷ୍ଟି କଲା । ଏଇ କ୍ଷତଟି ବ୍ୟାପିଗଲା ସବୁଆଡ଼େ ଏବଂ ସେ ଅନୁଭବକଲା ତା’ର ହୃଦୟ ଓ ମନରୁ ଅହରହ ଯନ୍ତ୍ରଣାର ରକ୍ତ ଥପଥପ ହୋଇ ପଡ଼ୁଚି ।

 

ସଙ୍ଗୀତାକୁ ସେ କିଛି କହିପାରିଲା ନି; କାରଣ ସଙ୍ଗୀତାର ପ୍ରସ୍ତାବଗୁଡ଼ିକ ଯୁକ୍ତିସଙ୍ଗତ ଓ ପରିମାର୍ଜିତ ଥିଲା । ଏମିତିକି, ପାଞ୍ଚ-ଛ’ଥର ମରାମତ ହୋଇ ଥିବା ତା’ର ଅପରିଷ୍କାର ପଲିଥିନ୍ ଯୋତାହଳକ ସେ ତୁରନ୍ତ ପରିହାର କରି ଭଲ ଯୋତା ହଳେ କିଣିବା ସଂକ୍ରାନ୍ତରେ ସଙ୍ଗୀତାର ପରାମର୍ଶକୁ ମାନି ନେଇଥିଲା ଅପ୍ରକାଶ୍ୟ କ୍ରୋଧରେ ।

 

ତା’ର ଅଭ୍ୟସ୍ତ ଜୀବନ ଭିତରକୁ ଏଇଭଳି ଭାବରେ ସଙ୍ଗୀତା ଅନୁପ୍ରବେଶ କରିବା ଆରମ୍ଭ କରିଦେଲା । ସେ ଏସବୁକୁ ବରଦାସ୍ତ କରିବା ଭିତରେ କ୍ରମେ ଅସହାୟ ଓ ଛୋଟ ହୋଇ ଯାଉଥିଲା । ତା’ର କମିଜ ପିନ୍ଧା, ପାଟି ଧୋଇ ହେବା ଇତ୍ୟାଦି ସମସ୍ତ କାମ ତ୍ରୁଟିଯୁକ୍ତ ବୋଲି ସଙ୍ଗୀତାଠୁ ଶୁଣିବା ପରେ, ସେ ଜଣେ ଅମାର୍ଜିତ ଅପଦାର୍ଥ ବୋଲି ଭାବି ନିଜେ ନିଜ ଭିତରେ ଛଟପଟ ହେବାକୁ ଲାଗିଲା । ଭାବିଲା, ତା’ ଭଳି ଗୋଟାଏ ମଣିଷ ସଙ୍ଗୀତାର ସ୍ୱାମୀ ହେବାଟା ବୋଧହୁଏ ସବୁଠାରୁ ଅବାସ୍ତବ ଘଟଣା । ତା’ ସ୍ତ୍ରୀ ତା’ଠାରୁ ବିଶାଳ ହୋଇ ପଡ଼ୁଥିଲା ସବୁଦିଗରୁ । ସେ ନିଜକୁ ଅପରାଧୀ ବୋଲି ମନେ କରିବା ସଙ୍ଗେ ସଙ୍ଗେ ନିଶ୍ଚିତ ହୋଇଗଲା ଯେ, ସଙ୍ଗୀତା ତାକୁ କେବେଠାରୁ ପ୍ରତ୍ୟାଖ୍ୟାନ କରିସାରିଚି ଏବଂ ସେ ତାକୁ ଜମା ଅଟକେଇ ରଖିପାରୁନି ।

 

ଏହାର ସର୍ବଶ୍ରେଷ୍ଠ ପ୍ରମାଣ ହେଉଚି–ପ୍ରତିଦିନ ସଙ୍ଗୀତାର ବାରଣ୍ଡାରେ ଠିଆହେବା ଘଟଣା । କ’ଣ ମତଲବ ହୋଇପାରେ ? ନିଜକୁ ସଜେଇ ଏମିତି ଦେଖେଇ ହେବାର ଉଦ୍ଦେଶ୍ୟ କ’ଣ ? ଦିନ ପରେ ଦିନ ସେ ଦେଖି ଆସୁଚି ଏଇ ଦୃଶ୍ୟଟିକୁ; ଅଥଚ ମନର ପ୍ରତିବାଦ ଆଦୌ ପ୍ରକାଶ କରି ନ ପାରି ଖାଲି ଭିତରେ ସଢ଼ୁଚି । ତା’ ସହିତ ତା’ ତ୍ରୁଟିକୁ ସେ ଚିହ୍ନେଇ ଦେଇ ପାରୁଚି ବିନା ସଙ୍କୋଚରେ । ଆଜି ଯେମିତି ସେ କହି ଦେଇ ପାରିଲା ଯେ କମିଜ୍‌ରେ ବୋତାମ ଲାଗିନାଇଁ-। ଏ ସବୁର ପରିସମାପ୍ତି ଦରକାର । ଗୋଟାଏ ମୁକାବିଲା । ସେ ସଙ୍ଗୀତାର ଏମିତି ଏକ ଅପରାଧ ଜାଣିବାକୁ ଚାହେଁ, ଯାହାଦ୍ୱାରା ତା’ର ସମସ୍ତ ଅହଙ୍କାରକୁ ସେ ବିଧ୍ୱସ୍ତ କରିଦେଇ ପାରିବ ଏବଂ ନିଜର ସ୍ୱାମୀତ୍ୱ ଜାହିର୍ କରି ଦେଇପାରିବ । ସବୁବେଳେ ଗୋଟାଏ କ୍ଲାନ୍ତିକର ଓଜନ ବୋହିବା ଆଉ ଜମା ସମ୍ଭବ ହେଉନି । ସେ ମୁକ୍ତି ଓ ଆତ୍ମପ୍ରତିଷ୍ଠା ଚାହେଁ ।

 

ପରଦିନ ଅଫିସ୍ ଯିବାବେଳେ ସେ ଅଟକିଗଲା ତା’ଫ୍ଲାଟ୍‌ଠାରୁ ପ୍ରାୟ ପଚାଶ ମିଟର ଦୂରରେ ଥିବା ପାନ ଦୋକାନ ପାଖରେ । ବାବୁଲା ଦୋକାନରେ ଥିଲା ଏବଂ ଗରାଖମାନଙ୍କର ଚାହିଦା ମୁତାବକ ପାନ-ସିଗାରେଟ୍ ବିକ୍ରି କରୁଥିଲା । ତାକୁ ଆଶ୍ଚର୍ଯ୍ୟ କରି ବିଜୟ କିଣିଲା ଖଣ୍ଡିଏ ସିଗାରେଟ୍ । ଅପେକ୍ଷା କଲା କେତେବେଳେ ଦୋକାନଟା ଫାଙ୍କା ହେବ ।

 

ପ୍ରାୟ ଦଶମିନିଟ୍ ପରେ ଚାରିଆଡ଼କୁ ଚାହିଁ ବିଜୟ କହିଲା—‘‘ବାବୁଲା, ତୁମ ପାଖରେ ଟିକିଏ କାମ ଅଛି ।’’

 

—‘‘ମୋ ପାଖରେ ?’’ ବାବୁଲା ହୁଏତ ସେମିତି ଆଶ୍ଚର୍ଯ୍ୟ ଆଉ କେବେ ହୋଇ ନ ଥିଲା । ସାମ୍ପୁକରା, ଲମ୍ୱା ବାବୁରୀ ବାଳ ଉପରେ ଆସ୍ତେ ହାତ ବୁଲାଇ ଆଣି ସେ ଚାହିଁଲା ବିଜୟ ଆଡ଼େ ଏବଂ ଅପେକ୍ଷା କଲା ତା’ ପାଖରେ ଥିବା କାମଟି କ’ଣ ଜାଣିବାପାଇଁ ।

 

—‘‘ତଳକୁ ଆସ । ଏଇଠି କହିବି ।’’ ବିଜୟର ତଣ୍ଟି ଶୁଖି ଯାଉଥିଲା ଆସ୍ତେ ଆସ୍ତେ ଏବଂ ସେ ଘନଘନ ନିଶ୍ୱାସ ନେଉଥିଲା ।

 

ଚିତ୍ରିତ ଲୁଙ୍ଗି ଓ ପଞ୍ଜାବୀ ପିନ୍ଧା ବାବୁଲା ଓହ୍ଲାଇ ଆସିଲା ତଳକୁ । ଠିଆ ହେଲା ବିଜୟ ସାମନାରେ ଗୋଟାଏ ପ୍ରଶ୍ନବାଚକ ଚିହ୍ନ ଭଳି ।

 

—‘‘ତୁମେ ମୋ ଫ୍ଲାଟ୍ ଦେଖିଚ ?’’ ପଚାରିଲା ବିଜୟ ଖୁବ୍ ନିମ୍ନ ସ୍ୱରରେ, ସତେ ଯେମିତି ସେ ସ୍ୱର ତଣ୍ଟି ଏପଟକୁ ଆସିବା ପାଇଁ ଅନିଚ୍ଛୁକ ଥିଲା ।

 

—‘‘ଆପଣଙ୍କ ଫ୍ଲାଟ୍ ? ଦେଖିଚି ।’’ ଡାହାଣ ହାତରେ ଲଗାଯାଇଥିବା ଷ୍ଟେନ୍‌ଲେସ୍‌ଷ୍ଟିଲ୍ ବଳାଟିକୁ ଏପଟ ସେପଟ କରି ବାବୁଲା ଉତ୍ତର ଦେଲା ।

 

—‘‘ଦୋକାନରେ ତୁମେ ପ୍ରତିଦିନ କେତେବେଳ ଯାଏଁ ବସ ?’’ ବିଜୟର ପ୍ରଶ୍ନ ।

 

ବିଜୟର ତ୍ରସ୍ତ, ଉତ୍ତେଜିତ ମୁହଁ କିଛି ସମୟ ପାଇଁ ବିରକ୍ତ କଲା ବାବୁଲାକୁ । ରେଡ଼ିଓ ଶୁଣି, ହିନ୍ଦି ଫିଲ୍ମ ଗୀତ ଗାଇ ଦୋକାନରେ ସେ ବେଶ୍ ଆରାମରେ ଥିଲା । ତାକୁ ଜଣା ପଡ଼ୁଥିଲା, ତା’ ଅନିଚ୍ଛା ସତ୍ତ୍ୱେ ଗୋଟାଏ ଷଡ଼ଯନ୍ତ୍ରରେ ତାକୁ ସାମିଲ କରାଯାଉଚି ।

 

ବିଜୟ ମୁହଁରେ ଥିବା ପ୍ରରୋଚନାର ଚିହ୍ନଗୁଡାକ ଆଦୌ ଭଲ ଲାଗିଲା ନାଇଁ ବାବୁଲାକୁ-। କିଛି ସମୟ ପାଇଁ ସେ ବିଜୟର ଆପାଦମସ୍ତକ ଲକ୍ଷ୍ୟ କଲା ପରେ ତା’ ଭିତରକୁ ଆତ୍ମବିଶ୍ୱାସ ଓ ବେପରୁଆ ଢଙ୍ଗ ଫେରି ଆସିଲା । କହିଲା—‘‘ସନ୍ଧ୍ୟା ଛ’ଟା ପର୍ଯ୍ୟନ୍ତ । ତା’ ପରେ ଭାଇ ଆସେ ।’’

 

ବିଜୟ ଦ୍ୱିଧାଗ୍ରସ୍ତ ଥିବାବେଳେ ହିଁ ପଚାରିଲା—‘‘ମୁଁ ଅଫିସ୍ ଯିବା ପରେ କେହି ମୋ ଫ୍ଲାଟ୍‌କୁ କେବେ ଆସିବାର ତୁମେ ଦେଖିଚ ?’’

 

ବାବୁଲା କିଛି ବୁଝି ନ ପାରିବା ସୂଚନା ଦେଇ ମୁଣ୍ଡ ହଲେଇବା ମାତ୍ରେ ବିଜୟ ପୁଣି ପଚାରିଲା—‘‘ମୋ ସ୍ତ୍ରୀ ଘରୁ କେଉଁଆଡ଼େ ଯିବା ତୁମେ ଲକ୍ଷ୍ୟ କରିଚ କି ?’’

 

ଏତକ ପଚାରିବା କ୍ଷଣି ବିଜୟ ଅନୁଭବ କଲା ଗୋଟାଏ ଭୟାବହ ଭୂମିକମ୍ପ ଘଟିଯାଇଚି ତା’ ଦେହ ଭିତରେ । ସେ ଭୂମିକମ୍ପର ଲହଡ଼ି ମାଡ଼ି ଯାଉଚି ସବୁ ଦିଗକୁ । ଆକାଶ, ପୃଥିବୀ,ପାନ ଦୋକାନ, ବାବୁଲା—ସମସ୍ତେ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଯାଉଛନ୍ତି । ଅନେକ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ପ୍ରକୃତିସ୍ଥ ହୋଇପାରିଲାନି । ପରେ ସେ ଲକ୍ଷ୍ୟକଲା ଯେ, ଭ୍ରୂକୁଞ୍ଜନ, ପାଟି ଆଁ କରି ବାବୁଲା ଠିଆ ହୋଇଚି ।

 

ରୁମାଲରେ ମୁହଁ ପୋଛି ବିଜୟ ହସିବାକୁ ଚେଷ୍ଟା କଲା । ମାତ୍ର ତାର ଅଥୟ ଓଠ ଓ ମୁହଁ ର ମାଂସପେଶୀ ଉପରେ କୌଣସି ହସ ସ୍ଥିର ହୋଇ ଅଟକି ରହିଲା ନାଇଁ । ବହୁ କଷ୍ଟରେ ସେ ଅନୁନୟ ହେଲା—‘‘ଦେଖ, ବାବୁଲା ! ଏ କଥା ଆୁ କାହାରିକୁ କହିବ ନାଇଁ ।’’

 

ତା’ଠାରୁ ପ୍ରତିଶ୍ରୁତିଟିଏ ପାଇବା ପାଇଁ ସେ ଆଶାୟୀ ହେଲା । ମାତ୍ର ସବୁକଥା ରହସ୍ୟମୟ ଜଣା ପଡ଼ୁଥିବା ଭଳି ବାବୁଲା ପଚାରିଲା—‘‘କେଉଁ କଥା ?’’

 

ସେ ପୁଣି ଥରେ ମୁହଁ ପୋଛିବାବେଳେ ଏକ ଅଦ୍ଭୁତପୂର୍ବ ପୈଶାଚିକ ଭାବ ତା’ର ସମସ୍ତ ଇନ୍ଦ୍ରିୟ ଓ ଭାବନାକୁ ଗ୍ରାସ କରିଦେଲା । ଏଥର ଦୃଢ଼ତାର ସହିତ କହିଲା ସେ—‘‘ତୁମକୁ ବକ୍‌ସିସ୍ ଦେବି । ତୁମେ ଟିକିଏ ମୋ ଫ୍ଲାଟ୍ ଉପରେ ନଜର ପକାଉଥିବ । କେହି ଯଦି ସେଠାକୁ ଯା’ନ୍ତି କିମ୍ୱା ମୋ ସ୍ତ୍ରୀ ଯଦି କେଉଁଆଡ଼େ ଯାଏ, ମୋତେ କହିବ ।’’

 

ବାବୁଲା ନର୍ଭସ୍ ହୋଇଗଲା ଟିକିଏ । ଅନେକ ଦିନ ଧରି ଦେଖି ଆସୁଥିବା ବିଜୟର ସରଳ-ନିର୍ବୋଧ ମୁହଁ ଉପରେ ଏଭଳି ସଂକଳ୍ପବୋଧ ଓ କ୍ରୋଧ ସେ କଳ୍ପନା କରି ନ ଥିଲା ଆଗରୁ-। ସେ ସ୍ତବ୍‌ଧ ହୋଇ ଠିଆ ହୋଇ ରହିଥିଲା ଏବଂ ଲକ୍ଷ୍ୟ କରୁଥିଲା, ବିଜୟ ମୁହଁରୁ ବିଚ୍ଛୁରିତ ହେଉଥିବା ଏକ ନାହିଁ ନ ଥିବା ଶକ୍ତିକୁ ।

 

ସେ ଅନେକ ସମୟ ପର୍ଯ୍ୟନ୍ତ ଠିଆ ହୋଇଥିଲା ସେମିତି । ବିଜୟ କଥାର ତାତ୍ପର୍ଯ୍ୟ ବୁଝିବାକୁ ସେ ପ୍ରକୃତରେ ଢେର ସମୟ ନେଇଥିଲା । ଦୋକାନକୁ ଫେରିବାବେଳେ ଦେଖିଲା, ବିଜୟର ସାଇକେଲ୍ ଭାସିଯାଉଚି ରାସ୍ତାର ଗହଳି ଭିତରକୁ । ତା’ ହାତରେ ଖଣ୍ଡିଏ ପାଞ୍ଚଟଙ୍କିଆ ନୋଟ୍, ବିଜୟର କାମ କରିଦେବ ବୋଲି ଆଡଭାନ୍‌ସ ।

 

ସେ ଦିନ ଖାଲି ଅଫିସ୍ କିମ୍ୱା ସହକର୍ମୀ ନୁହେଁ, ସମଗ୍ର ବିଶ୍ୱରୁ ସେ ଛିଟିକି ପଡ଼ିଥିଲା ବାହାରକୁ । ଗୋଟାଏ ବିଶାଳ ବିପର୍ଯ୍ୟସ୍ତ ଓ ଭୟାନକ ବିଶୃଙ୍ଖଳା ସେ ଦେଖୁଥିଲା । ସବୁ ଯେମିତି ସଂହତି ଓ ସାବଲୀଳତାହୀନ । ସେ ଆଦୌ ନିଜକୁ ସଂପର୍କିତ କରିପାରୁ ନ ଥିଲା କାହା ସହିତ । ସେ ରୂପାନ୍ତରିତ ହୋଇ ଯାଇଥିଲା ଗୋଟାଏ ଅସହାୟ ଆର୍ତ୍ତନାଦରେ ଏବଂ ତା’ର ବ୍ୟାକୁଳ ସ୍ଥିତି ନିଜର ସ୍ଥାନ ଖୋଜି ଚାଲିଥିଲା ଆଶ୍ୱାଭାବିକ, କୋଳାହଳମୟ ଏ ସଂସାରରେ ।

 

ବିଜୟ ଦେଖିପାରୁ ନଥିଲା କିଛି । କୌଣସି ଜିନିଷର ସତ୍ତା ସେ ଅନୁଭବ କରିପାରୁ ନଥିଲା । ନିଜର ଅଣାୟତ୍ତ ଦେହ ଓ ମନକୁ ବୋହି ସେ ଇତସ୍ତତଃ ହେଉଥିଲା ଅଫିସ୍ କୋଠରୀରେ କିମ୍ୱା ବାରଣ୍ଡାରେ । ଅଭ୍ୟସ୍ତ ପୃଥିବୀଟା ସତେ ଯେମିତି ଶେଷ ହୋଇଗଲା ତା’ପାଇଁ-

 

ତା’ ଚେତନାରେ ଗୋଟାଏ ପାନଦୋକାନୀ ଅଟ୍ଟହାସ୍ୟମୟ ଓ ଦୁର୍ଦ୍ଦାନ୍ତ ହୋଇ ପଡ଼ୁଥିଲା-। ସେ ଆହୁରି ଅନୁଭବ କରୁଥିଲା, ତା’ ଘରଣୀ ତା’ ଷଡ଼ଯନ୍ତ୍ରକୁ ଉପହାସ କରୁଛି ଏବଂ ପ୍ରମାଣ କରି ଦେଉଚି ସଭିଙ୍କ ସାମନାରେ ଯେ– ସେ ମୂଲ୍ୟହୀନ । ଅପଦାର୍ଥ ।

 

ଅଫିସ୍ ବାରଣ୍ଡାରେ ଠିଆ ହୋଇ ବିଜୟ ଭାବିଲା, ସେ ପଳାଇଯିବ ଅଫିସରୁ, ଘରୁ । ସେ ଆଦୌ ରହିବ ନାଇଁ ତା’ର ଜଣାଶୁଣା ପୃଥିବୀ ଭିତରେ । ଏତକ ଭାବିଲା ଏବଂ ଓହ୍ଲାଇ ଆସିଲା ବାରଣ୍ଡାରୁ । ଷ୍ଟାଣ୍ଡରୁ ସାଇକେଲ ବାହାର କଲା ।

 

କିଛି ସମୟ ପରେ ଆବିଷ୍କାର କଲା, ସେ ଠିଆ ହୋଇଚି ବାବୁଲାର ପାନ ଦୋକାନ ପାଖରେ । ଘଡ଼ି ଦେଖିଲା, ଦିନ ଗୋଟାଏ । ପାନ ଦୋକାନର ରେଡ଼ିଓ ପ୍ରକମ୍ପିତ କରୁଚି ପ୍ରାୟ ଜନଶୂନ୍ୟ ସେ ଅଞ୍ଚଳକୁ । ଚାରି ଆଡ଼କୁ ଚାହିଁଲା ବିଜୟ ଏବଂ ସ୍ୱୀକାର କଲା ଯେ, ଏଠାକୁ ଆସିବା ତା’ର ଉଦ୍ଦେଶ୍ୟ ନଥିଲା । ଭିତରେ ବାବୁଲା ଅଛି କି ନା, କେଜାଣି ?

 

ସେ ଆଗକୁ ସାଇକେଲ୍ ଗଡାଇଲା ଏବଂ ଦେଖିଲା ଆଗରେ ଦର୍ପଣ ରଖି ବାବୁଲା ମୁଣ୍ଡ କୁଣ୍ଡଉଚି । ତାକୁ ଦେଖିବା ମାତ୍ରେ ବାବୁଲା ହସିଦେଲା । ସେ ହସ ଦେଖି ବିଜୟ ଏମିତି ଡରିଗଲା ଯେ, ଗଳା ଫଟାଇ ଚିତ୍କାର କରିବାପାଇଁ ଉଦ୍ୟତ ହେଲା ସେ । ବାବୁଲା କିଛି କହିବାକୁ ଚାହୁଁଥିଲା; ମାତ୍ର ଚାରିଆଡ଼କୁ ଚାହିଁ ଦୁଇ ଓଠ ଉପରେ ଆଙ୍ଗୁଳି ରଖି ନୀରବ ରହିବାକୁ ନିର୍ଦ୍ଦେଶ ଦେଲା ବିଜୟ ।

 

—‘‘ତଳକୁ ଆସ ।’’

 

ବିଜୟର କାନ୍ଦ କାନ୍ଦ ସ୍ୱର ବାସ୍ତବିକ ଆମୋଦିତ କଲା ବାବୁଲାକୁ । ସମସ୍ତ ଆତ୍ମସମ୍ମାନ ଓ ଗାମ୍ଭୀର୍ଯ୍ୟର ସହିତ ସେ ପ୍ରସ୍ତାବ ଦେଲା—‘‘କେହି ନାହାନ୍ତି । ଏଇଠି କହନ୍ତୁ ।’’

 

ବିଜୟ ପରାଜିତ ଓ ନିରସ୍ତ୍ର ସ୍ୱରରେ କହିଲା—‘‘ବାବୁଲା, ଆଜି ସକାଳେ ତୁମକୁ ଯାହା ସବୁ କହିଥିଲି, ସେ କଥା ଆଉ କାହାକୁ ଜମା କହିବନି ।’’

 

ବାବୁଲା ପ୍ରତିଶ୍ରୁତି ଦେଲା—‘‘ଆପଣ ବିଶ୍ୱାସ କରନ୍ତୁ, କାହାକୁ କହିବିନି ।’’

 

ତା’ ମୁହଁକୁ କିଛିକ୍ଷଣ ପାଇଁ ଚାହିଁ ରହିଲା ବିଜୟ । ହୁଏତ ସେ କଳନା କରୁଥିଲା ବାବୁଲାର ପ୍ରତିଶ୍ରୁତି କେତେ ବିଶ୍ୱାସଯୋଗ୍ୟ ହୋଇପାରେ । ହଠାତ୍ ଏକ ବିଷର୍ଣ୍ଣତା ଓ ଦୟନୀୟତାରେ ତା’ର ମୁହଁ ସଙ୍କୁଚିତ ହୋଇପଡ଼ିଲା । ସାଇକେଲ ଉପରକୁ ଦୃଷ୍ଟି ଫେରାଇ ସେ ସାମନା ରାସ୍ତା ଆଡ଼େ ଚାହିଁଲା । ସାଇକେଲ୍‌ ଗଡାଇବାକୁ ଉଦ୍ୟତ ହେଉ ହେଉ ସେ ଅଟକିଗଲା ଆଉ ଥରେ । ଅନୁନୟ ହେବା ଭଳି କହିଲା–‘‘ଆଉ ଗୋଟିଏ କଥା । ଯେଉଁ କଥା ତୁମେ ମୋତେ କହିବବୋଲି ଅନୁରୋଧ କରିଥିଲି, ସେ ସବୁ ମୋତେ କହିବ ନାଇଁ । ପ୍ଲିଜ୍ !’’

 

ବାବୁଲା ଭ୍ରୂକୁଞ୍ଚନ କରି ପଚାରିଲା—‘‘ମାନେ, ଆପଣଙ୍କ ସ୍ତ୍ରୀ.... ।’’

 

ତାକୁ କଥା ଶେଷ କରିବାକୁ ଦେଲାନି ବିଜୟ । ତା’ ହାତ ଧରି ଅନୁରୋଧ କଲା–‘‘କିଛି କହିବ ନି । କେହି ଆମ ଘରକୁ ଆସିଲେ କିମ୍ୱା ମୋ ସ୍ତ୍ରୀ ଅନ୍ୟ କେଉଁଆଡ଼େ ଗଲେ ମଧ୍ୟ ତୁମେ ମୋତେ କିଛି କହିବ ନି ।’’ ଅଳ୍ପ ସମୟ ପରେ ସେ ଶାନ୍ତ ସ୍ୱରରେ ପଚାରିଲା—‘‘କ’ଣ କହୁଚ ?’’

 

ବାବୁଲା ବେପରୁଆ ଭାବରେ କହିଲା—‘‘ଆପଣଙ୍କ ଇଚ୍ଛା । ଯାହା ଆପଣ କହିବେ ।’’

 

ଫ୍ଲାଟ୍‌ରେ ପହଞ୍ଚି ବିଜୟ ଦେଖିଲା, ବାରଣ୍ଡାଟା ଶୂନ୍ୟ । ଭିତରୁ କବାଟ ବନ୍ଦ ଅଛି । ବିଜୟର ହୃତ୍‌ସ୍ପନ୍ଦନ ବଢ଼ିଗଲା ପୁଣି ଥରେ । ମୁହଁ ଗରମ ହୋଇଗଲା । କମ୍ପିତ ହାତରେ ସେ କରାଘାତ କଲା ଖୁବ୍ ଜୋର୍‌ରେ । ସତେ ଯେପରି କବାଟକୁ ଭାଙ୍ଗି ଗୁଣ୍ଡ କରିଦେବା ତା’ର ଉଦ୍ଦେଶ୍ୟ ଥିଲା ।

 

କବାଟ ଫିଟାଇ ନିଦୁଆ ଆଖିରେ ଆଶ୍ଚର୍ଯ୍ୟ ହେଲା ସଂଗୀତା । ପଚାରିଲା—‘‘ଏତେ ଚଞ୍ଚଳ ?’’

 

ବିଜୟ କିଛି କହିଲା ନି । ଫ୍ଲାଟ୍‌ର ସମସ୍ତ କୋଠରୀ, ସମସ୍ତ କୋଣ ଉପରେ ଆଖି ବୁଲାଇ ସେ ନିର୍ବାକ୍ ହୋଇ ଠିଆ ହେଲା । ସଙ୍ଗୀତା ପଚାରୁଥିଲା—‘‘ଦେହ ଭଲ ନାଇଁ ନା କ’ଣ-?’’

 

ସେ ପ୍ରଶ୍ନ ଆସୁଥିଲା ଅନ୍ୟ ଏକ ପରିଚିତ ପୃଥିବୀରୁ, ଖୁବ୍ ଦୂରରୁ । ଗାମୁଛାଟିଏ ପିନ୍ଧି ସେ ଗଲା କଥା ରୁମ୍‌କୁ । ଭିତରୁ କବାଟ ବନ୍ଦ କରିବା କ୍ଷଣି ସେ ଆଉ ସମ୍ଭାଳି ପାରିଲା ନି । ତା’ର ସମଗ୍ର ଦେହ ଉପରେ ସଂଖ୍ୟାହୀନ କୋହ ବ୍ୟାପି ଯାଉଥିଲା ଏବଂ ଆଖିରୁ ଝରି ଯାଉଥିଲା ରାଶି ରାଶି ଲୁହ ।

 

ଆଜି ପର୍ଯ୍ୟନ୍ତ ବିଜୟ ଆଦୌ ବୁଝି ପାରିନି ସେ କୋହ ଓ ଲୁହର ଭାଷା ଓ ତାତ୍ପର୍ଯ୍ୟ କଣ ଥିଲା ।

Image

 

ଶିକାର

 

କ୍ୟାଣ୍ଟିନ୍‌ଓ୍ୱାଲାଙ୍କ କାର୍‌ ନିଉ ଲାଇଫ୍ ନର୍ସିଙ୍ଗ୍ ହୋମ୍ ପାଖରେ ପହଞ୍ଚିବା ବେଳକୁ ରାତି ଦଶଟା ପାଖାପାଖି । ଦୋତାଲା ଉପରେ ଜଳୁଥିବା ମର୍କୁରି ଲ୍ୟାମ୍ପରୁ ବିଛୁରିତ ହେଉଥିବା କୋମଳ ଆଲୁଅରେ କୋଠା ଧାରରେ ଏବଂ ପାଚେରୀ ଭିତରେ ଥିବା କ୍ରୋଟନ୍‌, ଡ୍ରୁପିଙ୍ଗ୍, ଦେବଦାରୁ ଓ କୃଷ୍ଣଚୂଡ଼ା ଗଛଗୁଡ଼ିକ ରୂପା ରଙ୍ଗ ମାଖି ହେବା ଭଳି ଦେଖା ଯାଉଥିଲେ । ଗେଟ୍ ଟପି ଗଲା ପରେ କଂକ୍ରିଟ୍ ବିଛା ହୋଇଥିବା ଲମ୍ୱା ଚଉଡ଼ା କୋର୍ଟୟାର୍ଡ଼ । ତା’ପରେ ପାଉଁଶିଆ ରଙ୍ଗର ସୁଦୃଶ୍ୟ ଦୁଇମହଲା ନର୍ସିଙ୍ଗ୍ ହୋମ୍ । ଏଇଟି ହେଉଚି ସହରର ସବୁଠାରୁ ଆଭିଜାତ୍ୟପୂର୍ଣ୍ଣ । ଅଧିକାଂଶ କୋଠରୀ ଶୀତତାପ ନିୟନ୍ତ୍ରୀତ । ସତ୍ତ୍ୱାଧିକାରୀ ଡାକ୍ତର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହା ପରିଚାଳିତ ହୋଇ ଅନେକ ଖ୍ୟାତି ଓ ଗୌରବର ମୁକୁଟ ପିନ୍ଧି ଦଣ୍ଡାୟମାନ ।

 

ପର୍ଟିକୋ ତଳେ ଗାଡ଼ି ରହିବାକ୍ଷଣି କ୍ୟାଣ୍ଟିନ୍‌ଓ୍ୱାଲା ଦରଜା ଖୋଲି ବାହାରି ଆସିଲେ । ପର୍ଟିକୋ ପରେ ରିସେପ୍‌ସନ୍–କମ୍–କନ୍‌ସଲ୍‌ଟିଙ୍ଗ୍ ଚେମ୍ୱର । ଚଟାଣ ଉପରେ ମୋଟା ଗାଲିଚା । କାନ୍ଥ ଧାରମାନଙ୍କରେ ଦାମୀ ସୋଫା । ଗୋଟିଏ ସୋଫାରେ ଆଉଜି ଡାକ୍ତର ଦାସ ସେଦିନର ଖବର କାଗଜ ଉପରେ ଦୃଷ୍ଟି ବୁଲାଇ ନେଉଥିଲେ । ଏକ ଆତ୍ମପ୍ରତ୍ୟୟଶୀଳ ନୀରବତା ଆଚ୍ଛନ୍ନ କରି ରଖିଥିଲା ସମୁଦାୟ ପରିବେଶଟିକୁ ।

 

ଗାଡ଼ି ପାର୍କ କରିବା ଶବ୍ଦ ଶୁଣି ସେ ଚାହିଁଲେ ଦରଜା ଆଡ଼କୁ ଏବଂ ନିଜ ଆଖିକୁ ବିଶ୍ୱାସ କରି ପାରିଲେ ନି । ଭ୍ରୂକୁଞ୍ଚନ କଲେ । ଚଷମା କାଚ ପୋଛି ପୁଣି ପିନ୍ଧିଲେ ମିଃ କ୍ୟାଣ୍ଟିନ୍‌ଓ୍ୱାଲା । ଏହା ସମ୍ଭବ କିପରି ? ମିଃ କ୍ୟାଣ୍ଟିନ୍ଓ୍ୱାଲାଙ୍କ ଭାଇ କିମ୍ୱା ପୁଅଙ୍କୁ କେବେ ଦେଖିଚନ୍ତି କି ବୋଲି ମନେ ପକାଇବାକୁ ଚେଷ୍ଟା କଲେ ସେ । ନା ତାଙ୍କର ଭାଇ ଆସିଲା କେଉଁଠୁ ? ପୁଅ ତ ଏତେ ବଡ଼ ନୁହେଁ ।

 

କ୍ୟାଣ୍ଟିନ୍‌ଓ୍ୱାଲା ସେତେବେଳେ କୋଠରୀ ମଝିରେ । ବିଜୟଦୀପ୍ତ ହସ ହସ ମୁହଁ । ସମ୍ମୋହିତ ହେବା ଭଳି ଡାକ୍ତର ଦାସ ଠିଆ ହୋଇ ସାରିଥିଲେ ଏବଂ ଏକ ନିର୍ବୋଧ ହସ ହସୁଥିଲେ ଗୋଟାଏ କୁହେଳିକାର ସମାଧାନ କରି ନ ପାରି ଅପ୍ରତିଭ ହେବା ଭଳି ।

 

—‘‘ହାଲୋ, ଡକ୍‍ଟର !’’ କୋଟ ପକେଟରୁ ଡାହାଣହାତ ବାହାର କରି ସେ ପ୍ରସାରଣ କଲେ କରମର୍ଦ୍ଦନ ପାଇଁ । ‘‘ଆଉ ଗୋଟିଏ କାରଖାନା ବସେଇବା ସଂକ୍ରାନ୍ତରେ ସେକ୍ରେଟେରୀଏଟ୍‌କୁ ଆସିଥିଲି କିଛି ଲବିଙ୍ଗ୍ ପାଇଁ । ଭାବିଲି, ଟିକିଏ ଦେଖା କରିଯାଏ । ଅନେକଦିନ ହେଲା ସାକ୍ଷାତ ହୋଇ ପାରିନି । ଆଉ, ଖବର କ’ଣ ? ଭଲ ଅଛନ୍ତି ନିଶ୍ଚୟ ।’’

 

ଜଣେ ପ୍ରଖ୍ୟାତ ଡାକ୍ତରଙ୍କୁ ଅତୀତର କ୍ୟାନ୍‌ସର ରୋଗୀ ଜଣେ ପଚାରୁଚି ସେ ଭଲ ଅଛନ୍ତି କି ନା ! ତାଙ୍କ ବ୍ୟକ୍ତିତ୍ୱ ଆହତ ହେଲା ଟିକିଏ । ମାତ୍ର ସେ ଆମୋଦିତ ହେଲେ । ତାଙ୍କର କୌତୁହଳର ସୀମା ନ ଥିଲା ।

 

ଅନିଚ୍ଛା ସତ୍ତ୍ୱେ ଡାକ୍ତର କରମର୍ଦ୍ଦନ କଲେ । ସୋଫାରେ ବସୁ ବସୁ କହିଲେ—‘‘ଆମ ଖବର ଆଉ କ’ଣ ? ଚାଲିଚି ଗୋଟେ ପ୍ରକାର । ଆପଣଙ୍କ କଥା କହନ୍ତୁ । ବାସ୍ତବିକ, ଆପଣ ମୋତେ ବିସ୍ମୃତ କଲେ ।’’

 

କ୍ୟାଣ୍ଟିନ୍‌ଓ୍ୱାଲା ଜୀବିତ ଅଛନ୍ତି ବୋଲି ଶୁଣିଥିଲେ ସେ ବିଶ୍ୱାସ କରିବାର ପ୍ରଶ୍ନ ଉଠୁନଥିଲା । ବର୍ଷକ ପୂର୍ବେ ସେ ଯେତେବେଳେ ଏଇ ନର୍ସିଙ୍ଗ୍ ହୋମକୁ ଚିକିତ୍ସା ପାଇଁ ଆସିଥିଲେ, ସେତେବେଳେ ତାଙ୍କ କ୍ୟାନସ୍‌ର ଆଡ଼୍‌ଭାନ୍‌ ସଡ଼୍ ଷ୍ଟେଜ୍‌ରେ । ଡାହାଣ ଗାଲ ଏକରକମ ପଚି ସାରିଥିଲା । ଜଣେ ମୁମୂର୍ଷ, ଅସହାୟ ରୋଗୀର ମୃତ୍ୟୁପାଇଁ ଯନ୍ତ୍ରଣାଦଗ୍‌ଧ ପ୍ରତୀକ୍ଷା ହିଁ ଥିଲା ତାଙ୍କର ଭଗ୍ନାଂଶ ଭବିଷ୍ୟତ । ବିପର୍ଯ୍ୟସ୍ତ, ଛଟପଟ ହେଉଥିବା ଫୁଲିଲା ମୁହଁ, ଅବିନ୍ୟସ୍ତ କେଶ, କୋଟରଗତ ଆଖି । ଅଥଚ ଏଇ ମୁହଁରେ ପ୍ରତିଫଳିତ ହେଉଥିଲା ଆହୁରି ବଞ୍ଚି ରହିବାର ଏକ ଅନ୍ତହୀନ କାମନା । ସମସ୍ତ ରୋଗ, ଦୁଃଖର ପର୍ଯ୍ୟାୟ ଅତିକ୍ରମ କରି ତାଙ୍କ ଭିତରର ଆତ୍ମା ଏକ ସୁଖମୟ, ସ୍ୱାଚ୍ଛନ୍ଦ୍ୟ ପରିପୂର୍ଣ୍ଣ, ନିରୋଗ ଭବିଷ୍ୟତରେ ପହଞ୍ଚିବା ପାଇଁ ଆତୁର ହୋଇ ପଡ଼ୁଥିଲା । ପଇଁଚାଳିଶ ବର୍ଷ ବୟସ୍କ ଏଇ ଶିଳ୍ପପତି ଜଣକ ବେଳେବେଳେ ଅସହ୍ୟ କଷ୍ଟରେ ଜଡ଼ସଡ଼ ହୋଇ ତକିଆ ଓ ବେଡ଼୍‌ସିଟ୍ ଲୋଚାକୋଚା କରୁଥିଲେ । ସେତେବେଳେ ଡାକ୍ତର ଦାସ ଭାବୁଥିଲେ, ରୋଗରୁ ନିରୋଗ–ଏଇ ଦୁଇଟି ଅବସ୍ଥା ମଧ୍ୟରେ ରହିଥିବା ଡାକ୍ତରୀ ଚିକିତ୍ସାର ସେତୁଟି ସବୁବେଳେ ନିର୍ଭର ଯୋଗ୍ୟ ନୁହେଁ । ଏଇତ, ତାଙ୍କ ସାମନାରେ ଆଉ ଗୋଟିଏ ଜୀବନ ପଚିସଢ଼ି ଯାଉଚି ଏବଂ ସେ ଠିଆ ହୋଇଚନ୍ତି କିଂକର୍ତ୍ତବ୍ୟବିମୃଢ଼ ହୋଇ । ତାଙ୍କର ଉଚ୍ଚ ଶିକ୍ଷା, ବୈଜ୍ଞାନିକ ପଦ୍ଧତି ପରିଣତ ହେଉଚି ହାସ୍ୟାସ୍ପଦ ପରାଜୟରେ । ଜୀବନର ରହସ୍ୟ ପଛରେ ଯେଉଁ ଜ୍ଞାନ ଧାଉଁଚି ଅହରହ, ତାହା ପଡ଼ି ରହୁଚି ବହୁ ପଛରେ । ଜୀବନ ଆଗ ଭଳି ବିଶାଳ ଓ ଅବୋଧ୍ୟ ହୋଇ ଦଣ୍ଡାୟମାନ ।

 

ଡାକ୍ତର ଦାସଙ୍କ ଭଳି ଜଣେ ଅଭିଜ୍ଞ ଡାକ୍ତର ଆତ୍ମବିଶ୍ୱାସ ନୁହେଁ, ନମ୍ରତାର ସହିତ ପର୍ଯ୍ୟବେକ୍ଷଣ କରୁଥିଲେ କ୍ୟାଣ୍ଟିନ୍‌ଓ୍ୱାଲାଙ୍କୁ ଏବଂ ନର୍ସିଙ୍ଗ୍ ହୋମ୍‌ରେ ସେ ରହିବାର ଅଳ୍ପଦିନ ପରେ ପ୍ରସ୍ତାବ ଦେଇଥିଲେ ତାଙ୍କ ପୁଅ ପାଖରେ–‘‘ଆଇ ଆମ୍ ସରି; କିନ୍ତୁ କହିବାକୁ ବାଧ୍ୟ ହେଉଚି ଯେ ମିଃ କ୍ୟାଣ୍ଟିନ୍‌ଓ୍ୱାଲା ଆଉ ବେଶି ଦିନ ବଞ୍ଚିବେ ନାଇଁ । ତଥାପି ଆପଣ କୌଣସି ବଡ଼ ଡାକ୍ତରଖାନାକୁ ନେଇ ପାରନ୍ତି, କୌଣସି କ୍ୟାନ୍‌ସର ଇନ୍‌ଷ୍ଟିଚ୍ୟୁଟ୍‌କୁ । ମୋ ନର୍ସିଙ୍ଗ୍ ହୋମ୍ କିନ୍ତୁ ଏ କେଶ୍ ସମ୍ଭାଳି ପାରିବ ନାଇଁ । ବେଷ୍ଟ ଅଫ୍ ଲକ୍, ବେଷ୍ଟ ଉଇସେସ୍ ।’’

 

ଦେଶର ସର୍ବୋକ୍ତୃଷ୍ଟ କ୍ୟାନ୍‌ସର ସେଣ୍ଟରକୁ ତାଙ୍କୁ ନିଆ ଯାଇଥିଲା ବୋଲି ସେ କେବଳ ଜାଣିବାକୁ ପାଇଥିଲେ । ତା’ପରେ ସେ ଆଉ କିଛି ଖବର ଦେଖିବାକୁ ଆଗ୍ରହୀ ହୋଇନାହାନ୍ତି । ସୂର୍ଯ୍ୟାସ୍ତ ପରେ ହିଁ ଅନ୍ଧକାର ହେବ ଓ ଦିନର କାର୍ଯ୍ୟକ୍ରମ ଶେଷ ହେବ—ଏଇ ସହଜ କଥାଟି ଜାଣିବା ପରେ, ଆକାଶ ଆଡ଼େ କେଉଁ ଭରସା ନେଇ ଚାହିଁବ ଜଣେ ଲୋକ ? କ୍ୟାଣ୍ଟିନ୍‌ଓ୍ୱାଲାଙ୍କୁ କ୍ୟାନ୍‌ସର—ତା’ ପରେ ତାଙ୍କର ଭବିଷ୍ୟତର ନକ୍‌ସା ଜାଣିବା ପାଇଁ କେଉଁ ଡାକ୍ତର କାହିଁକି ବା ବ୍ୟଗ୍ର ହେବ ?

 

ଅଥଚ ତାଙ୍କୁ ଆଶ୍ଚର୍ଯ୍ୟ କରି ସୁସ୍ଥ ହସହସ କ୍ୟାଣ୍ଟିନ୍‌ଓ୍ୱାଲା ବସିଚନ୍ତି ତାଙ୍କ ସାମନାରେ ଏବଂ ପଚାରୁଚନ୍ତି ସେ ଭଲ ଅଛନ୍ତି କି ନା ବୋଲି । ଏମିତି ବିଡ଼ମ୍ୱନାର ସମ୍ମୁଖୀନ ହୋଇ ନ ଥିଲେ ସେ ଆଜି ଯାଏଁ ।

 

ଡାକ୍ତର ଦାସ କ୍ୟାଣ୍ଟିନ୍‌ଓ୍ୱାଲାଙ୍କଠାରୁ କିଛି ଶୁଣିବା ପୂର୍ବରୁ ସତର୍କ ଦୃଷ୍ଟି ବୁଲାଇ ଆଣୁଥିଲେ ତାଙ୍କ ଡାହାଣ ଗାଲ ଉପରେ । ପ୍ଲାଷ୍ଟିକ୍ ସର୍ଜରୀ ? କେଜାଣି ? ଆଦୌ ଜଣା ପଡ଼ୁନି । ଅବଶ୍ୟ ଆଜିକାଲି ପ୍ଲାଷ୍ଟିକ୍ ସର୍ଜରୀ ଏତେ ଅଗ୍ରଗତି କରି ଯାଇଚି ଯେ କେଉଁଟା ଈଶ୍ୱରସୃଷ୍ଟି ଓ କେଉଁଟା ମଣିଷ ତିଆରି, ତାହା କହିବା ଅସମ୍ଭବ । କ୍ୟାଣ୍ଟିନ୍‌ଓ୍ୱାଲାଙ୍କ ଗାଲରେ ବଡ଼ ବୃତ୍ତଟିଏ ଭଳି ଅସ୍ପଷ୍ଟ ଦାଗ ରହିଚି, ଗୋଟାଏ ଧ୍ୱସଂ ଉପରେ ନୂଆ ସୃଷ୍ଟିର ସୂଚନା ଦେଇ । ହୋଇପାରେ, ପ୍ଲାଷ୍ଟିକ୍ ସର୍ଜରୀ । ମାତ୍ର ସେଇଟା ସେତେ ବିସ୍ମୟକର ନୁହେଁ । ବଡ଼ କଥା ହେଉଚି, କ୍ୟାଣ୍ଟିନ୍‍ୱାଲା ବଞ୍ଚିଚନ୍ତି କିପରି ? କେଉଁ ଡାକ୍ତରର ଚିକିତ୍ସା ତାଙ୍କୁ ଦେଖାଇ ଦେଲା ସୁସ୍ଥ ଜୀବନର ବାଟ ? କିପରି ସେ ମୃତ୍ୟୁର ଯନ୍ତ୍ରଣା ଅତିକ୍ରମ କରି ପ୍ରାୟ ହଜି ଯାଇଥିବା ସୁଖର ପରିଚ୍ଛେଦ ପାଖରେ ପହଞ୍ଚିଗଲେ ? ସେ ବୁଝି ପାରୁ ନ ଥିଲେ କିଛି । ବ୍ୟାପରଟା ଜଣା ପଡ଼ୁଥିଲା ଆଲୌକିକ ଓ ରହସ୍ୟାଚ୍ଛନ୍ନ ।

 

ସମ୍ଭବତଃ ଡାକ୍ତରଙ୍କୁ ପରିହାସ କରିବା ପାଇଁ କ୍ୟାଣ୍ଟିନ୍‌ଓ୍ୱାଲା ରୁମାଲ ବାହାର କରି ବିଶେଷତଃ ଡାହାଣ ଗାଲ ପୋଛିଲେ । ମୁଣ୍ଡରେ ଗହଳିଆ କେଶ ଭିତରେ ଆଙ୍ଗୁଳି ସଞ୍ଚାଳନ କଲେ ଓ ଟାଇ ନଟ୍‌ଟିକୁ ଢିଲା କଲେ । ବେକ ପାଖରେ ବୋତାମ ଖୋଲି କହିଲେ–‘‘ଷ୍ଟ୍ରେଞ୍ଜ ! ନୁହେଁ କି ? ଡାହାଣ ଗାଲ ଉପରେ ମୋର ରେଜର ବ୍ଲେଡ଼୍ ପୁଣି ଦାଢ଼ି ସଫା କରିବ ଏବଂ ମୁଁ ଆଗ ଭଳି ଦର୍ପଣ ଆଗରେ ଠିଆ ହୋଇ ନିଜକୁ ଦେଖିବି–ଏକଥା କିଏ ବିଶ୍ୱାସ କରିଥିଲା ?’’

 

ଡାକ୍ତରଙ୍କ ଅକ୍ଷମତା ଓ ଅସହାୟତା ଉପରେ ଏହା ଥିଲା ଅନ୍ୟ ଏକ ପରୋକ୍ଷ ମନ୍ତବ୍ୟ-। ଡାକ୍ତର ଦାସ କିଛି କହିବା ପୂର୍ବରୁ କ୍ୟାଣ୍ଟିନ୍‌ଓ୍ୱାଲା ତାଙ୍କୁ ଆହୁରି ବିସ୍ମିତ କଲେ । ପକେଟରୁ ସିଗାରେଟ ବାହାର କରି ସେ ପ୍ୟାକେଟ୍‌ଟି ବଢ଼ାଇଲେ ଡାକ୍ତରଙ୍କ ଆଡ଼େ ଏବଂ କିଛି ମନେ ପଡ଼ିଲା ଭଳି କହିଲେ—‘‘ମୋର ମନେ ନାଇଁ ଯେ ଆପଣ ସିଗାରେଟ ପିଅନ୍ତିନି । ଅନେକ ସଚେତନ ଲୋକ ସିଗାରେଟ୍ ପିଇବା ବନ୍ଦ କରି ଦେଉଚନ୍ତି । କାଳେ କ୍ୟାନ୍‌ସର ହେବ ! ସେମାନଙ୍କର ଆଶଙ୍କା !’’ କହିଲେ ଓ ହସିଲେ ଅନେକ ବିଦ୍ରୂପର ସହିତ । ଆତ୍ମବିଶ୍ୱାସର ସହିତ ଲାଇଟର ଜଳାଇ ସିଗାରେଟ୍‌ରୁ ଦମ୍ ନେଲେ ।

 

ସ୍ମାର୍ଟ, ଆତ୍ମପ୍ରତ୍ୟୟ ପରିପୂର୍ଣ୍ଣ, କାର୍ଯ୍ୟରତ ମିଃ କ୍ୟାଣ୍ଟିନ୍‌ଓ୍ୱାଲା ବର୍ଷେ ପୂର୍ବର ଅର୍ଦ୍ଧମୃତ ଶିଳ୍ପପତି ବର୍ତ୍ତମାନ ନୂଆ ଶିଳ୍ପ ସଂସ୍ଥା ସ୍ଥାପନ କରି ନିଜକୁ ଆହୁରି ପ୍ରତିଷ୍ଠିତ କରିବା ସ୍ୱପ୍ନରେ ବିଭୋର । ମାତ୍ର ସେ ପୁନର୍ଜନ୍ମ ପାଇଲେ କେଉଁଠି ଓ କିପରି ତାହା ସେ ପର୍ଯ୍ୟନ୍ତ ଅଜଣା ଥିଲା ଡାକ୍ତର ଦାସଙ୍କୁ । ପଚାରିଲେ–‘‘ଆପଣ କ୍ୟାନ୍‌ସର ସେଣ୍ଟରରୁ ଫେରିଲେ କେବେ ? ମୁଁ ବିଶେଷ ଆନନ୍ଦିତ ମିଃ କ୍ୟାଣ୍ଟିନ୍‌ଓ୍ୱାଲା ଯେ, ଆପଣ ଆରୋଗ୍ୟ ଲାଭ କରି ପାରିଚନ୍ତି ।’’

 

ଏଇ ପ୍ରଶ୍ନଟିକୁ ଅପେକ୍ଷା କରୁଥିଲେ ଶିଳ୍ପପତି ଜଣକ । କହିଲେ–‘‘ଆପଣଙ୍କ ନର୍ସିଙ୍ଗ୍ ହୋମ୍ ଛାଡ଼ିବାର ଦିନକ ପରେ କ୍ୟାନ୍‌ସର ସେଣ୍ଟର । ସେଠାରେ ରହିଥିଲି ଜମା ଦୁଇଦିନ । ମୋତେ କୁହାଗଲା, ରୋଗ ଆଉ ଭଲ ହେବାର କୌଣସି ସମ୍ଭାବନା ନାଇଁ । ଫେରି ଆସିଲି ।’’

 

—‘‘ଫେରି ଆସିଲେ ?’’ ଡାକ୍ତର ଦାସଙ୍କର କୌତୁହଳ ବଢ଼ି ଚାଲିଥିଲା । ‘‘ମାନେ, ଆପଣ କହିବାକୁ ଚାହାନ୍ତି ଯେ, ସେଠାରେ ଆପଣ ଆରୋଗ୍ୟ ଲାଭ କରି ନାହାନ୍ତି ?’’

 

—‘‘ୟୁ ଆର୍ ରାଇଟ୍ !’’ ଆସ୍‌–ଟ୍ରେ ଭିତରେ ସିଗାରେଟ୍‌ଟିକୁ ଦଳି ଦେବା ବେଳେ କହିଲେ କ୍ୟାଣ୍ଟିନ୍‌ଓ୍ୱାଲା । ‘‘କ୍ୟାନ୍‌ସର ସେଣ୍ଟର ମୋତେ ଫେରାଇ ଦେଇଥିଲା । ସତେ ଯେପରି ମୁଁ ଥିଲି ପୁଳାଏ ସମ୍ଭାବନାହୀନ, ନିଷ୍ପ୍ରୟୋଜନ ପଚାମାଂସ ।’’

 

—‘‘ତେବେ ?’’ ଡାକ୍ତର ଦାସ ଚାହୁଁଥିଲେ ସମସ୍ତ ରହସ୍ୟଟି ଚଞ୍ଚଳ ପ୍ରକାଶିତ ହେଉ ।

 

—‘‘ତେବେ ଆଉ କ’ଣ ? ସେଠାରୁ ଫେରି ଆସିଲି । ବିଦେଶରେ ଚିକିତ୍ସିତ ହେବି ବୋଲି ଘର ଲୋକେ ତତ୍ପର ହୋଇ ପଡ଼ୁଥିଲେ । ମନା କଲି । ମନ ଭିତରେ ଗୋଟାଏ ଦୃଢ଼ତା ସୃଷ୍ଟି ହେଉଥିଲା । ମୃତ୍ୟୁକୁ ବିନା ପ୍ରତିବାଦ ଓ ଆତୁରତାରେ ଗ୍ରହଣ କରିନେବାର ଦୃଢ଼ତା । ସେଭଳି ସାହସୀ ଓ ମୋହମୁକ୍ତ ଆଉ କେବେ ହୋଇ ପାରିବି ବୋଲି ମୋର ବିଶ୍ୱାସ ନାଇଁ ।’’

 

ଡାକ୍ତର ଦାସ୍ ବେଶ୍ ବିଚଳିତ ହୋଇ ପଡ଼ୁଥିଲେ । ବିନା ଚିକିତ୍ସାରେ ମନକୁ ମନ ରୋଗଟା ନିଜକୁ ପ୍ରତ୍ୟାହାର କରି ନେଲା କିପରି ୟାଙ୍କ ଦେହରୁ ? ସେ ଭ୍ରୂକୁଞ୍ଚନ କରି ଅସ୍ଥିରତାର ସହିତ ପଚାରିଲେ–‘‘ତା’ପରେ କଲେ କ’ଣ ?’’

 

—‘‘ତା’ପରେ ?’’ କ୍ୟାଣ୍ଟିନ୍‌ଓ୍ୱାଲା ସଜାଡ଼ି ହୋଇ ବସିଲେ ରହସ୍ୟଟିକୁ ପ୍ରକାଶ କରିବା ପାଇଁ । କହି ଚାଲିଲେ–‘‘ଜଣେ ନିରକ୍ଷର ଆଦିବାସୀ ମୋତେ ଆରୋଗ୍ୟ କରି ପାରିଲା ।’’

 

ଡାକ୍ତରଙ୍କ ଉପରେ କଥାଟା କୌଣସି ପ୍ରଭାବ ପକାଇ ପାରିଲାନି । ସେ ସ୍ମିତ ହସି ଚାହିଁ ରହିଲେ ଶିଳ୍ପପତିଙ୍କ ମୁହଁକୁ ଅସଲ କଥାଟା ଶୁଣିବା ପାଇଁ । ଶିଳ୍ପପତି ସମ୍ଭବତଃ ବୁଝିପାରିଲେ ଏ କଥା । କହିଲେ–‘‘ମୁଁ ଜାଣେ, ଆପଣ ବିଶ୍ୱାସ କରି ପାରିବେନି । ଜଣେ ନିରକ୍ଷର, ଜଙ୍ଗଲି ଆଦିବାସୀ ମୋତେ ଆରୋଗ୍ୟ କରି ପାରିଲା । କେବଳ ଏଇ କଥା କହିବା ପାଇଁ ମୁଁ ଏଠାକୁ ଚାଲି ଆସିଲି ।’’

 

କଥାଟା ସତ ବୋଲି ଗ୍ରହଣ କରିନେବା ପାଇଁ ଚେଷ୍ଟା କରୁଥିଲେ ଡାକ୍ତର ଦାସ । ସେ ଅନ୍ୟମନସ୍କ ହୋଇ ଯାଉଥିଲେ ସଂପୂର୍ଣ୍ଣ ଭାବରେ ଏବଂ କିଛି ସମୟ ପାଇଁ ସେ କାହାରି ଉପସ୍ଥିତି ପ୍ରତି ସଚେତନ ନ ଥିଲେ ।

 

କହି ଚାଲିଲେ ଶିଳ୍ପପତି ଜଣକ ବିଜୟଦୀପ୍ତ ସ୍ୱରରେ—‘‘ଗୋଟାଏ ରିସ୍କ ନେଲି । ସଫଳ ରିସ୍କ । ଆମ ସହରରେ ଅବସ୍ଥାପିତ ଜଣେ ଅଫିସର ସେଠାକୁ ଯିବା ପାଇଁ ମୋତେ ତ ଖାଲି ପ୍ରବର୍ତ୍ତେଇଲେ ନାଇଁ; ଏକରକମ ବାଧ୍ୟ କଲେ । ଚାରି-ପାଞ୍ଚ ଜଣ ମୋ ଭଳି ପେସେଣ୍ଟ ସେ ମୂର୍ଖ, ଅଥଚ ବିଶାରଦ ଆଦିବାସୀ ଦ୍ୱାରା ଆରୋଗ୍ୟ ଲାଭ କରିଥିବା କଥା କହିଥିଲେ ସେ ଅଫିସର ଜଣକ ।’’

 

ଡାକ୍ତରଙ୍କ ଅବିଶ୍ୱାସ ଦୂର ହେଉଥିଲା ଆସ୍ତେ ଆସ୍ତେ । ସେ ମନଯୋଗୀ ହେଉଥିଲେ । ପଚାରିଲେ—‘‘ସେ କଲା କଅଣ ?’’

 

‘‘ଗୋଟାଏ ଦାଢ଼ୁଆ ଛୁରୀରେ ଗାଲ ଭିତରର ପଚା ମାଂସ କାଟିଦେଲା । କ’ଣ ସବୁ ବଣୁଆ ଔଷଧ ନେଇ ବ୍ୟାଣ୍ଡେଜ କଲା, ଖାଇବାକୁ ଦେଲା । ପାରିଶ୍ରମିକ ବାବଦରେ ସେ ଅନିଚ୍ଛାର ସହିତ ଗ୍ରହଣ କଲା ମାତ୍ର ପାଞ୍ଚୋଟି ଟଙ୍କା । ଅଥଚ ଆଗରୁ ସେ କେବେ ନୋଟ୍ ଦେଖିଥିଲା ଭଳି ମୋର ମନେ ହେଲାନି; କାରଣ ଟଙ୍କାର ମାନେ ସେ ବୁଝେନି । ଚାରି ମାସ ପରେ ମୁଁ ସୁସ୍ଥ ।’’

 

ଅସମାହିତ ଭଳି ଜଣାପଡ଼ୁଥିବା ଗୋଟାଏ ଧ୍ୱଂସାତ୍ମକ ସଂକଟର ସମାଧାନ ହୋଇଗଲା ବିନା ଅର୍ଥ ବ୍ୟୟରେ, ଚାରିମାସ ଭିତରେ । ଡାକ୍ତରଙ୍କ ଭାବନା ଭିତରେ ସୃଷ୍ଟି ହେଲା ଝଡ଼ ଓ ଶିକାର ।

 

ସେ’ଦିନ ରାତି ଗୋଟାଏ ପର୍ଯ୍ୟନ୍ତ ଡାକ୍ତର ବସିଥିଲେ ବେଡ଼୍‌ରୁମ୍ ରେ ଏବଂ ଭାବୁଥିଲେ-ଦୀର୍ଘ ଦିନ ଡାକ୍ତରୀ ଜୀବନ ମଧ୍ୟରେ ସର୍ବଶ୍ରେଷ୍ଠ ବିସ୍ମୟଟି ଶୁଣିଲେ ସେ ଆଜି । ଏକ ଅପ୍ରତିଦ୍ୱନ୍ଦୀ ରୋଗର ଔଷଧ ଗଚ୍ଛିତ ଅଛି କୌଣସି ଲାବୋରେଟରୀରେ ନୁହେଁ, ଜଙ୍ଗଲରେ । କଥାଟା ସତ ହୋଇ ଥାଇପାରେ । ନା, ହୋଇ ଥାଇ ପାରେ ଆଉ କ’ଣ ? ସତ ନିଶ୍ଚୟ । ପ୍ରମାଣ କ୍ୟାଣ୍ଟିନ୍‌ଓ୍ୱାଲା ନିଜେ । ଦେଶର ସର୍ବାଧୁନିକ କ୍ୟାନ୍‌ସର ସେଣ୍ଟରରୁ ରିକ୍ତ ହାତରେ ଫେରିବା ପରେ, ଗୋଟାଏ ଅଶିକ୍ଷିତ, ଅନାମଧେୟ ଆଦିବାସୀ ତାଙ୍କୁ ନୂଆ ଜନ୍ମ ଦେବାରେ ସମର୍ଥ ହୋଇ ପାରିଲା ଏବଂ ଏଇ ଭଳି ଆହୁରି କେତୋଟି ବେଶ ସଫଳତାର ସହିତ ସେ ଭଲ କରି ଦେଇପାରିଚି ।

 

ଆଦୌ ଅସମ୍ଭବ ନୁହେଁ; ମାତ୍ର ଚାଞ୍ଚଲ୍ୟକର । ମଣିଷଟି କ୍ୟାନ୍‌ସର ରୋଗ ସଂକ୍ରାନ୍ତରେ କେତେ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇପାରେ, ତାହା କେବଳ ଏ ରୋଗର ବିଶେଷଜ୍ଞମାନେ ହିଁ ଉପଲବ୍‌ଧି କରି ପାରିବେ । କେଉଁ ଅନ୍ଧକାର ଅଞ୍ଚଳରେ ବଞ୍ଚି ରହିଥିବା ମଣିଷଟି ଗୋଟାଏ ସଫଳ ବିପ୍ଳବର ମନ୍ତ୍ର ହୋଇପାରେ । ଧରି ନିଆଯାଉ, ଡାକ୍ତର ଦାସ କୌଣସି ମତେ ସେ ଲୋକଟି ପାଖରୁ ଫର୍ମୁଲାଟି ପାଇପାରିଲେ । ତେବେ ?

 

ଡାକ୍ତରଙ୍କ ସମଗ୍ର ଶରୀର ଉପରେ ବାରମ୍ୱାର ତଡ଼ିତ୍ ସୃଷ୍ଟି ହେଲା । ସେ ଉତ୍କଣ୍ଠିତ, ଅସ୍ଥିର ହୋଇ ପଡ଼ିଲେ ଏବଂ ଏକ ନିଶ୍ଚିତ ଗୌରବ ତାଙ୍କ ହାତ ମୁଠାରେ ଥିବା ଭଳି ସେ ଅତୁଳନୀୟ ଆନନ୍ଦରେ ବିଭୋର ହୋଇ ପଡ଼ିଲେ । ତାଙ୍କର ହୃତ୍‌ସ୍ପନ୍ଦନ ବଢ଼ିଗଲା ଅସମ୍ଭବ ଭାବରେ । ତାଙ୍କ ପାଇଁ ସମଗ୍ର ବିଶ୍ୱରେ ଥିବା ସର୍ବୋକୃଷ୍ଟ ସଂପଦର ଠିକଣା ସତେ ଯେପରି ତାଙ୍କ ପାଖରେ ବର୍ତ୍ତମାନ ।

 

ଟେବୁଲ ଉପରୁ ଡାଇରୀ ଆଣି ସେ ନିର୍ଦ୍ଦିଷ୍ଟ ପୃଷ୍ଠା ଉପରେ ଦୃଷ୍ଟି ସ୍ଥିର କରି ରଖିଲେ । ଡମା ସିଂ ନାମକ ସେଇ ଲୋକଟିର ଠିକଣା ଦେଇ ଯାଇଚନ୍ତି କ୍ୟାଣ୍ଟିନ୍‌ଓ୍ୱାଲା ତାଙ୍କ ଅନୁରୋଧ କ୍ରମେ । କାରରେ ଏଠାରୁ ପ୍ରାୟ ଆଠ ଘଣ୍ଟାର ଯାତ୍ରା । ତା’ପରେ ଯେଉଁ ରାସ୍ତା ଧରିବାକୁ ହେବ, ସେଥିରେ କାର୍ ଯିବା ଅସମ୍ଭବ । ବର୍ଷାଦିନ ନ ହୋଇଥିଲେ ଜିପ୍ ଯାଇ ପାରେ ଖୁବ୍ କଷ୍ଟରେ । ସେ ପୁଣି ଚାରି–ପାଞ୍ଚ ଘଣ୍ଟାର ବ୍ୟାପାର । ସେ ରାସ୍ତା ଶେଷରେ ଜଙ୍ଗଲ-ପାହାଡ଼ ଭିତରେ ପାଦ ଚଲା ବାଟ । ପ୍ରାୟ ଦଶମାଇଲ ।

 

ଡାକ୍ତର ଦାସଙ୍କର ଷାଠିଏ ବର୍ଷର ଦେହ ସଙ୍କୁଚିତ ହୋଇଗଲା । ସେ ନିରୁତ୍ସାହିତ ହୋଇ ଚାହିଁଲା ଚାରିଆଡ଼କୁ ଓ ପାପୁଲିରେ ମୁହଁ ଘସି ଦୀର୍ଘଶ୍ୱାସ ତ୍ୟାଗ କଲେ । ସାତ ତାଳ ପାଣି, ଛ ତାଳ ପଙ୍କ । ସିନ୍ଧୁକ ଫରୁଆ ଇତ୍ୟାଦି । ପିଲାଦିନେ ଶୁଣିଥିବା କାହାଣୀ ଲମ୍ୱିଗଲା ତାଙ୍କ ସାମନାରେ । ଦୁର୍ଗମ ରାସ୍ତାପରେ ଯେଉଁ ଭଅଁରଟିକୁ ସେ ଧରିବେ, ତାହା କ୍ୟାନ୍‌ସର ରୋଗର ଆୟୁଷ ।

 

ଡାଏରୀ ବନ୍ଦ କରି ସେ ଶୋଇବାକୁ ଚେଷ୍ଟା କଲେ । ନିଦ ନାଇଁ ଆଜି । ଗୋଟାଏ ପ୍ରଚଣ୍ଡ ଅସ୍ଥିରତା ଓ ଶିହରଣ । ସେ ଦୋହଲି ଯାଉଚନ୍ତି । ନିଜ ମନକୁ ସାନ୍ତ୍ୱନା ଦେଲେ ଯେ, ତାଙ୍କ ଜୀବନରେ ଆଉ କିଛି ଅଭିଳାଷ ନାଇଁ । ସମୟ ସରି ଆସିଲାଣି । ନର୍ସିଙ୍ଗ୍ ହୋମ୍ ନେଇ ସେ ବେଶ୍ ସୁଖରେ ଅଛନ୍ତି । ପ୍ରଚୁର ଅର୍ଥ ଓ ଖ୍ୟାତି ପରେ ଜୀବନ ଆଉ କେଉଁ କଥାକୁ ଅପେକ୍ଷା କରିଚି ? ପ୍ରତିଦିନ ସକାଳେ ଭଗବାନଙ୍କ ପାଖରେ ନିଜକୁ ସମର୍ପଣ କରି ସେ ଯା’ନ୍ତି ନର୍ସିଙ୍ଗ୍ ହୋମ୍‌କୁ ଏବଂ ନମ୍ରତାର ସହିତ ବାରମ୍ୱାର ଘୋଷଣା କରନ୍ତି ଯେ, ସେ କିଛି ନୁହଁନ୍ତି । ତାଙ୍କର କୃତିତ୍ୱ ତାଙ୍କର ନୁହେଁ । ତାହା ବିଧାତାଙ୍କର । ତାଙ୍କ ନିର୍ଦ୍ଦେଶନାରେ ପ୍ରେସ୍‌କ୍ରିପ୍‌ସନ୍ ପ୍ୟାଡ଼୍ ଉପରେ ତାଙ୍କର କଲମ ଚାଲେ, ଅପରେସନ ଟେବୁଲ ଉପରେ ଥିବା ଅଚେତନ ଶରୀର ଉପରେ ଛୁରୀ ଚାଳିତ ହୁଏ ।

 

ମାତ୍ର ଡମା ସିଂ ସହସା ଏତେ ବଡ଼ ପ୍ରଲୋଭନଟିଏ ହୋଇ ଯିବାର କାରଣ କ’ଣ ? ସେ କାହିଁକି ଭାବୁଚନ୍ତି ଯେ, ତାକୁ ନେଇ ସେ କିଛି ଗୋଟାଏ ଚମକପ୍ରଦ କରିବା ଦରକାର ?

 

ଆଖି ଖୋଲିଲେ, ବନ୍ଦ କଲେ । କଡ଼ ଲେଡ଼ଟାଇ ପୁଣି ଚାହିଁଲେ ଅନ୍ଧାର ଭିତରକୁ ଏବଂ ନିମିଷକ ମଧ୍ୟରେ ତିଆରି ହୋଇ ଯାଉଥିବା ଇଚ୍ଛାର ରୂପ ଦେଖିଲେ । ତାଙ୍କ ଭିତରେ କେହି ଜଣେ ତାଙ୍କୁ ପ୍ରବର୍ତ୍ତେଇଲା, ଡମା ସିଂ ଠାରୁ ଫର୍ମୁଲା ପାଇବା ନିହାତି ଜରୁରୀ ପ୍ରଥମେ ତାଙ୍କ ଖ୍ୟାତି ପାଇଁ, ଦ୍ୱିତୀୟତଃ ବୃହତ୍ତର ମାନବିକ ସେବାପାଇଁ ।

 

ମାତ୍ର ତା’ଠାରୁ ମହୌଷଧିର ସୂତ୍ର ପାଇବା ପରେ, ତାଙ୍କର ବ୍ୟକ୍ତିଗତ ଲାଭ କ’ଣ ହେବ-?

 

ଆଶ୍ଚର୍ଯ୍ୟ କଥା, ଲାଭ ନାଇଁ ? କାହିଁକି, ସମସ୍ତଙ୍କୁ ସେ କହିବେ ଯେ, ସେ ଔଷଧ ସେ ନିଜେ ପାଇଚନ୍ତି । ଅନେକ ବର୍ଷର ଗବେଷଣାଲବ୍‌ଧ ସେ ଔଷଧ ତାଙ୍କର ।

 

ମାତ୍ର ତାଙ୍କ ଚେତନାରେ କେହି ଜଣେ ହସି ଉଠିଲା ଏବଂ ଜଣେ ଅଦ୍ଭୁତ ମଣିଷ ଠିଆ ହେଲା । ଅଟ୍ଟହାସ୍ୟ କରି କହିଲା—‘‘ମୋ ନାଁ ଡମା ସିଂ । ବୁଝିଲୁ ? ଫର୍ମୁଲାଟି ପାଇବା ପରେ ମୋ ଅସ୍ତିତ୍ୱକୁ ନେଇ ତୁ କରିବୁ କ’ଣ ?’’

 

ଡାକ୍ତର ପଛଘୁଞ୍ଚା ଦେଲେ ନିଜ ଭିତରେ । ତାଙ୍କ ଭିତରୁ ମୁହୂର୍ତ୍ତକ ମଧ୍ୟରେ ଗୋଟାଏ ପରାମର୍ଶ ଆସି ବାଜିଲା ତାଙ୍କ କାନରେ—ସୂତ୍ରଟି ପାଇ ସାରିବା ପରେ ଡମା ସିଂ ଏକ ଅନାବଶ୍ୟକ ମଣିଷ ବ୍ୟତୀତ ଆଉ କ’ଣ ? ତାକୁ ହତ୍ୟା କରା ଯାଇପାରେ । ଶ୍ରେଷ୍ଠ ଡାକ୍ତରୀ ପଦ୍ଧତି ପ୍ରୟୋଗ କରାଯାଇ ତାକୁ ଖତମ କରି ଦିଆଯାଇ ପାରେ । ସେ ମରିବ ନୀରବରେ, ନିଜ ଅଜାଣତରେ, କୋଳାହଳହୀନ ଭାବରେ ।

 

ଡାକ୍ତର ଧଡ଼୍ ପଡ଼୍ ଉଠି ବସିଲେ ବିଛଣାରୁ । ବସି ରହିଲେ ଅନେକ ସମୟ ପର୍ଯ୍ୟନ୍ତ । ସେ ଯେପରି କଳୁଷିତ ହୋଇ ଯାଉଚନ୍ତି । କ୍ୟାନ୍‌ସର୍‌ ଠାରୁ ଆହୁରି ଭୟାବହ, ସମୟାତୀତ, ଆଦିମ ରୋଗର ଜୀବାଣୁ ଦେହ ଓ ଚେତନାକୁ ସଂକ୍ରମିତ କରି ପକାଉଛି । ଏ ରୋଗର ଜୀବାଣୁ ପାଇଁ କେଉଁ ପ୍ରେସ୍‌ପ୍‌କ୍ରିସନ୍, କେଉଁ ଅପେରେସନ୍‌ ?

 

ସେ ମୁଣ୍ଡ ହଲାଇଲେ । ଚେଷ୍ଟାକଲେ, ତାଙ୍କ ଭିତରକୁ ଅନୁପ୍ରବେଶ କରିଥିବା ମାରାତ୍ମକ ଆବର୍ଜନାକୁ ପରିସ୍କାର କରିବା ପାଇଁ । ମାତ୍ର, ନା କିଛି ଗୋଟାଏ ଅଟକି ଗଲା ତାଙ୍କ ଭିତରେ ସମସ୍ତ ଦୃଢ଼ତାର ସହିତ ଏବଂ ଡମା ସିଂ ପାଖକୁ ଯିବାର ଯଥାର୍ଥତା ଯୋଗାଇ ଦେଲା ।

 

ଅପରାହ୍ନ ଚାରିଟା ସେତେବେଳେ । ଗତ ରାତି ଏଗାରଟାରୁ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲା ଜିପ୍ ଯୋଗେ । ଦଶମାଇଲ ଦୂର ଗୋଟାଏ ତଥା କଥିତ ବସ୍ତି ପାଖରେ ସେଇଟିକୁ ଛାଡ଼ି ଚାଲି ଚାଲି ଆସିବାକୁ ପଡ଼ିଲା । ପ୍ରଚଣ୍ଡ କ୍ଲାନ୍ତି, ଭୋକ ଓ ନିଦ୍ରା ଜନିତ ଅଶ୍ୱସ୍ତି । ଡାକ୍ତରଙ୍କର ପୁରୁଣା ଦେହଟା ଜଡ଼ସଡ଼ ହୋଇ ଯାଉଥିଲା । ଗୋଟାଏ ଉତ୍ତେଜନା ଓ କୌତୁହଳ, ଅଦମ୍ୟନୀୟ ଏକ ଲାଳସା ତାଙ୍କୁ କିମିତି କେଜାଣି ଟାଣି ଆଣିଲା ଏତେ ବାଟ । ଅଧାଲଙ୍ଗଳା ଲୋକଟା ଚିହ୍ନେଇ ଦେଲା—‘‘ଦୋଳି ଉପରେ ବସି ଦଉଡ଼ି ବଳୁଥିବା ଲୋକଟି ହେଉଚି, ଡମା ସିଂ ।’’ କହିଲା ଏବଂ ଅନ୍ୟ କୌଣସି କଥାକୁ ଅପେକ୍ଷା ନକରି ଚାଲିଗଲା ।

 

ଡ୍ରାଇଭର ଓ ଚାକର ଆଡ଼େ ଚାହିଁଲେ ଡାକ୍ତର ଦାସ ଏବଂ ସେମାନେ ଚାହିଁଲେ ତାଙ୍କ ଆଡ଼େ । ବର୍ତ୍ତମାନ ମଧ୍ୟ ଏଭଳି ଘଞ୍ଚ ଜଙ୍ଗଲ ଥାଇପାରେ ଏବଂ ମଣିଷ ଏଭଳି ବସତି ଭିତରେ କଳାତିପାତ କରିପାରେ, ତାହା ସେମାନଙ୍କର କଳ୍ପନାତୀତ ଥିଲା । ଏତିକିବେଳୁ ସୂର୍ଯ୍ୟ ଲୁଚି ଗଲେଣି । ଜଙ୍ଗଲ ଭିତରେ ଘନିଭୂତ ହେବାକୁ ଆରମ୍ଭ କଲାଣି ଅନ୍ଧକାର । ବିଚିତ୍ର, ଲୋମ ହର୍ଷଣକାରୀ ଶବ୍ଦ ଚାରିଆଡ଼େ । ଟର୍ଚ୍ଚ, ରାଇଫଲ ଓ ଖାଦ୍ୟ ବୋଝେଇ ହୋଇଥିବା ଟିଫିନ୍ କେରିଅର୍ ସତ୍ତ୍ୱେ, ଡାକ୍ତରଙ୍କ ସତ୍ତାରେ ଛନ୍ଦି ହୋଇଗଲା ତୀବ୍ର ବ୍ୟାକୁଳତା ଏବଂ ଅସହାୟତା । ତାଙ୍କୁ ଘାରିଥିବା ଭୟଙ୍କର ନିଶା ସତେ ଯେମିତି ତରଳି ଯାଉଥିଲା ପାହାନ୍ତା ପ୍ରହରର ଅନ୍ଧକାର ଭଳି । ନିଜର ଅବସ୍ଥିତି କଥା ଚିନ୍ତା କରି ସେ ଅପ୍ରତିଭ ଓ ଶଙ୍କିତ ହୋଇ ପଡ଼ିଲେ ।

 

ତଥାପି ସେ ଆଶ୍ୱସ୍ତ ହେଲେ ଯେ, ସେ ପହଞ୍ଚି ଯାଇଚନ୍ତି ଲକ୍ଷ୍ୟ ସ୍ଥଳରେ । ଏଥର କୌଶଳ ଓ ଚାଲାକିର ଖେଳ ଆରମ୍ଭ କରିବାକୁ ହେବ ସତର୍କତାର ସହିତ ।

 

ଡମା ସିଂ ନାମକ ଲୋକଟି ଚାହିଁଲା ଏମାନଙ୍କ ଆଡ଼େ । ଦଉଡ଼ି ବଳା ବନ୍ଦ କଲା ଏବଂ ନିଶବ୍ଦରେ ପଶିଗଲା ଏକ ବଖୁରିଆ ଘର ଭଳି ଦିଶୁଥିବା ଆଶ୍ରୟସ୍ଥଳ ଭିତରେ ।

 

ଅଣ୍ଟାରୁ ଜଙ୍ଘ ପର୍ଯ୍ୟନ୍ତ ମଇଳା ଲୁଗାଟିଏ ଗୁଡ଼ା ହୋଇଥିଲା । ଦେହ କଳା ମଚ ମଚ । ଗାଢ଼ ଲାଲ ଆଖି ଓ ଓଠ । ବୋଝେ ବାବୁରିକେଶ । ତା’ ତ୍ରସ୍ତତା ବାରି ହୋଇ ଯାଉଥିଲା ସହଜରେ, ମଇଳା ଅନ୍ଧକାର ସତ୍ତ୍ୱେ ।

 

କଥା କ’ଣ ? ଲୋକଟା ଏତେ ଭୟାଳୁ ଓ ପଳାୟନବାଦୀ କାହିଁକି ? ଡାକ୍ତର ଠିଆ ହେଲେ ତଥାକଥିତ ଘର ସାମନାରେ । ଡାକିଲେ—‘‘ଟିକିଏ ଶୁଣିବ କି, ଡମା ସିଂ ?’’

 

କୌଣସି ଉତ୍ତର ନାଇଁ । ଅସଭ୍ୟ ଲୋକଟା କାହିଁକି ନିଜକୁ ଲୁଚେଇ ରଖିବାକୁ ଚାହୁଁଥିଲା ନିଜ ଘର ଭିତରେ ? ଡାକ୍ତର ଭାବିଲେ, ସେ ଘରେ ପଶିବେ; ମାତ୍ର ପାରିଲେ ନାଇଁ । କିଏ ଜାଣେ, ଲୋକଟା ଯଦି ଆକ୍ରମଣ କଲା ତାଙ୍କୁ ଅତର୍କିତ ଭାବରେ ? ତାର ଏ ପ୍ରକାର ଆଚରଣର ତାତ୍ପର୍ଯ୍ୟ ବୁଝିପାରୁ ନ ଥିଲେ ଏତେ ବଡ଼ ସହରରୁ ଆସିଥିବା ସେ ଆଶାୟୀ ଲୋକମାନେ ।

 

ଏଥର ଆହୁରି କୋମଳ ସ୍ୱରରେ ପ୍ରାର୍ଥନା କଲା ଭଳି କହିଲେ ଖ୍ୟାତି ସଂପନ୍ନ ଡାକ୍ତର ଜଣକ—‘‘ତୁମଠି କାମ ଅଛି ଡମା । ବହୁ ଦୂରରୁ, ବହୁ ଆଶା ନେଇ ଆସିଚୁ । ଟିକିଏ ଆସ ବାହାରକୁ ।’’

 

ଭିତରରୁ ଯେଉଁ ଉତ୍ତରଟା ଶୁଭିଲା, ତାହା ଏଇ ଭଳି ଲେଖା ଯାଇ ପାରେ–‘‘ମୋତେ ମୋ ଘରୁ ଅନ୍ୟ କେଉଁଆଡ଼େ ନେବାକୁ ଚେଷ୍ଟା କଲେ, ହାତରେ ଧରିଥିବା ଏଇ ଟାଙ୍ଗିଆରେ ହାଣି ଦେବି । ତୁମେ ସବୁ କାହିଁକି ବାରମ୍ୱାର ଆସୁଚ ମୋ ପାଖକୁ ? କ’ଣ କାମ ଅଛି, ସେଇଠି ଠିଆ ହୋଇ କୁହ ।’’

 

ଉତ୍ତରଟା ପ୍ରଚଣ୍ଡ କମ୍ପନ ସୃଷ୍ଟି କଲା ଡାକ୍ତରଙ୍କ ଭିତରେ । ତେବେ, ଡମା ସିଂ କୁ ଅନ୍ୟ ଆଡ଼େ ନେଇ ଯିବା ପାଇଁ ୟା ପୂର୍ବରୁ ଅସଫଳ ଚେଷ୍ଟା ଚାଲିଥିଲା । ମତଲବ କ’ଣ ହୋଇପାରେ ? ତାଙ୍କର କୁଞ୍ଚିତ ଭ୍ରୂ ଓ କପାଳ ଉପରେ ରୁମାଲ ପହଁରି ଆସିଲା । ସେ ଅପ୍ରତିଭ ହୋଇ ଚାହିଁଲେ ଡ୍ରାଇଭର ଓ ଚାକର ଆଡ଼େ । ସେ ଯେପରି ଲଙ୍ଗଳା ହୋଇ ଯାଉଚନ୍ତି ସେମାନଙ୍କ ଆଗରେ । ଲଜ୍ଜା ଓ ଅପମାନରେ ସେ ଜଡ଼ସଡ଼ ହୋଇ ଯାଉଚନ୍ତି ।

 

କିଛି ଦୂରକୁ ଯିବା ପାଇଁ ଦୁଇ ଜଣଙ୍କୁ ନିର୍ଦ୍ଦେଶ ଦେଲେ ଡାକ୍ତର । ଏଥର ପୁଣି ତାଙ୍କର ବିଚଳିତ ପ୍ରାର୍ଥନା—‘‘ତୁମକୁ କେହି କେଉଁଆଡ଼େ ନେବନି । ତୁମେ ଟିକିଏ ଆସ ବାହାରକୁ । ଯଦି ଅବିଶ୍ୱାସ ହେଉଥାଏ, ଟାଙ୍ଗିଆଟା ଧରି ଆସ ।’’ ଏତକ କହିସାରି ସେ ଭାବିଲା, ନିଜ ପାଖରେ ସେ ଘୃଣ୍ୟ ଓ ନୀଚ ହୋଇ ଯାଉଚନ୍ତି । ନିହାତି ଦୟାନୀୟ; ଅଥଚ ପୈଶାଚିକ ।

 

ଅନେକ ପ୍ରବର୍ତ୍ତାଇବା ପରେ, ଅନେକ ଆଶ୍ୱାସନା ଓ ପ୍ରତିଶ୍ରୁତି ପରେ ଡମା ସିଂ ବାହାରିଲା ଭିତରୁ ହାତରେ ଟାଙ୍ଗିଆ ଧରି । ଚାକର ଓ ଡ୍ରାଇଭର ତାଙ୍କୁ ଦେଖିପାରୁ ନାହାନ୍ତି ବୋଲି ନିଶ୍ଚିନ୍ତ ହେବା ପରେ ଡାକ୍ତର ଜଣକ ଲମ୍ୱ ହୋଇ ଡମା ସିଂ ର ଗୋଡ଼ ତଳେ ପଡ଼ିଗଲେ ଆତ୍ମ ସମର୍ପଣ ଓ ଦୟାଭିକ୍ଷୁର ବିକଳ ଦୃଷ୍ଟାନ୍ତଟିଏ ହୋଇ । ଡମା ସିଂର ଗୋଡ଼ ଘୁଞ୍ଚିଗଲା ପଛକୁ । ତଳୁ ଉଠି ଡାକ୍ତର ଦେଖିଲେ, ତା ମୁହଁରେ ତଥାସ୍ତୁ ଭଙ୍ଗୀ ନାଇଁ । ଉତ୍ତେଜନା, ଅସ୍ଥିରତାଳ, ଭୟ ବିମଣ୍ଡିତ ତା’ ମୁହଁକୁ ପୁନର୍ବାର ଚାହିଁବା କ୍ଷଣି ଡାକ୍ତରଙ୍କର ଆତ୍ମ–ବିଶ୍ୱାସ ଭୁଷୁଡ଼ି ପଡ଼ିଲା । ଏତେ କଷ୍ଟ କରି ଏତେ ବାଟ ଆସିଥିବା ଯୋଗୁଁ ସେ ଅନୁତାପ କରିବା ଆରମ୍ଭ କଲେ ।

 

ଫେରିଯିବେ କି ? ସେ ପଚାରିଲେ ନିଜକୁ; ମାତ୍ର ଗୋଟାଏ ଅପ୍ରତିଦ୍ୱନ୍ଦୀ ଶକ୍ତି ତାଙ୍କୁ ଯେପରି ଠେଲି ନେଉଥିଲା ଆଗକୁ । ଆପାତତଃ ତାଙ୍କ ଅନିଚ୍ଛା ସତ୍ତ୍ୱେ ଡମା ସିଂ କୁ ସେ ଚାହିଁଲେ ପୁଣିଥରେ । ଏବଂ ତା’ ମନରେ ବିଶ୍ୱାସ ଓ ଆସ୍ଥା ସୃଷ୍ଟି କରିବାକୁ ଚେଷ୍ଟା କଲେ । ଡମା ସିଂ କୁ ଅନ୍ୟ କେଉଁଆଡ଼େ ନେଇ ଯିବାର ଉଦ୍ଦେଶ୍ୟଟା କ’ଣ ହୋଇ ପାରେ ? ସେ ଯେଉଁ ଉଦ୍ଦେଶ୍ୟ ନେଇ ଏଠାକୁ ଆସିଚନ୍ତି, ସେଇ ଉଦ୍ଦେଶ୍ୟ ନେଇ ଆହୁରି କେତେ ଜଣ ତେବେ ଏଠାକୁ ଆସିଚନ୍ତି-? ଜଣେ ଜଙ୍ଗଲି ମଣିଷ ଚାରିପଟେ ଘେରି ରହିଥିବା ପ୍ରଲୋଭନ ଓ ଆଦିମ ଉଦ୍ଦେଶ୍ୟ ସାଧନର ପରିଧି ସ୍ପଷ୍ଟ ହୋଇ ଉଠୁଥିଲା ଡାକ୍ତରଙ୍କ ସାମନାରେ । ଡମା ସିଂ କୁ ଏକ ଅମୂଲ୍ୟ ସଂପଦ ବୋଲି ଭାବି ନେବାର ଯଥାର୍ଥତାଟା କେବଳ ତାଙ୍କର ନୁହେଁ; ଆହୁରି ଅନେକଙ୍କର ।

 

ଡାକ୍ତର ଶାନ୍ତ ସ୍ୱରରେ ପଚାରିଲେ, ତାକୁ ଅନ୍ୟ ଆଡ଼େ ନେଇଯିବାର ଉଦ୍ଦେଶ୍ୟ କ’ଣ ଥିଲା ?

 

କେଜାଣି ? ଡମା ସିଂ ଆଦୌ ବୁଝିପାରିନି ସେମାନଙ୍କର ଭାଷା କିମ୍ୱା ସେମାନେ ତା’ ପାଇଁ ତିଆର କରୁଥିବା ନିଶ୍ଚିତ ଭବିଷ୍ୟତର ନକ୍‌ସା । ତାକୁ କେବଳ ବାରମ୍ୱାର କୁହାଯାଉଚି ଯେ, ସେ ପ୍ରଚୁର ଅର୍ଥ ଓ ସମ୍ମାନର ଅଧିକାରୀ ହୋଇପାରିବ । ମଣିଷର ସ୍ୱାସ୍ଥ୍ୟ ସମ୍ପର୍କରେ ବଳିଷ୍ଠ ପ୍ରତିରକ୍ଷାଟିଏ ହୋଇପାରିବ । ମାତ୍ର ସେ ଏଥିପ୍ରତୀ ଆଦୌ ଆଗ୍ରହୀ କିମ୍ୱା ପ୍ରଲୁବ୍‌ଧ ନୁହେଁ; କାରଣ ତା’ ଜୀବନ ପାଇଁ ଏ ସବୁର ଗୁରୁତ୍ୱ ସେ ବୁଝି ପାରୁନି । ସେ ବେଶ୍ ଆରାମରେ ଅଛି ।

 

ଡାକ୍ତର ଦାସ ଆହୁରି ନିରୁତ୍ସାହିତ ଓ ନିରସ୍ତ୍ର ହୋଇପଡ଼ୁଥିଲେ । ନିଜପ୍ରତି ଆଦୌ ସଚେତନ ନ ଥିବା ଏଇ ଅଶିକ୍ଷିତ ମଣିଷଟି ତାଙ୍କ ପାଖରେ ବିଶାଳ ହୋଇପଡ଼ୁଥିଲା । ତାଙ୍କର ସ୍ୱପ୍ନ ହଜିଯାଇଥିଲା ନୈରାଶ୍ୟ ଓ ଅନୁତାପ ଭିତରେ । ଲୋକଟା ଅପରାଜେୟ; ଅଥଚ ଅଦ୍ଭୁତ ଭାବରେ ପରିଚ୍ଛନ୍ନ ଓ ନିଷ୍କପଟ ଜଣାପଡ଼ିଲା ତାଙ୍କୁ ।

 

ୟା ପରେ ଡାକ୍ତର ମିଛର ଆଶ୍ରୟ ନେଲେ । ତାଙ୍କ ମା’ଙ୍କୁ କ୍ୟାନ୍‌ସର । ଏଇ ରୋଗ ଡମା ସିଂ ଭଲ କରିପାରିଚି । ଏଇଥି ସକାଶେ ସେ ଧାଇଁଆସିଚନ୍ତି ତା’ ପାଖକୁ ବହୁ ବାଟରୁ । ଡମା ସିଂ କୁ ତାଙ୍କ ସହିତ ତାଙ୍କ ଘରକୁ ଯିବାକୁ ପଡ଼ିବ ।

 

ଜଙ୍ଗଲି ଲୋକଟି ବିଚଳିତ ହୋଇପଡ଼ିଲା ଏବଂ ତା’ର ସମଗ୍ର ଶରୀର କଠିନ ହୋଇଗଲା । ଅବିଶ୍ୱାସ ଓ ଭୟରେ ସେ ଚାହିଁଲା ଡାକ୍ତରଙ୍କୁ । ପ୍ରାୟ ବାଷ୍ପାକୁଳ କଣ୍ଠରେ ସେ ଡମା ସିଂ ର ହାତ ଧରି ଅନୁନୟ କଲେ–‘‘ଶୁଣି ସାର ଆଗ ମୋ କଥା । ବୁଝିପାରୁଚ, ଆଉ କେହି ନୁହେଁ–ମା । ତାକୁ କ୍ୟାନ୍‌ସର । ସେ କିପରି ଏତେ ବାଟ ଆସିପାରିଥାନ୍ତା ? ଥରେ ଭାବି ଦେଖ, ମା’ଭଳି ମଣିଷଟିଏ ବିଧାତା ଆଉ ସୃଷ୍ଟି କରିଚି କି ? ସେଠାରେ ସେ ଛଟପଟ ହେଉଥିବ ଆଉ ତୁମ ପାଖରେ ଥିବ ନିଧାର୍ଯ୍ୟ ଔଷଧ ? କୁହ, ମୁଁ କିପରି ଚୁପ୍ ହୋଇ ବସି ରହିଥାନ୍ତି ?’’ ଡାକ୍ତର ଦାସଙ୍କୁ ସେ ଦିନ ପ୍ରଥମକରି ତାଙ୍କର ଦୁଇ ଆଖି ବିସ୍ମିତ କଲେ । ଲୁହ ଝରି ଆସିଲା ତାଙ୍କ ଆଖିରୁ-

 

ଡମା ସିଂ ଥିଲା ଅର୍ଦ୍ଧ ଅନ୍ୟମନସ୍କ । ମା’ ସଂକ୍ରାନ୍ତରେ ଏସବୁ ଆବେଗ ସେ ବୁଝେ ନାଇଁ; ମାତ୍ର ଡାକ୍ତରଙ୍କ ମୁହଁର ଭଙ୍ଗୀ ଦେଖି ସେ ସହସା ଗୋଟାଏ କରୁଣ ମୂର୍ଚ୍ଛନା ଶୁଣି ପାରିଲା ନିଜ ଭିତରେ । ତା’ର ହୃଦ୍‌ବୋଧ ହେଲା ଯେ, ଏତେ ବିଜ୍ଞ ଜଣାପଡ଼ୁଥିବା, ପରିଷ୍କାର ପୋଷାକ ପିନ୍ଧିଥିବା ଓ ଦୟନୀୟ ଭାବରେ ଅସହାୟ ଦିଶୁଥିବା ଲୋକଟାର ଅନେକ ଦୁଃଖ, ଅନେକ ରିକ୍ତତା-। ସେ ସାହାଯ୍ୟ କଲେ ତା’ର ମଙ୍ଗଳ ହୋଇପାରେ । ଡମା ସିଂ ସମବେଦନାର ମୁହଁ ନେଇ ଡାକ୍ତରଙ୍କୁ ଚାହିଁଲା ଏବଂ ତା’ର କଠିନ ମାଂସପେଶୀ ଗୁଡାକ ସହଜ ହେଉଥିବାର ଅନୁଭବ କଲା ।

 

ଡାକ୍ତରଙ୍କ ପ୍ରକାଣ୍ଡ ଘରେ ଡମା ସିଂର ରହିବା ପାଇଁ ଯେଉଁ ବ୍ୟାପକ ଆୟୋଜନ ହୋଇଥିଲା, ସେଥିରେ ଆଦିବାସୀ ଜଣକ ପୁରାପୁରି ନର୍ଭସ୍ ହୋଇଗଲା ଏବଂ ସେଠାରୁ ଚଞ୍ଚଳ ପଳେଇ ଯିବା ପାଇଁ ବ୍ୟାକୁଳ ହୋଇଉଠିଲା । ପ୍ରାୟ ପନ୍ଦର ଘଣ୍ଟାର କ୍ଲାନ୍ତିକର ଯାତ୍ରା ପରେ ସହର ନାମକ ଯେଉଁ କୋଳାହଳମୟ, ଆବର୍ଜନାମୟ, ଦୂଷିତ ସ୍ଥାନଟି ଦେଖିଲା, ସେଥିରେ ଯଥେଷ୍ଟ ହଡ଼ବଡ଼େଇ ଯାଇଥିଲା ସେ । ଏଭଳି ଦୁର୍ଗନ୍ଧମୟ, ପଚା ସ୍ଥାନରେ ମଣିଷ ରହନ୍ତି କିପରି ବୋଲି ଭାବିଚାଲିଲା ସେ ଅହରହ । ତା’ ସାଙ୍ଗକୁ ଡାକ୍ତରଙ୍କ ଘରେ ସୁଦୃଶ୍ୟ କୋଠରୀ—ଏୟାରକୁଲର, କାର୍ପେଟ, ଗଦି ଦେଖି ସେ ନିଃସଙ୍ଗ ହୋଇଗଲା କ୍ଷଣକ ମଧ୍ୟରେ ଏବଂ ତା’ର ନିଃଶ୍ୱାସ ରୁନ୍ଧି ହୋଇଗଲା ।

 

ମାତ୍ର ଡାକ୍ତର ଦାସଙ୍କର ଆତ୍ମବିଶ୍ୱାସ ବଢ଼ିଯାଇଥିଲା ସେତେବେଳେ । କୌଣସିମତେ ସୂତ୍ରଟିକୁ ସେ ପାଇବା ଉଚିତ । ଦରକାର ହେଲେ ବଳ ପ୍ରୟୋଗ କରାଯାଇପାରେ । ଅଥଚ ଡମା ସିଂ ଆଣିଚି କ’ଣ ? ଗୋଟାଏ ତୀକ୍ଷଣ ଟାଙ୍ଗିଆ ଏବଂ ଗଣ୍ଠିଲିରେ ଅଦ୍ଭୁତ ଜିନିଷ ଗୁଡ଼ାଏ । ଚେର, ଗଛର ଛାଲି, ପତ୍ର, ହାଡ଼, ଦାନ୍ତ ଏବଂ ଆବର୍ଜନା ଭଳି ଜଣାପଡ଼ୁଥିବା ଆହୁରି କେତେ କ’ଣ । ’

 

ରାତିରେ ଡମା ସିଂ ଖାଇଲା ନାଇଁ କିଛି । ଜିଦ୍ ଧରି ବସିଲା । ଚଞ୍ଚଳ କାମ ସାରି ସେ ଫେରିଯିବ, ତା’ ବାସସ୍ଥାନକୁ । ତା’ ମନରେ ସନ୍ଦେହ ଘନିଭୂତ ହେଉଥିଲା ଯେ, ତାକୁ ପ୍ରତାରିତ କରାଯାଇଛି ଏବଂ ସେ ବର୍ତ୍ତମାନ ଶୟନତାର ସୁଦୃଢ଼ ଜାଲ ଭିତରେ । ଅସ୍ଥିରତା ଓ ଆଶଙ୍କାର ସହିତ ସେ ଚେଷ୍ଟା କଲା ଝରକା, କବାଟ ଖୋଲିବା ପାଇଁ । ଅକୃତକାର୍ଯ୍ୟ ହୋଇ ସେ ବସିଲା ଚଟାଣ ଉପରେ ଏବଂ ଭାବିଲା, ଟାଙ୍ଗିଆ ସାହାଯ୍ୟରେ ଖଣ୍ଡ ଖଣ୍ଡ କରି କାଟିଦେବ ତାକୁ ଅବରୁଦ୍ଧ କରିଥିବା ଏ ଯନ୍ତାର ଫାଟକ ଏବଂ ପଳାଇଯିବ ଏଠୁ । କିନ୍ତୁ, ତା’ ଟାଙ୍ଗିଆ କାହିଁ ? ନା, ତା’ ଗଣ୍ଠିଲିଟି ମଧ୍ୟ ଦେଖାଯାଉନି । ଭୟ ଓ ବ୍ୟାକୁଳତାରେ ସେ ଯେପରି ଦରମଲା ହୋଇଯାଉଚି । ଡମା ସିଂ ନିରୂପାୟତାର ଲୁହ ଝରେଇବା ଆରମ୍ଭ କଲା ।

 

ପରଦିନ ସକାଳେ, ହସହସ ମୁହଁରେ ଡାକ୍ତର ଦାସ ଡମା ସିଂ ରୁମ୍ ଖୋଲିଲେ । କାର୍ପେଟ ଉପରେ, ଗୋଟାଏ କୋଣରେ ଇତସ୍ତତଃ ହେଉଥିବା ମଣିଷଟି ଚାହିଁଲା ଡାକ୍ତରଙ୍କ ଆଡ଼େ ଏବଂ ଧଡ଼ପଡ଼ ହୋଇ ଉଠିପଡ଼ିଲା । ଡାକ୍ତର ଟିକିଏ ପଛେଇଗଲେ ବିପଦର ଆଶଙ୍କା କରି । ଲୋକଟା ବାସ୍ତବିକ ଭୟାନକ ଦିଶୁଥିଲା । ବିପର୍ଯ୍ୟସ୍ତ କେଶ ଓ ଅନିଦ୍ରା, ଉପବାସ ଜନିତ କ୍ଲାନ୍ତି ତା’ର ଉତ୍କଣ୍ଠିତ, ଭୟାତୁର ମୁହଁଟାକୁ କଦାକାର କରିଦେଇଥିଲା ।

 

ତାଙ୍କୁ ଦେଖିବା କ୍ଷଣି ଜଙ୍ଗଲି ଲୋକଟି ପଚାରିଲା–‘‘ମୋ ଟାଙ୍ଗିଆ କାଇଁ ? ମୋ ଜିନିଷପତ୍ର ଗଲା କୁଆଡ଼େ ?’’

 

ଡାକ୍ତର ଦାସ ତାକୁ ପଚାରିଲେ, ଟଏଲେଟ୍‌ରେ କାମ ସାରି ସେ ଫେରିଲାଣି ନା, ନାଇଁ-। ବ୍ରେକ୍‌ଫାଷ୍ଟ ସେ କେତେବେଳେ ଖାଇବ । ବର୍ତ୍ତମାନ ତା’ର ବେଡ଼୍‌–ଟି ଦରକାର କି ? ସେ ବୋଧହୁଏ ନନ୍‌ଭେଜିଟେରିଏନ୍ ମିଲ୍ ପସନ୍ଦ କରିବ, ଇତ୍ୟାଦି । ଡ଼ଃ ଦାସ ଆଦୌ ପରିହାସ କରୁ ନ ଥିଲେ । ଲୋକଟାକୁ ସନ୍ତୁଷ୍ଟ କରିବା ତାଙ୍କର ଉଦ୍ଦେଶ୍ୟ ଥିଲା; ମାତ୍ର ଡମା ସିଂ ଆଗେଇ ଆସିଲା ଦ୍ୱାର ଆଡ଼େ ଏବଂ କହିଲା–‘‘ମୁଁ ଯାଉଚି । ଏଠାରେ ରହିବି ନାଇଁ ଆଉ ଦଣ୍ଡେ ।’’

 

କହିଲା ଏବଂ ଦ୍ୱାର ଆଡ଼େ ଆଗେଇଲା । ଅନେକ ସାହସ ସଂଗ୍ରହ କରି ଡାକ୍ତର ତା’ କାନ୍ଧ ଉପରେ ହାତ ପକାଇଲେ । ଅନୁନୟ କଲେ–‘‘ମା’’ କୁ ଟିକିଏ ଦେଖିବ ନାଇଁ ? ସେଇଥିପାଇଁ ତୁମକୁ ଅଣାଯାଇଚି ପରା !’’ କହିସାରି ପକେଟରୁ ବିଶାଳ ନୋଟ ବଣ୍ଡଲଟି ବାହାର କଲେ । ପଚାରିଲେ–‘‘ଦେଖୁଚ, ହାତରେ କ’ଣ ଧରିଚି ?’’

 

ଡମା ସିଂ ନୋଟ ବଣ୍ଡଲ୍‌ଟିକୁ ଭ୍ରୂକ୍ଷେପ କଲାନି । କିଛି ବୁଝି ନପାରିବା ଭଳି କ୍ଷଣେ ଚାହିଁଲା ଡାକ୍ତରଙ୍କ ମୁହଁକୁ । ସମସ୍ତ ପ୍ରତିଜ୍ଞା ଠୁଳ କରି କହିଲା–‘‘ବାଟ ଛାଡ଼ି ଦେ । ମୁଁ ଯିବି ।’’

 

ପ୍ରଚଣ୍ଡ କ୍ରୋଧ ଓ ବିରକ୍ତିକୁ ପ୍ରକାଶ କରିବାକୁ ନ ଦେଇ ଡାକ୍ତର ଆହୁରି ନରମ, ଆତ୍ମୋତ୍ସର୍ଗ ସ୍ୱରରେ କହିଲେ–‘‘ତୁମ ଔଷଧ ମୁଁ ନେଇ ଆସୁଚି ଏଠାକୁ । କ’ଣ କ’ଣ ଦରକାର ତୁମେ ବାଛ । ଏମିତି ଅବାଧ୍ୟ ହୁଅନି । ଆଉ । ଶୁଣ, ଏହାକୁ ଟଙ୍କା କୁହାଯାଏ । ମାମୁଲି କାଗଜ ନୁହେଁ ଏ । ଏହାଦ୍ୱାରା ତୁମେ ଯେ କୌଣସି ଜିନିଷ ନିଜ ଗୋଡ଼ ତଳକୁ ଆଣି ପାରିବ । ସହରରେ କୋଠା କରିପାରିବ, କାର୍ କିଣି ପାରିବ । ସ୍ତ୍ରୀ ପାଇଁ ଗହଣା, ଶାଢ଼ି କିଣି ପାରିବ । ଛୁଆମାନଙ୍କୁ ସର୍ବଶ୍ରେଷ୍ଠ କନ୍‌ଭେଣ୍ଟକୁ ପଠେଇ ପାରିବ । ଏମିତିକି କ୍ଷମତାଶାଳୀ ମନ୍ତ୍ରୀମାନେ ତୁମ ପାଖକୁ ଆସିବେ । ବୁଝିଲ ? ତୁମେ ନିଜର ପ୍ରତିଭାକୁ ସମ୍ମାନ ଦେଇ ଶିଖ, ଡମା । ପ୍ଲିଜ୍ ! ନିଜକୁ ଗୋଟେ ଅସଭ୍ୟ ଜଙ୍ଗଲ ଭିତରେ ଜମା ପକେଇ ରଖନା । ମୋ ସହିତ ସହଯୋଗ କର । ଏମିତି ପ୍ରଚୁର ଟଙ୍କା ଆପଣା ଛାଏଁ ଆସିବ, ତୁମ ପାଖକୁ । ଏତକ ନେଇଥାଅ, ବର୍ତ୍ତମାନ, ଆଡ଼୍‌ଭାନ୍‌ସ ବାବଦରେ-।’’

 

ଡମା ସିଂ କଣ ଭାବିଲା ଯେପରି ଏବଂ ଡାକ୍ତର ଉତ୍ସାହିତ ହେଲେ । ପଚାରିଲା–‘‘ତୁମ ମା’ କାଇଁ ? ତାକୁ ଆଗ ଦେଖିବା ଦରକାର । ତା’ ପରେ ଔଷଧ ତିଆରି ।’’

 

ମା’ କାଇଁ ? ପ୍ରଶ୍ନଟା କେହି ଜଣେ ପୁଣି ପଚାରିଲା ତାଙ୍କୁ । ସତରେ, ମା’ କାଇଁ ? ତାକୁ କ୍ୟାନ୍‌ସର କାହିଁକି, ସାମାନ୍ୟ ଶର୍ଦ୍ଦି ବି ହୋଇ ନ ଥିଲା । ସୁସ୍ଥ ଶରୀରରେ ତିରିଶ୍ ବର୍ଷ ହେଲା ମଲାଣି । ଏବେ ଗୋଟାଏ ମା’ ସେ ଆଣିବେ କେଉଁଠୁ ? ପୁଣି କ୍ୟାନ୍‌ସର ହୋଇଥିବା ମା’ ଜଣେ-? ଡାକ୍ତର ମନେପକେଇବାକୁ ଚେଷ୍ଟା କଲେ ଏଭଳି ରୋଗାକ୍ରାନ୍ତ ଯେକୌଣସି ବୁଢ଼ୀଜଣକୁ । ନା, ବର୍ତ୍ତମାନ ପରିସ୍ଥିତିରେ ଏମିତି ଦୁର୍ଲଭ ବୁଢ଼ୀ ଜଣେ କେଉଁଠି ଥିବାର ସେ ଅନ୍ତତଃ ଜାଣନ୍ତି ନାଇଁ-। ତେବେ, କରାଯିବ କ’ଣ ?

 

ବଦମାସ୍‌ଟା ପଳେଇ ଯିବା ପାଇଁ ଯେଉଁ ଜିଦ୍ ଧରିଚି, ତାକୁ ଅଟକେଇବା ସମ୍ଭବ ବୋଲି ଜମା ଜଣାପଡ଼ୁନି । ସେ ଚାହୁଁ ଥିଲେ, ଡମା ରହନ୍ତା ଏଠାରେ । ସେ କେତେ ଜଣ କ୍ୟାନ୍‌ସର ପେସେଣ୍ଟ ଯୋଗାଡ଼ କରନ୍ତେ । ଡମା ସେମାନଙ୍କୁ ଚିକିତ୍ସା କରନ୍ତା ଏବଂ ତାକୁ କହିଦିଅନ୍ତା, କେଉଁ କ୍ଷେତ୍ରରେ, କିଭଳି, କେଉଁ ଔଷଧ ପ୍ରୟୋଗ କରାଯିବା ଦରକାର । ନା, ରାସ୍କେଲ୍‌ଟା ବୁଝୁନି କିଛି ।

 

ଡାକ୍ତର ପ୍ରକୃତିସ୍ଥ ହେବାକୁ ଚେଷ୍ଟା କରୁ କରୁ କହିଲେ—‘‘ସେ କ’ଣ ଏଠାରେ ଅଛି ? ତାକୁ ଦେଖିବା ପାଇଁ ନର୍ସିଙ୍ଗ୍ ହୋମ୍ ଯିବାକୁ ପଡ଼ିବ ।’’ କହିସାରି ସେ ଜମା ଜାଣିପାରିଲେ ନି, ଲୋକଟା ଯଦି ସେଠାକୁ ଯିବା ପାଇଁ ରାଜି ହୁଏ, ତେବେ ସେ କରିବେ କ’ଣ । ସେଠାରେ ଆଦୌ କ୍ୟାନ୍‌ସର ପେସେଣ୍ଟ ନାହାନ୍ତି । ସେ ବିବ୍ରତ ହୋଇ ଚାହିଁଲେ ଡମା ସିଂ ଆଡ଼େ ଏବଂ ଗୋଟିଏ ପ୍ରଶ୍ନ ପ୍ରତିଧ୍ୱନିତ ହେବାର ଶୁଣିଲେ–‘‘କାହିଁକି ଏତେ କଷ୍ଟ କରି ଅବାଧ୍ୟ, ବଦ୍ଦୁ ଲୋକଟାକୁ ସେ ଆଣିଲେ ଏଠାକୁ ?’’

 

ତାଙ୍କ ଭାବନା ଭୁଷୁଡ଼ି ପଡ଼ିଲା, ଡମା ସିଂ କଥାରେ–‘‘କୋଉଠିକି ମୁଁ ଯିବିନି । ଏଇଠିକି ଆଣ୍ ତୋ ମା’କୁ । ନହେଲେ ବାଟ ଛାଡ଼ ।’’

 

ଶାଲା,କୁତ୍ତା କେଉଁଠିକାର ! ଅସ୍ପଷ୍ଟ ଚିତ୍କାର କରିଉଠିଲେ ଡାକ୍ତର ଦାସ । ଅଜାଣତରେ ତାଙ୍କର ହାତ ମୁଠା ହୋଇଗଲା । ଅନ୍ତତଃ ଗୋଟାଏ ଶକ୍ତ ଚାପୁଡ଼ା କଷି ଦେବାକୁ ସେ ଯାଉଥିଲେ ସେଇ ମୁହୂର୍ତ୍ତରେ ।

 

ମୁହଁ ଫେରାଇ ବାହାରି ଯାଉଥିଲେ ସେ କୋଠରୀରୁ । ହଠାତ୍ ଦେଖିଲେ, ତାଙ୍କର ଦୁଇ ହାତକୁ ଦୃଢ଼ତାର ସହିତ ଧରିବି ଡମା ସିଂ । କଠୋର ମୁହଁରେ କହୁଚି–‘‘ମୋତେ ଛାଡ଼ି ଦେ । ମୁଁ ଯିବି । ଏଇ, ବାହାରିଲି ଏଇକ୍ଷଣି ।’’

 

ଡାକ୍ତର ଅନୁଭବ କଲେ, ତାଙ୍କର ହାତ ଦୁଇଟି ଭାଙ୍ଗିଯାଉଚି ଡମା ସିଂ ହାତର ଚାପରେ-। ସେ ଆର୍ତ୍ତନାଦ କରିଉଠିଲେ ଅସହାୟତାରେ । ପାଞ୍ଚ–ଛ’ଜଣ ଚାକର, ପୂଝାରୀ ଧାଇଁଆସିଲେ ଘଟଣା ସ୍ଥଳକୁ । ଡାକ୍ତରଙ୍କ ନିର୍ଦ୍ଦେଶରେ, ବହୁ କଷ୍ଟରେ ତାକୁ ଭର୍ତ୍ତି କରି ଦିଆଗଲା ଯନ୍ତା ଭିତରେ ।

 

ଫୋନ୍ କରି ଡାକି ଆଣିଥିବା ସହରର ଏସ୍.ପି.ଙ୍କ ପାଖରେ ସମସ୍ତ ବିଷର୍ଣ୍ଣତାର ସହିତ ଡାକ୍ତର ଦାସ ଘଟଣାଟି ବର୍ଣ୍ଣନା କରୁଥିଲେ । ଗୋଟାଏ ଅମୂଲ୍ୟ ସୂତ୍ର ସୁବଦିନ ପାଇଁ ହାତଛଡ଼ା ହୋଇଯାଇପାରେ ବୋଲି ଆଶଙ୍କା କରି ସେ କ୍ଷୋଭ ପ୍ରକାଶ କଲେ ଏବଂ ଏସ୍.ପି.ଙ୍କ ସହାୟତା ପ୍ରାର୍ଥନା କଲେ । ସେ ବିଶ୍ୱାସ କରୁଥିଲେ ଯେ, ନିକଟରେ ଏସ୍.ପି.ଙ୍କ ମିସେସ୍ ତାଙ୍କ ନର୍ସିଙ୍ଗ୍ ହୋମ୍‌ରେ ଆରୋଗ୍ୟଲାଭ କରିଥିବା ଦୃଷ୍ଟିରୁ ତାଙ୍କ ଅନୁରୋଧ ସେ ରକ୍ଷା କରିବେ ।

 

ପାଇପ୍‌ରେ ଅଗ୍ନି ସଂଯୋଗ କରି ପୋଲିସ୍ ଅଫିସର ଜଣକ ପଚାରିଲେ–‘‘କିନ୍ତୁ ଏ ବ୍ୟାପାରରେ ମୋଠାରୁ କିଭଳି କୋଅପରେସନ ଆପଣ ଆଶା କରୁଚନ୍ତି ?’’

 

ଡାକ୍ତର ଦାସ ଚାହିଁଲେ ଚାରିଆଡ଼କୁ । ତାଙ୍କ କଥା କେହି ଶୁଣୁ ନାହାନ୍ତି ବୋଲି ନିଶ୍ଚିତ ହେବା ପାଇଁ ନିମ୍ନ ସ୍ୱରରେ କହିଲେ–‘‘ସ୍କାଉଣ୍ଟ୍ରେଲ୍‌ଟାକୁ ଗୋଟେ ମିଛ ମକଦ୍ଦମାର ଆସାମୀ ବନେଇ ଦିଅନ୍ତୁ । ସାକ୍ଷୀ ଓ ଆନୁସଙ୍ଗିକ ତଥ୍ୟ ମୁଁ ଯୋଗେଇ ଦେବି । ଭର୍ତ୍ତି କରି ଦିଅନ୍ତୁ ହାଜତରେ-। ଶଳାକୁ ଚଢ଼ାନ୍ତୁ ମାଡ଼ । ମୋ ସହିତ ସହଯୋଗ କରିବା ପାଇଁ ମଙ୍ଗିବା ପୂର୍ବରୁ ବାଷ୍ଟାର୍ଡ଼ଟାକୁ ଜମା ଛାଡ଼ନ୍ତୁ ନାଇଁ ।’’

 

ଏସ୍.ପି. ହସିଲେ ଏକ ବୋଧଗମ୍ୟ ହସ । ସୂଚେଇଦେଲେ ଯେ, ନର୍ସିଙ୍ଗ ହୋମ୍‌କୁ ଆସିଲେ କେହି ମୋଫତ୍‌ରେ ଔଷଧ ଟୋପାଏ ପାଏ ନାଇଁ । ଜଣେ ନିରୀହ ଲୋକଟାକୁ ଖାଲିଟାରେ ସେ କଲବଲ କରିବେ କାହିଁକି ? ଡାକ୍ତର ଦାସ ତତ୍‌କ୍ଷଣାତ୍ ହସର ତାତ୍ପର୍ଯ୍ୟ ବୁଝି ପାରିଲେ ଏବଂ କହିବା ବାହୁଲ୍ୟ, ଏଥିପାଇଁ ସେ ପ୍ରସ୍ତୁତ ବି ଥିଲେ ।

 

ସେଇ ଦିନ ଡମା ସିଂ ହାତକଡ଼ା ପିନ୍ଧି ଡାକ୍ତରଙ୍କ ଐଶ୍ୱର୍ଯ୍ୟମୟ, ତା’ପାଇଁ ଆଗ୍ରହୀ ଅତିଥିପରାୟଣ ପ୍ରାସାଦ ଛାଡ଼ିଲା ଏବଂ ଗୋଟାଏ ଅନ୍ଧାରୁଆ, ଦୁର୍ଗନ୍ଧମୟ, ଅସ୍ୱାସ୍ଥ୍ୟକର ହାଜତ ଭିତରେ ପ୍ରବେଶ କଲା ।

 

କ୍ୟାଣ୍ଟିନ୍‌ଓ୍ୱାଲାଙ୍କ କାର ପୋଲିସ୍ କମିଶନରଙ୍କର ରେସିଡ଼େନ୍‌ସରେ ପହଞ୍ଚିଲା ରାତି ଆଠଟା ବେଳେ । ଆପଏଣ୍ଟମେଣ୍ଟ ଧାର୍ଯ୍ୟ ହୋଇଥିଲା ଆଗରୁ । ବସ୍ତୁତଃ ସାହେବ ଶିଳ୍ପପତିଙ୍କୁ ହିଁ ଅପେକ୍ଷା କରୁଥିଲେ ।

 

–‘‘ସାର୍, ବ୍ୟାପଟା ଏଇଭଳି ।’’ ବିନା ଉପକ୍ରମଣିକାରେ କ୍ୟାଣ୍ଟିନ୍‌ଓ୍ୱାଲା ଆରମ୍ଭ କଲେ । କହିଚାଲିଲେ ଡମା ସିଂ ଓ ଡାକ୍ତର ଦାସଙ୍କୁ ନେଇ ସୃଷ୍ଟି ହୋଇଥିବା କାହାଣୀଟି ।

 

–‘‘ଆଇ ସି ।’’ ସ୍ୱଭାବ ସୁଲଭ ଗମ୍ଭୀର ସ୍ୱରରେ କମିଶନର କହିଲେ ଏବଂ ପଚାରିଲେ–‘‘ଏଥିପାଇଁ ଆପଣ ଏତେ ଆଗ୍ରହୀ ହେବାର କାରଣ କ’ଣ ?’’

 

–‘‘ୟୁ ସି, ସାର୍ ! କୌଣସି କଥା ଲୁଚେଇ ରଖିବା ମୁଁ ଚାହୁଁନି ।’’ ଶିଳ୍ପପତି ସହଜ ସ୍ୱରରେ କହିଚାଲିଲେ–‘‘ଆପଣଙ୍କୁ କହିଚି, ଡମା ସିଂ ମୋତେ ଆରୋଗ୍ୟ କରିଥିଲା । ଯେଉଁ କ୍ୟାନ୍‌ସର ସେଣ୍ଟରକୁ ଚିକିତ୍ସା ପାଇଁ ଯାଇଥିଲି, ସେଠାକୁ ଡମା ସିଂ ସଂକ୍ରାନ୍ତରେ ଚିଠି ଲେଖିଥିଲି । ସେଠାକାର ସ୍ୱୟଂ ଡାଇରେକ୍‌ଟର ଆସି ପହଞ୍ଚିଯାଇଥିଲେ ମୋ ଘରେ, ଡମା ସିଂଙ୍କୁ ସାକ୍ଷାତ କରିବା ପାଇଁ । ଦୁର୍ଭାଗ୍ୟବଶତଃ ୟା ପୂର୍ବରୁ ସେ ବଜ୍ଜାତ ଡାକ୍ତର ଦାସଙ୍କୁ ମଧ୍ୟ ଡମା ସିଂ କଥା କହିଦେଇଥିଲି । ଡାଇରେକ୍‌ଟରଙ୍କୁ ଧରି ଡମା ସିଂ ପାଖରେ ଯାଞ୍ଚହେଲା ବେଳକୁ ତାକୁ କିଡ଼୍‌ନାପ୍ କରି ନିଆଯାଇଚି । ବିଚରା ବର୍ତ୍ତମାନ ହାଜତରେ । ଲୋକଟାକୁ ଏମିତି ଅନ୍ୟାୟ ଭାବରେ ଅତ୍ୟାଚାର କରିବା ଠିକ୍ ନୁହେଁ ।’’ ସମବେଦନାରେ ଶିଳ୍ପପତିଙ୍କ ମୁହଁ ଓଦା ହୋଇଗଲା ଯେମିତି ।

 

କମିଶନର ଟିକିଏ ଚିନ୍ତାଶୀଳ ହୋଇପଡ଼ିଲେ । କହିଲେ–‘‘ହୁଁ । ମାତ୍ର ଡମା ସିଂ ଆପଣଙ୍କ ଡାଇରେକ୍‌ଟରଙ୍କ ସହିତ ସହଯୋଗ କରିବ ବୋଲି ମୁଁ ବିଶ୍ୱାସ କରୁନି । ଲୋକଟା ଭିନ୍ନ ମିଜାଜ୍‌ର ଭଳି ଜଣାପଡ଼ୁଚି ।’’

 

–‘‘ଦାଟ୍ ଡଜ୍ ନଟ୍ ମାଟର୍ !’’ କହିଲେ କ୍ୟାଣ୍ଟିନ୍‌ଓ୍ୱାଲା ‘‘ଲୋକଟାର ମୁକ୍ତି ଦରକାର । ମୁଁ ଚାହେଁ ସେ ମୁକ୍ତ ହୋଇସାରୁ । ତା’ପରେ ଆମେ ଅନ୍ୟ ବାଟର ଆଶ୍ରୟନେବୁ ।’’

 

କମିଶନର ହସିଲେ । ବୁଝିପାରିଲେ ଯେ, ଜଣେ ନିଷ୍କପଟ, ନିଜ ସଂପର୍କରେ ଅଜ୍ଞ ଲୋକକୁ କେନ୍ଦ୍ର କରି ଚାଲିଥିବା ଶ୍ୱାନ ଯୁଦ୍ଧ ଏତେ ଚଞ୍ଚଳ ଶେଷ ହେବାର କୌଣସି ସମ୍ଭାବନା ନାଇଁ-। ସେ ଚାହିଁଲେ ଶିଳ୍ପପତିଙ୍କ ଆଡ଼େ ଏବଂ ହସିଲେ ଏକ ତାତ୍ପର୍ଯ୍ୟପୂର୍ଣ୍ଣ; ଅଥଚ ବୋଧଗମ୍ୟ ହସ-। କହିବା ବାହୁଲ୍ୟ, ଏଥିପାଇଁ କ୍ୟାଣ୍ଟିନ୍‌ଓ୍ୱାଲା ପ୍ରସ୍ତୁତ ହୋଇ ଆସିଥିଲେ ।

 

ରାତି ବାରଟାବେଳେ ଡମା ସିଂ ଆବିଷ୍କାର କଲା ଯେ ତା’ ଚାରିପଟେ ସୁଦୃଢ଼ କାନ୍ଥ ନାଇଁ । ମୋଟା ଲୁହା ରେଲିଂ ଲଗାଯାଇଥିବା ଶକ୍ତିଶାଳୀ କବାଟ ନାଇଁ । ଉତ୍କଟ ଗନ୍ଧ ନାଇଁ । ଅନ୍ଧକାର ନାଇଁ । ସେ ବିଶ୍ୱାସ କରିପାରିଲାନି ନିଜର ମୁକ୍ତ ଅବସ୍ଥିତିକୁ । ଡରିଗଲା । ଚାହିଁଲା ଚାରିଆଡ଼କୁ, କାଳେ ତାକୁ ପୁଣି ଧରିନିଆ ଯିବ ଏଇ ମାତ୍ର ଛାଡ଼ିଥିବା ପଞ୍ଜରା ଭିତରକୁ । ସେ ପାଦେ, ଦୁଇପାଦ ଆଗେଇଲା ପୁଣି ଠିଆହେଲା । ନା, କିଛି ଘଟୁନି । ଆଉ କିଛି ଅପ୍ରୀତିକର ନାଇଁ-

 

ଦିନେ, ଦୁଇଦିନ ହେଲା ତାକୁ ନେଇ କ’ଣ ସବୁ ଘଟିଯାଉଚି ତା’ଭଳି ଅସଭ୍ୟ, ଜଙ୍ଗଲି ଲୋକ ବୁଝିପାରନ୍ତା ବା କିପରି ? କେବଳ ସେ ଅନୁଭବ କରୁଥିଲା ଯେ ଗୋଟାଏ ଅହେତୁକ ହିଂସ୍ରତା ଓ ନିର୍ମମତାର ଝଡ଼ ବହିଯାଉଚି ତା’ଉପରେ । ଏଭଳି ହିଂସ୍ରତା ସେ ଦେଖି ନ ଥିଲା ୟା ପୂର୍ବରୁ । ଏଠାରେ ଦେଖୁଥିବା ସବୁ ମଣିଷଙ୍କ ମୁହଁ ଏକାଭଳି ଜଣା ପଡ଼ୁଥିଲା–ଉଦ୍ଭଟ ଓ ଅପରିଚ୍ଛନ୍ନ-

 

ସେ ଦୁଇ ହାତରେ ଅନୁଭବ କରିବାକୁ ଚେଷ୍ଟାକଲା ନିଜ ଦେହକୁ । ଅସହ୍ୟ ଯନ୍ତ୍ରଣା ସବୁଆଡ଼େ । କେତେକ ସ୍ଥାନ ମାରାତ୍ମକ ଭାବରେ ଫୁଲିଯାଇଚି ନିସ୍ତୁକ ମାଡ଼ରେ । ସେ ଆକାଶକୁ ଚାହିଁଲା । ଆଶ୍ଚର୍ଯ୍ୟ ହେଲା ଯେ, ଏ ଆକାଶ ତା’ର ନିଜର ଭଳି ଜଣାଯାଉଚି–ଅନ୍ତରଙ୍ଗ ଓ ସମୀପବର୍ତ୍ତୀ । ପଛକୁ ଚାହିଁ ଦେଖିଲା, କିଛିକ୍ଷଣ ପୂର୍ବେ ସେ ବନ୍ଦୀହୋଇଥିବା ସ୍ଥାନଟା ଅଟ୍ଟହାସ୍ୟ ଓ ନୃଶଂସ ଆଖି ନେଇ ତାର ଗତିବିଧି ଲକ୍ଷ୍ୟ କରୁଚି । ଜଣେ ସର୍ବହରା, ଛେଉଣ୍ଡ ଭଳି ସେ କାନ୍ଦି ପକାଇଲା । ତା’ର ମନେହେଲା, ବୋଧହୁଏ ଆଉ ତାର ମୁକ୍ତି ନାଇଁ ।

 

ମୋହମୁକ୍ତି, ସହନଶୀଳତାର ପ୍ରତୀକଟିଏ ଭଳି ସେ ଚାଲିବା ଆରମ୍ଭ କଲା । କେଉଁବାଟେ ଯିବ ସେ ? ସବୁ କୁଟିଳ, କଣ୍ଟକିତ ଯେମିତି । କେବଳ ଏତିକି ମନେଅଛି ଯେ, ଏଠାରୁ ବହୁ ଦୂରରେ ତା’ ଘର । ସେଠାକୁ ଯିବାପାଇଁ ତା’ର ଚିହ୍ନା ବାଟନାଇଁ । ତା’ ସତ୍ୱେ କେହି ଯେପରି ତାକୁ ଆଗକୁ ଟାଣିନେଲା । ନିଜକୁ ରକ୍ଷା କରିବା ସକାଶେ ସେ ଉଦ୍‌ବିଗ୍ନ ହୋଇପଡ଼ିଲା । ଏ ସ୍ଥାନ ଚଞ୍ଚଳ ଛାଡ଼ି ନିଜ ପାଖକୁ ଫେରିଯିବାପାଇଁ ସେ ହୋଇପଡ଼ିଲା ବ୍ୟାକୁଳ, ଆତୁର ।

 

ଡାକ୍ତର ଦାସ ନିର୍ବାକ୍ ହୋଇ ଦେଖୁଥାନ୍ତି ତୀକ୍ଷଣ ଟାଙ୍ଗିଆକୁ ଏବଂ ଟେବୁଲ ଉପରେ ଖୋଲା ହୋଇ ପଡ଼ିଥିବା ଗଣ୍ଠିଲି ଭିତରର ଯାବତୀୟ ଜିନିଷକୁ । ସବୁ ଅବୋଧ୍ୟ, ଗୋଟାଏ ବିଶାଳ ରିଡ଼ିଲ୍ । ସବୁ ଯେମିତି କ୍ୟାନ୍‌ସର ଭଳି ସଭ୍ୟ ମଣିଷର ଶକ୍ତି ଓ ଜ୍ଞାନ ବହିର୍ଭୁତ । ତଥାକଥିତ ଔଷଧ ଗଣ୍ଠିଲିଟି କ୍ରମେ ରୂପାନ୍ତରିତ ହୋଇଯାଇଥିଲା ଗୋଟାଏ ଶବରେ । ଏହାକୁ ଜୀବନ୍ୟାସ ଦେବାପାଇଁ ମନ୍ତ୍ର ଜାଣିଥିବା ମଣିଷଟି ନାହିଁ ତାଙ୍କ ପାଖରେ । ଏସବୁ ଔଷଧ ଏଠାରେ ରହି ପଚିବ; କ୍ୟାନ୍‌ସର ଦ୍ୱାରା ଆକ୍ରାନ୍ତ ମାଂସ ପଚିବାଭଳି । ସେ ଅସହାୟ ହୋଇ ଦେଖୁଥିବେ, ତାଙ୍କର ବୁଦ୍ଧି–ବିଦ୍ୟା ଜଖମ ହୋଇଯାଉଥିବ; ମାତ୍ର ଡମା ସିଂ ଫେରିଆସି କହିବ ନାଇଁ କେଉଁ ଜିନିଷ କିଭଳି ପ୍ରୟୋଗ କରାଯିବ ଦୁର୍ଦ୍ଧର୍ଷ ରୋଗ ବିରୁଦ୍ଧରେ । ନ୍ୟୂନବୋଧ ଓ ପରାଜୟରେ ସେ ପୀଡ଼ିତ ହେବାକୁ ଲାଗିଲେ ।

 

ଏତେ ରାତିରେ ଚାକର ଆସି ଖବର ଦେଲା–‘‘କ୍ୟାଣ୍ଟିନ୍‌ଓ୍ୱାଲା ବୋଲି ଜଣେ ଲୋକ ଆପଣଙ୍କୁ ଦେଖା କରିବାକୁ ଚାହାନ୍ତି । କହୁଚନ୍ତି, ଭାରି ଜରୁରୀ କାମ ଅଛି । ଆପଣଙ୍କ ପାଇଁ କ’ଣ ଶୁଭ ଖବର ଆଣିଛନ୍ତି ।’’

 

କ୍ୟାଣ୍ଟିନ୍‌ଓ୍ୱାଲା ! ଡାକ୍ତର ଚଞ୍ଚଳ ହୋଇପଡ଼ିଲେ । ଘୃଣା ଓ କ୍ରୋଧରେ ଦାନ୍ତ କଡ଼ମଡ଼କରି ପ୍ରାୟ ଚିତ୍କାରକରି ଉଠିଲେ–‘‘କହିଦେ, ଦେଖା ହୋଇପାରିବନି । ଶୁଣ୍, ଆହୁରି କହିବୁ, ଭବିଷ୍ୟତରେ ମୋତେ ବିରକ୍ତ କରିବାପାଇଁ ସେ ଏଠାକୁ ନ ଆସନ୍ତି ଯେମିତି ।’’

Image

 

Unknown

ବିପନ୍ନ ହୃଦୟ

 

କାର୍ଡ଼ିଓଲଜିଷ୍ଟ ଅଶୋକ ଚାହିଁଲା ରଞ୍ଜନ ଆଡ଼େ ଏବଂ ସ୍ମିତ ହସିଲା । ସେ ହସିଲା ରଞ୍ଜନର ଉଦ୍‌ବିଗ୍ନତା ଓ ଆଶଙ୍କାଗ୍ରସ୍ତ ଉତ୍କଣ୍ଠାକୁ ଟିକିଏ ହାଲୁକା କରିବା ପାଇଁ । ସେ ଚାହୁଁଥିଲା, ଅତୀତର ଘନିଷ୍ଠ ବନ୍ଧୁ ରଞ୍ଜନ, ସେ ଘୋଷଣା କରିବାକୁ ଯାଉଥିବା ଆପାତତଃ ପ୍ରତିକୂଳ, ଅପ୍ରିୟ କଥାଟିକୁ ସହଜ ଭାବରେ ଗ୍ରହଣ କରିନେଉ ।

 

ପଚାରିଲା–‘‘ତୋରି ଏଇଟି ପ୍ରଥମ ଝିଅ ପରା ?’’

 

ରଞ୍ଜନ ଚେଷ୍ଟାକଲା ହସିବାକୁ । କହିଲା–‘‘ପ୍ରଥମ ଆଉ ବର୍ତ୍ତମାନ ପର୍ଯ୍ୟନ୍ତ ଏକମାତ୍ର ସନ୍ତାନ ।’’

 

–‘‘ହଁ... ।’’ କିଛି ସମୟ ପାଇଁ ଗମ୍ଭୀର ହୋଇ ଅଶୋକ ଚିନ୍ତିତ ହୋଇପଡ଼ିଲା । କଥାଟା କେମିତି ଭାବରେ ଆରମ୍ଭ କରାଯିବା ଦରକାର ତାହା ସେ ଭାବି ପାରୁ ନଥିଲା ଆଦୌ । ଡାକ୍ତରର ଘୋଷଣା ଏବଂ ରୋଗୀର ଇଚ୍ଛା ମଧ୍ୟରେ ବେଳେବେଳେ ଯଥେଷ୍ଟ ବ୍ୟବଧାନ ରହିଯାଏ । ଏ ଦୁଇଟି କେବେ କିପରି ବିପରୀତାଭିମୁଖୀ ହୋଇପଡ଼ନ୍ତି ମଧ୍ୟ । ରୋଗୀର ଇଚ୍ଛା ନିର୍ବିକାର, ଉଦାର ଭାବରେ ଗ୍ରହଣ କରିପାରେନି ଘୋଷଣାଟିକୁ । ତଥାପି ସେ ଆରମ୍ଭ କଲା–‘‘ଡାକ୍ତର ଜଣକ ବି କିଛି କମ୍ ଅସହାୟ ମଣିଷଟିଏ ନୁହେଁ, ରଞ୍ଜନ । ସେ ଗୋଟାଏ ନିର୍ଦ୍ଧାରିତ ସମ୍ଭାବନାର ପରିଧି ଭିତରେ ହିଁ ସୀମିତ । କିଛି ଅଲୌକିକ, କୁହୁକ ପ୍ରସୂତ କାମ କରିବା ସମ୍ଭବ ନୁହେଁ ତା ପକ୍ଷେ ।’’

 

କହିସାରି କିଛି ସମୟ ପାଇଁ ଦମ୍ ନେଲା ସେ । ରଞ୍ଜନର ଶିରା–ପ୍ରଶିରା ଅଧିକ ଓଜନ ଧରିରଖିବା ଅବସ୍ଥାରେ ନ ଥିଲେ ସେତେବେଳେ । ଯାହାହେଉ ପଛେ, କଥାଟା ପରିଷ୍କାର ଭାବରେ ତାକୁ କହିଦେବା ଉଚିତ୍‍ । ତା’ର ଉତ୍କଣ୍ଠା ସୀମା ଲଙ୍ଘନ କରିବା ଉପରେ । ଅଶୋକର ଦୀର୍ଘ ଉପକ୍ରମଣିକାକୁ ସେ ଭଲ ପାଇପାରିଲାନି । ତାକୁ ବିଦ୍ରୂପ କଲାଭଳି କହିଲା—‘‘ମୁଁ ଠିକ୍ ଭାବରେ ଜାଣି ପାରୁଚି ଯେ, ଝିଅ ସଂକ୍ରାନ୍ତରେ ତୋ ଘୋଷଣାଟି ମୋତେ ସୁହେଇଲା ଭଳି ହେବନି । ମାତ୍ର ସେଥିପାଇଁ ତୁ ଏତେଟା ବିବ୍ରତ ହେବାର କୌଣସି ମାନେ ନାଇଁ, ଅଶୋକ । ତା’ର ସମ୍ଭାବିତ ଭବିଷ୍ୟତକୁ ଗ୍ରହଣ କରି ନେବାପାଇଁ ମୁଁ ପ୍ରକୃତରେ ପ୍ରସ୍ତୁତ । ବିଲିଭ୍ ମି ।’’

 

ତେବେ ରଞ୍ଜନର କଣ୍ଠ ସ୍ୱରରେ ଗୋଟାଏ ଆତୁରତା ଲୁଚି ରହିଥିଲା । ହୁଏତ ଏକ ତୀବ୍ର ଅଭିମାନ ବି ରହିଥିଲା ତା’ ଭିତରେ । ତା କଥା ସୂଚେଇ ଦେଉଥିଲା ତା’ ଦୁର୍ବଳତା । ତାହା ଥିଲା ଗୋଟାଏ ରକ୍ତାକ୍ତ ହୃଦୟର ରଙ୍ଗ । ବେଶି ସମୟ ପର୍ଯ୍ୟନ୍ତ ଘୋଷଣାଟିକୁ ଅଟକାଇ ରଖିବା ଠିକ୍ ହୋଇ ନ ଥାନ୍ତା । କହିଲା–‘‘ଝିଅର ହୃତ୍‌ପିଣ୍ଡ ନିହାତି ଦୁର୍ବଳ ।’’

 

ରଞ୍ଜନ ଯେ ଏଇକଥା ଆଗରୁ ନ ଶୁଣିଥିଲା ତା’ ନୁହେଁ । ଯେଉଁ ଗାଁର ବେସରକାରୀ ହାଇସ୍କୁଲରେ ସେ ଶିକ୍ଷକତା କରେ ସେଠାରେ ଅବସ୍ଥାପିତ ହୋଇଥିବା ଡାକ୍ତରଖାନାର ଡାକ୍ତର ମଧ୍ୟ କହିଥିଲେ ଏ କଥା ଏବଂ ପ୍ରସ୍ତାବ ଦେଇଥିଲେ ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ପାଇଁ, ହୁଏତ ଭଲ ହୋଇଯାଇପାରେ ବୋଲି ଅନିଶ୍ଚିତ ଆଶ୍ୱାସନା ଶୁଣେଇ ଥିଲେ ତାକୁ । ସଦ୍ୟ ବିଦେଶରୁ ଉଚ୍ଚ ଶିକ୍ଷାପାଇ ଫେରିଥିବା ଅଶୋକ ବି କହୁଚି ସେଇ କଥା । ସେ କେବଳ ଚାହିଁରହିଲା ତା’ ମୁହଁକୁ ପରବର୍ତ୍ତୀ କଥା ଶୁଣିବା ପାଇଁ ।

 

ଅଶୋକ କହିଚାଲିଲା–‘‘କୌଣସି ଅପରେସନ୍ ଏହାକୁ ଠିକ୍ କରିପାରିବ ବୋଲି ମୋର ବିଶ୍ୱାସ ହେଉନି । ଏମିତି ଅପରେସନ ଅବଶ୍ୟ ହେଉଚି, ଆମ ଦେଶରେ ମଧ୍ୟ । ଶତକଡ଼ା ଗୋଟେ–ଦୁଇଟା କେଶ୍ ମାତ୍ର କୃତକାର୍ଯ୍ୟ ହୁଏ ।’’

 

ଗୋଟାଏ ଗରମ ଢେଉ ବ୍ୟାପିଗଲା ରଞ୍ଜନ ଦେହସାରା । ପଚାରିଲା–‘‘ଯଦି ଝିଅର ଅପରେସନ କରାଯାଏ, ତେବେ କୃତକାର୍ଯ୍ୟର ସମ୍ଭାବନା ଅଛିବୋଲି ତୁ ଭାବୁଚୁ କି ?’’

 

ଅଶୋକ କେଶ ଭିତରେ ଆଙ୍ଗୁଳି ସଞ୍ଚାଳନ କଲା । ଅପ୍ରତିଭ, ଅସହାୟ ହରା ହସି କହିଲା—‘‘ଆଗତୁରା କହିବା ମୁଷ୍କିଲ । ତେବେ ଏ କଥା ସତ ଯେ, ଝିଅର ହୃତ୍‌ପିଣ୍ଡ ହତାଶ ଜନକଭାବେ ଦୁର୍ବଳ । ଆମ ମେଡ଼ିକାଲ କଲେଜରେ ଏ ଭଳି ଅପରେସନ ପାଇଁ ଉନ୍ନତ ଯନ୍ତ୍ରପାତି ବି ନାଇଁ । କେଜାଣି, କାର୍ଡ଼ିଓଲଜିକାଲ ଇନ୍‌ଷ୍ଟିଚ୍ୟୁଟ୍‌ରେ ଏହା ହୋଇପାରେ ।’’

 

ରଞ୍ଜନ ସମ୍ପୂର୍ଣ୍ଣ ହତାଶ ହୋଇପଡ଼ିଲା । ତଥାପି କଥାଟିକୁ ଭଲ ଭାବରେ ଜାଣିବା ସକାଶେ ପଚାରିଲା—‘‘ସେଠାକୁ ନେଇ ଅପରେସନର ବ୍ୟବସ୍ଥା କଲେ ଅନ୍ୟୂନ କେତେ ଟଙ୍କା ଖର୍ଚ୍ଚ ହୋଇପାରେ ବୋଲି ତୁ ଭାବୁଚୁ ? ମୁଁ ଦୁଃଖିତ, ଏ ସଂକ୍ରାନ୍ତରେ ମୋର କୌଣସି ଧାରଣା ନାଇଁ ।’’

 

ଅଶୋକ ଅନ୍ୟଆଡ଼େ ଚାହିଁଲା । ପ୍ରାୟ ମନକୁ ମନ କହିଲା—‘‘କେତେ ଟଙ୍କା ?’’ ମନ ଭିତରେ କିଛି ହିସାବ କରି କହିଲା—‘‘ଅନ୍ୟୂନ ଦଶ ହଜାର ଟଙ୍କାରୁ ନିଶ୍ଚୟ କମ୍ ନୁହେଁ । ତା ଛଡ଼ା ଏଭଳି ସବୁ କେଶ୍ ସେମାନେ ଅପରେସନ୍ ଥିଏଟରକୁ ପଠାନ୍ତି ନାଇଁ । ଯେଉଁଠି ସମ୍ଭାବନା ଆଦୌ ନ ଥାଏ, ସେ କେଶ୍ ଫେରେଇ ଦିଅନ୍ତି ସେମାନେ ।’’

 

ଦଶ ହଜାର ଟଙ୍କା ! ରଞ୍ଜନ ଆହୁରି ଛୋଟ ଓ ନିପାରିଲା ହୋଇଗଲା ଏଇ କଥା ଶୁଣି-। ଏତେ ଟଙ୍କା ? ଦୁଇ–ତିନି ବର୍ଷର ଝିଅ ସଂକ୍ରାନ୍ତରେ ତା’ର ସମସ୍ତ ଯୋଜନା ବିପର୍ଯ୍ୟସ୍ତ ହୋଇଗଲା । ଅସମ୍ଭବ । ଏତେ ଟଙ୍କା ସେ ପାଇବ କେଉଁଠୁ ? କରୁଣ ମୂର୍ଚ୍ଛନା ସୃଷ୍ଟି ହେଲା ତା’ ହୃଦୟରେ, ଚେତନାରେ । ସେ ଅଭିଭୂତି, ଅଣନିଃଶ୍ୱାସୀ ହେବାଭଳି ବୋଧକଲା । ଅନେକ ସମୟ ପର୍ଯ୍ୟନ୍ତ ସେ ଚାହିଁରହିଲା ଟେବୁଲ ଉପରକୁ । ପଚାରିଲା–‘‘ମନେକର, ମୋ ଝିଅକୁ ସେମାନେ ସେଇଭଳି ଫେରାଇ ଦେଲେ । ତେବେ ?’’

 

ଅତୀତର ଅନ୍ତରଙ୍ଗ ବନ୍ଧୁର ଏଇ ଅସହାୟ ପ୍ରଶ୍ନଟି ଡାକ୍ତରକୁ ଯନ୍ତ୍ରଣା ଦେଲା ଅସମ୍ଭବ ଭାବରେ । ତା’ ପ୍ରତି ସହାନୁଭୂତିରେ ସେ ବିଗଳିତ ହୋଇ ପଡ଼ିଲା । ତାକୁ ଚାହିଁ କହିଲା–‘‘ତେବେ ଆଉ କ’ଣ ? ଘରକୁ ନେଇ ଆସି ଅପେକ୍ଷା କରିବା କଥା ।’’

 

ଅପେକ୍ଷା କରିବା କଥା । ରଞ୍ଜନ ବୁଝି ପାରିଲା କଥାଟାର ତାତ୍ପର୍ଯ୍ୟ । ଅପେକ୍ଷା କରିବା କଥା ଦୁର୍ବଳ ହୃତ୍‌ପିଣ୍ଡ ସଂପନ୍ନ ମଣିଷଟି ମରିଯିବା ପର୍ଯ୍ୟନ୍ତ । ମାତ୍ର ଏଭଳି ମୃତ୍ୟୁ କେବେ ଆସେ ? ବିଚଳିତ ହୋଇପଡ଼ିଲା ରଞ୍ଜନ ।

 

ଦୀର୍ଘ ସମୟ ପର୍ଯ୍ୟନ୍ତ ନୀରବତା । ଅନ୍ୟମନସ୍କ ରଞ୍ଜନକୁ ଦେଖିଲା ଅଶୋକ । ଅତୀତର ରଞ୍ଜନ ସହିତ ଏ ଲୋକଟିର କେଉଁଠି ସାଦୃଶ୍ୟ ରହିଚି ? ଚିହ୍ନଟ କରିବାକୁ ଚେଷ୍ଟା କଲା ସେ । ଗୋଟାଏ ଝାଳୁଆ, ନିଷ୍ପ୍ରଭ ମୁହଁ । ଦୁଇ ତିନି ଦିନ ହେବ ଦାଢ଼ି ପରିଷ୍କାର ହୋଇ ନ ଥିବା ଗାଲ । ଆପାତତଃ କୋଟରଗତ ଆଖି । ଖାଲୁଆ ଗାଲ । ହନୁ ହାଡ଼ ବାହାରି ପଡ଼ୁଚି ଅନାଟନ ଓ ଚିନ୍ତାଗ୍ରସ୍ତତାର ସୂଚନା ଦେଇ । ମଳିନ ଚମଡ଼ା ।

 

ଅଥଚ ଏଇ ଲୋକଟିର ଥିବା ଏତେ ସମ୍ଭାବନା ହଜିଗଲା କେଉଁଆଡ଼େ ? କାଣିଚାଏ ତ ରଖିପାରିଥାନ୍ତା । ଏକଦା ଜଣେ ସଫଳ ଡିବେଟର ଓ ଛାତ୍ରନେତାକୁ ସମୟ ଘୋଷାରି ନେଇ କେଉଁଠି ରଖିଲାଣି, ଦେଖ ।

 

ଛାତ୍ରନେତା ଭାବରେ ଦୁଇ ଦୁଇଟି ଧର୍ମଘଟ ଦକ୍ଷତାର ସହିତ ପରିଚାଳନା କରିଥିଲା ଏଇ ରଞ୍ଜନ । ସେତେବେଳେ ସେ ଅବଶ୍ୟ ଶେଷ ବର୍ଷ ଡାକ୍ତରୀ ଛାତ୍ର । ମାତ୍ର ଆଶଙ୍କା ଓ କୌତୁହଳର ସହିତ ସେ ଲକ୍ଷ୍ୟ କରୁଥିଲା ରଞ୍ଜନର କାର୍ଯ୍ୟକଳାପ । ସେ ଆତଙ୍କିତ ହୋଇଥିଲା ଯେ ନିଜର ଶକ୍ତି ଓ ସମୟକୁ ଏଇଭଳି ବଦଖର୍ଚ୍ଚ କଲେ, ପରୀକ୍ଷାରେ ରଞ୍ଜନ ଭଲ କରିପାରିବନି । ଧର୍ମଘଟ ଶେଷ ହୋଇଯିବ । ସ୍ୱାଭାବିକ ବାତାବରଣ ଫେରି ଆସିବ ଶିକ୍ଷାନୁଷ୍ଠାନକୁ; ମାତ୍ର ରଞ୍ଜନଠାରୁ ହାତଛଡ଼ା ହୋଇଯିବ ଗୋଟିଏ ସୁଯୋଗ । ସମୟ ଗଡ଼ି ଯାଇଥିବ ଏବଂ ସେ ସଚେତନ ହେବା ବେଳକୁ ଅନୁଭବ କରିବ ଯେ, ଯେଉଁ ସବୁ କାରଣ ପାଇଁ ସେ ଏତେ ତ୍ୟାଗ କଲା, ସେଇ କାରଣଗୁଡ଼ିକୁ ପାଖରେ ସେ ଅପରିଚିତ ହୋଇପଡ଼ିଚି । ସେ ହୋଇଯାଇଚି ଜଣେ ବାହାରିଆ ମଣିଷ ।

 

ଅଥଚ ସେ କୌତୂହଳୀ ହୋଇଥିଲା, ତାର ନେତୃତ୍ୱ ତାକୁ ସାମୟିକ ଖ୍ୟାତି ଦେଇଥିବାରୁ । ସମଗ୍ର ପ୍ରଦେଶରେ ସେ ଜଣାଶୁଣା ହୋଇ ପଡ଼ିଥିଲା । ତା’ର ବିବୃତ ଓ ଶିକ୍ଷା ବିଭାଗର ସମସ୍ତ କର୍ତ୍ତୃପକ୍ଷଙ୍କ ସହିତ ତା’ର ସାକ୍ଷାତକାରର ବିବରଣୀ ବାହାରୁଥିଲା ଖବର କାଗଜମାନଙ୍କରେ । ପ୍ରଦେଶରେ ସେ ଅପ୍ରତିଦ୍ୱନ୍ଦୀ ଛାତ୍ର ନେତା ଭାବରେ ପରିଗଣିତ ହୋଇଥିଲା ସେତେବେଳେ ।

 

କାର୍ଡ଼ିଓଲଜିରେ ଉଚ୍ଚ ଶିକ୍ଷା ପାଇବା ପାଇଁ ସେ ବିଦେଶ ଯିବାଆଗରୁ, ରଞ୍ଜନ ଦୁଇଥର ସର୍ବଭାରତୀୟ ପ୍ରତିଯୋଗଗିତାମୂଳକ ପରୀକ୍ଷା ଦେଇସାରି ଅକୃତକାର୍ଯ୍ୟ ହୋଇସାରିଥିଲା । ଫାଇନାଲ ପରୀକ୍ଷାରେ ଆଦୌ ଭଲ କରି ପାରି ନଥିବା ଯୋଗୁଁ ତା ସାମନାରେ କୌଣସି ବାଟ ପରିଷ୍କାର ଓ ପ୍ରତିଶ୍ରୁତିମୟ ନଥିଲା । ସେ ଅନୁଭବ କରୁଥିଲା ଯେ, ତା’ ଚାରିପଟେ ଗୋଟାଏ ସୁଦୃଢ଼ ଶକ୍ତି କ୍ରମେ ସଙ୍କୁଚିତ ହୋଇଆସୁଚି । ଅନ୍ୱେଷଣର ପରିସର ଛୋଟ ହୋଇ ଯାଉଚି ଆସ୍ତେ ଆସ୍ତେ ।

 

ତା’ ପରେ ତା’ ଖବର ସେ ରଖି ପାରି ନ ଥିଲା । ଏଇ କେତେ ଦିନ ହେବ ବିଦେଶରୁ ଫେରି ଏକଦା ପଢ଼ୁଥିବା ଏଇ କଲେଜର କାର୍ଡ଼ିଓଲଜି ବିଭାଗରେ ସେ ଯୋଗ ଦେଇଚି । ଗତକାଲି ରଞ୍ଜନ ସହିତ ପ୍ରାୟ ଆକସ୍ମିକ ସାକ୍ଷାତ । ବର୍ତ୍ତମାନ ବେସରକାରୀ ହାଇସ୍କୁଲର ଶିକ୍ଷକ ଓ ଦୁଇ ତିନି ବର୍ଷର ଦୁର୍ବଳ ହୃତ୍‌ପିଣ୍ଡ ସଂପନ୍ନ ଗୋଟାଏ ଝିଅର ନିରୂପାୟ ବାପା, ରଞ୍ଜନ ବସିଛି ତା’ ସାମନାରେ-। ଅଶୋକର ତଣ୍ଟି ଶୁଖି ଯାଉଥିଲା । ତା’ ପାଖରେ କୌଣସି ଆଶ୍ୱାସନା ନାଇଁ ସାଙ୍ଗଟିର ସଂକଟ ସମୟରେ । ମ୍ରିୟମାଣ ହୋଇ ପଡ଼ୁଥିଲା ସେ ।

 

ରଞ୍ଜନ ଉଠିଲା । କହିଲା–‘‘ମୁଁ ତେବେ ଯାଉଚି, ଅଶୋକ । ଦେଖାଯାଉ, କ’ଣ ହେଉଚି-।’’

 

ତାକୁ ଆଉଥରେ ବସିବାପାଇଁ ଅନୁରୋଧ କଲା ଅଶୋକ । କହିଲା–‘‘ଯିବୁ ତ, ଏତେ ତରତର କାହିଁକି ? କିନ୍ତୁ ତୁ ତ କହିଲୁ ନି ଝିଅପାଇଁ କ’ଣ ବ୍ୟବସ୍ଥା କରିବୁ ?’’

 

—‘‘ବ୍ୟବସ୍ଥା ?’’ ଓଲଟା ପଚାରିଲା ରଞ୍ଜନ । ମୁହଁର ଝାଳ ପୋଛି କହିଲା—‘‘ବ୍ୟବସ୍ଥା ଆଉ କ’ଣ ? ତୁ ସିନା ବତେଇ ଦେଇଥାନ୍ତୁ କି ବ୍ୟବସ୍ଥା କରିବା ଦରକାର । ତୁ ନିଜେ ଦେଖୁଚୁ, ୟାକୁ ବଞ୍ଚେଇବା ପାଇଁ ଆଉ କିଛି ବାଟ ନାଇଁ । ତୋ ଭାଷାରେ କହିବାକୁ ଗଲେ, ଏଥର କେବଳ ଅପେକ୍ଷା କରିବା କଥା ।’’

 

ଅଶୋକ ଆଉ କିଛି କହିଲାନି । କହିବା ପାଇଁ ତା’ ପାଖରେ ବା ଆଉ ଥିଲା କ’ଣ ? ତା’ ବୁଦ୍ଧି ଓ ଜ୍ଞାନ ବଳରେ ସେ କଳନା କରିଚି ଛୁଆଟାର ଭବିଷ୍ୟତ । ପରିସ୍ଥିତିଟା ବେଶ୍ ହତୋତ୍ସାହଜନକ ।

 

ମାତ୍ର ରଞ୍ଜନର ପ୍ରତିକ୍ରିୟା ଥିଲା ଜଟିଳ । ଆଜି ପିଲାଟିକୁ ନେଇ ସେ ଫେରିଯିବ । ଗତକାଲି ଅଶୋକ ସହିତ ଦେଖା ହେବା ପରଠାରୁ, ସେମାନେ ତା’ ବିଶାଳ ଘରେ ଅତିଥି ହୋଇଚନ୍ତି; ତା’ ଅନୁରୋଧ କ୍ରମେ । ଛୁଆଟି ସଂପର୍କରେ ସମସ୍ତ ପର୍ଯ୍ୟବେକ୍ଷଣ ସରିଚି, ଅଶୋକର-। ରଞ୍ଜନକୁ ସେ ସବୁ କହି ଦେଉଚି ।

 

ସେ ଫେରିଯିବ ସମ୍ଭାବନାହୀନ ଝିଅକୁ ନେଇ ଏବଂ ଅପେକ୍ଷା କରିବ । ମାଇଁ ଗଡ଼୍ ! ମନ ଭିତରରେ ପ୍ରାୟ ଆର୍ତ୍ତନାଦ କରି ଉଠିଲା ରଞ୍ଜନ । ୟାପରେ ସେ ବଞ୍ଚି ରହିବ କିପରି ସେ ଘରେ ? ଦିନେ–ଓକିଲର କଥା ହୋଇଚି ? ତିନି ବର୍ଷ ହେଲା ସେ ଓ ପତ୍ନୀ ସଞ୍ଜୁ କେବଳ ଘାଣ୍ଟି ଚକଟି ହେଉଚନ୍ତି ସେ ଭଡ଼ା ଘରେ ଏଇ ଝିଅଟି ପାଇଁ । ଗୋଟାଏ ହାଡ଼ ସର୍ବସ୍ୱ ଛୋଟ ଦେହ । ରକ୍ତହୀନତା ଯୋଗୁଁ ନୀଳ ଶିରାପ୍ରଶିରାଗୁଡ଼ିକ ଚମଡ଼ା ଫଟେଇ ବାହାରକୁ ବାହାରି ଆସିବା ପାଇଁ ସତେ ଯେମିତି ବ୍ୟାକୁଳ ହୋଇ ପଡ଼ନ୍ତି ।

 

ଜନ୍ମ ହେବା ଦିନୁ ତା’ ଭିତରେ ଅହରହ ଚାଲିଚି ଗୋଟାଏ ସଂଘର୍ଷ ଜୀବନ ଓ ମରଣ ମଧ୍ୟରେ । ଟଣା ଓଟରାଟା ବେଶି ତୀବ୍ର ହୋଇ ପଡ଼ିଲେ ଚେତନାହୀନ ହୋଇ ପଡ଼ିରହେ ଦୀର୍ଘ ସମୟ ପର୍ଯ୍ୟନ୍ତ । ଚେତା ଫେରିଲେ ପାଟି ଖୋଲି ଚେଷ୍ଟା କରେ କାନ୍ଦିବାକୁ । ବେଳେ ବେଳେ ପାଟି ଉନ୍ମୁକ୍ତ ହୁଏ, ଅଥଚ କୌଣସି ସ୍ୱର ବାହାରେ ନାଇଁ । ଗୋଟାଏ ଯନ୍ତ୍ରଣା ପ୍ରବାହିତ ହୁଏ ତା’ର ଏଇ ଭଳି ଅବସ୍ଥାରୁ । ଦୃଶ୍ୟଟା ଏତେ ଅସହ୍ୟ ହୋଇପଡ଼େ ଯେ, ସେ ମୁହଁ ବୁଲେଇ ନିଏ ଅନ୍ୟ ଆଡ଼େ-। ସଞ୍ଜୁ ଚାପା କୋହରେ ଜଡ଼ସଡ଼ ହୋଇଯାଏ । ଆଜି ପର୍ଯ୍ୟନ୍ତ ପଦେ କଥା କହିଲା, ନା ଠିଆହୋଇ ଚାଲି ପାରିଲା ? ଏମିତି ଗୋଟାଏ କଲବଲ ଜୀବନ ଦେଖି ଦେଖି ସେ କ୍ରମେ ଭୁଲି ଯାଉଚି ଯେ, ଏ ସଂସାରରେ ସୁସ୍ଥ ଶିଶୁ ଜନ୍ମ ନିଏ, ବଡ଼ ହୁଏ ଏବଂ କେତେ କ’ଣ କରିଯାଏ-

 

ତା’ ପାଖରେ ଆଉ କ’ଣ ଅଛି ଯେ, ପିଲାଟିକୁ ସୁସ୍ଥତା ଦେଇ ପାରିବ ? ବାପର କର୍ତ୍ତବ୍ୟ କିମ୍ୱା ମା’ର ସୀମାହୀନ ଆବେଗ—କିଛି କ’ଣ ଦରକାରରେ ଆସେ ଅବସ୍ଥାର ଉନ୍ନତି ପାଇଁ ? ଅଥଚ ଦହଗଞ୍ଜ ଶେଷ ହେବାର କୌଣସି ନିଧାର୍ଯ୍ୟ ତାରିଖ ନାଇଁ । ତାକୁ ଅପେକ୍ଷା କରିବା ପାଇଁ ପଡ଼ିବ ଛୁଆଟି ମରିଯିବା ପର୍ଯ୍ୟନ୍ତ । କଥାଟା ବାରମ୍ୱାର ଭାରି ସେ ଶିହରି ଉଠିଲା । ‘‘ଏଇ ନେ ! କପେ ଚା ପି ।’’ ଅଶୋକ ବତେଇ ଦେଲା ତା’ ଆଡ଼େ କପ୍ । କହିଲା ହୃତ୍‌ପିଣ୍ଡ ସଂକ୍ରାନ୍ତୀୟ ରୋଗ ବିଶେଷଜ୍ଞ ହେବା ପରେ ନିଜକୁ ନିଜେ ନେଇ ମୁଁ ଅନେକ ଆମୋଦିତ ହୋଇଚି-। ଆମେ, ଡାକ୍ତମାନେ, ଦେହକୁ ଓଲଟ ପାଲଟ କରୁଚୁ । ତା’ର ବିଭିନ୍ନ ଅଙ୍ଗକୁ ନେଇ ପରୀକ୍ଷା ନିରୀକ୍ଷା କରୁଚୁ; ଅଥଚ ଥରେ ଭାବି ଦେଖ, ଶରୀର ଭିତରେ ଆମ ଆଖିକୁ ଧରା ନ ଦେଉଥିବା ଜିନିଷ ଗୁଡ଼ିକ କଥା । ସେମାନଙ୍କ ଉପରେ ଆମର କୌଣସି କର୍ତ୍ତୃତ୍ୱ ନାଇଁ ।’’ ସେ ଚେଷ୍ଟା କଲା ହସିବାକୁ ।

 

ଅନ୍ୟମନସ୍କ ଭାବରେ ଚା’ ପିଉଥିବା ରଞ୍ଜନ କଥାଟାର ଅର୍ଥ ଧରି ପାରିଲାନି । ସେ ଚାହିଁଲା ଅଶୋକ ଆଡ଼େ ଏବଂ ସେଇ କଥା ସୂଚେଇ ଦେଲା ।

 

–‘‘ବୁଝି ପାରିଲୁନି, ବୋଧହୁଏ ।’’

 

–‘‘ନା ।’’ ସ୍ୱୀକାର କଲା ରଞ୍ଜନ ।

 

ରୁମାଲରେ ଓଠ ମୁହଁ ପୋଛି ଅଶୋକ ବୁଝେଇ ଦେବାପାଇଁ ଚେଷ୍ଟା କଲା କଥାଟିକୁ–‘‘ମନେକର, ହୃତ୍‌ପିଣ୍ଡ ସଂକ୍ରାନ୍ତୀୟ ରୋଗ । ଆମେ ଅଟକି ଯାଉଚୁ କେବଳ ସେଇ କୋମଳ ମାଂସ ସଂପନ୍ନ ଶରୀରର ଅଙ୍ଗ ପାଖରେ । ଅଥଚ ହୃଦୟ ବୋଲି ଗୋଟାଏ ଜିନିଷ ଅଛି, ତାକୁ ମଧ୍ୟ ହାର୍ଟ ବୋଲି କୁହାଯାଏ । ଏଇ ହୃଦୟ ସଂପର୍କୀୟ ସଂକଟକୁ ନିୟନ୍ତ୍ରଣ କଲା ଭଳି ଆମ ପାଖରେ କିଛି ଅଛି କି ? ଜମା ନାଇଁ । ଏମିତି କି ଜଣେ ସୁସ୍ଥ ମଣିଷର ଭିତରର ସତ୍ତା ଅର୍ଦ୍ଧ ମୃତ ଅବସ୍ଥାରେ ପଡ଼ି ରହିପାରେ । କ’ଣ କରାଯାଇ ପାରେ, ଏଭଳି ପରିସ୍ଥିତିରେ ? ଏ ପ୍ରଶ୍ନଟି ଠିଆ ହୁଏ ଆମ ବିଦ୍ୟା ବୁଦ୍ଧି ସାମନାରେ ଏବଂ ଚାଲେଞ୍ଜ କରେ ସମାଧାନ ପାଇଁ । ଆମେ ଚୁପ୍ । ସେତେବେଳେ ଦାର୍ଶନିକ, ସାହିତ୍ୟିକ–ସମସ୍ତେ ଚୁପ୍ । ଆମେ ଅନେକ ବିପନ୍ନ ହୃଦୟ, ଛଟପଟ ହେଉଥିବା ମନ ନେଇ ବଞ୍ଚି ରହିଚେ । ମଣିଷର ଉପରଠାଉରିଆ ବିଦ୍ୟା, ବୁଦ୍ଧି, ଜ୍ଞାନ ଏଇଭଳି ସମସ୍ୟା ପାଖରେ କିଂକର୍ତ୍ତବ୍ୟବିମୂଢ଼ ଓ ନିଷ୍ପ୍ରୟୋଜନ ହୋଇପଡ଼ନ୍ତି ।’’

 

ରଞ୍ଜନ ବିସ୍ମିତ ହେଲା ଜଣେ ଡାକ୍ତରଠାରୁ ଏଭଳି କଥା ଶୁଣି । ତେବେ ଗୋଟିଏ ଦୃଷ୍ଟିକୋଣରୁ କଥାଟା ସତ ବୋଲି ସ୍ୱୀକାର କରାଯାଇ ପାରେ । ଏ ସଂପର୍କରେ ସେ ବେଶି କିଛି ଭାବିବାକୁ ଚେଷ୍ଟା କଲାନି । ତା’ର ସମସ୍ତ ଚେତନା ଓ ଚିନ୍ତା ଅଟକି ରହିଥିଲା ଝିଅ ପାଖରେ; ଯାହାକୁ ନା ସେ ଫୋପାଡ଼ି ଦେଇ ପାରିବ, ନା ଦେଇପାରିବ ସୁସ୍ଥ ଜୀବନଯାପନ ପାଇଁ ଗୋଟାଏ ନିର୍ଭୁଲ ହୃତ୍‌ପିଣ୍ଡ ।

 

ସେ’ ଦିନ ବସା ଘରକୁ ଫେରି ଆସିବା ପରେ, ପୁରୁଣା ଜୀବନ ଆରମ୍ଭ ହେଲା ରଞ୍ଜନର, ସଞ୍ଜୁର । ପେଣ୍ଟ୍‍, କମିଜ ଖୋଲି ଗୋଡ଼ ହାତ ଧୋଇହେଲା ରଞ୍ଜନ । ଛାତ୍ରଜୀବନରେ ତିଆରି ହୋଇଥିବା ବର୍ତ୍ତମାନର ରଙ୍ଗଛଡ଼ା ପେଣ୍ଟ୍‍ ଅନେକ ଅବିସ୍ମରଣୀୟ ମଧୁର ସ୍ମୃତି ନେଇ ତଥାପି ବଞ୍ଚିରହିଛି ଏ ଯାଏ । ଖାଲି ଏଇ ପେଣ୍ଟ୍‍ ନୁହେଁ; ଛାତ୍ରଜୀବନରେ ତିଆରି ଥିବା ଆଉ କେତେକ ଜିନିଷ ଦେଖିଲେ ବେଳେବେଳେ ସେ ଫେରିଯାଏ ଅତୀତ ଭିତରକୁ । ସେତେବେଳେ ତିଆରି ଥିବା ସ୍ୱପ୍ନକୁ ତିଆରି କରେ ପୁଣି ଥରେ । ସେ ସ୍ୱପ୍ନ ଭିତରକୁ ପଶି ପାରେନି ରୁଗ୍‌ଣ ଝିଅର ଚେହେରା, ବେସରକାରୀ ହାଇସ୍କୁଲର ଶିକ୍ଷକତା । କ୍ଷଣକ ପାଇଁ ହେଉ ପଛେ ସବୁ ବାସ୍ତବତା, ସବୁ ସତ୍ୟ ମିଛ ହୋଇଯାଏ ।

 

ସେ ହୋଇଯାଏ ଅପ୍ରତିଦ୍ୱନ୍ଦୀ ଛାତ୍ରନେତା । ଭାଷଣ ଦିଏ ଶହ ଶହ ଉତ୍ସୁକ ଛାତ୍ର-ଛାତ୍ରୀଙ୍କ ସମ୍ମୁଖରେ । ତା’ର ପ୍ରତ୍ୟେକ ଶବ୍ଦ ଅଗ୍ନି ସ୍ଫୁଲିଙ୍ଗରେ ପରିଣତ ହୋଇ ଶହ ଶହ ମନରେ ସୃଷ୍ଟି କରେ ବିପ୍ଳବର ଶିଖା । ତା’ ଆଗରେ ଥିବା ସମସ୍ତଙ୍କର ଶକ୍ତି ଏକତ୍ରିତ ହୋଇ ପ୍ରବାହିତ ହୁଏ ତା’ ଭିତରେ । କ’ଣ ମନେହୁଏ, ସେତେବେଳେ ? ଆକାଶ ସୀମାହୀନ ନ ଥିଲା, ପୃଥିବୀ ବିଶାଳ ନ ଥିଲା । ସବୁକୁ ଅକ୍ତିଆର କରାଯାଇପାରେ । ସମସ୍ତେ ଯେପରି ତା’ ଭାଷଣ ଅନୁସାରେ ପରିବର୍ତ୍ତନ ହୋଇପାରିବେ ।

 

ବର୍ତ୍ତମାନ ସେ ଗୋଟିଏ ବିନ୍ଦୁ ମାତ୍ର । ତା’ ଚାରିପଟେ ଆଉ ଅତୀତର ପରିଧି ନାଇଁ । ଏବେ ଯେଉଁ ପରିଧି ଅଛି, ତାହା ଗୋଟାଏ ମୁମୂର୍ଷୁ ଛୁଆର ଆର୍ତ୍ତନାଦ, ଗୋଟାଏ ଅକ୍ଷମତା ।

 

ଅତୀତକୁ ଜମା ଭାବିବ ନାଇଁ ବୋଲି ଚେଷ୍ଟା କଲେ ମଧ୍ୟ, ବର୍ତ୍ତମାନର ବଳୟ ଭିତରେ କେଉଁଠି କେଜାଣି ଛିଦ୍ରଟିଏ ସୃଷ୍ଟି ହୋଇଯାଏ । କିଛି ଗୋଟାଏ ଠେଲିଦିଏ ତାକୁ ତା’ ମଧ୍ୟ ଦେଇ । ନିର୍ବିଘ୍ନରେ ସେ ପହଞ୍ଚିଯାଏ ହାତଛଡ଼ା ହୋଇଯାଇଥିବା ଦିନଗୁଡ଼ିକ ଭିତରେ । ଏମିତି ସେ ଭାବିଚାଲେ । ଏତେ ଦିନ ତଳେ ଲେଖିଥିବା ପ୍ରେମ ପତ୍ରଗୁଡ଼ିକର ଭାଷା ଶୁଭିଯାଏ । ପାଇଥିବା ଚିଠିଗୁଡ଼ିକ ପୁଣି ଥରେ ସ୍ପଷ୍ଟ ହୋଇଯାନ୍ତି ତା’ ଚେତନାରେ । ଗୋଟାଏ ଛୁରୀ ଉଠିଆସେ ତା’ ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ । ଗୋଟାଏ ହଜିଲା ପ୍ରତିଧ୍ୱନି ଜୀବନ୍ତ ହୋଇଯାଏ । ପଚି ସଢ଼ି ଯାଇଥିବା ସମସ୍ତ ପତ୍ର ଫୁଲ ଉଠି ଆସନ୍ତି ଗଛ ଉପରକୁ ନିଜର ସତେଜତା ନେଇ ।

 

ଗୋଟାଏ ଯନ୍ତ୍ରଣାମୟ ଆତୁରତା ସଂକ୍ରମିତ ହୋଇଯାଏ । ତା’ ଭିତରେ ଅନେକ ସମୟରେ ଅନିଚ୍ଛାସତ୍ୱେ, କେବେ କିପରି ଇଚ୍ଛାମତ ଭାବରେ ସେ ଜୀଇଁ ରହେ ଅତୀତ ଭିତରେ । ମାତ୍ର ଅତୀତର କ’ଣ କିଛି ହାତ–ଗୋଡ଼ ଥାଏ ଯେ,ସେ କାହାକୁ ବାନ୍ଧି ରଖିବ ନିଜ ପାଖରେ ଏବଂ ବଦନାମ ଅର୍ଜନ କରୁଥିବା ବର୍ତ୍ତମାନଠାରୁ ସଦାବେଳେ ଦୂରରେ ରଖିବ ?

 

ସେ ନିର୍ବାକ ହୋଇ ବସିଥିବା ବେଳେ ସଞ୍ଜୁ ପଚାରିଲା, ଡାକ୍ତର ଆଉ କ’ଣ ସବୁ କହୁଥିଲେ ।

 

ସେ ଫେରିଆସିଲା ଅନ୍ୟମନସ୍କତା ଭିତରୁ । ଏ ପ୍ରଶ୍ନରୁ ଖସିଯିବା ପାଇଁ କୌଣସି ଉପାୟ ନାଇଁ । କହିଲା–‘‘ଝିଅ ସଂପର୍କରେ ଆଉ କୌଣସି ଆଶା ନାଇଁ ।’’

 

କହିସାରି ଚାହିଁଲା ସଞ୍ଜୁ ଆଡ଼େ । ଆଶା କରିଥିଲା ଯେ, ଏତକ ଶୁଣି ସାରିବା ପରେ ସେ ଚାଲିଯିବ ତା’ ପାଖରୁ । କାନ୍ଦିବ ଅସହାୟ ଭାବରେ । ଦାୟୀ କରିବ ସଂସାରର ସମସ୍ତଙ୍କୁ ଏଇ ଅବସ୍ଥା ସକାଶେ । ମାତ୍ର ତା’ ମୁହଁରେ କୌଣସି ପ୍ରତିକ୍ରିୟା ନାଇଁ । ଆଶ୍ଚର୍ଯ୍ୟ କଥା । ଏଭଳି ଉତ୍ତରଟିଏ ସମ୍ଭବତଃ ଆଶା କରୁଥିଲା ସେ । ମାନସିକ ପ୍ରସ୍ତୁତି ସରିଥିଲା ତା’ର । କିଛି ସମୟର ନୀରବତା ପରେ ପଚାରିଲା—‘‘ଖାଲି ଏତିକି କହିଲେ ?’’

 

—‘‘ଝିଅର ହୃତ୍‌ପିଣ୍ଡ ଖୁବ୍ ଦୁର୍ବଳ । ବଞ୍ଚିବାର କୌଣସି ବାଟ ନାଇଁ ।’’ ନିର୍ବିକାର ଭାବରେ ସେ କହି ଦେଲା । ସଞ୍ଜୁ ଜାଣିନେବା ଉଚିତ, ଯେ ଏ ଉପସଂହାର ତା’ର ନୁହେଁ; ଡାକ୍ତରଙ୍କର ।

 

—‘‘ତା’ ହେଲେ ?’’ ସଞ୍ଜୁର ଏ ପ୍ରଶ୍ନ ସତେ ଯେପରି ଠିଆ ହେଲା ଶୋଇ ପଡ଼ିଥିବା ଝିଅ ଆଗରେ ।

 

—‘‘ତା’ ହେଲେ ଆଉ କ’ଣ ?’’ ଦ୍ୱିଧାହୀନ, ନିରାସକ୍ତ ଭାବେ ସମସ୍ତ କଥା ପ୍ରକାଶ କରି ଦେବା ଉଚିତ ମନେକଲା ରଞ୍ଜନ । ସବୁ କଥା ଶୁଣି ସାରିବା ପରେ ଚୁପ୍ ଚାପ ବାହାରିଗଲା ସଞ୍ଜୁ ସେ କୋଠରୀରୁ ।

 

ରାତି ସାରା ସେ ଦୁହେଁ ନୀରବ ଥିଲେ । ପରଦିନ ସକାଳେ ମଧ୍ୟ । ନିର୍ଦ୍ଦିଷ୍ଟ ସମୟରେ ରଞ୍ଜନ ସ୍କୁଲ ଗଲା, ଫେରିଲା । ସେ ଚା’ ପିଉଥିବା ବେଳେ ପ୍ରସ୍ତାବ ଦେଲା ସଞ୍ଜୁ—‘‘ଝିଅର ଅପରେସନ ପାଇଁ ବ୍ୟବସ୍ଥା କରିବା, କ’ଣ କହୁଚ ?’’

 

ଅପରେସନ୍ । ଠିକ୍ ଭାବରେ କଥାଟା ଶୁଣିଚି ବୋଲି, ସନ୍ଦେହ ହେଲା ତା’ର । କିଛି ନ ବୁଝି ପାରିବା ଭଳି ସେ ଚାହିଁଲା ସଞ୍ଜୁ ମୁହଁକୁ । ପଚାରିଲା–‘‘କ’ଣ କହିଲ ?’’

 

–‘‘ଝିଅର ଅପରେସନ କରାଇବା ।’’ ସେ ପୁନରାବୃତ୍ତି କଲା ନିଜ ପ୍ରସ୍ତାବର ।

 

ରଞ୍ଜନ ପ୍ରଥମେ ଜାଣିପାରିଲାନି କିଭଳି ଉତ୍ତର ଦେବ ସେ । କିଛି ସମୟ ନୀରବତା ଭିତରେ କଟିଗଲା । ଗୋଟାଏ ଅସ୍ୱାଭାବିକ, ବେଦନାକ୍ଲିଷ୍ଟ ନୀରବତା । ସେ କିଛି ଉତ୍ତର ଦେବା ପୂର୍ବରୁ ଶୁଣିଲା–‘‘କାଳେ ଭଲ ହୋଇଯିବ !’’

 

କେମିତି ସେ ବୁଝେଇବ ସଞ୍ଜୁକୁ ? ଡାକ୍ତରଙ୍କ କଥା ସେ ଶୁଣି ସାରିଚି । ସେ ଆହୁରି ମଧ୍ୟ ଜାଣେ ଯେ, ଏତେ ଟଙ୍କା ତା’ ପାଖରେ ନାହିଁ । ସବୁ ଜାଣି ଶୁଣି ଗୋଟାଏ ଅତିରଞ୍ଜିତ, ବିଜ୍ଞତା ବିବର୍ଜିତ ଆବେଗରେ ସେ ଦେଇଥିବା ପ୍ରସ୍ତାବ ଯନ୍ତ୍ରଣା ଦେଲା ରଞ୍ଜନକୁ ଏବଂ ତା’ର ଅସହାୟତାର କ୍ଷତ ଉପରେ ପ୍ରଚଣ୍ଡ ଆଘାତଟିଏ ଦେଲା ।

 

ସମୁଦାୟ କଥା ପୁଣି ଥରେ କହିବା ଆବଶ୍ୟକ ହେଲା । ଗୋଟାଏ ସତ୍ମାବନାହୀନ ଭବିଷ୍ୟତ ପାଇଁ ଏ ଆତୁରତାର କୌଣସି ମାନେ ଅଛି କି ? ମା-ବାପାଙ୍କର ସ୍ନେହ-ଆଦର କେବେ କ’ଣ ଛୁଆମାନଙ୍କର ଦୁଃଖ କଷ୍ଟ ବିରୁଦ୍ଧରେ ପ୍ରତିବନ୍ଧକ ହୋଇପାରିବ, ନା ସେମାନଙ୍କର ଭବିଷ୍ୟତ ସୁଖ ପାଇଁ ଗ୍ୟାରେଣ୍ଟି ହୋଇପାରିବ ? ଅବଶ୍ୟ ଏଇଥିପାଇଁ ସଞ୍ଜୁକୁ ସେ ଦୋଷୀ ସାବ୍ୟସ୍ତ କରି ପାରିଲାନି; ମାତ୍ର ସେ ବିରକ୍ତ ହେଲା ଯେ, ତା’ ପତ୍ନୀ ଆଦୌ ବାସ୍ତବବାଦୀ ହୋଇପାରୁନି । ଭାବିଚି ଯେ, ଏଇଭଳି ଏକ ନିର୍ଦ୍ଧାରିତ ପରିସ୍ଥିତିକୁ ପୋଛି ଲିଭାଇ ଦିଆଯାଇପାରେ ଲୁହରେ । ସେ ବେଶ୍ ମର୍ମାହତ ହେଲା ।

 

–‘‘ମୁଁ ସବୁ ଜାଣି ମଧ୍ୟ ଏ କଥା କହିଲି । ଥରେ ଭାବି ଦେଖ, ଛୁଆଟା ପାଇଁ ଆମର କିଛି କର୍ତ୍ତବ୍ୟ ରହିବା ଦରକାର ତ !’’ ସଞ୍ଜୁ ବୁଝେଇବା ପାଇଁ ଚେଷ୍ଟା କଲା—‘‘କିଏ ମନା କଲା ? କେଉଁ ଭଳି କର୍ତ୍ତବ୍ୟ ସଂପାଦନ କରିବାକୁ ପଡ଼େ ମୁଁ ଜାଣି ପାରୁନି । କେହି ଜଣେ ଯଦି କହନ୍ତା ଯେ, ଆମ ଦୁହିଁଙ୍କ ହୃତ୍‌ପିଣ୍ଡ ଝିଅକୁ ଦେଇ ଦେଲେ ସେ ଭଲ ହୋଇଯିବ,ଆମ୍ଭେ କ’ଣ ରାଜି ହୋଇ ଯାଆନ୍ତେ ନାଇଁ ? ଡାକ୍ତରଠାରୁ ସବୁ ଶୁଣିବା ପରେ ଆମେ ଆଉ ଅଧିକ କ’ଣ କରିପାରିବା ବୋଲି ତୁମେ ଭାବୁଚ ?’’ ସେ ପଚାରିଲା ନିଃସହାୟ ଭାବରେ ।

 

ସଞ୍ଜୁ ଦୀର୍ଘଶ୍ୱାସ ତ୍ୟାଗକଲା । ଏମିତି ଗୋଟାୟ ହତଭାଗ୍ୟକୁ ସେ ଏ ସଂସାରକୁ ଆଣିଲା ଯେ,ନା ସେ ଶାନ୍ତିରେ ବଞ୍ଚିଚି, ନା ଶାନ୍ତି ଦେଉଚି ସେ ଦୁହିଁଙ୍କୁ । ଏଥର ପୁଣି ତା’ ଉପରେ ମରଣର ସାର୍ଟିଫିକେଟ ଝୁଲି ରହିଲା ଅନିର୍ଦ୍ଦିଷ୍ଟ ସମୟ ଯାଏଁ । କେତେ ସେ ଦହଗଞ୍ଜ ହେବ ? ଘର ଭିତରେ ଏକୁଟିଆ ବସି ରହି ସେ ଦେଖୁଥିବ ଛୁଆଟାର ଛଟପଟ ହେବା ଏବଂ ଦେଖୁ ଦେଖୁ ତା’ ଧୈର୍ଯ୍ୟ ଭୁଷୁଡ଼ି ପଡ଼ୁଥିବ ଅହେତୁକ କ୍ରୋଧରେ । ସେ କେଉଁଆଡ଼େ ପଳେଇ ଯିବାପାଇଁ ଇଚ୍ଛା କରୁଥିବ ସିନା; ଯାଇ ପାରୁ ନଥିବ କାହିଁ ।

 

ସେ ତେବେ କରିବ କ’ଣ ? ଏତେ ଦିନ ହେବ ଏଇ ଦୃଶ୍ୟ ଦେଖି ଦେଖି ସେ ଆଉ ସବୁ କଥା ଭୁଲିଯାଉଚି । ସେ ଚାହେଁ ଗୋଟାଏ ମୁକ୍ତି । ଖୁବ୍ ଚଞ୍ଚଳ । ଛୁଆଟାକୁ ଏଭଳି ଅବସ୍ଥାରେ ଆଉ ବେଶି ଦିନ ଦେଖିବା ସମ୍ଭବ ନୁହେଁ । ତା’ର ଏଇ ଅବସ୍ଥା ଦେଖି ସେ ସବୁବେଳେ ଭାବି ଆସିଚି ଯେ, କିଛି ହେଲେ ତ ପ୍ରତିକାର ଥିବ ୟା ପାଇଁ । କ’ଣ ତେବେ ସେଇଟା ? ବର୍ଷ ବର୍ଷ ଧରି କେତେ ପ୍ରକାରର ଔଷଧ ଖାଉଚି ସେ; କିନ୍ତୁ ପ୍ରତିକାରଟା ଧରାଛୁଆଁ ଦେଉନି । କିଛି ହେଲେ ତ କରାଯିବା ଦରକାର । ମାତ୍ର ଅବସ୍ଥାଟା ଅପରିବର୍ତ୍ତନୀୟ ହୋଇ ରହେ । କିଛି ହେଉନି ଭାବି ଅପରାଧୀ ହୋଇଯାଏ ନିଜ ପାଖରେ । ଏଭଳି ଅପରାଧୀର ମନ ନେଇ ସେ ବଞ୍ଚି ରହିବ କିପରି-?

 

ଏସବୁ କଥା କହିବା ବେଳକୁ ତା’ କଣ୍ଠ ବାଷ୍ପାକୁଳ ଥିଲା ଏବଂ ଆଖିରୁ ଲୁହ ଝରୁଥିଲା । ଅଥଚ ତା’ ଭିତରେ ଥିବା ମା’ର ହୃଦୟ, ରୁଦ୍ଧ କଣ୍ଠ ଓ ଲୁହ ଧୂଆ ଆଖିକୁ ଅଭିଭୂତ କରି ପ୍ରକାଶ କରୁଥିଲା ନିଜକୁ ଛଳନାହୀନ ନିଜକୁ ଛଳନାହୀନ ଭାବରେ ଏକ ନିର୍ଭିକ ଶକ୍ତିରେ ପରିଣତ ହୋଇ-

 

ଦିନେ, ଦୁଇଦିନ ପର୍ଯ୍ୟନ୍ତ ରଞ୍ଜନ ଅନ୍ୟମନସ୍କ ରହିଲା । କିଛି ଗୋଟାଏ ନିର୍ଦ୍ଦିଷ୍ଟ କଥା ଯେ ସେ ଭାବିଥିଲା, ତା’ ନୁହେଁ । ବିଶୃଙ୍ଖଳ ଚେତନା ନେଇ ସେ ଯାଉଥିଲା ସ୍କୁଲକୁ, ଫେରୁଥିଲା ଘରକୁ, ବୁଲୁଥିଲା ଅକାରଣଟାରେ ଏଣେ ତେଣେ ଏବଂ ବେଳେ ବେଳେ ନିଜକୁ ପଚାରୁଥିଲା—କ’ଣ ତାର ଉଦ୍ଦେଶ୍ୟ ?

 

ନା, କିଛି ନାଇଁ । ଗୋଟାଏ ଅସ୍ଥିରତା ଓ ଅକ୍ଷମତା । ଅଧିକନ୍ତୁ, ଉଦ୍ଦେଶ୍ୟହୀନ ହୋଇଯାଉଚି ସେ ଆସ୍ତେ ଆସ୍ତେ । କାଳେ ବଞ୍ଚିଯିବ, ସଞ୍ଜୁର ଏଇ ଆଶା ତାକୁ ନିଃସଙ୍ଗ କରିଦିଏ ଆହୁରି ନିର୍ମମ ଭାବରେ । କାଳେ ବଞ୍ଚିଯିବ ବୋଲି କଥାଟିକୁ ପରଖି ନେବା ପାଇଁ ତା’ର ସମ୍ୱଳହୀନତା ତାକୁ ତିରସ୍କାର କରେ । ସେ ଜାଣି ପାରେନା, ପରିସ୍ଥିତିକୁ ପରିବର୍ତ୍ତନ କରିବା ପାଇଁ ସେ କରିବ କ’ଣ । ବାରମ୍ୱାର ଏଇ କଥା ଭାବିବା ବେଳେ, ଗାଁରେ ଥିବା ଅଳ୍ପ ପରିମାଣର ଚାଷ ଜମିର ଚିତ୍ର ହିଁ ଭାସି ଉଠେ ତା’ ଆଖି ଆଗରେ, ବିକି ଦେବ ସେସବୁ ? ଏବଂ ଅପରେସନର ବ୍ୟବସ୍ଥା କରିବ ? ଭାବେ ଓ ସଙ୍କୁଚିତ ହୋଇଯାଏ ନିଜ ଭିତରେ । ଅପରେସନ ଯଦି କୃତକାର୍ଯ୍ୟ ନ ହେଲା ? ଛୁଆଟି ସହିତ ସେ ହରାଇ ବସିବ କେଉଁ କାଳର ଜମି ଖଣ୍ଡିକ । ସେତକ ନେଇ ସେ ଅନେକ ଆତ୍ମବିଶ୍ୱାସ ଲାଭ କରେ, ନିଜର ଭରସା ବୋଲି ଭାବେ ।

 

ଆଉ କିଛି ଭଲ ଲାଗୁନି । ସେ ପରିଣତ ହୋଇ ଯାଉଚି ଗୋଟାଏ କରୁଣ ବିଫଳତାରେ-। ଗୁଡ଼ାଏ ସ୍ୱପ୍ନର ମୁର୍ଦ୍ଦାରକୁ ନେଇ ବଞ୍ଚିରହିବା କଷ୍ଟ ହେଉଚି ତା’ ପାଇଁ । ନିଜ ସହିତ ସାଲିସ କରିବାକୁ ସେ କ୍ରମେ ଅକ୍ଷମ ହୋଇ ପଡ଼ୁଚି । ସ୍କୁଲରେ ଶିକ୍ଷକତା, ସଞ୍ଜୁ, ବୈବାହିକ ଜୀବନ, ପ୍ରଥମ ସନ୍ତାନ–ସମସ୍ତେ ଯେପରି ନୃଶଂସତାର ସହିତ ପ୍ରତାରିତ କରି ଚାଲିଚନ୍ତି ତାକୁ । କେଉଁଠାରେ ହେଲେ ସେ ଦେଖିପାରୁନି ସୁସ୍ଥ ଭବିଷ୍ୟତର ପ୍ରତିଶ୍ରୁତି । ସବୁ ରୁଗ୍‌ଣ ଓ ଅର୍ଦ୍ଧମୃତ ହୋଇ ଯାଉଚନ୍ତି ଝିଅଭଳି ।

 

ଏମିତି ଝିଅଟିଏ ଜନ୍ମ ହେଲା କାହିଁକି ? ସେ ନିଜକୁ ପଚାରିଲା ଓ ଅପ୍ରତିଭ ହେଲା । ତା’ର ଓ ସଞ୍ଜୁର ଶୃଙ୍ଗାର, ଦେହର ଝାଳ ଓ ନିବିଷ୍ଟ ଆବେଗ ଅର୍ଥହୀନ ହୋଇଯାଉଚି । ଜଣାପଡ଼ୁଚି, ତା’ ଭିତରେ ସଞ୍ଜୁ ଭିତରେ କିଛି ଗୋଟାଏ ମରି ଯାଇ ଧୁସର ହୋଇଗଲାଣି ।

 

ପ୍ରଥମ କରି ନିଜକୁ ଅବାକ୍ କଲା—ଝିଅଟି ଚଞ୍ଚଳ ମରିଯିବା ଉଚିତ । ଭାବିବା ମାତ୍ରେ ତା’ ଦେହ ଭିତରେ ସଞ୍ଚରି ଗଲା ଗୋଟାଏ ପାପବୋଧ । ସେ ଚାହିଁଲା ଚାରି ଆଡ଼କୁ ନିଶ୍ଚିନ୍ତ ହେବା ପାଇଁ ଯେ କେହି ତା’ର ଏଇ ନିଜସ୍ୱ ସଂଳାପ ଶୁଣି ନାହାନ୍ତି । ସେ ଆଉ କିଛି ଭାବିବା ପାଇଁ ଚେଷ୍ଟା କଲା; ମାତ୍ର କେହି ଜଣେ ତା’ ଭିତରେ ନିରବଚ୍ଛିନ୍ନ ଭାବରେ କହି ଚାଲିଲା ଝିଅଟି ମରିଯିବା ଉଚିତ-। ଚଞ୍ଚଳ ମରିଯିବା ଉଚିତ ।

 

ନିଜ ଭାବନାକୁ ସଂଶୋଧନ କରିବା ପାଇଁ ଚେଷ୍ଟା କଲାନି ସେ । କେବଳ ବିସ୍ମିତ ହେଲା ଯେ, ଛୁଆଟାର ମରିଯିବା କଥା ତା’ର ଭାରାକ୍ରାନ୍ତ ଭାବନାକୁ ଯଥେଷ୍ଟ ଉଶ୍ୱାସ କରୁଚି ଏବଂ ସମସ୍ତ ଆନ୍ତରିକତାର ସହିତ ସେ ଇଚ୍ଛା କରୁଛି—ଝିଅ ଯେତେ ଚଞ୍ଚଳ ମରିବ, ସେତେ ଭଲ ।

 

ମାତ୍ର ସେ ମରିବ କିପରି ? ରଞ୍ଜନ ପୁଣି ଫେରି ଆସିଲା ନିଜ ଅସହାୟତା ଭିତରକୁ । ତଣ୍ଟି ଚିପି କିମ୍ୱା ବିଷ ଦେଇ ମାରିବା କଥା କଳ୍ପନା ବି କରାଯାଇ ପାରେନା । ସେ ଚାହେଁ, ସ୍ୱାଭାବିକ ଭାବରେ ସେ ଆଖି ବୁଜି ଦେଉ ଏବଂ ସବୁ ଦିନପାଇଁ ମୁକ୍ତ ହୋଇଯାଉ; ତାଙ୍କୁ ବି ମୁକ୍ତି ଦେଉ ।

 

ଦିନେ, ଦୁଇ ଦିନ ପରେ ସଞ୍ଜୁ ପୁଣି ପୁନରାବୃତ୍ତି କଲା ନିଜ ପ୍ରସ୍ତାବର–‘‘କଣ ଠିକ୍ କଲ-?’’

 

–‘‘କ’ଣ ?’’ ପଚାରିଲା ସେ ଏବଂ ଆତଙ୍କିତ ହେଲା ଯେ ସେ ପୁରୁଣା ପ୍ରସ୍ତାବଟି ଶୁଣିବ ଏବଂ ତାକୁ ନାକଚ କଲାବେଳେ ଯନ୍ତ୍ରଣା ପାଇବ ।

 

–‘‘ଅପରେସନ କଥା ।’’ ଶାନ୍ତ ସ୍ୱରରେ ଜବାବ ଆସିଲା ।

 

–‘‘ତୁମେ ଜାଣ, ଏ ବ୍ୟବସ୍ଥା କରିବା ପାଇଁ ମୋର ଆଦୌ କ୍ଷମତା ନାଇଁ ।’’ ଲଜ୍ଜାହୀନ ଭାବରେ ସ୍ୱୀକାର କଲା ସେ ।

 

–‘‘ମୁ କିଛି ଜାଣେନା । ମୁଁ ଚାହେଁ, ଝିଅର ଅପରେସନ ପାଇଁ ବ୍ୟବସ୍ଥା କରାଯାଉ ।’’ ତା ସ୍ୱରର ଦୃଢ଼ତା ବେଶ୍ କିଛି ସମୟ ପର୍ଯ୍ୟନ୍ତ ରଞ୍ଜନକୁ ବିଚଳିତ କଲା ।

 

ମରଣ ତାରିଖଟିକୁ କିଛି ଦିନ ସକାଶେ ଘୁଞ୍ଚାଇ ଦେବା ପାଇଁ ଏ କି ଅଯଥା ବ୍ୟାକୁଳତା-! ସେ କହି ଦେବ କି, ଅପରେସନ୍ କୃତକାର୍ଯ୍ୟ ହେଲେ ମଧ୍ୟ ଝିଅଟି ଅମର ହୋଇ ରହିବ ନାହିଁ ? ସେ ମରିବ ଦିନେ ନା ଦିନେ, ସମସ୍ତେ ଯେପରି ମରନ୍ତି ।

 

ଶାନ୍ତ ସ୍ୱରରେ ସେ ମଧ୍ୟ କହିଲା–‘‘ତୁମେ ମିଛଟାରେ ବିରକ୍ତ କରୁଛ । ଏଭଳି ଶସ୍ତା ମାତୃତ୍ୱରେ ଭାସି ଯାଇ ସର୍ବହରା ହୋଇଯିବା କଥାଟାକୁ ମୁଁ ପସନ୍ଦ କରେନା ।’’

 

–‘‘ମାତୃତ୍ୱ ବି ଶସ୍ତା ହୋଇପାରେ ?’’ ସଞ୍ଜୁ ଆମୋଦିତ ହେବା ପାଇଁ ବ୍ୟର୍ଥ ଚେଷ୍ଟା କଲା । ‘‘ମୁଁ ଆଜି ପ୍ରଥମ କରି ଏ କଥାକୁ ଶୁଣିଲି । ଘର ଭିତରେ ରହିବା ଅସହ୍ୟ ହେଉଚି ବୋଲି ବାରମ୍ୱାର କହୁଚି ତୁମକୁ । ତା’ ପାଇଁ ତଥାପି ଆଶାଟିଏ ଅଛି ତ, କ୍ଷୀଣ ହେଉ ପଛେ ।’’ ଏଥର ତା କଣ୍ଠସ୍ୱର ଥରି ଉଠିଲା ଓ ଲୁହ ଭିଜା କଥା ଶୁଣାଗଲା–‘‘ଆଉ ସହି ହେଉନି । ଅପରାଧୀନ ମନ ନେଇ ମୁଁ ଚଳିବି କିପରି ? ମୁଁ ଠିକ୍ କରି ସାରିଚି, ତାକୁ ବିଷ ଦେଇ ଦେବି ।’’

 

ରଞ୍ଜନ ଚଞ୍ଚଳ ହୋଇ ପଡ଼ିଲା । ପଚାରିଲା–‘‘କ’ଣ କହିଲ ?’’

 

ସଞ୍ଜୁ ପୁନରାବୃତ୍ତି କଲା ନିଜ କଥାର—‘‘ବିଷ ଦେଇ ଦେବି, ଆଉ ନିଜେ ବି ଖାଇବି । କେତେ ଦିନ ସନ୍ତୁଳି ହେଉଥିବି ଏମିତି ?’’ କହିଲା ଓ ଚାଲିଗଲା ତା’ ପାଖରୁ ।

 

ରଞ୍ଜନ ଅନୁଭବ କରୁଥିଲା, ତା’ ହୃଦୟରୁ ଥପ୍ ଥପ୍ ହୋଇ ରକ୍ତସ୍ରାବ ଆରମ୍ଭ ହୋଇଯାଇଚି । ତା ହୃତ୍‌ପିଣ୍ଡବି ଜଖମ ହୋଇଗଲାଣି ବୋଧହୁଏ । ଭାବିଲା, ଖୁବ୍ ଜୋରରେ ଚିତ୍କାର କରିବ ଏବଂ ତା’ ଭିତରେ ସ୍ତୁପିକୃତ ହେଉଥିବା ସମସ୍ତ ଅକ୍ଷମତା, ଯନ୍ତ୍ରଣା ଓ ବ୍ୟର୍ଥତାକୁ ସେ ଫୋପାଡ଼ି ଦେବ ତା ଭିତରୁ ।

 

ରାସ୍ତା ଉପରେ ସେ ବୁଲିଲଶ ଇତସ୍ତତଃ ହୋଇ । ତା’ ଆଖି ଆଗରେ ଗୋଟାଏ କାଠଗଡ଼ାର ଚିତ୍ର ସ୍ପଷ୍ଟ ହୋଇ ଉଠୁଥିଲା । ସେ ଠିଆ ହୋଇଚି ତା’ ଭିତରେ ଏବଂ ଓକିଲର ଭୂମିକା ନେଇ ତାକୁ ଘେରି ରହିଛନ୍ତି ଦୁର୍ବଳ ହୃତ୍‌ପିଣ୍ଡ ଥିବା ହଜାର ହଜାର ଶିଶୁ । ତା’ ଆଡ଼େ ଆଙ୍ଗୁଳି ବଢ଼ାଇ ପଚାରୁଚନ୍ତି, ବାପା ହେବା ପାଇଁ ତା’ର ଯୋଗ୍ୟତା ଅଛି କି ନା ।

 

ରଞ୍ଜନ ଆହୁରି ଦ୍ରୁତ ଗତିରେ ଏପଟ ସେପଟ ହେଲା ଗୋଟାଏ ପାଗଳ ଭଳି । କଲେଜରେ ପଢ଼ୁଥିବା ବେଳର ସ୍ୱପ୍ନ ଓ ନେତୃତ୍ୱର ସ୍ମୃତି ତାକୁ ଟାଣି ନେଇ ପାରିଲାନି ଅତୀତ ଭିତରକୁ । କେଉଁଠି ସେ ଛନ୍ଦି ହୋଇଗଲା ଭଳି ଅନୁଭବ କରୁଥିଲା ଏବଂ ପରେ ବୁଝି ପାରିଲା ଯେ, ଝିଅର ହୃତ୍‌ପିଣ୍ଡ ଓ ତା’ର ହୃଦୟ ଗୋଟିଏ ପର୍ଯ୍ୟାୟକୁ ଆସି ଯାଇଚନ୍ତି । ଏଥିପାଇଁ କେଉଁ ଚିକିତ୍ସାର ବ୍ୟବସ୍ଥା କରିବ ତାହା ଭାବି ପାରୁ ନ ଥିଲା ସେ ।

Image

 

ଅସମାହିତ

 

ଲୋମଶ ପିଣ୍ଡୁଳା ଦୁଇଟି ଏଥର ଆହୁରି ଜୋରରେ କୁଁ କାଁ ଶବ୍ଦ କଲେ । ଏନ୍ତୁଡ଼ିଶାଳଟି କ୍ଷୀରପୂର୍ଣ୍ଣ,ମମତାମୟ ଓ ପ୍ରତିରକ୍ଷାପୂର୍ଣ୍ଣ ଜଣା ନ ପଡ଼ିବାର କାରଣଟି ଠଉରେଇ ପାରିଲେନି ଏଇ ଅନଭିଜ୍ଞ ଦୁଇଜଣ । ସେମାନଙ୍କର ଧୈର୍ଯ୍ୟଚ୍ୟୁତି ଘଟୁଥିଲା । ନିରବଚ୍ଛିନ୍ନ ଭାବରେ ଭୋକର ସ୍ଲୋଗାନ ଦେଇ ଏନ୍ତୁଡ଼ିଶାଳ ଚାରିପଟେ ସେମାନେ ବାରମ୍ୱାର ପରିଧି ରଚନା କଲେ । ମାତ୍ର ସେତେବେଳ ଯାଏଁ କେଉଁଆଡ଼େ ଖସି ପଳେଇ ଯାଇଥିବା କ୍ଷୀରପୂର୍ଣ୍ଣ ଆକାଶଟି ଫେରି ଆସିଲା ନାହିଁ ସୋମନଙ୍କ କତିକି । ପ୍ରତୀକ୍ଷାରତ ଏନ୍ତୁଡ଼ିଶାଳଟି ଦେଖା ଯାଉଥିଲା ଜଣେ ବିଧବାର ପ୍ରଶସ୍ତ ବିଛଣାଭଳି ।

 

ଗଲା କୁଆଡ଼େ ସହରର ଏଇ ଅଞ୍ଚଳରେ ବଞ୍ଚି ରହିଥିବା ଓ ପ୍ରଥମ ଥର ପାଇଁ ଦୁଇଟି ଛୁଆର ମା’ ହୋଇଥିବା ମାଈ କୁକୁରଟି ? କଳା ରଙ୍ଗର ରୁଗ୍‌ଣ ମା’ଟି ଏତେବେଳଯାଏଁ କେଉଁଠି କ’ଣ କରୁଛି ? କେଉଁ ହୋଟେଲ ପଛରେ ଜମା ହୋଇଥିବା ପତ୍ରର ସ୍ତୂପ ପାଖରେ କିମ୍ୱା ନର୍ଦ୍ଦମା କୂଳରେ ଠିଆ ହୋଇଥିଲେ ମାଈ କୁକୁରଟି ସହସା ଯେମିତି ସଚେତନ ହୋଇଯାଏ । କେହି ଜଣେ ଐଶ୍ୱରିକ ଶକ୍ତି ବଳରେ ତାକୁ କହିଦିଏ ତା’ ସ୍ଥିତିର ବୃହତ୍ତର ତାତ୍ପର୍ଯ୍ୟଟିକୁ । ତା’ ପରେ, ସମସ୍ତ ପତ୍ର ସ୍ତୂପମାନଙ୍କର, ଯୋଜନ ଲମ୍ୱ ନର୍ଦ୍ଦମାଗୁଡ଼ିକର ପ୍ରତିଶ୍ରୁତି ଅର୍ଥହୀନ ହୋଇଯାଏ । ଏକ ସ୍ନେହ ବିଗଳିତ, ଆଗ୍ରହୀ ତ୍ୟାଗର ଦୃଷ୍ଟାନ୍ତହୀନ ପ୍ରତୀକଟିଏ ହୋଇ ସେ ଫେରିଆସେ ଏନ୍ତୁଡ଼ିଶାଳକୁ ।

 

ଫେରିଆସେ । ଶୋଇଯାଏ ଧରଣୀ ଉପରେ । ତା’ର ଉନ୍ମୁକ୍ତ ପାଟି ଓ ହୁଗୁଳା ଜିଭର ସୁଡ଼ଙ୍ଗ ବାଟେ କ୍ଲାନ୍ତି, ଧଇଁସଇଁ, ଅଧା ସନ୍ତୁଷ୍ଟ ହୋଇଥିବା ଭୋକର ଲୁହ, ଟୋପା ଟୋପା ଲାଳ ଓ ଗରମ ନିଶ୍ୱାସରେ ରୂପାନ୍ତରିତ ହୋଇ ଝରି ପଡ଼ନ୍ତି ନିର୍ବିକାର ମାଟି ଉପରକୁ, ମିଶିଯାନ୍ତି ଅବୁଝା ପବନ ଭିତରେ । ବେଳେବେଳେ ତାକୁ ମୁଣ୍ଡ ହଲେଇବାକୁ ପଡ଼େ ଖଇଚା କରୁଥିବା ମାଛିମାନଙ୍କୁ ହୁରୁଡ଼େଇବା ପାଇଁ । ବେଳେବେଳେ ଆଁ କରି ପାଟିର ଯନ୍ତାରେ ସେମାନଙ୍କୁ ଧ୍ୱଂସ କରିବା ପାଇଁ ସେ ଚେଷ୍ଟା କରେ ।

 

ଏବଂ ତା’ର ଉତ୍ସର୍ଗୀକୃତ ଉଦାର ସ୍ତନଗୁଡ଼ିକ ମାତୃତ୍ୱର ମହିମାରେ ଉଦ୍ଭାସିତ ହୋଇ ଘୋଷଣା କରନ୍ତି–ପିଇ ନିଅ । ଆଖି ବୁଜି ପିଇ ନିଅ । ତୁମ୍ଭମାନଙ୍କ ଦେହ ଓ ଭିତରକୁ ଯାଉ ମୋ ଦେହରୁ ଶୁଭ୍ର, ତରଳ ଶକ୍ତି । ତୁମ୍ଭମାନଙ୍କର ହାଡ଼ ଓ ମାଂସପେଶୀ କଠିନ ହେଉ । ଦାନ୍ତ ଓ ନଖ ଧାରୁଆ ହେଉ । ନ ହେଲେ କେମିତି ମୁକାବିଲା କରିବ ସହାନୁଭୂତିହୀନ ଏ ପୃଥିବୀ ସାଙ୍ଗରେ ? ମାଡ଼ ଖାଇବା ଓ ମାଡ଼ ଦେବା—ଜୀବନର ଏଇ ମନ୍ତ୍ର ସହିତ ଅଭ୍ୟସ୍ତ ହେବା ପର୍ଯ୍ୟନ୍ତ ଆଖି ବୁଜି ଚିପୁଡ଼ି ନିଅ ମୋ ଦେହରେ କେଉଁଠି କେଜାଣି ଲୁଚି ରହିଥିବା ଏଇ ତରଳ ଅପରିହାର୍ଯ୍ୟଟିକୁ ।

 

ଗୋଟିଏ ଆଗ ଗୋଡ଼ରେ ଡେରିହୋଇ ମା’ଟି ଜୁଳୁ ଜୁଳୁ କରି ଚାହେଁ ପିଲା ଦୁଇଟିଙ୍କୁ । କେତେବେଳେ କେମିତି ତା’ର ଚୁମ୍ୱନ ବ୍ୟାକୁଳ ପାଟି ଲମ୍ବି ଆସେ ସେମାନଙ୍କ ଦେହ ପାଖକୁ । ସେମାନଙ୍କୁ ଚାଟେ । ସେମାନଙ୍କ ଦେହରେ କେଉଁଠି ଅସ୍ୱାଭାବିକତା ଦେଖିଲେ ଆସ୍ତେ କାମୁଡ଼େ । ମାତ୍ର ଛୁଆ ଦୁଇଟିଙ୍କର କ୍ଷୀର ପିଇବାର ନିବିଷ୍ଟତା ଆଦୌ ବ୍ୟାହତ ହୁଏ ନାହିଁ । ସେତେବେଳେ ସମଗ୍ର ବିଶ୍ୱର ବିପୁଳତା ସେମାନଙ୍କ ପାଇଁ ମିଛ ହୋଇଯାଏ । ସ୍ତନଗୁଡ଼ିକର ଅସ୍ତିତ୍ୱ ହିଁ ହୋଇଯାଏ ଏକମାତ୍ର ସତ୍ୟ । ସେତିକିବେଳେ ସେମାନଙ୍କର ହୁଏତ ବିଶ୍ୱାସ ହୁଏ ଯେ, ପୃଥିବୀକୁ ଆସିବାରେ ଯଥେଷ୍ଟ ଯଥାର୍ଥତା ରହିଛି । ସବୁ ଜିନିଷ ପ୍ରତି ଆଖି ବୁଜି ଦେଇ ପାଟି ଭିତରେ ମା’ର ସ୍ତନଟିକୁ ଅନୁଭବ କରିବା ଜନିତ ଆତ୍ମବିଶ୍ୱାସ ହିଁ ଏଠାରେ ସର୍ବଶ୍ରେଷ୍ଠ ସାନ୍ତ୍ୱନା ଓ ବଞ୍ଚି ରହିବାର ସର୍ବପ୍ରଥମ ପ୍ରରୋଚନା । ଝଡ଼ ଆସୁ, ଦୁଷ୍ଟ ମଣିଷମାନଙ୍କର ଠେଙ୍ଗା ଆସି, ଅନ୍ୟ କୁକୁରମାନଙ୍କର ଆକ୍ରମଣ ଆସୁ । କିଛି ଯାଏ ଆସେ ନା; ମାତ୍ର ତିଷ୍ଠି ରହୁ ମା’ମାନଙ୍କର ଉଦ୍‌ଗ୍ରୀବ ସ୍ତନଗୁଡ଼ିକ । ବିଶେଷ ଆଉ କ’ଣ ଲୋଡ଼ା ଜୀବନର ଏଇ ପ୍ରାଥମିକ ଅଧ୍ୟାୟ ପାଇଁ ?

 

ମା’ଟି ଶୋଇବା ଭଙ୍ଗୀ ତ୍ୟାଗ କରି ବସେ, ଆଗେ ଦୁଇ ଗୋଡ଼ରେ ଭରା ଦେଇ । ଚାରିଆଡ଼କୁ ଚାହେଁ ଅନ୍ୟମନସ୍କ ଆଖିରେ । ଦୃଷ୍ଟି ଫେରାଇ ଦେଖେ ସେ ପର୍ଯ୍ୟନ୍ତ କ୍ଷୀର ପିଉଥିବା ଛୁଆ ଦୁଇଟିଙ୍କୁ । ତା’ ଚାରି ପାଖରେ ଦେଖା ଯାଉଥିବା ଘରବାଡ଼ି, ରାସ୍ତାଘାଟ, ନାଳ ନର୍ଦ୍ଦମା ସହିତ ସେ ମନେ ମନେ ହୁଏତ ସଂପର୍କିତ କରିବାକୁ ଚେଷ୍ଟା କରୁଥାଏ ଛୁଆ ଦୁଇଟିଙ୍କୁ । ସେମାନଙ୍କର ଭବିଷ୍ୟତ ପାଇଁ ସତେ ଯେମିତି ସେ ସମସ୍ତ ଦରବ ସଞ୍ଚୟକରି ଯାଇଛି ଏଇ ସବୁ ସ୍ଥାନମାନଙ୍କରେ-

 

ଏଥର ସେ ଠିଆ ହୁଏ ଏବଂ ଚେତାଇ ଦିଏ ଯେ, ତା’ର ଯିବାବେଳ ହୋଇଗଲାଣି । ଛୁଆମାନେ ଆଉ ବେଶି ଅଝଟ ହେବା ଉଚିତ୍‍ ନୁହେଁ । ହାତ ପାହାନ୍ତାରେ ଥିବା ସ୍ତନଗୁଡ଼ିକ ଧରା ଦିଅନ୍ତିନି ସହଜରେ । କାହିଁ କେତେ ଉଚ୍ଚରେ ସେମାନେ ଝୁଲିରହନ୍ତି । ଛୁଆମାନଙ୍କର ବ୍ୟାୟାମ ସତ୍ତ୍ୱେ ସେମାନେ ସହଜରେ ସ୍ପର୍ଶ କରନ୍ତି ନାହିଁ ସେମାନଙ୍କର ପାଟିକୁ । କ୍ଷୀରପୂର୍ଣ୍ଣ ଆକାଶଟି ତା’ ପରେ ଘୁଞ୍ଚିଯାଏ ଆଗକୁ ଆଗକୁ । ଏମାନେ ପ୍ରତିବାଦ କରି ମା’ ଗୋଡ଼ରେ ଛନ୍ଦି ହେଲେ କିମ୍ୱା ଆଉ କୌଣସି ବାଗରେ ତା’କୁ ଅଟକାଇବାକୁ ଚେଷ୍ଟା କଲେ ସେ ବିରକ୍ତ ହୁଏ, ଗୋଡ଼ ଛିଞ୍ଚାଡ଼େ, ଧମକାଏ । ତା’ ପରେ ବାହାରିଯାଏ କେଉଁଆଡ଼େ ।

 

ଛୁଆମାନେ କିଭଳି ବୁଝନ୍ତେ ମା’ ସେମାନଙ୍କୁ କ୍ଷୀର ପିଆଇବାର ବିଭିନ୍ନ ଭଙ୍ଗୀଗୁଡ଼ିକ ଭିତରେ ଲୁଚି ରହିଥିବା ମହାନ ଅର୍ଥଟିକୁ ? ଉପରୋକ୍ତ ମା’ କଥାଟିକୁ ବିଚାର କରାଯାଉ । ପ୍ରଥମେ ସେ ଶୋଇଯାଏ ଏନ୍ତୁଡ଼ିଶାଳରେ । ତା’ ପରେ ଗୋଟିଏ ଆଗ ଗୋଡ଼ରେ ଭାରାଦେଇ ଶୁଏ ଏବଂ ଲକ୍ଷ୍ୟକରେ ସନ୍ତାନମାନଙ୍କୁ । ଦୁଇ ଆଗ ଗୋଡ଼ ସାହାଯ୍ୟରେ ବସେ । ଠିଆ ହୁଏ । ବାହାରକୁ ଚାଲିଯାଏ । ଶୋଇବା ଅବସ୍ଥାରୁ ଚାଲିଯିବା ପର୍ଯ୍ୟନ୍ତ ପର୍ଯ୍ୟାୟଗୁଡ଼ିକର ପୁନରାବୃତ୍ତି ଘଟେ । ଛୁଆମାନେ ବାସ୍ତବିକ କିଭଳି ଜାଣନ୍ତେ ଯେ, ମା’ଟି ସେମାନଙ୍କର ସଂପ୍ରସାରିତ ଦେହଗୁଡ଼ିକୁ ଲକ୍ଷ୍ୟ କରୁଛି ଏବଂ ତା’ର ଚୂଡ଼ାନ୍ତ ଚାଲି ଯିବାଟା ସୋମନଙ୍କ ପାଇଁ ସେମିତି କିଛି ବିପର୍ଯ୍ୟୟ ଆଣିବ ନାହିଁ ବୋଲି ନିଶ୍ଚିତ ହୋଇ ଯାଇଛି ।

 

ଲୋମଶ ପିଣ୍ଡୁଳା ଦୁଇଟି ସେତେବେଳେ ସଂପୂର୍ଣ୍ଣ ହାଲିଆ ହୋଇ ଯାଇଥିଲେ । ସେମାନଙ୍କ ସ୍ୱରରେ ବ୍ୟସ୍ତତା, ଆଶଙ୍କା ଓ କ୍ରୋଧ ସ୍ପଷ୍ଟ ହୋଇ ପଡ଼ୁଥିଲା । ସେମାନଙ୍କ ପ୍ରତି ଦାୟିତ୍ୱଟିକୁ ଭୁଲିଯାଇ କ’ଣ କରୁଛ କଳା ରଙ୍ଗର, ରୁଗ୍‌ଣା ମା’ ଜଣକ ? ପିଠିରୁ ଅଧାଅଧି ଲୋମ ଉଠି ଯାଇଥିବା, ଶେଥା ଚମଡ଼ା ଉପରେ ଦୁଇ ତିନୋଟି ସ୍ଥାୟୀ କ୍ଷତଥିବା ମା’ ଏତେ ବେଳଯାଏ କ’ଣ କରୁଛି ? ଛୁଆ ଦୁଇଟିଙ୍କର ତଥାପି ଧାରଣା ଥିଲା ଯେ, ଏମିତି ଗଳାଫଟାଇ ଚିତ୍କାର କଲେ ଇପ୍‌ସିତ ବସ୍ତୁଟି ଯେଉଁଠି ଥିଲେ ମଧ୍ୟ ଆସିଯିବ ସେମାନଙ୍କ ପାଖକୁ । ବିକଳ ଡାକଟି ବ୍ୟାପିଯିବ ପୃଥିବୀସାରା ଏବଂ ସେମାନେ ଚାହୁଁଥିବା ଦରବଟିକୁ ଓଟାରି ନେଇ ଆସିବ ତାଙ୍କ ନିକଟକୁ !

 

କୁଆଡ଼େ ରହିଲା ଏତେବେଳଯାଏଁ ଦାୟିତ୍ୱହୀନା ହୁଣ୍ଡୀଟି ? ଆଉ ଥରକ ପାଇଁ ହେଲେ ଖୁଆଇ ଦେଇ ଯା’ନ୍ତା ! ଶେଷ ଥରକ ପାଇଁ ! କହି ଦେଇ ଯା’ନ୍ତା ଯେ, ଆଉ ସେ ଆସିବନି ସେଠାକୁ । ସେମାନେ ଏଥର ବଞ୍ଚି ରହନ୍ତୁ ନିଜକୁ ନିଜେ ନେଇ, ଆଉ କିଭଳି ବଞ୍ଚିବାକୁ ହୁଏ, ତା’ର ସୂତ୍ରଟି ଭଲା ବତେଇ ଦେଇଯା’ନ୍ତା ! କୁହା ନାଇଁ, ବୋଲା ନାଇଁ, ଏମିତି ସହସା ଚୋରଣୀଙ୍କ ଭଳି ପଳେଇ ଯିବାର କିଛି ମାନେ ହୁଏ ? ଛୁଆ ଦୁଇଟି ସେ ଯାଏଁ ଆଦୌ ଭାବି ପାରୁ ନ ଥିଲେ ଯେ, ମା’ର କ୍ଷୀରପୂର୍ଣ୍ଣ ସ୍ତନ ବ୍ୟତୀତ ଏ ସୃଷ୍ଟିରେ ଆଉ କିଛି ରହିଛି, ଯାହାକୁ ଆଶ୍ରା କରି ଜୀବନ ଭାସିଯାଏ ସମୟ ସୁଅରେ କେଉଁଠି କଣ୍ଟା, କେଉଁଠି ଫୁଲର ସ୍ପର୍ଶ ପାଇ ।

 

ଛୁଆ ଦୁହେଁ ଇତସ୍ତତଃ ହେଉଥିଲେ ଏବଂ ପରସ୍ପରଠାରୁ କ୍ରମେ ଦୂରେଇ ଯାଉଥିଲେ । ସେମାନଙ୍କ ଦୂରତାକୁ ସଂଯୋଗ କରୁଥିଲା ସେମାନଙ୍କର ମିଳିତ ଇସ୍ତାହାର; ଯାହା ସୂଚେଇ ଦେଉଥିଲା ଯେ, ସେମାନେ ଗୋଟିଏ ପେଟର ଅନ୍ଧକାରରୁ ବାହାରିଛନ୍ତି ଏବଂ ସମାନ ସଙ୍କଟରେ ପଡ଼ିଛନ୍ତି । ମାତ୍ର ସେମାନେ ଭିନ୍ନମୁଖୀ ହେଉଥିଲେ ଜନ୍ମସ୍ଥାନଠାରୁ ଦୂରେଇଯାଇ । କେବଳ ବେଳେ ବେଳେ ସେମାନେ ନୀରବ ହେଉଥିଲେ—ମାଟି କିମ୍ୱା ପଚା ପରିବା ଶୁଙ୍ଗିବା ବେଳେ । ବସ୍ତୁତଃ ସେମାନେ ଆଶାୟୀ ହୋଇପଡ଼ୁଥିଲେ; ମାତ୍ର ପରକ୍ଷଣରେ ସେମାନେ ବୁଝି ଯାଉଥିଲେ, ତାକୁ ଆକର୍ଷଣ କରିଥିବା ଜିନିଷଟି ସେମାନଙ୍କ ପେଟର ଶୂନ୍ୟସ୍ଥାନ ପାଇଁ ନୁହେଁ । ତା’ପରେ ସେଇ ଚିତ୍କାର, ସେଇ ବ୍ୟସ୍ତତା, ଭୋକର ଭାଷା ।

 

ବର୍ତ୍ତମାନ ଆଉ କିଛି ମନେ ପଡ଼ୁନି । ପାଚେରୀ କଣରେ, ଯାବତୀୟ ଆବର୍ଜନାର ପାହାଡ଼ ଉପରେ ରାଜକୀୟ ଢାଞ୍ଚାରେ ଶୋଇବା କିମ୍ୱା କୌଣସି ବାଜେ ଜିନିଷଟିଏ ପାଟିରେ କାମୁଡ଼ି ଆଶ୍ଚର୍ଯ୍ୟ ଶୀକାରଟିଏ ପାଇଯାଇଥିବାର ଅଭିନୟ କରିବା । କୌଣସି ସୁଖ ଲମ୍ୱି ଆସୁ ନାହିଁ ଏଇ ବିପନ୍ନ ମୁହୂର୍ତ୍ତ ପାଖକୁ । ମା’ ଗଲା କୁଆଡ଼େ ? କ୍ଷୀର ନ ହେଲା ନାଇଁ, ସେ ଖାଲି ଚୁପ୍‌ଚାପ୍ ଶୋଇରହନ୍ତା ଏଠାରେ ଏବଂ ସେ ଦୁହେଁ ସ୍ୱାଧୀନ ଭାବରେ ତା’ ସାଙ୍ଗରେ ଖେଳନ୍ତେ । ତା’ କାନ କିମ୍ୱା ଗୋଡ଼ କାମୁଡ଼ିଧରି ଏଣେ ତେଣେ ଓଟାରିବାକୁ ଚେଷ୍ଟା କରନ୍ତେ । ପରସ୍ପର ମଧ୍ୟରେ ଏ ବେଳରେ ଆଉ କୌଣସି କୌତୁକ ସମ୍ଭବ ହେଉନି । ଦୁଇ ଆଗ ଗୋଡ଼ ଓ ପାଟି ସାହାଯ୍ୟରେ ସେମାନେ ଗେଲ ହେବା କଥାଟିକୁ ଭୁଲି ଯାଇଛନ୍ତି । ସମ୍ଭବତଃ ତାହା ମିଛ ହୋଇଯାଉଛି ବର୍ତ୍ତମାନର କରୁଣ ସମୟରେ ।

 

ଏଇଭଳି ଭାବରେ ସହରର କ୍ଳବ୍‍ ପଛ ପାଚେରୀ କୋଣପାଖରେ ଦୁଇଟି ଅନଭିଜ୍ଞ ଲୋମଶ ପିଣ୍ଡୁଳା ଉପରେ ବଞ୍ଚି ରହିବାର ମସ୍ତବଡ଼ ଦାୟିତ୍ୱଟିଏ ଲଦିଦେଇ ଜଣେ ମା’ ଉଭେଇ ଯାଇଥିଲା କେଉଁଆଡ଼େ ଏବଂ ସହରଟି ସେ ଆଡ଼କୁ ଜମା ନଜର ନ ଦେଇ ବ୍ୟସ୍ତ ରହିଥିଲା ନିଜର ଦୈନନ୍ଦିନତାରେ । ଦିନବେଳ ଯୋଗୁ କ୍ଳବ୍ ଓ ତା’ ପାଖରେ ଥିବା ଲାଇବ୍ରେରୀ ଘର ବନ୍ଦ ଅଛି । ପଲସ୍ତରାର ଚମଡ଼ା ଉଠିଯାଇ ଥିବା ଇଟାମାନଙ୍କର ମାଂସଛିଣ୍ଡି ଯାଉଥିବା ପାଚେରୀଟି ପ୍ରତ୍ୟୁତ୍ତରହୀନ ହୋଇ ଠିଆ ହୋଇଥିଲା ଆଗ ଭଳି । ପାଚେରୀକୁ ଲାଗି ସହରର ପରିବା ବଜାରଟି ଥିବାରୁ କୋଣରେ ଜମା ହୋଇଛି ପଚା ପରିବାର ସ୍ତୂପ, ଭଙ୍ଗା ଝୁଡ଼ି, ଶୁଖିଲା ମାଛ କାତି-। ପାଚେରୀ କଡ଼ଟି ପ୍ରାୟ ସନ୍ତସନ୍ତିଆ । ଉତ୍କଟ ପରିସ୍ରା ଗନ୍ଧରେ ସ୍ଥାନଟି ମ୍ରିୟମାଣ ଓ ଅତିଷ୍ଠ-। ଏଇଭଳି ସ୍ଥାନଟିକୁ ଏନ୍ତୁଡ଼ିଶାଳ ଭାବରେ ପସନ୍ଦ କରି ଦୁଇଟି ଜୀବନକୁ ଯେଉଁ ମା’ ଜଣକ ଆଣିଥିଲା ଏ ସଂସାରକୁ, ସେ ଛାତି ପଥରକରି ଦେଇ ପଳେଇଗଲା କିପରି ? ତା’ ସ୍ତନରେ ଏବେ ବି କ୍ଷୀର ଥିବ । କ’ଣ କରିବ ସେ ତାହାକୁ ?

 

କ୍ଲବ୍ ଏରିଆ ଟପି ସେ ଦୁହେଁ ବାହାରକୁ ଯାଉଥିଲେ । ସମ୍ଭବତଃ ସେମାନେ ବୁଝି ପାରୁଥିଲେ ଯେ, ଆଶାବାଦୀ ହେବା ଅପେକ୍ଷା ଆଶାହୀନ ଓ ଆଶକ୍ତିହୀନ ହୋଇ ଏଠାରେ ବଞ୍ଚି ରହିବା ସବୁଠାରୁ ବଡ଼ ବିଜ୍ଞତା । ମାତ୍ର ରାସ୍ତା କଡ଼ରେ ପହଞ୍ଚିବାକ୍ଷଣି ଦୁହେଁ ଯାକ ସ୍ତବ୍‌ଧ ଓ ନିର୍ବୋଧ ପାଲଟିଗଲେ । ସେମାନଙ୍କ ସାମନାରେ ଅଭୁତପୂର୍ବ ଦୃଶ୍ୟଟିଏ ଉଭା ହେଲା; ଯାହା ସେମାନଙ୍କ ପାଇଁ ଥିଲା ଅବୋଧ୍ୟ । ମସ୍ତବଡ଼ ଗଣ୍ଡଗୋଳିଆ ପରିବେଶ ଓ ଗତିମୟତାରେ ସ୍ଥାନଟି ଜଣାପଡ଼ୁଥିଲା ଯୁଦ୍ଧ ଭୂମି ଭଳି କର୍ମମୁଖର ।

 

ସହରର ପରିବା, ମାଛ, ତେଜରାତି,ଚାଉଳ, ଗହମ ଇତ୍ୟାଦିର ବିଶିଷ୍ଟ ଦୋକାନ ଗୁଡ଼ିକ ଅବସ୍ଥିତ ଥିବାରୁ ସ୍ଥାନଟି ନାହିଁ ନଥିବା ବ୍ୟସ୍ତତାରେ ସରଗରମ ଥିଲା । ଜଣେ ଆଗ ଗୋଡ଼ରେ ଭରା ଦେଇ ବସିପଡ଼ିଲା ଏବଂ ପରବର୍ତ୍ତୀ ପଦକ୍ଷେପଟି କ’ଣ ହୋଇପାରେ ବୋଲି ଚିନ୍ତାକଲା । ଅନ୍ୟଜଣକ ଠିଆହୋଇ ଚାହିଁଲା ଏଣେ ତେଣେ ଏବଂ ଡାହାଣପାଖରେ ଥିବା ବରା-ପିଆଜି ଚା ଦୋକାନ କଡ଼ରେ ସୃଷ୍ଟି ହୋଇଥିବା କାଦୁଅ ଆଡ଼କୁ ଯିବାପାଇଁ ଠିକ୍ କଲା । ସେତିକିବେଳେ ସାମନା ପରିବା ଦୋକାନରେ ନିଯୁକ୍ତ ହୋଇଥିବା ଦଶ-ବାର ବର୍ଷର କର୍ମଚାରୀଟି ହିନ୍ଦୀ ଗୀତ ବୋଲୁଥିବା ଅବସ୍ଥାରେ ଝୁଡ଼ିଏ ଧୂସର ପରିବା ଫୋପାଡ଼ିବା ପାଇଁ ପାଚେରୀ କଡ଼କୁ ଯାଉଥିଲା ଏବଂ ଗୋଟିଏ ଫୁଟବଲ ବୋଲି ଭାବିବସିଥିବା ଛୁଆଟିକୁ କିକ୍‌ଟିଏ ଦେଲା । ଏଭଳି ଏକ ଆକ୍ରମଣ ତା’ ପାଇଁ ଥିଲା ଅପ୍ରତ୍ୟାଶିତ । ପ୍ରତିଶୋଧ ନେବା ଦୂରେ ଥାଉ, ଛୁଆଟି ଯନ୍ତ୍ରଣା ଓ ପ୍ରତିବାଦରେ ଚିତ୍କାର କରିଉଠିଲା ଏବଂ ଭୂଇଁରୁ ଉଠିପଡ଼ି ଏକ ନିରାପଦ, ନ୍ୟାୟସଙ୍ଗତ ସ୍ଥାନକୁ ଚାଲିଯିବା ପାଇଁ ଧାଇଁଲା ଆଉ କେଉଁଆଡ଼କୁ ନ ଚାହିଁ । ମାତ୍ର ଗତି ତା’ର ଅଟକିଗଲା ଏକ ବିଚିତ୍ର ସ୍ଥାନ ପାଖରେ । ସେ କିଛି ବୁଝି ନ ପାରି ଚାହିଁଲା ଚାରିଆଡ଼େ; ମାତ୍ର ଦଶ-ବାରଟି ଯୋତା-ପେଣ୍ଟ ପରିହିତ ଗୋଡ଼, ଦଶ-ବାରଟି ସାଇକେଲ ଚକ ଭିତରୁ ସେ କୌଣସି ଅର୍ଥ ଖୋଜି ପାଇପାରିଲାନି-। ଆହୁରି ବିସ୍ମିତ ଓ କିଂକର୍ତ୍ତବ୍ୟବିମୃଢ଼ ହୋଇ କୌଣସିମତେ ସେ ଖସି ଆସିଲା ସେଠାରୁ ଏବଂ ଛୋଟ ପାନ ଦୋକାନର କାଠ କେବିନ ତଳେ ବସିଗଲା ସଂପୂର୍ଣ୍ଣ ଅବଶ ଓ ଭୟରୀତ ହୋଇ-

 

ସେ ଆଉ ଭାବି ପାରିଲାନି ୟାପରେ କ’ଣ କରିବ । ଚୁପ୍‌ଚାପ୍ ବସିଗଲା ପରେ ଭୋକ ଆହୁରି ତୀବ୍ର ଓ ଅସନ୍ତୁଷ୍ଟ ହୋଇ ପଡ଼ିଲା । କୁଁ...କାଁ ଶବ୍ଦକରି ସେ କେବିନ ତଳଟା ଦରାଣ୍ଡି ପକାଇଲା ଏବଂ ପରେ ଗୋଟିଏ କେବିନ ଗୋଡ଼କୁ ଚାଟି ପକାଇଲା, କାଳେ ସେଇଟା ସହାନୁଭୂତି ଓ କୁହୁକ ବଳରେ ରୂପାନ୍ତରିତ ହୋଇଯିବ ମା’ର ସ୍ତନରେ । ତା’ପରେ କୌଣସି ଶାଳୀନତାକୁ ଭ୍ରୂକ୍ଷେପ ନ କରି ସେ ଅବିରାମ ଭାବରେ ଚିତ୍କାର କଲା ଏବଂ ପ୍ରକାରାନ୍ତରେ ଚାଲେଞ୍ଜ କଲା ତା’ ଭୋକ ବିରୁଦ୍ଧରେ ଲଢ଼େଇ କରିବାପାଇଁ, ସମଗ୍ର ପୃଥିବୀର ତାକତ୍ ଅଛି କି ନା ବୋଲି ଜାଣିବାପାଇଁ ।

 

କୁକୁର ଛୁଆଟି ଜ୍ଞାନହୀନ ହୋଇପଡ଼ିଲା । ସେ ଗୋଟାକଯାକ ଅଦମ୍ୟନୀୟ ଭୋକ ହିଁ ପାଲଟି ଯାଇଥିଲା ଏବଂ ସ୍ଥିର ହୋଇ କୌଣସି ସ୍ଥାନରେ ବସିବା ତା’ ପାଇଁ ଅସମ୍ଭବ ହୋଇ ପଡ଼ିଲା । ରାସ୍ତା ଟପି ପୁଣି କ୍ଲବ ପଛ ପାଚେରୀ କୋଣକୁ ଯିବାପାଇଁ ସମ୍ଭବତଃ ଇଚ୍ଛା କରୁଥିଲା ସେ-। ହୁଏତ ଭାବୁଥିଲା କିଛି ସମୟ ପାଇଁ ଅନ୍ୟମନସ୍କ ହୋଇ ଯାଇଥିବା ମା’ ଫେରି ଆସିଥିବ ତାର ଜନ୍ମ ଭୂମିକୁ ଉଦ୍‌ବିଗ୍ନ ସ୍ତନ ଓ ଅସ୍ଥିର ଚୁମ୍ୱନ ନେଇ ।

 

ପାନଦୋକାନ କେବିନ ତଳୁ ବାହାରି ଆସି ଦୁଇ ତିନି ମିଟର ଯିବା ପରେ ଆଉ କ’ଣ ଘଟିଲା ସେ ବୁଝିପାରିଲା ନି । ଜିପ୍ ଡ୍ରାଇଭର ପଛକୁ ଚାହିଁ କେବଳ ଦେଖି ନେଲା, କଳା ରଙ୍ଗର ମୁଲାୟମ୍ ବ୍ୟାଗ୍‌ଟିଏ ଫାଟି ଯାଇଛି । ତା’ ଭିତରେ ଥିବା ରକ୍ତ, ମାଂସ ଓ ଅନ୍ତବୁଜୁଳା ଅବାକ୍ ସ୍ଥିରତାରେ ପଡ଼ି ରହିଛି କୌଣସି ଆପତ୍ତି ନକରି । ତା’ ଉପରକୁ ପେଟ୍ରୋଲ ଧୂଆଁ ବିଞ୍ଚିହୋଇ ପଡ଼ିଲା ଲାସ୍ ଉପରେ ଧଳା ଚଦରଟିଏ ଘୋଡ଼େଇ ଦେବାର ଭ୍ରମ ସୃଷ୍ଟି କରି ।

 

ବ୍ୟାଗ୍ ଇତ୍ୟାଦି ଧରି ସେଇବାଟେ ଯିବା ଆସିବା କରୁଥିବା ଲୋକମାନେ ନାକ ଟେକିଲେ ଏବଂ ରାସ୍ତା ଉପରେ ତିଆରି ହୋଇଥିବା କବରଟିକୁ ଆଭଏଡ଼୍ କଲେ ।

 

କିଛି ଦୂରରେ ଘଟି ଯାଇଥିବା ଏଇ ଟ୍ରାଜେଡ଼ି ପ୍ରତି ସଚେତନ ହେବାର କୌଣସି ଆବଶ୍ୟକତା ନ ଥିଲା ଚା’ ଦୋକାନ ପାଖରେ ପହଞ୍ଚି ଯାଇଥିବା ଅନ୍ୟ ଛୁଆଟି ପକ୍ଷରେ । ଏ କଥା ଜାଣିଥିଲେ ମଧ୍ୟ ସେ କ’ଣ କିଛି ଅଲୌକିକ କାମ କରି ପାରିଥାନ୍ତା ? ଜୀବନକୁ ବ୍ୟକ୍ତିଗତ ଭାବରେ ହିଁ ବଞ୍ଚାଯାଏ; ସାମୂହିକ ଭାବରେ, ମିଳିତ ଭାବରେ ନୁହେଁ । ଜନ୍ମ ହେବାକ୍ଷଣି ଏଇ ସତ୍ୟଟି ପ୍ରତ୍ୟେକ ରକ୍ତକଣିକା, ସମଗ୍ର ଚେତନାରେ ଆରୋପିତ ହୋଇଯିବା ପରେ ଆଉ କେଉଁ ବନ୍ଧନ ? କେଉଁ ସମ୍ପର୍କ ?

 

ଚା’ ଦୋକାନ ପାଖରେ ଗୋଟାଏ ଗାତ ଖୋଳା ଯାଇଥିଲା । ଦୋକାନରେ ଧୂଆଧୋଇ ହେଉଥିବା ପାଣି ପଶୁଥିଲା ତା’ ଭିତରେ ଏବଂ ତାହାକୁ ଅଭିଭୂତ କରି ଗଡ଼ି ଯାଉଥିଲା ରାସ୍ତା ଉପରକୁ । କୁକୁର ଛୁଆଟି ଆଉ ବିଶେଷ କାଳବିଳମ୍ୱ ନ କରି ବହି ଯାଉଥିବା ପଚା, ଦୂଷିତ ପାଣିର ଧାର ଉପରକୁ ଜିଭ ଲମ୍ୱାଇଲା ।

 

ସେତିକିବେଳେ ତାକୁ ଜଣାଗଲା, ତା’ ପାଖରେ ବିଶାଳ ଓ ଦୃଢ଼ ଶକ୍ତିଟିଏ ଠିଆ ହୋଇଛି । ସେ ବେଶ୍ ଅପରାଧୀ ମନେକଲା ନିଜକୁ ଏବଂ ପାଣି ପିଇବା ବନ୍ଦ କରି ଚାହିଁଲା ନଖ ସଂଯୋଜିତ ଗୋଡ଼ ଦୁଇଟିକୁ । ଉପରକୁ ଦୃଷ୍ଟି ଉଠାଇ ଦେଖିଲା, ତା’ ମା’ ଠାରୁ ଆହୁରି ବଡ଼, ଭିନ୍ନ ରଙ୍ଗର ଶକ୍ତିଶାଳୀ କୁକୁରଟିଏ ଠିଆ ହୋଇଛି ସମସ୍ତ ଗମ୍ଭୀରତା ଓ ଆତ୍ମସମ୍ମାନ ନେଇ । ଛୁଆଟି ଆଗନ୍ତୁକର ମୁହଁକୁ ଚାହିଁବାକ୍ଷଣି ସତେ ଯେମିତି ପ୍ରଚଣ୍ଡ ବିସ୍ଫୋରଣଟିଏ ଘଟିଗଲା । ବିନା ଲଜ୍ଜାରେ ଛୁଆଟି ଶୋଇଗଲା ତଳେ ଏବଂ ଚାରୋଟି ଗୋଡ଼ ଓ ପେଟ ଦେଖାଇ ଆତ୍ମସମର୍ପଣ କଲା । ଆଗନ୍ତୁକର ଦୁଇ ଓଠ ତଥାପି ପରସ୍ପର ଠାରୁ ଦୂରେଇ ରହିଥିଲେ । ତା’ର ଚକ୍ ଚକ୍ ବଳିଷ୍ଠ ଦାନ୍ତଗୁଡ଼ିକୁ ଦେଖି ଛୁଆଟି ଡରିଗଲା । ତା’ର ସମଗ୍ର ସତ୍ତା ଉପରେ ବିଞ୍ଚି ହୋଇଗଲା କାକୁସ୍ଥ କରୁଣତାର ଛବି । ସେ ଏ ପ୍ରକାର ଦୃଶ୍ୟ ଦେଖି ନ ଥିଲା ଆଗରୁ, ମାତ୍ର କୁକୁରଟିର ମୁଖଭଙ୍ଗୀ ଓ ଗର୍ଜନର ତାତ୍ପର୍ଯ୍ୟ ସେ ବୁଝିଗଲା ପ୍ରକୃତିଗତ ଚାଲାକି ସାହାଯ୍ୟରେ । ଏପରି ପରିସ୍ଥିତିରେ ନିଜକୂ ମାମୁଲି ଓ କ୍ଷୁଦ୍ରବୋଲି ପ୍ରମାଣ କରିବା ପାଇଁ ଭୂଇଁ ଉପରେ ଏଭଳି ଆତ୍ମସମର୍ପଣ ଭଙ୍ଗୀରେ ପଡ଼ିରହିବାକୁ ହୁଏ—ଏକଥା କିଏ ବା ଶିଖେଇଥିଲା ତାକୁ ? କିଛି ସମୟ ପାଇଁ ସେ ସେଇମିତି ପଡ଼ିରହିଲା । ବିଶାଳ କୁକୁରଟିର ଆତ୍ମମର୍ଯ୍ୟାଦାକୁ କ୍ଷୁଣ୍ଣ ନକରିବା ସକାଶେ ଚୁପ୍‌ଚାପ୍ ପଡ଼ିରହିଲା ହଲଚଲ ନ ହୋଇ । କୁକୁରଟି ଏଥର ତାକୁ ଦେଖିନେଲା ଭଲକରି । ଯଥେଷ୍ଟ ଦୂରତା ରକ୍ଷାକରି ସୁଙ୍ଘିବାକୁ ଚେଷ୍ଟାକଲା । ବିଶେଷତ୍ୱହୀନ ଓ ଦୟନୀୟ ବୋଲି ଭାବି ଚାଲିଗଲା ସେଠାରୁ ।

 

ସେ ତଳୁ ଉଠି ଠିଆ ହେଲା, ଝାଡ଼ିଝୁଡ଼ି ହେଲା । ବିଶାଳ କୁକୁରକୁ ଅନୁସରଣ କରିବାପାଇଁ ସେ ଦୁଇ ତିନୋଟି ପଦକ୍ଷେପ ନେଲା । ତା’ପରେ କିନ୍ତୁ ବସି ପଡ଼ିଲା ତଳେ, ଦାୟିତ୍ୱପୂର୍ଣ୍ଣ କାମଟିଏ ମନେ ପଡ଼ିଲା ଭଳି । ପଛ ଗୋଡ଼ ସାହାଯ୍ୟରେ କାନ କୁଣ୍ଡେଇଲା । ସେତେବେଳେ ତା’ର ତଳ ଓଠର ସେଇ ପାଖଟି ସତେ ଯେମିତି ତଳକୁ ଟାଣି ହୋଇରହିଥିଲା ଏବଂ ସେଇ ମଉକାରେ ତଳ ପାଟି ଦାନ୍ତର ଚାରାଗୁଡ଼ିକ ଦେଖି ନେଉଥିଲେ ପରିବେଶଟିକୁ । ପଛ ଗୋଡ଼ଟି ବେଶ୍ କ୍ଷୀପ୍ର ଗତିରେ କାନକୁ ସ୍ପର୍ଶ କରି କୁଣ୍ଡେଇ ହେଉଥିବା କାରଣଟିକୁ ପୋଛି ପକାଉଥିଲା, ଯେମିତି ବର୍ଷା ସମୟରେ ମୋଟର ଗାଡ଼ିର ଉଇଣ୍ଡସ୍କ୍ରିନ ଉପର ପାଣି-ପରସ୍ତକୁ ପୋଛି ପକାଏ ବ୍ୟସ୍ତ ଓ୍ୱାଇପର୍‌ଟି । ସେ ଉଠି ପଡ଼ୁଥିଲା; କିନ୍ତୁ ଏଥର ତା’ର ପାଟି ଲମ୍ବି ଆସିଲା ଲାଞ୍ଜ ପାଖକୁ । ସମ୍ଭବତଃ ସେଠାରେ ବିରକ୍ତ କରୁଥିବା ଅଂଶଟିକୁ ଶାନ୍ତ କରିବା ତା’ର ଉଦ୍ଦେଶ୍ୟ ଥିଲା । ମାତ୍ର ତା’ର ପାଟି ଯେତିକି ଘୁଞ୍ଚି ଯାଇଥିଲା ସେ ଦିଗକୁ, ଲାଞ୍ଜ ପାଖଟା ସେତିକି ଘୁଞ୍ଚି ଆସୁଥିଲା । ବସ୍ତୁତଃ ଦେଖାଗଲା ଯେ ଗୋଲାକାର ପିଣ୍ତୁଳାଟିଏ ଭୂଇଁ ଉପରେ ଘୂରି ବୁଲୁଛି ପାଟି ଓ ଲାଞ୍ଜ ମଧ୍ୟରେ ସମ୍ପର୍କଟିଏ ସ୍ଥାପନ କରିବା ପାଇଁ ।

 

ୟା ପରେ ସେ ଆଗକୁ ଚାଲିଲା । ଆଉ ମା’ କଥା ତା’ର ମନେ ପଡ଼ୁ ନ ଥିଲା ହୁଏତ । କୌଣସିମତେ ନିଜକୁ ବଞ୍ଚେଇ ରଖିବା କଥାଟା ଭିତ୍ତି ହୋଇ ପଡ଼ିଥିଲା ତା’ର ଗତିଶୀଳତାର ଏବଂ ଶଙ୍କିତ ସନ୍ଧାନୀ ଦୃଷ୍ଟିର । ସହରର ଅବହେଳିତ ଗଳିଟିଏ ହେଲେ ମଧ୍ୟ ରାସ୍ତା ଉପରେ ଯାଉଥିବା ଏ ଛୁଆଟି ଦିଶୁଥିଲା ବିନ୍ଦୁ ଏ ଅନିଶ୍ଚିତ ଅଥଚ ଆଗ୍ରହୀ ଜୀବନ ଭଳି । ଛୁଆଟି ସମସ୍ତ ସମ୍ଭାବ୍ୟ ସ୍ଥାନ ପାଖରେ ଅଟକି ଯାଇ ଶୁଙ୍ଘୁଥିଲା ଏବଂ ଆଗକୁ ଚାଲୁଥିଲା । ତା’ର ଏଇ ଚାଲିବା ଭିତରେ ସତେ ଯେମିତି ଲୁଚି ରହିଥିଲା ଗୋଟାଏ ପ୍ରତିଜ୍ଞା, ଗୋଟାଏ ସଂକଳ୍ପ–କେଉଁ ଏକ ଅପ୍ରତ୍ୟାଶିତ ଠିକଣାରେ ଅନ୍ୱେଷଣ ପାଇଯାଏ ପ୍ରୟୋଜନୀୟ ଦରବଟିକୁ । ଏଇ ପାଇବା ସକାଶେ ବ୍ୟାକୁଳତା ହେଉଛି ବଞ୍ଚି ରହିବା ।

 

ମାତ୍ର ହଠାତ୍ ଗତି ତା’ର ବନ୍ଦ ହୋଇଗଲା । ଖୁବ୍ ପାଖରେ ତିନି-ଚାରୋଟି କୁକୁର ଭୟଙ୍କର ଯୁଦ୍ଧରେ ଲିପ୍ତ । ସେମାନଙ୍କର ଚେତାବନୀର ସ୍ୱରରେ ଅସହିଷ୍ଣୁତା ଓ ଜଣେ ଅନ୍ୟକୁ ଧ୍ୱଂସ କରିଦେବାର ଧମକ ସ୍ପଷ୍ଟ ହୋଇ ଉଠୁଥିଲା । ଛୁଆଟି ଇତସ୍ତତଃ ହେଲା । ତା’ର ଅଜାଣତରେ ଊର୍ଦ୍ଧ୍ୱମୁଖୀ ଲାଞ୍ଜଟି ଖସି ଆସିଲା ତଳକୁ । ଅଜାଣତରେ ସେ ଦୁଇ-ତିନିଥର ଭୟ ଜର୍ଜରିତ ସ୍ୱରରେ ଭୁକି ପକାଇଲା ଏବଂ ଗୋଟିଏ ପିଣ୍ଡା କଡ଼ରେ ଜାକିଜୁକି ହୋଇ ଠିଆହେଲା ନିଜ ଅସ୍ତିତ୍ୱଟିକୁ ସେମାନଙ୍କ ଦୃଷ୍ଟିରୁ ଲୁଚେଇବା ପାଇଁ । ତା’ର ବିକଳ ଭାବକୁ ଆହୁରି ବଢ଼େଇ ଦେବାପଇଁ ତା’ ସାମନାରେ ଦୁଇ-ତିନୋଟି କୁକୁର ଭୁକୁଥିବା ଅବସ୍ଥାରେ ବ୍ୟସ୍ତ ହୋଇ ପ୍ରଚଣ୍ଡ ବେଗରେ ଧାଇଁଲେ ଯୁଦ୍ଧ ଭୂଇଁକୁ ।

 

ୟା ପରେ ସେମାନଙ୍କ ସ୍ୱରରେ ଆଉ କୌଣସି ସାବଲିଳତା, ସଂହତି ରହିଲା ନାହିଁ । ଉତ୍ତ୍ୟକ୍ତ ଗଣ୍ଡଗୋଳଟା ତୀବ୍ର ଏବଂ ରକ୍ତାକ୍ତ ହୋଇପଡ଼ିଲା । ପରେ ପରେ ଶୁଭିଲା ଗୋଟାଏ ଯନ୍ତ୍ରଣାଦଗ୍‌ଧ, ମୁମୂର୍ଷ କାନ୍ଦଣା । ମସ୍ତବଡ଼ କୁକୁରଟିଏ । ଦୁଇଟିଯାକ କାନରୁ ଥପ୍ ଥପ୍ ହୋଇ ରକ୍ତ ପଡ଼ୁଛି । ଆଗ ଗୋଡ଼ଟିଏ ଉପରକୁ ଟେକି ଛୋଟେଇ ଚାଲିଛି । ତା’ ପଛରେ ପାଞ୍ଚ-ଛ’ଟି ବିଜୟମଣ୍ଡିତ କୁକୁର । ପ୍ରଥମ କୁକୁର ନିଜର ପରାଜୟ ସତ୍ତ୍ୱେ ଦାନ୍ତ ଦେଖାଇ ଅନୁସରଣ କରୁଥିବା ପ୍ରତିଦ୍ୱନ୍ଦୀମାନଙ୍କୁ ନିଜ ପାଖରୁ ତଡ଼ି ଦେବାକୁ ଚେଷ୍ଟା କରୁଥିଲା । ୟାପରେ ପୁନରାୟ ଅନ୍ୟ ସମସ୍ତେ ପ୍ରଥମଟିକୁ ଘେରିଗଲେ । ତଳେ ପଡ଼ିଯାଇ ଛଟପଟ ହେଉଥିବା କୁକୁରଟି ଆଉ ଦେଖାଗଲା ନାହିଁ । ତା’ଚାରି ପାଖରେ ଘେରି ରହିଥିଲା ହିଂସ୍ରତାର ବ୍ୟୂହଟିଏ ତୀକ୍ଷଣ ଦାନ୍ତ ଓ ନଖରେ ସଜ୍ଜିତ ହୋଇ ।

 

ବହୁ ସମୟ ପରେ ବ୍ୟୂହଟି ଛିନ୍‌ଛତ୍ର ହେଲା । ତଳେ ପଡ଼ିଥିବା କୁକୁରଟି ନିଜକୁ ଘୋଷାଡ଼ୁ ଥିଲା ପ୍ରାଣରକ୍ଷା ସକାଶେ । ରକ୍ତାକ୍ତ ପରାଜୟଟି ଆର୍ତ୍ତନାଦ କରୁଥିଲା ଯନ୍ତ୍ରଣା ଓ ଅଭିଶାପର ଭାଷାରେ । ପ୍ରଥମଥର ପାଇଁ ଏନ୍ତୁଡ଼ିଶାଳରୁ ବାହାରକୁ ବାହାରିଥିବା ଛୁଆଟି ତ୍ରସ୍ତ ଦର୍ଶକଟିଏ ହୋଇ ଦେଖୁଥିଲା ଏଇ ଦୃଶ୍ୟଟିକୁ । ସେ ବର୍ତ୍ତମାନ ଏଭଳି ଭଙ୍ଗୀରେ ଠିଆ ହୋଇଥିଲା; ଯାହା ସୂଚେଇ ଦେଲା ଯେ, ସମୁଦାୟ ଘଟଣାଟିକୁ ସେ ବୁଝି ଯାଇଛି, ଏଥିରେ କୌଣସି ଅସ୍ୱାଭାବିକତା ଓ ନୂତନତା ସେ ଲକ୍ଷ୍ୟ କରୁ ନାହିଁ । ସହସା ସେ ଉତ୍ସାହିତ ହୋଇଗଲା । ଅନ୍ୟ ବିଜୟୀ କୁକୁରମାନଙ୍କ ସ୍ୱର ସହିତ ନିଜ ସ୍ୱର ମିଶାଇ ଆହତ କୁକୁର ଆଡ଼େ ସେ ଭୁକି ଉଠିଲା; ସତେ ଯେପରି ତା’ର ଅକ୍ଷମଣୀୟ ଅପରାଧ ସକାଶେ ନ୍ୟାୟାଚିତ ଶାସ୍ତି ତାକୁ ମିଳି ପାରି ନାହିଁ । ସେ ଭୁକିଲା ଏବଂ କୌଣସିମତେ ନିଜକୁ ଓଟାରି ନେଇଥିବା କ୍ଷତ ବିକ୍ଷତ କୁକୁରଆଡ଼େ କିଛି ବାଟ ଧାଇଁଲା ଚୂଡ଼ାନ୍ତ ବିଚାରପତିର ଦାୟିତ୍ୱ ନେଇ । ବିଜୟମଣ୍ଡିତ ଦଳ ସହିତ ନିଜକୁ ସାମିଲ କରିବା ବୁଦ୍ଧିମାନର କର୍ତ୍ତବ୍ୟ । ତତ୍‌କ୍ଷଣାତ୍ ସେ ବୁଝିଗଲାଏଇ ତତ୍ତ୍ୱଟିକୁ ।

 

ସମ୍ଭବତଃ ସେ ବିସ୍ମିତ ହେଉଥିଲା ଯେ, ମା’ କ୍ଷୀର ନପାଇ ମଧ୍ୟ ସେ ବଞ୍ଚିଯାଇ ପାରୁଛି-। ତା’ ସାମନାରେ ସୀମାହୀନ ଅନ୍ୱେଷଣର ଦିଗ ରହିଛି । ଚାଲି ଚାଲି, ଧାଇଁ ଧାଇଁ ହାଲିଆ ହେଲେ ବି କୌଣସି ଦିଗର ଅନ୍ତିମ ବିନ୍ଦୁ ପାଖରେ ସେ ଜମା ପହଞ୍ଚିପାରୁ ନାହିଁ । ସବୁକଥା ବିଶାଳ ଜଣାପଡ଼ୁଥିଲେ ମଧ୍ୟ ଅନେକ ସମୟରେ ସେ ଶୁଣୁଥିବା, ଦେଖୁଥିବା ଅନ୍ୟ କୁକୁରମାନଙ୍କର ଦୁର୍ଦ୍ଦାନ୍ତ ପୈଶାଚିକତା ତା’ ମନରେ ସୃଷ୍ଟିକରେ ଦୁର୍ନିବାର ସଂଶୟ । ବେଳେ ବେଳେ ସେ ଅନୁଭବ କରେ, ତା’ ଦେହକୁ ଦୁଇଧାଡ଼ି ଧାରୁଆ ଦାନ୍ତ ସତେ ଯେମିତି ଚାପି ଧରିଛି ଏବଂ ତା’ର ଅସ୍ତିତ୍ୱଟି ନିଷ୍‌ପ୍ରୟୋଜନ ବୋଲି ରାୟ ଦେଉଛି । ବିପଦ ସଙ୍କୁଳ । ହିଂସ୍ରତା ପରିପୂର୍ଣ୍ଣ । ଚକ୍ ଚକ୍ ଦାନ୍ତ ବିମଣ୍ଡିତ । ସେଥିରେ ପୁଣି ପେଟ ପୂରେଇବାର, ଆତ୍ମରକ୍ଷା କରିବାର ବ୍ୟାକୁଳତା ! କିଛି ବୁଝିହୁଏନି । ସମ୍ମୋହିତ ହୋଇ ସେ ବସି ରହେ । କୁଁ କାଁ ଶବ୍ଦ କରି ଏ ସବୁର ସଂଶୋଧନ, ସମାଧାନ କରିବା ପାଇଁ ସେ ଯେମିତି ନିଜକୁ ପ୍ରସ୍ତୁତ କରେ ।

 

ସେ ବୋଧହୁଏ ନିସଙ୍ଗ ଅନୁଭବ କଲା । ତା ସମାଜର ସେ ଜଣେ ସଭ୍ୟହୋଇ ପାରିନାହିଁ । ଲୁଚିଛପି ଦେଖୁଥିବା ସମସ୍ତ କୁକୁର ତା’ଠାରୁ ଥିଲେ ଯଥେଷ୍ଟ ବେଶି ବଡ଼ ଓ ପରାକ୍ରମଶାଳୀ । ଏଥିପାଇଁ ସେ ନଗଣ୍ୟ ହୋଇଯାଉଥିଲା । ଦିନେ ସେ ଯଥେଷ୍ଟ ନମ୍ରତା ଓ ଆଜ୍ଞାବହତାର ସହିତ ଆସିଲା ଗୋଟିଏ ମଜବୁତ୍ କୁକୁର ପାଖକୁ; ଯେ କି ପଛ ଗୋଡ଼ଟିଏ ଟେକି ବ୍ୟସ୍ତ ଥିଲା ପିଣ୍ଡା କଡ଼ରେ ପରିସ୍ରା କରିବାରେ । ତା’ ପରେ ଦୁଇ-ତିନି ମିଟର ଯାଇଛି କି ନାଇଁ ବୁଲିପଡ଼ିଲା ଏବଂ ଅନ୍ୟ ପଛ ଗୋଡ଼ଟି ଟେକି ପୁନରାୟ ପରିସ୍ରା କଲା ।

 

କୁକୁର ଛୁଆଟି ଅତିରଞ୍ଜିତ ସମ୍ମାନ ଯୋଗୁଁ ଖୁବ୍ ଜୋରରେ ଲାଞ୍ଜ ହଲାଇଲା, କାନ ଦୁଇଟିକୁ ସଙ୍କୁଚିତ କଲା ଏବଂ ନଇଁପଡ଼ି କୁକର ସାମନାରେ ନିଜକୁ ସମର୍ପଣ କଲା । କୁକୁରଟି ବିରକ୍ତ ହେଲା ଟିକିଏ । ଆଗକୁ ମାଡ଼ି ଚାଲିଲା । ସାନ କୁକୁରଟି ଆଦୌ କ୍ଷୁବ୍‌ଧ ନ ହୋଇ ଉତ୍ସାହିତ ହେଲା ଓ ଅନ୍ୟଟିର ଗୋଡ଼ରେ ଛନ୍ଦିହୋଇ ତଳେ ଶୋଇ ପଡ଼ିଲା ଗୋଟିଏ ବନ୍ଧୁତା ଭିକାରୀର ସଙ୍କେତ ଭଳି । ବଡ଼ଟି ମୁହଁ ନିମ୍ନମୁଖୀ କଲାକ୍ଷଣି ସେ ତଳୁ ଉଠି ପଡ଼ିଲା ଏବଂ ଠିଆ ହୋଇଥିବା ବନ୍ଧୁ ଦେହରେ ଘସି ହୋଇ କୁଁ କୁଁ...ସ୍ୱରର ମନ୍ତ୍ର ପଢ଼ି ସମ୍ପର୍କଟିକୁ ସ୍ଥାୟୀ ଓ ପବିତ୍ର କରିବାରେ ବ୍ୟସ୍ତ ରହିଲା । ସାହସକରି ସେ ଚାଟିପକାଇଲା ବିଶାଳ ପାଟିଟିକୁ । କୌଣସି ଅପ୍ରୀତିକର ପ୍ରତିକ୍ରିୟା ନାହିଁ । ପ୍ରଚୁର ଆନନ୍ଦରେ ସେ ବିମୋହିତ ହେଲା । ପରେ ବଡ଼ଟିକୁ ଅନୁସରଣ କଲା ।

 

ଦୁହେଁ ପହଞ୍ଚିଗଲେ ଗୋଟିଏ ବାଡ଼ ପାଖରେ । ସେଇଠି ଠିଆହୋଇ ବଡ଼ଟି ଚାହିଁଲା ଏଣେତେଣେ କିଛି ଆକର୍ଷଣୀୟ ଦ୍ରବ୍ୟ ସନ୍ଧାନ କରିପାରିଥିବାର ସୂଚନା ଦେଇ । ସମୟ ନଷ୍ଟ ନ କରି ସେ ମୁଣ୍ଡ ଗଳେଇଲା ବାଡ଼ ଭିତରେ । ନିଜକୁ ସଙ୍କୁଚିତ କରି ସେ ତାହାକୁ ଅତିକ୍ରମ କଲା । ସାନଟି ଅନୁକରଣ କଲା ଏଇ ଆଦର୍ଶଟିର । କେତୋଟି ବାଉଁଶକୁଦା, କଦଳୀ ଗଛ ଇତ୍ୟାଦି । ଗୋଟିଏ ପାଖରେ ଚାଳଘରଟିଏ । ସଜନା ଗଛ ପାଖରେ ଥିବା ମାଟିପାତ୍ର ଭିତରେ ମୁହଁ ପୁରାଇ ଜଣେ ହାଡ଼ୁଆ ବାଛୁରୀ ପେଜ–ତୋରାଣୀ ପିଉଛି ଯଥେଷ୍ଟ ଆଳସ୍ୟ ଓ ଅନ୍ୟମନସ୍କତାର ସହିତ । ବଡ଼ କୁକୁରଟି ଚିତ୍କାର କରିଉଠିଲା । ଦାନ୍ତ ଦେଖାଇ ସେ ଧାଇଁଗଲା ବାଛୁରୀ ପାଖକୁ ଏବଂ ବାଛୁରୀଟି ବିନା ପ୍ରତିରୋଧରେ ପଛଘୁଞ୍ଚା ଦେଇ ମାଟିପାତ୍ରଠାରୁ ଦୂରେଇଗଲା ।

 

କୁକୁରଟି ଆଗ ଦୁଇଗୋଡ଼ ପାତ୍ରର ମଙ୍ଗ ଉପରେ ଲଦି ମୁଁହ ପୁରାଇଲା । ତା’ର ଜମା ଖିଆଲ ନ ଥିଲା ଯେ କିଛି ସମୟ ପୂର୍ବେ ସେ ବନ୍ଧୁତା ମଞ୍ଜୁର କରିଥିବା ନଗଣ୍ୟ ପିଲାଟି ପାଖରେ ଠିଆ ହୋଇ ଅସହାୟତାର କାନ୍ଦଣା କାନ୍ଦୁଛି ଏବଂ ବାରମ୍ୱାର ଚେଷ୍ଟା କରିବା ସତ୍ତ୍ୱେ ପାତ୍ରର ମଙ୍ଗ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିପାରୁ ନ ଥିବାରୁ ବିକଳ ହୋଇଯାଉଛି । ମଙ୍ଗ ଭିତରୁ ଶୁଭିଲା ତିରସ୍କାରର ସ୍ୱରଟିଏ । ସାନଟି ଚୁପ୍ ନ ହେବାରୁ, ବଡ଼ଟି ତଳକୁ ଓହ୍ଲାଇ ଆସିଲା । ଅନୁପ୍ରବେଶକାରୀ ଡକାୟତଟିଏ ବୋଲି ମନେ କରି ସେ ପିଲାଟିକୁ ଆକ୍ରମଣ କଲା, ଯଥେଷ୍ଟ କଠୋରତାର ସହିତ । ସେ ଯନ୍ତ୍ରଣାରେ ଆର୍ତ୍ତନାଦ କରି ଉଠିଲା ଏବଂ ପ୍ରତାରକ ଆଡ଼କୁ ନ ଚାହିଁ ନିଷ୍କ୍ରାନ୍ତ ହୋଇଗଲା ସେଠାରୁ ।

 

କିଛିଦିନ ପରେ ଜଣେ ଲୋକ ଏଇ କୁକୁର ଛୁଆଟିକୁ ରାତିରେ ଜାକି ନେଇଯାଉଥିଲା କୁଆଡ଼େ କେଜାଣି । ଛୁଆଟି ହଲ୍‌ଚଲ୍ ନ ହୋଇ ଜୁଳୁ ଜୁଳୁ କରି ଚାହିଁଥିଲା ଏଣେତେଣେ ଏବଂ ବେଳେବେଳେ ଆଖି ବନ୍ଦ କରି ଏଇ ଅଭାବିତ ସୁଖଟିକୁ ଅନୁଭବ କରୁଥିଲା ସମସ୍ତ ଲୋମକୁପରେ, ସମସ୍ତ ହାଡ଼ ଅଭ୍ୟନ୍ତରରେ । ଅଭିଜ୍ଞତାଟା ଥିଲା ନୂଆ, ମାତ୍ର ସେ କୌଣସି ବିସ୍ମୟ ପ୍ରକାଶ କଲା ନାହିଁ; ସତେ ଯେପରି ତାହା ତା’ର ଏକାନ୍ତଭାବେ ପ୍ରାପ୍ୟ ଥିଲା ।

 

ତାକୁ ସ୍ୱାଗତ କରିବା ପାଇଁ ଗୋଟିଏ ଘରେ ସମସ୍ତେ ବହୁବେଳୁ ପ୍ରସ୍ତୁତ ଥିଲେ ବୋଧହୁଏ । ଚାରିପଟେ ଚାଳଘର । ମଝିରେ ପ୍ରଶସ୍ତ ଅଗଣା । ତିନୋଟି ଛୁଆ ପିଣ୍ଡାରେ ବସି କୁକୁର ଛୁଆଟିର ଆଗମନକୁ ଅପେକ୍ଷା କରୁଥିଲେ । ଲୋକଟି କୁକୁର ଛୁଆ ସମତେ ପହଞ୍ଚିବାକ୍ଷଣି ସେମାନେ ଆଗରୁ ହଜାର ଥର ଘୋଷିଥିବା ବାକ୍ୟଟି ଉଚ୍ଚାରଣ କଲେ, ନାହିଁ ନଥିବା ଆନନ୍ଦ ଓ ଉଦ୍ଦୀପନାର ସହିତ–‘‘ବାପା, ସନା ଆସିଲାଣି । ଆସ ଦେଖିବ ।’’

 

ଗୋଟିଏ ଘରୁ ଲୁଙ୍ଗି ପରିହିତ ସମ୍ଭବତଃ ବାପା ବାହାରି ଆସିଲେ । ଅନ୍ୟ ଏକ ଘରୁ ହାତରେ ପିଠାଖଡ଼ିକା ଧରି ସମ୍ଭବତଃ ମା’ ପହଞ୍ଚିଗଲେ ସେଠାରେ । ବାପା କହିଲେ–‘‘ତୋତେ ଆଉ କୌଣସି ରଙ୍ଗର କୁକୁର ମିଳିଲେ ନି ? ବାଛି ବାଛି କଳା ରଙ୍ଗର କୁକୁରଟାଏ ଆଣିଛି । ଏଇଟା ଢେର ବଡ଼ ହୋଇଗଲାଣି । ଆଉ କ’ଣ ପୋଷା ମାନିବ ? ଏଇଟାକୁ ଛାଡ଼ିଦେଇ ଆ ।’’

 

ଅଗଣାରେ ଛାଡ଼ି ଦେଇଥିବା କୁକୁରଟିକୁ ଆଉଁସିବାରେ ଲାଗିଥିଲେ ଘରର ପିଲା ତିନୋଟି । ସେଇଟିକୁ ଛାଡ଼ି ଦେବା କଥା ଶୁଣି ସେମାନେ ଚାହିଁଲେ ବାପାଙ୍କୁ । ପରେ ମା’ଙ୍କୁ ଓ ସନାକୁ କରୁଣ ଆଖିରେ ।

 

ସନା କହିଲା–‘‘ଏଇଟା ଢେର ଚାଲାକ ଜଣାପଡ଼ୁଛି । କାଇଁ ? ବେଶି ବଡ଼ ଆଉ ହୋଇଛି କ’ଣ ? ତା’ ଛଡ଼ା କଳା ରଙ୍ଗଟା ତ ଭଲ ! ଦେଖୁନା, କେମିତି ମଜବୁତ୍ ଦିଶୁଛି । ଏଇଟିକୁ ରଖ ।’’ କୁକୁରଟି ସପକ୍ଷରେ ଏହାଠାରୁ ଭଲ ସାର୍ଟିଫିକେଟ୍ ଆଉ କ’ଣ ହୋଇପାରିଥାନ୍ତା ?

 

ବାପା ଆଉ ଆପତ୍ତି କଲେ ନାହିଁ । ମା’ଙ୍କ ଆଡ଼େ ଚାହିଁ କହିଲେ–‘‘କ’ଣ କହୁଛ ? ରଖିବା ? ଦେଖାଯାଉ, ଘର ଜଗୁଛି କି ନା ! ନ ହେଲେ ବାହାର କରିଦେବା । ଟାଇଗରକୁ କ’ଣ ଟିକିଏ ଖାଇବାକୁ ଦିଅ ।’’ ଏତକ କହିଲେ ଓ ରୁମ୍ ଭିତରକୁ ଚାଲିଗଲେ । ନାମକରଣ ଉତ୍ସବଟି ଶେଷ ହେଲା ନିର୍ବିଘ୍ନରେ ।

 

ଟାଇଗର ! ଉତ୍ସାହୀ ପିଲା ତିନିଜଣ ଘୋଷି ପକେଇଲେ ନାଁଟିକୁ କାଳେ ଭୁଲିଯିବେ ବୋଲି । ମା’ ବଡ଼ ପିଲାଟି ଉଦ୍ଦେଶ୍ୟରେ କହିଲେ–‘‘ଟୁକୁ, ତୁ ଆ । ଟାଇଗର ପାଇଁ ଖାଇବାକୁ ନେଇ ଆସିବୁ । ବାପା ଯେଉଁ ବେଲ୍‌ଟ ଆଉ ଜଞ୍ଜିର କିଣିଥିଲେ, କେଉଁଠି ରଖିଛୁ ସେସବୁ ?’’

 

–‘‘ଶେଲ୍‌ଫରେ ଅଛି ।’’ ଟୁକୁ କହିଲା ।

 

–‘‘ବାପାଙ୍କୁ କହ, ଏଇଟାକୁ ବାନ୍ଧି ରଖିବେ । ନହେଲେ ଏ ଘର ସେ ଘର ପଶିବ ।’’ ଏତକ କହିଲେ ଓ ରୋଷେଇ ଘରକୁ ଚାଲିଗଲେ ।

 

ଖାଦ୍ୟ ଓ ଜଞ୍ଜିରର ଉପସ୍ଥିତି ପ୍ରତି ସଚେତନ ହୋଇ ନଥିବା ଟାଇଗର ଅଗଣାର ଛାତିକୁ ଶୁଙ୍ଘି ଯାଉଥିଲା କୁଁ...କୁଁ...ଶବ୍ଦ କରି । ପ୍ରଶସ୍ତ ଅଗଣାର ଏ ମୁଣ୍ଡରୁ ସେ ମୁଣ୍ଡକୁ ଯିବାପାଇଁ ତାକୁ ଜମା କେତୋଟି ମୁହୂର୍ତ୍ତ ଲାଗିଥିଲା । ଚାରିପଟେ ପିଣ୍ଡା । ସେ ବାଟ ପାଉ ନ ଥିଲା । ନିଜକୁ ସେ କେମିତି ସାଲିସ୍ କରିବ ଏ ନୂଆ ପରିବେଶ ସହିତ ?

 

ଗୋଟିଏ ଘରୁ ଜଞ୍ଜିର, ଅନ୍ୟଘରୁ ଖାଦ୍ୟ ପହଞ୍ଚିଗଲା ଏକାସଙ୍ଗରେ । ବାପା ବକ୍‌ଲେସ ସାହାଯ୍ୟରେ ବେଲ୍‌ଟିକୁ ଭିଡ଼ିଦେଇ ଟାଇଗର ବେକରେ । ଜଞ୍ଜିରଟିକୁ ତା’ ସହିତ ସଂଯୋଗ କରିଦିଆଗଲା । ଏ ସବୁର ତାତ୍ପର୍ଯ୍ୟ ବୁଝିବା ପୂର୍ବରୁ ଗୋଟିଏ ପତ୍ରରେ କିଛି ଭାତ ଥୋଇ ଦିଆଯାଇଥିଲା ତା’ ସାମନାରେ । ଟାଇଗର ପାଟି ବଢ଼େଇବା ବେଳେ ମା’ ପ୍ରତିବାଦ କଲେ–‘‘ଏଠି ନୁହେଁ । ବାରିପଟକୁ ନେଇଯାଅ । କୁକୁର ଅଇଁଠା ସଫା କରିବ କିଏ ?’’

 

ପତ୍ରଟିକୁ ଧରି ବାରିପଟକୁ ଚାଲିଗଲା ଟୁକୁ । ଜଞ୍ଜିରର ଅନ୍ୟ ପାଖଟି ଧରି ବାପା ଟାଇଗର ଉଦ୍ଦେଶ୍ୟରେ କହିଲେ—‘‘ଚାଲ ! ଖାଇବୁ ।’’

 

କିଛି ବୁଝି ନ ପାରୁଥିବା ଟାଇଗର ନ ଯିବାରୁ ସେ ତାକୁ ଏକରକମ ଘୋଷାରି ନେଲେ ଦଇବ ଜଞ୍ଜିର ହାତରେ ଧରି । ଯନ୍ତ୍ରଣା ଓ ଆପତ୍ତିର ଚିତ୍କାର ଘରକୁ ପ୍ରକମ୍ପିତ କଲା; ମାତ୍ର ଟାଇଗରର ସୁଖ ଓ ଇଚ୍ଛା ଅନୁସାରେ ଜଞ୍ଜିର କୋହଳ ହେଲା ନାହିଁ । ତାହା ଓଟାରି ନେଉଥିଲା ଟାଇଗରକୁ ଅନିବାର୍ଯ୍ୟ ଦିଗରେ ଦୃଢ଼ତାର ସହିତ ।

 

ରାତିର ଅନ୍ଧକାର ଓ ନିସ୍ତବ୍‌ଧତା ଭିତରେ ଟାଇଗରର କାନ୍ଦଣା ଓ ଦାବି ଆହୁରି ବିଚଳିତ ଓ ଶାଣିତ ହୋଇ ପଡ଼ୁଥିଲା । ଘରର ଦରବାର ବନ୍ଦଥିଲା ସେତେବେଳେ; ଅଥଚ ତୁହାକୁ ତୁହା ନିଷ୍ଫଳ ଚିତ୍କାର କରି ସେ ଲଢୁଥିଲା ଅପ୍ରତିଦ୍ୱନ୍ଦ୍ୱୀ ଜଞ୍ଜିର ବିପକ୍ଷରେ । ନିଘୋଡ଼ ନିଦରେ ଶୋଇ ଯାଇଥିବା ସଭିଙ୍କୁ ଉଠାଇ ନିଜ ମର୍ଳିର ନିବେଦନ ଶୁଣେଇବାକୁ ସେ ଅସ୍ଥିର ହୋଇପଡ଼ିଥିଲା । ପ୍ରାୟ ଅଧରାତି ବେଳକୁ ଗୋଟିଏ ହାତରେ ଟର୍ଚ୍ଚ, ଅନ୍ୟ ହାତରେ ଲମ୍ୱା ବାଡ଼ିଟିଏ ଧରି ଗୃହସ୍ୱାମୀ କୋଠରୀରୁ ବାହାରି ପଡ଼ିଲେ ବିରକ୍ତିର ସହିତ । ଆଦେଶ ଦେଲେ–‘‘ଚୁପ୍ ହ ! ଶୋଇପଡ଼ ଚୁପ୍‌ଚାପ୍; ନ ହେଲେ ପିଟିବି ଏଇଥିରେ ।’’

 

ଟାଇଗର କୌଣସି କଥାକୁ ଭ୍ରୂକ୍ଷେପ ନ କରି ଆହୁରି ଟଣାଓଟରା କଲା ଜଞ୍ଜିରଟିକୁ । ଆହୁରି ଉଚ୍ଚସ୍ୱରରେ ଭର୍ତ୍ସନା କଲା ତା’ର ହୃଦୟହୀନ ବିଧାତାକୁ । ଏଥର ବାଡ଼ିଟି ତାକୁ ଆଘାତ କଲା । ଯନ୍ତ୍ରଣା ଓ ଅଭିଶାପର ସ୍ୱର ଯେତିକି ବଢ଼ୁଥାଏ, ଗୃହସ୍ୱାମୀ ସେତିକି କ୍ରୋଧରେ ତାକୁ ମାଡ଼ ଦେଉଥାନ୍ତି । ଏକ ଅଶାନ୍ତ ମନ ଭଳି ଟାଇଗର ପ୍ରତ୍ୟାଖ୍ୟାନ କରୁଥିଲା ସମସ୍ତ ସମ୍ଭାବନାକୁ । ବନ୍ଧନ କିନ୍ତୁ ଫିଟିଲା ନାହିଁ ।

 

ଆ, ଆ, ଟାଇଗର—ବୋଲି ଡାକି ବା କ୍ଷଣି ପାଖରୁ ଯିବା ଦରକାର । ସେ ପିଲା ତିନୋଟିକୁ ଚାହେଁ ଏବଂ ନିଶ୍ଚିତ ହୋଇଯାଏ ଯେ, ହାଫ୍‌ପେଣ୍ଟ ପିନ୍ଧିଥିବା ଏବଂ ମାତ୍ର ଦୁଇଟି ଗୋଡ଼ ଥିବା ଏଇ ସାନ ମଣିଷଗୁଡ଼ିକ ଆହୁରି ନିର୍ମମ; ଏମାନଙ୍କର ବ୍ୟବହାରରେ କୌଣସି ଯୁକ୍ତିଯୁକ୍ତତା ନ ଥାଏ । ଏମାନଙ୍କର ଆଚରଣ ଅନୁମାନ କରିବା ଅସମ୍ଭବ । ତା’ କାନ କିମ୍ୱା ଗୋଡ଼ ଧରି ସେମାନେ ତାକୁ ଘୋଷାରନ୍ତି । ତା’ସଙ୍ଗେ ଖେଳିବା ନାଁରେ ସେମାନେ ଅକଥନୀୟ ଅତ୍ୟାଚାର କରନ୍ତି । ପୁଣି ତାକୁ ଆଉଁସନ୍ତି । ଯଥେଷ୍ଟ ଖାଇବାକୁ ଦିଅନ୍ତି ।

 

ଏଇଥି ସକାଶେ ଦିନେ ସୁବିଧା ଦେଖି ସେ ଦୌଡ଼ିଲା ବାହାରକୁ । ପିଲାମାନେ ପାଟି କରି ଉଠିଲେ ଏବଂ ଗୃହସ୍ୱାମୀଙ୍କ ସମେତ ସମସ୍ତେ ଦୌଡ଼ିଲେ ତା’ପଛରେ । ଅନେକ ପରିଶ୍ରମ ପରେ ତାକୁ ଧରାହେଲା । ଖୋଲିଯାଇଥିବା ଜଞ୍ଜିରଟି ବନ୍ଧା ହେଲା ତା’ବେକରେ ।

 

ଘରକୁ ଫେରି, ତା’ ଦୁଇ କାନ ଧରି ଗୃହସ୍ୱାମୀ ଟେକିଲେ ଉପରକୁ । କହିଲେ–‘‘ଶାଲା ନିମକହାରାମ ! ଦେବି ଆଜି ତୋତେ ଖତମ୍ କରି ।’’ କହୁ କହୁ ସେତିକି ଉଚ୍ଚରୁ ତା’କୁ ତଳକୁ ପକେଇଦେଲେ ।

 

ଖୁଣ୍ଟି ଓ ବେକକୁ ସଂଯୋଗ କରୁଥିବା ଜଞ୍ଜିରର ନିର୍ଦ୍ଧାରିତ ଅଞ୍ଚଳ ବାହାରେ ଥିବା ବ୍ୟାପକ ପୃଥିବୀ କଥା ମନେପଡ଼େ । ମନେପଡ଼େ, ବାରବୁଲା ହୃଷ୍ଟପୁଷ୍ଟ ରୁଗ୍‌ଣ କୁକୁରମାନଙ୍କର ମନଇଚ୍ଛା ଗତି ଓ ବିବାଦ । ଅଇଁଠା ପତ୍ରରେ କାହିଁକେଉଁଠି ଲାଗିଥିବା ଖାଦ୍ୟଟୋପା, ନର୍ଦ୍ଦମାର ପାଣି । ମନେପଡ଼େ ଏବଂ ଏକ ଚାଞ୍ଚଲ୍ୟକର ଶିତ୍କାରରେ ଟାଇଗରରର ଦେହ ରୋମାଞ୍ଚିତ ହୋଇଯାଏ । ସେ ପ୍ରଲୁବ୍‌ଧ ହୁଏ, ଘଟିବ ଯାହାହେଲେ କିଛି ଗୋଟାଏ । ହଁ, ଘଟିବ । ଏ କଥା ଭାବିବାକ୍ଷଣି ସେ ଟାଣିପକାଏ ଅପରାଜେୟ ଜଞ୍ଜିରକୁ । କୁଁ କୁଁ ଶବ୍ଦ କରେ ପ୍ରତିବାଦରେ ଏବଂ ପରେ କ୍ରୋଧରେ । ଜଞ୍ଜିର ସମେତ ତାକୁ ବାହାରକୁ ବୁଲାଇ ନେଲେ ଗୋଟାଏ କୃତଜ୍ଞ ଉତ୍ସାହ ଓ ଫୁର୍ତ୍ତି ଉଛୁଳି ପଡ଼େ ତା’ ଦେହରୁ । ସେ ଟାଣିହୁଏ ବିଭିନ୍ନ ଦିଗଆଡ଼େ; ମାତ୍ର ତାକୁ ବାନ୍ଧି ରଖିଥିବା ଲୁହାର ନିଗଡ଼ ତା’ ଗତିକୁ ଶୃଙ୍ଖଳିତ କରେ ।

 

ଆସିବ ଗୋଟାଏ ସୁଯୋଗ । ଆସିବ ନିଶ୍ଚୟ ଏବଂ ତା’ର ଏଇ ଛଟପଟ ଜୀବନର ନକ୍‌ସାକୁ ବଦଳାଇ ଦେବ କମନୀୟ ଭାବରେ । କିନ୍ତୁ, କାହିଁ ? ଏଇ ତ ସେ ବଡ଼ ହୋଇଗଲାଣି ଯଥେଷ୍ଟ । ତା’ ବେକରେ ଆଉ ଜଞ୍ଜିର ନାହିଁ । ସେ ବାହାରକୁ ବାହାରି ଯାଉଚି ଇଚ୍ଛାମତେ, ଅନ୍ୟମାନଙ୍କ ସଙ୍ଗେ ମୁକାବିଲା କରିବା ପାଇଁ ଅଣ୍ଟାଭିଡ଼ୁଚି । ଅଥଚ ଟାଇଗର ବୋଲି ଶୁଣିବା ମାତ୍ରେ ସେ ଧାଇଁ ଆସୁଚି ଘରର ଅଗଣା ଭିତରକୁ । ଘରଲୋକଙ୍କୁ ଖାଇବାର ଦେଖିଲେ ଲାଞ୍ଜ ହଲାଉଚି ଆଜ୍ଞାବହତାର ପ୍ରତୀକଟିଏ ଭଳି । ଅପରିଚିତ ମଣିଷର ଗନ୍ଧ, ରାତିରେ ଅସ୍ୱାଭାବିକ ଶବ୍ଦ ବିରୁଦ୍ଧରେ ପ୍ରତିବାଦ କରି ସେ ପ୍ରକମ୍ପିତ କରୁଚି ଘରର ପବନ ।

 

ସମସ୍ତ ସୁଯୋଗ ସତ୍ତ୍ୱେ ଇଏ କି ପ୍ରକାରର ପ୍ରଲୋଭନ ? ଇଚ୍ଛାକୃତ ଭାବରେ ସବୁ ସ୍ୱପ୍ନମୟ ମୁକ୍ତିକୁ ଜଳାଂଜଳି ଦେଇ ସେ ପଡ଼ିରହିଚି କାହିଁକି ଏଠାରେ ଏମିତି ସୀମାବଦ୍ଧ ହୋଇ ? କେବେ ତା’ର ଜୀବନର ପରିପାଟି ବଦଳିବ ?

 

ଅଥଚ ଧୀରେ ଧୀରେ ତା’ର ଆସକ୍ତି ପୋତି ହୋଇପଡ଼ୁଚି ଗୋଟାଏ ମୋହମୁକ୍ତ ନିର୍ଲିପ୍ତତାରେ । କାହିଁକି ଏମିତି ଘଟୁଚି କେଜାଣି ? ଆଶ୍ଚର୍ଯ୍ୟ, ତା’ର ସ୍ୱପ୍ନ ହଜି ଯାଉଚି କେଉଁଆଡ଼େ ଏବଂ ଜୀବନକୁ ନେଇ ସେ ଆଉ କୌଣସି ଯୋଜନା ପ୍ରସ୍ତୁତ କରୁନି । ଜଞ୍ଜିର ନ ଥିଲେ ମଧ୍ୟ ଗୋଟାଏ ଅଦୃଶ୍ୟ ଶକ୍ତି ଘୋଡ଼େଇ ପକାଇଚି ତାକୁ । ଅଜସ୍ର କ୍ଲାନ୍ତି ଓ ହାଇ ଭିତରେ, ଅପାରଗ ହାହାକାର ଓ ଅସହାୟତା ଭିତରେ ଦିଗଭ୍ରଷ୍ଟ ହୋଇଯାଉଚି ।

 

ମନେ କରାଯାଉ, ଟାଇଗରକୁ ପଚରାଯା’ନ୍ତା—‘‘ସଂସାର ଓ ଜୀବନ ସଂପର୍କରେ ଜ୍ଞାନ ଆସିବା ପୂର୍ବରୁ ଜିପ୍ ଚକ ତଳେ ଆକସ୍ମିକ ଭାବରେ ମରିଯିବା ଭଲ, ନା ଏଇଭଳି ବିମର୍ଷ, ଆତ୍ମ ସମର୍ପଣ ଜୀବନ ନେଇ ବଞ୍ଚି ରହିବା ଭଲ ?’’

 

ଟାଇଗର ସମ୍ଭବତଃ ପ୍ରଥମେ ନିର୍ବୋଧ ହୋଇଯା’ନ୍ତା । ପ୍ରଶ୍ନଟିକୁ ସମାଧାନ କରି ପାରିବା ଭଳି ଜବାବ ଦିଅନ୍ତା—‘‘ଭାବି ଚିନ୍ତି ପରେ କହିବି ।’’

 

ଦିନ ଗଡ଼ିଯାଉଚି ତା’ବାଟରେ । ଘର ଅଗଣାର ଦିଗ୍‌ବଳୟ ଭିତରେ ରହି ଟାଇଗର ଭାବି ଚାଲୁଚି ଉପରୋକ୍ତ ଦୁଇ କଥାରୁ କେଉଁଟି ବାସ୍ତବିକ ଭଲ । ପ୍ରତିଶ୍ରୁତିହୀନ ସମୟ ଛଡ଼େଇ ନେଉଚି ତା’ର ଉତ୍ସାହଦୀପ୍ତ ତାରୁଣ୍ୟ, ତା’ ଯୌବନର ସ୍ୱପ୍ନ । ସେ ଅନ୍ୟ କୁକୁରଙ୍କୁ ଦେଖି ଏଥର ଭୟଭୀତ ହେଉଚି । ତା’ର ଅପାରଗ ଦେହ ଭିତରକୁ ନିର୍ବିଘ୍ନରେ ପଶି ଆସୁଚନ୍ତି ଯାବତୀୟ ରୋଗର ଜୀବାଣୁ । ରାତିରେ ଅସ୍ୱାଭାବିକ ଶବ୍ଦ ଶୁଣି ନିଜକୁ ସେ ସଙ୍କୁଚିତ କରୁଚି । ମନେ ମନେ ସେ ଖୋଜୁଚି ପ୍ରଶ୍ନକର୍ତ୍ତାକୁ କହିଦେବା ପାଇଁ–‘‘ମରିଯିବା ଭଲ । ତା’ଠୁ ଆହୁରି ଭଲ ଆଦୌ ଜନ୍ମ ନ ନେବା ।’’

 

ମୃତ୍ୟୁ ପୂର୍ବରୁ ଟାଇଗରର ଅକ୍ଷମ ଦେହ ଆଉ ଘର ଅଗଣାରେ ନଥିଲା । ଶୃଙ୍ଖଳହୀନ ହୋଇ ଘରବାହାରେ ପଡ଼ିଥିଲା ଏବଂ ଶୈଶବରେ ଯେଉଁ ଅପରିମିତ ପୃଥିବୀକୁ ନେଇ ସେ ମୁକ୍ତିର ସ୍ୱପ୍ନ ଦେଖୁଥିଲା, ତାହା ଝାପ୍‌ସାହୋଇ ଯାଉଥିଲା ତା’ ପାଣ୍ଡୁର ଆଖିରେ । ସେ ଯାଇପାରୁନି କାହିଁ । ଘରର ଅଗଣା ଏକ ନିଷିଦ୍ଧଅଞ୍ଚଳ ତା’ପାଇଁ । ବାହାରର ଜଗତ ତା’ପାଇଁ ବିଶାଳ ହୋଇ ପଡ଼ୁଥିଲା-। ତା’ ଭିତରକୁ ଯିବା ସକାଶେ ପ୍ରୟୋଜନୀୟ ଅବଲମ୍ୱନ ହରାଇ ସେ କେବଳ ଅନୁଭବ କରୁଥିଲା ତା’ର ଜଡ଼ସଡ଼ ଶରୀରକୁ ଅଭିଭୂତକରି ବାରମ୍ୱାର ମୁଣ୍ଡ ଟେକୁଥିବା ଅଗଣିତ ହିକାର ଝଡ଼ । ‘‘କହିଲୁ ନାଇଁ ତ, କେଉଁଟି ଭଲ ?’’ ଟାଇଗରର ଏଇ ଅବସ୍ଥାରେ ସତକୁ ସତ ପହଞ୍ଚିଗଲେ ଉପରୋକ୍ତ ପ୍ରଶ୍ନ କର୍ତ୍ତା ଜଣକ ହାତରେ କ’ଣ ଗୋଟାଏ ଚକ୍ ଚକ୍ ଜିନିଷ ଧରି । ‘‘ସତରେ ଯଦି ମରିଯିବା ଭଲ ବୋଲି ଭାବୁଥାଉ, ତେବେ ଦେଖୁଚୁ ତ ଏଇଟାକୁ ? ବନ୍ଧୁକ ୟାର ନାଁ । ସବୁଦିନ ପାଇଁ ତୋତେ ମୁକ୍ତ କରିଦିଆଯିବ । ଏ କଲବଲ ଜୀବନରୁ ତ୍ରାହି ପାଇଯିବୁ ।’’

 

ଟାଇଗର ତ୍ରସ୍ତତା ଓ ଭୟରେ ବ୍ୟାକୁଳ ହୋଇପଡ଼ିଲା । ଦେଖେଇ ଦେବ କି ବନ୍ଧୁକର ମୁନ ସାମନାରେ ନିଜର ରଙ୍ଗହୀନ, କତରା ଛାତିକୁ ? ଦେଖେଇ ଦେବ ? ମୁକ୍ତ ହୋଇଯିବ ସମସ୍ତ ଅକ୍ଷମତା ଓ ରିକ୍ତତାରୁ ?

 

ଟାଇଗର ଚାହିଁଲା କାତର ଦୃଷ୍ଟିରେ ପ୍ରଶ୍ନକର୍ତ୍ତା ଆଡ଼େ । ଗୋଟାଏ ଲାଳସାରେ ସେ ଓଦା ହୋଇଗଲା ସତେ ଯେପରି । ଧକଉଥିବା ଦେହ ପ୍ରତି ସ୍ନେହ ଓ ମମତାରେ ସେ ରୁଦ୍ଧ ହୋଇଗଲା । ସେ କ’ଣ ଭଲ ହୋଇଯିବନି ? ଅତୀତର ସମସ୍ତ ଉତ୍ସାହ ଓ ଶକ୍ତି କ’ଣ ଫେରିଆସିବନି ତା’ପାଖକୁ ? ସେ କ’ଣ ଆଉ ଧାଇଁବନି ପ୍ରବଳ ବେଗରେ ଏବଂ ଗୃହକର୍ତ୍ତାଙ୍କ ପ୍ରଶଂସାର–ପାତ୍ର ହେବ ନି ?

 

ଟାଇଗରର ମୁମୂର୍ଷୁ ସ୍ୱର ଶୁଭିଲା–‘‘ଏ ଯାଏଁ ଠିକ୍ କରିପାରିନି । ପରେ କହିବି । ପରେ କହିବି, ଜିପ୍ ଚକତଳେ ଆକସ୍ମିକ ଭାବରେ ମରିଯିବା ଭଲ ନା, ଏଇଭଳି ବଞ୍ଚିରହିବା ଭଲ ।’’

Image

 

ଶ୍ରୀକ୍ଷେତ୍ରରେ ଦୁଇଦିନ

 

ଶୀତତାପ ନିୟନ୍ତ୍ରଣ ଡବାରୁ ଓହ୍ଲାଇ ମିଃ ସାକ୍ ସେନା ପାଇପଟିକୁ ଓଠରେ ଲଗାଇଲେ-। ପ୍ୟାଣ୍ଟ ପକେଟରୁ ଲାଇଟର ବାହାର କରିବା ବେଳେ, ତାଙ୍କ ଦୃଷ୍ଟି ସ୍ପର୍ଶ କରିଯାଉଥିଲା ପ୍ଲାଟଫର୍ମକୁ ଏବଂ ଡାହାଣ ପାଖରେ ଉଦୟ ହେଉଥିବା କୋମଳ ସୂର୍ଯ୍ୟକୁ । କମିଜର ଦୁଇଟିଯାକ ସ୍କିଭ ସେ ଭାଙ୍ଗି ଦେଇଥିଲେ କହୁଣି ପର୍ଯ୍ୟନ୍ତ । ଟାଇଟି ଅବଶ, ଭଙ୍ଗା ଡାଳଟିଏ ଭଳି ଝୁଲି ରହିଥିଲା ବେକରୁ; ନଟ୍‌ଟି ସଂହତି ସ୍ଥାପନ କରି ନ ଥିଲା ବିଚ୍ଛିନ୍ନ କଲର ଦୁଇଟି ମଧ୍ୟରେ । ବାମ ହାତରୁ ଓହଳି ଥିବା କୋଟଟି ଜଣାଯାଉଥିଲା ଅଚେତନ ଓ ବିଶ୍ରାମରତ ।

 

ଶୀତ ପ୍ରାୟ ନାହିଁ କହିଲେ ଚଳେ । ଅଧାଅଧି ପାଚିଯାଇଥିବା ଝଙ୍କାଳିଆ କେଶ ଭିତରେ ସେ ଆଙ୍ଗୁଳି ସଞ୍ଚାଳନ କଲେ । ବାମ ହାତରେ ଧରିଲେ ପାଇପଟିକୁ ଏବଂ ଧୂଆଁ ଛାଡ଼ିଲେ-। ପ୍ଲାର୍ଟଫର୍ମ ଉପରେ ଆପାତତଃ ମଇଲା, ଅଶିକ୍ଷିତ ମଣିଷମାନଙ୍କର କୋଳାହଳମଣ୍ଡିତ ସୁଅଟି ଲମ୍ୱି ଯାଉଥିଲା ଗେଟ୍ ଆଡ଼କୁ । ଖୁଣ୍ଟରେ ଲଗାଯାଇଥିବା ଏବଂ ଚଗଲା କଳାକାର ଦ୍ୱାରା କଦାକାର ହୋଇଯାଇଥିବା କେତୋଟି ସିନେମା ପୋଷ୍ଟର, ଗୋଟିଏ ଦୁଇଟି ଟେକ୍‌ସଟାଇଲ୍ ମିଲ୍‌ର ବିଜ୍ଞାପନକୁ ଛାଡ଼ିଦେଲେ ଅନ୍ୟ କିଛି ଗ୍ଲାମର୍‌ ନଥିଲା ପ୍ଲାଟ୍‌ଫର୍ମରେ । ମିଃ ସାକସେନା ସାମାନ୍ୟ ନିରୁତ୍ସାହିତ ହେଲେ । ଦେଖିଲେ, ସୁଟ୍‌କେଶ ମୁଣ୍ଡେଇଥିବା କୁଲିଟି ପାଞ୍ଚ-ଛ’ ମିଟର ବ୍ୟବଧାନରେ ଠିଆ ହୋଇ ଚାହିଁଛି ତାଙ୍କ ଆଡ଼େ । ଏଥର ସେ ଆଗେଇ ଚାଲିଲେ । ଧୋତି ପିନ୍ଧିଥିବା, ଦେହରେ ପତଳା ଧଳା ଚଦର ପକାଇଥିବା ଦୁଇଜଣ ଲୋକ ଏକରକମ ଅଟକାଇଲେ ତାଙ୍କ ଗତିକୁ । ପଚାରିଲେ—ରହିବେ କେଉଁଠି ? ଭୋଗ ହେବ ? ଦର୍ଶନ କରିବେ କେତେବେଳେ ? ଠାକୁରଙ୍କ ରତ୍ନସିଂହାସନ ଚାରିପଟେ ବୁଲିବାକୁ ହେଲେ ଆମ ସାହାଯ୍ୟ ଦରକାର ।

 

ଜୁଲୁମ ! ମନକୁ ମନ କହିଲେ ମିଃ ସାକ୍‌ସେନା । ଏମାନଙ୍କ ସହିତ ଏମିତି ଗୋଟାଏ ଚୁକ୍ତି କରିବା ଦରକାର କ’ଣ ? ସମସ୍ତ ଗମ୍ଭୀରତା ଏବଂ ବିରକ୍ତିର ସହିତ ସେ ଯେମିତି ପୁଳାଏ ଆବର୍ଜନା ପରିଷ୍କାର କଲେ ନନ୍‌ସେନ୍‌ସ !

 

ଟର୍ମିନସ୍‌ ପାର ହେବା ପରେ ହିଁ ତାଙ୍କର ହୃଦ୍‌ବୋଧ ହେଲା ଯେ ସେ ପ୍ରତାରିତ ହୋଇଛନ୍ତି । ସହରଟି ଏମିତି ହୋଇଥିବ ବୋଲି ତାଙ୍କର ଜମା ଧାରଣା ନ ଥିଲା । ସେ ଭାବିଥିଲେ, ଟର୍ମିନସ୍ ପାରହେବା ପରେ, ପ୍ରକାଣ୍ଡ ବିଜ୍ଞାପନ ଛବିମାନଙ୍କ ଗହଣରେ ଥିବା ଉତ୍‌କଣ୍ଠିତ ଟ୍ୟାକ୍‌ସିମାନଙ୍କର ଭିଡ଼; ଟାଉନବସ୍, କାର ଇତ୍ୟାଦିଙ୍କର ଚଳଚଞ୍ଚଳ ପ୍ରବାହ । ପ୍ରଶସ୍ତ ରାସ୍ତା ଦୁଇ କଡ଼ରେ ଥିବା ଫୁଟ୍‌ପାଥ ଉପରେ ମଣିଷମାନଙ୍କର ଭିଡ଼; ଯେଉଁଠାରେ ଅନ୍ୟ ଲୋକଟିର ଝାଳର ଗନ୍ଧ ଓ ଗରମ ନିଶ୍ୱାସ ଜୀବନ ସମ୍ପର୍କରେ ମୋହମୁକ୍ତି ଦେଇଥିବାର ସୂଚନା ଦେଉଥିବ । ଫୁଟ୍‌ପାଥ୍‌କୁ ଲାଗିଥିବା ବିଶାଳ ଅଟ୍ଟାଳିକ ଗୁଡ଼ିକ ମଣିଷ ଇଚ୍ଛାର ସୀମିତ ସତ୍ୟ ଭାବରେ ଠିଆ ହୋଇଥିବେ ବ୍ରାସପ୍ଲେଟ୍‌ର ଚିହ୍ନଟ ବହନକରି । ସହରଟି ବ୍ୟାପକ କର୍ମ ମୁଖରତାରେ ମାତାଲ ହୋଇଥିବ; ଯେଉଁଠାରେ ରାସ୍ତା ଅତିକ୍ରମ କରିବାପାଇଁ ପ୍ରଚୁର ସାବଧାନତା ଓ ଏକାଗ୍ରତା ଦରକାର ହେଉଥିବ ଏବଂ ନାଲି–ସବୁଜ ଆଲୁଅ ପ୍ରତି କଠୋର ବିଶ୍ୱସ୍ତତା ପ୍ରଦର୍ଶନ କରିବା ଜରୁରୀ ଥିବ । ସହରର ବ୍ୟାପକତା ସଂପୂର୍ଣ୍ଣଭାବରେ କାବୁ କରିଥିବ ମଣିଷକୁ ଏବଂ ଏହାର ନିଷ୍କରୁଣତା ତାକୁ ନିଃସଙ୍ଗ ଓ ଦୁଃଖୀ କରି ଦେଇଥିବ ।

 

କିନ୍ତୁ କାହିଁ ? ସାମନାରେ ବିଛେଇ ହୋଇ ପଡ଼ିଥିବା ଅଳସୁଆ ଦୃଶ୍ୟଟିର କୌଣସି ସାମଞ୍ଜସ୍ୟ ନ ଥିଲା ସେ ମନରେ ଗଠନ କରିଥିବା ଦୃଶ୍ୟ ସହିତ । ଆପାତତଃ ସେ ଅଣନିଃଶ୍ୱାସୀ ହୋଇ ବଞ୍ଚି ରହୁଥିବା ସହର ସହିତ ବର୍ତ୍ତମାନ ଦେଖୁଥିବା ଏଇ ପ୍ରାଚୀନ ଓ ପ୍ରସିଦ୍ଧ ସ୍ଥାନଟିର ତୁଳନାଗତ ସାମ୍ୟ ନ ଥିଲା । ଘୁମନ୍ତ ରାସ୍ତା ଉପରେ ଗାଈଟିଏ ଚାଟୁଥିଲା ବାଛୁରୀର ଦେହକୁ । ବାମ ପାଖରେ କେତୋଟି ରିକ୍‌ସାବାଲା କେତେଜଣ ଯାତ୍ରୀଙ୍କ ସହିତ ଭଡ଼ା ସଂପର୍କରେ ଯୁକ୍ତି କରୁଥିଲେ । ହୋଟେଲ ବୋଲି ଲେଖା ଯାଇଥିବା ଗୋଟିଏ ଦୁଇଟି ଚାଳଘରୁ ମୋଟା କୋଇଲା ଧୂଆଁ ଉଠୁଥିଲା ଉପରକୁ । ସଦ୍ୟ ଗାଡ଼ିରୁ ଓହ୍ଳାଇଥିବା ଅନେକ ଯାତ୍ରୀ ବିଚିତ୍ର ଅପରିଛନ୍ନତା ନେଇ ଆଗକୁ ଚାଲିବା ଆରମ୍ଭ କରି ଦେଇଥିଲେ ସଠିକ ସ୍ଥାନ ସମ୍ପର୍କରେ ସମ୍ପୂର୍ଣ୍ଣ ନିଶ୍ଚିନ୍ତ ହେବା ଭଳି । ଚାହୁଁ ଚାହୁଁ ଏତେଗୁଡ଼ିଏ ଯାତ୍ରୀ ଟର୍ମିନସ୍ ଇଲାକାରୁ କେଉଁଆଡ଼େ ଖସି ପଳାଇଗଲେ ସେଇ ମଫସଲପ୍ରାୟ ତୀର୍ଥସ୍ଥାନର ଅନେକ ଦିଗରେ । ଟ୍ରେନ୍ ପହଞ୍ଚିବା ଏବଂ ତହିଁର ଯାତ୍ରୀମାନେ ଏଇମିତି ଯେଝା ବାଟରେ ପଳେଇଯିବା କଥାଟି ସତେ ଯେମିତି ବିସ୍ମୟହୀନ ଏକ ଦୈନନ୍ଦିନତାରେ ପରିଣତ ହୋଇ ଯାଇଥିଲା ସେଠାରେ; ଅଥଚ ମିଃ ସାକ୍‌ସେନାଙ୍କ ଭଳି ସମ୍ଭ୍ରାନ୍ତବ୍ୟକ୍ତି ଏତେବଡ଼ ସହରରୁ ଆସି ଭାବୁଥିଲେ–ପ୍ରଥମଥର ପାଇଁ ଏ ସହରକୁ ଟ୍ରେନ୍ ଆସିଛି, ପ୍ରଥମରଥର ପାଇଁ ଏତେ ଲୋକ କେଉଁ ଏକ ଅଭାବିବ ଆକୁଳତା ନେଇ ଏଠାରେ ପହଞ୍ଚିଛନ୍ତି; କାରଣ ପ୍ରଥମଥର ପାଇଁ ସେ ଆସିଛନ୍ତି ଏଠାକୁ କାହିଁକି କେଜାଣି ।

 

ଅନ୍ୟ ଉପାୟ ନଥିଲା । ରିକ୍‌ସାରେ ବସିବାକୁ ବାଧ୍ୟ ହେଲେ ମିଃ ସାକ୍‌ସେନା । ତାଙ୍କୁ ଜଣାଯାଉଥିଲା ସେ ଯେମିତି ଉଲଗ୍ନ ହୋଇ ପଡ଼ୁଛନ୍ତି ତାଙ୍କ କାରଖାନାରେ କାମ କରୁଥିବା ଶହ ଶହ ଶ୍ରମିକ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ଆଗରେ । କେବଳ ସେ ନିଜେ ନୁହଁନ୍ତି; ତାଙ୍କର ସମସ୍ତ କୌଶଳ ଓ ବିଜୟର ଇତିହାସ ନିଲାମହୋଇ ଯାଉଛି, ଏ ସହରକୁ ଆସିବାର ଅର୍ଥହୀନ ଖିଆଲ ଯୋଗୁଁ । କେଉଁଆଡ଼େ ନ ଚାହିଁ ସେ ମୁହଁପୋତି ବସି ରହିଲେ ଏବଂ ନିଜର ବିଦେଶୀ କାର ଓ ନମ୍ର ଡ୍ରାଇଭରମାନଙ୍କୁ ମନେ ପକାଇଲେ; ବାଟ ବଣା ହୋଇ ଡଷ୍ଟବିନ୍ ଭିତରେ ପଡ଼ି ଛଟପଟ ହେଉଥିବା ଗୋଟିଏ ଜରୁରୀ ଚିଠି ଭଳି ।

 

ସହରର ସର୍ବଶ୍ରଷ୍ଠ ହୋଟେଲର ରିସେପ୍‌ସନ୍ କାଉଣ୍ଟରରେ ଲୁଙ୍ଗି ପିନ୍ଧା ଜଣେ ଲୋକ ଗୋଟିଏ ସାନ ପିଲାକୁ ନିସ୍ତୁକ ମାଡ଼ ଦେଉଥିବାବେଳେ ଚିତ୍କାର କରୁଥିଲା–‘‘ଶଳା, ହାରାମଜାଦା ! ଶଳାକୁ ଦେବି ଆଜି ପାନେ । ଶାଲା, ଚୋର କାହାଁକା !’’ ଇତ୍ୟାଦି । ପିଲାଟିକୁ ଏକରକମ ବାହାରକୁ ଫୋପାଡ଼ିଦେଇ ତାମସା ଦେଖୁଥିବା ସମ୍ଭବତଃ ହୋଟେଲର ଅନ୍ୟ କର୍ମଚାରୀଙ୍କ ଉଦେଶ୍ୟରେ ପାଟିକଲା–‘‘ଶଳେ କାମ କରୁଛ ନା ଏଠି ନବରଙ୍ଗ ଦେଖୁଛ !’’

 

ସହରର ସର୍ବଶ୍ରେଷ୍ଠ ହୋଟେଲ ! ମିଃ ସାକ୍‌ସେନା କିଛି ସମୟପାଇଁ ଇତସ୍ତତଃ ହେଲେ ଏବଂ ଗାମୁଛାରେ ମୁହଁ ପୋଛି ହେଉଥିବା ତଥା ଟେବୁଲ ଉପରେ ଗୋଡ଼ରଖି ତାଙ୍କ ଉପସ୍ଥିତି ପ୍ରତି ସଚେତନ ହୋଇଥିବା ଦୁର୍ଦ୍ଦାନ୍ତ ମଣିଷଟିର ଦୃଷ୍ଟି ଆକର୍ଷଣ କଲେ ।

 

ଇଷତ୍ ଗୋଲାପି ରଙ୍ଗର କାନ୍ଥ । କେତୋଟି ସ୍ଥାନରେ ବୁନ୍ଦା ବୁନ୍ଦା ରକ୍ତ ଲେସି ହୋଇଛି–ଛାରପୋକମାନଙ୍କର ମଶାଣୀ ନିଶ୍ଚୟ । ଗୋଟିଏ କଣକୁ ପେନ୍‌ସିଲ୍ ସାହାଯ୍ୟରେ ନିତାନ୍ତ ଉତ୍କଟ, ଅଶ୍ଳୀଳ ଚିତ୍ରଟିଏ ତିଆରି ହୋଇଛି । ଟେବୁଲ-ଚେୟାର ମଇଳା । ଅଥଚ ଖଟ ଉପରେ ଡନ୍‌ଲପ୍ ଗଦି ଓ ତକିଆ । ବିଛଣା ପ୍ରସ୍ତୁତ କରୁଥିବା ପିଲାଟିକୁ ସେ ପଚାରିଲେ, ହୋଟେଲ୍‌ ରୁମ୍‌ରେ ଟେଲିଫୋନ୍, ଟି.ଭି. ଦିଆ ନଯିବାର କାରଣ କ’ଣ । ସେ ତାଙ୍କଆଡ଼େ ଚାହିଁ ମୁହଁ ଫେରାଇଲା ଏବଂ ଝାଡ଼ୁ ଧରି ରୁମ୍‌ଟିକୁ ଓଳାଇବାରେ ଲାଗିଲା । ତା ପରେ ସେ ଜାଣିଲେ ଯେ, ସେଠାରେ ସୁଇମିଙ୍ଗ୍ ଫୁଲ, କଫି ସପ୍, କନ୍‌ଫରେନ୍‌ସ ହଲ୍ ଇତ୍ୟାଦି କିଛି ନାହିଁ । ଶୀତତାପ ନିୟନ୍ତ୍ରିତ ହୋଇ ନଥିବା ହୋଟେଲରେ ରହିବା ସେ ବି ଥିଲା ତାଙ୍କର ପ୍ରଥମ ।

 

ମିଃ ସାକ୍‌ସେନା ବିରକ୍ତି ଓ ଘୃଣାର ସହିତ ବସିପଡ଼ିଲେ ରୁମ୍‌ରେ ଥିବା ଏକ ସବୁଜ ରଙ୍ଗର କେନ୍ ଚେୟାର ଉପରେ । ଝରକା ଆବୃତ କରିଥିବା ପର୍ଦ୍ଦାଟିକୁ ଟେକି ଦେବାକ୍ଷଣି ତାଙ୍କ ଦୃଷ୍ଟି ସାମନାରେ ପ୍ରସାରିତ ହେଲା ସମୁଦ୍ରର ଦୃଶ୍ୟ–ରାସ୍ତା ଓ ବାଲିର ସୀମା ଆରପଟେ । ମୁହୂର୍ତ୍ତକ ପାଇଁ ସେ ଆମୋଦିତ ହେବାକୁ ଚେଷ୍ଟା କଲେ । ସମୁଦ୍ରର ବିଦ୍ରୋହୀ, ମୁକ୍ତିକାମୀ ଭାଷା ଏ ପର୍ଯ୍ୟନ୍ତ ଶୁଭୁଛି; ତାହାର ଅସଫଳ ହାତ ଲମ୍ୱି ଆସୁଛି ବାଲିର ନିଷେଧାତ୍ମକ ବାଡ଼ିକୁ ଭାଙ୍ଗି ମନ ଖୋଜୁଥିବା ଜିନିଷକୁ ପାଇବା ପାଇଁ । ମିଃ ସାକ୍‌ ସେନା କିନ୍ତୁ ଦୃଷ୍ଟି ଫେରାଇଲେ । ଦୁଇ ପାପୁଲିରେ ମୁହଁ ପୋଛି କହିଲେ ମନକୁ ମନ–‘‘ଅସମ୍ଭବ ! ଆଜି ମୋତେ ଫେରିଯିବାକୁ ହେବ ।’’

 

ଟ୍ରେନ୍ ସମୟ ଜାଣିବା ପାଇଁ ସେ ଟେଲିଫୋନ୍ କରିବାକୁ ଉଠୁଥିଲେ । ମନେ ପଡ଼ିଲା ଯେ, ରୁମ୍‌ରେ ଟେଲିଫୋନ ନାହିଁ । ବିଚ୍ଛନ୍ନ ହୋଇ ସେ ବସି ରହିଚନ୍ତି ତଥାକଥିତ ହୋଟେଲ୍‌ର ଏଇ ରୁମ୍‌ରେ । କାହିଁକି ସେ ଏଠାକୁ ଆସିଲେ ? ପ୍ରଶ୍ନଟିକୁ ଥରେ-ଦୁଇଥର ପଚାରିଲେ ନିଜକୁ ଏବଂ କୋଠରୀର ନୀରବତା ତାଙ୍କ ହାଡ଼-ମାଂସ ଚେତନାରେ ସଞ୍ଚରିତ ହୋଇଯାଉଥିବା ଅନୁଭବ କଲେ ।

 

ଅନେକ ଦିନରୁ, ଅନେକଙ୍କ ପାଖରୁ ସେ ଶୁଣି ଆସିଥିଲେ—ଏଠାକାର ବେଳାଭୂମି ଖୁବ୍ ଚମତ୍କାର । ସମୁଦ୍ର ଉପରେ ବିଶାଳ ଢେଉ ସୃଷ୍ଟି ହୁଏ । ଅନ୍ୟ କେତେକ କୂଳରେ ବାଲିର ପରସ୍ତ ଠେଲି ଦେଇଥାଏ ସମୁଦ୍ରକୁ କାହିଁ କେତେ ଦୂର ଯାଏଁ ଏବଂ ତାହାର ବିପ୍ଳବର ସ୍ୱର ହଜି ଯାଇଥାଏ, ଅନିବାର୍ଯ୍ୟ ଶକ୍ତିର ଚାପରେ ସଂପୂର୍ଣ୍ଣ ବଶୀଭୂତ ଓ ନିଶ୍ଚେଷ୍ଟ ହୋଇ ଯାଇଥିବା ମଣିଷର ଅନ୍ତର୍ନିହିତ ସତ୍ତା ଭଳି । ମିଃ ସାକ୍‌ସେନାଙ୍କର ଘରୋଇ ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ ଏଠାକୁ ଆସିବା ପାଇଁ ରକ୍ତଚାପ ରୋଗରୁ ସେ କୌଣସିମତେ ଖସି ଆସିବା ପରେ ।

 

ଆଉ ବିଧବା ଭଉଣୀ ! ଏଠାକୁ ପ୍ରତିବର୍ଷ, ନହେଲେ ଦୁଇବର୍ଷରେ ଥରେ ଆସିବା ତା’ ପାଇଁ ଖୁବ୍ ଜରୁରୀ । ଏଠାରୁ ଫେରି ବିଚିତ୍ର ଅନୁଭୂତି ବର୍ଣ୍ଣନା କରେ । ବର୍ଣ୍ଣନା କରୁ କରୁ ତା’ର କଣ୍ଠରୋଧ ହୋଇଯାଏ । କାନ୍ଦେ ଏବଂ ତାର କାନ୍ଦିଲା ମୁହଁରେ ପ୍ରତିଫଳିତ ହୁଏ ଚୂଡ଼ାନ୍ତ ଆତ୍ମସମର୍ପଣ ଜନିତ ଏକ ନିଶ୍ଚିନ୍ତ ବିଶ୍ୱାସ । ଏଇ ଭାବଟି ତାକୁ ଊର୍ଦ୍ଧ୍ୱମୁଖୀ କରେ; ତା’ର ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ତୁଚ୍ଛ ଓ ନଗଣ୍ୟ କରିଦିଏ । ସମସ୍ତ କୋଳାହଳ, ବିଶୃଙ୍ଖଳା, ଚିନ୍ତା, ପରାଜୟ ଭିତରୁ ସେ ଯେମିତି ଚିହ୍ନଟ କରେ ଏକ ଚିରନ୍ତନ ସାବଲୀଳ ସ୍ରୋତ, ଯାହାକୁ ସେ ବଞ୍ଚିରହିବାର ସର୍ବଶ୍ରେଷ୍ଠ ତତ୍ତ୍ୱ ବୋଲି କହେ । ତାଙ୍କ ବିଶାଳ କୋଠା ଘରର ଗୋଟିଏ ରୁମ୍‌ରେ ସେ ପ୍ରତିଦିନ ଦୁଇ-ତିନି ଘଣ୍ଟା କଟାଏ । ବିଭିନ୍ନ ଦେବା-ଦେବୀଙ୍କ ଫଟୋ-ବିଗ୍ରହରେ ପରିପୂର୍ଣ୍ଣ ସେ କୋଠରୀକୁ ସେ ପ୍ରାୟ ଯାଆନ୍ତି ନାହିଁ । ଖାଲି ଗୋଟାଏ ବିଶ୍ୱାସ ଉପରେ ଏତେଟା ଆସ୍ଥା କରି ଜୀବନ ଯାବତୀୟ ଦାବିଗୁଡ଼ିକୁ ସନ୍ତୁଷ୍ଟ କରିବା କଥାଟିକୁ ସେ ଆଦୌ ବୁଝିପାରି ନାହାନ୍ତି । ଦେହାତୀତ ଚେତନା ସମ୍ପର୍କରେ ଶୁଣିଛନ୍ତି ସେ; ମାତ୍ର ସେଭଳି ଉପଲବ୍‌ଧି କିଭଳି ହୁଏ କେଜାଣି ?

 

ଡାକ୍ତରର ପରାମର୍ଶ ଏବଂ ବିଧବା ଭଉଣୀର ଆଧ୍ୟାତ୍ମିକ ଅଭିଜ୍ଞତା ସତ୍ତ୍ୱେ ମିଃ ସାକ୍‌ସେନା ଯଥେଷ୍ଟ ଅପ୍ରତିଭ ହେଲେ । ସେ ନିଃସନ୍ଦେହ ହେଲେ ଯେ ଏଭଳି ଏକ ଛୋଟ ସହର ପାଇଁ ସେ ଖୁବ୍ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ । କେହି ଜଣେ ଯଦି ପ୍ରଚାର କରିଦିଅନ୍ତା ଯେ ଗୋଟିଏ ବୃହତ ଆଧୁନିକ ପ୍ଲାଷ୍ଟିକ କରଖାନାର ମାଲିକ ଏଠାକୁ ଆସି ଏ ହୋଟେଲରେ ଅଛନ୍ତି, ତେବେ ସମସ୍ତେ ନିଜ ନିଜର ସମସ୍ୟା, କାମଧନ୍ଦା ଛାଡ଼ି ଏଠାରେ ରୁଣ୍ଡ ହୁଅନ୍ତେ ତାଙ୍କୁ ଦେଖିବା ପାଇଁ । ତାଙ୍କ ଭଳି ମଣିଷଙ୍କୁ ଏ ସହର ଉପଯୁକ୍ତ ମର୍ଯ୍ୟାଦା ଓ ଆରାମ ଦେବାକୁ ଅକ୍ଷମ ହୋଇଥିବାରୁ ସମସ୍ତେ ଖୁବ୍ ବ୍ୟସ୍ତ ହୁଅନ୍ତେ । ଅଥଚ ସେ ଏ ସ୍ଥାନ ଏବଂ ଏଠାକାର ଲୋକଙ୍କ ପ୍ରତି ସମବେଦନା ଜଣାଇବା ଭଙ୍ଗୀରେ କହନ୍ତେ ଯେ, ସେ ବାସ୍ତବିକ ସେମିତି କିଛି ଅସୁବିଧାର ସମ୍ମୁଖୀନ ହେଉ ନାହାନ୍ତି; ତାଙ୍କ ମନରେ କୌଣସି ଗର୍ବ ନାହିଁ । କେବଳ ସେ ଟୋକିଓ, ନିଉୟର୍କ, ବନ୍‌, ଲଣ୍ଡନ ଇତ୍ୟାଦିର ଷ୍ଟକ୍ ଏକ୍‌ସଚେଞ୍ଜ ସମ୍ପର୍କରେ ଆଲୋଚନା କରିବାକୁ ଚାହାନ୍ତି; ପ୍ଲାଷ୍ଟିକ ଉତ୍ପାଦନର ସର୍ବଶେଷ କାରିଗରୀ ତଥା କହିବାକୁ ଚାହାନ୍ତି ଏବଂ ଏହାର ଭବିଷ୍ୟତ ସମ୍ଭବନା କ’ଣ—ତାହାର ଜାତକ ତିଆରିବାକୁ ଇଚ୍ଛା କରନ୍ତି । ଏ ସବୁର ସୁବିଧା ଏଠାରେ ନାହିଁ; ଏମିତିକି ଭଲ ବାର୍‌ଟିଏ ଏଠାରେ ଅଛି ବୋଲି ତାଙ୍କର ସନ୍ଦେହ ହେଉଛି ।

 

ତେବେ କ’ଣ ଅଛି ଏ ସହରରେ ? ସାମନାରେ ଦିଶୁଥିବା ଏଇ ସମୁଦ୍ର ଏବଂ ଏ ପର୍ଯ୍ୟନ୍ତ ସେ ଦେଖିନଥିବା ପୁରୁଣା, ପ୍ରସିଦ୍ଧ ମନ୍ଦିରଟିଏ । ଏତକ ସମ୍ୱଳ କରି ଲୋକମାନେ କିଭଳି ଚଳିଯାଇ ପାରୁଛନ୍ତି ବୋଲି ସେ ପଚାରନ୍ତେ । ସେ ଆହୁରି କହନ୍ତେ ଯେ, ଏଠାରେ କିଛି ଘଟେ ନାହିଁ । ଜୀବନ ପ୍ରତି ଏକ ସୀମିତ ଦୃଷ୍ଟିଭଙ୍ଗୀ ନେଇ ଲୋକମାନେ ଚଳିଯାଉଛନ୍ତି କୌଣସି ପ୍ରକାର-। ମାତ୍ର ଏଇ ଦୃଷ୍ଟିଭଙ୍ଗୀର ବାସ୍ତବ ଜୀବନରେ ସେମିତି କିଛି ତାତ୍ପର୍ଯ୍ୟ ଓ କାର୍ଯ୍ୟକାରିତା ଅଛି ବୋଲି ସେ ଭାବନ୍ତି ନାହିଁ । ସେ ନିଜର ବିଧବା ଭଉଣୀର ଉଦାହରଣ ଦିଅନ୍ତେ ଏବଂ ଯୋଗ କରନ୍ତେ ଯେ, ଯଦିଓ ତା’ର ବିଶ୍ୱାସକୁ ଆହତ କରିବା ପାଇଁ ସେ ଚାହାନ୍ତି ନାହିଁ; ତଥାପି ସେ ବିଶ୍ୱାସଟା ଏକ ଅତିରଞ୍ଜିତ ଆବେଗ ଓ ଅନାବଶ୍ୟକ ଭାବପ୍ରବଣତାକୁ ଭିତ୍ତି କରି ଗଢ଼ିଉଠିଛି । ଭୋକ ବିରୁଦ୍ଧରେ ଲଢ଼େଇ କରିବା ପାଇଁ, ଲଜ୍ଜା ନିବାରଣ ସକାଶେ ଲୁଗାଟିଏ ପାଇବା ପାଇଁ ଆବେଗ ଓ ଭାବପ୍ରବଣତାରେ କୌଣସି ଭୂମିକା ଅଛି କି ? ସମସ୍ତେ ତାଙ୍କ ଆଡ଼େ ଚାହାନ୍ତେ ଏବଂ ନିଜ ନିଜର ନିର୍ବୋଧତା ବୁଝି ଯାଆନ୍ତେ । ଗୋଟିଏ ପ୍ରତାରଣା ଭିତରେ ରହି ମୌଳିକ ସଙ୍କଟଗୁଡ଼ିକର ସମାଧାନ କରିବାକୁ ଚେଷ୍ଟା କରୁଥିବାରୁ ଲଜ୍ଜିତ ହୁଅନ୍ତେ । ସେମାନେ ବୁଝି ଯାଆନ୍ତେ ଯେ, ମଣିଷର ଯଦି ସାମର୍ଥ୍ୟ ଓ କ୍ଷମତା ନାହିଁ, ତେବେ ଗୋଟାଏ ବିଶ୍ୱାସ ତାକୁ ସାହାଯ୍ୟ କରିପାରିବ କେମିତି ?

 

ହୋଟେଲର ତଥାକଥିତ ଲାଉଞ୍ଜରେ ବସି ଚା’ ପିଉଥିବାବେଳେ ମିଃ ସାକ୍‌ସେନା ଯଥେଷ୍ଟ ଶାନ୍ତି ଓ ଫୁର୍ତ୍ତି ଅନୁଭବ କରୁଥିଲେ । ତିନିଘଣ୍ଟା ଶୋଇବା ପରେ ତାଙ୍କ ମନରୁ ଗ୍ଲାନି ଓ ଅନୁତାପ କମିଯାଇଥିଲା । ଆଉ ଅଳ୍ପ ସମୟ ପରେ ସଂଧ୍ୟା ହୋଇଯିବ । ସାମନା ବାଲି ବିଛଣା ଉପରେ ମଣିଷମାନଙ୍କର ମହୋତ୍ସବ ଆରମ୍ଭ ହୋଇଯାଇଛି । ସମୁଦ୍ର ଏତେ ନିକଟ ଓ ଉତ୍ସାହୀ ଜଣା ପଡ଼ି ନଥିଲା ତାଙ୍କୁ । ଏଇ ଯେପରି ସେ ସମୁଦ୍ରକୁ ଛୁଇଁଦେଇ ପାରିବେ ଏବଂ ଆଞ୍ଜୁଳା ଆଞ୍ଜୁଳା ପାଣିଧରି ପାରିବେ ଏବଂ ପୁଣି ସମୁଦ୍ର ଭିତରକୁ ଫେରିଯିବା ପାଇଁ ସେମାନଙ୍କର ବ୍ୟାକୁଳ ଭାଷା ଶୁଣି ପାରିବେ । ଲହଡ଼ିମାନେ ଆଉ କ’ଣ କି ? ପାଣି ତ ! କେଉଁ ଏକ ଅଦୃଶ୍ୟ ଶକ୍ତି ସମୁଦ୍ରକୁ ଶେଷହୀନ ଜୀବନ୍ୟାସ ଦେଇ ଦେଇଛି ଏବଂ ଏହା ଲହଡ଼ିର ଜୀବନ ଓ ବୁଦବୁଦ୍‌ର ନିଃଶ୍ୱାସ ନେଇ ଚଳଚଞ୍ଚଳ ହୋଇ ରହିଛି ।

 

କୂଳରେ ପହଞ୍ଚି ମିଃ ସାକ୍‌ସେନା ଦୁଇଟି କଥା ଚିନ୍ତାକରି ଖାଲି ଆମୋଦିତ ନୁହେଁ ବେଶ ଗମ୍ଭୀର ହୋଇ ଯାଇଥିଲେ । ସୃଷ୍ଟିର ଆଦିମତା ଏବଂ ସୃଷ୍ଟିର ପ୍ରାଥମିକ ନିରବଚ୍ଛିନ୍ନ ନିୟମର ପ୍ରତୀକରୂପେ ଜୀବନ୍ତ ଏଇ ଦିଗହଜା ପାଣିର ବ୍ୟାପ୍ତ । ସେ ଭାବୁଥିଲେ ସମୁଦ୍ରକୁ ପ୍ରଥମଥର ପାଇଁ ଦେଖିଥିବା ନିରୀହ ମଣିଷର ବିସ୍ମୟ ଓ ଭୟର ନକ୍‌ସା କିଭଳି ହୋଇଥିବ । ଆଜିଯାଏ ସେଇ ମନୋଭାବ ପ୍ରଥମଥର ପାଇଁ ସମୁଦ୍ର ଦେଖୁଥିବା ମଣିଷକୁ ଦେବାପାଇଁ ଏହାର ଅମ୍ଳାନ ରୂପ ଓ ପ୍ରାଣୋଚ୍ଛ୍ୱାସ ! ମିଃ ସାକ୍‌ସେନାଙ୍କୁ ଜଣା ଯାଉଥିଲା, ସେ ଯେପରି ଠିଆ ହୋଇଛନ୍ତି ଏକାକୀ ଅପରିସୀମ ଶକ୍ତି ସାମନାରେ ଜୀବନର ଏକ ଭଗ୍ନାଂଶ ଭଳି ଏବଂ ତାଙ୍କର ପ୍ଲାଷ୍ଟିକ କାରଖାନା କିମ୍ୱା ପର୍ଯ୍ୟାପ୍ତ ଅର୍ଥ ତାଙ୍କ ବ୍ୟକ୍ତିତ୍ୱର ସଂହତିକୁ ରକ୍ଷା କରି ପାରୁନି । କୂଳରେ ଠିଆହୋଇଥିବା ସମସ୍ତ ମଣିଷ ଗୋଟିଏ ପର୍ଯ୍ୟାୟଭୁକ୍ତ ହୋଇ ଯାଉଛନ୍ତି; କାହାରି ସ୍ୱାତନ୍ତ୍ର୍ୟ ରହୁନାହିଁ ।

 

ସେ କିଛି ସମୟ ପାଇଁ ଆଖି ବନ୍ଦ କରିବା ପରେ ଚାହିଁଲେ ସମସ୍ତଙ୍କ ଆଡ଼େ ଏବଂ ଅନ୍ୟ କଥାଟି ଚିନ୍ତା କଲେ । କେତୋଟି ମୁହୂର୍ତ୍ତ ପାଇଁ ସେ ବେଶ୍ ହାଲୁକା ସତ୍ତାଟିଏ ହୋଇ ପଡ଼ିଲେ ଏବଂ ଭାବିଲେ, ଏଠାରେ ଉପସ୍ଥିତ ଥିବା ସମ୍ଭବତଃ ସମସ୍ତେ ସେଇଭଳି ଅନୁଭବ କରୁଛନ୍ତି । ନିଜ କାରବାରକୁ ଆହୁରି ସଂପ୍ରସାରଣ କରିବା, ନୂଆ ମାର୍କେଟ ଅକ୍ତିଆର କରିବାର ଚିନ୍ତା ତାଙ୍କଠୁ ଉଭେଇ ଯାଉଛି । ହୁଏତ ପ୍ରଥମଥର ପାଇଁ ସେ ସ୍ୱୀକାର କଲେ ଯେ, ଜୀବନ ଓ ଚିନ୍ତାକୁ ସେ ଏ ପର୍ଯ୍ୟନ୍ତ ବନ୍ଦୀ କରି ରଖିଥିଲେ ସତର୍କତା ଓ ହିସାବୀ ଯନ୍ତାରେ । ସବୁ କଥା ପ୍ରତି ଆଖି ବୁଜି ଦେଇ ନିଜକୁ ଏକାନ୍ତ ଭାବେ ଅନୁଭବ କରିବାକୁ ସେ ଶିଖି ନାହାନ୍ତି ଆଜିଯାଏଁ; ଅଥଚ ଦିଶୁଥିବା ସମସ୍ତ ମଣିଷ ବିନା ଦ୍ୱିଧାରେ ଅଂଶ ଗ୍ରହଣ କରୁଛନ୍ତି ବିପୁଳ ଉତ୍ସବରେ । ଭାବନାହୀନ, ଚିନ୍ତାହୀନ ଏଇଭଳି କେତୋଟି ମୁହୂର୍ତ୍ତକୁ ସେ ଖୋଜି ବୁଲୁଥିଲେ ଆଜି ପର୍ଯ୍ୟନ୍ତ ।

 

ମିଃ ସାକ୍‌ସେନା ବସି ପଡ଼ୁଥିଲେ ବାଲି ଉପରେ; ମାତ୍ର କିଛି ଗୋଟାଏ ତାଙ୍କୁ ଅଟକାଇ ଦେଲା । ତାଙ୍କୁ ଜଣାଗଲା, ସତେ ଯେମିତି ଉପସ୍ଥିତ ଥିବା ସମସ୍ତ ମଣିଷ ତାଙ୍କ ଆଡ଼େ ଚାହୁଁଛନ୍ତି ଏବଂ ଜଣେ ବିଶିଷ୍ଟ ଶିଳ୍ପପତି କିଭଳି ନିଜର ପରିଚୟ ହରାଇ ଆତ୍ମସମର୍ପଣ ଭାବ ନେଇ ବସି ରହିଛି, ତାହା ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି । ସେ ଏଥର ସଳଖ ହୋଇ ଠିଆ ହେଲେ, ଚୁପ୍‌ଚାପ୍ ଚାଲି ଆସିଲେ ସେଠାରୁ ସହର ବୁଲିବାପାଇଁ ଇଚ୍ଛାକରି ।

 

ପୁଣି ସେଇ ରିକ୍‌ସା ! ମିଃ ସାକ୍‌ସେନାଙ୍କର ସମସ୍ତ ତନ୍ତ୍ରୀ ବିଦ୍ରୋହ କରି ଉଠିଲା । ପୁନରାୟ ସେ ଭାବିଲେ ଯେ, ଏଠାକୁ ଆସିବା ଉଚିତ୍ ନ ଥିଲା । ଅନ୍ୟ କେଉଁଆଡ଼େ ଯାଇ ସେ ଅଭ୍ୟସ୍ତ ଜୀବନଯାପନ କରିପାରିଥାନ୍ତେ କିଛିଦିନ ପାଇଁ । ତାଙ୍କର ମନେ ପଡ଼ିଲା ଯେ, ଫେରିଯିବା ପାଇଁ ଟ୍ରେନ୍ ସମୟ ଏପର୍ଯ୍ୟନ୍ତ ଜାଣିପାରି ନାହାନ୍ତି । ସମୟ ଥିଲେ ବର୍ତ୍ତମାନ ଫେରିଯିବା ଠିକ୍ ହେବ । ଆପାତତଃ ସେ ରାସ୍ତା କଡ଼ରେ ଥିବା କେତୋଟି ଦୋକାନ ଆଡ଼େ ଚାହିଁଲେ ଟେଲିଫୋନ ଆଶାରେ । ଗୋଟିଏ ଦୁଇଟି ଦୋକାନରେ ପଚାରି ବୁଝିଲେ ଯେ ସେମାନେ ଫୋନ ରଖି ନାହାନ୍ତି ।

 

ହତୋତ୍ସାହ ଓ ବିରକ୍ତ ହେବା ପାଇଁ ଅନ୍ୟ କୌଣସି କାରଣ ଥାଇପାରେ ? ଦୋକାନୀ ମୁହଁକୁ ଚାହିଁଲେ କିଛି ନ ବୁଝିଲା ଭଳି । ଦୋକାନୀଟି କିନ୍ତୁ ଧୂପ କାଠିରେ ନିଆଁ ଧରାଇ ତିନୋଟି ବିଗ୍ରହର ଚିତ୍ର ଆଗରେ ପ୍ରାର୍ଥନା କରିବାକୁ ଆରମ୍ଭ କଲା । ନିରୂପାୟ ହୋଇ ମିଃ ସାକ୍‌ସେନା ଅନ୍ୟମନସ୍କ ଭାବରେ ଲକ୍ଷ୍ୟ କଲେ, ସମସ୍ତ ଦୋକାନରେ ଅଛି ସେଇ ଭଳି ଫଟୋ । ତା’ ମାନେ ବାଣିଜ୍ୟ ଚାଲିଛି ଗୋଟାଏ ବିଶ୍ୱାସ ଉପରେ ଆଧାରିତ ହୋଇ; ଏଠାକୁ ଲୋକେ ଆସନ୍ତି ସେଇ ବିଶ୍ୱାସର ଚୁମ୍ୱକୀୟ ଶକ୍ତି ବଳରେ । ଏଠାରେ କୁଷ୍ଠ ରୋଗୀର ଖଣ୍ଡିତ ଦେହ, ହାହାକାର ଓ ପରାଜୟ, ପ୍ରାପ୍ତି ଓ ସମ୍ଭାବନା, ସମସ୍ତ ଆନନ୍ଦ ଓ ଦୁଃଖ—ସବୁଠି ରହିଛି ଏଇ ବିଗ୍ରହମାନଙ୍କୁ କେନ୍ଦ୍ରକରି ଚେତନା ! ଛୋଟ ହେଉ ପଛେ ଏ ସହରର ପ୍ରତ୍ୟେକ ଧୂଳିକଣା, ପ୍ରତ୍ୟେକ ଗଛର ପତ୍ର ଉପରେ ରହିଛି ଗୋଟିଏ ମାତ୍ର ପ୍ରତିଫଳକ—ବିଗ୍ରହମାନଙ୍କର ।

 

ମିଃ ସାକ୍‌ସେନା ପାଇପ୍‌ରେ ଅଗ୍ନି ସଂଯୋଗ କଲାବେଳେ ମନକୁ ମନ କହି ଉଠିଲେ–ଇମ୍ପସିବଲ୍‌ ! କି ବାଜେ କଥା !

 

କିଛି ବାଟ ଚାଲିବା ପରେ ସେ କ୍ଳାନ୍ତ ହୋଇ ପଡ଼ିଲେ । ଏକ ତୀବ୍ର ନିଃସଙ୍ଗଭାବ ତାଙ୍କର ସମଗ୍ର ସତ୍ତାକୁ ଚହଲାଇ ଦେଲା । ସେ ଠିଆ ହେଲେ ଗୋଟିଏ ରିକ୍‌ସାକୁ ଅପେକ୍ଷା କରି । ଚାରିଆଡ଼କୁ ଚାହିଁ ନିଶ୍ଚିନ୍ତ ହେଲେ, ସେ ଷ୍ଟେସନ ଆଡ଼କୁ ଯାଉ ନାହାନ୍ତି, ଯାଉଛନ୍ତି ଅନ୍ୟ ଏକ ଅଦେଖା ବାଟରେ ।

 

ସେ ମାନସିକ ସ୍ତରରେ ପ୍ରତ୍ୟାଖ୍ୟାନ କରୁଥିଲେ ଏ ସହରକୁ, ସଦ୍ୟ ଦେଖିଥିବା ସମୁଦ୍ରକୁ, ଏହାର ଦାରିଦ୍ର୍ୟକୁ, ଏପର୍ଯ୍ୟନ୍ତ ଦେଖି ନଥିବା ମନ୍ଦିରକୁ ଏବଂ ଏ ସହରର ପ୍ରତ୍ୟେକ ଧମନୀରେ ପ୍ରବାହିତ ହେଉଥିବା ଅବ୍ୟକ୍ତ ବିଶ୍ୱାସକୁ । ଏ ପ୍ରକାର ଜୀବନ ସହିତ ସେ ଆଦୌ ପରିଚିତ ନୁହନ୍ତି । ସେ ମନେ ପକେଇଲେ ଅନେକ ଦିନ ତଳେ ନେଇଥିବା ଏ ସଂକଳ୍ପକୁ–ନିଜ ସହର ଛାଡ଼ି, ବ୍ୟବସାୟରୁ ଅବ୍ୟାହତି ନେଇ ସେ ଏକ ନିର୍ଜନ ଜୀବନଯାପନ କରିବେ । ଏଇ ଭଳି ନିର୍ଜନ ଜୀବନ !

 

ତାଙ୍କ ନିଜ ସହରରେ ତାଙ୍କ ଦେହର ପ୍ରତ୍ୟେକ ତନ୍ତୁ ସତେ ଯେପରି ପ୍ରତ୍ୟେକ ମୁହୂର୍ତ୍ତରେ ଅସହ୍ୟ ଅସ୍ଥିରତା ଓ ଉଦ୍‌ବିଗ୍ନତାରେ ଜଡ଼ସଡ଼ ହୋଇଯାଏ । କାରଖାନା ସଂପର୍କୀୟ ଯାବତୀୟ ସମସ୍ୟା, ବଜାରର ଅନ୍ୟ ପ୍ଲାଷ୍ଟିକ୍ ଜିନିଷର ପ୍ରତିଯୋଗିତା ଇତ୍ୟାଦି ଚିନ୍ତାକରି ସେ କ୍ଳାନ୍ତ ଓ ଶଙ୍କାଗ୍ରସ୍ତ ହୋଇଯାଆନ୍ତି । ସେଠାରେ କେବଳ ନିଜ ଚାଲାକୀ ଓ ଧୂର୍ତ୍ତତା ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବା କଥା । କାହା କଥା ଉପରେ ଭରସା କରିବା ବୁଦ୍ଧିମାନର କାମ ନୁହେଁ । ବିରାମହୀନ ସଂଘର୍ଷ । ଏଇ ସଂଘର୍ଷ ମୂଳରେ କେବଳ ଆତ୍ମରକ୍ଷା କରିବା ଦାୟିତ୍ୱଟିକୁ ସେ ଅନୁଭବ କରନ୍ତି ସବୁବେଳେ । ନିଜକୁ ବାଦ ଦେଲେ ଅନ୍ୟ କେହି କୁହୁକ ବଳରେ କିମ୍ୱା ଐଶ୍ୱରିକ ଶକ୍ତି ବଳରେ ତାଙ୍କ ବ୍ୟବସାୟକୁ ଚାଲୁ ରଖିବା କଥାଟିକୁ ସେ ଚିନ୍ତା ମଧ୍ୟ କରିପାରି ନାହାନ୍ତି । ଏଇ ସବୁ କାରଣ ପାଇଁ ଏତେ ବଡ଼ ସହରରେ ସେ ନିର୍ଜନ ଓ ପରିତ୍ୟକ୍ତ ବୋଧ କରନ୍ତି । ପ୍ରଚଣ୍ଡ ଗତିଶୀଳତା ଓ କର୍ମମୟତାରେ ରୁନ୍ଧିହୋଇ ସେ ମଧ୍ୟ ଅନେକ ବାର କହିଛନ୍ତି ନିଜକୁ—ନିଜକୁ ବଞ୍ଚେଇ ରଖିବାପାଇଁ ମଣିଷକୁ ଏତେ ବଡ଼ ଦାମ ଦେବାକୁ ପଡ଼େ ? ମଣିଷ କେବେ ଚିନ୍ତାହୀନ, ସ୍ୱପ୍ନହୀନ ନିଦରେ ଶୋଇ ନିଜକୁ ଅନୁଭବ କରିବ ? ଅଣନିଃଶ୍ୱାସୀ ହୋଇ ଧାଇଁବୁଲିବାର ଅର୍ଥ କ’ଣ ବଞ୍ଚି ରହିବା ।

 

ରିକ୍‌ସା ଗଡ଼ୁଥିଲା ଆଗକୁ ଏବଂ ବସ୍ତୁତଃ କେଉଁଆଡ଼େ ନଚାହିଁ ବସି ରହିଥିଲେ ମିଃ ସାକ୍‌ ସେନା ଅପଦସ୍ତ, ଲଜ୍ଜିତ ହୋଇ ।

 

ରିକ୍‌ସାବାଲା ଗାଡ଼ି ଠିଆକରି ପଚାରିଲା–‘‘ଆଜ୍ଞା, ଆଉ କୁଆଡ଼େ ଯିବେ ?’’

 

–‘‘କୁଆଡ଼େ !’’ ମିଃ ସାକ୍‌ସେନାଙ୍କର ଯେପରି ନିଦ୍ରାଭଗ୍ନ ହେଲା । ‘‘କୁଆଡ଼େ କ’ଣ ? ସହରଟା ବୁଲାଇ ଦେବ ପରା ! ଏତେ ଚଞ୍ଚଳ ସରିଗଲା ?’’

 

ରିକ୍‌ସାବାଲା କିଛି ବୁଝିନପାରିଲା ଭଳି ଚାହିଁଲା ଆରୋହୀଙ୍କୁ ଏବଂ ନିମ୍ନ ସ୍ୱରରେ ପ୍ରାୟ ମନକୁ ମନ କହିଲା–‘‘ସହର ଆଉ କ’ଣ ? ଏଇ ତ ସହର ।’’

 

ମିଃ ସାକ୍‌ସେନା ଘଡ଼ି ଦେଖିଲେ । ମାତ୍ର ଅଧଘଣ୍ଟାଏ ଭିତରେ ସହର ବୁଲିବା ଶେଷ । କିନ୍ତୁ ସେ ଦେଖିଲେ କ’ଣ ? ରିକ୍‌ସାରେ ଉଠିବା ଏବଂ ଓହ୍ଲାଇବା ଭିତରେ ତାଙ୍କ ଅଜାଣତରେ ସହରଟି ହୁଏତ ନିଜକୁ ଅତିକ୍ରମ କରି ନେଲା ସଙ୍କୋଚ ଓ ଲଜ୍ଜାରେ । ମିଃ ସାକ୍‌ସେନାଙ୍କ ଭଳି ଜଣେ ଶିଳ୍ପପତି ଆଗରେ ନିଜକୁ ଦେଖେଇ ହେବାର କୌଣସି ଯଥାର୍ଥତା ଅନୁଭବ କଲା ନାହିଁ ।

 

ରିକ୍‌ସା ଗଡାଇ ଦେବା ପୂର୍ବରୁ ରିକ୍‌ସାବାଲା ସ୍ଥାନଟିକୁ ଚିହ୍ନେଇ ଦେଲା–‘‘ଏଇଟା ହେଉଛି ବଡ଼ ଦାଣ୍ଡ । ହେଇ, ମନ୍ଦିର ଦିଶୁଛି ।’’ ସେ ଚାଲିଗଲା ଏବଂ ସୂଚେଇ ଦେଲା ଯେ, ଲୋକେ ଏଠାକୁ ସହର ଦେଖିବାପାଇଁ ଆସନ୍ତି ନାହିଁ । ଯେଉଁମାନେ ଆସନ୍ତି, ସେମାନଙ୍କ ପାଇଁ ଏଇ ପ୍ରଶସ୍ତ ରାସ୍ତା ସମସ୍ତ ସହରଠାରୁ ବେଶୀ ତାତ୍ପର୍ଯ୍ୟପୂର୍ଣ୍ଣ, ଦେଖା ଯାଉଥିବା ମନ୍ଦିର ସମସ୍ତ ଅଟ୍ଟାଳିକାଠାରୁ ବେଶୀ ମହତ୍ତ୍ୱପୂର୍ଣ୍ଣ ।

 

ରାସ୍ତାକଡ଼ରେ ଠିଆହୋଇ ମିଃ ସାକ୍‌ସେନା ଲକ୍ଷ୍ୟକଲେ ଚଉଡ଼ା ରାସ୍ତା ଉପରେ ମଣିଷମାନଙ୍କର ଗହଳି । ପ୍ରାୟ ସମସ୍ତେ ଆଗେଇ ଯାଉଛନ୍ତି ଗୋଟାଏ ନିର୍ଦ୍ଦିଷ୍ଟ ଦ୍ୱାର ଆଡ଼କୁ ଏବଂ ସେଠାରୁ ବାହାରି ଆସୁଛନ୍ତି ଆହୁରି ଅନେକେ । ଉପରକୁ ଚାହିଁଲେ ଦେଖା ଯାଉଛି ମନ୍ଦିରର ଅସ୍ପଷ୍ଟ ଦେହ । ଯଥେଷ୍ଟ ଉଚ୍ଚ । ଅବିଚଳିତ ଗମ୍ଭୀର ଓ ସମ୍ଭାବନାର ସମ୍ୱେଦନଶୀଳ, ବାସ୍ତବ ଆକାର ନେଇ ଠିଆ ହୋଇଛି, ଝାପ୍‌ସା ନିଳ, ଝାପ୍‌ସା ଅନ୍ଧାର ଆକାଶକୁ ବିରକ୍ତ କରି । ମିଃ ସାକ୍‌ସେନା ପ୍ରଥମେ ନିର୍ବୋଧ ଓ କିଂକର୍ତ୍ତବ୍ୟବିମୂଢ଼ ହୋଇଗଲେ ଏବଂ ଦୃଷ୍ଟି ଫେରାଇ ଚାହିଁଲେ ରାସ୍ତାକଡ଼ ଦୋକାନମାନଙ୍କୁ, ପାଖରେ ଖଞ୍ଜଣି ଭଜନରେ ବିହ୍ୱଳ ହୋଇ ଯାଉଥିବା ଦଳେ ଭକ୍ତଙ୍କୁ, ଅଥର୍ବଟିଏ ହାତ ବଢ଼େଇ ଭିକ ମାଗୁଥିବା ମଣିଷକୁ । ମାଇକ୍‌ରୁ କ’ଣ ଶୁଭୁଛି ? ବେଦର ଓଁ କାର ଧ୍ୱନି, ନା ଗୀତାର ଶ୍ଳୋକ ? ସମୁଦାୟ ସ୍ଥାନ ଉପରେ ବିଚ୍ଛୁରିତ ହେଉଥିଲା ଗୋଟାଏ ପ୍ରାର୍ଥନା ଏବଂ ଗୋଟାଏ ଆଶା । ସ୍ଥାନଟି ପୁଲକିତ ହେଉଥିଲା ଏକ ସଂଜ୍ଞାହୀନ କମ୍ପନରେ, ଏକ ଅମୂଲ୍ୟ ପରିପୂର୍ଣ୍ଣତାରେ, ତାହା ମଣିଷର ଅହଙ୍କାର ଏବଂ କ୍ଷମତାକୁ ସଂପୂର୍ଣ୍ଣ ଦ୍ରବୀଭୂତ କରି ଦେଉଥିଲା । ସବୁଆଡ଼େ ଯେମିତି ପ୍ରତିଧ୍ୱନିତ ହେଉଥିଲା—ମୁଁ କିଛି ନୁହେଁ; ସବୁ ତୋରି କରୁଣା ।

 

ମିଃ ସାକସେନା କିଛି ସମୟ ପାଇଁ ଅଭିଭୂତ ହୋଇ ପଡ଼ିଲେ । ବ୍ରହ୍ମାଣ୍ଡ ମାଳ ମାଳ ହୋଇ ଯେଉଁ ଲୋମକୂପରେ ବିରାଜମାନ କରୁଛି, ସେଠାରେ ସେ ନିଜର ଜୈବିକ ସତ୍ତା ଚିହ୍ନଟ କରିବାପାଇଁ ଆଉ କୌଣସି ଚେଷ୍ଟା କଲେନାହିଁ । ସେ ଆଦୌ ଚିନ୍ତା କରିପାରୁ ନଥିଲେ, ତାଙ୍କ ଭଳି ଜଣେ ମଣିଷ ସହସା ଏଭଳି ବିଚିତ୍ର ଅନୁଭୂତିରେ ଶିହରିତ ହୋଇଯିବାର କାରଣ କ’ଣ ହୋଇପାରେ । ତାଙ୍କ କାରଖାନାରେ ଧର୍ମଘଟ ହେଲେ ସେ ଶହ ଶହ ଶ୍ରମିକଙ୍କ ସାମନାରେ ଦୃଢ଼ତାର ସହିତ ଠିଆ ହୁଅନ୍ତି ଏବଂ ସମସ୍ତ ଆତ୍ମବିଶ୍ୱାସ ନେଇ ସେମାନଙ୍କର ମୁକାବିଲା କରନ୍ତି । ସେତେବେଳେ ସେ ଅନୁଭବ କରନ୍ତି ତାଙ୍କ ମର୍ଜି ଓ ଇଚ୍ଛା ମତେ ତାଙ୍କ କାରଖାନା ଚାଲିବାକୁ ବାଧ୍ୟ; ତାଙ୍କର କଥା ହିଁ ଚୂଡ଼ାନ୍ତ ରାୟ ସବୁ ସମସ୍ୟା ସଂପର୍କରେ । ମାତ୍ର ଏଇ ରାଜରାସ୍ତାରେ ଚାଲୁଥିବା ମଣିଷମାନଙ୍କର ଶୋଭାଯାତ୍ରା, ଧର୍ମଘଟକାରୀ ଶ୍ରମିକମାନଙ୍କର ଶୋଭାଯାତ୍ରାଠାରୁ କେତେ ପୃଥକ-! ସେ ଜଣେ ବିଶିଷ୍ଟ ଶିଳ୍ପପତି, ଯଥେଷ୍ଟ ଟଙ୍କାର ଅଧିକାରୀ ବୋଲି କଥାଟା ସଂପୂର୍ଣ୍ଣ ହାସ୍ୟାସ୍ପନ୍ଦ ଓ ତୁଚ୍ଛ ହୋଇଯାଉଛି । ବଞ୍ଚି ରହିବା ସଂକ୍ରାନ୍ତୀୟ ତାଙ୍କ ତତ୍ତ୍ୱଟି ଛୋଟ ଓ ଅପ୍ରାସଙ୍ଗିକ ହୋଇ ଯାଉଛି-

 

ମିଃ ସାକ୍‌ସେନା ପାଇପ୍‌ରେ ଅଗ୍ନି ସଂଯୋଗ କଲେ ଏବଂ ମନ୍ଦିର ଭିତରକୁ ଯିବେ କି ନାହିଁ ଚିନ୍ତା କରିବାକୁ ଲାଗିଲେ ।

 

ଅନୁସନ୍ଧିତ୍ସାକୁ ଆଉ ରୋକି ହେଲା ନାହିଁ । ଗୋଟାଏ ପରେ ଗୋଟାଏ ପାଉଛ ଅତିକ୍ରମ କଲାବେଳେ ତାଙ୍କ ଦେହ ଭିତରରେ ଅହେତୁକ କମ୍ପନ ସୃଷ୍ଟି ହେଉଥିଲା । ତାଙ୍କୁ ଜଣା ଯାଉଥିଲା, ସେ ନିଜର ପ୍ରଜ୍ଞା ହରାଉଛନ୍ତି ଏବଂ ତାଙ୍କର ଅନୁଭବ ତୀବ୍ର ଓ ସଂପ୍ରସାରିତ ହେଉଛି; ଯାହାକୁ କି ତାଙ୍କର ଦେହର ପରିଧି ଧରି ରଖି ପାରୁନାହିଁ । ମାତ୍ର ହଠାତ୍ ଗତି ତାଙ୍କର ବନ୍ଦ ହୋଇଗଲା । ଦଳେ ଲୋକ ସମ୍ଭବତଃ ଗୋଟାଏ ମୁର୍ଦ୍ଦାରକୁ ଟେକି ଆଣୁଛନ୍ତି । ସେମାନଙ୍କ ସ୍ୱର ଚଞ୍ଚଳ ଓ ଜରୁରୀ ହୋଇ ପଡ଼ିଥିଲା, କିନ୍ତୁ ନା । ସେଇଟା ମୁର୍ଦ୍ଦାର ନୁହେଁ; ଜଣକର ଚେତନାହୀନ ଦେହ । ଲୋକଟିର ମୁହଁରେ ପାଣିଛାଟି ଦିଆଗଲା; କେତେଜଣ ତାକୁ ବିଞ୍ଚି ଦେଲେ । କିଛି ସମୟ ପରେ ସେ ପ୍ରକୃତିସ୍ଥ ହୋଇ ଚାହିଁଲା ଚାରିଆଡ଼କୁ ଏବଂ ନୀରବରେ ଲୁହ ଝରେଇବାକୁ ଲାଗିଲା ।

 

ଲୋକଟି କୁଆଡ଼େ ସବୁଥର ଏଇମିତି ହୁଏ । ଠାକୁରଙ୍କୁ ଦର୍ଶନ କରିବା କ୍ଷଣି ଉଚ୍ଚସ୍ୱରରେ କାନ୍ଦି ପକାଏ ଏବଂ ଚେତନା ହରାଏ । ମିଃ ସାକ୍‌ସେନା ଶୁଣିଲେ ଏଇକଥା । ବିଧବା ଭଉଣୀ ତାଙ୍କର ମନେ ପଡ଼ିଲା । ଭାବିଲେ, କିଭଳି ଏସବୁ ସମ୍ଭବ ହୁଏ ? ତାଙ୍କର ଆଶଙ୍କା ହେଲା ଯେ ସେ ହୁଏତ ଏଭଳି ସଂଜ୍ଞାହୀନ ହୋଇ ଯାଇ ପାରନ୍ତି ଏବଂ ତାଙ୍କର ପରିଚ୍ଛନ୍ନ ପୋଷାକ ମଇଳା ଚଟାଣରେ ଘସି ହୋଇ ଯାଇପାରେ । ସେ କିଏ ବୋଲି ପରେ ତାଙ୍କୁ ପ୍ରଶ୍ନ କରାହେବ ଏବଂ ସେ ଖୁବ୍ ଲଜ୍ଜିତ ଓ ଅପ୍ରତିଭ ହେବେ ନିଜ ପରିଚୟ ପ୍ରକାଶ କରିବାକୁ ଚିନ୍ତା କରି । ସେ ଠିକ୍ କଲେ ଯେ, ଖାଲି ସଂଜ୍ଞାହୀନ କାହିଁକି, ଲୁହ ଝରାଇବା ଏକ ପିଲାଳିଆ ବ୍ୟାପାର ।

 

ତିନି ଠାକୁରଙ୍କୁ ଦେଖିବାକ୍ଷଣି ମିଃ ସାକ୍‌ସେନା ଭ୍ରୂକୁଞ୍ଚନ କଲେ । ଯନ୍ତ୍ରଚାଳିତ ଭଳି ତାଙ୍କର ଦୁଇହାତ ଯୋଡ଼ିହୋଇ ଉପରକୁ ଉଠି ଆସିଲା । ମୁହୂର୍ତ୍ତେ ମାତ୍ର । ତା’ ପରେ ସେ କୋଟ ପକେଟରେ ହାତ ପୁରାଇଲେ । ତାଙ୍କର ମୁହଁ ଉପରକୁ ସ୍ୱାଭାବିକତା ଫେରି ଆସିଲା । ବାମହାତ ଟେକି ସେ ଟାଇନଟ୍ ସଜାଡ଼ି ନେଲେ । ମନ୍ଦିରର ଅଭ୍ୟନ୍ତର ଉପରେ ତାଙ୍କର ଦୃଷ୍ଟି ବୁଲି ଆସିଲା । ତା’ ପରେ ସେ ଚାହିଁଲେ, ଠୁଳ ହୋଇଥିବା ଶହ ଶହ ଭକ୍ତମାନଙ୍କ ଆଡ଼େ । ଦୃଶ୍ୟଟି ଅନନ୍ୟ, ଅଭୂତପୂର୍ବ–ସେ ସ୍ୱୀକାର କଲେ ମନେ ମନେ । ଏକାଥରେ ଏତେଗୁଡ଼ାଏ କାତର, ପ୍ରାର୍ଥନାଭିକ୍ଷୁ ମୁହଁ ସେ ଦେଖି ନଥିଲେ ଆଗରୁ । ସମସ୍ତେ ଏକ ଜୀବନ୍ତ ଭକ୍ତିରେ ରୂପାନ୍ତରିତ ହୋଇ ଯାଇଥିଲେ ଏବଂ ଏଇ ଭକ୍ତି ସେମାନଙ୍କ ମନରେ ସୃଷ୍ଟି କରୁଥିଲା ଏକ ଭରସା, ଏକ ପ୍ରତିରକ୍ଷା ।

 

ମିଃ ସାକ୍‌ସେନା ପୁଣି ଥରେ ଠାକୁରଙ୍କ ଆଡ଼େ ଚାହିଁଲେ । ନା, ହେଉନି । ସେ ଆଗ ଭଳି ସ୍ଥିର ଓ ଅଚଞ୍ଚଳ ହୋଇ ଠିଆ ହୋଇଛନ୍ତି ଏବଂ ତାଙ୍କର ଚେତନା ବିଶାଳ ମରୁଭୂମିର ଶୁଷ୍କତା ନେଇ ପଡ଼ି ରହିଛି; ଯାହା କୌ ଣସି ବର୍ଷାକୁ ଅପେକ୍ଷା ନକରି ନିଜର ଶୁଷ୍କତାକୁ ହିଁ ଏକମାତ୍ର ବିଭବ ବୋଲି ଭାବି ନେଉଛି । କିଏ ତେବେ ମିଛ ? –ତାଙ୍କର ଏଇ ବାସ୍ତବ ଅଭିଜ୍ଞତା, ନା, ଯୁଗ ଯୁଗ ଧରି ବଢ଼ି ଉଠିଥିବା ଏକ ବିଶ୍ୱାସ, ଭଉଣୀର ଅନୁଭୂତି ଏବଂ ଏଇ ମାତ୍ର ଦେଖିଥିବା ସଂଜ୍ଞାହୀନ ମଣିଷର ଲୁହ ?

 

ହୋଟେଲ ରୁମରେ ମିଃ ସାକ୍‌ସେନା ବସି ରହିଥିଲେ ଏବଂ ଭାବୁଥିଲେ, ଏ ସହର ତାଙ୍କୁ ପ୍ରତ୍ୟାଖ୍ୟାନ କରିଛି । ଜୀବନରେ ଏମିତି ପରାଜୟ ଏଇ ହେଉଛି ପ୍ରଥମ । କେହି ଜଣେ ତାଙ୍କୁ କହିଦେଲା, ଅତର ଛିଞ୍ଚା ଯାଇଥିବା ପ୍ଲାଷ୍ଟିକ ତିଆରି ଫୁଲକୁ ଛାଡ଼ି ଗଛରେ ଫୁଟିଥିବା ଫୁଲକୁ ଆଦର କରିବା ପାଇଁ ଅନ୍ୟ ଏକ ମୂଲ୍ୟବୋଧ ଦରକାର; ଯେମିତିକି ମୋଜେଇକ ଚଟାଣ ନେଇ ଗର୍ବ କରୁଥିବା ମଣିଷ ପାଇଁ ଗୋବର ଲିପା ପିଣ୍ଡାକୁ ସ୍ନେହ କରିବା ସକାଶେ ଅନ୍ୟ ଏକ ମୂଲ୍ୟବୋଧ ଦରକାର ।

 

ମିଃ ସାକ୍‌ସେନା ରୁମ ଭିତରେ ଇତସ୍ତତଃ ପଦଚାରଣ କଲେ । ସହସା ଠିଆହୋଇ ଭାବିଲେ, ସେ ଏକାନ୍ତ ଭାବେ ଛେଉଣ୍ଡ ଏବଂ ସମ୍ଭବତଃ ନିଃସ୍ୱ । ଜୀବନ ଓ ସୃଷ୍ଟିକୁ ସେ ଏଯାଏ ବ୍ୟବସାୟଗତ ନୀତିରେ ବିଶ୍ଳେଷଣ କରି ଆସିଛନ୍ତି । ଅଥଚ ଏ ସବୁର ସମୁଦାୟ ଅର୍ଥ କ’ଣ ସେତିକି ? ସେ ଚାହୁଁଥିଲେ, ମନ୍ଦିର ଭିତରେ ତାଙ୍କର ସମୁଦାୟ ଦେହଟି ତରଙ୍ଗାୟିତ ହୋଇ ଯାଇଥାନ୍ତା ଏବଂ ସେ ସମ୍ପର୍କିତ ହୋଇ ଯାଇଥାନ୍ତେ ଏକ ଆଲୌକିକ, ଆଧ୍ୟାତ୍ମିକ ଚିରନ୍ତନତା ସହିତ । ହେଲା ନାହିଁ । ସେ ଠିଆ ହୋଇଥିଲେ ଅନୁଭବହୀନ ହୋଇ–ସଂପୂର୍ଣ୍ଣ ନିଃସଙ୍ଗ, ସୃଷ୍ଟି ଛଡ଼ା କ୍ଷୁଦ୍ର ଜୈବିକ ଦେହଟିଏ ଧରି । ମିଃ ସାକ୍‌ସେନାଙ୍କୁ ନିଦ ହେଲା ନାହିଁ । ଝରକା ପାଖକୁ ଆସି ଠିଆ ହେଲେ ସେ । ପତଳା କୁହୁଡ଼ିଟିଏ ଝୁଲି ରହିଥିଲା ଆକାଶ ଓ ପୃଥିବୀ ମଧ୍ୟରେ । ସମୁଦ୍ରର ସ୍ୱର ଆଗ ଭଳି ଅନ୍ୱେଷଣରତ ଓ ମୁକ୍ତିକାମୀ; ଅଥଚ କ୍ଲାନ୍ତିହୀନ ଓ ଭୟ–ଉଦ୍ଦୀପକ । ସମୁଦ୍ର ଖୁବ୍ ଜଟିଳ ଓ ରହସ୍ୟମୟ ଜଣାଗଲା ତାଙ୍କୁ; ଯଥେଷ୍ଟ ବିଶାଳ ଓ ଶକ୍ତିଶାଳୀ । ସମୁଦ୍ର ଅର୍ଥରେ ମଣିଷର ଜୀବନକୁ ବ୍ୟାଖ୍ୟା କରାଯିବା ଅସମ୍ଭବ । ଆଉ, ମନ୍ଦିରର ଠାକୁର ? ତାଙ୍କୁ ଜଣାପଡ଼ିଲା ଦୂରନ୍ତ, ଅପରିଚିତ । ତାଙ୍କ ପାଇଁ ଭରସା ରହିଛି କେଉଁଠି ? କେଉଁଠି ଅଛି ପ୍ରତିରକ୍ଷା ?

 

କେହି ଜଣେ ତାକୁ ଟିକିଏ ସ୍ନେହ କରନ୍ତା କି ! କେହି ଜଣେ ନିବିଡ଼ ଭାବରେ ତାଙ୍କୁ ଛାତିରେ ଜାକି ଧରି ତାଙ୍କ ପିଠି ଥାପୁଡ଼େଇ ଦିଅନ୍ତା, ତାଙ୍କ ମୁଣ୍ଡରେ ହାତ ବୁଲାଇ ତାଙ୍କ କପାଳ ଓ ଗାଲରେ ଚୁମ୍ୱନ ଦିଅନ୍ତା !

 

ପରଦିନ ରାତିରେ ସେ ଟ୍ରେନ୍‌ରେ ବସିଥିଲେ । ଆଉ ସମୁଦ୍ରର ସ୍ୱର ନାହିଁ, ଖଞ୍ଜଣି ଭଜନ ନାହିଁ, ଓଁ କାର ଧ୍ୱନି ନାହିଁ ।

 

ଏତେ ଚଞ୍ଚଳ ସେ ଫେରି ଆସିବେ ବୋଲି ଘରେ କେହି ଆଶା କରି ନଥିଲେ । କିଛି ନବୁଝି ପାରିବା ଭଳି ତାଙ୍କ ବିଧବା ଭଉଣୀ ତାଙ୍କୁ ଚାହିଁ ରହିଲା । ପଚାରିଲା–‘‘ଏତେ ଚଞ୍ଚଳ ଫେରି ଆସିଲ ?’’

 

–‘‘ହଁ ।’’ କହିଲେ ମିଃ ସାକ୍‌ସେନା । ପୋଷାକ ପରିବର୍ତ୍ତନ କରୁଥିବା ବେଳେ କାରଣଟି ପ୍ରକାଶ କଲେ–‘‘ଛୋଟ ସହରଟିଏ । ବୋର୍ ଲାଗିଲା । ଫେରିଆସିଲି ।’’

 

ମିଃ ସାକ୍‌ସେନା ଘଡ଼ି ଦେଖି ବ୍ୟସ୍ତ ହେଲେ । ତାଙ୍କୁ ଚଞ୍ଚଳ ପ୍ଲାଷ୍ଟିକ କାରଖାନାକୁ ଯିବାକୁ ହେବ ।

Image

 

Unknown

ଟେବୁଲ ଘଣ୍ଟା

 

ଭାଡ଼ି ତଳେ, ଗୋଟିଏ କୋଣରେ ଥୁଆ ହୋଇଥିଲା ସେଇ ବାଲ୍‌ଟି । ହ୍ୟାଣ୍ଡଲ ଭାଙ୍ଗିଯାଇଥିଲା । ବର୍ଷରେ ଥରେ, ଭାଡ଼ି ତଳେ ଲିପାପୋଛା କଲାବେଳେ ବାଲ୍‌ଟି ପିଠି ଉପରେ ମାଟି କାଦୁଅର ତୁଳି ଲେଖି ଦେଇ ଯାଉଥିଲା ତା’ର ବୟସ । ଏଇଥିପାଇଁ ତା’ ଶରୀର ମାଟିଆ ରଙ୍ଗରେ ଏମିତି ଭାବରେ ରଞ୍ଜିତ ହୋଇଯାଇଥିଲା ଯେ, ତହିଁରୁ ତା’ର ବୟସ କଳନା କରିବା ଜମା ସମ୍ଭବ ନଥିଲା । ତାହାକୁ ଦେଖି କେବଳ ନିରାପଦରେ କହିଦେବା ସହଜ ଥିଲା, ବାଲ୍‌ଟିଟା ନିହାତି ପୁରୁଣା । ତା’ ଗର୍ଭରେ ଥିବା କିମ୍ୱଦନ୍ତୀର ସମାହାର କେଜାଣି କେତେବର୍ଷ ହେବ ଚୁପଚାପ ରହିଥିଲା ଭାଡ଼ି ତଳେ ଅନ୍ଧାରିଆ କଣରେ ଏବଂ ବହୁଦିନୁ ସମସ୍ତ ଚେଷ୍ଟା ପରିହାର କରିଥିଲା ତା’ ଉପର ଦେଇ ବହି ଯାଉଥିବା ସମୟ ସୁଅକୁ ମାପିବା ପାଇଁ ।

 

ଭାଡ଼ିଟା ବହୁତ ଲମ୍ୱା । ତା’ତଳଟା ଗୋଟାଏ ସୁଡ଼ଙ୍ଗ ଭଳି ଦିଶେ । ଶ୍ରୀକାନ୍ତର ମନେଅଛି, ଭାଡ଼ି ଉପରେ ରହୁଥିଲା ଧାନ, ଚାଉଳ, ମୁଗ, ବିରୀ ଇତ୍ୟାଦିର ବସ୍ତା । ତଳେ ଯାବତୀୟ ଜିନିଷ–ମାଟିହାଣ୍ଡି, ବଡ଼ିଟିଣ, ଆଚାର ହାଣ୍ଡି ଇତ୍ୟାଦି ।

 

ଏଇ କେତେ ବର୍ଷ ହେବ ଭାଡ଼ିର ଉପର ଓ ତଳ ଶୂନ୍ୟ ରହୁଚି । ଖାଲି ଯାହା ଭାଡ଼ିଟା ରହିଚି, ଗୋଟାଏ ରକ୍ତମାଂସହୀନ ଭୋକିଲା କଙ୍କାଳ ଭଳି । ସେଇ ଘର ବାଟେ ଯା–ଆସ କଲେ ମଧ୍ୟ, ଭାଡ଼ି ଆଡ଼କୁ ଅନାଇବା ପାଇଁ ଶ୍ରୀକାନ୍ତର ସାହାସ କୁଳାଏ ନାହିଁ । ତାକୁ କାହିଁକି କେଜାଣି ସେତେବେଳେ ଭାରି ଶୋଷ ଲାଗେ । ପୃଥିବୀର ସମସ୍ତ ପାଣି ଯଥେଷ୍ଟ ଜଣାପଡ଼େନାହିଁ । ଭାଡ଼ି ତଳେ ଅନ୍ଧାର ଭିତରେ ସେ ଯେମିତି ସ୍ପଷ୍ଟ ଦେଖିପାରେ ଗୋଟିଏ ମଣିଷକୁ । ଭାଡ଼ିର ଅଶ୍ରୁଳ ନୀରବତା ଭେଦ କରି ଶୁଭିଯାଏ ଗୋଟିଏ ନିଃଶ୍ୱାସର ସ୍ୱର । ମା’ ! କେତେପ୍ରକାରର ଜିନିଷ ତା’ତଳେ ସଜାଡ଼ି ରଖୁଥିଲା ଭବିଷ୍ୟତର ଆବଶ୍ୟକତାକୁ ଆଖି ଆଗରେ ରଖି । ଏ ଘର ସେତେବେଳେ ପରିପୂର୍ଣ୍ଣ ଥିଲା ।

କେତେ ପୁରୁଷର କେଜାଣି ପୁରୁଣା ଆଟୁଘର । ଅଥର୍ବ, ଅନ୍ତଃସାର ଶୂନ୍ୟ ହୋଇପଡ଼ିଚି ଅନେକ ବର୍ଷ ହେଲା । ମରାମତି ଅଭାବରୁ ଛପରର ମାଂସ ପଚେ, ରୁଅ–ବତାର ହାଡ଼ ଘୁଣ ଖାଇ ରୁଗ୍‌ଣ ହୁଏ । ବର୍ଷରେ ଥରେ ଲିପାପୋଛା କଲେ ମଧ୍ୟ ଅସଂଖ୍ୟ ମୂଷାଗାତ ସତେ ଯେପରି ସୃଷ୍ଟି କରିଦିଅନ୍ତି ସେ ଘରର କବର । ଏଇଥିପାଇଁ ବର୍ତ୍ତମାନର ଅନାବଶ୍ୟକ ଏଇ ଘର ଭାଙ୍ଗିଦେବା ପାଇଁ ଶ୍ରୀକାନ୍ତ ନିଷ୍ପତ୍ତି ନେଲା ।

ତା’ ଅଲକ୍ଷ୍ୟରେ ଗୋଟିଏ କଣରେ ରହିଥିଲା ଏଇ ବାଲ୍‌ଟି । ତାହାକୁ ସେ ନେଇଗଲା ପିଣ୍ଡା ଉପରକୁ ଭିତରେ କ’ଣ ସବୁ ଅଛି ଦେଖିବା ପାଇଁ । ବେଣ୍ଟ ନ ଥିବା ଚ୍ଛ’ ସାତଇଞ୍ଚ ଲମ୍ୱର ଗୋଟିଏ ଛୁରି । ହାତୀର ଶୁଣ୍ଢ ଭାଙ୍ଗିଯାଇଥିବା କଳସଟିଏ । କାଚ ଭାଙ୍ଗି ଯାଇଥିବା ଚଷମା ଫ୍ରେମ୍-। ଛୋଟ ଟିଣ ଡବା । କାଳି ଦୁଆତ । ଭଙ୍ଗା ଟର୍ଚ୍ଚ । ଗୁଆକାତି । ଲୋଚାକୋଚା ସିଲଭର ଗ୍ଲାସ-। ତିନିଟା ତାଲା । ଆରସି ଫ୍ରେମ । ସବା ତଳେ ମୁହଁ ମାଡ଼ି ରହିଥିଲା ଟେବୁଲଘଣ୍ଟା । ସବୁ ଜିନିଷ ଉପରେ ଜଙ୍କ୍‌ ର ପଲସ୍ତରା ।

ଶ୍ରାକାନ୍ତ ମୁହଁ ଫେରାଇ ପୁଣି ଚାହିଁଲା, ବାଲ୍‌ଟି ଗର୍ଭରୁ ଖଲାସ ହୋଇଥିବା ଏଇ ଜିନିଷଗୁଡ଼ିକ ଆଡ଼େ । ତା’ର ମନେହେଲା, ସେ ଗୋଟିଏ ମଶାଣି କଣରେ ଚୁପ୍‌ ଚାପ୍ ରହିଥିବା ସ୍ତୂପୀକୃତ ହାଡ଼ଗୁଡ଼ିକୁ ଅଲଗା କରିଦେଉଚି ଏବଂ ଚେଷ୍ଟା କରୁଚି ଏଇ ହାଡ଼ଗୁଡ଼ିକ ଖଞ୍ଜିହୋଇ ରହିଥିବା ସକ୍ଷମ ଦେହକୁ ମନେ ପକାଇବା ପାଇଁ । ଅନେକ ଦିନ ହେଲା ସମୟ ଭୁଲିଯାଇଥିବା ଏଇ ଘଡ଼ିଟି ସତେ ଯେମିତି ହୃତ୍‌ପିଣ୍ଡର ଦୁକ୍‌ଦୁକ୍ ଶବ୍ଦ ଫେରିପାଇ ଜୀବନ୍ୟାସ ଦେଇଦେଲା ବାଲ୍‌ଟି ଭିତରେ ଏତେ ବର୍ଷ ଧରି ରହିଥିବା ଅନ୍ୟ ସମସ୍ତ ଅଭିଶାପଗ୍ରସ୍ତ, ଖଣ୍ଡିଆଖାବରା ଅଙ୍ଗପ୍ରତ୍ୟଙ୍ଗମାନଙ୍କୁ ।

ସେ ସ୍ପଷ୍ଟ ଦେଖିପାରିଲା, ଘରର ଅଗଣା ପରିଷ୍କାର କରାଯାଇଚି । ମଝିରେ ବର୍ଗାକାରରେ ଗୋବର ଲିପାଯାଇଚି । ଥୁଆଯାଇଚି କଳସଟିଏ । ଛୋଟ ଆମ୍ୱଡାଳର ମୁକୁଟ ତା’ ଉପରେ । ଝୁଣାଗନ୍ଧ ସହିତ ଏକାକାର ହେଉଚି ଶଙ୍ଖ ଓ ହୁଳୁହୁଳୁ ଧ୍ୱନି । ଭୋଗପସରା ଧରି ରୋଷେଇଘରୁ ଅସ୍ତବ୍ୟସ୍ତ ହୋଇ ବାହାରି ଆସୁଚି ମା’ । ବାପା ବସିଚନ୍ତି ଖବରକାଗଜ ଓ କିଛି କାଗଜ ହାତରେ ଧରି । ଚାଳିଶା ଚଶମା ପିନ୍ଧିଚନ୍ତି । ଦୁଆତ ଠିପି ଖୋଲଇ ଲେଖିବାକୁ ଆରମ୍ଭ କଲେ । ହଠାତ୍ ଗୋଟିଏ ଗୁରୁତର କଥା ମନେପଡ଼ିଗଲା ତାଙ୍କର । ଡାକି ଲେ–‘‘ଶ୍ରୀକାନ୍ତ ! ଆରେ ଏ ଶ୍ରୀକାନ୍ତ !’’

ସେ ଗୁଡ଼ାଖୁ ଘଷୁଥିଲା ସେତେବେଳେ । ତରବର ହୋଇ ହାତ ଧୋଇଲା । ଆସିଲା ବାପାଙ୍କ ପାଖକୁ । କହିଲେ–‘‘ଟେବୁଲ ଘଣ୍ଟାଟା ଟିକିଏ ଆଣ ତ ।’’

ସେ ଆଣିଲା । ରାତି ଚାରିଟାବେଳେ ତାଙ୍କୁ ଉଠିବାକୁ ହେବ । ସେଥିପାଇଁ ଘଡ଼ିରେ ଆଲାର୍ମ ଦେଇ କହିଲେ–‘‘ଶୋଇବାଘର ଟେବୁଲ ଉପରେ ରଖି ଦେ ।’’

ସେ ଆଶ୍ୱସ୍ତ ହେଲା । ସ୍କୁଲକୁ ଯାଇଥିଲା କି ନାହିଁ ବୋଲି ବାପା ପଚାରିଲେ ନାହିଁ । ପଚାରିଥିଲେ କ’ଣ କହିଥାନ୍ତା ସେ ? ସବୁଥର ଭଳି ନୀରବରେ ଠିଆ ହୋଇଥାନ୍ତା ଏବଂ ବାପାଙ୍କ ମୁହଁ ଉପରେ ସ୍ପଷ୍ଟ ହୋଇ ଉଠିଥିବା ଚିନ୍ତା ଓ ମନକଷ୍ଟ ଚିତ୍ର ଦେଖିଥାନ୍ତା ।

ଘର ଭିତରୁ ଶୁଭୁଚି, ଶାବଳ କୋଦାଳର ଆକ୍ରମଣ । ଦୁମ୍‌ଦାମ୍ ଭୁସ୍ ଭାସ୍ ଶବ୍ଦ । କେଉଁକାଳର ମାଟି ଶାବଳ, କୋଦାଳ ମାଡ଼ରେ ଭାଙ୍ଗିଯାଉଚି ଖଣ୍ଡ ଖଣ୍ଡ ହୋଇ । ଘର ଭିତରଟା ପରିପୂର୍ଣ୍ଣ ହୋଇଯାଉଚି ଧୂଳିରେ ଏବଂ ଏହା କବାଟବାଟେ ବେଳେବେଳେ ଉଛୁଳି ଆସୁଚି ବାହାରକୁ । ମାଟିର ଗନ୍ଧ ଏତେ ଆତ୍ମୀୟ ଜଣାପଡ଼େ ? ଏତେ ଭାଷା ଲୁଚି ରହିପାରେ ଏଇ ଗନ୍ଧରେ ? ଶ୍ରୀକାନ୍ତ ଆଗରୁ ଲକ୍ଷ୍ୟ କରି ନ ଥିଲା । ବର୍ତ୍ତମାନର ଘରଭଙ୍ଗା ଶବ୍ଦ ସତ୍ତ୍ୱେ ସେ ଗତିକରୁଥିଲା ଅତୀତ ଭିତରକୁ ଏବଂ ପୁଣି ଫେରିଆସୁଥିଲା ବର୍ତ୍ତମାନ ପାଖକୁ । ଅବସ୍ଥା ଏମିତି ହେଲା ଯେ, ସେ ଆଉ ଜାଣିପାରିଲା ନାହିଁ ସମୟର କେଉଁ ସ୍ଥାନ ଉପରେ ସେ ଠିଆ ହୋଇଚି ।

 

ବାଲ୍‌ଟି ଭିତରେ ସେ ପୁଣି ସବୁ ଜିନିଷ ରଖିସାରିଲାଣି । ଟେବୁଲ ଘଣ୍ଟାଟିକୁ ହାତରେ ଧରିଲା, ଅଲୌକିକ ଶକ୍ତିସମ୍ପନ୍ନ କାଉଁରିହାଡ଼ ଧରିବା ଭଳି । ଆହୁରି ଥରେ ମନେପକେଇଲା ବାପାଙ୍କର ଖବର କାଗଜ ପଢ଼ିବା, ଲେଖାଲେଖି କରିବା ଏବଂ ଘଡ଼ିରେ ଚାବି ଦେବାର ଦୃଶ୍ୟ । ମନେପକେଇଲା ଏକଦା ଅକ୍ଷତ ଥିବା ଏଇ କଳସ ସାମନାରେ ଚାଲିଥିବା ପୂଜାର ଦୃଶ୍ୟ । ଶଙ୍ଖ, ହୁଳହୁଳି, ଘଡ଼ିର ଆଲାର୍ମ ଶବ୍ଦ ସବୁ ପୁଣି ଫେରିଆସିଲେ ତା’ପାଖକୁ । ପୁଣି କାହିଁ କେଉଁଆଡ଼େ ଅଦୃଶ୍ୟ ହୋଇଗଲେ ଶାବଳ, କୋଦାଳର ନିରବଚ୍ଛିନ୍ନ ଶବ୍ଦର ମାଡ଼ରେ । ଭାଡ଼ି ଭଙ୍ଗାଯାଉଚି ଆଉ ତା’ ହାତରେ ଅଛି ସ୍ତବ୍‌ଧ ଟେବୁଲ ଘଣ୍ଟାର ଖପୁରି, ବାଲଟି୍‍ ଭିତରେ ଅଛି ସମୟ ଛାଡ଼ିଦେଇ ଯାଇଥିବା ଏଇ ସାମଗ୍ରୀଗୁଡ଼ିକ । ସୁଅ ଶୁଖିଲା; ଅଥଚ ଦୁଇ କଡ଼ରେ ଲାଖିରହିଚି ଶୁଖିଲା ପତ୍ର, ଶୁଖିଲା ଡାଳ ଇତ୍ୟାଦିର ବିକଳ ଚିହ୍ନ । ସୁଅରେ ଭାସିଯାଉଥିବା ଅନେକ ଜିନିଷ ଏମିତି ଅପନ୍ତରାରେ ପଡ଼ିରହେ । ସୁଅ ଶୁଖିଯାଏ ।

 

ଶ୍ରୀକାନ୍ତ ଉଠି ପଡ଼ୁଥିଲା ଭାଡ଼ିଭଙ୍ଗା କାମ କେତେ ବାଟ ଗଲା ଦେଖିବା ପାଇଁ; କିନ୍ତୁ କ’ଣ ହେଲା କେଜାଣି ବସିରହିଲା ଆଗଭଳି । ଆଉ କ’ଣ ଅତୀତର ଅନୁସନ୍ଧିତ୍ସା ଅଛି ? ନା, ଅଛି ବିସ୍ମୟଭାବ ? ଦିନ ଗଡ଼ିଯାଉଚି ଆପଣା ଛାଏଁ ଏବଂ ସେ ଠେଲିହୋଇ ଯାଉଚି କିଂକର୍ତ୍ତବ୍ୟବିମୂଢ଼ ମଣିଷଟିଏ ହୋଇ । କିଛି ଗୋଟାଏ ଘଟିବ ବୋଲି ଅପେକ୍ଷା କରୁ କରୁ ଅପରାହ୍ନ ହୋଇଯାଏ । ହାଇ ଆସେ । ଥକ୍‌କା ଲାଗେ । କିନ୍ତୁ କିଛି ଘଟେ ନାହିଁ । ତେଣୁ ଭାଡ଼ିଭଙ୍ଗା ଦୃଶ୍ୟଟି ଏମିତି କେଉଁ ଅଭୂତପୂର୍ବ ଦୃଶ୍ୟ ଯେ ସେ ଘରଭିତରେ ଠିଆହୋଇ ରହନ୍ତା ଆଶ୍ଚର୍ଯ୍ୟ ହୋଇ ।

 

ମାତ୍ର ଶ୍ରୀକାନ୍ତ ପିଲାଦିନେ ଭାବୁଥିଲା, ଖଣ୍ଡିଏ ତାର ସାହାଯ୍ୟରେ ସେ କୌଣସି ବନ୍ଦ ତାଲା ଖୋଲିବାଠାରୁ ଅଧିକ ଆନନ୍ଦଦାୟକ ଓ ବିଜୟସୂଚକ କାମ ଆଉ ନାହିଁ । ବାପା ବିଲ ଆଡ଼େ କିମ୍ୱା ଆଉ କେଉଁଆଡ଼େ ଯାଇଥିବେ । ମା’ ବ୍ୟସ୍ତ ରହିଥିବ ଘରକାମରେ । ସ୍କୁଲ ନଯାଇ ସେ ଅକାରଣଟାରେ ଏପଟ ସେପଟ ହେଉଥିବ । ହଜାରେ ଥର ଦେଖିଥିବା ଘରର ଯାବତୀୟ ଜିନିଷଗୁଡ଼ିକୁ ସେ ଦେଖୁଥିବ ପୁଣି ଥରେ । ଅନୁଭବ କରୁଥିବ ଯେ, କିଛି ଗୋଟାଏ ଚାଞ୍ଚଲ୍ୟକର ଉତ୍ତେଜନାପୂର୍ଣ୍ଣ କାମ କରିବା ଦରକାର, ଯାହା ତା’ର କାର୍ଯ୍ୟହୀନତା ଓ ବିରକ୍ତିର ସମସ୍ୟାର ସମାଧାନ କରି ଦେଇ ପାରିବ । ସେ କାମଟି କ’ଣ ହୋଇପାରେ ? ସେ ଇତସ୍ତତଃ ହେବ । ଅନ୍ୟର ଅଲକ୍ଷ୍ୟରେ ଚାରିପାଞ୍ଚ ଥର ଗୁଡ଼ାଖୁ ଘଷିବ । କେଉଁଆଡ଼ୁ ଆଣିଥିବା ବିଡ଼ିରେ ଅଗ୍ନି ସଂଯୋଗ କରିବ ବାରିଆଡ଼େ ଆମ୍ୱଗଛ ମୂଳେ । ପୁଣି ଫେରିବ । ଠଣାରେ ଥୁଆ ହୋଇଥିବା ତାର ଖଣ୍ଡିକୁ ଧରି ପରୀକ୍ଷା କରିବ ବାକ୍‌ସ, ଟ୍ରଙ୍କ୍‌ ରେ ପଡ଼ିଥିବା ତାଲାଗୁଡ଼ିକୁ । କଡ଼ା ପାନଖିଆ ଚାଲିଥିବ-। ଗୋଟି ଗୋଟି ହୋଇ ଖାଲି ଯାଉଥିବେ ତାଲାଗୁଡ଼ିକ ଆଜ୍ଞାଧୀନତାର ସହିତ । ମନ ହେଲେ ଟଙ୍କାଏ, ଦୁଇଟଙ୍କା ନେଇ ଗାଁ ଦୋକାନରେ ଶସ୍ତା ଲଜେଞ୍ଜ କିମ୍ୱା ପାନ କିଣା ହେବ । ବେଶି ଟଙ୍କା ନେବାକୁ ସାହସ ହୁଏ ନାହିଁ । ସେଥର ଶହେ ଟଙ୍କା ବିନିମୟରେ ସେ ଗରମ ପକୋଡ଼ି ଓ ଚା’ କିଣିବାକୁ ଚାହୁଁଥିଲା । ବଜ୍ଜାତ୍‌ ଦୋକାନୀଟା ଘରେ କହିଦେଲା ସବୁ କଥା ।

 

ଏଇମିତି ତାଲା ଖୋଲୁ ଖୋଲୁ ସେ ବିତାଇଦେବ ଅଜସ୍ର ସମୟ । ସମସ୍ତ ତାଲା ତା’ ହାତରେ ଆତ୍ମସମର୍ପଣ କରିବେ ଏବଂ ସେ ଖଣ୍ଡିଏ ସହଜ ତାର ହାତରେ ଧରି ଠିଆହୋଇ ଦେଖିବ ପାଟି ଆଁ କରି ବାଟ ଛାଡ଼ିଦେଇ ଥିବା ଏଇ ଗୁରୁତ୍ୱହୀନ ସଙ୍କଟଗୁଡ଼ିକୁ ।

 

କୁଆଡ଼େ ଗଲା ସେ ସମୟ ? ଶ୍ରୀକାନ୍ତ ନିଜକୁ ଏଇ କଥା ପଚାରିଲା ଏବଂ ଚାହିଁଲା ବାଲ୍‌ଟି ଭିତରେ ରଖିଥିବା ସମସ୍ତ ଅଥର୍ବ ଜିନିଷ ଆଡ଼େ । ଯେତେ ତାଲା ଖୋଲୁଥିଲେ ବି, ସ୍କୁଲକୁ ନ ଯାଇ ଏଣେତେଣେ ବୁଲୁଥିଲେ ବି, ତାକୁ ଜଣାପଡ଼ୁଥିଲା ସେ ଯେମିତି କିଛି ଜାଣେ ନାହିଁ । ସବୁଆଡ଼େ ବିସ୍ମୟ ଭରପୂର । ଅନୁସନ୍ଧିତ୍ସାର ଶେଷ ନଥିଲା । ସବୁ ଥିଲା ସୀମାହୀନ, ଅନନ୍ତ । ସାଇକେଲରେ ସେ କ’ଣ କମ୍ ବୁଲୁଥିଲା ! ଖରା ହେଉ ବା ବର୍ଷା–କାକର ହେଉ । କେଉଁ ରାସ୍ତାର ଶେଷବିନ୍ଦୁରେ ସେ ପହଞ୍ଚିଥିଲା ସେତେବେଳେ ? କେଉଁ ରାସ୍ତାର ଶେଷ ଅଛି ?

 

ଘରର ପୁରୁଣା ସାଇକେଲ୍‌କୁ କାରଣ ଅକାରଣରେ ସେ ଖୋଲିଚି ଅନେକ ଥର । ଖଣ୍ଡ ଖଣ୍ଡ ହୋଇଯାଇଥିବା ଯାନର ଅଙ୍ଗ-ପ୍ରତ୍ୟଙ୍ଗକୁ ସେ ଚାହିଁଚି ଯଥେଷ୍ଟ ସହାନୁଭୂତିର ସହିତ । ପୁଣି ପରମୁହୂର୍ତ୍ତରେ ସେ ପୂର୍ଣ୍ଣାଙ୍ଗତା ଆଣିଦେଇଚି ଗାଡ଼ିର । ଗତି ଓ ଦୂରତା ମାପିବା ପାଇଁ ଚେଷ୍ଟା କରିଚି ତା’ ସାହାଯ୍ୟରେ । ସେତେବେଳେ ସେ ଥିଲା ଏଇଭଳି । ତା’ ଆଗରେ ନ ଥିଲା କୌଣସି ସଙ୍କଟର ତାଲା । ତା’ ଆଗରେ ନ ଥିଲା କୌଣସି ଦୂରତା । ନିର୍ଜଞ୍ଜାଳ କୈଶୋର ସେ ବିତେଇ ଦେଉଥିଲା ଏଇ ଉପାୟରେ ଏବଂ ସମ୍ଭବତଃ, ଭାବୁଥିଲା ଯେ ଏହା ହିଁ ଜୀବନ ଓ ବଞ୍ଚିରହିବା । ସାଇକେଲ ଚଢ଼ି ସେ ଅତିକ୍ରମ କରିଯିବ ସମସ୍ତ ଦୂରତା, ତାର ଖଣ୍ଡିଏ ହାତରେ ଧରି ଚଢ଼ଉ କରିବ ସାମନାରେ ଝୁଲୁଥିବା ତାଲଶ ଉପରେ ।

 

କିନ୍ତୁ ଏଇ ଯେଉଁ ଘଡ଼ିଟି ? ନୀରବ ହୋଇଯାଇ ଯେମିତି ତପସ୍ୟା କରୁଚି ଏବଂ ତା’ର ଅଜାଣତରେ ତାକୁ ଆବୃତ୍ତ କରି ପକେଇଚି ଜଙ୍କ୍‌ର ଉଇହୁଙ୍କା । କାଚ ଭାଙ୍ଗି ଯାଇଚି । ଡାଏଲର ଅବଶିଷ୍ଟାଂଶ ଭାବେ ରହିଥିବା ଟୁକୁରାଟି ଦିଶୁଚି ବିବର୍ଣ୍ଣ । ଘଣ୍ଟା କଣ୍ଟା, ମିନିଟ୍ କଣ୍ଟା ଦୁଇଟି ବଙ୍କା । ଶ୍ରୀକାନ୍ତ ହଲେଇଲା ସେଇଟାକୁ । କୌଣସି ଶବ୍ଦ ଶୁଭୁ ନାହିଁ ।

 

ଏ ଘଡ଼ି କଥା ସେ ସଂପୂର୍ଣ୍ଣ ଭାବେ ଭୁଲି ଯାଇଥିଲା । ତା’ର ଆଦୌ ମନେ ନଥିଲା ଯେ ଏକଦା ଗୋଟିଏ ଘଡ଼ି ବାପାଙ୍କର ଶୋଇବା ଘର ଠଣାରେ ଟିକ୍ ଟିକ୍ ଶବ୍ଦ କରି ଚାଲିଥିଲା ବିଶ୍ରାମହୀନ ଭାବରେ । ସେ ଚାରିଆଡ଼କୁ ଚାହିଁ ଠିଆ ହେଉଥିଲା ତା’ ସାମନାରେ । ଲୋଭ ଓ ଅନୁସନ୍ଧିତ୍ସା ସମ୍ୱରଣ କରି ନ ପାରି ଖୋଳ ଭିତରୁ ଘଡ଼ିଟିକୁ ଆଣି ହାତରେ ଧରୁଥିଲା । ଏପଟ ସେପଟ କରି ଦେଖୁଥିଲା । ଯେମିତି ଯେଉଁ ବାଗରେ ଧରିଲେ ମଧ୍ୟ ତାହା ନୀରବ ହୋଇଯାଏ ନାହିଁ । ଆଲାର୍ମ ବଜେଇବା ପାଇଁ ମନହୁଏ । କେବେ କେମିତି ବଜାଏ, ଆଖପାଖରେ ବାପା-ମା ନ ଥିଲେ ।

 

ଘଡ଼ିଭିତରେ ଏମିତି କଣ ଅଛି ଯେ ଅହରହ ଏହା ଶବ୍ଦ କରୁଛି, ଘଣ୍ଟାକଣ୍ଟା, ମିନିଟ୍ କଣ୍ଟା ଚାଲୁଛି ଏବଂ ନିର୍ଦ୍ଧାରିତ ସମୟରେ ଆଲାର୍ମ ବାଜୁଛି ? ଏଇ କଥା ଆଚମ୍ୱିତ ହୋଇ ସେ ଭାବେ । ସେତେବେଳେ ତା’ ଦୃଷ୍ଟିରେ ସମୟ ମାଗୁଥିବା ଏଇ ଗୋଲାକାର, ଚକଚକିଆ ଯନ୍ତ୍ରଠାରୁ ବଳି ଯାଇ ଆଉ କିଛି ବିସ୍ମୟକର ଜିନିଷ ନ ଥିଲା । ତାର, ରେଞ୍ଜ ସ୍କ୍ରୁ-ଡ୍ରାଇଭର ଇତ୍ୟାଦି ଏଇ ଘଡ଼ିର ପ୍ରତିଦ୍ୱନ୍ଦ୍ୱୀ ହେବାକୁ ଯୋଗ୍ୟ ନ ଥିଲେ । ଯେ କୌଣସି ତାଲା ଓ ସାଇକେଲ ଅପେକ୍ଷା ଏଇଟି ଥିଲା ଯଥେଷ୍ଟ ଜଟିଳ ଓ ସମ୍ମାନାସ୍ପଦ । ଶ୍ରୀକାନ୍ତର କୌଶଳ ଓ ଚାଲେଞ୍ଜଠାରୁ ଏହା ଥିଲା ଅନେକ ବିଶାଳ ଓ ଅଦ୍ଭୂତପୂର୍ବ ।

 

ସେ’ଦିନ ବାପା ନ ଥାନ୍ତି ଘରେ । ଦୁଇ-ତିନି ଦିନ ପାଇଁ କେଉଁଆଡ଼େ ଯାଇଥାନ୍ତି । ଶ୍ରୀକାନ୍ତ ବାପାଙ୍କ ଶୋଇବାଘରେ ପଶି ଭିତରୁ କବାଟ ବନ୍ଦ କଲା ଏବଂ ପରକ୍ଷଣରେ କବାଟ ବନ୍ଦ କରିବାର କାରଣଟି ଭାବି ଆତଙ୍କିତ ହେଲା । ସ୍କୁଲଘଣ୍ଟା ବାଜିଲାଣି ଅନେକ ବେଳୁ । ପ୍ରାର୍ଥନା ଶେଷ କରି ସମସ୍ତେ ବସିଯାଇଥିବେ ନିଜ ନିଜ ସ୍ଥାନରେ । ବ୍ଲାକବୋର୍ଡ଼ରେ ଲେଖା ଯାଉଥିବ ବିଭିନ୍ନ ଅକ୍ଷର । ଶିକ୍ଷକ ଏଇ ଅକ୍ଷରମାନଙ୍କ ସହିତ ସମସ୍ତଙ୍କର ଚିହ୍ନା ପରିଚୟ କରାଇ ଦେଉଥିବେ । ଉଚ୍ଚସ୍ୱରରେ ସମସ୍ତେ ଏଇ ଅକ୍ଷରମାନଙ୍କର ନାଁ ଡାକି ସେମାନଙ୍କର ଚେହେରା ମନେ ରଖୁଥିବେ । ତା’ନିଜ କ୍ଲାସ୍‌ରେ ଗଣିତ କିମ୍ୱା ସାହିତ୍ୟ ପଢ଼ା ଚାଲିଥିବ ।

 

ବନ୍ଦ ଘର ଭିତରେ ଥାଇ ମଧ୍ୟ ଶ୍ରୀକାନ୍ତ ଶୁଣିପାରୁଥିଲା ସ୍କୁଲରେ ଚାଲିଥିବା କୋଳାହଳର ପ୍ରତିଧ୍ୱନି । କ୍ଷଣକ ପାଇଁ ସେ ବିଚଳିତ ଓ ନିଷ୍ପତ୍ତିହୀନ ହୋଇଗଲା । ବାହାରକୁ ଯିବାବେଳେ ସେ ଦେଖିଲା, ଘଣ୍ଟାଟିକୁ ସେ ଧରିଚି ଦୁଇ ହାତରେ ଏବଂ ସେଇଟା ବ୍ୟାକୁଳ ତ୍ରସ୍ତତା ନେଇ ଚାହିଁରହିଚି ତା’ ମୁହଁକୁ । ତା’ ଭିତରର ଟିକ୍ ଟିକ୍ ଶବ୍ଦ ଆଶଙ୍କା ଓ ଭୟରେ ସ୍ପନ୍ଦିତ, ଅସ୍ଥିର ହେଉଛି । ଶ୍ରୀକାନ୍ତ ଘଡ଼ିଟିକୁ କାନ ପାଖକୁ ଆଣିଲା । ତା’ପରେ ପୁଣି ଏପାଖ, ସେପାଖ କରି ଦେଖିଲା ଏବଂ ଖୋଜି ଚାଲିଲା ତା’ର ପ୍ରାଣବାୟୁର ସୂତ୍ରକୁ ।

 

ଝରକା ବାଟେ ପାନଛେପ ପକାଇ ସେ ବସିପଡ଼ିଲା ଚଟାଣ ଉପରେ । ଘଡ଼ିର ପିଠିକୁ ଦେଖିଲା । ଏଇଟାରେ ଚାବି ଦିଆଯାଏ । ଏହାକୁ ମୋଡ଼ିଲେ କଣ୍ଟା ଦୁଇଟି ଚାଲେ । ସମୟଠାରୁ ଆଗେଇ ଯାଇଥିଲେ କିମ୍ୱା ପଛରେ ପଡ଼ି ରହିଥିଲେ ଏହା ସାହାଯ୍ୟରେ କଣ୍ଟା ଦୁଇଟିଙ୍କୁ ନିର୍ଭୁଲ ବିନ୍ଦୁରେ ପହଞ୍ଚେଇ ଦିଆଯାଏ । ଏଇ ଦୁଇଟି ଆଲାର୍ମ ପାଇଁ ଦରକାର ।

 

ଏକାଗ୍ରତା ଫେରି ଆସିବା ପରେ ସେ ଦେଖିଲା, ଘଡ଼ିର ପଛପଟେ ଥିବା ଏଇ ଚାରୋଟି ନବ୍ ସେ ଖୋଲି ସାରିଲାଣି । ସେ ଚାହିଁଲା ଦରଜା ଆଡ଼କୁ ଏବଂ ଆଶ୍ୱସ୍ତ ହେଲା ଯେ, ସେଇଟା ବନ୍ଦ ଅଛି । ହଠାତ୍ ସେ ଅନୁଭବ କଲା, ତା’ର ହୃତ୍‌ସ୍ପନ୍ଦନ ବଢ଼ିଯାଇଛି ଖୁବ୍ ଜୋରରେ ଏବଂ ଘଡ଼ିର ଟିକ୍ ଟିକ୍ ଶବ୍ଦ ଜମା ତାଳ ଦେଇପାରୁନି ତା’ସହିତ । ପାଟି ଭିତରର ପାନ ଶୁଖିଯାଇଛି । ସେ ଯେମିତି ଚୋବାଉଚି ମେଞ୍ଚାଏ ଶୁଖିଲା କାଗଜ । ଗାମୁଛାରେ କପାଳର ଝାଳ ପୋଛି ସେ ଦେଖିବାକୁ ଚେଷ୍ଟା କଲା କ’ଣ ଅଛି ଭିତରେ । ମାତ୍ର ଘଡ଼ିର ଗୋପନୀୟତା ଆଦୌ ବ୍ୟାହତ ହେଇ ନ ଥିଲା ନବ୍ ଚାରୋଟିକୁ ଖୋଲିଦେବା ସତ୍ତ୍ୱେ । ଆଗ ଭଳି ସେ ଟିକ୍ ଟିକ୍ ଶବ୍ଦକରି ଚାଲିଥିଲା ଏବଂ ଏଇ ଶବ୍ଦ ସୃଷ୍ଟିର କୌଶଳକୁ ଘୋଡ଼େଇ ରଖିଥିଲା ।

 

ସେ ପକେଟରୁ ବାହାର କଲା ଛୋଟ ସ୍କ୍ରୁ–ଡ୍ରାଇଭର । ମଝିରେ ଥିବା ତିନୋଟି ସ୍କ୍ରୁର ଚେର ଅକ୍ଲେଶରେ ଉଠି ଆସିଲା ଭୂଇଁରୁ । ପ୍ଲେଟ ଭଳି ଦେଖାଯାଉଥିବା ଘଡ଼ି ପିଠିର ଚମଡ଼ା ଉଠାଇ ଦେବାରେ ଆଉ କୌଣସି ଅସୁବିଧା ହେଲା ନାହିଁ ।

 

ଶ୍ରୀକାନ୍ତ ଦେଖିନେଲା ଘଡ଼ିର ଆଭ୍ୟନ୍ତରୀଣ ସତ୍ତାକୁ ଏବଂ ସ୍ୱୀକାର କଲା ଯେ, ସମଗ୍ର ରହସ୍ୟଟି ତା’ ପାଇଁ ସଂପୂର୍ଣ୍ଣ ଦୁର୍ବୋଧ୍ୟ । ସାଇକେଲ ଓ ତାଲାର ସରଳତା ଏଠାରେ ନାହିଁ । ଏହାର ଜୀବନର ଗଠନ, ଆକାର ତୁଳନାରେ ଯଥେଷ୍ଟ ବେଶି କପଟମୟ । ଶ୍ରୀକାନ୍ତ ନିରୁତ୍ସାହିତ ହୋଇ ଭାବିଲା, ଏହାକୁ ବୁଝିବା ପାଇଁ ତା’ର ଆବଶ୍ୟକୀୟ କୌଶଳଗତ ମୂଳଧନ ନାହିଁ । ତେଣୁ ଘଡ଼ିର ଅନ୍ତର ଜାଣିବାକୁ କୌଣସି ଚେଷ୍ଟା ନ କରି ଏହାର ଚକଚକ ଆକର୍ଷଣରେ ସନ୍ତୁଷ୍ଟ ରହିବା ଉଚିତ । କଣ୍ଟା ଦୁଇଟିର ନିର୍ଭୁଲ ଗତି ହିଁ ତା’ର ଲୋଡ଼ା ।

 

ଭିତରେ ହଳଦିଆ ରଙ୍ଗର ସାନବଡ଼ ଅଗଣିତ ଦନ୍ତୁରିତ ଚକ । ନିକେଲ ବୋଳି ଦିଆଯାଇଥିବା ଚକଟିଏ ଏପଟ ସେପଟ ହେଉଛି ଏବଂ ସେହି ଅନୁସାରେ ଘଡ଼ିର ଶବ୍ଦ ସୃଷ୍ଟି ହେଉଚି । ଆଶ୍ଚର୍ଯ୍ୟର କଥା ଏହି ଯେ, ଘଡ଼ି ଦେହରେ ତା’ର ଏଇ ଅନଭିଜ୍ଞ, ଅକାରଣ ଖାନତଲାସ ସତ୍ତ୍ୱେ ତାହା ବଞ୍ଚିରହିଥିଲା ଏବଂ ସୂଚେଇ ଦେଉଥିଲା ଯେ, କେତେକ ଅଙ୍ଗ–ପ୍ରତ୍ୟଙ୍ଗ ଛିଣ୍ଡିଗଲେ ମଧ୍ୟ ଜୀବନ ଉପରେ କିଛି ଆଞ୍ଚ ଆସେ ନାହିଁ ।

 

ଶ୍ରୀକାନ୍ତ ସେଇଠି ଅଟକି ରହିଥିଲେ ଭଲ ହୋଇଥାନ୍ତା । ଘଡ଼ିର ପିଠିକୁ ନିର୍ଦ୍ଧାରିତ ସ୍ଥାନରେ ରଖି ସ୍କ୍ରୁ ତିନୋଟି ସାହାଯ୍ୟରେ ଟାଇପ୍ କରି ଦେବା କାମ ସହଜ ଥିଲା । ସେ କିନ୍ତୁ ତାହା କରିପାରିଲା ନାହିଁ । କ’ଣ କରିବ, କ’ଣ କରିବ ବୋଲି ଚିନ୍ତା କରୁ କରୁ ସେ ଭିତରେ ଥିବା ଛୋଟ ସ୍କ୍ରୁ ଗୁଡ଼ିଏ ଖୋଲିପକାଇଲା ଏବଂ ଗୋଟିକ ପରେ ଗୋଟିଏ ହଳଦିଆ ରଙ୍ଗର ଦନ୍ତୁରିତ ଚକ ଉଠାଇ ଆଣିଲା ।

 

ଗୋଟାଏ ସାଂଘାତିକ ଉତ୍ତେଜନା ଚାପି ଧରିଥିଲା ତାକୁ ସେତେବେଳେ । ବାରମ୍ୱାର ଛେପ ଢୋକି ଶୁଖିଲା ତଣ୍ଟିକୁ ଓଦା କରିବାପାଇଁ ଚେଷ୍ଟା କରୁଥିଲା ସେ । ବେକ ଓ ମୁହଁରେ ଝାଳ ଅସ୍ତବ୍ୟସ୍ତ କରୁଥିଲା ତାକୁ । ତାର କମ୍ପିତ ହାତ ଅନିଚ୍ଛୁକ ହୋଇ ପଡ଼ୁଥିଲା କ୍ରମଶଃ । ସ୍କ୍ରୁ–ଡ୍ରାଇଭର ଇତ୍ୟାଦି ଆତ୍ମବିଶ୍ୱାସ ହରାଇ ସାରିଥିଲେ । ତା’ର ଆଗ୍ରହ, ଉତ୍ସାହ ଉପରକୁ ବିତୃଷ୍ଣା ଘୋଟି ଆସୁଥିଲା ।

 

ସେ ଚାହିଁଲା ଗୋଟି ଗୋଟି କରି ଘଡ଼ି ଭିତରୁ ଉଠାଇ ଆଣିଥିବା ଚକମାନଙ୍କୁ ଓ କଣ୍ଟାମାନଙ୍କୁ । ସେଗୁଡ଼ିକ ଦିଶୁଥିଲେ ମଲା ଚଢ଼େଇର ସାନ ବଡ଼ ପର ଭଳି । ଘଡ଼ି ଭିତରେ ସେମାନଙ୍କର ବାସସ୍ଥାନ କେଉଁଠି ବୋଲି ଚିହ୍ନଟ କରିବାକୁ ଚେଷ୍ଟା କଲା ସେ । ସଂପୂର୍ଣ୍ଣ ଭୟଭୀତ ଓ ନର୍ଭସ ହୋଇଗଲା ଶ୍ରୀକାନ୍ତ । ସେ ଜମା ଠଉରେଇ ପାରୁନି କିଛି । କାହାର ଘର କେଉଁଠି ? ସମସ୍ତେ ଦିଶୁଛନ୍ତି ଏକା ଭଳି । କୌଣସି ଜାଗାରେ ରହିଯିବା ପାଇଁ ସେମାନଙ୍କର ସତେ ଯେମିତି କୌଣସି ଆପତ୍ତି ନାହିଁ । ଗୋଟାଏ ମସ୍ତବଡ଼ ନିରାସକ୍ତ ଭାବ ସମସ୍ତଙ୍କ ଚେହେରାରେ । ମାତ୍ର ସେମାନଙ୍କୁ ଯେକୌଣସି ସ୍ଥାନରେ ରଖି ଦେଲେ, କ’ଣ ଚଳିବ ? ସେମାନଙ୍କର ନିରାସକ୍ତ ଭାବ କ’ଣ ଫେରାଇ ଆଣିବ ଏ ଘଡ଼ିର ସ୍ୱାସ୍ଥ୍ୟ ଓ ନିର୍ଭୁଲ ଗଠନଶୈଳୀ ?

 

ଶ୍ରୀକାନ୍ତ କ’ଣ କରିବ ୟା ପରେ ? ସେ ଅଭିଭୂତ ହୋଇପଡ଼ୁଥିଲା ଏବଂ ଏକ ବିଷାଦଗ୍ରସ୍ତ ଯନ୍ତ୍ରଣା ତାକୁ ଅସହାୟ ଓ ନିରସ୍ତ୍ର କରିଦେଇଥିଲା । ଚାରିଆଡ଼ୁ ଦୃଷ୍ଟି ଫେରାଇ ସେ ଯେତେବେଳେ ଅନ୍ତଃସାର ଶୂନ୍ୟ ଘଡ଼ିର ଲୁଣ୍ଠିତ ଘର ଭିତରକୁ ଚାହିଁଲା, ସେ ଶୁଣିଲା ଗୋଟିଏ ମାତ୍ର ଶବ୍ଦ–ତା’ ହୃତ୍‌ପିଣ୍ଡର ଅଥୟ କମ୍ପନ । ଘଡ଼ିଟି କେତେବେଳୁ କେଜାଣି ଚୁପହୋଇ ଗୋଟିଏ ଲାସ୍‌ରେ ପରିଣତ ହୋଇଯାଇଛି ।

 

ଶ୍ରୀକାନ୍ତ ଏତେ ଭୟଭୀତ ହୋଇଗଲା, ସେଇଟାକୁ ହାତରେ ଧରିବା ପାଇଁ ତା’ର ଆଉ ସାହସ ହେଲା ନାହିଁ । ତଳେ ରଖିଦେଇ, ଘରୁ କେଉଁଆଡ଼େ ପଳେଇ ଯିବାକୁ ସେ ଉଠି ପଡ଼ୁଥିଲା; ମାତ୍ର ତା’ର ଅପରାଧୀ ମନକୁ ଶାସ୍ତି ଦେବାପାଇଁ ଘଡ଼ିର ଆହତ ଆତ୍ମା ତାକୁ ଯେମିତି ପୁଣିଥରେ ବସେଇ ଦେଲା ସେଇ ଜାଗାରେ । ସେ ଆଦୌ ଭାବିପାରିଲାନି କେମିତି ନିଜର ପ୍ରାୟଶ୍ଚିତ କରିବ-

 

ଅନେକ ସମୟ ସେ ବସି ରହିଲା ସେହିପରି । ତାର ଅସ୍ତ୍ର ଏବଂ ଖୋଲି ଦେଇଥିବା ଘଡ଼ିର ଶିରା–ପ୍ରଶିରା ପଡ଼ିରହିଥିଲେ ସର୍ବଶେଷ କାମର ସମାପ୍ତି ହୋଇଯାଇଥିବାରୁ । ଶ୍ରୀକାନ୍ତ ସାହସ କରି ହାତ ବୁଲାଇ ଆଣିଲା ସବୁ ଜିନିଷ ଉପରେ । ଘଡ଼ିର ମୁହଁ ଦେଖିଲା । ଅଚେତନ କଣ୍ଟା ଦୁଇଟି ପଙ୍ଗୁ ହୋଇ ଲାଖି ରହିଛନ୍ତି ଡାଏଲ ମଝିରେ ।

 

ଆଉ ଅଧିକ ସମୟ ବସିରହିବା ସମ୍ଭବ ନ ଥିଲା ସେ ଘରେ । ସେ ଚିତ୍କାର କରିବାକୁ ଯାଉଥିଲା; ମାତ୍ର ଅନୁଭବ କଲା ଯେ ଚିତ୍କାର କରିବା ପାଇଁ ଯେଉଁ ସାହସ ଦରକାର ତାହା ତା’ ପାଖରେ ନାହିଁ ।

 

ଟିକିଏ ସଂଯତ ଓ ପ୍ରକୃତିସ୍ଥ ହୋଇ ଚେଷ୍ଟାକଲା ଶିରା–ପ୍ରଶିରାଗୁଡ଼ିକ ଘଡ଼ିର ଦେହକୁ ଫେରାଇ ଦେବା ପାଇଁ । ଏକାଗ୍ରତାର ସହିତ ସବୁକଥା ମନେ ପକେଇବାକୁ ସେ ଯତ୍ନବାନ ହେଲା-। ନା, ହେଉନି । କେମିତି ସେ ଏତେବାଟ ଆସିଲା, ତା’ର ମନେ ପଡ଼ିଲା ନାହିଁ । ସମସ୍ତ ବାଟ ଜଣାପଡ଼ୁଛି ଅଚିହ୍ନା । ସେ ଭାବିପାରିଲା ନାହିଁ ଯେ, ଏତେ ବଡ଼ କାମଟିଏ ସେ କରି ପକେଇଚି । ତେବେ ସେ ଆତତାୟୀଟି କିଏ ? କିଏ ସେ ହୃଦୟହୀନ, ଯେ ଘଡ଼ିକୁ ହତ୍ୟାକରି ତା’ର ପୃଥକୀକୃତ ଅଙ୍ଗଗୁଡ଼ିକୁ ଏମିତି ଅବସ୍ଥାରେ ଛାଡ଼ିଦେଇ ଯାଇଚି ତା’ ପାଖରେ ?

 

ଆଉ କିଛି ଉପାୟ ନ ଥିଲା । ଘଡ଼ିର ସବୁ ଚକ, ସବୁ କଣ୍ଟା ସେ ଢାଳିଦେଲା ତାର ପରିତ୍ୟକ୍ତ କୋଠରି ଭିତରକୁ । ମାତ୍ର ଏଇ ଦୁଇଟି ଜିନିଷକୁ ସେ କଣ କରିବ ? ଆଲାର୍ମ ଏବଂ ଚାବି ଦେଉଥିବା ଖୁଣ୍ଟ ଚାରିପଟେ ଏଇ ତାର ପାତ ଦୁଇଟି ଗୁଡ଼େଇ ହୋଇ ରହିଥିଲେ । ସେମାନଙ୍କର ଦୈଘ୍ୟ ଜାଣିବା ପାଇଁ ସେ ଦୁଇଟିକୁ ସିଧା କରିଦେଇଚି । ଯେମିତି ଯେଉଁ ବାଗରେ ସେମାନଙ୍କୁ ଖୋସାମଦ କଲେ ବି ସେମାନଙ୍କର ପୂର୍ବର ସଙ୍କୁଚିତ ଆକାର ଆଉ ଫେରୁନାହିଁ । ଧୈର୍ଯ୍ୟହୀନ, ନିରୁପାୟ ଶ୍ରୀକାନ୍ତ ସେଗୁଡ଼ିକୁ କୌଣସି ପ୍ରକାରେ ଲୋଚାକୋଚା କରି ରଖିଦେଲା ଘଡ଼ି ଭିତରେ ।

 

ଭିତରକୁ ଚାହିଁଲା ଏବଂ ପୁଣିଥରେ ଯନ୍ତ୍ରଣା ଓ ଭୟରେ ଜଡ଼ସଡ଼ ହୋଇଗଲା । ସଂପୂର୍ଣ୍ଣ ଅଲଗା ଦିଶୁଚି । ବିଶୃଙ୍ଖଳ, ବିଧ୍ୱସ୍ତ । ସଂହତିହୀନ, ପ୍ରାଣହୀନ । ଶ୍ରୀକାନ୍ତ ଦୃଷ୍ଟି ଫେରାଇଲା । ଘଡ଼ିର ପିଠି ରଖିଲା ଠିକ୍ ସ୍ଥାନରେ । ସ୍କ୍ରୁ ତିନୋଟି ସାହାଯ୍ୟରେ ପିଠିକୁ ଭିଡ଼ିଦେବା ଆଉ ସମ୍ଭବ ନ ଥିଲା । ସେମାନଙ୍କର ଚେର ତଳକୁ ଗଳିଗଲେ । ମାତ୍ର ସେମାନଙ୍କୁ ଧରି ରଖିବା ପାଇଁ ମାଟିର ଚଟାଣ ନ ଥିଲା ସେଠାରେ । ଶ୍ରୀକାନ୍ତ ୟା ପରେ ଅଧିକ କ’ଣ କରିପାରିଥାନ୍ତା ? ଚାବି, ଆଲାର୍ମ ଇତ୍ୟାଦି ଦିଆଯାଉଥିବା ଚାରୋଟି ନବ୍ ସେମାନଙ୍କର ସ୍ଥାନ ଫେରି ପାଇଲେ । ପିଠିଟି କୌଣସି ମତେ ଝୁଲି ରହିଲା ।

 

ଶ୍ରୀକାନ୍ତ ଚାହିଁଲା ଘଡ଼ି ମୁହଁକୁ । ମ୍ରିୟମାଣ ଓ ଦୁଃଖୀ ଜଣାପଡ଼ୁଥିବା ମଲାମୁହଁ ଉପରେ କୌଣସି ଚଞ୍ଚଳତା ନାହିଁ । ସେ ବିସ୍ମୃତ ହୋଇ ଯାଇଥିଲା ସମସ୍ତ କର୍ତ୍ତବ୍ୟ । ସମୟ ସହିତ ତା’ର ଅନ୍ତରଙ୍ଗତା ଛିନ୍ନ ହୋଇ ଯାଇଥିଲା । ଘଡ଼ିଟିକୁ ଶ୍ରୀକାନ୍ତ ରଖିଦେଲା ଯଥାସ୍ଥାନରେ । ସାମନାରେ କିଛି ସମୟ ଠିଆହୋଇ ରହିଲା ଟିକ୍ ଟିକ୍ ଶବ୍ଦକୁ ଅପେକ୍ଷା କରି ।

ପ୍ରଥମଥର ପାଇଁ ବାପାଙ୍କ ଶୋଇବା ଘରଟା ଅଦ୍ଭୁତ ଭାବେ ନିର୍ଜନ ଓ ବିପଦସଙ୍କୁଳ ଜଣାପଡ଼ିଲା । ଘଡ଼ିର ଲାସ ଚାହିଁ ରହିଥିଲା ତାକୁ ଏବଂ ତା’ର ଅପକର୍ମ ମୁକ୍ତ କଣ୍ଠରେ ପ୍ରଚାର କରିବାକୁ ସଙ୍କଳ୍ପବଦ୍ଧ ଥିଲା । କୋଠରୀର ନିର୍ଜନତା ଓ ନିସ୍ତବ୍‌ଧତା ଭିତରେ ଗୁଞ୍ଜରିତ ହେଉଥିଲା ଟିକ୍ ଟିକ୍ ଧ୍ୱନି, ଗୋଟାଏ ଅଶରୀରିର ଭାଷା ଭଳି । ଶ୍ରୀକାନ୍ତ ଚଟାଣ ଉପରକୁ ଚାହିଁଲା ଏବଂ ଉଠାଇ ଆଣିଲା ଖୁନ୍‌ର ପ୍ରମାଣ ସ୍କ୍ରୁ-ଡ୍ରାଇଭର ଓ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକୁ । ସେମାନଙ୍କୁ ଭଲକରି ଦେଖିଲା, ହତିଆର ଉପରେ ଲାଗିଥିବା ଶୁଖିଲା ରକ୍ତକୁ ଆତତାୟୀ ଜଣେ ଦେଖିବା ଭଳି-

କବାଟ ଖୋଲି ପଦାକୁ ଚାଲି ଆସିଲା ଏବଂ ଅନୁଭବ କଲା ଯେ, ତା’ର ତଣ୍ଟି ବାଷ୍ପରୁଦ୍ଧ ହୋଇଯାଉଚି । ଘଡ଼ିର ପ୍ରାଣନାଶ କରିଥିବାରୁ ବାପା ଏବଂ ସ୍କୁଲ ଶିକ୍ଷକଙ୍କଠାରୁ ଗାଳିମାଡ଼ ସହିବାକୁ ପଡ଼ିପାରେ–ଏଇ କଥା ତା’କୁ ଯେତିକି ବିଚଳିତ କରୁନଥିଲା, ଘଡ଼ିକୁ ବିନା କାରଣରେ ଜଖମ କରିଦେଇଥିବା କଥାଟି ତାକୁ ଅସ୍ତବ୍ୟସ୍ତ କଲା ତୀବ୍ର ଭାବରେ । ସେ କିଛି ସମୟ ବୁଲାବୁଲି କଲା ଏଣେତେଣେ । କେଉଁଠି ବସି କାନ୍ଦି ପକେଇବାକୁ ଇଚ୍ଛା କଲା । ପକେଟରେ ଥିବା ହତିଆରଗୁଡ଼ିକ ଉଚ୍ଚସ୍ୱରରେ ଚିତ୍କାର କରି ଘୋଷଣା କରୁଥିଲେ ସମସ୍ତଙ୍କ ଅଲକ୍ଷ୍ୟରେ ସେ କରି ପକେଇଥିବା ଅପରାଧକୁ । ସେଗୁଡ଼ିକୁ ବାହାରକଲା ପକେଟରୁ । ବାଡ଼ମୂଳେ ପକାଇଦେଲା ସେଗୁଡ଼ିକୁ । ମାଟିର ପରସ୍ତ ଢାଙ୍କି ଦେଲା ସେମାନଙ୍କ ଉପରେ ।

ଘଣ୍ଟେ, ଦୁଇଘଣ୍ଟା ପରେ ଖୁବ୍ ଆଶାୟୀ ହୋଇ ସେ ବାପାଙ୍କ ଶୋଇବାଘରେ ପଶିଲା । କିନ୍ତୁ କାହିଁ ? ଘଡ଼ିଟା ଆଗ ଭଳି ନୀରବ । କଣ୍ଟା ଦୁଇଟି ସ୍ଥାଣୁ । ସେ ଆଶା କରିଥିଲା, ତାକୁ ଚମତ୍କାର କରି ଘଡ଼ିଟି କାମ କରିବା ଆରମ୍ଭ କରିଥିବ ଏବଂ ତା’ର କୌଶଳ ଓ ବୁଦ୍ଧିଠାରୁ ଯଥେଷ୍ଟ ବଡ଼ ବୋଲି ପ୍ରମାଣ କରିଦେବ । ସେ କୃତଜ୍ଞତାର ସହିତ ସ୍ୱୀକାର କରିଯିବ ଏଇ କଥା ଏବଂ ନିଜ ଅପରାଧୀ ମନକୁ ଆଶ୍ୱାସନା ଦେବ ।

ଅସ୍ଥିର ଓ ଉତ୍କଣ୍ଟିତ ମନ ନେଇ ସେ ଅପେକ୍ଷା କଲା । ଦୁଇଦିନ ପରେ ବାପା ଫେରିଲେ-। ମାତ୍ର ସେଦିନ କିଛି କହିଲେ ନାହିଁ ତାକୁ । ଦିନେ ଗଲା, ଦୁଇଦିନ ଗଲା । ଦିନ ଗଡ଼ିଚାଲିଲା-ଅଥଚ ତାକୁ ପାଖକୁ ଡାକି ସେ ପଚାରିଲେ ନାହିଁ ଘଡ଼ିକୁ ଏଭଳି କରିଦେବାର କାରଣ । ଭର୍ତ୍ସନା କରିବା ତ ଦୂରର କଥା, କେହି ତାକୁ ଏ ବିଷୟରେ କିଛି ପଚାରିଲେ ନାହିଁ ।

ଗୋଟାଏ ବିଷାଦ ଓ ବିମର୍ଷ ଭାବ ଗୁଡ଼େଇ ହୋଇଗଲା ତା’ର ମନ ଓ ଚେତନା ଉପରେ । କିଛି ଗୋଟାଏ ଓଜନିଆ ଯନ୍ତ୍ରଣାଦାୟକ ଜିନିଷ ତାକୁ ଜାବୁଡ଼ି ଧରିଥିଲା ଏବଂ ସମସ୍ତ ଚେଷ୍ଟା ସତ୍ତ୍ୱେ ସେ ହସିପାରୁ ନ ଥିଲା, ଖେଳି ପାରୁ ନ ଥିଲା । ନିଜକୁ ସହ୍ୟ କରିବା କଷ୍ଟକର ହୋଇ ପଡ଼ୁଥିଲା ତା’ପାଇଁ । –‘‘ଘଡ଼ିଟିକୁ ମରାମତି କରିବା, ବାପା !’’ସେ ପ୍ରସ୍ତାବ ଦେଲା ଅନେକ ଦିନ ପରେ ଏବଂ ଅନୁଭବ କଲା, ଏଇ ପ୍ରସ୍ତାବ ଭିତରେ ଲୁଚି ରହିଚି ଅନେକ ଦୁଃଖ, ଅନେକ ପରାଜୟ । ଅଥଚ ସେ ଯଥେଷ୍ଟ ହାଲୁକା ଅନୁଭବ କଲା ।

ବାପା ଖବର କାଗଜ ପଢ଼ୁଥିଲେ ସେତେବେଳେ । ତାକୁ ମୁହୂର୍ତ୍ତକ ପାଇଁ ଦେଖି ପୁଣି ପଢ଼ିବାରେ ମନ ଦେଲେ । ଅନେକ ସମୟ ପରେ କହିଲେ–‘‘କାହିଁକି ମରାମତ କରିବା ? ଘଡ଼ି ନ ଥିଲେ ଘରେ କଣ କିଛି ଅସୁବିଧା ହୁଏ ?’’

ଘରେ ସମ୍ପର୍କରେ ଆଉ କୌଣସି କଥାବାର୍ତ୍ତା ହୋଇନି । କେଉଁଦିନ ବାପାଙ୍କ ଶୋଇବା ଘର ଠଣାରୁ ଏହାକୁ ସ୍ଥାନାନ୍ତରିତ କରାଗଲା, ସେକଥା ଶ୍ରୀକାନ୍ତର ମନେ ନାହିଁ । ବହୁ ବର୍ଷ ପରେ ଆଜି ସେ ଏହାକୁ ଦେଖୁଚି ବାଲ୍‌ଟି ଭିତରେ ଆହୁରି ଅନେକ ଜଙ୍କ୍‍ଗ୍ରସ୍ତ ଜିନିଷ ସହିତ ।

ଶ୍ରୀକାନ୍ତ ଉଠି ଆସିଲା ସେଠାରୁ । ଭାଡ଼ି ଭଙ୍ଗା ସରିଯାଇଚି । ଏଥିପାଇଁ ବ୍ୟବହୃତ ହୋଇଥିବା ପଟା, ମୋଟା ଖୁଣ୍ଟ, ବିମ୍ ଗୁଡ଼ିକ ଗୋଟାଏ ବିଶୃଙ୍ଖଳ ଗଦାରେ ଠୁଳ ହୋଇଛନ୍ତି । କିଏ ଥିଲେ କେଉଁ ଜାଗାରେ ? ଶ୍ରୀକାନ୍ତ ଠିକ୍ କରି ପାରିଲାନି । ଘରଟା ଦିଶୁଚି ଅନ୍ତଃସାରଶୂନ୍ୟ, ଭୋକିଲା–ଗୋଟିଏ ଘଡ଼ିର ଖୋଳପା ଭଳି; ଆଉ ଏମାନେ ସବୁ ଜଣାଯାଉଥିଲେ ଭିତରର ଚକ ଭଳି, କଣ୍ଟା ଆଉ ଲମ୍ୱା ପାତ ଭଳି । ଶ୍ରୀକାନ୍ତ ଚାହିଁଲା ନିର୍ବାକ ହୋଇ । ଏ ସବୁକୁ କ’ଣ ପୁଣି ଥରେ ଖଞ୍ଜି ଦେଇହେବ ?

 

କାହାକୁ ସେ ପଚାରିବ ଏ ଘଡ଼ିର ମରାମତି କରିବା ବୋଲି ! ପୂର୍ବପୁରୁଷ ଅର୍ଜିତ ସମସ୍ତ ଦରବ ସେ ଭାଙ୍ଗିଚାଲିଛି ମରାମତି କଥା ଚିନ୍ତା ନ କରି ।

 

ଶ୍ରୀକାନ୍ତକୁ ଜଣାପଡ଼ୁଥିଲା ସେ ଯେମିତି ଗୋଟାଏ ଅଖଞ୍ଜ ଘଡ଼ି ହୋଇ ଯାଉଚି, ତା ଭିତରର ଚକ ଓ ନଟ୍‌ଗୁଡ଼ିକ ବିଧ୍ୱସ୍ତ ହୋଇ ଯାଇଛନ୍ତି କାହିଁ କେତେ ଦିନୁ । ମରାମତିର ଅପେକ୍ଷା କରୁ କରୁ ସେ ଜଙ୍କ ଦ୍ୱାରା ଆକ୍ରାନ୍ତ ହୋଇଯିବ ଏବଂ ଅଚେତନ ହୋଇ କେଉଁ ବାଲ୍‌ଟି ଭିତରେ କେଜାଣି ହାମୂଡ଼େଇ ହୋଇ ପଡ଼ିରହିବ କୌଣସି ଭାଡ଼ି ତଳେ ।

 

ପିଲାଦିନ ଭଳି ସେ ଆଉ ଚଳଚଞ୍ଚଳ ହୋଇପାରୁନି, ଅନୁସନ୍ଧିତ୍ସା ନାହିଁ । ଏ ସଂସାରକୁ ବୁଝିବା ପାଇଁ, ଜାଣିବା ପାଇଁ ତା’ର କୌଣସି ଜିଜ୍ଞାସା ନାହିଁ । ତା’ସାଇକେଲର ଗତି ନାହିଁ । ତା’ଦୃଷ୍ଟି କତରା ଚାଳ ଡେଇଁ ଉଠିପାରେ ନି ଉପରକୁ । ତା’ ପାଦ ଥକିଯାଆନ୍ତି ଘରର ସୀମା ଟପିବା ପରେ । ଶଙ୍ଖ-ହୁଳହୁଳି ଶବ୍ଦ ଶୁଣିବ, କଳସ ସାମନାରେ ମା’ ଜୁହାର କରୁଥିବାର ଦେଖିବ, ଚଷମା ଲଗାଇ ବାପା ଖବରକାଗଜ ପଢ଼ୁଥିବାର ଦେଖିବ, ଆଲାର୍ମ ଶୁଣିବ—କାହିଁ ? ସମୟ ଗଡ଼ିଯାଉଚି, ସବୁ ଜିନିଷ ଜଙ୍କ ଧରା, ଆବର୍ଜନା ହୋଇଯିବା ସତ୍ତ୍ୱେ । ମନ ଖୋଜୁଥିବା ଏଇ ଶବ୍ଦ, ଏଇ ଦୃଶ୍ୟ ଆଉ ଫେରୁନି । ଜମା ଫେରୁନି । ମନେପକାଇବାକୁ ଚେଷ୍ଟା କଲେ, ସବୁ କୁହୁଡ଼ିଢଙ୍କା ଜଣାପଡ଼େ । ସବୁ ଜିନିଷ ବହୁତ ଦୂରରେ ଥିବାଭଳି ଜଣାପଡ଼େ । ହାତ ପାଏ ନାହିଁ ।

 

ତା’ ହାତକୁ କେହି ଜଣେ ସହଜ ତାର ଖଣ୍ଡିଏ ବଢ଼େଇ ଦେଇପାରିବ ? ତୁମକୁ ବିସ୍ମୟବିମୂଢ଼ କରିଦେଇ ସେ ଖୋଲିପକାନ୍ତା ସମସ୍ତ ତାଲା ଗୋଟିକ ପରେ ଗୋଟିଏ । ତୁମେ ଜାଣିନ, ସେ ସାଇକେଲ ଚଳେଇ ପାରନ୍ତା ମନର ଗତି ଭଳି । ସ୍କ୍ରୁ-ଡ୍ରାଇଭର ଦ୍ୱାରା ସେ ଖୋଲି ଦିଅନ୍ତା ସବୁ ନିବୁଜ ଘଡ଼ିର ରହସ୍ୟ । କୁଆଡ଼େ ଗଲା ତାର ଖଣ୍ଡିକ, ତା’ ସାଇକେଲ, ତା’ ହାତର ସ୍କ୍ରୁ-ଡ୍ରାଇଭର ?

 

ଶ୍ରୀକାନ୍ତ ଚାହୁଁଥିଲା କାନ୍ଦି ପକେଇବା ପାଇଁ । ଚିତ୍କାର କରି କାନ୍ଦିବାକୁ ଚେଷ୍ଟାକଲା ସେ-। ଅଥଚ ସ୍ତବ୍‌ଧ ଘଡ଼ିର ଡାଏଲ ଭଳି ତା’ର ଆଖି ଥିଲା ନିର୍ବାକ ଓ ଅନୁଭୂତିହୀନ-

 

ଦେଖ, କ’ଣ କରୁଚି ସେ ! ପିନ୍ଧିଥିବା ଲୁଗାକୁଞ୍ଚରେ ସେ ପୋଛୁଚି ସେ’ଦିନ ଘଡ଼ିର ଜଙ୍କଲଗା ଦେହ, ଅନେକ ସ୍ନେହ ଓ ଆବେଗର ସହିତ ।

Image

 

ଟ୍ରାଫିକ୍ ପୋଲିସ୍

 

ସନାତନ ଓରଫ ସନାର ସବୁଠାରୁ ବଡ଼ ଅସୁବିଧାଟି ହେଉଚି, ସେ ନିଜକୁ ନେଇ କେବେହେଲେ ହସି ପାରି ନାଇଁ । ଉଦାହରଣ ସ୍ୱରୂପ, ତା’ର ଡାହାଣ କାନର କ୍ଷୁଦ୍ରତାକୁ ନେଇ ତା’ର ସାଙ୍ଗମାନେ ମନ୍ତବ୍ୟ ବାଢ଼ିଲେ ସେ କେବଳ ଯେ ଗମ୍ଭୀର ହୋଇଯାଏ ତା’ ନୁହେଁ; ରାଗିଯାଏ ଏବଂ ଚିଡ଼ଉ ଥିବା ଲୋକଟି ଯଦି ଶାରୀରିକ ଦୃଷ୍ଟି କୋଣରୁ ଦୁର୍ବଳ ହୋଇଥାଏ, ତାକୁ ମାଡ଼ ମଧ୍ୟ ଦିଏ । ତା’ର କଥା କହିବା, ହସିବା, ଚାଲିବା ଭଙ୍ଗୀ ଆଦୌ ହାସ୍ୟାସ୍ପଦ ନ ଥିଲା; ମାତ୍ର ଏ ସବୁକୁ କେନ୍ଦ୍ର କରି କେହି ଟିପ୍‌ପଣୀ ବାଢ଼ିଲେ ସେ ଭାବେ ଯେ ସେ ହୁଏତ ଏକ ସୃଷ୍ଟିଛଡ଼ା ଜୀବ । ବିଧାତା ତାକୁ ଭ୍ରମାତ୍ମକ ଭାବେ ଗଢ଼ିଚି ଅନ୍ୟମାନଙ୍କୁ ଆମୋଦିତ କରିବା ପାଇଁ ।

 

ତା’ ପାଖରେ ଦୁଇ ଜଣ ଲୋକ ନିମ୍ନ ସ୍ୱରରେ କଥାବାର୍ତ୍ତା ହେଉଥିଲେ ସେ ଆତ୍ମସଚେତନ ହୋଇଯାଏ । ଭାବେ ତା’ କାନ କିମ୍ୱା ତା’ ଦେହର କଳା ମଚ ମଚ ରଙ୍ଗ ଅଥବା ତା’ର ବାହାଡ଼ା ଦାନ୍ତ ସେମାନଙ୍କର କଥୋପକଥନର ବିଷୟବସ୍ତୁ ହୋଇଥିବ । କେହି ଯଦି ତାକୁ ଦେଖି ହସ ହସ ମୁହଁରେ ତା’ ପାଖକୁ ଆସିବାକୁ ଚାହେଁ, ତେବେ ସେ ଏକ ନିରାପଦ ଦୂରତାରେ ଠିଆ ହେବା ଉଚିତ । କାହିଁକି ନା, ସେ ନିଶ୍ଚୟ ଭାବିବ ଯେ, ସେ ତାକୁ ଉପହାସ କରୁଚି; ତେଣୁ ତା’ଠାରୁ ଶାସ୍ତି ପାଇବା ତା’ର ଏକାନ୍ତ ଭାବେ ପ୍ରାପ୍ୟ । ସନାର ଏଇ ଦୁର୍ବଳତାଟି ଅନ୍ୟ ପୋଲିସ୍‌ମାନେ ଜାଣି ଯିବା ପରେ ତା’ର ଜୀବନ ବେଶ୍ ଦୁର୍ବିସହ ହୋଇପଡ଼ିଲା; କାରଣ ତାକୁ କାରଣ-ଆକାରଣରେ ଉପହାସ କରି ମଜା ଦେଖିବା ଏକ ସଂଘବଦ୍ଧ ଓ ଦୈନନ୍ଦିନ ବ୍ୟାପାର ହୋଇପଡ଼ିଲା ।

 

ଏଥିପାଇଁ ତାକୁ ଜଣା ପଡ଼େ, ଏ ପୃଥିବୀ ବିଦ୍ରୂପମୟ । ଏଠାରେ ସମ୍ୱେଦନଶୀଳତା ନାଇଁ; ଅଛି କେବଳ ନିର୍ମମ ବ୍ୟଙ୍ଗ । ଏ ବ୍ୟଙ୍ଗ ପୁଣି ଏମିତି ଯେ, ଏହାର ଶିକାର ହେଉଥିବା ବିଚରା ମଣିଷଟି ବିଧାତାଙ୍କ ବିରୁଦ୍ଧରେ ବିଦ୍ରୋହୀ ହୋଇପଡ଼େ । ତାକୁ ଚେତେଇ ଦିଏ ଯେ, ତା’ ବ୍ୟତୀତ ସୃଷ୍ଟିର ଅନ୍ୟ ସବୁ ପରିମାର୍ଜିତ ଓ ରୁଚିପୂର୍ଣ୍ଣ । ତାକୁ ହିଁ ସୃଷ୍ଟି କଲାବେଳେ ବିଧାତା ଅନ୍ୟମନସ୍କ ହୋଇପଡ଼ିଥିଲେ ଏବଂ ତା’ଠାରେ ତ୍ରୁଟି ରହିଗଲା । ତା’ଠାରେ ପୂର୍ଣ୍ଣାଙ୍ଗତା ନାଇଁ । ଅସଂପୂର୍ଣ୍ଣତା ଓ ତ୍ରୁଟିପୂର୍ଣ୍ଣତାକୁ ଆବୋରି ନେଇ ସଂସାର ଭିତରେ ବଞ୍ଚି ରହିବାକୁ ପଡ଼ିବ ଓ ଅନ୍ୟର ଥଟ୍ଟା ପରିହାସ ସହିବାକୁ ହେବ ।

 

ସନାକୁ ଏକୁଟିଆ, ନିଃସଙ୍ଗ କରିଦେବା ପାଇଁ ଏହାଠାରୁ ବେଶି ବଳିଷ୍ଠ ଯୁକ୍ତି ଆଉ କ’ଣ ଥାଇପାରେ ? ଏକ ଅସନ୍ତୁଷ୍ଟ, କ୍ଷୁବ୍ଧ ମନ ନେଇ ସେ ଅଥର୍ବ ଅଭିଶାପ ବର୍ଷଣ କରେ ତା’ର ସ୍ୱର୍ଗୀୟ ବାପା-ମା’ଙ୍କ ଉପରେ, ଭଗବାନଙ୍କ ଉପରେ ଏବଂ ପରିଚିତ ସବୁ ମଣିଷଙ୍କ ଉପରେ । ମାତ୍ର କପାଳ ଲିଖନକୁ ତଥା ତାକୁ ବିଦ୍ରୂପ କରୁଥିବା ମଣିଷମାନଙ୍କର ଆଚରଣକୁ ସଂଶୋଧନ କରାଯାଇ ପାରିବ ନାହିଁ ବୋଲି ଭାବିବା କ୍ଷଣି ସେ ଯନ୍ତ୍ରଣାଦଗ୍‌ଧ ଆତୁରତାରେ ମନ୍ଥି ହୋଇଯାଏ । ତା’ର ଛ’ଫୁଟ ଉଚ୍ଚର ବଳିଷ୍ଠ ଦେହ କଣ୍ଟକିତ ହୋଇଯାଏ, ଗୋଟାଏ ଚାପା ପ୍ରତିବାଦରେ ସେ ଅସ୍ଥିର ହୋଇ ପଡ଼େ । ପୋଲିସ୍ ଚାକିରିରେ ମୁତୟନ ହେବାର ଦିନ କେଇଟା ଭିତରେ ଏଇ ତା’ର ଅବସ୍ଥା-

 

ଅଥଚ ଏତେ ବଡ଼ ସହରରେ ଚାକିରି କରିବା କଥା ଭାବି ସେ କ’ଣ କମ୍ ସ୍ୱପ୍ନ ଦେଖିଥିଲା ? ନିଜ ଭିତରେ ସେ ଯେମିତି ବନି ଯାଇଥିଲା ଜଣେ ସମ୍ରାଟ । ଗୋଟାଏ ଉତ୍ତେଜନା ଓ ଉତ୍ସାହରେ ସେ ବିହ୍ୱଳିତ ହୋଇ ପଡ଼ିଥିଲା । ତା’ସହିତ ସେ କୃତଜ୍ଞ ହୋଇଥିଲା ଏଇଥି ପାଇଁ ଯେ, ତା’ ଭଳି ମଣିଷକୁ ମର୍ଯ୍ୟାଦାବନ୍ତ ଓ ଆତ୍ମବିଶ୍ୱାସୀ କରିବା ସକାଶେ ତା’ର ନିର୍ମାତା ତାକୁ ତ୍ରୁଟିପୂର୍ଣ୍ଣ କରି ଗଢ଼ିବା ପରେ ଅନୁତପ୍ତ ହୋଇ ଏଭଳି ଚାକିରିର ବ୍ୟବସ୍ଥା କରି ଦେଇଚନ୍ତି । ଏଇ ଭଳି କେତେ ସମ୍ଭାବନା ଓ କଳ୍ପନାକୁ ନେଇ ଆସିଥିବା ସନା ସହର ଭିତରେ ନିର୍ଯ୍ୟାଚିତ ଓ ନିର୍ବାସିତ ଜୀବନ ଆରମ୍ଭ କରି ଦେଇ ଭାବିଲା, ସେ ପ୍ରକୃତରେ ଭାରି ଦୁଃଖୀ, ହତଭାଗା ।

 

ଡିଉଟି ଆରମ୍ଭ ହୁଏ ଦିନ ନ’ଟା ବେଳେ । ସହରର ଏକ ଅବହେଳିତ ଛକରେ ତିଆରି ହୋଇଥିବା ଛୋଟ, ଗୋଲାକାର ପେଣ୍ଡାଲ ଉପରେ ଠିଆ ହୁଏ ଧଳା ୟୁନିଫର୍ମ ପିନ୍ଧି । ମୋଟା ବେଲ୍‌ଟର ଖୋପରେ ଖଞ୍ଜା ଯାଇଥାଏ ଛତା—କଳାରଙ୍ଗର ତାରମାନଙ୍କର କଙ୍କାଳକୁ ଘୋଡ଼େଇ ଥିବା ଧଳା କନାର ଛତା । ଦୁଇଟି ଗୋଲାକାର ଟିଣ ଫଳକରେ ଲେଖା ଯାଇଥାଏ–‘ଷ୍ଟପ୍’ । ଇଂରାଜୀରେ ଏଇ କେତୋଟି ଅକ୍ଷରକୁ ନେଇ ଲେଖାଯାଇଚି ଏଇ ଆଦେଶ । ସମସ୍ତଙ୍କ ପ୍ରତି ଏ ଆଦେଶ ସମାନ—ରିକ୍‌ସାବାଲା ପ୍ରତି ଯେତିକି, ଷ୍ଟାଣ୍ଡାର୍ଡ଼ କାର ଡ଼୍ରାଇଭିଂ କରି ବ୍ୟାକୁଳ ମନ ନେଇ ପ୍ରେମିକର ଘରକୁ ଯାଉଥିବା ପ୍ରେମିକା ପ୍ରତି ସେତିକି । ଏଇ ଆଦେଶ ଫଳକ ଦୁଇଟି ମଣ୍ଡନ କରେ ତା’ର ଦୁଇହାତକୁ ମୁକୁଟ ଭଳି ।

 

ଚାକିରି ଆରମ୍ଭରେ ସେ ନର୍ଭସ ହୋଇ ଯାଇଥିଲା, ବହୁତ ଅଡ଼ୁଆ ଲାଗୁଥିଲା ତାକୁ । ତା’ଭଳି ଗୋଟାଏ ଭ୍ରମାତ୍ମକ ମଣିଷ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ଠିଆହେବ ଛକ ଉପରେ; ପୁଣି ଠିଆହୁଅ ବୋଲି ନୋଟିସ୍ ଦେଖେଇ ଦେବ ନିର୍ଦ୍ଦିଷ୍ଟ ଦିଗରୁ ଆସୁଥିବା ଗତିଶୀଳ ଗାଡ଼ିମାନଙ୍କୁ ଏବଂ ଆର ହାତକୁ ଭୂମି ସହିତ ସମାନ୍ତରାଳ ରଖି ଅନ୍ୟ ଦିଗରୁ ଆସୁଥିବା ଗାଡ଼ିମାନଙ୍କୁ ଯାଅ ବୋଲି ନିର୍ଦ୍ଦେଶ ଦେବ । ବ୍ୟଙ୍ଗ-ପରିହାସର ଶରବ୍ୟ ହେଉଥିବା ତା’ଭଳି ମଣିଷକୁ କିଏ କାହିଁକି ଖାତିର କରିବ ? ପୁଣି ଗାଡ଼ି ବ୍ୟବହାର କରୁଥିବା ଶିକ୍ଷିତ, ଧନୀ, କ୍ଷମତାଶୀଳ ଲୋକଙ୍କୁ ସେ କିମିତି ଆଦେଶ ଦେବ ଠିଆ ହୋଇ ରୁହ କିମ୍ୱା ଯାଅ ବୋଲି ?

 

ମାତ୍ର ଯେଉଁଦିନ ପ୍ରଥମଥର ପାଇଁ ସେ ଠିଆହେଲା ଛକ ଉପରେ, ସେଦିନ ତାକୁ ଅବାକ୍‌କରି ଦେଇ ଚକ୍ ଚକ୍ କାରଟିଏ ସମସ୍ତ ଆଜ୍ଞାବହତାର ସହିତ ଅଟକି ଯାଇଥିଲା ତା’ଠାରୁ ବନ୍ଦକର ବୋଲି ସୂଚନା ପାଇବା କ୍ଷଣି । ସେ ଆଦୌ ବିଚଳିତ କିମ୍ୱା କ୍ଷୁଣ୍ଣ ହୋଇ ନଥାନ୍ତା ଯଦି ତା’ନିର୍ଦ୍ଦେଶକୁ ଅମାନ୍ୟକରି ଗାଡ଼ିଟି ବ୍ୟସ୍ତ ହୋଇ ପଳେଇ ଯାଇଥାନ୍ତା କିମ୍ୱା ଗାଡ଼ିର ଚାଳକ ବିରକ୍ତିର ସହିତ ଗାଡ଼ିରୁ ଓହ୍ଳାଇ ଆସି ତାଙ୍କର ଜରୁରୀ ଗତିଶୀଳତାକୁ ବ୍ୟାହତ କରିଥିବାରୁ ତାକୁ ଦୁଇ-ଚାରିପଦ ଶୁଣେଇଥାନ୍ତେ । ସେମିତି କିଛି ଘଟିଲା ନାହିଁ; ବରଂ ତା’ର ହାତ ଚାଳନାକୁ ସତର୍କତାର ସହିତ ସମସ୍ତେ ଲକ୍ଷ୍ୟ କରନ୍ତି ଏବଂ ଛକ ଟପିବା ସକାଶେ ତାହା ହିଁ ଏକମାତ୍ର, ଅଲଂଘନୀୟ ମନ୍ତ୍ର ବୋଲି ସୂଚନା ଦିଅନ୍ତି ।

 

ସନା ଠିଆହୁଏ ଗୋଟାଏ ଗଣ୍ଡଗୋଳିଆ ମନଇଚ୍ଛା ଗତିଶୀଳତାକୁ ନିୟନ୍ତ୍ରଣ କରି ଶୃଙ୍ଖଳିତ, ବିପଦମୁକ୍ତ ଧାରାଟିଏ ସୃଷ୍ଟି କରିବାର ପ୍ରତୀକ ହୋଇ । ହାତର କେତୋଟି ଭଙ୍ଗୀ ହିଁ ଯଥେଷ୍ଟ । ସେଇ କେତୋଟି ଭଙ୍ଗୀ ଛକ ଉପରର ସମ୍ଭାବ୍ୟ ବିପର୍ଯ୍ୟୟମାନଙ୍କୁ ଏଡ଼େଇ ଦେଇପାରେ । ଗୋଟାଏ ସତର୍କତା ସୃଷ୍ଟି କରେ ।

 

ମାତ୍ର କେଉଁ ଗାଡ଼ି କେଉଁ ସୁଖ–ଦୁଃଖର ବାଟ ଦେଇ ଯାଉଚି କେଉଁ ଆଡ଼େ, ତାହା ସେ ଜାଣନ୍ତା ବା କିପରି ? ତା’ର ନିଜସ୍ୱ ଇଲାକାରେ ସେ ଗାଡ଼ିମାନଙ୍କୁ କମାଣ୍ଡ ଦିଏ ଯଥାର୍ଥ କାରଣ ଯୋଗୁଁ; ଅଥଚ ଗାଡ଼ିରେ ଥିବା ଆରୋହୀମାନଙ୍କର ମନର ଭାଷା କେମିତି ବୁଝିବ ତା’ ହାତର କେତୋଟି ଜଣାଶୁଣା ଭଙ୍ଗୀ ? କମାଣ୍ଡ ଦେଉଥିବା ସର୍ଜେଣ୍ଟ ଜଣକ କେବେ କ’ଣ ଅଭ୍ୟସ୍ତ ଚିତ୍କାରର ଚଷମାରେ ପଢ଼ିଦେଇପାରିବ ସାମନାରେ ଠିଆହୋଇଥିବା ପୋଲିସ୍‌ମାନଙ୍କର ମନର ଅକ୍ଷର ?

 

ତେବେ ସନାକୁ ଦେଖି ଭାବିବା ସ୍ୱାଭାବିକ ଯେ ଜୀବନର ଛକ ଉପରେ ଏଇମିତି ଟ୍ରାଫିକ୍ ପୋଲିସ୍ ଜଣେ ଠିଆହୋଇ ଥାଆନ୍ତା କି ! ବୋଧହୁଏ ବିପର୍ଯ୍ୟୟ ଆଉ ଘଟାନ୍ତା ନାଇଁ । କାମନା ଓ ଇଚ୍ଛାମାନେ ଆଜ୍ଞାଧିନ ଗାଡ଼ିଭଳି ସାବଲିଳ ହୋଇ ଯାଅନ୍ତେ ଏବଂ ସେମାନଙ୍କର ଶୃଙ୍ଖଳିତ ଗତି ଜୀବନକୁ ଦିଅନ୍ତା ଏକ ମାର୍ଜିତ ପରିପାଟି ।

 

ଏସବୁ କରିବା ପାଇଁ ସନା ଉଦ୍ଦିଷ୍ଟ ନୁହେଁ । ସମ୍ଭବତଃ ଏସବୁ କେବେ ଭାବି ନାଇଁ ସେ । ଛକ ଉପରେ ଠିଆ ହୋଇ ସେ ଗର୍ବିତ ହୋଇ ଥିଲା ଏଇଥିପାଇଁ ଯେ, ସେ ଯାନବାହାନ ଚଳାଚଳ ବ୍ୟାପାରରେ ସଂପୂର୍ଣ୍ଣ ନିରପେକ୍ଷ । ପାତର ଅନ୍ତରର କୌଣସି ପ୍ରଶ୍ନ ନାଇଁ ସେଠାରେ ।

 

ଗାଡ଼ି ଶବ୍ଦ ଯେତେବେଳେ ଶୁଭେ ନାଇଁ, ସହରର ଛକଟି ଯେତେବେଳେ ଧଇଁ ସଇଁ ହୋଇ ସମାୟିକ ବିଶ୍ରାମ ନେଉଥାଏ, ସନା ପାପୁଲିରେ ମୁହଁର ଝାଳ ପୋଛି ଚାହେଁ ଚାରିଆଡ଼କୁ । ଗୋଲାକାର, ଛୋଟ ପେଣ୍ଡାଲକୁ ଦେଖେ, ସେଠାରେ ବାନ୍ଧି ହୋଇ ପଡ଼ିଥିବା ଗୋଡ଼ ଦୁଇଟିର ଅର୍ତ୍ତନାଦ ଶୁଣେ । ଭାବେ, ଦଣ୍ଡକ ପାଇଁ କେଉଁଠି ଯାଇ ବସନ୍ତା, କପେ ଚା’ପିଇ ଗାମୁଛା ଧରି ବିଞ୍ଚି ହୁଅନ୍ତା । ମାତ୍ର କେହି ଜଣେ ସତେ ଯେମିତି କୁହୁକ ବଳରେ ତାକୁ ସେଠାରେ ବନ୍ଦୀ କରି ରଖିଚି । ଏଇ କଥା ଭାବି ସେ ବେଳେବେଳେ ବ୍ୟସ୍ତ ହୁଏ, ଉତ୍ତେଜନାରେ ଥରେ । ତା’ର ଭାବନା, ମନର ପ୍ରତିବାଦ ଅନିୟନ୍ତ୍ରିତ ଓ ଉଚ୍ଛୃଙ୍ଖଳ ହୋଇ ପଡ଼େ । କୌଣସି ଟ୍ରାଫିକ ପୋଲିସ୍‌ର ହୁଇସିଲ୍‌ ସେଠାକୁ ଶୁଭେ ନାହିଁ । ନିଜ ଭିତରେ ସେ ଅସହାୟ ହୋଇଯାଏ । ‘ବନ୍ଦ କର, ଯାଅ’ ଲେଖା ଯାଇଥିବା ଗୋଲାକାର ଟିଣ ଫଳକ ଏବଂ ହାତର ଭଙ୍ଗୀ ରୂପାନ୍ତରିତ ହୋଇଯା’ନ୍ତି ଗୋଟିଏ ମିଛ ଚାବି କାଠିରେ; ଯାହା ତା’ର ବ୍ୟକ୍ତିଗତ ଜୀବନର ସମସ୍ୟାର ତାଲା ଖୋଲିବାରେ ଅସଫଳ ହୁଏ ।

 

ସାଙ୍ଗହୋଇ ଡିଉଟି କରୁଥିବା ବନୁ ଆଡ଼େ ଚାହେଁ ସନା । ତା’ ଦେହରେ ମଧ୍ୟ ଧଳା ୟୁନିଫର୍ମ, ପକେଟରେ ହୁଇସିଲ । ସେ ପାଖରେ ଠିଆହୋଇ ଥାଏ; କିମ୍ୱା ପରିଚିତ ପାନ ଦୋକାନ ଛାଇରେ ବିଡ଼ି ଟାଣୁଥାଏ । ସନାର ‘’ଠିଆ ହୁଅ, ଯାଅ’ ସଙ୍କେତ ସତ୍ତ୍ୱେ ଯାନବାହନଙ୍କର କେବେ କିମିତି ତ୍ରୁଟି ରହିଯାଏ; ଯେପରିକି ଚାରି-ପାଞ୍ଚଟି ରିକ୍‌ସା ଏକ ସଙ୍ଗେ ରାସ୍ତାରେ ଯିବା, କାହାର ବ୍ରେକ ଅକାମୀ ହୋଇଯାଇଥିବା, କେଉଁ ଗାଡ଼ି ଟ୍ରାଫିକ୍ ନିୟମର ଅବମାନନା କରୁଚି, ଇତ୍ୟାଦି । ସେତିକିବେଳେ ବନୁର ହୁଇସିଲ ଅତର୍ଚ୍ଛ, ଉଦ୍‌ବିଘ୍ନ ହୋଇ ପାଟିକରେ । ବନୁ ପହଞ୍ଚିଯାଏ ତ୍ରୁଟିପୂର୍ଣ୍ଣ ଯାନ ପାଖରେ । ସନା ଗଢ଼ିଥିବା ପ୍ରତିମାଟିକୁ ଆହୁରି ନିଖୁଣ ଓ କମନୀୟ କରିବା ଯେପରି ବନୁର କାମ ।

 

ସେଦିନ ଡିଉଟି ସାରି ବସା ଘରକୁ ଫେରିବାବେଳେ ସନା କହିଲା–‘‘ବନୁଭାଇ, ଆଉ କାହିଁକି କେଜାଣି ଜମା ଭଲ ଲାଗୁନାଇଁ । ତଣ୍ଟିକୁ କେହି ଜଣେ ଚିପି ଧରିବାଭଳି, ଗୋଡ଼-ହାତକୁ ଶକ୍ତକରି ବାନ୍ଧି ଦେବାଭଳି ଲାଗୁଚି । ଗୋଟେ ଅଣନିଃଶ୍ୱାସୀ ଭାବ ମୋତେ କ୍ଲାନ୍ତ, ଅଥୟ କରି ଦେଉଚି । ଏ ଚାକିରି ଛାଡ଼ି ଦେବି ।’’

 

ବନୁକୁ ସନା ଶ୍ରଦ୍ଧାକରେ ଏଇଥିପାଇଁ ଯେ, ସେ କେବେହେଲେ ତାକୁ ପରିହାସ କରି ନାଇଁ । ସନାର ଦୁଃଖ ସମ୍ୱେଦନଶୀଳତାର ସହ ଶୁଣିଚି ଅନେକଥର । ତାକୁ ଆଶ୍ୱାସନା ଦେଇଚି ।

 

—‘‘ହୁଁ ।’’ ବନୁ କହିଲା ସନାଆଡ଼େ ନ ଚାହିଁ; କିମ୍ୱା ସନା କଥାରେ ଆଦୌ ବିସ୍ମିତ ନ ହୋଇ । କିଏ ନିଜ ଜୀବନ ଓ ପରିସ୍ଥିତି ପ୍ରତି ସନ୍ତୁଷ୍ଟ ହୋଇଚି ଯେ, ସନା ସନ୍ତୁଷ୍ଟ ହୁଅନ୍ତା ? କିଏ ମନ ଭିତରେ ଏ ସବୁର ନୀରବ ପ୍ରତିବାଦ ନ କରିଚି ? ବନୁ ଟିକିଏ ଆମୋଦିତ ହେଲା ଏବଂ ଭାବିଲା, ସେ ମଧ୍ୟ ଅନେକଥର ଏ ଚାକିରି ଛାଡ଼ି ଦେବାପାଇଁ ସଂକଳ୍ପବଦ୍ଧ ହୋଇଚି । ଅସଲ ସମୟ, ଚୂଡ଼ାନ୍ତ ମୁହୂର୍ତ୍ତଟି ଆସିବା ମାତ୍ରେ ଏ ଚାକିରିରୁ ଖସି ପଳେଇଯିବ ବୋଲି ଶପଥ ନେଇଚି ମନ ଭିତରେ । କିନ୍ତୁ, କାହିଁ ? ସେ ସମୟ, ସେ ମୁହୂର୍ତ୍ତ ଜମା ଆସୁନି । ପଚାରିଲା—‘‘ଚାକିରି ଛାଡ଼ି ଦେବୁ ? କେବେ ?’’

 

—‘‘ଠିକ୍ କରିନି; ହେଲେ, ଦିନେ ଦେଖିବୁ, ଚାକିରି ଛାଡ଼ି ଦେଇଚି ।’ ସନା ସ୍ୱରରେ ଦୃଢ଼ତା ସ୍ପଷ୍ଟ ହୋଇ ଉଠୁଥିଲା ।

 

କେବେ ଚାକିରି ଛାଡ଼ିବ ବୋଲି ଠିକ୍ କରି ନଥିବା ଉକ୍ତିଟି ବନୁକୁ ହସାଇଲା କିଛି ସମୟ ପାଇଁ । ସନା ଏ ଯାଏଁ ଠିକ୍ କରିନି; ଭବିଷ୍ୟତରେ କେବେ ଠିକ୍ କରିବ କେଜାଣି ? ସେ ଦିନଟି ନ ଆସିପାରେ ମଧ୍ୟ । ମନଟା ବିକଳ, ଅସ୍ଥିର ହେଲେ ତାକୁ ପ୍ରତାରିତ କରିବା ଦରକାର ପଡ଼େ । ଏ ଚାକିରି ଛାଡ଼ିଦେବି, ସେଇ କାମଟି କରିବି ବୋଲି କହି ମନକୁ ପ୍ରତିଶ୍ରୁତି ଶୁଣେଇବାଟା ସେମିତି କିଛି କଷ୍ଟକାମ ନୁହେଁ । ଅଥଚ ଦିନ ଗଡ଼ି ଯାଏ ଆପଣା ଛାଏଁ ଏବଂ ମନକୁ ଦେଇଥିବା ପ୍ରତିଶ୍ରୁତିଟି ଗୋଟାଏ ଭଙ୍ଗା, ପରିତ୍ୟକ୍ତ ଘର ସାମନାରେ ଲାଗିଥିବା ଜଙ୍କ୍ ବୋଳା, ଅସ୍ପଷ୍ଟ ନେମ୍‌ପ୍ଲେଟଟିଏ ଭଳି ଝୁଲିରହେ ଏକ କରୁଣ ଅବାନ୍ତର ହୋଇ ।

 

–‘‘ଭଲକଥା ।’’ ବନୁ କହିଲା–‘‘ମୋତେ ବି ଭଲ ଲାଗୁନାଇଁ ଆଉ କିଛି । ହେଲେ, ଏ ଚାକିରି ଛାଡ଼ି ଆଉ କିଛି କରିବା ତ ଦରକାର ! କ’ଣ କରିବୁ ବୋଲି ଠିକ୍ କରିଚୁ ?’’

 

—‘‘କ’ଣ କରିବି ? କାହିଁକି... ?’’ ସନା ସ୍ତମ୍ଭୀଭୂତ ହୋଇ ଚାହିଁଲା ଚାରିଆଡ଼କୁ । ବାକ୍ୟଟି ଶେଷ କରିବା ପାଇଁ । ମାତ୍ର ତା’ ଚାରିପାଖର ପୃଥିବୀ ପାଖରେ କୌଣସି ସୂତ୍ର ନ ଥିଲା ସନା ସକାଶେ ବିକଳ୍ପ ବ୍ୟବସ୍ଥାଟିଏ କହି ଦେବାପାଇଁ । ଗୋଟିଏ ସ୍ଥାନରୁ ପାଦ ଉଠାଇ ଆଉ କେଉଁଠି ପକାଇବା ପାଇଁ ସତେ ଯେମିତି କୌଣସି ଭୂଗୋଳ ନାଇଁ । ରୁଚି ଓ ମର୍ଜି ମୁତାବକ ଜୀବନ ବାଛି ନେବା ଏମିତି କଣ ସହଜ ବ୍ୟାପାର ହୋଇଚି, ସନା ପାଇଁ ?

 

ବସାଘରେ ପହଞ୍ଚି ସନା ଦେଖିଲା କବାଟ ଆଉଜା ହୋଇଚି । ଇନ୍ଦୁର ଦେଖାନାଇଁ । ବଖରାଏ ଘର । ଭିତରେ ଦଉଡ଼ିଆ ଖଟ । ଏ କାନ୍ଥରୁ ସେ କାନ୍ଥଯାଏଁ ଟଣାଯାଇଥିବା ରସିରେ ଯାବତୀୟ ଲୁଗାପଟା ଝୁଲିରହେ । ବକଟେ ବୋଲି ବାରଣ୍ଡାର ଗୋଟିଏ ପାଖରେ ରୋଷେଇ ହୁଏ-

 

ପୋଷାକ ବଦଳାଇ ସନା ବସିଲା ଖଟ ଉପରେ । ଗାମୁଛାରେ ମୁହଁ ପୋଛିବାବେଳେ ତାକୁ ଜଣାଗଲା ଘରଟା ଯେମିତି ବଦଳି ଯାଇଚି ୟାଭିତରେ । କ’ଣ ହୋଇପାରେ ? ସେ ପ୍ରଥମେ କିଛି ବୁଝିପାରିଲା ନାଇଁ । ଗୋଟାଏ ଖାଁ ଖାଁ ଭାବ, ପରିତ୍ୟକ୍ତ ହେବାର ଅପମାନ ସତେ ଯେମିତି ଜଡ଼ସଡ଼ କରି ପକାଇଚି ତା ଘରକୁ ! ତାକୁ ଜଣାଯାଉଥିଲା, ଘରଟା ଜଣେ ଧର୍ଷିତା ଭଳି କାନ୍ଦୁଚି ପୃଥିବୀର ସବୁ ଲୁହ ଓ ବିଷାଦ ନେଇ ।

 

ସେ ଉଠିଆସିଲା ଖଟ ଉପରୁ । ନା, ରୋଷେଇ ହୋଇନି । ଚୁଲିଟା ପଡ଼ି ରହିଚି ଆଶାୟୀ ହୋଇ । କଥା କ’ଣ ? ନିଜ ଅଜାଣତରେ ସେ ଡାକିଲା–ଇନ୍ଦୁ !

 

ସେତେବେଳକୁ ସନାର ହୃତ୍‌ସ୍ପନ୍ଦନ ବଢ଼ି ଯାଇଥିଲା, ମୁହଁ ଗରମହୋଇ ଯାଇଥିଲା । ଶଙ୍କିତ ଏବଂ କ୍ଷିପ୍ର ହୋଇ ସେ ସୀମିତ ଘରଟିକୁ ଏକରକମ ଖାନ୍‌ତଲାସ କରି ପକାଇଲା । ଦେଖିଲା, ଇନ୍ଦୁର ଲୁଗାପଟା ନାଇଁ । ଛୋଟ ଟିଣ ସୁଟ୍‌କେଶଟି ମଧ୍ୟ ଅନ୍ତର୍ଦ୍ଧାନ ହୋଇଯାଇଚି । ସେ ଉଚ୍ଚସ୍ୱରରେ ଡାକିଲା–ଇନ୍ଦୁ ! ଏବଂ ନିଜ ଡାକ ତାକୁ ଶୁଭିଲା ଗୋଟାଏ ହୁଇସିଲ୍‌ର ବିଫଳ ସ୍ୱର ଭଳି; ଯେଉଁ ସ୍ୱର ଅଟକାଇ ପାରେ ନାହିଁ ଟ୍ରାଫିକ୍ ନିୟମ ଲଙ୍ଘନ କରି କାହିଁ କେଉଁଆଡ଼େ ପଳେଇ ଯାଉଥିବା ଗାଡ଼ିର ବିଦ୍ରୂପମୟ ଚକମାନଙ୍କୁ । ସେ ଆହୁରି ଥରେ ସତେ ଅବା ହୁଇସିଲ୍ ଫୁଙ୍କିଲା ବିଡ଼ମ୍ୱିତ ଆଶାନେଇ–ଇନ୍ଦୁ !

 

ନିର୍ବାକ୍‌ହୋଇ ସେ ଠିଆହେଲା କିଛି ସମୟ ପର୍ଯ୍ୟନ୍ତ । ଅନୁଭବ କରୁଥିଲା ଗୋଟାଏ ମାରାତ୍ମକ ଯନ୍ତ୍ରଣାମୟ ଶକ୍ତି ତା’ର ମାଂସହାଡ଼କୁ ଅଭିଭୂତ କରି ଉଠି ଆସୁଚି ଉପରକୁ ଏବଂ ପରିଣାମରେ ତା ଦେହ ଚିପୁଡ଼ି ହୋଇ ଯାଉଚି । ଅଦ୍ଭୂତପୂର୍ବ ଝାଳରେ ସେ ତିନ୍ତିଗଲା । ସେ ଏକ ରକମ ଚିତ୍କାର କରି ଉଠିଲା ଏବଂ ତା’ପରେ ସବୁଠାରୁ ଦୟନୀୟ, ଅଥଚ ଆମୋଦଦାୟକ କାମଟିଏ କରି ପକାଇଲା । କାନ୍ଥରେ ଟଙ୍ଗାଯାଇଥିବା ଆରିସିଟିକୁ ଆଣି ସେ ଦେଖିଲା ନିଜକୁ ଏବଂ ଇନ୍ଦୁର ଅନ୍ତର୍ଦ୍ଧାନ କେତେଦୂର ଯୁକ୍ତିସଙ୍ଗତ ତାହା ହିସାବ କରିବାକୁ ଆରମ୍ଭ କଲା ।

 

ସେ ଦିନ ଭଳି ତା’ ମୁହଁ ଏତେ କଦାକାର ଓ ଭୀଷଣ ଦେଖାଯାଇ ନଥିଲା ତାକୁ; ଅଥଚ ତା’ ମୁହଁ ସଂପର୍କରେ ଇନ୍ଦୁର ଟିପ୍‌ପଣୀ ସେ ଶୁଣି ନଥିଲା କେବେ । ବାହାହେବା ପରଠାରୁ ଆଜିଯାଏ ଇନ୍ଦୁ ଅବଶ୍ୟ କିମିତି ଗୁମ୍‌ସୁମ୍ ଥାଏ, ନୀରବ ରହେ ଏବଂ ତା’ର ଏଇ ଢଙ୍ଗଟି ବିଚଳିତ ଓ ବିବ୍ରତ କରେ ସନାକୁ । ତା’ର ଭୟହୁଏ ଯେ, ଗୋଟାଏ ଅନୁଚ୍ଚାରିତ ପ୍ରତିବାଦ ଓ ପ୍ରତ୍ୟାଖ୍ୟାନରେ ଇନ୍ଦୁ ଯେମିତି ଜଳୁଚି ନିଜ ଭିତରେ ଏବଂ ଅସଲ ସମୟ ଆସିଗଲେ ସେ କିଛି ଗୋଟାଏ ଅସାଧାରଣ କାମକରି ପକାଇବ ।

 

ଇନ୍ଦୁ କୁଆଡ଼େ ପଳେଇଲା କି ? ସନାର ବ୍ୟାକୁଳ, ତ୍ରସ୍ତଭାବ ଅପସରି ଯାଉଥିଲା ଆସ୍ତେ ଆସ୍ତେ । ଗୋଟାଏ ନାହିଁ ନ ଥିବା କ୍ରୋଧ ତାକୁ ଅସ୍ତବ୍ୟସ୍ତ କରିବା ଆରମ୍ଭ କଲା । ସ୍ତ୍ରୀକୁ ନିମକହାରାମ ଓ ବିଶ୍ୱାସଘାତକ କୁହାଯିବ ନାଇଁ ତ କୁହାଯିବ କାହାକୁ ? ସନା ନିମ୍ନସ୍ୱରରେ କହିଲା-। ଗୋଟାଏ ସୀମାବଦ୍ଧ ଚାକିରି ଭିତରେ ଥାଇ ମଧ୍ୟ ଇନ୍ଦୁ ପ୍ରତି ତା’ର ଯଥାର୍ଥ କର୍ତ୍ତବ୍ୟର ସୁଅ କେବେ ଶୁଖିଯାଇଥିଲା କି ? ବରଂ ନିଜର ଦୁର୍ବଳତା ଦୃଷ୍ଟିରୁ ତାକୁ ସନ୍ତୁଷ୍ଟ କରିବା ସକାଶେ ତା’ଭଳି ତତ୍ପର ଓ ବିନୟ ସ୍ୱାମୀଟିଏ ସେ ଦେଖିନାଇଁ ଆଜି ପର୍ଯ୍ୟନ୍ତ ।

 

ଏସବୁ ସତ୍ତ୍ୱେ ଏ ଅଘଟଣ କାହିଁକି ? ସେତେବେଳ ପର୍ଯ୍ୟନ୍ତ ଗୋଟାଏ ପାଗଳ ଓ କିଂକର୍ତ୍ତବ୍ୟବିମୂଢ଼ ମଣିଷ ଭଳି ସନା ଇତସ୍ତତଃ ହେଉଥିଲା ଘରେ,ବାରଣ୍ଡାରେ । ଇନ୍ଦୁ କେଉଁଆଡ଼େ ପଳେଇ ଯାଇଥିବ ବୋଲି ଅନୁମାନ କରୁଥିଲା । ବାପ ଘରକୁ ଯାଇଚି କି ? ନା, କେଉଁ ବନ୍ଧୁ ଘରକୁ ? ସନା ମୁଣ୍ଡ ହଲେଇଲା ଏବଂ ଭାବିଲା ତାହା ଯଦି ହୋଇଥାନ୍ତା, ଏମିତି ଚୋରଣୀ ଭଳି ପଳେଇଯିବାର କିଛି ମାନେ ଅଛି ? ମନେକରାଯାଉ, ତା’ ବାପ ଘରେ ଏମିତି କିଛି ସାଙ୍ଘାତିକ ବିପର୍ଯ୍ୟୟ ଘଟିଗଲା ଏବଂ ସେଠାରୁ କେହି ଜଣେ ଇନ୍ଦୁକୁ ନେବାପାଇଁ ଆସି ପହଞ୍ଚିଗଲା । ତାକୁ ଖବର ଦେବାର ଫୁରୁସତ ନ ପାଇ ଅତର୍ଚ୍ଛ ହୋଇ ଇନ୍ଦୁ ପଳେଇଗଲା ଗାଁକୁ । ୟାବି ହୋଇପାରେ । କେଜାଣି ? ତେବେ ତାହା ଯଦି ଘଟି ନ ଥାଏ, ଇନ୍ଦୁ ଆଉ କାହା ଘରକୁ ପଳେଇଯିବା କଥାଟା ହିଁ ସତ ।

 

ସନା ସ୍ତମ୍ଭୀଭୂତ ହୋଇଗଲା ଏ କଥା ଭାବି । ତା’ ମୁହଁ ଓ ତମାମ ଶରୀର ସତରେ କ’ଣ ଏତେ ଅବାଗିଆ ଯେ, ଇନ୍ଦୁ ତାକୁ ପ୍ରତ୍ୟାଖ୍ୟାନ କଲା ? ଏଭଳି ମୁହଁଥିବା ମଣିଷ କ’ଣ ସୁଖରେ ଘରସଂସାର କରିବାକୁ ବିହି ତା’ କପାଳରେ ଲେଖିନାଇଁ ? ସନାର ତଣ୍ଟି ଓ କଲିଜାକୁ କିଏ ଯେପରି ଚାପି ଧରିଲା ଏବଂ ତୀବ୍ର ଅସନ୍ତୋଷ ଓ ଅପମାନ ବୋଧରେ ସେ ଆର୍ତ୍ତନାଦ କରି ଉଠିଲା ।

 

ସେଦିନ ତା’ ଘର ତାକୁ ଜଣାପଡ଼ିଲା ଗୋଟାଏ ଶସ୍ତା ଓ ସର୍ବଦା ଇଚ୍ଛୁକ ଦେଚାରୁଣୀ ଭଳି । ଛକ ଉପରେ ସେ ଠିଆହୋଇ, ଯାନବାହାନମାନଙ୍କୁ ବନ୍ଦକର-ଯାଅ ବୋଲି ସୂଚନା ଦେଇ ଟ୍ରାଫିକ୍ ନିୟମ ଓ ଶୃଙ୍ଖଳାର ପ୍ରତୀକ ହେବାବେଳେ କେଉଁ ଲମ୍ପଟ, କାମୁକ ତା’ ଘରକୁ ଏମିତି ବିଶୃଙ୍ଖଳ କଲା ଓ ଲୁଟି ନେଲା ଏହାର ଇଜ୍ଜତ ? ତା’ର ଆଉ ସନ୍ଦେହ ନ ଥିଲା ଯେ, ଛକ ଉପରେ ଗାଡ଼ି-ମୋଟରମାନଙ୍କୁ ନିୟନ୍ତ୍ରଣ ଓ ସଂଯତ କରିବାକୁ ଚେଷ୍ଟାକଲାବେଳେ, ତା’ଘରେ ବିଶ୍ୱାସ ଓ ଲଜ୍ଜାର ଟ୍ରାଫିକ୍ ନିୟମ ବିପର୍ଯ୍ୟସ୍ତ ହୁଏ । ବିବେକର ହୁଇସିଲ ମୂକ ହୋଇଯାଏ । ଏତେଦିନ ଧରି ତା’ ଅନ୍ତରାଳରେ ଏଇୟା ଚାଲିଥିଲା । ଏବଂ ସେ ନିଜର ସ୍ତ୍ରୀକୁ ସନ୍ତୁଷ୍ଟ ରଖିବା ସକାଶେ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିଲା !

 

ଘରେ ଆଉ ଠିଆ ହୋଇ ରହିବା ସମ୍ଭବ ନ ଥିଲା ଏତେ ଯନ୍ତ୍ରଣା ଓ ଦୁଃଖକୁ ଦେହ ଭିତରେ ରଖି । ସେ ବାହାରି ଆସିଲା ପଦାକୁ । ଠିଆ ହୋଇ ଚାହିଁଲା ଏଣେ ତେଣେ ନିରୁପାୟ ମଣିଷଟିଏ ଭଳି । କିଛି ଗୋଟାଏ ବ୍ୟବସ୍ଥା, ଗୋଟାଏ ପ୍ରତିକାର ଦରକାର । ଅଥଚ କ’ଣ ସେଇଟା-? ତା’ର ନିର୍ବୋଧ ମନ କୌଣସି ସିଦ୍ଧାନ୍ତ ପାଖରେ ପହଞ୍ଚି ପାରିଲା ନାହିଁ । କେବଳ ସେ ଅନୁଭବ କରୁଥିଲା ଯେ, ସେ ଅଣନିଃଶ୍ୱାସୀ ହୋଇ ଯାଉଚି ।

 

କାହାକୁ କହିବ ଏ କଥା ? ଏ କଥା କ’ଣ କାହା ପାଖରେ କୁହାଯାଇପାରେ ? କାହା ସାଙ୍ଗରେ ସ୍ତ୍ରୀ ପଳେଇଲା ବୋଲି କହି ସେ କାନ୍ଦିବ ଏବଂ ଉତ୍ତରରେ ସେ ଶୁଣିବ କ’ଣ ? ପୃଥିବୀରେ କିଏ ଏମିତି ମଣିଷଟିଏ ଅଛି ଯେ ତା’ କଥା ଶୁଣି ଆହା ବୋଲି କହିବ ଏବଂ ବତେଇ ଦେବ ଏ ସଙ୍କଟର ସମାଧାନର ବାଟ ? ତାକୁ ନେଇ ଉପହାସ କରୁଥିବା ମଣିଷମାନେ କିଭଳି ପ୍ରତ୍ୟାହାର କରିନେବେ ନିଜ ନିଜର ଦୁଷ୍ଟାମିର ହସ ଏବଂ ସହସା ସମ୍ବେଦନଶୀଳ ବନି ଯିବେ ? ସନା ଜଡ଼ ସଡ଼ ହୋଇଗଲା । ଅନ୍ୟମାନଙ୍କର ଆନନ୍ଦ ଓ ପରିହାସ ପାଇଁ ସେ ଏମିତି ଖୋଲାଖୋଲି ଭାବରେ ନିଜକୁ ଉତ୍ସର୍ଗ କରିବ କେଉଁ ଭରସାରେ ?

 

କିନ୍ତୁ କେତେ ସମୟ ଧରି ସେ ଠିଆ ହୋଇ ରହିବ ଏମିତି ? ଅସ୍ୱସ୍ତି, ଅସ୍ଥିରତାରେ ସେ ଛଟପଟ ହେଲା । ଏହାର କିଛି ସମୟ ପରେ ସେ ଆବିଷ୍କାର କଲା ଯେ, ସେ ଠିଆ ହୋଇଚି ବନୁ ପାଖରେ । ସେ ଇତସ୍ତତଃ ହେଲା କିଛି ସମୟ ପାଇଁ । ସେ ପ୍ରାୟ ଫେରି ଯାଉଥିଲା; ମାତ୍ର କେହି ଜଣେ ତାକୁ ଅଟକାଇ ଦେଲା ଯେପରି । ସେ ବନୁକୁ ଡାକିଲା ।

 

—ବନୁ ଭାଇ, ଇନ୍ଦୁ କୁଆଡ଼େ ପଳେଇଲା ।’’ ବହୁ କଷ୍ଟରେ ଏତକ କହି ସାରି କାନ୍ଦି ପକେଇଲା ସନା ।

 

—‘‘ପଳେଇଲା ! କୁଆଡ଼େ ?’’ ବନୁ ଭ୍ରୂକୁଞ୍ଚନ କଲା । ଆଶ୍ଚର୍ଯ୍ୟ ହୋଇଗଲା ଏଇ ଚାଞ୍ଚଲ୍ୟକର କଥା ଶୁଣି ଏବଂ ସନାର ସେଇ ଅବସ୍ଥା ଦେଖି ।

 

—‘‘କେଜାଣି ? ତା’ ଲୁଗାପଟା, ବାକ୍‌ସ ନାଇଁ । ସେ ନିଶ୍ଚୟ କାହା ସଙ୍ଗେ ପଳେଇଚି-।’’ ସନାର ଅଶ୍ରୁଳ ସ୍ୱରରେ ନିଶ୍ଚିତତା ସ୍ପଷ୍ଟ ହୋଇ ଉଠିଲା ।

 

ବନୁ ଚାହିଁଲା ସନା ଆଡ଼େ ଏବଂ ଆଶ୍ୱାସନା ଦେବା ଭଳି କହିଲା—‘‘ଆରେ ପଳେଇବ କାହିଁକି ? ସେଇ ପାଖରେ କେଉଁଠି ଥିବ । ନ ହେଲେ ଜରୁରୀ ଡାକ ପାଇ ବାପ ଘରକୁ ପଳେଇ ଯାଇଥିବ, ତୋତେ ଖବର ଦେବାକୁ ସମୟ ନ ପାଇ । ବଳେ ଫେରି ଆସିବ । ତୁନି ହ; ଏମିତି ଛୁଆଙ୍କ ଭଳି ଜମା କାନ୍ଦନା ।’’

 

କହିବା ବାହୁଲ୍ୟ, ଏସବୁ ଶୁଣିବା ପରେ ସନାର କୋହ ଅଣାୟତ୍ତ ହୋଇପଡ଼ିଲା ଏବଂ ସେ ରୂପାନ୍ତରିତ ହୋଇଗଲା ଜଣେ ସର୍ବହରା ଛୋଉଣ୍ତରେ । ବନୁ ବିବ୍ରତ ହୋଇ ପଡ଼ିଲା ଟିକିଏ । ଅପେକ୍ଷା କଲା, ସନା ପ୍ରକୃତିସ୍ଥ ହେବାର ମୁହୂର୍ତ୍ତକୁ ।

 

—‘‘ତୁ ମିଛଟାରେ ବ୍ୟସ୍ତ ହେଉଚୁ ।’’ ବନୁର ସାନ୍ତ୍ୱନା ଆରମ୍ଭ ହେଲା ପୁଣିଥରେ । ‘‘ସେ ଯାଇ ନ ଥିବ କାହା ସାଙ୍ଗରେ । ଫେରି ଆସିବ ନିଶ୍ଚେଁ ।’’

 

ମାତ୍ର ସନା ନିଜ ବିଶ୍ୱାସରେ ଅଟଳ ରହିଲା ଯେ, ଯେମିତି ଢଙ୍ଗରେ ଇନ୍ଦୁ ଘର ଛାଡ଼ିଚି, ସେଥିରୁ ଅନୁମାନ କରାଯାଇ ପାରେ ଯେ ବାପ ଘର କିମ୍ୱା ବନ୍ଧୁ ଘର ଯିବା କଥା ମିଛ । କାହା ସାଙ୍ଗରେ ସେ ପଳେଇଚି, ନିଜ ମର୍ଜିରେ ।

 

–‘‘କାହା ସାଙ୍ଗରେ ଗଲା ବୋଲି ତୁ ସନ୍ଦେହ କରୁଚୁ ?’’ ବନୁ ପଚାରିଲା ଗମ୍ଭୀର ହୋଇ-

 

ସନା ସ୍ତବ୍‌ଧ ହୋଇ ଭାବିବାକୁ ଆରମ୍ଭ କଲା । ନା ସେ କାହାକୁ ସନ୍ଦେହ କରି ପାରୁନି-। ଇନ୍ଦୁ କାହା ସହିତ କଥାବାର୍ତ୍ତା କରିବା କଥା ବି ସେ ଦେଖିନି ଜମା । ଗୋଟାଏ ସରଳ, ସନ୍ଦେହମୁକ୍ତ ଜୀବନ କଟଉ ଥିଲା ସେ ଏବଂ ଏଭଳି ଏକ ସମ୍ଭାବନା ସଂପର୍କରେ ସେ ଚିନ୍ତା ବି କରି ପାରି ନ ଥିଲା । ଏ ଗୋଟାଏ ଅନୁମାନ ବହିର୍ଭୁତ ଘଟଣା ଏବଂ ଏହାର ସମ୍ମୁଖୀନ ହେବା ପାଇଁ ସେ ମାନସିକ ପ୍ରସ୍ତୁତି ଯୋଗାଡ଼ କରିବାର କୌଣସି କାରଣ ନ ଥିଲା । ଅତର୍କିତ ଘଟଣା ତେବେ ଏମିତି ଘଟିଯାଏ ଏବଂ ବିଚରା ମଣିଷଟି ଭୁଷୁଡ଼ି ପଡ଼େ ନିଜ ଭିତରେ ଅନ୍ତତଃ କିଛି ସମୟ ପାଇଁ-!

 

ସନା କହିଲା ମୁମୂର୍ଷୁ ସ୍ୱରରେ–‘‘ମୁଁ କ’ଣ କିଛି ଜାଣିଚି ? ଇନ୍ଦୁ କାହା ସଙ୍ଗେ କଥାବାର୍ତ୍ତା ହେବା ବି ଦେଖିନି ମୁଁ ।’’

 

ବନୁ ଚାହିଁଲା ସନା ଆଡ଼େ ଏବଂ ସ୍ୱୀକାର କଲା ଯେ, ସନାର ତଥାକଥିତ ବେଢଙ୍ଗ ମୁହଁ ଉପରେ ଘନିଭୂତ ହେଉଥିବା ଅନନ୍ୟ ନିରୀହତା ସେ ଆଉ କେଉଁଠି ଦେଖି ନ ଥିଲା । ଏତେ ସହଜ, ସରଳ ମୁହଁକୁ ଆଶ୍ୱାସନା ଦେବା ପାଇଁ ଇନ୍ଦୁକୁ ଯେଉଁ ପ୍ରକାରର ଶାସ୍ତି ବିଧାନ ଦରକାର, ସେଭଳି ଶାସ୍ତି ବୋଧହୁଏ ମଣିଷ ସମାଜ ଆବିଷ୍କାର କରି ନାଇଁ ଏଯାବତ୍ । ବ୍ୟଥିତ ବନୁ ଆଉ ଚାହିଁ ପାରିଲାନି ସନା ଆଡ଼େ । ସନାର ନିରୀହ ବିଶ୍ୱାସ କ୍ଷତାକ୍ତ ହୋଇ ଯେପରି କାନ୍ଦୁଥିଲା । ଜଣେ ଟ୍ରାଫିକ୍ ପୋଲିସ ଦିନ ବେଳା ଡିଉଟି ସାରି ଘରେ ଦେଖିବ ଯେ, ତା’ ସ୍ତ୍ରୀ ଆଉ କାହା ସଙ୍ଗେ ଲୁଚି କରି ପଳେଇଚି । ଯାନ-ବାହାନ ଚଳାଚଳ ନିୟନ୍ତ୍ରଣ କରିବା ସହିତ ଘରସଂସାର ନିୟନ୍ତ୍ରଣ କରିବାର ଲେଶ ମାତ୍ର ସମ୍ପର୍କ ନାଇଁ, ତା ହେଲେ ?

 

ବନୁ ସହସା ଉତ୍ସାହିତ ହୋଇ ଗଲା । ତା’ର ମନେ ପଡ଼ିଲା ଯେ ସେମାନେ ପୋଲିସ୍ ଚାକିରି କରନ୍ତି ଏବଂ ଏଭଳି ଅଗଣିତ ଘଟଣାର ସମାଧାନ କରନ୍ତି । ମାତ୍ର ତା’ର ଉତ୍ସାହ ଗଣ୍ଡଗୋଳିଆ ହୋଇଗଲା–ପୋଲିସ୍ ଘରେ ଡକାୟତି !

 

ସନାର ଅସହାୟ ମୁହଁ ଅସହ୍ୟ ହୋଇ ପଡ଼ିଲା ବନୁ ପାଇଁ । ଭାବିଲା, ଏମିତି କାମ କରିଥିବା ଇନ୍ଦୁ ଓ ସମ୍ଭବତଃ ତା’ ପ୍ରେମିକ କିଛି କମ୍ ସାହସୀ ଓ ଦୁର୍ଦ୍ଧର୍ଷ ନଥିବେ । ତେବେ ଜଣେ ପୋଲିସ୍ ମଣିଷ ହିସାବରେ କେତେ ଅସହାୟ ଓ ପ୍ରତିରକ୍ଷାହୀନ ବାସ୍ତବିକ । ତା’ ଚାକିରି କେତେ ସାହାଯ୍ୟ କରେ ତା’ ବ୍ୟକ୍ତିଗତ ଜୀବନକୁ, କେତେ ଗ୍ୟାରେଣ୍ଟି ଦିଏ ତା’ର ନିରାପତ୍ତା ସଂପର୍କରେ ?

 

ସମାଧାନର ବାଟ ପାଇଲା ପାଇବା ଭଳି ବନୁ କହିଲା–‘‘ଚାଲ !’’

 

–‘‘କୁଆଡ଼େ ?’’ ପଚାରିଲା ସନା ।

 

—‘‘ଥାନାକୁ ।’’ ବନୁ ଉତ୍ସାହିତ ହୋଇ ଯାଇଥିଲା । ‘‘ଷ୍ଟେସନ୍ ଡାଇରୀଟିଏ ଦେଇ ଦେବା । ଆମ ଡିପାର୍ଟମେଣ୍ଟ ଏମିତି ଶହ ଶହ କେଶ୍‌ର ସମାଧାନ କରୁଚି । ତୁ ତ ପୁଣି ଡିପାର୍ଟମେଣ୍ଟର ଲୋକ । ତୋ ସ୍ତ୍ରୀ କାଲି ସୁଦ୍ଧା ଫେରି ଆସିବ ତୋ ଘରକୁ । ଯଦି ଆଉ କାହା ସାଙ୍ଗରେ ଯାଇଥିବ, ତେବେ ସେ ଶଳାକୁ ଦେବା ଭଲ କରି ପାନେ ।’’ ବନୁ ଘର ଭିତରକୁ ଯାଉଥିଲା ପୋଷାକ ପିନ୍ଧିବା ପାଇଁ ।

 

ସନା କିଛି କ୍ଷଣ ଚଞ୍ଚଳ ହେଲା । ବେଶ୍ ଉଦ୍‌ବିଗ୍ନ ଓ ଉତ୍‌ଫୁଲ ହୋଇ ପଡ଼ିଲା ମଧ୍ୟ । ବନୁ କହିଲା—‘‘ଠିଆ ହେଲୁ କାହିଁକି ? ସମୟ ନଷ୍ଟ କରନା । ପେଣ୍ଟ-କମିଜ ପିନ୍ଧି ଆସିବୁ ଯା ।’’ ଏତିକି କହି ଘର ଭିତରକୁ ଚାଲିଗଲା ।

 

ସମସ୍ତ କ୍ଷିପ୍ରତାର ସହିତ ସନା ପୋଷାକ ପିନ୍ଧିଲା । ସେ ଉତ୍କଣ୍ଠିତ ହେଲା ଏଇଥି ପାଇଁ ଯେ, ଇନ୍ଦୁ ଫେରି ଆସିବ ନିଶ୍ଚୟ ତା’ ପାଖକୁ ଦିନେ ନା ଦିନେ । ଅଥଚ କମିଜର ସର୍ବଶେଷ ବୋତାମଟି ଲଗେଇବା ବେଳେ ତା’ ଭିତରେ ସଞ୍ଚରିତ ହୋଇଥିବା ଶକ୍ତିଟି ଅନ୍ତର୍ହିତ ହୋଇଗଲା କାହିଁକି ? ତା’ ହାତ ଦୁଇଟି ଝୁଲି ରହିଲେ ତା’ ଦେହ ଦୁଇ ପାଖରେ । ଗୋଟାଏ ପକ୍ଷାଘାତ ରୋଗୀ ଭଳି ସେ ଅଚଞ୍ଚଳ ଓ ନିର୍ବାକ ହୋଇପଡ଼ିଲା ।

 

ଖାଁ ଖାଁ କରୁଥିବା ଘରର ସବୁ ଆଡ଼ୁ ତା’ର ଆହତ ଦୃଷ୍ଟି ବୁଲି ଆସିଲା । ୟାପରେ ବସିଲା ଖଟ ଉପରେ ଏବଂ ଚିନ୍ତା କଲା, ପୋଲିସ୍‌ର ଚେଷ୍ଟା ପରେ ଧରାପଡ଼ି ଯାଇଥିବା ଇନ୍ଦୁ ଏଠାକୁ ପୁଣି ଆସିଲେ ଘର କିମିତି ଦେଖାଯିବ, ଇନ୍ଦୁ କିମିତି ଦେଖାଯିବ ଏବଂ ସେ ଏଠାରେ ଚଳପ୍ରଚଳ କରିବ କିମିତି ? ଜଣେ ଅନିଚ୍ଛୁକ, ଅସନ୍ତୁଷ୍ଟ ସ୍ତ୍ରୀକୁ ସେ ଏ ଘରେ ଚାବି ପକେଇ ରଖିବ ଏବଂ ଠିଆ ହେବ ସହରର ଛକ ଉପରେ ଗାଡ଼ି-ମୋଟର ନିୟନ୍ତ୍ରଣ କରିବା ଦାୟିତ୍ୱ ନେଇ ? ଇନ୍ଦୁ ହୁଏତ ପୁଣି ପଳେଇ ଯାଇପାରେ । ତା’ପରେ ପୁଣି ଷ୍ଟେସନ୍ ଡାଇରୀ । ଇନ୍ଦୁ ହୁଏତ ପୁଣି...

 

ବିରକ୍ତି ଓ କ୍ରୋଧରେ ସନା ଖଟକୁ ଜାବୁଡ଼ି ଧରିଲା ଖୁବ୍ ଜୋରରେ ଏବଂ ଭାବିଲା ଯେ, ତା’ ହାତ ମୁଠାରେ ଯଦି ଇନ୍ଦୁର ବେକଟି ରହିଯାନ୍ତା ! ଖତମ୍ କରି ଦିଅନ୍ତା ତାକୁ ଏବଂ ସ୍ୱଇଚ୍ଛାରେ ଥାନାକୁ ଯାଇ ଆତ୍ମସମର୍ପଣ କରନ୍ତା । ଜେଲ୍ ଯିବାରେ କିମ୍ୱା ଫାଶୀ ପାଇବାରେ ସେ ଗ୍ଲାନି ଓ ଅପମାନ ଅନୁଭବ କରନ୍ତା ନାଇଁ; ପରନ୍ତୁ ନିଜକୁ ଗୌରବାନ୍ୱିତ ମନେ କରନ୍ତା ଏବଂ ଜୀବନର ଅବଶିଷ୍ଟାଂଶ ଅତିବାହିତ କରନ୍ତା ଅନୁତାପ ମୁକ୍ତ ମନ ନେଇ ।

 

ଯିବ ତେବେ ଥାନାକୁ ? ହାସ୍ୟାସ୍ପଦ ହୋଇ ଠିଆ ହେବ ଟେବୁଲ ସାମନାରେ । ତା’ପରେ ହୁଏତ କେତେ ଜଣ ଅଫିସର ଏଠାକୁ ଆସିବେ ଏବଂ କିଛି ଗୋଟାଏ ସୂତ୍ର ପାଇବା ଆଶାରେ ଘରକୁ ଦରାଣ୍ଡି ପକାଇବେ । କଥାଟା ରାଷ୍ଟ୍ର ହୋଇ ଯିବ ଏବଂ କେହି ହୁଏତ ପଚାରିଦେବ—କିଏ,ପୋଲିସ୍ ଚାକିରି କରୁଚ ଟି ? ସ୍ତ୍ରୀକୁ ସମ୍ଭାଳି ପାରିଲ ନି ଯେ କାହା ସଙ୍ଗେ ପଳେଇଲା ?

 

ଦୀର୍ଘ ସମୟ ଅପେକ୍ଷା କରିବା ପରେ ମଧ୍ୟ ସନା ନ ଆସିବାରୁ ବନୁ ପହଞ୍ଚି ଗଲା ତା’ ଘରେ । ଦେଖିଲା, ପୋଷାକ ପିନ୍ଧି ସନା ଶୋଇଚି ଖଟରେ ଉପରକୁ ଚାହିଁ । ଗୋଟିଏ ସଙ୍କଟ ଅତିକ୍ରମ କରିଥିବା ଭଳି ତା’ ମୁହଁ ପ୍ରତିକ୍ରିୟାହୀନ ଓ ଅବିଚଳିତ ଦେଖାଯାଉଚି ।

 

ଏ ସଂକ୍ରାନ୍ତରେ ସନା ତରଫରୁ ଆଉ କୌଣସି ତତ୍ପରତା ନାଇଁ । ଇନ୍ଦୁ ଗାଁକୁ ସେ ଚିଠି ଖଣ୍ଡିଏ ପଠେଇ ଥିଲା, ଇନ୍ଦୁ ସେଠାକୁ ଯାଇଚି କି ନାଇଁ ବୋଲି ଜାଣିବା ପାଇଁ । ନାସ୍ତିବାଚକ ଉତ୍ତରଟିଏ ପାଇଥିଲା ଦିନେ ଦୁଇଦିନ ପରେ ।

 

ଦହଗଞ୍ଜ ହେଉଥିବା ଏବଂ ପ୍ରତ୍ୟାଖ୍ୟାନ କରା ଯାଇଥିବା ମନ ନେଇ ସନା ଆସେ ପରିଚିତ ଛକ ଉପରକୁ । ଅଭ୍ୟସ୍ତ ଭଙ୍ଗୀ ପ୍ରଦର୍ଶନ କରେ ଏବଂ ଜୀବନର ଟ୍ରାଜେଡ଼ି ପରେ ମଧ୍ୟ ବୋଝେଇ ହୋଇଥିବା ଟ୍ରକ,ଆକର୍ଷଣୀୟ ଚକ୍ ଚକ୍ କାର୍ ଇତ୍ୟାଦି ଠିଆ ହୋଇ ପଡ଼ନ୍ତି ଏବଂ ଆଗେଇ ଯାଆନ୍ତି ତା’ନିର୍ଦ୍ଦେଶରେ । ସେ ଆଶଙ୍କା କରୁଥିଲା, ହୁଏତ ଠିଆହୁଅ ବୋଲି ତା’ଠାରୁ ସଂକେତ ପାଇବା କ୍ଷଣି କୌଣସି ଗାଡ଼ିର ଚାଳକ ବିରକ୍ତିର ସହିତ ଚାଲି ଆସିବ ତା’ପାଖକୁ । ଉପହାସ କରି ପଚାରିବ, ଟ୍ରାଫିକ୍ ନିୟମ କାନୁନ୍‌ର ଆୟତନ କେତେ ? ଏଗୁଡ଼ିକ ନିଜ ସ୍ତ୍ରୀ ପ୍ରତି ପ୍ରଜୁଯ୍ୟ ହୋଇପାରେ କି ନା ?

 

ସେମିତି କିଛି ଘଟିଲା ନାଇଁ । ଉପର ଠାଉରିଆ, ନକଲି ଜଣାପଡ଼ୁଥିବା ରାସ୍ତାର ଏ ନିୟମ ଅଟକି ରହିଥିଲା ଗୋଟିଏ ନିର୍ଦ୍ଦିଷ୍ଟ ସ୍ତରରେ । ଜୀବନର ଅସଲ ସତ୍ୟ ପାଖରେ ପହଞ୍ଚି ପାରୁ ନଥିଲା । ସନା ସ୍ୱୀକାର କରି ନେଲା ଯେ, ପୋଲିସ୍ ହେବା ଦ୍ୱାରା ତା’ର ବ୍ୟକ୍ତିଗତ ଜୀବନର ନକ୍‌ସା ପରିବର୍ତ୍ତିତ ହୋଇପାରି ନାଇଁ । ତା ଚାକିରି, ଜୀବନର ବିପର୍ଯ୍ୟୟକୁ ଆଡ଼େଇ ଦେବାରେ କିମ୍ୱା ସଙ୍କଟର ସମାଧାନ କରିବା ଦିଗରେ ତାକୁ କୌଣସି ମତେ ସାହାଯ୍ୟ କରି ପାରିନି, କି ଆତ୍ମବିଶ୍ୱାସ ଦେଇନି ।

 

ସ୍ତ୍ରୀ ଘର ଛାଡ଼ି ପଳେଇ ଯିବା ପରେ ସନା ସଂପର୍କୀୟ ଏ କାହାଣୀଟି ଏଇଠି ଶେଷ ହେବା ଉଚିତ ଥିଲା । ମାତ୍ର ଅନୁମାନ ବହିର୍ଭୁତ ବିପର୍ଯ୍ୟୟର ଶେଷ ଅଛି କି ? ଜୀବନକୁ ବିପନ୍ନ କରି ଦେବା ଭଳି, ମଣିଷକୁ ଆହୁରି ଦୟନୀୟ କରିଦେବା ଭଳି ବିପର୍ଯ୍ୟୟ ସତେ ଯେମିତି ଖଞ୍ଜା ହୋଇଥାନ୍ତି ଗୋଟିକ ପରେ ଗୋଟିଏ ସଂଗୃହିତ ହୋଇ ନ ଥିବା ଭବିଷ୍ୟତର ବାଟରେ । ସେମାନେ ପହଞ୍ଚି ଯାନ୍ତି ଅନାହୂତ ଭାବରେ ଏବଂ ବୋକା କରିଦିଅନ୍ତି ମଣିଷର ସମସ୍ତ ଚାଲାକି ଓ ଜ୍ଞାନ । ସନା ଜୀବନର ଦ୍ୱିତୀୟ ଦୁର୍ଘଟଣାଟିକୁ ନିମ୍ନଲିଖିତ ଭାବେ ବର୍ଣ୍ଣନା କରାଯାଇପାରେ ।

 

ସହରର ଅବହେଳିତ ଛକ । ପରସ୍ପରକୁ ଛେଦ କରୁଥିବା ରାସ୍ତା ଆବଡ଼ା ଖାବଡ଼ା । ତା’ ଉପରେ ଗାଡ଼ି ଚାଲିଲେ ତାହା ଯନ୍ତ୍ରଣା କାତର ହୋଇଗଲା ଭଳି ଜଣାପଡ଼େ । ବର୍ଷା ଦିନେ ପାଣି କାଦୁଅର ସୁଅ ଚାଲେ । ଅନ୍ୟଦିନମାନଙ୍କରେ ଧୂଳି ଉଡ଼େ । କାରବାର ମାନ୍ଦା ହେଉଥିବାରୁ ସେମିତି କିଛି ଆଖି ଦୃଶିଆ ଦୋକାନ ବି ନାଇଁ । ସ୍ଥାନଟା ଜଣା ପଡ଼େ ସମ୍ଭାବନାହୀନ । ଭବିଷ୍ୟତଟା ଉଜ୍ୱଳହୀନ ବୋଲି ଜାଣି ପାରି ପଡ଼ି ରହେ ପ୍ରତିବାଦହୀନ, ଆଶାହୀନ ହୋଇ ।

 

ସ୍ଥାନଟିର ଏଇ ମନ୍ଥରତାର ପ୍ରତୀକ ଭଳି ସେଠାରେ ବୁଲା ଷଣ୍ଢଟିଏ ନିଜ କର୍ମକୁ ଆଦରି ବଞ୍ଚି ରହିଥାଏ । ଧଳାରଙ୍ଗ, ଆଶାତୀତ ଭାବେ ପୃଥୁଳ । ତନ୍ଦ୍ରାଚ୍ଛନ୍ନ ଦେଖାଯାଏ । ବଞ୍ଚି ରହିବା ପାଇଁ ଚାଲିବା, ଖାଇବା ପାଇଁ ପାଟି ଆଁ କରିବା କଥା ଭାବି ସମ୍ଭବତଃ ବ୍ୟସ୍ତ ହୁଏ ଏବଂ ନିଜ ନିର୍ମାତାଙ୍କୁ ମନେ ମନେ ଗାଳିଦିଏ । ଏତେ ନିଷ୍କର୍ମ, ଅଳସୁଆ ଦେଖାଯାଏ ସେ ଷଣ୍ଢ । ସେ କେତେବେଳେ କିମିତି ପାଚେରୀ କୋଣରେ ବେକ ଘସିହୁଏ, ରାସ୍ତା କଡ଼ରେ ଶୋଇଥାଏ ବିଶିଷ୍ଟ ମର୍ଯ୍ୟାଦାର ସହିତ କିମ୍ୱା ଆବର୍ଜନାର ପାହାଡ଼ ପାଖରେ ଠିଆ ହୋଇଥାଏ । ତା’ ପିଠି ଉପରେ କାଉ ବସନ୍ତି, ଆବର୍ଜନା ପାଖରେ କୁକୁରମାନେ ଭୁକି ତାକୁ ଘଉଡ଼େଇବାକୁ ଚେଷ୍ଟା କରନ୍ତି । ମାତ୍ର ସେ ନିର୍ଭିକ ଓ ଅନାସକ୍ତ ହୋଇ ନିଜ କାମ କରିଯାଏ । କୌଣସି ଜିନିଷ ପ୍ରତି ସେ ଆଗ୍ରହୀ ହୋଇନି, ନିଜ ଅବସ୍ଥାର ଉନ୍ନତି ପାଇଁ ତତ୍ପର ହୋଇନି ।

 

କିନ୍ତୁ ଦିନେ କ’ଣ ହେଲା ନା, ସେ ଅଞ୍ଚଳର ସମସ୍ତଙ୍କୁ ସ୍ତବ୍‌ଧ ଓ ଚକିତ କରି ସେ ଷଣ୍ଢ ଉନ୍ମାଦ ହେଲା । ସତେ ଅବା ସେତେଦିନ ଯାଏଁ ତା’ ଦେହରେ ଠୁଳ ହୋଇ ରହିଥିବା ସମସ୍ତ ଶକ୍ତିର ବିସ୍ଫୋରଣ ଘଟିଲା । ନିଜ ପୃଥୁଳ ଶରୀର ଓ ଆପାତତଃ କାର୍ଯ୍ୟହୀନତାର ପ୍ରତିବନ୍ଧକକୁ ବେଖାତିର କରି ସେ ଧାଇଁଲା ଏଣେ ତେଣେ । ଭୟାନକ ଭାବେ ପାଲଟିଗଲା ବଣ୍ୟ ଓ ନିୟନ୍ତ୍ରଣ ବହିର୍ଭୁତ । ଆହତ କଲା ଚାରି-ପାଞ୍ଚ ଜଣ ଲୋକଙ୍କୁ । ଉପାଡ଼ିଦେଲା ତିନି-ଚାରିଟା କାଠ-କେବିନ । ତା’ ଭିତରେ ସଜ୍ଜିତ ଜିନିଷ ଉଛୁଳି ଆସିଲେ ପଦାକୁ ଏବଂ ସେମାନଙ୍କୁ ମନ୍ଥି ପକାଇଲା ସେ ଅଣାୟତ୍ତ ଷଣ୍ଢ । କେତେଟା ରିକ୍‌ସା ଓ ସାଇକେଲ ତା’ ଚଢ଼ଉରେ ତ୍ୟାଗ କଲେ ନିଜ ନିଜର ଆକାର । ସୃଷ୍ଟି ହେଲା ପ୍ରଚଣ୍ଡ କୋଳାହଳ ଏଇ ଅଭାବିତ ବିପଦ ଯୋଗୁଁ । ସମସ୍ତେ ଛିନ୍‌ଛତ୍ର ହୋଇ ଆତ୍ମରକ୍ଷା କରିବା ସକାଶେ ଧାଇଁଲେ ଯେ ଯୁଆଡ଼େ ।

 

ଠିଆହୁଅ ଯାଅ ବୋଲି ନିର୍ଦ୍ଦେଶ ଦେଉଥିବା ମଣିଷର ସମସ୍ତ ଗାରିମା ଓ ଅହଙ୍କାର ଲୁଣ୍ଠନ କରି, ତାକୁ ବିଦ୍ରୂପ କରିବାର ଲୋଭ ହୁଏତ ସମ୍ୱରଣ କରିପାରିଲା ନାଇଁ ସେ । ସେ ପ୍ରମାଣ କରିବାକୁ ଚାହୁଁଥିଲା ଯେ ସେ ମଧ୍ୟ ଏକ ଅନାହୂତ, ଅଭୂତପୂର୍ବ ବିପଦ ବନିଯିବ ଏବଂ ଚାଲାକ ମଣିଷ ସୃଷ୍ଟି କରିଥିବା ଶୃଙ୍ଖଳା ଓ ସାବଲୀଳତାର ପରିପାଟୀକୁ ବିଧ୍ୱସ୍ତ ଓ ବିକଳାଙ୍ଗ କରିଦେବ ।

 

ସେ ଧାଇଁଲା ଯେ କୌଣସି ପ୍ରତିରୋଧଠାରୁ ଯଥେଷ୍ଟ ବଡ଼ ଶକ୍ତିଟିଏ ହୋଇ । ଗୋଲାକାର ପେଣ୍ଡାଲରୁ ଓହ୍ଲାଇ ଅନ୍ୟ କେଉଁ ନିରାପଦ ସ୍ଥାନକୁ ଯିବା ପୂର୍ବରୁ ସନା ଖାଲି ଅନୁଭବ କରିଥିଲା ଯେ, ଏକ ନିର୍ମମ, ବଳିଷ୍ଠ ଶକ୍ତି ତାକୁ ଅଭିଭୂତ କରିପକାଉଚି । କ’ଣ ହେଲା ବୋଲି ଭଲ କରି ଜାଣିବା ପାଇଁ ତା’ ପାଖରେ ଚେତନାର ଅବଶିଷ୍ଟାଂଶ ନ ଥିଲା ।

 

ଷଣ୍ଢ ତାକୁ ଆହତ କରି ଭୂତଳଶାୟୀ କରିବା ପରେ ତା’ ହାତରୁ ଛିଟିକି ପଡ଼ିଥିବା ଟିଣ ଫଳକକୁ ଚୂଡ଼ାନ୍ତ ଅପମାନ ଦେଲା । ନାଲି ଅକ୍ଷରରେ ‘ଷ୍ଟପ୍’ ବୋଲି ଲେଖାଯାଇଥିବା ଫଳକ ଦୁଇଟି ଅସହାୟ ଆଖି ଭଳି ଆକାଶକୁ ଚାହିଁ ରହିଥିଲେ ଏବଂ ସମ୍ଭବତଃ, ପ୍ରାର୍ଥନା କରୁଥିଲେ ଆତ୍ମରକ୍ଷା ପାଇଁ । ଟ୍ରାଫିକ୍ ନିୟନ୍ତ୍ରଣର ଏଇ ଆଦେଶ ନୋଟିସ୍ କେବଳ ଯେ ଷଣ୍ଢର ଦୁର୍ଦ୍ଦାନ୍ତ ଗତିକୁ ରୋକିବାରେ ବିଫଳ ହେଲେ ତା’ ନୁହେଁ; ଷଣ୍ଢର ତାଚ୍ଛଲ୍ୟ କୁଠାରାଘାତରେ ସେ ଦୁଇଟି ଲୋଚାକୋଚା ହୋଇ ପରିଣତ ହେଲେ ମେଞ୍ଚାଏ ଅଭୁତ ଜିନିଷରେ ।

 

ଡାକ୍ତରଖାନାରେ ଅନେକ ଦିନ ରହିବା ପରେ ସନାର ପ୍ଲାଷ୍ଟରିଙ୍ଗ ଖୋଲାହେବ । ଡାହାଣ ହାତ ଭାଙ୍ଗି ଯାଇଥିଲା ।

 

ତା’ଆଡ଼େ ଚାହିଁ ଯଥେଷ୍ଟ ଉତ୍ସାହର ସହିତ ଡାକ୍ତର ରସିକତା ଆରମ୍ଭ କଲେ ପାଖରେ ଆକର୍ଷଣୀୟ ନର୍ସ ଜଣେ ମହଜୁଦ୍ ଥିବାରୁ—‘‘କିଓ, ତୁମେ ପରା ଟ୍ରାଫିକ୍ ପୋଲିସ୍ ! ହାତ ଦେଖାଇ ଏତେ ବଡ଼ ବଡ଼ ଗାଡ଼ିକୁ ଅଟକାଇ ଦିଅ ! ମୂର୍ଖ ଷଣ୍ଢଟିକୁ ଅଟକାଇ ପାରିଲନି ? ପୁଣି କ’ଣ ନା, ହାତ ଭାଙ୍ଗିଗଲା ! କି ବିଡ଼ମ୍ୱନା !’’ କହିଲେ ଏବଂ ଚାହିଁଲେ ନର୍ସ ଆଡ଼େ, କଥାଗୁଡ଼ିକୁ ପସନ୍ଦ କରି ତାଙ୍କ ଚାତୁରୀକୁ ସେ ତାରିଫ୍ କରୁଚି କି ନା, ଜାଣିବା ପାଇଁ ।

 

ଆଶ୍ଚର୍ଯ୍ୟ କଥା, ସନା ଓଠର ସ୍ମିତ ହସ ଟିକିଏ ଦେଖାଗଲା । ପୃଥିବୀର କୌଣସି ଅପମାନ ଆଉ ଯନ୍ତ୍ରଣାଦାୟକ ନଥିଲା ତା’ ପାଇଁ । ସେ କେବଳ ଅନୁଭବ କରୁଥିଲା ଯେ, ତାକୁ ପରିହାସ କରୁଥିବା ସମସ୍ତ ମଣିଷ ଇନ୍ଦୁ ଓ ତା’ର ପ୍ରେମିକ, ରାସ୍ତାର ଷଣ୍ଢ, ଏଇ ଡାକ୍ତର ଏବଂ ତା’ର ଚାକିରି’—ସମସ୍ତେ ଗୋଟିଏ ସ୍ତରର । ସେ ଯଦି ଠିକ୍ ଭାବରେ ନିଜ ଭାବନା ପ୍ରକାଶ କରିପାରିଥାନ୍ତା, ତେବେ ଏଇଭଳି ଉତ୍ତର ଦେଇଥାନ୍ତା—‘‘ମନେରଖ, ମୂଢ଼ ! ମଣିଷ ଭଳି କରୁଣ ଓ ଉପାୟହୀନ ଜୀବଟିଏ ବିଧାତା ସୃଷ୍ଟି କରିନାଇଁ । କେବେ ହୁଏତ ଏମିତି ପରିସ୍ଥିତିର ସମ୍ମୁଖୀନ ହୋଇଯିବୁ, ଯେତେବେଳେ ବନ୍ଦ କର ବୋଲି ଲେଖାଥିବାମୋ ଟିଣ ଫଳକ ଭଳି ତୋ ଷ୍ଟେଥୋସ୍କୋପ୍ ଅବାନ୍ତର ଓ ନିର୍ବୋଧ ହୋଇ ତୋ ବେକରୁ ଝୁଲୁଥିବ । ତୁ ବୁଝିପାରିବୁ ନାଇଁ କିଛି; ଅଥଚ ଆବିଷ୍କାର କରିବୁ ଯେ ତୁ ତୋର ବିଦ୍ୟା-ବୁଦ୍ଧି ଭୁଷୁଡ଼ି ପଡ଼ଇଚି ସେ ପରିସ୍ଥିତିର କମ୍ପନରେ । ବଡ଼ କଥା ହେଉଚି, ସେ ପରିସ୍ଥିତିର ସମ୍ଭାବନା ସବୁଠି, ସବୁ ମୁହୂର୍ତ୍ତରେ ଅପ୍ରତ୍ୟାଶିତ ଭାବେ ଘଟିଯାଏ ଘଟଣା । କ’ଣ ? ଭାରି ଗମ୍ଭୀର ଦେଖାଗଲୁ ଯେ ? ବୁଝିଗଲୁ ତ, ତୁ ତୋ ନିଜ ପିଠିରେ ପଡ଼ିବା ପାଇଁ ମଧ୍ୟ ସନ୍ତୋଷଜନକ ନୋହୁ । ନିଜ ଅକ୍ଷମତାକୁ ଘୋଡ଼େଇ ବାହାଦୂରୀ ନେବା ସକାଶେ ବାହାସ୍ଫୋଟ ମାରିବାରେ କୌଣସି ପୁରୁଷପଣିଆ ନ ଥାଏ । କ’ଣ ନା, ସୃଷ୍ଟିକୁ ଅକ୍ତିଆର କରି ଶୃଙ୍ଖଳା ଆଣିବୁ ! ବେକୁବ୍ କେଉଁଠିକାର !’’

 

ସନାକୁ ଯଥେଷ୍ଟ ଉଶ୍ୱାସ ଲାଗିଲା । ପ୍ରଥମଥର ପାଇଁ ଜାଣିଲା, ସମସ୍ତଙ୍କୁ ଉପହାସ କରିବା କେଡ଼େ ସହଜ । କିନ୍ତୁ, ନା କାହିଁକି ଉପହାସ–ବିଦ୍ରୂପ କରିବ ? ମଣିଷର ଜନ୍ମଗତ ଦୁଃଖ ଓ ନିରାଶ୍ରୟ ଭାବକୁ ଆହୁରି ଓଜନିଆ କରି, ମଣିଷକୁ ସେ ସଂପର୍କରେ ସଚେତନ କରିଦେବାରେ କିଛି ବାହାଦୂରୀ ଅଛି କି ? ବଞ୍ଚି ରହିଥାଉ ବିଚରା ମଣିଷ ନିଜର ଅସହାୟତାକୁ ନେଇ ଏବଂ ସମସ୍ତ ବିପର୍ଯ୍ୟୟର ମୁକାବିଲା କରିପାରିବା ଭଳି ତା’ଠି ଶକ୍ତି ଓ କୌଶଳ ଅଛି ବୋଲି ନିଜର ଛଳନାକୁ ନେଇ ।

Image

 

ନିଃସଙ୍ଗ ବର୍ତ୍ତମାନ

 

କୁଳମଣିର ଅସ୍ଥାୟୀ ଚା’ ଦୋକାନ ସାମନାରେ ଆମ୍ଭମାନଙ୍କର ଆସର ସରିଲା ବେଳକୁ ରାତି ପ୍ରାୟ ନ’ଟା । ପାଞ୍ଚ ମାଇଲ ଦୂରରୁ ହାଟ କାମ ସାରି ଆସିଥିବା ସେ’ଦିନର ଶେଷ ଆଠଜଣ ଗ୍ରାହକ ବେଞ୍ଚ ଛାଡ଼ି ଠିଆହେଲେ ଓ ବିଡ଼ି, ସିଗାରେଟ୍‌ରେ ନିଆଁ ଧରାଇଲେ । ସେମାନେ ଆହୁରି ତିନି ମାଇଲ ଦୂର ତାଙ୍କ ଗାଁକୁ ଯିବେ । ସେମାନେ ସମସ୍ତେ ଥିଲେ ଆମ୍ଭମାନଙ୍କର ପରିଚିତ । ରୁଟିନ କାମ ଭଳି ସପ୍ତାହରେ ଦୁଇଦିନ ହାଟ ସାରି ଗାଁକୁ ଫେରିବା ବାଟରେ ସେମାନେ ଆମ ଗାଁ ମୁଣ୍ଡ ଛକରେ ସାଇକେଲ୍‌ରୁ ଓହ୍ଲାନ୍ତି । ସେମାନଙ୍କଠାରୁ ପ୍ରଲୁବ୍‌ଧ ଓ ଆଗ୍ରହୀ ହୋଇ ଆମେ ଶୁଣୁ ଜାପାନ ଓ ଚୀନ ତିଆରି ବିଭିନ୍ନ ଅଲୌକିକ ସାମଗ୍ରୀମାନଙ୍କର ବର୍ଣ୍ଣନା । ସେମାନେ କୁଳମଣିର ଅସ୍ଥାୟୀ ଚା’ ଦୋକାନ ପାଖରେ ପହଞ୍ଚିବା କ୍ଷଣଇ ବସ୍ତୁତଃ ଆମେ ହବିବ୍ ଖାଁର ରେଡ଼ିଓ କମ୍ ଟେପ୍ ରେକର୍ଡ଼ରୁ ଗୀତ ଶୁଣୁ କିମ୍ୱା ଆମ୍ଭମାନଙ୍କର କଥାବାର୍ତ୍ତା ଓ ବେସୁରା ଗୀତର ହସ୍ତାକ୍ଷର ତହିଁରେ ଲେଖିରଖୁ ।

 

ସେମାନେ ଟର୍ଚ୍ଚ ଜଳେଇ ସାଇକେଲ ଚଢ଼ିଲେ । ଆମେ ହାଇମାରି ଦୃଷ୍ଟି ଫେରାଇଲୁ । କୁଳମଣି ଧୂଆଁଳିଆ ଲଣ୍ଠନ ଆଲୁଅରେ ଚା’ ଗ୍ଲାସ୍ ଓ ପ୍ଲେଟ ସଜାଡ଼ି ରଖୁଥିଲା ଦୋକାନ ଭିତରେ । ଚାରି-ପାଞ୍ଚଟା କାଚ ଜାର୍ ମଇଳା ଆଲୁଅରେ ଆହୁରି କ୍ଷୁଧିତ ଓ ଅନ୍ତଃସାରଶୂନ୍ୟ ଦେଖାଯାଉଥିଲେ-। ଚୂଲି ନିଆଁ ଲିଭିଗଲାଣି । ତିନି ଦିନ ପାଇଁ ତା’ ଚା’ ଦୋକାନ ଆପାତତଃ ବନ୍ଦ ରହିବ । ସେ ପୁଣି ଅପେକ୍ଷା କରିବ ଆସନ୍ତା ହାଟ ପାଳିକୁ, ତା’ ବାଣିଜ୍ୟର କ୍ରମନ୍ୱୟତା ରକ୍ଷା କରିବା ପାଇଁ-

 

ଗାଁ ମୁଣ୍ଡ ଛକରେ ତାହା ହିଁ ହେବାକୁ ଯାଉଥିଲା ସେ’ଦିନର ସର୍ବଶେଷ ଆସର ଓ କୋଳାହଳ । ଏଠାରୁ କିଛି ଦୂରରେ ଥିବା ଗାଁ, ତୋଟାମାଳର ଅନ୍ଧକାର ଘୋଡ଼ିହୋଇ ନିଶ୍ଚଳ ଓ କ୍ଲାନ୍ତି ଭିତରେ ଅଦୃଶ୍ୟ ହୋଇଯାଇଚି । କେଜାଣି, ହୁଏତ କୀର୍ତ୍ତନଦାଦାଙ୍କ ପିଣ୍ଡା ଉପରେ ଭାଗବତ ପଢ଼ା ଚାଲିଥିବ ଅନିଚ୍ଛୁକ ଆଲୁଅ ତଳେ ଓ ନିଦୁଆ, ଅନ୍ୟମନସ୍କ ଶ୍ରୋତାଙ୍କ ଗହଣରେ । ୟା ବ୍ୟତୀତ ରାତ୍ରୀଭୋଜନ ଶେଷ କରି ଅଧିକାଂଶ ଶୋଇ ଯିବେଣି । ଗୁହାଳମାନଙ୍କରୁ ଗୋରୁମାନଙ୍କର ଗରମ ଦୀର୍ଘଶ୍ୱାସର ଶବ୍ଦ ଶୁଭୁଥିବ କିମ୍ୱା ନିଦବାଉଳା କେଉଁ ଛୁଆର ଆର୍ତ୍ତନାଦ କେଉଁଠି କେମିତି ବିଞ୍ଚି ହୋଇ ପଡ଼ୁଥିବ ଅସ୍ୱସ୍ତିର ଏକ ବିସ୍ଫୋରଣ ଭଳି ।

 

ନିତାନ୍ତ ଛୋଟ ଓ ନିପଟ ମଫସଲ ଆମ ଗାଁ ମୁଣ୍ଡ ଛକରେ ବାଣିଜ୍ୟ ବ୍ୟବସାୟ ଚାଲୁରଖୁଥିବାର ବ୍ୟାକୁଳ ଓ କରୁଣ ଛଳନାର ଆମେ ହେଲୁ ଅଭିନେତା । ୟା ବ୍ୟତୀତ ଆମ୍ଭମାନଙ୍କର ଅନ୍ୟ କୌଣସି ବିକଳ୍ପ ନଥିଲା । କୁଳମଣିର ଅସ୍ଥାୟୀ ଚା’ ଦୋକାନ ପାଖରେ ଥିଲା ମୋର ତେଜରାତି ଦୋକାନ । ଚାଳ—ମାଟି ଟାଇଲ । ତା’ ମଧ୍ୟରୁ କେତେ ଗୁଡ଼ିଏ ଫଟା । ବର୍ଷା ଦିନେ ପାଣି ଗଳେ । ଟାଇଲ ପେଟରେ ସବୁଜ ଶିଉଳି ଶୁଖେ, ମରାମତ ଅଭାବର ସ୍ଥାୟୀ ଆର୍ତ୍ତନାଦ ଭଳି । ଭିତରେ ଦୋକ୍ତା, କିରାସିନି ଇତ୍ୟାଦିର ଉତ୍କଟ, ଓଜନିଆ ଗନ୍ଧ । ପନ୍ଦର-କୋଡ଼ିଏଟା ବହୁ ପୁରାତନ, ତାରିଖ ବିବର୍ଜିତ ମଇଳା କ୍ୟାଲେଣ୍ଡର । ଦୋକାନ ଆଗରେ ଯେଉଁ ସିମେଣ୍ଟ ବାରଣ୍ଡା ଅଛି, ତାହା ନାଁକୁ ମାତ୍ର ସିମେଣ୍ଟ ବାରଣ୍ଡା । ଅର୍ଦ୍ଧାଧିକ ଅଞ୍ଚଳରେ ସିମେଣ୍ଟ ଚମଡ଼ା ଉଠିଯାଇଚି ।

 

ମୋ ଦୋକାନକୁ ଯେଉଁ ଦୋକାନ ପ୍ରାୟ ସ୍ପର୍ଶ କରୁଥିଲା, ତାହା ଥିଲା ବନବିହାରୀର ତେଜରାତି ଦୋକାନ । ଚାଳ ଛପର । ଅଣଓସାରିଆ ମାଟି ପିଣ୍ଡା । ରାସ୍ତାର ଅନ୍ୟ ପାଖରେ ଥିଲା ଦୁଇ ବଖରା ବିଶିଷ୍ଟ ଏକ ଚିକ୍‌କଣ, ଧଳା, ସିମେଣ୍ଟ ଟାଇଲ ଛାତର ଏକ ସୁନ୍ଦର ଘର । ସେଇଟିକୁ ରଘୁନାଥ ତିଆରି କରିଥିଲେ ଆମ ଭଳି ଛୋଟ-କାଟର ମେଞ୍ଚଡ଼ ଦୋକାନୀମାନଙ୍କୁ ସାବାଡ଼ କରିବା ପାଇଁ । ବହୁ ବଡ଼ ଦୋକାନଟିଏ ଖୋଲିବାର ଯୋଜନା ଦୁଇ ବର୍ଷ ହେଲା କାର୍ଯ୍ୟକାରୀ ହୋଇପାରି ନାଇଁ । ସେଇ ଘରକୁ ଲାଗି ନିରାକାରର ତଥାକଥିତ ଲୁଗାଦୋକାନ । ଗାମୁଛା, ଶସ୍ତା ଧୋତି; ଏପରିକି ଛୋଟ ରେଡ଼ିମେଡ଼୍ ପେଣ୍ଟ-କମିଜ ତହିଁରେ ଗଚ୍ଛିତ ଥାଏ ଏବଂ ଭାଗ୍ୟ ଅନୁକୂଳ ହେଲେ ଗ୍ରାହକମାନଙ୍କ ହାତକୁ ଯାଏ ।

 

ଆମେ, ବ୍ୟବସାୟୀଗଣ, ଗାଁ ସ୍କୁଲର ପାଠ ଶେଷ କରି ପାଞ୍ଚମାଇଲ ଦୂର ହାଇସ୍କୁଲରେ ପଢ଼ୁଥିଲୁ । ଆମ ଜୀବନର କେଉଁ ଲକ୍ଷ୍ୟ ଥିଲା, ତାହା ଆମେ କେହି ଜାଣି ନ ଥିଲୁ । ହାଇସ୍କୁଲରେ ପଢ଼ୁଥିଲୁ; ମାଇନର ପାସ୍ କରିବା ପରେ ସେଇ ସ୍କୁଲରେ ନାଁ’ ଲେଖାଯାଏ ବୋଲି । ମୁଁ ଅଷ୍ଟମ ଶ୍ରେଣୀରୁ ନବମକୁ ପ୍ରମୋସନ୍ ପାଇ ନ ପାରି ପାଠପଢ଼ା ଶେଷ କଲି । ଲୁଙ୍ଗି ପିନ୍ଧି ବୁଲିଲି ଦିନାକେତେ ଏଣେତେଣେ । ମନ ହେଲେ ବିଲକୁ ଯାଏ, ନ ହେଲେ ବହୁ ପୁରୁଣା ତାର ଧରି ପାର୍ଟନର ଖୋଜି ବୁଲେ । ଜୀବନରେ କିଛି ହେଲା ନାଇଁ ବୋଲି ଗାଳି ଶୁଣେ । ମାତ୍ର ମୁଁ ଜାଣିପାରୁ ନ ଥିଲି କ’ଣ କରାଯିବା ଦରକାର । ବିଲକାମ ଇତ୍ୟାଦି ଆଭଏଡ଼୍ କରିବା ପାଇଁ ଗାଁ ମୁଣ୍ଡ ଛକରେ ମୋ ଦୋକାନ ଖୋଲିଲା । ଅନ୍ୟମାନେ ମୋ ଭଳି ପାଠ ପଢ଼ାରେ ହତାଶ ହୋଇ ଦୋକାନ ଖୋଲିଲେ । ବସ୍ତୁତଃ ସେଇ ଅଞ୍ଚଳଟି ଗାଁର ଆଡ଼୍‌ଡ଼ା ସ୍ଥଳି ହୋଇପଡ଼ିଲା ଦିନ କେଇଟାରେ । ଖଣ୍ଡିଏ ଟିଣ ଉପରେ ଆଲକାତରା ସାହାଯ୍ୟରେ ଲେଖାହେଲା–‘ଲକ୍ଷ୍ମୀ ମାର୍କେଟ୍’ । ଦୁଇ ଖଣ୍ଡ କାଠରେ କଣ୍ଟା ପିଟି ତାହାକୁ ଲଗେଇଦେଲୁ । କାଠ ଦୁଇ ଖଣ୍ଡକୁ ପୋତି ଦେଲୁ ଦୋକାନ ସାମନାରେ ।

 

ସେଇ ଛକରେ ଯେଉଁ ତିନୋଟି ରାସ୍ତା ମିଳିତ ହୁଅନ୍ତି, ସେଗୁଡ଼ିକ ସଂଯୋଗ କରନ୍ତି ଗାଁଠାରୁ ସାତ-ଆଠ ମାଇଲ ଦୂର ତିନୋଟି ଛୋଟ ମଫସଲ ବାଣିଜ୍ୟ କେନ୍ଦ୍ର ସହିତ । ଅନେକ ସାଇକେଲ ଓ ପାଦଚଲା ମଣିଷ ସେଇ ଛକ ପଟେ ଯିବାଆସିବା କରନ୍ତି । ଆମ ଗାଁଠାରୁ ଅଳ୍ପ ଦୂରରେ ଥିବା ଦୁଇ-ତିନୋଟି ଗାଁର ଗ୍ରାହକମାନେ ଆସନ୍ତି ଲକ୍ଷ୍ମୀ ମାର୍କେଟକୁ ସଉଦା ପାଇଁ ।

 

ଅପରାହ୍ନ ତିନିଟା-ଚାରିଟା ବେଳେ ଟିକିଏ ଗହଳି ହୁଏ । ଅନ୍ୟ ସମୟରେ ଆମେ ପ୍ରାୟ ବସିଥାଉଁ କିଛି ନ କରି । ନିମ୍ନ ସ୍ତରର ହସିବା କଥା, ପର ଚର୍ଚ୍ଚା କିମ୍ୱା ତାସଖେଳରେ ସମୟ କଟେ କୁଣ୍ଠିତ ଭାବରେ । ମାତ୍ର ସେଇ ସମୟ କଟିବା ଭିତରେ ରାଶି ରାଶି କ୍ଲାନ୍ତି ଓ ଅବସାଦ, ଅନେକ ଦୀର୍ଘଶ୍ୱାସ ଓ ହାଇ ଆମ ଉପରେ ଘସି ହୋଇଯାଏ । ବେଳେବେଳେ ଆମେ ଅହେତୁକ କ୍ରୋଧ ଓ ଅପାରଗତାରେ ଛଟପଟ ହେଉଁ । କିଛି ଗୋଟାଏ ଅପ୍ରତ୍ୟାଶିତ ଘଟଣା ଘଟିବ ଓ ଆମ ଜୀବନର ନକ୍‌ସା ବଦଳିଯିବ ବୋଲି ଆଶା କରିବା ସତ୍ତ୍ୱେ ଦିନ ଗଡ଼ିଚାଲେ ସ୍ୱାଭାବିକ ଢଙ୍ଗରେ । ଗୋଟାଏ ଘସରା, ନିରାନନ୍ଦ ପରିବର୍ତ୍ତନହୀନ ଜୀବନ କଟାଇ ଆମେ ଥକିଯାଉ, ବିରକ୍ତ ହେଉ । ରାତିରେ ବାରଣ୍ଡା ଉପରେ ଖଟ ପକାଇ ଝାପ୍‌ସା ଓ ନିର୍ଲିପ୍ତ ଦେଖାଯାଉଥିବା ଗଛ, ଆକାଶର ପର୍ଯ୍ୟାପ୍ତ ତାରକା ଦେଖୁ । ଦେଖୁ, ଅଳ୍ପ ଦୂରରେ ଥିବା ପୋଖରୀ କୂଳର ଓସ୍ତ ଓ ଖଜୁରୀ ଗଛମାନଙ୍କୁ । ଶୋଇବାକୁ ଚେଷ୍ଟା କରିବା ଭିତରେ ଅନେକ ଯନ୍ତ୍ରଣା ଓ ସଂଘର୍ଷ ଅତିକ୍ରାନ୍ତ ହୋଇଯାଏ । ଯେତେବେଳେ, ସକାଳର ଖରା ବୁଣି ହୋଇଯାଏ ଚାରିଆଡ଼େ ଏବଂ ବସ୍ତୁତଃ ଆମକୁ ବିଛଣାରୁ ଠେଲି ଉଠେଇଦିଏ, ଆମେ ଅନିଚ୍ଛା ସତ୍ତ୍ୱେ ବିଛଣା ଛାଡ଼ୁ । ଆଶ୍ୱାସନାହୀନ, ପ୍ରତିଶ୍ରୁତିହୀନ ଦିନର ସାମନାସାମନି ହେଉ ।

 

ସେ’ଦିନ ହାଟ ବାହୁଡ଼ା ଲୋକମାନେ କୁଳମଣିର ଚା’ ଦୋକାନରୁ ଚାଲିଯିବା ପରେ ଆମେ ସମସ୍ତେ ଯେଝା ଦୋକାନକୁ ଫେରିଆସିଲୁ । ଦଉଡ଼ିଆ ଖଟ ଉପରେ ବିଛଣା ପାରିବା ସମୟ ହୋଇଗଲାଣି । ବାରଣ୍ଡା ଉପରକୁ ଉଠି ଦେଖିଲି, ସବୁଦିନ ଭଳି ଗୋଟାଏ ଦରକଙ୍ଗଳା, ମଇଳା କୁଢ଼ ହୋଇ ନିଶ୍ଚିନ୍ତରେ ଶୋଇଯାଇଚି ହାଡ଼ିବନ୍ଧୁ ଓରଫ୍ ହାଡ଼ିଆ ।

 

ବାରଣ୍ଡା ରୁଅରୁ ଖଣ୍ଡିଏ ତାର ସାହାଯ୍ୟରେ ଝୁଲି ରହିଥିଲା ଲଣ୍ଠନ । ତା’ର ପୀଡ଼ିତ ଆଲୁଅରେ ହାଡ଼ିଆ ସେଦିନ ଦେଖାଗଲା ସୃଷ୍ଟି ଛଡ଼ା, ଅଥଚ ବେପରୁଆ । ଡାହାଣ ହାତ ଉପରେ ମୁଣ୍ଡ ଥୋଇ ସେ ଶୋଇଚି । ଅଣ୍ଟାରେ ପିନ୍ଧିଥିବା ସାତସିଆଁ ଲୁଗାଟି ତା’ର ଖରାସିଝା ଦେହ ଉପରେ ଥିଲା ଖଣ୍ଡିଏ ଦୟନୀୟ, ଅପ୍ରତିଭ ପ୍ୟାଚ । ସେ ଶୋଇଚି ରାଜକୀୟ ଢଙ୍ଗରେ ଏକ କ୍ଲାନ୍ତିହୀନ, ଆତ୍ମବିଶ୍ୱାସ ଭରପୂର ନିଦରେ । ଜୀବନର ସମସ୍ତ ଜଞ୍ଜାଳ, ସମସ୍ତ ସଂକଟକୁ ବେଖାତିର କରି ତା’ର ଶୋଇବାଟା ଥିଲା ତା’ ଜୀବନର ସର୍ବଶ୍ରେଷ୍ଠ ଅହଂ ଓ ଅହଂକାର; ତାହା ହିଁ ଥିଲା ତା’ ବଞ୍ଚି ରହିବାର ଗର୍ବିତ ନିଶାଣ ।

 

ସବୁ ଦିନ ସଂଧ୍ୟାରେ ସେ କାହିଁକି ଆସେ ଲକ୍ଷ୍ମୀ ମାର୍କେଟକୁ ? ସଂସାର ସଂପର୍କରେ ସଂପୂର୍ଣ୍ଣ ଅନଭିଜ୍ଞ ଏଇ ଦରବୁଢ଼ା ମଣିଷଟି କାହିଁକି ଆସେ ଏଠାକୁ ଏବଂ ଆମର ଆସର ଓ କୋଳାହଳକୁ ଏକ ଦୂରନ୍ତ ଦୃଷ୍ଟିରେ ଦେଖୁ ଦେଖୁ ଶୋଇପଡ଼େ ଅନିବାର୍ଯ୍ୟ ନିଦରେ ? ଏମିତି ଚାହାଣୀରେ ସେ ବେଳେବେଳେ ଆମକୁ ଅନାଏ, ସତେଅବା ଆମର ସମସ୍ତ ଅଶ୍ଳୀଳ କଥା, ହସଖୁସି ଓ ସମସ୍ୟା ଭେଦକରି ତା’ ଦୃଷ୍ଟି ଟପିଯାଉଚି ଅନ୍ୟ ଏକ ଅର୍ଥମୟ ଜଗତ ଭିତରକୁ; ଯାହାର ତାତ୍ପର୍ଯ୍ୟ ଓ ଗୁରୁତ୍ୱ ଆମ ସମସ୍ତଙ୍କୁ ଅଜଣା । ଅଥଚ ହାଡ଼ିଆ ଜଣେ ମାମୁଲି ମଣିଷ ବ୍ୟତୀତ ଅଧିକ ବା କ’ଣ ? ଆଦିମ କାଳରୁ ଗାଈ, ଛେଳି ଚରାଇବା ଭିତରେ ସେ ଏମିତି ବା କେଉଁ ଅଭିଜ୍ଞତା ଅର୍ଜନ କରିଚି, ଯାହା ଆମ ଜୀବନ ଧାରଣ ଓ ତଜ୍ଜନିତ ସଂକଟମାନଙ୍କ ସହିତ ସଂପର୍କିତ ? ଜଣେ ନିରକ୍ଷର, ହାଉଡ଼ା ମଣିଷ ଆମ୍ଭମାନଙ୍କ ପାଇଁ କେଉଁ ବାର୍ତ୍ତା ହୋଇପାରେ ?

 

ବନବିହାରୀ ତା’ ଦୋକାନ ଆଡ଼େ ଯାଉଁ ଯାଉଁ ଦେଖିନେଲା ପରିଚିତ, ମଇଳା କୁଢ଼ଟିକୁ ଏବଂ ପ୍ରସ୍ତାବ ବାଢ଼ିଲା–‘‘ହାଡ଼ିଆ ଶୋଇଚି ନା, କ’ଣ ? ଶୋଉଥାଉ ସେମିତି । ଶଳା ଦି’ନି ଗୋଟେ ପାଲା ଲଗେଇଚି ଏଠି । ଜମା ଉଠାନା ଆଜି ।’’

 

ସେଦିନ କାହିଁକି କେଜାଣି ହାଡ଼ିଆର ଉପସ୍ଥିତି ମୁଁ ସହଜରେ ଗ୍ରହଣ କରିପାରିଲି ନାଇଁ । ତାକୁ ସବୁ ଦିନ ନିଶ୍ଚିନ୍ତ ନିଦରୁ ଉଠେଇ ସାରିବା ପରେ ଆମେ କାଣିଚାଏ ନିଦ ଖୋଜିବା ହେଉଚି ଲକ୍ଷ୍ମୀ ମାର୍କେଟରେ ଆମର ସର୍ବଶେଷ କାମ । ମାତ୍ର ତାକୁ ନିଦରୁ ଉଠେଇବା କ’ଣ ସହଜ ବ୍ୟାପାର ? ଏପଟ ସେପଟ ଗଡ଼ାଇ, ହାତ ଗୋଡ଼ ଟଣାଓଟରା କରି ରିତିମତ କସରତ କରିବାକୁ ପଡ଼େ । ନିଦ ଭାଙ୍ଗି ବା ପରେ ସେ ଆଉ ଆମ ଆଡ଼େ ଅନାଏ ନାଇଁ । ଅଣ୍ଟାରୁ ଖସି ଯାଇଥିବା ଲୁଗା ଭିଡ଼େ । ଠିଆହୁଏ ଏବଂ ଛକ ପାଖରେ ଥିବା ଝଙ୍କାଳିଆ, ଉଦାର ବରଗଛ ମୂଳେ ପରିଶ୍ରା କରେ । ତା’ପରେ ନିଦ ନିଶାରେ ଅଣାୟତ୍ତ ଦେହକୁ ଠେଲି ନିଏ ଗାଁ ତୋଟା ଭିତରକୁ ପ୍ରାୟ ପାଞ୍ଚ ମିନିଟ୍ ପରେ ଗାଁ ଭିତରୁ ଅତର୍ଚ୍ଛ, ଜରୁରୀ ଡାକଟିଏ ଶୁଭେ—‘‘ମା, କବାଟ ଖୋଲ ।’’

 

କବାଟ ବୋଧହୁଏ ଚଞ୍ଚଳ ଖୋଲେ ନାହିଁ । ସେଇଥିପାଇଁ ପୁଣି ଆଦେଶ ଶୁଭେ–‘‘କବାଟ ଖୋଲୁଚୁ, ନା ଦେବି ଭାଙ୍ଗି ଏଇଟାକୁ ? କିଲୋ, ଚଞ୍ଚଳ ଖୋଲ୍ ! ତୋ କାନରେ ନିଆଁଖୁଣ୍ଟା ଗୁଞ୍ଜା ହୋଇଚି, ନା ମଲୁଣି ଘର ଭିତରେ ।

 

ଏକ ଚିରାଚରିତ ଧମକ ମିଶାମିଶି ଡାକ । ଲକ୍ଷ୍ମୀ ମାର୍କେଟ ଜନ୍ମ ହେବା ପୂର୍ବରୁ ସେ ଶୋଉଥିଲା ଗାଁ ଦାଣ୍ଡ ବଉଳଗଛ ମୂଳ ଚିକ୍‌କଣ ପଥର ଉପରେ କିମ୍ୱା କୀତ୍ତନଦାଦାଙ୍କ ଭାଗବତ ପଢ଼ା ପିଣ୍ଡା ଉପରେ । ଗଛର ଉଦାରତା, ଭାଗବତର ବିଜ୍ଞତା ଓ ବର୍ତ୍ତମାନର ଲକ୍ଷ୍ମୀ ମାର୍କେଟର ମୂଖ୍ୟତଃ ଅଶ୍ଳୀଳତା ସବୁଠାରେ ସେ ଶୋଇପଡ଼େ ନିଘୋଡ଼ ନିଦରେ କୌଣସି କଥା ନ ବୁଝି, ନ ଶୁଣି, ଅନୁଭବ ନ କରି । ଗାଁର ସର୍ବଶ୍ରେଷ୍ଠ ଅଭିଜ୍ଞ ଗାଈଆଳ ଓ ତା’ର ନୀରବ ମା’ର ଶୋଇବା ଏବଂ ନିଦରୁ ଉଠିବା ଭିତରେ ଆମ ଗାଁର ଦିନ ବିତିଯାଏ ।

 

କୁଳମଣି ତା’ ଦୋକାନ ବନ୍ଦ କରି ସେତେବେଳେ ଠିଆହେଲାଣି ଆମ ଦୋକାନ ସାମନାରେ ହାତରେ ଲଣ୍ଠନ ଧରି । ଆମ ଭଳି ଦୋକାନରେ ସେ ରାତି ବିତାଏ ନାଇଁ । ଘରକୁ ଫେରି ସ୍ତ୍ରୀଠାରୁ ଗାଳି ଶୁଣେ ଏବଂ ପରେ ତାକୁ ନିସ୍ତୁକ ମାଡ଼ ଦିଏ । ଅକର୍ମଣ୍ୟ, ମାଇଚା ବୋଲି ନିଜର ବର୍ଣ୍ଣନା ଶୁଣେ ଏବଂ ଘରର ଯାବତୀୟ ଜିନିଷ ଫୋପଡ଼ା ଫୋପଡ଼ି କରେ । ନିଦରୁ ଉଠେଇ ଛୁଆ ତିନିଟାଙ୍କୁ ପିଟେ । ଏଇମିତି ଚାଲେ ତା’ ସଂସାର । ପଳାୟନର ଗୋଟାଏ ବାଟ ଖୋଜି ଖୋଜି ସେ ନୟାନ୍ତ ହୋଇପଡ଼େ । ସେଇଥିପାଇଁ ଆମ ଭଳି କମ୍ ବୟସ୍କ ଲୋକଙ୍କ ସହିତ ମିଳାମିଶା କରି ଅନ୍ୟମନସ୍କ ଜୀବନ ବିତାଏ ।

 

ବିଡ଼ି ଟାଣୁଥିବା ଅବସ୍ଥାରେ ସେ ଠିଆହେଲା କିଛି ସମୟ । ଗୋଟାଏ ମନମୁଗ୍‌ଧକର କାମ କରିବା କଥା ଚିନ୍ତା କଲା । ପାଖକୁ ଆସି ଜଳନ୍ତା ବିଡ଼ିଟିକୁ ଧରି କହିଲା—‘‘ନିଦ ଭାଙ୍ଗୁ ନାଇଁ ପରା ହାଡ଼ିଆର ? ଦେଖ, ଭାଙ୍ଗୁଚି କି ନା ।’’

 

ବିଡ଼ିଟାକୁ ସେ ଧରିଲା ହାଡ଼ିଆ ଗାଲ ପାଖରେ । ପୁଣି କ’ଣ ଭାବିଲା କେଜାଣି, ଓଠ ପାଖକୁ ନେଇ ଦମ୍ ନେଲା । ନିରାକାର ଓ ବନବିହାରୀ ପାଖରେ ଠିଆହେଲେ କ’ଣ ଘଟିବାକୁ ଯାଉଚି ଦେଖିବାପାଇଁ । କୁଳମଣି ଚାହିଁଲା ମୋ ଆଡ଼େ । କହିଲା—‘‘ନାଇଁ, ମୁଁ ଯାଉଚି । ଡେରି ହୋଇଗଲାଣି ।’’ ଲଣ୍ଠନ ଧରି ସେ ଠିଆହେଲା ।

 

ନିରାକାର ପାଟିକରି ଡାକିଲା—‘‘ହାଡ଼ିଆ ! ଆବେ, ଉଠ୍ ! ଘରକୁ ଯିବୁ ନାଇଁ ନା, କ’ଣ-?’’ କହୁଁ କହୁଁ ସେ ହାଡ଼ିଆର ପିନ୍ଧାଲୁଗାଟା ଟାଣିଦେଲା ଏବଂ ଆମ ସମ୍ମୁଖରେ ହାଡ଼ିଆର ନିଷ୍ଫଳ ଦେହଟି ସଂପୂର୍ଣ୍ଣ ଉଦ୍‌ଘାଟିତ ହୋଇଗଲା ।

 

ଆମେ ସମସ୍ତେ ଉଚ୍ଚସ୍ୱରରେ ହସିଉଠିଲୁ । ଦୃଶ୍ୟଟିକୁ ଚୂଡ଼ାନ୍ତ କରିବା ପାଇଁ କୁଳମଣି ହାଡ଼ିଆର ଳୁଗାଟିକୁ ଫୋପାଡ଼ିଦେଲା ଦୋକାନ ଛପର ଉପରକୁ । ମାତ୍ର ସେ ପର୍ଯ୍ୟନ୍ତ ତା’ ନିଦ ଭାଙ୍ଗି ନ ଥାଏ । ସେ ଶୋଇଥାଏ ନିଜ ଉଲଗ୍ନତା ପ୍ରତି ଜାଗ୍ରତ ନ ହୋଇ କିମ୍ୱା ଆମ୍ଭମାନଙ୍କର କୌତୁକ ପ୍ରତି ସଚେତନ ନ ହୋଇ ।

 

ଠିକ୍ ଏଇ କାରଣରୁ ଆମ୍ଭମାନଙ୍କର ଉତ୍ସାହ ଜମିଗଲା । ହାଡ଼ିଆ ଯଦି ନିଜ ଅବସ୍ଥା ଦେଖି ନ ପାରି ଅପ୍ରତିଭ ନ ହେଲା ଏବଂ ଆମ୍ଭମାନଙ୍କୁ ଚାଲେଞ୍ଜ କରି ପ୍ରତିବାଦ ନ କଲା, ତେବେ ଏମିତି କରିବାରେ ଲାଭ ରହିଲା କେଉଁଠି ? ତା’ନିଦ ଭାଙ୍ଗିବା ଦରକାର । ବନବିହାରୀ ଓ ନିରାକାର ଉଭୟ ଲାଗିପଡ଼ିଲେ ସେଇ କାମରେ । ମୁଁ ଲଣ୍ଠନ ତେଜିଦେଲି ଦୃଶ୍ୟଟିକୁ ଆହୁରି ନାଟକୀୟ ଓ ମଜାଦାର କରିବା ପାଇଁ ।

 

ନିଦ ଭାଙ୍ଗିବା କ୍ଷଣି ଅଭ୍ୟାସ ବଶତଃ ହାଡ଼ିଆ ଲୁଗା ସଜାଡ଼ିବା ପାଇଁ ଯାଉଥିଲା; ମାତ୍ର ନିଜକୁ ଦେଖିବା ପରେ ତା’ ମୁହଁରେ ତଥାପି ଲାଗି ରହିଥିବା ନିଜର ଅଳନ୍ଧୁ ପୋଛି ହୋଇଗଲା । ଦୁଇ ହାତରେ ନିଜକୁ ଯଥାସମ୍ଭବ ଲୁଚେଇବା ପାଇଁ ଚେଷ୍ଟା କରି ସେ ଚିତ୍କାର କରିଉଠିଲା ଉଚ୍ଚସ୍ୱରରେ । ଏଠାରେ କହିରଖୁଚି ଯେ, ସେ ଚିତ୍କାରର ତାତ୍ପର୍ଯ୍ୟ ଆମେ ସହଜରେ ବାରିପାରିଲୁ ନାଇଁ ସିନା; କିନ୍ତୁ ତା’ ଭିତରେ ଥିଲା ଏକ ପ୍ରଚଣ୍ଡ ଶକ୍ତି; ଯାହାକି ଦୋହଲାଇ ଦେଲା ଆମ୍ଭମାନଙ୍କର ଶସ୍ତା ସ୍ଥିତିକୁ ଏବଂ କେତୋଟି ମୁହୂର୍ତ୍ତ ପର୍ଯ୍ୟନ୍ତ ତାହା ଆମକୁ ନିରୁପାୟ କରିଦେଇଥିଲା । ସେ ପ୍ରଚଣ୍ଡ ଶକ୍ତି ବିଛେଇ ହୋଇଗଲା ଚାରିଆଡ଼େ—ନୀରବ, ଅନ୍ଧାର, ଶୋଇଲା ଗାଁ ଉପରେ ଏବଂ ଆରୋହଣ କଲା ପାଖ ପାହାଡ଼ ଓ ସ୍ତବ୍‌ଧ ଆକାଶ ଉପରେ । ତା’ର ଏଭଳି ଚିତ୍କାର ଆମେ ଶୁଣି ନଥିଲୁ ଆଗରୁ । ସମ୍ଭବତଃ ତା’ର ଅବିବାହିତ, କ୍ଳିବ ଜୀବନରେ ତାହା ହିଁ ଥିଲା ସବୁଠାରୁ ବଳିଷ୍ଠ, ନିର୍ଭୀକ କାମ ।

 

ଏଇମିତି କିଛି ଗୋଟାଏ ଘଟୁ ବୋଲି ଆମେ ଚାହୁଁଥିଲୁ । ତା’ର ଇଜ୍ଜତ ଲୁଣ୍ଠନ କରିବା ପରେ ସେ ଅପାରଗ ଆପତ୍ତିରେ ଜଡ଼ସଡ଼ ହେଉତାହା ଉପଭୋଗ କରିବା ଆମର ଲକ୍ଷ୍ୟ ଥିଲା । ତା’ର ପ୍ରାଥମିକ ପ୍ରତିବାଦ ଉଚ୍ଚ ସ୍ୱରର ଚିତ୍କାର—ଆମକୁ ବେଶ୍ ଆମୋଦିତ କଲା । ଆମେ କିଛି କହିବା ପୂର୍ବରୁ ସେ ଆଦେଶ ଦେଲା—‘‘ଶଳେ, ମୋ ଲୁଗା ରଖିଲ କେଉଁଠି ବେ ? ଚଞ୍ଚଳ ଫେରାଇଦେବ, ନା ଦେଖିବ ?’’

 

ଆମେ ହସିଲୁ ଆହୁରି ଜୋର୍‌ରେ । ନିରାକାର କିଛି କହିବାକୁ ଯାଉଥିଲା; କିନ୍ତୁ ହାଡ଼ିଆର ଦାବୀ ଶୁଣାଗଲା–‘‘ସେଇଟା କ’ଣ ତୁମ ବୋପାର ଲୁଗା ? କିବେ, ଚଞ୍ଚଳ ମୋ ଲୁଗା ଦିଅ ।

 

ନିରାକାର କଥାଟା ବୁଝେଇବା ପାଇଁ ଚେଷ୍ଟାକଲା—‘‘ସତ କହୁଚୁ, ଆମେ ତୋ ଲୁଗା ଦେଖିନୁ । ତୋତେ ଉଠେଇଲା ବେଳେ ଦେଖିଲୁ, ତୋର ଏଇ ହାଲ୍ । ତୁ ଶୋଇଥିବା ଅବସ୍ଥାରେ କେଉଁ ବଜ୍ଜାତ ତୋ ଲୁଗାଟା ନେଇଯାଇଚି । ଏଥିରେ ଆମର କିଛି ଦୋଷ ନାଇଁ ।

 

ହାଡ଼ିଆର ଖରାସିଝା କର୍କଶ, ରୋଗା ମୁହଁର ମାଂସପେଶୀ ଏମିତି କଠିନ, ସଙ୍କୁଚିତ ହୋଇଗଲା ଯେ, ଆମେ ଭାବିଲୁ, ଏଇକ୍ଷଣି ହୁଏତ ସେ ଆମକୁ ଓ ଆମ ଦୋକାନଗୁଡ଼ିକୁ ନିପାତ୍ କରି ଉଚିତ୍ ପ୍ରତିଶୋଧ ନେବ । ଅତୁଳନୀୟ କ୍ରୋଧ ଓ ଲଜ୍ଜାରେ ତା’ର ସାଢ଼େ ଚାରିଫୁଟିଆ ଦେହଟଇ କମ୍ପିଉଠିଲା । ମାତ୍ର ସେ ତଳୁ ଉଠି ପାରୁ ନ ଥାଏ । ତା’ର ହାତ ଦୁଇଟି ନିର୍ଦ୍ଦିଷ୍ଟ ସ୍ଥାନରେ ଅଟକି ରହିଥିଲା । ବନ୍ଦୀ ହୋଇଯାଇଥିଲା ସେ ।

 

ଆମର ହେତୁ ହେବା ଦିନୁ ଆମେ ୟାକୁ ଦେଖିଆସିବୁ ଗାଈଆଳ ଭାବରେ । ମୁକ୍ତ ଆକାଶ ତଳେ ଓ ସଦୟ ପୃଥିବୀର ଛାତି ଉପରେ ସେ ଦିଗହୀନ ବାଟ ଚାଲେ । ହାତରେ ବାଡ଼ି ଧରି ଧାଏଁ ଏଣେତେଣେ ଏବଂ ଅହରହ ତା’ ପାଟିରୁ ଧମକ ଉଛୁଳିପଡ଼େ—ରହ, ରହ, ଦେଉଚି ତୋ ପିଠିରୁ ଆଜି ଛାଲ ଉତ୍ତାରି । ଏଣେ ଆସୁଚୁ ନା, ସେଇ ଧାନ କିଆରୀ ଆଡ଼େ ଧାଇଁ ମରୁଚୁ ? ତୋତେ ଆଜି ବାଘ ମୁହଁରେ ଦେବି ଲୋ, ସବାଖାଇ, ଇତ୍ୟାଦି ।

 

ଏଇଭଳି ଚଳଚଞ୍ଚଳ; ଅସ୍ଥିର ଲୋକଟିଏ ଆଜି କିନ୍ତୁ ନିରୁପାୟ ହୋଇ ଆମ ସାମନାରେ ବସିରହିଚି ବିବସ୍ତ୍ର ହେବାର ଲଜ୍ଜା ନେଇ ।

 

ବନବିହାରୀ ଖଣ୍ଡେ କାଗଜକୁ ଲମ୍ୱ ଭାବରେ ଗୋଲ କରି ଗୁଡ଼େଇ ଦେଲା ଏବଂ ଠିଆହେଲା ବାରଣ୍ଡାରେ ପଡ଼ିଥିବା ଟୁଲ ଉପରେ । ଶ୍ରୀକୃଷ୍ଣଙ୍କ ଭଙ୍ଗୀରେ ନିଜକୁ ସଜାଡ଼ି ଗୁଡ଼ା ହୋଇଥିବା କାଗଜକୁ ଧରିଲା ଓଠ ପାଖରେ । ବୁଝେଇଦେଲା ଆମକୁ । ‘‘ବସ୍ତ୍ର ହରଣ ଦୃଶ୍ୟଟା ଏଇଭଳି ହୋଇଥିବ ।’’ ତା’ପରେ ହିନ୍ଦୀ ଓଡ଼ିଆ ମିଶାମିଶି ଏକ ଅର୍ଥହୀନ ଗୀତ ଗାଇଲା ବଂଶୀ ସ୍ୱନର ସ୍ଥାନ ପୂରଣ କରିବା ପାଇଁ ।

 

ହାଡ଼ିଆର କଣ୍ଠବୋଧ ହୋଇଯାଇଥିଲା ସମ୍ଭବତଃ । ଲୁହଭିଜା ସ୍ୱରରେ ଏକରକମ ଆର୍ତ୍ତନାଦ କରିଉଠିଲା ସେ—‘‘ଶଳେ ଲୁଗାଟା ଦେବ, ନା ଥାନାକୁ ଯିବି ?’’

 

ଆମ ଆଡ଼ୁ କୌଣସି ପ୍ରତିକ୍ରିୟା ସେ ପାଇଲା ନାଇଁ; ବରଂ ଦେଖିଲା, ଆମେ ପ୍ରଚୁର ଆନନ୍ଦ ପାଉଚୁ ତା’ର ଏଇ ଅବସ୍ଥା ଦେଖି । ଏଇଥି ପାଇଁ ସେ ପୁଣି ଉଚ୍ଚ ସ୍ୱରରେ ପାଟିକଲା–‘‘ଶଳେ ତୁମ ବଂଶ ବୁଡ଼ିଯିବ । ତୁମ କଥା ଠାକୁର ବୁଝିବ । ତୁମକୁ ଝାଡ଼ା-ବାନ୍ତି ହେଉ ।’’ ଟିକିଏ ଦମ୍ ନେବା ପରେ ସେ ଦାବୀ କଲା—‘‘କିବେ, ଲୁଗାଟା ଦିଅ !’’

 

କୁଳମଣି ଓ ନିରାକାର କହିଲେ—‘‘ତୋ ଲୁଗା ଆମେ ଦେଖିନୁ । ତୋତେ କିଏ କହେ ଦି’ନି ଏଠାକୁ ଆସି ଶୋଇବା ପାଇଁ ? ଦି’ନି କିଏ ତୋତେ ନିଦରୁ ଉଠେଇବ ?’’

 

ବନବିହାରୀ ଯୋଗକଲା—‘‘ତୋ ଲୁଗା କିଏ ନେଇଗଲା ଜାଣି ଆମେ ଦୁଃଖିତ । ଆମଠି କ’ଣ ଅଧିକ ଲୁଗା ଅଛି ଯେ ତୋତେ ଦେଇପାରିବୁ ? ସେଇମିତି ଲଙ୍ଗଳା ହେଇ ଘରକୁ ପଳେଇ ଯା ।’’

 

ଏଥର ହାଡ଼ିଆ ଯଥେଷ୍ଟ ନରମ ହୋଇଗଲା । ସେ କହିଲା ପ୍ରାୟ ଅନୁନୟ ହୋଇ–‘‘ସତ କହୁଚି, କାଲିଠୁ ଆଉ ଏଠାକୁ ଆସିବି ନାଇଁ । ଘରେ ବସିବାକୁ ଭଲ ଲାଗେ ନାଇଁ ବୋଲି ସିନା ଏଠାକୁ ଆସେ ! ମୋ ଲୁଗାଟା ଦେଇଦିଅ । ମୁଁ ଯାଏଁ । ମା’କୁ ଭାରି ଜର । ମୋତେ ହାଇଁପାଇଁ ହୋଇ ଖୋଜୁଥିବ କି କ’ଣ ।’’

 

ଆମେ ପରସ୍ପରର ମୁହଁ ଚାହିଁଲୁ, ହାଡ଼ିଆର ଆତ୍ମସମର୍ପଣ ପରେ କ’ଣ କରାଯିବା ଉଚିତ ବୋଲି ଜାଣିବା ପାଇଁ । ଆମେ ଯେ ହତାଶ ହୋଇପଡ଼ିଲୁ, ଏଥିରେ ସନ୍ଦେହ ନାଇଁ । ଘଟଣାର ପରିସମାପ୍ତି ଏତେ ଚଞ୍ଚଳ ହେବା କଥାଟା ଆମେ ଚାହୁଁ ନ ଥିଲୁ । ଏ ପର୍ଯ୍ୟନ୍ତ ବାସ୍ତବିକ ଘଟିଚି ବା କ’ଣ ? ଦଶ-ପନ୍ଦର ମିନିଟ୍ ହେବ ହାଡ଼ିଆ ବସିଚି ନିଜକୁ ସଙ୍କୁଚିତ କରି ଏବଂ ପଦେ, ଦି’ପଦ ହାସ୍ୟାସ୍ପଦ ଅଭିଶାପ ଓ ଧମକ ଦେଇଚି ।

 

ନିରାକାର କହିଲା—‘‘ମୁଁ ଯାଉଚି, ଶୋଇବି । ୟା ଲୁଗା କିଏ ନେଲା ବୋଲି ଅଧରାତି ପର୍ଯ୍ୟନ୍ତ ଠିଆ ହୋଇଥିବି, ନା କ’ଣ ?’’

 

ସେ ଏତକ କହି ମୁହଁ ଫେରାଇବା କ୍ଷଣି ବନବିହାରୀ ଟୁଲ୍ ଉପରୁ ଓହ୍ଲାଇ ଆସିଲା । କହିଲା–‘‘ମୁଁ ବି ଯାଉଚି । କାଲି ମୋର ବହୁତ କାମ ।’’

 

କୁଳମଣି ବାରଣ୍ଡାରେ ଥୁଆ ହୋଇଥିବା ଲଣ୍ଠନ ଧରିଲା । କିଛି ନ କହି ଉଦ୍ୟତ ହେଲା ଯିବା ପାଇଁ ।

 

ଦୋକାନ ତାଲା ଖୋଲୁଥିବା ଅବସ୍ଥାରେ ମୁଁ ନକଲି ହାଇ ମାରିଲି । ଅନ୍ୟକୁ ଶୁଣେଇବା ଭଳି କହିଲି–‘‘ଭାରି ନିଦ ଲାଗୁଚି । ଶୋଇପଡ଼ିବା ଏଥର ।’’

 

ମୁଁ କଣେଇ ଚାହିଁଲି ହାଡ଼ିଆ ଆଡ଼େ । ମଣିଷର ମୁହଁ ଏତେ ଅସହାୟତା, କ୍ରୋଧ ଓ ବିନୟ ଏକ ସଙ୍ଗେ ଧରି ରଖିପାରେ ବୋଲି କେହି କହିଥିଲେ ବିଶ୍ୱାସ ହୋଇ ନ ଥାନ୍ତା । ହାଡ଼ିଆର ସେଇ ମୁହଁଟି ଦିଶୁଥିଲା ଅସାଧାରଣ । ତାକୁ କେବେ କିମିତି ଉଚ୍ଚ ସ୍ୱରରେ ବଚସା କରିବାର ଆମେ ଦେଖୁଚୁ । ମାତ୍ର ସବୁବେଳେ ତା’ ମୁହଁରେ ଏକ ନିର୍ବୋଧ ହସ ଅଟକି ରହିଥାଏ ତା’ ଜୀବନର ଶୂନ୍ୟତାକୁ ପରିପୂର୍ଣ୍ଣ କରିଦେବା ପାଇଁ । ସେଇ ନିର୍ବୋଧ ହସ ଅକୃତ୍ରିମ ଓ ପରିଚ୍ଛନ୍ନ ଜଣାପଡ଼େ । ଜୀବନର ସମସ୍ତ ଆବର୍ଜନା, ସମସ୍ତ ଗୌରବ, ସମସ୍ତ ସୁଖ-ଦୁଃଖ ପ୍ରତି ବିମୁଖ ହାଡ଼ିଆର ହସ ଥିଲା ତା’ ଜୀବନର ଏକମାତ୍ର ମହାନ୍ ପ୍ରାପ୍ତି । କଥା କହୁ କହୁ ସେ ହଳଦିଆ, ଛୋଟ ଦାନ୍ତ ଓ ପ୍ରଶସ୍ତ ମାଢ଼ି ଦେଖାଇ ହସେ ।

 

ବର୍ତ୍ତମାନ ତା’ର ମୁହଁ ଦିଶୁଥିଲା ଜଣେ ନିଚ୍ଛକ ସଂସାରୀର ମୁହଁ ଭଳି । ତା’ର ଜଣାଶୁଣା କ୍ଳିବତ୍ୱ ତା’ର ଦୁର୍ବଳତା; ମାତ୍ର ସେଇ ଦୁର୍ବଳତାର ଅର୍ଥ ସେ କେବେ ବୁଝିଚି ବୋଲି ଆମର ବିଶ୍ୱାସ ନାଇଁ । ତା’ର କ୍ଳିବତ୍ୱ ପ୍ରତି ସେ ସଚେତନ ବୋଲି ଆମେ କେହି ଭାବୁ ନାହୁଁ; ଅଥଚ ନିଜକୁ ଘୋଡ଼େଇ ରଖିବାର ଯେଉଁ ବ୍ୟାକୁଳତା ଆମେ ତା’ଠି ଦେଖିଲୁ, ତାହା ମୋତେ ଆନ୍ଦୋଳିତ କଲା । ଏମିତି ଖୋଲାଖୋଲି ଭାବରେ ନିଜର ଦୁର୍ବଳତା ପ୍ରକାଶ ପାଇବାଟାକୁ ସେ ବିରୋଧ କରୁଥିଲା ଧମକ ଓ ଅଭିଶାପ ଦେଇ । ଏଇଥିପାଇଁ ତାର ନିର୍ବୋଧ ମୁହଁ ବିପର୍ଯ୍ୟସ୍ତ ଓ ଯନ୍ତ୍ରଣାକାତର ହୋଇପଡ଼ିଥିଲା । ଯଦିଓ ମୁଁ ଟିକିଏ ଅନ୍ୟମନସ୍କ ହୋଇପଡ଼ିଥିଲି, ତଥାପି ୟା ସେ କ’ଣ କରିବ, ତାହା ଦେଖିବା ପାଇଁ ମୋ ଆଗ୍ରହ କମି ନ ଥିଲା ।

 

ଏବଂ ମୋତେ ଆଶ୍ଚର୍ଯ୍ୟ, ନିରୁପାୟ କରି ସେ ଲୁହ ଝରେଇବା ଆରମ୍ଭ କଲା । ମାତ୍ର ଏ କ’ଣ ? ମୋତେ ଜଣାଗଲା, ତାର ଦୁଇ ଆଖି, ତା’ର ଅପରିସୀମ ଲୁହର ଫାଟକ ହେବାପାଇଁ ସଂପୂର୍ଣ୍ଣ ଅଯୋଗ୍ୟ ହୋଇ ପଡ଼ୁଚନ୍ତି । ସେ କାନ୍ଦିଚାଲିଲା ସମସ୍ତ କ୍ଳିବତ୍ୱ, ସମସ୍ତ ଉଲଗ୍ନତାର ପ୍ରତୀକ ହୋଇ । ବର୍ତ୍ତମାନ ଓ ଭବିଷ୍ୟତର ସମସ୍ତ ଲୁହ ଏଇ ଯେପରି ଶେଷ ହେବାକୁ ଯାଉଚି ।

 

ମୁଁ କିଛି କହିବା, କରିବା ପୂର୍ବରୁ ବିଷ୍ଫାକୁଳ କଣ୍ଠରେ ସେ ଚେତାବନୀ ଦେଲା—‘‘ସଭିଙ୍କୁ କହିଦେବି ଏ କଥା । ଗାଁରେ ପଞ୍ଚୁଆତି ବସୁ । ଥାନାକୁ ଯିବି । ହଁ, ଯିବି ଥାନାକୁ । ସିପେଇକୁ ଡାକି ଆଣିବି ।’’

 

ଏତକ କହି ସେ ପର୍ଯ୍ୟନ୍ତ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଅଟକି ରହିଥିବା ତା’ର ଦୁଇ ହାତକୁ ସେ ଆଖି ପାଖକୁ ନେଲା । ପାପୁଲିରେ ମୁହଁ ପୋଛିଲା ଏବଂ ପରମୁହୂର୍ତ୍ତରେ ତା’ର ସମୁଦାୟ ମୁହଁ ଲୁହରେ ଭିଜିଗଲା । ପାପୁଲି ପିଠିରେ ମୁହଁ ପୋଛୁ ପୋଛୁ ଆକସ୍ମିକ ଭାବରେ ସଂକଳ୍ପ ଓ ଦୃଢ଼ତା ଘନିଭୂତ ହୋଇଗଲା ତା’ ମୁହଁରେ । ମୁଁ ବିଚଳିତ ହୋଇଗଲି, ବାସ୍ତବିକ । କ’ଣ କରାଯିବା ଉଚିତ, ଏ ପରିସ୍ଥିତିରେ ?

 

କହିଲି–‘‘ହାଡ଼ିଆ, ତୋ ଲୁଗାଟା ମୁଁ ଦେଇଦେଉଚି ।’’

 

ଦୋକାନ ପିଢ଼ା ଉପରୁ ସେଇଟିକୁ ଆଣିବା ପାଇଁ ବ୍ୟବସ୍ଥା କଲାବେଳେ ଅନନ୍ତ ଅଭିମାନରେ ସେ ଫାଟିପଡ଼ିଲା । କାନ୍ଦମିଶା ସ୍ୱରରେ ଚିତ୍କାର କଲା ସେ–‘‘ରଖିଥା ସେ ଲୁଗା । ତୋର ପୁଅ ହେଲେ, ତାକୁ ଦେବୁ । ମୋର ଦରକାର ନାଇଁ ।’’ ତା’ ସ୍ୱର ଆହୁରି ବିଗଳିତ ହୋଇଗଲା ଓ ତା’ ଆଖିରୁ ଆହୁରି ଜୋରରେ ଲୁହ ଝରିଲା ।

 

ତାରରୁ ଝୁଲୁଥିବା ଲଣ୍ଠନ ଧରି ମୁଁ ପିଢ଼ା ଉପରେ ଲୁଗାର ଅବସ୍ଥିତି ଦେଖିବା ପାଇଁ ଯାଉଥିଲି । ଅନ୍ୟମାନେ ଯେଝା ଦୋକାନକୁ ଓ ଘରକୁ ଯିବାର ବାହାନା କରି ସେ ଯାଏଁ କିଛି ଦୂରରେ ଠିଆହୋଇ ତାମସାର ପରବର୍ତ୍ତୀ ପର୍ଯ୍ୟାୟ ଦେଖିବାକୁ ଅପେକ୍ଷା କରିଥିଲେ । ଆମ ସମସ୍ତଙ୍କୁ କିଂକର୍ତ୍ତବ୍ୟବିମୂଢ଼ କରି ହାଡ଼ିଆ ଠିଆହେଲା ଏବଂ କାନ୍ଦୁଥିବା ଅବସ୍ଥାରେ କହିଲା–‘‘ନ ଦିଅ ମୋ ଲୁଗା । ଶଳାମାନଙ୍କୁ ଯଦି ଥାନାକୁ ନ ପଠେଇଚି, ତେବେ ମୁଁ ବାପର ଛୁଆ ନୁହେଁ ।’’

 

କହିଲା ଏବଂ ଆମକୁ ଆହୁରି ବିସ୍ମିତ କରି ଗାଁ ଆଡ଼େ ଧାଇଁବା ଆରମ୍ଭ କଲା । ତା’ର ଗତିପଥ ଉପରେ ଛାଡ଼ିଦେଇ ଯାଉଥିଲା ଲୁହ, ଆମ ପ୍ରତି ଅଭିଶାପ ଓ ଧମକ ।

 

କଥାଟା ଟିକିଏ ବେଶି ଆଗେଇଗଲା କି ? ଆମ ପ୍ରତି ତା’ର ଅଭିଶାପ ଓ ଧମକ ଆମକୁ ଆଉ ଆନନ୍ଦ ଦେଇପାରିଲା ନାଇଁ । ତା’ର ଏ ପ୍ରକାର କାନ୍ଦଣା ଓ ଆଚରଣ କିଛି ସମୟ ପାଇଁ ଆମକୁ ସ୍ତବ୍‌ଧ କରିଦେଲା । ଅନ୍ୟମାନଙ୍କ କଥା ମୁଁ ଜାଣେନା; ମୁଁ କିନ୍ତୁ ପ୍ରଥମେ ଅପ୍ରତିଭ ଓ ପରେ ଅପରାଧୀ ହୋଇପଡ଼ିଲି ନିଜ ପାଖରେ ।

 

ଆମେ ସମସ୍ତେ ଏକାଠି ହେଲୁ । ମୁହୂର୍ତ୍ତଗୁଡ଼ିକୁ ହାଲୁକା କରିବା ସକାଶେ କୁଳମଣି କହିଲା–‘ଶଳା, ବେହିଆ ! ଲଙ୍ଗଳା ହୋଇ ଧାଇଁଚି ଗାଁ ଭିତରକୁ । ଆଣିଲ, ଗୋଟେ ଲମ୍ୱା ବାଡ଼ି ! ଲୁଗାଟା ପିଢ଼ାରୁ ଆଣେ । ତା’ ଘରେ ଦେଇଦେବି ।’’

 

ମୁଁ ଲଣ୍ଠନ ଟେକି ଧରିଲି । ଲାଠି ଧରି କୁଳମଣି ଲୁଗାଟିକୁ ଆଣିବାବେଳେ ଗାଁ ଭିତରୁ ଅଶ୍ରୁଳ ଚିତ୍କାର ଶୁଭିଲା–‘‘ମାୟା, ଉଠ ! ବସା ପଞ୍ଚୁଆତି ଗାଁରେ । ଏ ଶଳାଙ୍କର ବିଚାର କର । ଥାନାକୁ ପଠା ବେଗି ।’’

 

ନିରବଚ୍ଛିନ୍ନ ଭାବରେ ଗୋଟାଏ ପ୍ରତିଜ୍ଞାର ସ୍ୱର ବାରମ୍ୱାର କ୍ଷତବିକ୍ଷତ କଲା ଗାଁର ନୀରବତାକୁ ଓ ଅନ୍ୟମାନଙ୍କର ନିଦକୁ–‘‘ଆବେ ଉଠ୍ ! ଉଠିଲୁ ନା ନାଇଁ ? ନ ହେଲେ ସମସ୍ତଙ୍କ ଘରେ ନିଆଁ ଲଗେଇଦେବି ।’’

 

ମାୟାଧର ଦାଦା ଗାଁ । ପଞ୍ଚାୟତର ସରପଞ୍ଚ । ହାଡ଼ିଆ କୌଣସି ଲୋକକୁ ତମେ ବୋଲି ସମ୍ୱୋଧନ କରିବାର ଆମେ ଶୁଣିଲୁ ଏଯାବତ । ମାସେ କିମ୍ୱା ଦୁଇମାସରେ ଥରେ ହରକତ ହେଲେ ସେ ପାଟି କରେ ସରପଞ୍ଚଙ୍କ ଦୁଆର ଆଗରେ । ଏଇ କେତେ ଦିନ ତଳେ କିଏ କେଜାଣି ତା’ର ଗୋଟିଏ ଖାସି ଚୋରିକରି ନେଇଯାଇଥିଲା । ତା’ ଘର ପାଖରେ ଯେଉଁ କେତୋଟି କାକୁଡ଼ି ଲଟାରୁ ପର୍ଯ୍ୟାପ୍ତ ପରିମାଣରେ ଫଳ ଝୁଲିରହେ, ଦିନେ ଦେଖିଲାବେଳକୁ ସେଠାରେ ଗୋଟିଏ ବି କାକୁଡ଼ି ନାଇଁ । ଥରେ ତା’ର ନୂଆ ଗାମୁଛାଟି କିଏ ନେଇଯାଇ ତାକୁ ଦେଇଥିଲା ଗୋଟାଏ ଛିଣ୍ଡା, ପୁରୁଣା ଗାମୁଛା ।

 

ଏଇଭଳି ଘଟିଯାଏ ଜଣେ ଅପାରଗ ଏବଂ ଆପାତତଃ ଦୋଷମୁକ୍ତ ଲୋକକୁ କେନ୍ଦ୍ର କରି । ଏଠାରେ ବଞ୍ଚି ରହିବାକୁ ହେଲେ ନିଜକୁ ଓ ନିଜ ଦରବକୁ ପ୍ରତିରକ୍ଷା କରିବା ପାଇଁ ଯେଉଁ ଚତୁରତା ଓ ସତର୍କତା ଦରକାର, ସେ ସଂପର୍କରେ ସମ୍ପୂର୍ଣ୍ଣ ଅନଭିଜ୍ଞ ହାଡ଼ିଆ ଜୀବନକୁ ଖର୍ଚ୍ଚ କରେ ସର୍ବନିମ୍ନ ଦାବୀ ଦେଇ ଓ ନିଷ୍କପଟ କାମ କରି– ଗାଈ-ଛେଳି ଚରେଇ କୌଣସିମତେ ଗଣ୍ଡେ ଖାଇବା ଓ ପିନ୍ଧିବା । ତା’ ଚାରିପଟେ ଯେଉଁ ପ୍ରତିଯୋଗିତା ଓ ସଂଘର୍ଷ ଚାଲେ, ହାଡ଼ିଆ ତା’ର ଏକ ବିରୋଧଭାସ । ସେ ଜଣେ ଅସଂପୂର୍ଣ୍ଣ ମଣିଷ ହେଲେ ମଧ୍ୟ ତା’ ଜୀବନର ସ୍ୱଚ୍ଛ ସରଳତା ଏକ ଆଶ୍ଚର୍ଯ୍ୟ ବ୍ୟତିକ୍ରମ; କାରଣ ଏ ସରଳତା ପୃଥିବୀ ବହୁ ଦିନୁ ଭୁଲିଯାଇଚି । ହାଡ଼ିଆ ଲୁଣ୍ଠିତ ହୁଏ ଥରକୁ ଥର ଏବଂ ପରେ ପରେ ତା’ ମୁହଁ ଉପରକୁ ନିର୍ମଳ ହସ ଫେରିଆସେ, ତା’ ଆଖିକୁ ବେପରୁଆ ନିଦ ଫେରିଆସେ ।

 

ଆଜି ତା’ ଇଜ୍ଜତ ବରବାଦ ଥିଲା ସେଇ ପ୍ରକାରର ଗୋଟାଏ କାମ । ତାକୁ ଲଙ୍ଗଳା କରିଦେବାରେ ଆମେ ଅବଶ୍ୟ କୌଣସି ନୃଶଂସତା ପ୍ରକାଶ କରି ନ ଥିଲୁ । ତାହା ଆମର ଲକ୍ଷ୍ୟ ନ ଥିଲା । ଆମେ ଆମୋଦିତ ହେବାକୁ ଚାହୁଁ ଥିଲୁ; କିନ୍ତୁ ଆମେ ଦବିଗଲୁ ସମସ୍ତଙ୍କ ଘରେ ନିଆଁ ଲଗେଇଦେବ ବୋଲି ତା’ର ଘୋଷଣା ଶୁଣି । ଯଦି ସତକୁ ସତ ସେ ନିଆଁ ଲଗେଇ ଦିଏ ?

 

ମାୟାଧର ଦାଦା କବାଟ ଖୋଲି ଟର୍ଚ୍ଚ ଆଲୁଅରେ ଦେଖିନେଲେ ଏଇ ଅଭାବିତ ଦୃଶ୍ୟକୁ ଏବଂ ହସିପକାଇଲେ । ଗମ୍ଭୀର ହେବାକୁ ଚେଷ୍ଟା ନ କରି ପଚାରିଲେ–‘‘କ’ଣ ହେଲା ହାଡ଼ିଆ ? ରାତିରେ ଲଙ୍ଗଳା ହୋଇ ବୁଲୁଚୁ କାହିଁକି ?’’

 

କୁଳମଣି ସେଠାରେ ପହଞ୍ଚି ସାରିଥାଏ ସେତେବେଳେ । ହାଡ଼ିଆ କିଛି କହିବା ଆଗରୁ ସେ ତା’ କାନ୍ଧ ଉପରେ ଲୁଗାଟିକୁ ଥୋଇଦେଲା । ମାତ୍ର ସେଥିପ୍ରତି କୌଣସି ଆଗ୍ରହ ନ ଦେଖାଇ ହାଡ଼ିଆ ଆଗଭଳି ବାଷ୍ପରୁଦ୍ଧ ସ୍ୱରରେ ଦାବୀ କରୁଥିଲା ଆମ୍ଭମାନଙ୍କ ଅପରାଧର ବିଚାର କରି ଆମକୁ ଥାନାକୁ ଚାଲାଣ କରିବା ପାଇଁ ।

 

ସବୁଥର ଭଳି ତାକୁ ବୁଝାଶୁଝା କରିବାକୁ ପଡ଼ିଲା । ତା’ର ଆପତ୍ତି ଅଭିଯୋଗ ସବୁଥର ଭଳି ମାମୁଲି ଓ ବିଚାରଯୋଗ୍ୟ ନୁହେଁ ବୋଲି ସୂଚିତ ହେଲା ସରପଞ୍ଚଙ୍କ କଥାରୁ । ଏଥର ସେ ଶୋଧିଲା ମାୟାଧରଦାଦାଙ୍କୁ ଆମ୍ଭମାନଙ୍କୁ । ଦୀର୍ଘ ସମୟ ଧରି ଉଚ୍ଚ ସ୍ୱରରେ ଚିତ୍କାର କରିବା ଦ୍ୱାରା ତା’ର କଣ୍ଠ ଅସ୍ପଷ୍ଟ ଓ କ୍ଳାନ୍ତ ହୋଇପଡ଼ିଥାଏ । ଶେଷ ବେଳକୁ ତା’ ପାଖରେ ନ ଥିଲେ କେହି । ସରପଞ୍ଚଙ୍କ ଘରର କବାଟ ବନ୍ଦ ହୋଇସାରିଥିଲା, କୁଳମଣି ପଳେଇଯାଇଥିଲା ଅନେକ ବେଳୁ । ନିର୍ଜନ, ନୀରବ,ପ୍ରାୟାନ୍ଧକାର ଗାଁର ରାସ୍ତା ଉପରେ ଠିଆହୋଇ ଏଭଳି କେତେ ସମୟ ପର୍ଯ୍ୟନ୍ତ ଜଣେ ଏକତରଫା ଗାଳିଗୁଲଜ କରିପାରେ ?

 

ବଖୁରିକିଆ ଘର ପାଖରେ ପହଞ୍ଚିଗଲା ହାଡ଼ିଆ । ଗୋଟିଏ ପାଖରେ ଦୁଇ ଫୁଟ ଚଉଡ଼ାର ପିଣ୍ଡା—ଆବଡ଼ା ଖାବଡ଼ା ଧାରର । ପତଳା, ନଡ଼ା ଛପର ଘୋଡ଼େଇ ରଖିବାକୁ ଅସଫଳ ଚେଷ୍ଟା କରୁଥାଏ । ତାହା ହିଁ ହାଡ଼ିଆ, ତା’ ମା’ ଓ ଚାରି-ପାଞ୍ଚୋଟି ଛେଳିଙ୍କର ବାସସ୍ଥାନ ।

 

ରାତି ଅନେକ ହୋଇଯାଇଥାଏ ସେତେବେଳେ । ଘର କବାଟ ଉପରେ କରାଘାତ ଆରମ୍ଭ ହେଲା ଏବଂ ଶୁଣାଗଲା ଚିରାଚରିତ ସ୍ୱର—‘‘ମା, କବାଟ ଖୋଲ । ଖୋଲୁଚୁ, ନା ନାଇଁ-?’’

 

ଏହାର କିଛି ସମୟ ପରେ ଧମକ—‘‘କିଲୋ, କବାଟ ଖୋଲ ? ଭିତରେ ମଲୁଣି, ନା କ’ଣ ?’’

 

ସବୁଦିନ ଭଳି ଗୋଟାଏ କମ୍ପିତ, ନୀରବ ହାତ କବାଟ ଖୋଲିଦେଲା । ଭିତରେ ଥିବା ଛେଳି କେତୋଟି ଛିଙ୍କି ପକାଇଲେ; ଅନ୍ୟ କେତୋଟି କଡ଼ ଲେଉଟାଇ ଶୋଇବା ଅବ୍ୟାହତ ରଖିବାକୁ ଚେଷ୍ଟାକଲେ । ହାଡ଼ିଆ କବାଟ ବନ୍ଦ କରି ବିନା ଉପକ୍ରମଣିକାରେ ମା’ ପାଖରେ ଗଡ଼ିପଡ଼ିଲା ।

ମାତ୍ର ସେ’ଦିନ ସବୁ କଥା ଅସ୍ୱାଭାବିକ ଜଣାପଡ଼ିଲା । କଥା କ’ଣ ? ଏତେ ଗରମ କାହିଁକି ତଥାକଥିତ ବିଛଣା ଓ ମା’ର ତଥାକଥିତ ଦେହ ? ଆଉ, ମା’ ନିଃଶ୍ୱାସରେ ଏତେ ଜଡ଼ସଡ଼ ଆତୁରତା କେଉଁଥି ପାଇଁ ? ସତେ ଯେମିତି ସେ ନିଃଶ୍ୱାସ ରୁନ୍ଧି ହୋଇଯାଉଚି, ତା’ର ସ୍ୱାଭାବିକ ଗତିପଥ ଉପରେ ପ୍ରତିବନ୍ଧକ ସୃଷ୍ଟି ହେଉଚି । ମା’ର ଘୁଣଖିଆ ଦେହ ଭିତରେ ଥିବା ସତ୍ତାଟି ଘରର କାନ୍ଥ ବାଡ଼ ଗୁଣ୍ଡକରି ମୁକ୍ତ ହେବାପାଇଁ ଯାଉଚି । ହାଡ଼ିଆର ମନେପଡ଼ିଲା ଯେ, ତାକୁ ଆଜି ସକାଳୁ ଜର । ସାଇର ଯାହାଙ୍କ ଘରେ ସକାଳେ ବାସି ପାଇଟି କରେ, ସେଠାକୁ ଆଜି ଯାଇନାଇଁ ।

ହାଡ଼ିଆ ହାଇ ମାରିଲା । ଶୋଇବାର ଉପକ୍ରମ କଲା । ମାତ୍ର ଗୋଟାଏ ଅଦୃଶ୍ୟ ଶକ୍ତି ଖୋଲି ଧରିଲା ତା’ର ଦୁଇ ଆଖି ପତା । ସେ ଚାହିଁଲା ତା’ ଦେହକୁ ଲାଗି ଶୋଇଥିବା ମଣିଷ ଆଡ଼େ । କିଛି ଦିଶୁନି । ହାଡ଼ିଆ ହାତ ବଢ଼ାଇଲା, ମା’ର ଦେହ ଉପରେ ସେ ହାତ ପରିକ୍ରମା କଲା-। ଥରେ, ଦୁଇଥର ନୁହେଁ; ତା’ ହାତ ଥକି ଯିବା ପର୍ଯ୍ୟନ୍ତ । ହାତ ଫେରାଇ ଆଣିଲା ଓ ଦୀର୍ଘଶ୍ୱାସ ତ୍ୟାଗ କଲା ।

ମଣିଷଟା ଆଜି କିଛି ଖାଇନି । ଜୀବନରେ ପ୍ରଥମ ଥର ପାଇଁ ମା’ ସକାଶେ ହାଡ଼ିଆ ବିଚଳିତ ଓ ଶଙ୍କିତ ହେଲା । ଅଥଚ ସେ ବୁଝି ପାରୁ ନ ଥିଲା କ’ଣ କରାଯିବା ଦରକାର ଏଇ ପରିସ୍ଥିତିରେ । ଆଗରୁ ଏମିତି ଅନେକଥର ଜ୍ୱର ହୋଇଚି, ଦେହ ଖରାପ ହୋଇଚି । ବିନା ଚିକିତ୍ସାରେ ଭଲ ହୋଇଯାଇଚି । କେବଳ ଅସୁସ୍ଥତାର ଓଜନ ବେଶି ହୋଇଗଲେ ଚୁପ୍‌ ଚାପ୍ ବସିରହିବା କଥା ଓ ଧଇଁସଇଁ ହୋଇ ନିଃଶ୍ୱାସ ମାରିବା କଥା ।

ମା’ ଆଜି କିଛି ଖାଇନି—କେହି ଜଣେ ବ୍ୟାକୁଳତାର ସହିତ ପୁନରାବୃତ୍ତି କଲା ଏଇ କଥାପଦକ । ବାସିକାମ କରି ଓଳିକ ପାଇଁ ଯେଉଁ ଶୁଖିଲା ଭାତ ଗଣ୍ଡାଏ ଧରି ମା’ ଫେରିଆସେ ସାଈରୁ ଏବଂ ଆପାତତଃ ଦିନଟି ଯାକର କାମ ଶେଷ ହୋଇଗଲା ବୋଲି ମନେକରି ନୀରବରେ ପିଣ୍ଡା ଉପରେ ବସିରହି ସୂର୍ଯ୍ୟର ଆୟୁଷ ଗଣନା କରେ, ସେ ଭାତ ଗଣ୍ଡାକ ଆଜି ଆସି ନାଇଁ ଏ ଆଶାୟୀ ଘର ଭିତରକୁ । ହାଡ଼ିଆ ବା ଆଉ ଅଧିକ କ’ଣ କରିପାରନ୍ତା ? ଗାଈ ଚରା ବାବଦରେ ଶ୍ୟାମମଉସାଙ୍କ ଘରୁ ସକାଳେ ଓ ସଞ୍ଜବେଳେ ଯେଉଁ ଭାତ ସେ ପାଏ, ସେଇଥିରୁ କିଛି ଯାଚିଥିଲା ମା’କୁ । ମା’ କେବଳ ଥରେ, ଦୁଇଥର ଜୁଳୁଜୁଳୁ କରି ଚାହିଁଥିଲା ତା’ ଆଡ଼େ କିଛି ବୁଝି ନ ପାରିବା ଭଳି । କିଛି ନ କହି ଶୋଇପଡ଼ିଥିଲା । କଡ଼ ଲେଉଟାଇ ହାଡ଼ିଆ କହିଲା ମନକୁ ମନ—‘‘ଜର ହୋଇଚି । ଭଲ ହୋଇଯିବ । ଏମିତି ଅନେକ ଥର ଜର ହୋଇଚି, ଭଲ ହୋଇଚି ଆପଣାଛାଏଁ ।’’

କିନ୍ତୁ, ନା । ଘର ଭିତରେ କିଛି ଗୋଟାଏ ଛଟପଟ ହେଉଚି, ସମସ୍ତ ଆଶ୍ୱାସନା ଓ ବିଶ୍ୱାସଠାରୁ ବିଶାଳ ହୋଇଯାଉଚି । କ’ଣ ସେଇଟା ? ମା, ନା ସେ ନିଜେ ? ନା, ତାର ଭବିଷ୍ୟତ-? ହାଡ଼ିଆ କେବଳ ଅନୁଭବ କରୁଥିଲା, ତାକୁ କିଛି ଭଲ ଲାଗୁନି । ଅସ୍ୱସ୍ତି ଲାଗୁଚି-। ଗୋଟାଏ ବିରକ୍ତିଭାବ, ଗୋଟାଏ ଅହେତୁକ କ୍ରୋଧ ତା’ର ସମସ୍ତ ଶିରା-ପ୍ରଶିରା ଓ ହାଡ଼କୁ କଣ୍ଟକିତ କରୁଚି । ଏପରି ପରିସ୍ଥିତିରେ ସେ ସାଧାରଣତଃ ଯାହା କରେ, ତାହା ହିଁ କଲା । ଏଣୁତେଣୁ ଗୁଡ଼ାଏ ଗପିଲା ଓ ହସିଲା ।

କେହି ଜଣେ ଯଦି ତା’ ଘର ପାଖରେ ଠିଆହୋଇ ଏସବୁ ଶୁଣନ୍ତେ, ତେବେ ଭାବନ୍ତେ, ବୋଧହୁଏ ସେ ବାରଆଡ଼ୁ ବାରକଥା କହୁଚି ତା’ ମା’କୁ ଏବଂ ମା’ର ପାକୁଆ ପାଟିର ମୁଗ୍‌ଧ ହସ ଦେଖି ନିଜେ ହସୁଚି । ମାତ୍ର କେହି କେବେ ହାଡ଼ିଆ ମା’କୁ ହସିବାର ଦେଖିଚି କି ? କେଜାଣି ? ଅନ୍ତତଃ ଆମେ ଦେଖିନୁ । ତାକୁ ଆମେ ଦେଖୁ ପିଣ୍ଡା ଉପରେ ଚୁପ୍‌ଚାପ ବସିଥିବାର । ଲୋଚାକୋଚା ଚମଡ଼ାର ମୁହଁ, ପେଜୁଆ ଆଖି, କେରାଏ ବୋଲି ଧଳା କେଶ । ସେ ବସିଥାଏ ସେମିତି ଏବଂ ସମ୍ଭବତଃ କହୁଥାଏ ସମସ୍ତଙ୍କୁ—ମୋତେ ବିରକ୍ତ କରନା । ମୁଁ ଅନେକ କଥା ଭାବୁଚି-

 

ଆମର ହେତୁ ହେବା ଦିନୁ ଆମେ ହାଡ଼ିଆ ମା’କୁ ଦେଖିଆସିଚୁ ଏଇଭଳି ଭାବରେ । ତାକୁ ଦେଖି ଆମର ହୃଦ୍‌ବୋଧ ହୁଏ ଯେ, ସେ ତା’ର ସମସ୍ତ ପୂର୍ବଜନ୍ମରେ ବିଧବା ହୋଇଆସିଚି । ଛୁଆ ଦିନରୁ ବୁଢ଼ୀ ଓ ଉଦାସ ହୋଇଯାଇଚି । ବଖରାଏ ଘରର ପିଣ୍ଡା ଉପରେ ଗୋଟାଏ ହାଡ଼ର ଛାଞ୍ଚ ଧରି ବସିଚି ନୀରବରେ ଧରଣୀକୁ କୋଳାହଳମୟ ନ କରିବାର ସଂକଳ୍ପ ନେଇ ।

 

ଜୀବନ ଏତେ ନୀରବ ଓ ଦାବିହୀନ ହୋଇପାରେ କିପରି ? ଏତେ ପ୍ରତିବାଦହୀନ ଓ ଇଚ୍ଛାହୀନ କିପରି ହୋଇପାରେ ? ବିନା ସଂଗ୍ରାମ ଓ ଧୂର୍ତ୍ତତାରେ କିପରି ବଞ୍ଚିହୁଏ ଏଠାରେ ? ସଂଗ୍ରାମର ଅର୍ଥ କ’ଣ ସକାଳେ କାହାଘରେ ବାସନ ମାଜିବାକୁ ବୁଝାଏ ? ବିଶ୍ୱାସ କରି ହୁଏନି, ତାହା କିପରି ଜାଣ ଲୋକର ଜୀବନ ଧାରଣର ଏକମାତ୍ର ସର୍ତ୍ତ ଓ ଚୁକ୍ତି ହୋଇପାରେ ।

 

ସକାଳର କାମ ସରିଗଲେ ହାଡ଼ିଆ ମା’ ଫେରିଆସେ ନିଜ ଭିତରକୁ । ପିଣ୍ଡାରେ ବସି ଚାହିଁ ରହେ ସାମନାରେ ଥିବା ଶ୍ୟାମ ମଉସାଙ୍କ ପ୍ରକାଣ୍ଡ ଗୁହାଳ ଆଡ଼େ । ଉତ୍କଟ ଗୋବର–ମୂତ ଗନ୍ଧ ଶୁଙ୍ଘିବା ଭିତରେ ଦିନ ବିତିଯାଏ ।

 

ରାତିରେ ହାଡ଼ିଆ ସହିତ ଏକାଠି ଶୋଇବା ଭିତରେ ସେ ପୁଅର ସୀମିତ ଭବିଷ୍ୟତ କଥା ଭାବୁଥାଏ କି ନା, କେଜାଣି ? ଏଇଭଳି ଜଣେ ମଣିଷକୁ ସେ ସଂସାରକୁ ଆଣିଲା ସିନା; ତା’ ହାତରେ କିନ୍ତୁ ଭବିଷ୍ୟତ ଦେଇପାରିଲା ନାଇଁ । ସେ ହାଡ଼ିଆର ଦରମଲା ଅତୀତ ହୋଇ ବସିଚି ଏଠି । ଏଇଥିପାଇଁ ରାତିରେ ସେ ନିଜ ଛାତି ଭିତରେ ଜଡ଼ାଇ ରଖେ ହାଡ଼ିଆକୁ ଏବଂ ମା’ କୋଳରେ ହାଡ଼ିଆ ଶୋଇପଡ଼େ ତାହା ପୃଥିବୀର ସର୍ବଶ୍ରେଷ୍ଠ ନିରାପଦ ସ୍ଥାନ ବୋଲି ମନେକରି । ଏଇଭଳି ଶୋଇଥିବା ଅବସ୍ଥାରେ ପ୍ରତିଦିନ ଗୋଟାଏ ଛୋଟ ଛୁଆରେ ହାଡ଼ିଆ ରୂପାନ୍ତରିତ ହୋଇଯାଏ । ତା’ ମା’ ଫେରିଯାଏ ଅତୀତ ଭିତରକୁ । ୟାକୁ ଦଶମାସ ପେଟରେ ଧରି ଜନ୍ମ ଦେବା ଏବଂ ତା ଓଠରେ ସ୍ତନ ଗୁଞ୍ଜି କ୍ଷୀର ପିଆଇବା ଦିନଗୁଡ଼ିକ ସମସ୍ତ ସ୍ୱଚ୍ଛତା ନେଇ ଫେରିଆସନ୍ତି ତା’ ପାଖକୁ । ଅଦ୍ୟାବଧି ଶୋଇଥିବାବେଳେ ସେ ବାରମ୍ୱାର ପ୍ରସୂତି ଯନ୍ତ୍ରଣାରେ ଛଟପଟ ହୁଏ । ତା’ପରେ ସମସ୍ତ ସ୍ନେହ ଓ ଆବେଗର ତ୍ୟାଗମୟ ପ୍ରତୀକ ହୋଇ ତାକୁ କ୍ଷୀର ପିଆଏ । ଗୋଟାଏ ମିଛ, କାଳ୍ପନିକ ଭବିଷ୍ୟତ ତିଆରି କରେ ହାଡ଼ିଆ ପାଇଁ ଏବଂ ତା ଭିତରେ ବଞ୍ଚି ରହେ ଆତ୍ମିକ ସ୍ତରରେ ।

 

ବଖରାଏ ଘର ଭିତରେ, ରାତିର ଅନ୍ଧକାର ଭିତରେ ହାଡ଼ିଆ ଫେରିଯାଏ ତା’ ମା’ ପେଟର ଅନ୍ଧକାର ଭିତରକୁ । ତା’ ଭିତରୁ ଆସେ ପୃଥିବୀକୁ ଏବଂ ପେଟ ପୂରିବା ଯାଏ ସ୍ତନ ଶୋଷି ଚାଲେ । ଅଥଚ ସକାଳ ହେବାକ୍ଷଣି ତା’ ମା’ ଦେଖେ କ’ଣ ? ଆଲୁଅର ସ୍ପର୍ଶ ପାଇ ଗତକାଲିର ପୁଅ ବାର୍ଦ୍ଧକ୍ୟ ଓ କ୍ଳିବତ୍ୱର ଓଜନ ଟେକି ଧରିଚି । ତା’ ଜନ୍ମଦିନଟି କାହିଁ କେତେ ପଛରେ ପଡ଼ିରହିଲାଣି । ସେ ନିଜେ ଅପାରଗ, ଚମ ଧୁଡ଼ୁଧୁଡ଼ୁ ମଣିଷଟିଏ ହୋଇଯାଇଚି । କାହିଁ ତା’ର ସ୍ତନ ତା’ର କ୍ଷୀର କାହିଁ ? ରକ୍ତ କାହିଁ ତା’ ଦେହରେ ? ତା’ର ସଙ୍କୁଚିତ ପେଟ ଦେଖି କିଏ କାହିଁକି ବିଶ୍ୱାସ କରିବ ଯେ ଏକଦା ତାହା ହାଡ଼ିଆର ଦଶମାସ ପାଇଁ ନିର୍ଭରଯୋଗ୍ୟ ସୁଖମୟ ବାସସ୍ଥାନ ଥିଲା ?

 

କିଛି ବିଶ୍ୱାସ କରିହୁଏ ନାଇଁ, ଏଠାରେ । ଅଦୃଶ୍ୟ ଅବଶ୍ୟମ୍ଭାବୀ ଭାବରେ ବଦଳିଯାଏ ମଣିଷ ଏବଂ ଅତୀତର ଗୋଟାଏ କରୁଣ ଭଗ୍ନାବଶେଷ ହୋଇପଡ଼େ ।

 

ଆଜି ନିଃଶ୍ୱାସ ନେଲାବେଳକୁ ତା’ ଛାତି ଏତେ କୁଣ୍ଠିତ ହେଉଚି କାହିଁକି ? ସେ ଚେତନା ହେଉଚି ବାରମ୍ୱାର । ଅକଥନୀୟ ଲୋକ; ଶୋଷ ଓ ଦୁର୍ବଳତାରେ ସେ ଯେମିତି କେଉଁଆଡ଼େ ହଜିଯାଉଚି । ନିଦ ଆସୁନି । ଅଳ୍ପ ସମୟ ପୂର୍ବେ ହାଡ଼ିଆ ତା’ଦେହ ଉପରେ ହାତ ବୁଲଉଥିଲା ଏବଂ ସେ ଏକ ବିଚିତ୍ର ଭାବନାରେ ଅଧୀର ହୋଇଯାଉଥିଲା । ତା’ହାତ ସ୍ପର୍ଶରେ କ’ଣ ଥିଲା କେଜାଣି, ସେ ପାଉଥିଲା ଏକ ଆବେଗମୟ ଆଶ୍ୱାସନା । ସମସ୍ତ ଦୁର୍ବଳତା ଓ ଅସୁସ୍ଥତା ସତ୍ତ୍ୱେ ଏ ପୃଥିବୀ, ଏ ସଂସାର ପ୍ରତି ଗୋଟିଏ ମମତାବୋଧ ସଂଚରିତ ହୋଇଯାଉଥିଲା ତା’ର ସମସ୍ତ ଅନିଚ୍ଛୁକ ସ୍ନାୟୁ ଓ ହାଡ଼ରେ । ସେ ହାତ ଏବେ ଗତିହୀନ । ହାଡ଼ିଆ ଶୋଇଲାଣି କି ? ଶୋଇଥାଉ ତା’ର ଗେହ୍ଲାପୁଅ, ତା’ ଆଖିର ପିତୁଳା ତା ଧନ । ଭଲ ହୁଅନ୍ତା, ତାକୁ ଯଦି ସେ ଉଠେଇ କହିପାରନ୍ତା ଯେ, ତାକୁ ଆଦୌ ଭଲ ଲାଗୁନାଇଁ, ମୂର୍ଚ୍ଛାଳିଆ ଲାଗୁଚି । କେଜାଣି ହୁଏତ ବିଚରା ହାଡ଼ିଆକୁ ଏକୁଟିଆ ଛାଡ଼ିଦେଇ ସେ କେଉଁଆଡ଼େ ପଳେଇଯିବ କି କ’ଣ । ହାଡ଼ିଆ ମା ଭାବିଲା ଏଇ କଥା ବାରମ୍ୱାର । ତା’ର ତଣ୍ଟି ବଥା ହୋଇଗଲା ଓ ତା’ର ଶୁଖିଲା ଆଖି ଓଦା ହୋଇଗଲା । ସେ ଚେଷ୍ଟା କଲା ହାଡ଼ିଆକୁ ଟାଣି ଆଣିବା ପାଇଁ ନିଜ କୋଳ ଭିତରକୁ । ନା, ହେଉନି । କହିବ କି ସେ ହାଡ଼ିଆକୁ ତା’ ଦେହ ଉପରେ ସେ ସବୁଦିନ ହାତ ବୁଲାଉ ଥାଉ ? ମାତ୍ର ସେ କହିଲା ନାଇଁ କିଛି । ଅଳ୍ପ ସମୟ ପରେ ସେ ଅନୁଭବ କଲା, ହାଡ଼ିଆ ବିଛଣା ଛାଡ଼ୁଚି ଏବଂ କବାଟ ଖୋଲି ବାହାରକୁ ଯାଉଚି ।

 

ହାଡ଼ିଆ ବସିଲା ପିଣ୍ଡା ଉପରେ । ମନକୁ ମନ ଗୁଡ଼ାଏ ଗପିବାକୁ ଆରମ୍ଭ କଲା; ହସିଲା ଅନେକ କ୍ଲାନ୍ତି ଓ ଦୁର୍ବଳତା । ଗୋଟାଏ ଶଙ୍କିତ, କାନ୍ଦୁରା ଭାବ । ବିଶେଷତଃ ଲକ୍ଷ୍ମୀମାର୍କେଟ ଘଟଣା ପରେ । ପିଣ୍ଡାରେ ଶୋଇବା ପାଇଁ ସେ ସଜାଡ଼ି ନେଲା ନିଜକୁ । ଜୀବନରେ ପ୍ରଥମ ଥର ପାଇଁ ସେ କସରତ କଲା ନିଦ ପାଇବା ସକାଶେ । ଗୋଟାଏ ଉତ୍ତେଜନା ଟକ୍‌ମକ୍ ହେଉଚି ତା’ ସତ୍ତାରେ । ଗୋଟାଏ ନାମହୀନ ଯନ୍ତ୍ରଣାରେ ସେ ଅଥୟ ହେଉଚି ।

 

ଆଖି ବନ୍ଦ କଲା, ଖୋଲିଲା । ସେ ନିଶ୍ଚିନ୍ତ ହେଲା ଯେ, ତା’ଲୁଗା ଯଥା ସ୍ଥାନରେ ଅଛି । ଆହୁରି ଭଲକରି ଭିଡ଼ି ନେବା ପରେ ଚାହିଁଲା ଚାରିଆଡ଼କୁ । କେହି ନାହାନ୍ତି । ତଥାପି କାହାକୁ ଶୁଣେଇବା ଭଳି କହିଲା–‘‘ଏଥର କେହି ଲଙ୍ଗଳା କଲେ ଦେବି ଶଳାକୁ ଥଣ୍ଡା କରି । କାହା ବୋପା ପିଣ୍ଡାରେ ଶୋଇଚି, ନା କ’ଣ ?’’

 

ଛାଇ ନିଦ ଅବସ୍ଥା । ସେ ପୁଣି ଆଖି ଖୋଲିଲା । ବିରକ୍ତ ହେଲା ନିଜ ଉପରେ ଓ ପୁଣି ଶୋଇବାକୁ ଯତ୍ନବାନ ହେଲା । କିନ୍ତୁ ଏ ଘଡ଼ ଘଡ଼ ଶବ୍ଦଟା କାହାର ? କେଉଁ ବଳଦର କି ? ଏକାଗ୍ରତାର ସହିତ କାନେଇଲା । ମାତ୍ର ପାଞ୍ଚ–ଛ’ ଫୁଟ ଦୂରରେ ଥିବା ଗୁହାଳ ଭିତରୁ ତ ଏ ଶବ୍ଦ ଆସୁନି ? କେବଳ ସାମୟିକ ଭାବେ ତା’ ଭିତରୁ ଦୀର୍ଘଶ୍ୱାସ ଓ କଡ଼ ଲେଉଟାଇବା ଶବ୍ଦ ଶୁଭୁଚି ।

 

ତେବେ ଜାଣିବାକୁ ବିଶେଷ କଷ୍ଟ ହେଲା ନାଇଁ ଯେ, ସେ ଶବ୍ଦଟା ଆସୁଚି ଘର ଭିତରୁ । ମା’ ନିଶ୍ଚୟ । ଦାନ୍ତ କଡ଼ମଡ଼ କରି କହିଲା–‘‘ଗୋଟେ ଫାର୍ସ ଲଗେଇଚି । କେଉଁଠି ଟିକିଏ ଜର ହେଇଚି ଯେ ଘଡ଼ଘଡ଼ ଭଳି ଶବଦ କରି ଦୁନିଆଁ କମ୍ପଉଚି । ଆଉ ଯେମିତି କାହାକୁ ଜର ହୁଏନି ! ମରିବୁ ଯଦି ମରିବୁ । ଏତେ ଦେଖେଇ ହେଉଚୁ କାହିଁକି ?’’ ଏଥର ପାଟି କରି ଧମକ ଦେଲା–‘‘ଶୋଇପଡ଼ । ବେଶି ଗୁଡ଼ାଏ ବାଲିଙ୍ଗି ବାହାର କରନା ।’’

 

ମାତ୍ର ତା’ ଧମକକୁ ବେଖାତିର କରି ସମସ୍ତ ଦୃଢ଼ତା ଓ ପ୍ରତିଜ୍ଞା ନେଇ ସେ ଦୁର୍ଦ୍ଦାନ୍ତ ସ୍ୱର ନିଜର ସ୍ଥିତି ଜମାଇ ରଖିଥିଲା । ହାଡ଼ିଆ ଡରିଗଲା ଟିକିଏ; କାରଣ ସେ ସ୍ୱର ଭିତରେ ଯେଉଁ ନିର୍ଭିକତା ଲୁଚି ରହିଥିଲା, ତାହା ସମସ୍ତ ପ୍ରତିରୋଧ ଓ ଚେତାବନୀଠାରୁ ଯଥେଷ୍ଟ ବେଶି ଶକ୍ତିଶାଳୀ ଓ ଭୟାନକ ଥିଲା । ତାହା ଘରର ଛପର, କାନ୍ଥ ବିଧ୍ୱସ୍ତ କରି କେଉଁଆଡ଼େ ଖସି ପଳେଇ ଯିବା ପାଇଁ ତତ୍ପର ହୋଇପଡ଼ୁଥିଲା ।

 

ପ୍ରଚଣ୍ଡ ଅସ୍ଥିରତା ଓ ଉତ୍ତେଜନାରେ କମ୍ପିଉଠିଲା ହାଡ଼ିଆ । ପୁଣି ଘର ଭିତରକୁ ଆସିବା ବେଳେ କହିଲା–‘‘ଏତେ ଫୁଲେଇ ହେଉଚୁ କାହିଁକି ? ମରିବୁ ଯଦି ତୋ ସାଙ୍ଗରେ ଆଉ କେହି ମରିବେନି ।’’

 

ଭିତରକୁ ଆସି ବସିଲା ମା’ ପାଖରେ ଏବଂ ପଚାରିଲା–‘‘କ’ଣ ହେଉଚି ତୋର ? କାହିଁକି ଗୁଡ଼ାଏ ଘଡ଼ଘଡ଼ କରୁଚୁ ?’’

 

ମାତ୍ର ଅବ୍ୟାହତ ରହିଲା ଧଇଁସଇଁ ହେବାର ସ୍ୱର ଓ ଘଡ଼ ଘଡ଼ ଶବ୍ଦ । ଘରର ଅନ୍ଧକାର ପେଟ ଭିତରେ ସତେ ଯେମିତି ଏକ ଛଟପଟ, କାନ୍ତସତ୍ତା ମୁକ୍ତିର ବାଟ ଖୋଜୁଚି ଏଇ ସ୍ୱରର ସ୍ଲୋଗାନ ବଜାଇ । ହାଡ଼ିଆ ଭାବି ପାରିଲା ନି କ’ଣ କରାଯିବା ଦରକାର ଏଇ ମୁହୂର୍ତ୍ତରେ । କ’ଣ ଦିଆଯାଇପାରେ ମା’କୁ ? ତା’ ଦେହ ଆଉଁସି ଦେବା ବ୍ୟତୀତ ଆଉ କ’ଣ ଅଛି, ତା’ପାଖରେ ? ତା’ ଦେହ ଆଉଁଷିଲା ଏବଂ ଉତ୍ତାପ ଅନୁଭବ କରି ଆଶ୍ଚର୍ଯ୍ୟ ହେଲା ଗୋଟାଏ ହାଡ଼ ସର୍ବସ୍ୱ ଦରମଲା ଦେହ ଏତେ ଉତ୍ତାପ ଧରି ରଖିପାରୁଚି କେମିତି ?

 

ଏଥର ନରମ ସ୍ୱରରେ ପଚାରିଲା–ଶୀତ ଲାଗୁଚି କିଲୋ, ମା’ ?’’

 

ପୃଥିବୀର ସମସ୍ତ ପ୍ରଶ୍ନ, ସମସ୍ତ ଜିଜ୍ଞାସା ଓ ଆଗ୍ରହ ପ୍ରତି ବିମୁଖ ହୋଇପଡ଼ୁଥିଲା ହାଡ଼ିଆ ମା’ । ଏସବୁ ଜୀବନ ପାଇଁ କେତେ ଅବାନ୍ତର ଓ ନିଷ୍ପ୍ରୟୋଜନ ତାହା ସ୍ପଷ୍ଟ ବୁଝାପଡ଼ିଲା ତା’ ଅପ୍ରତିହତ ଶବ୍ଦ ଦ୍ୱାରା । ହାଡ଼ିଆ ଶୋଇଲା ତା’ ପାଖରେ । ଗୋଟାଏ ଅଝଟ ଛୁଆ ବୋଲି ମନେକରି ମା’କୁ ଟାଣିଆଣିଲା ନିଜ ଛାତି ଭିତରକୁ । ତାକୁ କୋଡ଼େଇଦେଲା ଭଳି ଆଶ୍ୱାସନା ଦେଲା–‘‘ଶୋଇପଡ଼ । ଦେଖୁନୁ, ମୁଁ ପାଖରେ ଅଛି । କିଏ ତୋର କ’ଣ କରିବ ? କାଲି ତୁ ଭଲ ହୋଇଯିବୁ ।’’

 

ତା’ ଦେହ ଆଉଁସିବା ବେଳେ ହାଡ଼ିଆର ଆଖି ପତା ବନ୍ଦ ହୋଇ ଆସୁଥିଲା । ଥରକୁ ଥର ତା’ ଛାଇ ନିଦ ଭାଙ୍ଗୁଥିଲା ଏବଂ ତା’ ପରେ ମା’ପିଠି ଉପରେ ତା’ହାତ ଚଞ୍ଚଳ ହୋଇପଡ଼ୁଥିଲା-

 

ନିଧାର୍ଯ୍ୟ ମୁହୂର୍ତ୍ତରେ କବାଟ ଅତିକ୍ରମ କରି ସକାଳର ଆଲୁଅ ଆସିଲା । ପାଖ ଗୁହାଳରୁ ଶୁଭୁଚି ହମ୍ୱା ରଡ଼ି । ଉଦ୍‌ବିଗ୍ନ ଚଢ଼େଇମାନଙ୍କର ବ୍ୟସ୍ତ ସ୍ୱର ବିଞ୍ଚିହୋଇ ପଡ଼ୁଚି ଚାରିଆଡ଼େ । କିଛି ଦୂରରେ ମଣିଷମାନଙ୍କର କଥାବାର୍ତ୍ତା ଏଠାରୁ ଅସ୍ପଷ୍ଟ ଶୁଭୁଚି ।

 

ହାଡ଼ିଆ ଆଖି ଖୋଲିଲା । ତା’ ଦେହକୁ ଲାଗି ମା’ଶୋଇଚି ନିଶ୍ଚିନ୍ତ ହୋଇ । ମା’ ସମ୍ଭବତଃ ଆଶ୍ୱସ୍ତ ହୋଇଚି ଯେ, ତା’ ପାଖରେ ଶୋଇଚି ତା’ର ସର୍ବଶ୍ରେଷ୍ଠ ଭରସା ଓ ଅବଲମ୍ୱନ । ଆଉ ଘଡ଼ଘଡ଼ ଶବ୍ଦ ନାଇଁ । କେବଳ ନିଃଶ୍ୱାସ ଚାଲିଚି ଖୁବ୍ ଜୋରରେ । ଦେହରେ ଆଗ ଭଳି ଉତ୍ତାପ । ଅନେକ ସମୟ ପର୍ଯ୍ୟନ୍ତ ହାଡ଼ିଆ ଚାହିଁ ରହିଲା ମା’କୁ । ବିଛଣା ଛାଡ଼ି ବାଡ଼ି ଧରିଲା ।

 

ସେଦିନ ସଂଜରେ ଗାଈ ଧରି ଗୁହାଳକୁ ଆସୁଥିବା ବେଳେ ଜଣେ ତାକୁ ଖବର ଦେଲା ଯେ, ତା’ ମା’ ସକାଳୁ ମରି ପଡ଼ିଚି । ସେ ଚଞ୍ଚଳ ଫେରିଲା ମଡ଼ା ମଶାଣୀକୁ ଯିବ ।

 

–‘‘ମରିଗଲା ?’’ ପଚାରିଲା ହାଡ଼ିଆ ଏବଂ ଅଭ୍ୟାସବଶତଃ ହସିଲା ଦାନ୍ତ ଓ ମାଢ଼ି ଦେଖାଇ । ‘‘ମୁଁ ଆଉ କ’ଣ କରିବି ? ମରିଗଲା, ତା’ ହେଲେ ?’’

 

ଅନ୍ୟ କୌଣସି ପ୍ରତିକ୍ରିୟା ନାଇଁ । ଅବାଧ୍ୟ ଗାଈ-ବଳଦମାନଙ୍କୁ ପାଟି କରି ଆୟତ୍ତ କରୁଥିବା ବେଳେ ସେ ଅନ୍ୟମନସ୍କ ହୋଇପଡ଼ୁଥିଲା ଏବଂ ହଜିଯାଉଥିଲା ତା’ସାମନାରୁ ପରିଚିତ ଦୃଶ୍ୟ । ସେ ପହଞ୍ଚିଗଲା ଗୁହାଳ ପାଖରେ । ସେମାନଙ୍କୁ ଭିତରକୁ ଅଡ଼େଇ ଦେବାବେଳେ ଦେଖିଲା, ତା’ ଘରର କବାଟ ବନ୍ଦ ଅଛି । ପିଣ୍ଡାଟା ଫାଙ୍କା । ଭିତରକୁ ଯିବା ପାଇଁ ବାଟ ନ ପାଇ ତା’ ଛେଳିମାନେ ଅଝଟ ପାଟି ତୁଣ୍ଡ କରୁଚନ୍ତି । ଆଖି ଫେରାଇ ସେ କହିଲା ମନକୁ ମନ–‘‘ଟିକିଏ ଜରରେ ବୁଢ଼ୀଟା କେମିତି ମରିଗଲା ? ମରି ତ ଗଲା; ହେଲେ ୟା ପରେ ମୋ କଥା କ’ଣ ହେବ-? ମୁଁ କରିବି କ’ଣ ? ବୁଢ଼ୀଟା ଏତେ ସହଜରେ କେମିତି ମଲା-?’’

 

ସେତେବେଳକୁ ସମସ୍ତ ଗାଈ-ବଳଦ ଗୁହାଳ ଭିତରେ ପଶି ସାରିଥିଲେ । ଗୁହାଳ କବାଟ ଲଗାଇ ସେ ଆସିଲା ତା’ପିଣ୍ଡା ପାଖକୁ ଏବଂ ସମଗ୍ର ଘରଟା ଅଦ୍ଭୁତ ଭାବେ ନିର୍ଜନ ଓ ଛେଉଣ୍ଡ ଜଣାପଡ଼ିଲା । ତା’ ଦେହ ଶିତେଇ ଉଠିଲା ଟିକିଏ । କବାଟ ଠେଲି ଛେଳିମାନଙ୍କୁ ଭିତରକୁ ଅଡ଼େଇ ଦେଲା । ଝାପ୍‌ସା ଆଲୁଅରେ ଦେଖିଲା, ମା’ ଶୋଇଚି ନୀରବ ନିଦରେ ଛିଣ୍ଡା, ମଇଳା ଲୁଗା ଘୋଡ଼ି ହୋଇ । ଏତେ ନୀରବ ଯେ, ହାଡ଼ିଆ ଡରିଗଲା । ଘର ଭିତରେ ସ୍ତବ୍‌ଧ ନିର୍ଜନତାର ସ୍ୱର ତାକୁ ଭୟଭୀତ କଲା । ବାହାରି ଆସିଲା ପଦାକୁ ଏବଂ କ’ଣ କରିବ ବୋଲି ଚିନ୍ତା କରୁ କରୁ ବସିପଡ଼ିଲା ପିଣ୍ଡା ଉପରେ । ଭୋକ ଲାଗୁଚି; ଅସମ୍ଭବ କ୍ଲାନ୍ତି । ତେବେ ଏ ଧନ୍ଦା ନ ସରିବା ଯାଏଁ ସେ ନିଜ କଥା ଭାବିବ କିପରି ?

 

କ’ଣ ତେବେ କରାଯିବ ? ନିଜେ ନେଇଯିବ କି ନଈକୂଳକୁ ? ଗାଁର ମଡ଼ା ସେଇଠି ପୋଡ଼ାଯାଏ । ସେଇ ଅରମା ଭିତରେ ଯାବତୀୟ ଅବଶିଷ୍ଟାଂଶ ପଡ଼ି ରହିଥିବାର ସେ ଦେଖେ, ଗାଈ ଚରେଇବା ବେଳେ–ପୋଡ଼ା କାଠ, ଭଙ୍ଗା ହାଣ୍ଡି, ଛିଣ୍ଡା ସପ, ଇତ୍ୟାଦି । ଏମିତି କି ଥରେ, ଦୁଇଥର ସେ ଦେଖିଚି, ଜୁଇ ଜଳୁଥିବାର । ପୋଡ଼ା ମାଂସର ଗନ୍ଧ ବି ଶୁଙ୍ଘିଚି ।

 

ସେ ଠିଆ ହେଲା । ଅନ୍ଧାର ହୋଇଆସୁଚି । ଏ ଝାମେଲା ଚଞ୍ଚଳ ସରିବା ଦରକାର; ମାତ୍ର ଗାଁର କାହାରି ହୁଏତ ଖିଆଲ ନାଇଁ ଯେ, ଗୋଟାଏ ଲୋକ ଅନେକ ବେଳୁ ମଲାଣି; ସତ୍କାର ପାଇଁ ଘର ଭିତରେ ଅପେକ୍ଷା କରିଚି ଧୈର୍ଯ୍ୟର ସହିତ ।

 

ଗଛରୁ ପତ୍ରଟିଏ ଖସି ପଡ଼ିଲା ଭଳି ହାଡ଼ିଆ ମା’ର ମରଣ ଥିଲା କୋଳାହଳହୀନ ଗୋଟାଏ ଆତ୍ମସମର୍ପଣ; ପ୍ରତିବାଦହୀନ, ନୀରବ ମୃତ୍ୟୁ । ସେ ଖସି ପଡ଼ିବା ଭିତରେ କୌଣସି କ୍ଷତିର ସ୍ୱାକ୍ଷର ଛାଡ଼ି ଦେଇଯାଇନି । ଏମିତିକି କ୍ଷଣକ ପାଇଁ ତା’ ଅନୁପସ୍ଥିତି କେଉଁଠି ଅଭାବ ସୃଷ୍ଟି କରିନି, ଏ ସଂସାରକୁ କୌଣସି ମତେ ଗରୀବ କରି ଦେଇନି । ଏଇଥି ସକାଶେ କେହି ନାହାନ୍ତି ପାଖରେ । ହାଡ଼ିଆର ପିଠି ଉପରେ ହାତ ବୁଲେଇ କଥାଟାକୁ ସହଜ ଭାବରେ ଗ୍ରହଣ କରି ନେବା ପାଇଁ ଦାର୍ଶନିକ ତତ୍ତ୍ୱ ବାଢ଼ିବାକୁ ଏ ପୃଥିବୀରେ ଭାଷା ନାଇଁ । ଆହା, ହାଡ଼ିଆ ମା’ଟି ମରିଗଲା; ଭଲ ମଣିଷଟିଏ ଥିଲା ବୋଲି କେଉଁଠି ଶୁଣା ଯାଉନି । ସମ୍ଭବତଃ ଜଣେ ଅଦରକାରୀ ମଣିଷ ଚାଲିଗଲା । ଅବଶ୍ୟ ଭଗବାନଙ୍କ ଅବତାର ଏଠାରୁ ଚାଲିଗଲେ ବି ସଂସାର ବଞ୍ଚି ରହେ । ସୂର୍ଯ୍ୟ, ଚନ୍ଦ୍ର ଆତଯାତ ହୁଅନ୍ତି । ଆକାଶ ପୃଥିବୀ ରହନ୍ତି ଅବିଚଳିତ ହୋଇ । ହାଡ଼ିଆ ମା’ ଚାଲି ଯିବା ଦ୍ୱାରା କେଉଁ କ୍ଷତି ବା ଘଟିଲା ଏଠାରେ ?

 

ହାଡ଼ିଆ ଭାବିଲା, ଭାରେ କାଠ ନେଇ ସେ ଆଗ ନଈକୂଳରେ ଛାଡ଼ି ଆସିବ । ତା’ପରେ ଗୋଟାଏ ଗଣ୍ଠିଲି ଭଳି ମା’କୁ କାନ୍ଧ ଉପରେ ପକାଇ ନେଇଯିବ ସେଠାକୁ । ପୋଡ଼ି ଦେବ । କାହାକୁ ଆଉ ଡାକି ବ ସେ ? ଆର ସାଇରେ ଦୁଇ ଜଣ ମଉସା, ଦାଦା ଅଛନ୍ତି । କେଜାଣି ଶଳେ ଆସିବେ କି ନାଇଁ ? କିଏ ଖୋସାମଦ୍ କରିବ ? ଏତେ ବାଟ କିଏ ଯିବ ଏଇନା ?

 

ସେ ଇତସ୍ତତଃ ହେଲା ବେଳେ ଦୁଇ, ତିନିଜଣ ବନ୍ଧୁବାନ୍ଧବ ପହଞ୍ଚିଗଲେ । ଜଣେ ପଚାରିଲା–‘‘କ’ଣ ବ୍ୟବସ୍ଥା ସବୁ କଲୁଣି ?’’

 

–‘‘କି ବ୍ୟବସ୍ଥା ?’’ ପଚାରିଲା ହାଡ଼ିଆ ଓ ହସିଲା ।

 

–‘‘ମାଲ ଭାଇମାନେ ମଡ଼ା ନେବେ । ପୋଡ଼ିବେ । ଏତେ କାମ କରିବେ ଖାଲିଟାରେ-?’’ ଅନ୍ୟ ଜଣେ ଚେତେଇ ଦେଲା ତାକୁ ।

 

ହାଡ଼ିଆ ମତଲବଟା ଠଉରେଇ ପାରିଲା ନି ଜମା । ନିର୍ବୋଧ ହସ ହସି ଚାହିଁଲା ସେମାନଙ୍କୁ । ଗୋଟାଏ ମଡାକୁ ଖାଲିଟାରେ ମାଲଭାଇମାନେ ପୋଡ଼ିବେ ନି । ସେ ଟିକିଏ ବିଚଳିତ ହୋଇ ପଡ଼ିଲା । ପ୍ରଥମେ ସେ ଭାବିଲା ଯେ ଏମାନେ କେହି ମଡ଼ା ପୋଡ଼ିବାରେ ତାକୁ ସାହାଯ୍ୟ କରିବେ ନି । ଏଇ କଥାଟିକୁ ଭାବିବାମାତ୍ରେ ଗୋଟାଏ ଦୃଢ଼ତା ସୃଷ୍ଟି ହେଲା ତା’ ମନରେ-। ସାହାଯ୍ୟ କରିବେନି ତ ? ନ କରନ୍ତୁ । ଗୋଟାଏ ଗଣ୍ଠିଲି ଭଳି ସେ ତା’ ମା’କୁ ଟେକି ନେଇ ପାରିବ ଅପନ୍ତରାକୁ । ତଥାପି ପଚାରିଲା—‘‘କଣ ଖାଲିଟାରେ ?’’

 

ଅନ୍ୟ ଜଣେ ବୁଝେଇ ଦେଲା—‘‘ମାଲଭାଇମାନଙ୍କୁ ବକତେ ଖାଇବା ପାଇଁ ଦେବା କଥା । ଦେବୁ ?’’

 

ସେଭଳି ପରିସ୍ଥିତିରେ ଏଇ ଅବାନ୍ତର ପ୍ରଶ୍ନ ହାଡ଼ିଆ ମନରେ ସୃଷ୍ଟି କଲା ପ୍ରଚଣ୍ଡ କ୍ରୋଧ-। କହିଁଲା—‘‘ତୁମ ମୁହଁରେ ଯଦି ଲାଜ ଥାଆନ୍ତା, ଏ କଥା କହି ନ ଥାନ୍ତ । କୋଉଠୁ ଆଣି ଦେବି ଯେ, ତୁମେ ଗିଳିବ ? ମୋର ଚାଷ ଅଛି, ନା ବାରି ଅଛି ? କ’ଣ ଅଛି ମୋ ଘରେ ?

 

ହାଡ଼ିଆର ଏଭଳି ବିସ୍ଫୋରଣ ପ୍ରତି ସେମାନେ ପ୍ରସ୍ତୁତ ଥିଲେ ବୋଧହୁଏ । ଅବିଚଳିତ ରହିଲେ ସେଇଥିପାଇଁ । ତାକୁ କୁହାଗଲା—‘‘ଶୁଣ, ହାଡ଼ିଆ ! ଏମିତି ଫେଚକାମି ବାହାର କଲେ ଚଳିବ ନାଇଁ । ବନ୍ଧୁବାନ୍ଧବମାନେ କେତେ ଖାଇବେ ! ସବୁଠି ଏଇ କଥା ଚଳି ଆସିଚି । କେଉଁଠୁ କ’ଣ ଆଣିବୁ, ସେକଥା ଆମେ ଜାଣିବୁ କିମିତି ?’’

 

ହାଡ଼ିଆର ସମଗ୍ର ଦେହ କମ୍ପି ଉଠିଲା । ହାତ ମୁଠା ଭିତରେ ଥିବା ବାଡ଼ିଟା ଅଥୟ ହୋଇ ଉଠିଲା ଅସମ୍ଭବ ଭାବରେ । ଚିତ୍କାର କଲା–‘‘ଶଳେ ଏଠୁ ଯିବ ନା ଦେଖିବ ? ତୁମକୁ କିଏ ଖୋସାମଦ କରୁଛି ମଡ଼ା ପୋଡ଼ିବା ପାଇଁ ? ମୁଁ ଏକୁଟିଆ ପାରିବି । ପଳାଅ; ନହେଲେ ଶଳାଙ୍କ ପିଠିରୁ ଚମଡ଼ା ଉତାରି ଦେବି ।’’

 

ଅନ୍ୟମାନେ ଡରିଯିବା ସ୍ୱାଭାବିକ । ସମସ୍ତେ ପଛେଇ ଗଲେ । ଗୋଟାଏ ସଙ୍କଟ ବେଳେ ମଧ୍ୟ ବଦମାସ୍‌ଟା ଏକଜିଦିଆ ଢଙ୍ଗ ଛାଡ଼ୁନି । ତାକୁ ସତର୍କ କରି ଦିଆଗଲା ଶେଷ ଅସ୍ତ୍ର ପ୍ରୟୋଗ କଲା ଭଳି—‘‘ଖବରଦାର, ହାଡ଼ିଆ ! ଜ୍ଞାତି-କୁଟୁମ୍ୱ ଲୋକଙ୍କୁ ଏମିତି କହନା । ବିପଦବେଳେ ତୋ ପିଠିରେ ପଡ଼ିବାକୁ କେହି ରହିବେ ନି !’’

 

ହାଡ଼ିଆ କିଛି କହିବା ପୂର୍ବରୁ ଅନ୍ୟ ଜଣେ ପ୍ରସ୍ତାବ ଦେଲା–‘‘ତୋ ଘରେ ତ ଗୋଟେ-ଦୁଇଟା ଖାସି ଅଛନ୍ତି । ସେଇଥିରୁ ଗୋଟେ ମାରିବାକୁ ମଙ୍ଗୁନୁ କାହିଁକି ? କୋଉ ପର ଲୋକ ଖାଇବେ ? କହ, ମାରିବୁ ? ମାସେ, ଦେଢ଼ମାସ ହେଉ ପଛେ ଖାସିଟେ ଦେବୁ ?’’

 

କୌଣସି କଥା ନ ଶୁଣି ହାଡ଼ିଆ ମୁହଁ ବୁଲେଇଲା । ଅନ୍ୟମାନେ ହତାଶ ହୋଇ ଫେରିବା ଆରମ୍ଭ କଲେ । ତଥାପି ସେମାନଙ୍କର ବିଶ୍ୱାସ ଥିଲା ଯେ, ଭାଇ-ବନ୍ଧୁମାନଙ୍କୁ ସଂପୂର୍ଣ୍ଣଭାବେ ବେଖାତର କରିବ ନି । ସେମାନେ କିଛି ଦୂରରେ ଠିଆ ହେଲେ ହାଡ଼ିଆ କ’ଣ କରୁଚି ଦେଖିବା ପାଇଁ ।

 

ଶ୍ୟାମ ମଉସାଙ୍କ ଘରୁ କାଠ ଧରି ହାଡ଼ିଆ ଗଲା ନଈକୂଳକୁ । ସେ’ଦିନ ଭଳି ଏତେ ଜରୁରୀ, କାର୍ଯ୍ୟବ୍ୟସ୍ତ ଦିନ ସୃଷ୍ଟି ହୋଇ ନ ଥିଲା ତା’ ପାଇଁ । ଗୋଟାଏ ଉତ୍ତେଜନାରେ ତା’ ଦେହ ଅସାଧାରଣ ଭାବେ ଶକ୍ତିଶାଳୀ ଓ ତତ୍ପର ହୋଇ ପଡ଼ିଥିଲା । ସମସ୍ତ ପ୍ରଚଳିତ ପ୍ରଥାକୁ, ବନ୍ଧୁ ବାନ୍ଧବମାନଙ୍କୁ ଅମାନ୍ୟ କରି ଚାଲେଞ୍ଜ କଲା ଭଳି ଉଚ୍ଚସ୍ୱରରେ ସଂହତିହୀନ କଥା କହୁଥିଲା । ତା’ ଭିତରେ ସେ ଗାଳି ଦେଉଥିଲା ସମସ୍ତଙ୍କୁ; ଏପରିକି ମରି ଯାଇଥିବା ମା’କୁ । ତାକୁ ଏତେ ଅସୁବିଧାରେ ପକାଇ ମରିବା କ’ଣ ଦରକାର ଥିଲା ସେ ଚୂଲିପଶା ବୁଢ଼ୀର ? କି ହରକତ ହେବାକୁ ପଡ଼ୁଚି ତାକୁ ? ଅନ୍ୟମାନେ ମାଂସ ଖାଇବାକୁ କିମିତି ମରୁଚନ୍ତି, ଦେଖ ! ଶଳେ ସାତଜନ୍ମରେ ଯେମିତି ମାଂସ ଖାଇ ନ ଥିଲେ ।

 

ଘର କବାଟ ଖୋଲିବାବେଳେ ଆଉ କିଛି ଦିଶୁ ନ ଥିଲା । ପ୍ରଥମେ ସେ ଅଣ୍ଡାଳି ହେଲା କେତୋଟି ମୁହୂର୍ତ୍ତ ପାଇଁ । କାହିଁକି କେଜାଣି ହାତ ତା’ର ଅନିଚ୍ଛୁକ ଓ ଭୟଭୀତ ହୋଇ ପଡ଼ୁଥିଲା । ବେଧଡ଼କ ହୋଇ ନିସ୍ପନ୍ଦ ଭାବରେ ପଡ଼ି ରହିଥିବା ମୁର୍ଦ୍ଦାରକୁ ଛୁଇଁବା ପାଇଁ । ସେ ସଂଘର୍ଷ ଆରମ୍ଭ କଲା ହାତ ବଢ଼େଇବା ପାଇଁ ଆଗକୁ ଏବଂ ତା’ ହାତ ମା’ ଦେହରେ ବାଜିବା କ୍ଷଣି ଗୋଟାଏ ତଡ଼ିତ୍‌ ସୃଷ୍ଟି ହେଲା ତା’ ଭିତରେ । ସେ ସଙ୍କୁଚିତ ହୋଇ ପଡ଼ିଲା । ତା’ର ଲୋମମୂଳ ଟାଙ୍କୁରି ଉଠିଲା । ଧଡ଼ପଡ଼ ହୋଇ ଠିଆ ହୋଇ ପଡ଼ିଲା ସେ ଏବଂ ଚିତ୍କାର କରିବାକୁ ଚେଷ୍ଟା କରି ବିଫଳ ହେଲା । ପଳେଇବ କି କେଉଁଆଡ଼େ ? ଇତସ୍ତତଃ ହେଲା କିଛି ସମୟ ପାଇଁ । ସତକୁ ସତ ବାହାରକୁ ବାହାରି ଆସିଲା ।

 

ଚାରିଆଡ଼େ ନିର୍ଜନତା ଓ ଅନ୍ଧକାର । ଘର ଭିତରଟା ଦିଶୁଚି ଭୟାବହ । ଖୋଲା ହୋଇ ରହିଥିବା ଦ୍ୱାରଟା ସତେ ଯେମିତି ପାଟି ଆଁ କରି ରହିଚି ଶେଷହୀନ କ୍ଷୁଧା ନେଇ । ନିଃଶ୍ୱାସ ଅପହୃତ ହୋଇ ଯିବା ପରେ, ଏତେ ଆପଣାର ମଣିଷଟାର ନିସାଡ଼ ଦେହ ତାକୁ ଏମିତି ଡ଼ରେଇ ଦେବାର କ’ଣ କାରଣ ହୋଇପାରେ ? ଯାହା ପେଟ ଭିତରୁ ସେ ବାହାରି ଥିଲା, ଯାହାର କ୍ଷୀର ପିଇ ବଡ଼ ହୋଇଥିଲା, ମଣିଷ ହୋଇଥିଲା, ତା’ର ମୁର୍ଦ୍ଦାର ତା’ ପାଇଁ ଏତେ ବିଶାଳ, ଅଚିହ୍ନା ଓ ଭୟପ୍ରଦ ହୋଇପଡ଼ୁଚି କାହିଁକି ?

ହାଡ଼ିଆ ଅଥୟ ହୋଇପଡ଼ିଲା ଏବଂ ୟାର ଅଳ୍ପକ୍ଷଣ ପରେ ସମସ୍ତ ପ୍ରତିଜ୍ଞା ଓ ଆତ୍ମବିଶ୍ୱାସ ନେଇ ଘର ଭିତରକୁ ଚାଲି ଆସିଲା । ଛିଣ୍ଡା ସପ ଓ ଲୁଗା ସମେତ ସେ ଗୁଡ଼ାଇ ଦେଲା ମା’କୁ । କାନ୍ଧରେ ପକାଇ ବାହାରିଲା ମଶାଣୀ ଆଡ଼େ ।

ସେ ନିଆଁ ଦିଶୁଥିଲା ଗୋଟାଏ ରକ୍ତ ଲିପା ଉଦ୍‌ବିଗ୍ନ ଜିଭ ଭଳି । ହାଡ଼ିଆ ସ୍ୱୀକାର କଲା ଯେ ଏ ନିଆଁ ଅଲଗା ଦିଶୁଚି, ସମସ୍ତ ନିଆଁ ଠାରୁ ଏ ଯେମିତି ସ୍ୱତନ୍ତ୍ର । ମଝିରେ ଅନ୍ଧାରିଆ ଦିଶୁଥିବା ପିଣ୍ଡୁଳାଟି କ୍ରମଶଃ ତରଳି ଯାଉଥିଲା, ସର୍ବଶେଷ ଗନ୍ଧ ବିଞ୍ଚିଦେଇ ପବନ ଭିତରେ । ଗୋଟାଏ ଲମ୍ୱ ଠେଙ୍ଗା ଧରି ହାଡ଼ିଆ ସ୍ତବ୍‌ଧ ଗତିହୀନତାରେ ଠିଆ ହୋଇଥିଲା ପାଖରେ ଏବଂ ବାରମ୍ୱାର ତା’ର ଛାଇ ଚହଲି ଯାଉଥିଲା । ରାତିର ଅନ୍ଧକାର ଭିତରେ ସେ ଚିରନ୍ତନ ନିଆଁ ପାଖରେ ହାଡ଼ିଆର ଏକାକୀ ଦେହଟି ନିଃସଙ୍ଗ ଓ ପରିତ୍ୟକ୍ତ ଦିଶୁଥିଲା । ସେ’ଦିନ ପ୍ରଥମଥର ପାଇଁ ଲକ୍ଷ୍ମୀ ମାର୍କେଟସ୍ଥିତ ମୋ ଦୋକାନ ବାରଣ୍ଡା ଶୂନ୍ୟ ହୋଇରହିଲା । ଆମେ ଦୋକାନୀଗଣ ଶୋଇବାକୁ ଯିବା ପୂର୍ବରୁ ଗୋଟାଏ ବ୍ୟାକୁଳ ଭାବ ଅନୁଭବ କରୁଥିଲୁ, ଗୋଟାଏ ଅଭାବ ବୋଧରେ ମ୍ରିୟମାଣ ହୋଇ ଯାଉଥିଲୁ ।

ପରଦିନ ସକାଳେ ଖଟ ଉପରେ ଶୋଇଥିବା ବେଳେ ଦେଖିଲି, ସଡ଼କ ଉପରେ ଗାଈମାନଙ୍କୁ ଅଡ଼େଇ ନେଉଚି ହାଡ଼ିଆ ସ୍ୱାଭାବିକ ଗତି ଓ ଢଙ୍ଗରେ । ଆଣ୍ଠୁ ଉପର ପର୍ଯ୍ୟନ୍ତ ପିନ୍ଧିଚି ଲୁଗା । ଡାହାଣ ହାତର ବାଡ଼ି ହଲୁଚି ଜୋରରେ । ହାସ୍ ହାସ୍; ଆସୁଚୁ, ନା ଦେଖିବୁ; ଦେଉଚି ରହ ତୋତେ ପାନେ, ଇତ୍ୟାଦି ଧମକ ଉଛୁଳି ପଡ଼ୁଚି ତା’ ପାଟିରୁ ।

ଦିନେ ଗଲା, ଦୁଇଦିନ ଗଲା । ହାଡ଼ିଆର ଦେଖା ନାଇଁ ସଂଜବେଳେ । ପରଦିନ ରେଡ଼ିଓ ଓ ଆମ୍ଭମାନଙ୍କର କୋଳାହଳ ଭିତରେ ଚାଲିଥିଲା ତାସ୍ ଖେଳ ସୀମିତ ଲଣ୍ଠନ ଆଲୁଅରେ-। ମୋର ଦୃଷ୍ଟି ପଡ଼ିଲା, ଟିକିଏ ଦୂରରେ ନିରାସକ୍ତ ଭାବରେ ବସିଥିବା ହାଡ଼ିଆ ଉପରେ-। ସେ ବସିଚି ତା’ ନିର୍ଦ୍ଧାରିତ ସ୍ଥାନରେ, ବାରଣ୍ଡା ଖମ୍ୱ ଉପରେ ଡେରି ହୋଇ । ମୋ ଦୃଷ୍ଟି ତା’ ଉପରେ ପଡ଼ିବା ମାତ୍ରେ ସେ ଟିକିଏ ଅପ୍ରତିଭ ହେବା ଭଳି ଜଣା ପଡ଼ିଲା; କିନ୍ତୁ ସେ ହସିଲା ପୁରୁଣା ଢଙ୍ଗରେ-

ରାତି ନ’ଟା ପାଖାପାଖି । ହାଡ଼ିଆ ଶୋଇଚି ଆଗ ଭଳି ଡାହାଣ ହାତ ଉପରେ ମୁଣ୍ଡଦେଇ । ପାଟି କଣରୁ ଧାରେ ଲାଳ ବହିଯାଇଚି ତଳକୁ । ବହୁ କଷ୍ଟରେ ଉଠେଇବାକୁ ପଡ଼ିଲା । ସହସା ତା’ର ହାତ ଅଣ୍ଟାରେ ପଡ଼ିଲା । ଚାହିଁଲା ଆମ ଆଡ଼େ । କୃତଜ୍ଞ ହେବା ଭଳି କହିଲା–‘‘ଲୁଗାଟା ଅଛି । ମୋତେ ଆଉ ଲଙ୍ଗଳା କରିବ ନାଇଁ । ହେଲା ?’’

ଠିଆ ହୋଇ ଲୁଗା ଭିଡ଼ିଲା । ବର ଗଛ ମୂଳେ ପରିଶ୍ରାକରି ଚାଲିଲା ଘର ଆଡ଼େ । ଆମେ ଦଉଡ଼ିଆ ଖଟ ଉପରେ ବିଛଣା ସଜାଡ଼ୁଥିଲୁ । ସେତିକିବେଳେ ଗାଁ ଭିତରୁ ଶୁଭିଲା ଗୋଟାଏ ଡାକ–‘‘ମା, କବାଟ ଖୋଲ । କିଲୋ, ଖୋଲୁଚୁ, ନା ମଲୁଣି ଭିତରେ ?’’

ଆମ୍ଭମାନଙ୍କର ହାତ ଅଟକି ଗଲା ବିସ୍ମିତ, ଭାବନାହୀନ ହୋଇ ଆମେ ଅପେକ୍ଷା କଲୁ । ଶୁଭିଲା ପୁଣି–‘‘କିଲୋ, ତୋ’ କାନରେ ନିଆଁ ଖୁଣ୍ଟା ଗୁଞ୍ଜା ହୋଇଚି ନା କ’ଣ ?’’

ଏଠାରେ କହି ରଖିବା ଭଲ ହେବ ଯେ, ହାଡ଼ିଆର ଏ ଡାକ ଭିତରେ ସ୍ୱାଭାବିକ ଧମକ ଓ ଆଦେଶ ନ ଥିଲା । ଅତୀତର ଏ ଡାକ ବର୍ତ୍ତମାନ ସତେ ଯେମିତି ଜୁଡ଼ୁବୁଡ଼ୁ ହେଉଥିଲା ଶେଷହୀନ ହାହାକାର ଓ ରିକ୍ତତା ଭିତରେ । ହାଡ଼ିଆର କଣ୍ଠଥିଲା ବାଷ୍ପାକୁଳ, ସ୍ୱର ଥିଲା କମ୍ପିତ ।

ଦେଖିଲି, ମୋ ଭଳି ବନବିହାରୀ ଓ ନିରାକାର ସ୍ତବ୍‌ଧ ଓ ନିରୂପାୟ ହୋଇ ଠିଆ ହୋଇଚନ୍ତି । ଆମେ ନିର୍ବୋଧ ଓ ଛେଉଣ୍ଡ ହୋଇଗଲୁ । ସେତେବେଳେ ସମୟ ଓ ପାରିପାର୍ଶ୍ୱ ସ୍ଥାଣୁ ହୋଇ ପଡ଼ିଥିଲେ ।

କିଛି ସମୟର ନୀରବତା । ତା’ ପରେ କାନ୍ଦ ମିଶା ଗୋଟିଏ ଚିତ୍କାର–‘‘ମା !’’ ସେ ଡାକ ବ୍ୟାପିଗଲା ଚାରିଆଡ଼େ—ଦିଗ୍‌ବଳୟ ଓ ଆକାଶ ପର୍ଯ୍ୟନ୍ତ । କିଛି ଦୂରର ପାହାଡ଼ ଫେରାଇ ଦେଲା ତା’ ଡାକ ଅକ୍ଷତ ଅବସ୍ଥାରେ—‘‘ମା !’’ ଡାକଟି ଅସଂଖ୍ୟ ତରଙ୍ଗ ସୃଷ୍ଟି କଲା ଓ ଗୁଞ୍ଜରିତ ହେବାକୁ ଲାଗିଲା ନୀରବତା ଭିତରେ ପୋତି ହୋଇଯିବା ଆଗରୁ ।

ଏଇ କ’ଣ ହାଡ଼ିଆ ? ନା’ ତା’ର ନିଃସଙ୍ଗ ବର୍ତ୍ତମାନ ? ଅତୀତ ଓ ଭବିଷ୍ୟତଠାରୁ ବିଚ୍ଛିନ୍ନ ବର୍ତ୍ତମାନର ସତ୍ତା ଯେମିତି ଖୋଜୁଚି ଅନ୍ତତଃ ଦରମଲା ଅତୀତକୁ; ଯେ’କି ଦୁଇଦିନ ଆଗେ ମରିଗଲା, ନୀରବତା ଓ ଅଭିଯୋଗହୀନ ତାର ଜୀବନ ବଞ୍ଚିବା ପରେ । ପୁନରାୟ ସେଇ ଡାକ–‘‘କୁଆଡ଼େ ମଲୁ, ଲୋ ମା’ ? କବାଟଟା ଟିକିଏ ଖୋଲି ଦେ । ଭିତରକୁ ଯିବି କିମିତି ?’’

ଶୁନ୍‌ଶାନ୍, ସ୍ଥିର ଗାଁର ମେରୁଦଣ୍ଡ ଛଟପଟ ହେଲା । ନିରୁପାୟ ଓ ଅଥର୍ବ ଜଣା ପଡ଼ିଲୁ ଆମେ ସମସ୍ତେ–ଗାଁ, ଗଛ, ରାସ୍ତାଘାଟ, ଆମ ଭବିଷ୍ୟତ ସବୁ ଯେମିତି କ୍ଳିବ ଓ ମାତୃହୀନ । ସମ୍ଭବତଃ ଖଣ୍ଡିଏ ଲୁଗା ପିନ୍ଧି, କ୍ଳିବତ୍ୱ ଘୋଡାଇବାକୁ ଚେଷ୍ଟାକରି ହାଡ଼ିଆ ଠିଆ ହୋଇଥିବ ତା’ ଘର ସାମନାରେ । ଅଥଚ ଘରର କାନ୍ଥ କ’ଣ ଧରି ରଖିପାରେ ଅତୀତକୁ, ନା ପ୍ରତିଶ୍ରୁତି ଦେଇ ପାରେ ଭବିଷ୍ୟତ ସଂପର୍କରେ ? ଲୁଗା କ’ଣ ଗୋପନ କରି ରଖିପାରେ ହାଡ଼ିଆର ନିଷ୍ଫଳ ଦେହକୁ ? ହାଡ଼ିଆ ପାଇଁ ସମସ୍ତ ଶୂନ୍ୟତା ସ ଦୀର୍ଘଶ୍ୱାସ ଅସରନ୍ତି ଓ ବିଶାଳ ହୋଇ ଯାଉଚି । ତା’ ଭିତରେ ହଜି ଯିବା ଆଗରୁ ଆତୁରତାର ସହିତ ସେ ଡାକୁଚି ତା’ର ଲୁଣ୍ଠିତ ଅତୀତକୁ—ମା’କୁ ।

ଆଉ କୌଣସି ଶବ୍‌ଦ ନାଇଁ । ଅପରାଧୀର ମନ ନେଇ ଆମେ ଶୋଇବାକୁ ଚେଷ୍ଟାକଲୁ-। ହାଡ଼ିଆ ଶୋଇ ପଡ଼ିଲାଣି କି ନା’ କେଜାଣି ? ହାଡ଼ିଆକୁ ଦେଖିବା ପାଇଁ ଚାହାଁନ୍ତି କି-? ଯେ କୌଣସି ସଂଧ୍ୟାରେ ଲକ୍ଷ୍ମୀ ମାର୍କେଟକୁ ଆସିପାରନ୍ତି । ମୋ ବାରଣ୍ଡା ଧାରରେ ନିଶ୍ଚୟ ତାକୁ ଶୋଇଥିବାର ଦେଖିବେ ।

Image